ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅମରେନ୍ଦ୍ର ଖଟୁଆ
କୁନ୍ତଳା କୁମାରୀ ସାବତ
ଅଖିଳମୋହନ ପଟ୍ଟନାୟକ
ସୀତାକାନ୍ତ ମହାପାତ୍ର
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଲକ୍ଷ୍ମୀଧର ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ପୁଣି କାଳିଆ ଲେଉଟିଛି
 |- ଡ. ବେଦପ୍ରିୟ ଦେବୀପ୍ରସାଦ
 
 
ତା: ଫେବୃଆରୀ ୨୭, ୨୦୧୨  
ମୂଳ ପୃଷ୍ଠାରମ୍ୟ ରଚନା
 

ଖବରକାଗଜଟାକୁ ଦେଖାଇ ଶ୍ରୀମତୀ ହସମୁଖରାଙ୍କ ଉଦ୍ଦେଶ୍ୟରେ କହିଲେ, ଏଇ ଦେଖ ଓଡ଼ିଶା ସରକାର ଏବେ ଯୋଜନା କରିଛନ୍ତି, ଆସନ୍ତା ମାସଠାରୁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ସବୁ କାଗଜପତ୍ର ଓଡ଼ିଆରେ ଲେଖାଯିବ୤ ଜାଣ ଏଣିକି ଓଡ଼ିଆର ମାନ ବଢ଼ିବ୤ ଘରଣୀଙ୍କ କଥା ଶୁଣି ଶ୍ରୀମାନ୍‌ ହସମୁଖରା ହୋ ହୋ ହସିଉଠିଲେ୤ ଶ୍ରୀମତୀ ଆଶ୍ଚର୍ଯ୍ୟରେ କାକଚକ୍ଷୁପ୍ରାୟ ଆଖି ଦି’ଟାକୁ ଘୂରାଇ କହିଲେ- ମୋ କଥା କ’ଣ ବିଶ୍ବାସ ହେଉନି ? ଏଇ ଦେଖୁନ, ଖବରକାଗଜରେ ପରା ବାହାରିଛି୤ ସବୁ ଧୋବ ଧାଉଳିଆ ବାବୁ ଖାଲି ଇଙ୍ଗିଲିଶି ଶବ୍ଦକୁ ଚୋବାଉଛନ୍ତି ଆଉ ଲେଖୁଛନ୍ତି୤ ସାଧାରଣ ଲୋକମାନେ ବୁଝିପାରୁ ନାହାଁନ୍ତି୤ ଓଡ଼ିଆରେ ଚିଠିପତ୍ର ଲେଖାଲେଖି ହେଲେ ସେମାନେ ସହଜରେ ବୁଝିପାରିବେ୤ ଏଥିରେ ତମ ପରି ଅଧ୍ୟାପକମାନେ ଖୁସିହେବା କଥା, ଓଲଟା ମୋ କଥା ଶୁଣି ଢ଼ୋଲ ପରିକା ହସୁଚ ! ହସମୁଖରା ବାବୁ ହସ ବନ୍ଦକରି କହିଲେ- ସବୁ କଥାକୁ ସହଜରେ ବିଶ୍ବାସ କରିଯିବା ତମର ଗୋଟିଏ ଅଭ୍ୟାସ୤ କିହୋ, ଯେତେ ଆଇନ ହୁଏ କ’ଣ କାର୍ଯ୍ୟରେ ପରିଣତ ହୁଏ ? ତାହା ଯଦି ହେଉଥାନ୍ତା, ଗାନ୍ଧିଜୀଙ୍କର ରାମରାଜ୍ୟ ଏତେ ଦୂରରେ କାହିଁକି ଥାଆନ୍ତା ? ଆଜି ଓଡ଼ିଆ ଭାଷାକୁ ସରକାରୀ କାର୍ଯ୍ୟାଳୟରେ ପ୍ରଚଳନ କରିବା କଥା ଶୁଣି ପିଲାଦିନେ ଶୁଣିଥିବା ରାଧୁନନାଙ୍କର କାଳିଆ ବିଲେଇ ଗପଟା ମନେପଡୁଛି୤ ରାଧୁନନାଙ୍କର ଗୋଟିଏ କଳା ବିଲେଇ ଥିଲା୤ ସେଇଟା ନିହାତି ନିଉଛଣା୤ ଆଜିକାଲିକା ଦୁର୍ନୀତିଗ୍ରସ୍ତ ବାବୁଙ୍କର ପରି ସେ ଯେତେ ଖାଉଥିଲା ତାକୁ ସେତେ ନିଅଣ୍ଟ ପଡୁଥିଲା୤ ତେଣୁ ସେ ରାଧୁନନା ଏବଂ ସାଇପଡ଼ିଶା ଘରେ କିଛି ରଖିଲା ନାହିଁ୤ ପେଟ ବିକଳିଆଙ୍କର ଦାନାରେ, ନିଦ ବିକଳିଆଙ୍କର ଥାନରେ ଏବଂ କାମ ବିକଳିଆଙ୍କର ନାରୀରେ ଭେଦଭାବ ନ ଥାଏ୤ ଯେଉଁଠି ଯେମନ୍ତ ମିଳିଲା ସେ ଗ୍ରହଣ କରିନିଅନ୍ତି୤ ଏଇ ନ୍ୟାୟରେ କାଳିଆ ସମସ୍ତଙ୍କର ଘର ଉଜାଡ଼ିବାରୁ ଦିନକୁ ଦିନ ରାଧୁନନାଙ୍କ ନିକଟରେ ଅଭିଯୋଗର ସଂଖ୍ୟା ବୃଦ୍ଧିପାଇଲା୤ ସେ ବାଧ୍ୟହୋଇ ତାକୁ ଗୋଟିଏ ଅଖାରେ ପୁରାଇ ଗାଁଠାରୁ କିଛି ଦୂରରେ ଛାଡ଼ିଦେଇ ଆସିଲେ୤ ସମସ୍ତେ ଆଶ୍ବସ୍ତ ହେଲେ୤ କିନ୍ତୁ ଦି’ତିନିଦିନ ପରେ ଦେଖାଗଲା- ଟାଣୁଆ ନେତାମାନେ ସରକାରୀ ଜାଗାକୁ ମାଡ଼ିବସିବା ପରି କାଳିଆ ତା’ର ପୁରୁଣା କର୍ମକ୍ଷେତ୍ରକୁ ଫେରିଆସି ପୁନର୍ବାର କାରନାମା ଚଳାଇ ନିଜର ପୈତୃକ ସମ୍ପତ୍ତି ବୋଲି ଭାବୁଥିବା ଚୁଲିମୁଣ୍ଡକୁ ଜବରଦଖଲ କରି ଆରାମରେ ନିଶ ସାଉଁଳୁଛି୤ ବ୍ରାହ୍ମଣ ଶାସନ ସାରା ଚର୍ଚ୍ଚାହେଲା- ପୁଣି କାଳିଆ ଲେଉଟିଛି୤ ରାଧୁନନା ଏମିତି ଦି’ତିନିଥର ଚେଷ୍ଟାକଲେ, ମାତ୍ର ପ୍ରତ୍ୟେକ ଥର କାଳିଆ ସେ ଚେଷ୍ଟାକୁ ନିଜ ପାରିଲାପଣିଆରେ ଫୁ କରି ପୁଣି ଲେଉଟି ଆସେ୤

ଶେଷକୁ ରାଧୁନନା ବିଚାର କଲେ ବୋଧେ କାଳିଆର ମନମୁତାବକ ଖାଇବାଟା ଠିକ୍‌ ହେଉନାହିଁ ତେଣୁ ‘ବୁଭୁକ୍ଷିତଃ କିଂ ନ କରୋତି ପାପମ୍‌’ ନ୍ୟାୟରେ ସେ ୟା’ଘରେ ତା’ଘରେ ପଶି ହାଣ୍ଡି ଗଡ଼ଉଛି୤ ଏହି ବିଚାରରେ ସେ ଦୁଧଭାତ ଏବଂ ମାଛଭାତ ପେଟପୁରା ଖାଇବାକୁ ଦେଲେ, କିନ୍ତୁ ଫଳ କିଛି ହେଲାନାହିଁ୤ ନିଜ ଘରେ ଯେତେ ଧନସମ୍ପତ୍ତି ଥିଲେ ବି ପରଧନଲୋଭୀ ଯେମିତି ଅନ୍ୟ ଧନ ଲୁଟିବାକୁ ପଛାଏ ନାହିଁ ସେମିତି କାଳିଆ ମାଲିକର ସବୁ ଖାଇଲେ ବି ନିଜ ପ୍ରବୃତ୍ତିକୁ ବଦଳାଇପାରିଲା ନାହିଁ୤ ଆଜି ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ କଥା ଶୁଣି ସେହି କାଳିଆ ଲେଉଟିବା କଥା ମନେପଡୁଛି୤ ଆଜି ନୁହେଁ ୧୯୮୫ ମସିହାଠାରୁ ଏମିତି ସରକାରୀ ନିର୍ଦ୍ଦେଶନାମା ବାହାରୁଛି, କିନ୍ତୁ ଆମ ବାବୁମାନେ ଏହି ରାଧୁନନାଙ୍କ ବିଲେଇ ପରି ସେ ସବୁକୁ ଫୁ କରି ଦେଇଛନ୍ତି୤ ତୁମେ ବୋଧେ ଜାଣିନ, ବର୍ଷସାରା କେତେଟା ଚିଠି ଓଡ଼ିଆରେ ଲେଖାଲେଖି ହୋଇଛି ସେ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଥାଏ୤ କିନ୍ତୁ ସେ ସବୁ ଉପର ଠାଉରିଆ୤ ପାଞ୍ଚ ଜାଗାରେ ପଚାଶ କରି ପଠାଇଦେଲେ କେହି ଦେଖିବାକୁ ନାହିଁ କି ଖୋଜିବାକୁ ନାହିଁ୤ ସେତେବେଳେ ପ୍ରତ୍ୟେକ କାର୍ଯ୍ୟାଳୟକୁ ଓଡ଼ିଆ ଟାଇପ୍‌ ମେସିନ୍‌ ତଥା ଇଂଲିଶ ଶବ୍ଦଗୁଡ଼ିକର ସରଳ ଓଡ଼ିଆ ଅର୍ଥ କରାଯାଇ ଯୋଗାଇ ଦିଆଯାଇଥିଲା୤ ତଥାପି ଆମ ବାବୁମାନେ କର୍ଣ୍ଣପାତ କଲେ ନାହିଁ୤ କର୍ଣ୍ଣପାତ ନ କରି ସେମାନେ ଯେ ଗୋଟିଏ ବଡ଼ ପାପ କରିଛନ୍ତି ସେକଥା କୁହାଯାଇ ପାରିବ ନାହିଁ୤ କିହୋ, ଘରେ ସିନା କେହି ଭଲରେ ଦି’ପଦ ଓଡ଼ିଆରେ କଥା କହୁଥିଲେ ସେମାନେ ସିଆଡ଼କୁ ମନ ବଳାଇଥାନ୍ତେ ? ସହଜେ ତ ଆମ ବାବୁମାନଙ୍କର ବିଦେଶୀ ଭାଷାପ୍ରୀତି ଅଧିକ୤ ତେଣୁ ସେମାନଙ୍କ ଝିଅପୁଅମାନେ ବିଦେଶୀ ଭାଷାରେ ପାଠ ପଢ଼ିଲେ୤ ହିନ୍ଦୀ ଇଂଲିଶ ମିଶା କୋଲାବରି ଗୀତ ଶୁଣିଲେ୤ ଅଠର କହିଲେ ନ ବୁଝି ଏଇଟିନ୍‌ ବୁଝିଲେ୤ ଘରେ ଦୂରଦର୍ଶନ ଖୋଲିକି ଦେଖୁନ ବଳେ ବଳେ ବୁଝିଯିବ- ଆମ ଓଡ଼ିଆ ଉପସ୍ଥାପିକା-ଉପସ୍ଥାପକମାନେ କିପରି ହାତଗୋଡ଼ ଛାଟି ଚାଳିଶଟା ଇଂଲିଶ ଏବଂ ତିରିଶଟା ହିନ୍ଦୀ ଶବ୍ଦ ସହିତ ଦି’ତିନିଟା ଓଡ଼ିଆ ଶବ୍ଦ ଫେଣ୍ଟିଦେଇ ଗଳ ଗଳ ହୋଇ କହିଯାଉଛନ୍ତି୤ ତୁମେ ଯଦି ସାବଧାନ ସହକାରେ ନ ଶୁଣିବ ତେବେ ଜାଣିପାରିବ ନାହିଁ ସେଇଟା ଓଡ଼ିଆ ନା ଆଉ କିଛି ଭାଷା୤ ଏ ପରିସ୍ଥିତିରେ ଆମ ବାବୁମାନେ ଯେତେବେଳେ ଇଂଲିଶରେ ଓଏଏସ୍‌ କି ଆଇଏଏସ୍‌ ପରୀକ୍ଷା ଦେଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ସେମାନେ ଇଂଲିଶରେ ଚିଠି ଲେଖି କି ଦୋଷ କରି ପକେଇଲେ ? ବାରମ୍ବାର କାଳିଆ ବିଲେଇ ଲେଉଟିବା ପରି ସରକାର ସେଇ କଥାକୁ ଥରକୁ ଥର ଲେଖିଦେଲେ କ’ଣ ହେବ ? କିଛି ଆଖିଦୃଶିଆ ବ୍ୟବସ୍ଥା କରିବା ଦରକାର ନା ନୁହେଁ ?

ଶ୍ରୀମତୀ କହିଲେ-ସରକାର ତ ଆଇନ କଲେ୤ ସେ ଅଧିକ କ’ଣ କରିବେ କହୁନ ? ହସମୁଖରା କହିଲେ- ଖାଲି ଆଇନ କରିଦେଲେ ଚଳିବନି୤ ଏଥିପାଇଁ ଆନ୍ତରିକ ଉଦ୍ୟମ ରହିବା ଉଚିତ୍‌୤ ଗୋଟିଏ ଭାଷା ପ୍ରଶାସନର ପ୍ରୋତ୍ସାହନ ପାଇଲେ ହିଁ ବଞ୍ଚିଥାଏ୤ ଗୁପ୍ତଯୁଗରେ ଏଥିପାଇଁ ସଂସ୍କୃତର ପ୍ରଭୂତ ଉନ୍ନତି ଘଟିଥିଲା୤ ଥରୁଟିଏ ଭାବ ବିହାର, ଉତ୍ତରପ୍ରଦେଶ ପ୍ରଭୃତି ରାଜ୍ୟର ପିଲାମାନେ ନିଜ ନିଜ ମାତୃଭାଷାରେ ସିଭିଲ୍‌ ପରୀକ୍ଷା ଦେଉଥିବାବେଳେ ଆମ ଓଡ଼ିଶାର ପିଲାମାନେ ଓଡ଼ିଆରେ ପରୀକ୍ଷା ଦେଇପାରିବେ ନାହିଁ କାହିଁକି ? ସବୁଠାରୁ ଆଶ୍ଚର୍ଯ୍ୟର କଥା ଓଡ଼ିଶାରେ ଅଧ୍ୟାପକ ବା ଶିକ୍ଷକ ହେବା ପାଇଁ ଯେଉଁ ଓଇଏସ୍‌ ପରୀକ୍ଷାର ବ୍ୟବସ୍ଥା ଅଛି ସେଥିରେ ଓଡ଼ିଆର ସ୍ଥାନ ନାହିଁ୤ ଯୁକ୍ତଦୁଇ କମର୍ସ ପିଲାମାନେ ଏବଂ ଯୁକ୍ତତିନି ବିଜ୍ଞାନ ପିଲାମାନେ ଇଂଲିଶ ବାଧ୍ୟତାମୂଳକ ବିଷୟ ଭାବରେ ପଢ଼ନ୍ତି, କିନ୍ତୁ ଓଡ଼ିଆ ପଢ଼ନ୍ତି ନାହିଁ୤ ହାଇସ୍କୁଲରେ ସବୁ ବିଷୟରେ ଶିକ୍ଷକ ନିଯୁକ୍ତି ପାଇଥାନ୍ତି, କିନ୍ତୁ ଓଡ଼ିଆ ପଢ଼ାଇବା ପାଇଁ ଶିକ୍ଷକ ନ ଥାନ୍ତି୤ ସଂସ୍କୃତ ଶିକ୍ଷକ, ଖେଳ ଶିକ୍ଷକ ବା ଅନ୍ୟ ଶିକ୍ଷକ ଫାଙ୍କା ପାଇଲେ ଓଡ଼ିଆ ପଢ଼ାନ୍ତି୤ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ବହି ଏବଂ ଶିକ୍ଷକ ନଥିବାରୁ ଅନ୍ୟଭାଷା ଧସେଇ ପଶିଆସୁଛନ୍ତି୤ ସରକାର ଯଦି ପ୍ରତି ଚାକିରି ଏବଂ ଶ୍ରେଣୀ ପରୀକ୍ଷାରେ ଓଡ଼ିଆକୁ ଏକ ବାଧ୍ୟତାମୂଳକ ବିଷୟ ରୂପେ ରଖନ୍ତେ ତେବେ ଅନ୍ତତଃ ସମସ୍ତେ ଦେବାକୁ ଚେଷ୍ଟା କରନ୍ତେ୤ ଆବଶ୍ୟକ ନ ଥିଲେ ତୁଚ୍ଛାଟାରେ କିଏ କାହିଁକି ପଢ଼ିବ କହୁନ ? କଥାରେ ପରା ଅଛି- ପ୍ରୟୋଜନ ମନୁଦ୍ଦିଶ୍ୟ ନ ମନ୍ଦୋଦ୍ଧପି ପ୍ରବର୍ତ୍ତତେ୤ ଯଦି ଓଡ଼ିଶାରେ ଓଡ଼ିଆ ଭାଷାକୁ ଏମିତି ଆଦର, ବାହାରେ ଏହାର କି ଅବସ୍ଥା ଥିବ ଚିନ୍ତା କର୤ ଓଡ଼ିଆ ଲେଖକଙ୍କୁ ଏଠାରେ ଉପଯୁକ୍ତ ସ୍ଥାନ ମିଳେନାହିଁ୤ ପୁରସ୍କାର ପାଇଁ ଏତେ ଟଣାଓଟରା ଯେ ହାଇକୋର୍ଟକୁ ଧାଁଦୌଡ଼ କରିବାକୁ ପଡ଼େ୤ ଏତେ କନ୍ଦଳ ଅନ୍ୟ ଭାଷାରେ ତୁମେ କେବେ ଦେଖିଛ ? ଏଥିରୁ ଓଡ଼ିଆ ଭାଷା ସାହିତ୍ୟରେ ତେତେ କୁତ୍ସା, କେତେ ଅଭିସନ୍ଧି, କେତେ ପ୍ରିୟାପ୍ରୀତି ଚାଲିଛି ତାହା ତୁମ ମାଷ୍ଟ୍ରିଆ ମୁଣ୍ଡାରେ ନିଶ୍ଚୟ ବୁଝିପାରିବ୤ ଏପରି ପରିସ୍ଥିତିରେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି କାହାର ଅନୁରାଗ ନା ଅନୁରକ୍ତି ରହିବ ? ଆମ ଓଡ଼ିଆ ପ୍ରୀତି ଏମିତି ହୋଇଥିବାରୁ ବାବୁମାନେ ଓଡ଼ିଆରେ ଚିଠିପତ୍ର ଲେଖିବା ସହଜ ହେବ କି ? ତେଣୁ ରାଧୁନନାଙ୍କର କାଳିଆ ବିରାଡ଼ି ପରି ସରକାରୀ ଚିଠି ଆସୁଥିବ ଯାଉଥିବ୤ ଫଳ ଶୂନ୤ ଶ୍ରୀମତୀ ହସିଦେଇ କହିଲେ- ୟା ଭିତରେ ଏତେ କଥା ?

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
 

ମତାମତ ସଂଖ୍ୟା - ୧୯ ଆପଣଙ୍କ ମତାମତ ?

  • ୧. ଅଶୋକ କୁମାର ପାତ୍ର |  ମାର୍ଚ୍ଚ୍ ୧, ୨୦୧୨ - ୬:୫୪ ପୂର୍ବାହ୍ନ

    ଭଲ ଲାଗିଲା

  • ୨. arun raj |  ମାର୍ଚ୍ଚ୍ ୧୩, ୨୦୧୨ - ୧୨:୫୮ ପୂର୍ବାହ୍ନ

    its good

  • ୩. ଚିତରଞ୍ଜନ ଭୁମଲ |  ମାର୍ଚ୍ଚ୍ ୧୪, ୨୦୧୨ - ୧୧:୫୨ ଅପରାହ୍ନ

    ମତେ ଭଲ ଲାଗିଲା

  • ୪. ଗିରିଜା ଶଙ୍କର ପଣ୍ଡା |  ଏପ୍ରିଲ୍ ୧୪, ୨୦୧୨ - ୮:୨୯ ଅପରାହ୍ନ

    ଓଡିଆ ଭାଷାପ୍ରିତିର ଏକ ନିଛକ ସତ୍ୟର ପରିପ୍ରକାଶ ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ୤

  • ୫. ସମିର ପଣ୍ଡା |  ଏପ୍ରିଲ୍ ୨୩, ୨୦୧୨ - ୨:୩୪ ପୂର୍ବାହ୍ନ

    ଖୁବ୍ ଭଲ ହଇଛି

  • ୬. ପ୍ରମୋଦ କୁମାର ନାୟକ |  ମେ ୨୩, ୨୦୧୨ - ୧:୧୮ ପୂର୍ବାହ୍ନ

    ବହୁତଭଲ ଲାଗିଲା . ଧନ୍ୟବାଦ .

  • ୭. ପବିତ୍ର କୁମାର ନନ୍ଦ |  ମେ ୩୧, ୨୦୧୨ - ୮:୨୮ ପୂର୍ବାହ୍ନ

    ବହୁତ ବଢିଆ ଗପ ହୋଇଛି. ଧନ୍ୟବାଦ .

  • ୮. ହରପ୍ରସାଦ |  ଜୁଲାଇ ୧୨, ୨୦୧୨ - ୧୦:୨୫ ପୂର୍ବାହ୍ନ

    ବୋଧହୁଏ ଓଡ଼ିଆଭାଷା ବ୍ୟବହାର କରିବା ଆବଶ୍ୟକତା ଆଉ ନାହିଁ। ଓଡ଼ିଆକୁ ଶୁଦ୍ଧ କରିଦେଲେ ତ ତାହା ‘ସଂସ୍କୃତ’ ହିଁ ହେବ। ଆଜିର ‘ଚାଲୁ’ଓଡ଼ିଆ ତ ସହଜେ ଇଙ୍ଗ୍ଳିଶ୍ ହିନ୍ଦୀ ପାରସ୍ୟୀ ଫେଣ୍ଟା। କେବଳ କେତୋଟି ସାଧାରଣ ‘କ୍ରିୟା’ ମାତ୍ର ରହୁଛି। ବରଂ ପୂର୍ବ ସ୍ୱର୍ଣଯୁଗ ଆର୍ଯଯୁଗ ପ୍ରାୟ ଏବେ ଶାସନ ପ୍ରଶାସନ ଶିଳ୍ପ ବାଣିଜ୍ୟ ଶିକ୍ଷା ସ୍ୱାସ୍ଥ୍ୟ ବୈଷୟିକୀ ଆଦି ସଂସ୍କୃତ-ମାଧ୍ୟମ କରି ଏହାକୁ ଭାରତର ଦିଗ୍ଦର୍ଶିତାବଳେ କାଳକ୍ରମେ ଏକ ଉଚ୍ଚାରଣବିଜ୍ଞାନଭିତ୍ତିକ ବ୍ୟାକରଣସିଦ୍ଧ ବିଶ୍ୱଭାଷା ଅବଲୀଳାକ୍ରମେ ହୋଇଉଠୁ। संस्कृतं हि मानवस्य वाक् विकशिततमं विशिष्टञ्च।

  • ୯. kamakshya jena,KALAKAR,Angul |  ଜୁଲାଇ ୨୮, ୨୦୧୨ - ୧୧:୨୩ ଅପରାହ୍ନ

    Praya pratyek saptahare DHARITRI re baharu thiba apananka lekha padhe,Odia bhasha prati au bhabisyata bansadhar mananka agraha nahin.Thile semane kan nija pilanku english medium re patha padhau thante ? Ama pidhi pain ei bhali lekha lekhi sachetan karau thantu.

  • ୧୦. ଅଭିଳାଷ ପ୍ରଧାନ |  ସେପ୍ଟେମ୍ବର୍ ୪, ୨୦୧୨ - ୧୨:୩୪ ପୂର୍ବାହ୍ନ

    ସତରେ ଓଡିଶାର ଯୁବସମାଜ ମନରେ ଯଦି ଏହିପରି ଚିନ୍ତାଧାରା ଆସି ଯାଆନ୍ତା, ତା’ହେଲେ ଓଡିଆ ଭାଷା ଆହୁରି ଉନ୍ନତି ପଥରେ ଆଗେଇ ଯାଆନ୍ତା ।

  • ୧୧. ହରପ୍ରସାଦ ସାହୁ |  ସେପ୍ଟେମ୍ବର୍ ୧୩, ୨୦୧୨ - ୧୧:୩୨ ପୂର୍ବାହ୍ନ

    ସତରେ ଓଡ଼ିଆ ଉପସ୍ଥାପିକା-ଉପସ୍ଥାପକମାନଙ୍କ ବିଷୟ ରେ ମୁଁ ଏକମତ

  • ୧୨. sunil mishra, ଜଲ୍ଲାର ପୁର , ନିଆଳି , କଟକ  |  ନଭେମ୍ବର୍ ୨୩, ୨୦୧୨ - ୨:୧୦ ପୂର୍ବାହ୍ନ

    ଖୁବ୍ ସୁନ୍ଦର୍ ରମ୍ୟ ରଚନା , ପ୍ରତିଟି ବାକ୍ୟରେ ଶାଣିତ ବ୍ୟଂଗ ଖୁବ୍ ଚମତ୍କାର

  • ୧୩. Sushil Kumar Bag, Gopalpur, Madhupur, Narlaroad, Kalahandi, SubEditor 'Sahityakatha' |  ଅକ୍ଟୋବର୍ ୯, ୨୦୧୩ - ୭:୨୩ ପୂର୍ବାହ୍ନ

    Sir, Mu Gote Lekha re Sahitya Katha re Lekhithili. School re Odia Padhaiba ku Sikhyaka Nahanti boli. mo Mata sahita Aapana nka mata pura Eka, Aau Aapana nka Lekha b Chamatkaar heichi.

  • ୧୪. ସୁନିଲ୍ ତ୍ରିପାଠୀ, ସମ୍ବଲପୁର |  ଫେବୃଆରୀ ୨୮, ୨୦୧୪ - ୬:୪୪ ପୂର୍ବାହ୍ନ

    ସତରେ କଣ ଆମେ ସଚେତନ୤ ଆମ ଭିତରୁ କେତେ ଜଣ ଓଡିଆ ଭାଷା ରେ ନିଜ ପିଲା ମାନଂକୁ ପଢଉଛନ୍ତି୤ ଘରେ ତ ମଇଳା ଭର୍ତି, ଅନ୍ୟକୁ କଣ କହିବା୤

  • ୧୫. ଅଶୋକ କୁମାର ଶତପଥୀ, ଲକ୍ଷ୍ନୌ,ଉତ୍ତର ପ୍ରଦେଶ |  ଏପ୍ରିଲ୍ ୨, ୨୦୧୪ - ୬:୨୨ ପୂର୍ବାହ୍ନ

    ଗଳ୍ପ ଟି ଭଲ ଲାଗିଲା୤ ଓଡିଆ ଭାଷା କୁ ଭଲ ଭବେ ଜାଣିବାକୁ ହେଲେ ସଂସ୍କୃତ କୁ ଜାଣିବାକୁ ହେବ୤ ସଂସ୍କୃତ ଭାରତୀୟ ଭାଷା ମାନଙ୍କ ଜନନୀ୤ ଯେତେବେଳେ ସଂସ୍କୃତ ଅବହେଳିତ ତାହାହେଲେ ଓଡିଆ କଥା କଣ ବା କହିବା୤

  • ୧୬. mahesh chandra patnaik, kolkata |  ନଭେମ୍ବର୍ ୨୫, ୨୦୧୫ - ୬:୩୮ ପୂର୍ବାହ୍ନ

    khub sundar rachana

  • ୧୭. utkala Odishian, gajapati p.s.ramagiri vi, karanja shaahi  |  ଡିସେମ୍ବର୍ ୨୮, ୨୦୧୫ - ୪:୫୪ ପୂର୍ବାହ୍ନ

    ନମସ୍କାର ସାର୍ ବହୁତ ଭଲ ଲାଗିଲା

  • ୧୮. ଶ୍ରୀ ରଙ୍ଗନାଥ ରଥ |  ଜୁନ୍ ୧୧, ୨୦୧୮ - ୧୧:୩୫ ଅପରାହ୍ନ

    ଲେଖକଙ୍କୁ ଅଶେଷ ଧନ୍ୟବାଦ I ଯୁଗୋପଯୋଗୀ ରମ୍ୟ ରଚନା I ଓଡ଼ିଆ ଲିପି ଓ ଭାଷାର ବ୍ୟାପକ ପ୍ରଚଳନରେ ଆନ୍ତରିକତା ଆବଶ୍ୟକ I କାଳିଆ ବିଲେଇ ଉପାଖ୍ୟାନ – “ପେଟ ବିକଳିଆଙ୍କର ଦାନାରେ, ନିଦ ବିକଳିଆଙ୍କର ଥାନରେ ଏବଂ କାମ ବିକଳିଆଙ୍କର ନାରୀରେ ଭେଦଭାବ ନ ଥାଏ I” ହସର ବଢ଼ିଆ ଖୋରାକ ଯୋଗେଇଲା I କେତେକ ବର୍ଣ୍ଣାଶୁଦ୍ଧି ରହିଛି :–
    ପୁରାଇ = ପୂରାଇ, ପେଟପୁରା = ପେଟପୂରା,
    ମନ୍ଦୋଦ୍ଧପି = ମନ୍ଦୋଽପି, ତେତେ କୁତ୍ସା = କେତେ କୁତ୍ସା
    ମୁଣ୍ଡାରେ = ମୁଣ୍ଡରେ

  • ୧୯. ପବିତ୍ର ମୋହନ ବରିକ, ପାଣିକୋଇଲି, ଯାଜପୁର |  ଜୁନ୍ ୨୭, ୨୦୧୮ - ୨:୨୭ ପୂର୍ବାହ୍ନ

    ଓଡିଆ ଭାଷାରେ ଏଭଳି ୱେବ୍ ସଆଇଟ୍ ନିର୍ମିତ ହୋଇ ପରୁଛି। ସରକାରୀ ୱେବ୍ ସଆଇଟ୍ ଗୁଡିକ ବି ଓଡିଆ ଭାଷାରେ ନିର୍ମିତ ହୋଇ ପାରିବ। କିନ୍ତୁ ମନୋବଳର ଅଭାବ ଯୋଗୁ ତାହା ହୋଇପାରୁ ନାହି।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤