ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
କାଳିନ୍ଦି ଚରଣ ପାଣିଗ୍ରାହୀ
ଅମିୟବାଳା ପଟ୍ଟନାୟକ
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ଫକୀରମୋହନ ସେନାପତି
କନକଲତା ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୧୩, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

* ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ରଜପର୍ବ ଉପଲକ୍ଷେ ବିଶେଷ ଆଲେଖ୍ୟ *
ବାରମାସର ତେର ପର୍ବ ପାଳିତ ହେଉଥିବା ଓଡ଼ିଶାରେ ରଜ ହେଉଛି ଏକ ନିଆରା ପର୍ବ୤ ଆମ ରାଜ୍ୟର କେନ୍ଦୁଝର, ବାଲେଶ୍ବର, ମୟୁରଭଞ୍ଜ, ଗଞ୍ଜାମ, ସମ୍ବଲପୁର, ସୁନ୍ଦରଗଡ଼ ସମେତ ଉପକୂଳ ଅଞ୍ଚଳର ପ୍ରାୟ ସମସ୍ତ ଜିଲ୍ଲାରେ ଜ୍ୟେଷ୍ଠ ମାସର ଶେଷ ଓ ଆଷାଢ଼ ମାସର ଆରମ୍ଭକୁ ମିଶାଇ ପାଳିତ ହୋଇଥାଏ ଏହି ତିନିଦିନିଆ ପର୍ବ୤ ବୃଷମାସର ଶେଷଦିନ ପହିଲି ରଜ, ମିଥୁନ ମାସର ପ୍ରଥମ ଦିନ ରଜ ସଙ୍କ୍ରାନ୍ତି, ତା’ପରଦିନ ଶେଷରଜ ବା ଭୂମିଦହନ ଭାବେ ପାଳିତ ହୋଇଥାଏ୤ ଏହି ତିନିଦିନ ଧରି ସମସ୍ତ ପ୍ରକାର କୃଷିକାର୍ଯ୍ୟ ବନ୍ଦ ରଖିବା ସହ ଧରିତ୍ରୀ ବା ମାଟି ମା’ଙ୍କୁ ବିଶ୍ରାମ ଦିଆଯାଇଥାଏ୤ ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପରେ ଉତ୍ତପ୍ତ ଥିବା ପୃଥିବୀ ପୃଷ୍ଠରେ ଆଦ୍ୟ ଆଷାଢ଼ର ପ୍ରଥମ ବାରିଧାରା ପଡ଼ିବା ଫଳରେ ଏକ ବାଷ୍ପଧର୍ମୀ ତରଳ ପଦାର୍ଥ ନିର୍ଗତ ହୁଏ ବୋଲି କୁହାଯାଏ, ଯାହାକୁ ରଜ ନାମରେ ଅଭିହିତ କରାଯାଇଛି୤ ଏହି ରଜ ପୃଥିବୀକୁ ଉତ୍ପାଦନକ୍ଷମ କରି ଶସ୍ୟଶ୍ୟାମଳା କରାଏ ବୋଲି ବିଶ୍ବାସ ରହିଛି୤ ଆମ ରାଜ୍ୟର ପଲ୍ଲୀ ସଂସ୍କୃତିରେ ଏକ ବିଶ୍ରାମ ଓ ଆନନ୍ଦର ପର୍ବ ଭାବେ କାହିଁ କେଉଁ ଯୁଗରୁ ପାଳିତ ହୋଇଆସୁଛି ରଜ ପର୍ବ୤

ଓଡ଼ିଶା ଏଜ କୃଷିବହୁଳ ରାଜ୍ୟ ଏବଂ ଏଠାରେ କୃଷକମାନେ ଚାଷ ପାଇଁ ମୁଖ୍ୟତଃ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାନ୍ତି୤ ସାଧାରଣ ଭାବେ ଆମ ରାଜ୍ୟରେ ରଜ ସମୟରେ ହିଁ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ୤ ତେଣୁ ରଜ ପୂର୍ବରୁ ହଳକରି ବୁଣାବୁଣି କାର୍ଯ୍ୟରେ କ୍ଲାନ୍ତ ହୋଇପଡ଼ିଥିବା ଚାଷୀମାନେ ଏହି ଅବସରରେ ବିଶ୍ରାମ ନେଇ ମଉଜ କରିବା ସହ ପରବର୍ତ୍ତୀ କୃଷିକର୍ମ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି୤ ଏହି ଅବସରରେ ଗାଁ ଗହଳରେ ବୁଢ଼ାବୁଢ଼ୀମାନେ ତାସ୍‌, ଲୁଡ଼ୁ ଆଦି ଖେଳୁଥିବାବେଳେ ଯୁବକମାନେ କବାଡ଼ି, ବାଗୁଡ଼ି, ଫୁଟବଲ୍‌, କୁସ୍ତି କସରତ ଆଦି ଖେଳର ମଜା ନିଅନ୍ତି୤ ସନ୍ଧ୍ୟାରେ ପାଲା, ଦାସକାଠିଆ, ନାଟକ ଆଦି ମଞ୍ଚସ୍ଥ ହୋଇଥାଏ୤ ସ୍ବାସ୍ଥ୍ୟ ବିଜ୍ଞାନ ମୁତାବକ ରଜସ୍ବଳା ସମୟରେ ଶରୀରକୁ ଅଧିକ ବିଶ୍ରାମ ସହିତ ମନ ପ୍ରଫୁଲ୍ଲ ରହିବା ଆବଶ୍ୟକ୤ ତେଣୁ ଝିଅବୋହୂମାନେ ଏହି ସମୟରେ ଗୃହକର୍ମରୁ ଅବସର ନେଇ ହସଖୁସିରେ ଦିନ କାଟନ୍ତି୤ ଯୁବତୀ ଝିଅମାନେ ଖାଲିପାଦରେ ଭୂଇଁରେ ନ ଚାଲି କଦଳୀ ପାଟୁକା ବା ଗୁଆ ଖୋଳକୁ ପାଦରେ ପିନ୍ଧନ୍ତି, ଅଗାଧୁଆ ରହି କେତେ ପ୍ରକାରର ଖାଦ୍ୟ ଖାଆନ୍ତି ନାହିଁ୤ ଏହି ସମୟରେ ଭାତରୁ ଅଧିକ ଅମ୍ଳରସ ସୃଷ୍ଟି ହେଉଥିବାରୁ ତା’ ବଦଳରେ ପିଠା ଓ ଫଳମୂଳ ଖାଇଥାନ୍ତି୤ ସେହିପରି ଝିଅମାନେ ଦୋଳି, ପୁଚି, ବୋହୂଚୋରି ଆଦି ଖେଳିବା ସହ ନୂତନ ବସ୍ତ୍ର ପିନ୍ଧି, ଗହଣା, ଅଳତା, ଚନ୍ଦନ ଲଗାଇ ମଉଜ କରନ୍ତି ଏବଂ ବିଭନ୍ନ ପ୍ରକାର ଦୋଳିରେ ଝୁଲି ଝୁଲି ଗାଆନ୍ତି ଗଜଦୋଳି ଗୀତ:

‘ବନସ୍ତେ ଡାକିଲା ଗଜ
ବରଷକୁ ଥରେ ଆସିଛି ରଜ
ଆସିଛି ରଜ ଲୋ
ଘେନି ନୂଆ ସଜବାଜ୤’

ସେହିପରି ଭାଇ ଓ ଭଉଣୀ ମଧ୍ୟରେ ଥିବା ସ୍ନେହ ଓ ଶ୍ରଦ୍ଧାର ନିଦର୍ଶନ ପୂର୍ବକ ଭଉଣୀମାନେ ଦୋଳି ଖେଳି ଗାଇଥାନ୍ତି…

‘ରଜ ଦୋଳି କଟମଟ
ମୋ ଭାଇ ମୁଣ୍ଡରେ ସୁନାମୁକୁଟ
ସୁନାମୁକୁଟ ଲୋ…
ଦିଶୁଥାଏ ଝକଝକ’

ପୁରୀ ଶ୍ରୀମନ୍ଦିରରେ ମଧ୍ୟ ପାଳିତ ହୋଇଥାଏ ରଜପର୍ବ୤ ରଜସ୍ବଳା ଲକ୍ଷ୍ମୀ ଠାକୁରାଣୀ ଏହି ତିନିଦିନରେ ବିଭିନ୍ନ ସ୍ଥାନରେ ଅଧିଷ୍ଠାନ କରିବାପରେ ଚତୁର୍ଥ ଦିନ ଶୁଦ୍ଧ ସ୍ନାନାନ୍ତେ ସ୍ବସ୍ଥାନେ ବିରାଜମାନ ହୁଅନ୍ତି୤ ପ୍ରଥମ ରଜ ଓ ଶେଷ ରଜ ଦିନ ଘରେଘରେ କଦଳୀ, ପଣସ, ଆମ୍ବ, ତାଳ, କେନ୍ଦୁ, ଲିଚୁ, ଜାମୁକୋଳି ଆଦି ଫଳମୂଳ ବିଭିନ୍ନ ପ୍ରକାର ପିଠା ଓ ମିଷ୍ଟାନ୍ନ, ଦୁଗ୍ଧଜାତ ପଦାର୍ଥରୁ ପ୍ରସ୍ତୁତ ଖାଦ୍ୟର ବ୍ୟବସ୍ଥା କରାଯାଇଥାଏ୤ ଭୂମିଦହନ ବା ଶେଷ ରଜର ପରବର୍ତ୍ତୀ ଦିନ ହେଉଛି ବସୁମତୀ ସ୍ନାନ୤ ପ୍ରତ୍ୟୁଷରେ ନିତ୍ୟକର୍ମ ସାରି ଗୃହିଣୀମାନେ ଗୃହ ସମ୍ମୁଖରେ ଶିଳପୁଆଟିଏ ରଖି ସିନ୍ଦୂର ଲଗାଇ କ୍ଷୀର ଓ ଜଳ ଢାଳି ସ୍ନାନ କରାଇଥାନ୍ତି୤ ଏହିଦିନ ଗ୍ରାମଦେବୀଙ୍କ ନିକଟକୁ ପ୍ରତ୍ୟେକ ଘରୁ ମାଜଣା ପାଇଁ କଳାଶାଢ଼ି, ସିନ୍ଦୂର, ଶଙ୍ଖା, ଚୁଆ ଆଦି ପଠାଯାଏ୤ ଦେବୀଙ୍କ ମାଜଣା ପରେ ସେଠାରେ ଖେଚୁଡ଼ି ଭୋଗ ଅର୍ପଣ କରାଯାଏ୤ ଏହାପରେ ହଳ, ଲଙ୍ଗଳ, ଯୁଆଳି ଓ ବଳଦଙ୍କୁ ପୂଜା କରାଯାଏ୤

ରଜର ଆଉ ଏକ ଆକର୍ଷଣ ହେଲା ପାନ୤ ପାରସ୍ପରିକ ସ୍ନେହ, ଶ୍ରଦ୍ଧା, ପ୍ରୀତି ଓ ସଦ୍‌ଭାବନାର ପ୍ରତୀକ ଭାବେ ଲୋକଙ୍କ ମଧ୍ୟରେ ଖିଲି ପାନ ଦିଆନିଆ ହୋଇଥାଏ୤ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ ପାନ ଚାଷ ହେଉଥିବା ଏବଂ ଏହା ସେବନ କରିବା ସ୍ବାସ୍ଥ୍ୟ ପକ୍ଷେ ହିତକର ହୋଇଥିବାରୁ ରଜ ଅବସରରେ ସ୍ବତନ୍ତ୍ର ପାନର ଚାହିଦା ଅନ୍ୟ ଦିନ ତୁଳନାରେ ଢେର ଅଧିକ ହୋଇଥାଏ୤

ଆଦିବାସୀ ସମାଜରେ ମଧ୍ୟ ଏହି ପର୍ବ ପାଳନ କରାଯାଇଥାଏ୤ ଆଧ୍ୟାତ୍ମିକ ମତବାଦ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଉପରେ ପ୍ରତିଷ୍ଠିତ ଓଡ଼ିଶାର ଏକାଧିକ ପର୍ବପର୍ବାଣି ମଧ୍ୟରୁ ରଜପର୍ବ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି୤ କାରଣ ଏହା ହେଉଛି ଏକମାତ୍ର ପର୍ବ ଯାହା ୩ଦିନ ପାଳିତ ହେବା ସହ ପ୍ରଥମ ରଜର ପୂର୍ବ ଦିନ ଓ ଶେଷ ରଜର ପର ଦିନ ମଧ୍ୟ ଏହି ପର୍ବ ପାଳିତ ହୋଇଥାଏ୤ ଅନ୍ୟ କୌଣସି ପର୍ବପର୍ବାଣିରେ ପ୍ରାୟତଃ ଏପରି ହୋଇ ନଥାଏ୤ ସେହିପରି ସ୍ବାସ୍ଥ୍ୟଗତ ଦୃଷ୍ଟିରୁ ଏହି ସମୟରେ ଚାଉଳ ଚୁନା ସହିତ ଅନ୍ୟାନ୍ୟ ସାମଗ୍ରୀକୁ ମିଶାଇ ପ୍ରସ୍ତୁତ ସ୍ବତନ୍ତ୍ର ପୋଡ଼ପିଠା ହେଉଛି ଏହି ପର୍ବର ଅନ୍ୟ ଏକ ଆକର୍ଷଣ୤

ଦିନକୁ ଦିନ ପାଶ୍ଚାତ୍ୟ ସଭ୍ୟତା ଓ ଚଳନୀ ଆମ ସମାଜକୁ କବଳିତ କରୁଥିବାରୁ ରଜପର୍ବର ବିଶେଷତ୍ବ ଦିନକୁ ଦିନ କମିବାରେ ଲାଗିଛି୤ ଏହା କେବଳ ଗାଁମାନଙ୍କରେ ପାଳିତ ହେଉଥିବା ଦେଖାଯାଉଛି୤ ଅନ୍ୟ ପକ୍ଷରେ ସହରରେ ଏହି ପର୍ବ ପାଳନ ପାଇଁ ଏବେ ନୂଆ ନୂଆ ଢାଞ୍ଚା ଆରମ୍ଭ ହେବାରେ ଲାଗିଛି୤ ରାଜ୍ୟର ବିଭିନ୍ନ ସହରରେ ଥିବା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ରଜ ପର୍ବ ଅବସରରେ ବିଭିନ୍ନ ପ୍ରକାରର ପାରମ୍ପାରିକ ଖେଳ ଯଥା ପୁଚି ଓ ବାଗୁଡ଼ି ଆଦିର ଆୟୋଜନ ହେଉଛି୤ ସେହିପରି କେତେକ ସ୍ଥାନରେ ଏହି ଅବସରରେ ଭିନ୍ନ ଭିନ୍ନ ପ୍ରକାରର ପିଠାପଣା ପ୍ରତିଯୋଗିତା ମଧ୍ୟ ଆୟୋଜନ ହେଉଛି୤ ଏହା ବ୍ୟତୀତ କେତେକ ସାହିତ୍ୟିକ ଅନୁଷ୍ଠାନମାନଙ୍କ ପକ୍ଷରୁ ଏହି ଅବସରରେ ସାହିତ୍ୟ ଆଲୋଚନା, କବି ସମ୍ମିଳନୀ ଓ ସାରସ୍ବତ ସମ୍ମାନ ଉତ୍ସବ ମଧ୍ୟ ଆୟୋଜନ ହେଉଛି୤ ତେଣୁ ମୋଟ ଉପରେ ଦେଖିବାକୁ ଗଲେ ଦିନକୁ ଦିନ ରଜପର୍ବର ପାଳନ ବଦଳି ଯାଉଛି୤ ଆମର ସଂସ୍କୃତି ଓ ପରମ୍ପରାର ଏକ ସ୍ବତନ୍ତ୍ର ଆକର୍ଷଣ ହେଉଛି ରଜପର୍ବ ଯାହାକୁ ସବୁ ଓଡ଼ିଆ ମନେ ରଖିବା ଉଚିତ୤ ତେଣୁ ରଜ ଉତ୍ସବକୁ ସବୁ ଓଡ଼ିଆମାନେ ଆନନ୍ଦଉଲ୍ଲାସର ସହିତ ପାଳନ କରି ସୁଖ ଓ ଶାନ୍ତିରେ ସହାବସ୍ଥାନ କରନ୍ତୁ, ଏହା ହିଁ କାମନା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ସୁଶାନ୍ତ କୁମାର ସାହୁ |  ସେପ୍ଟେମ୍ବର୍ ୧୩, ୨୦୧୨ - ୧:୨୪ ପୂର୍ବାହ୍ନ

    କ୍ଷମା ଚାହିଁବି, କିନ୍ତୁ ସମ୍ବଲପୁର ରେ ରଜ ପାଳନ ହୁଏନାହିଁ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤