ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ଥକବି ଭୀମ ଭୋଇ
ଦୀପକ ମିଶ୍ର
ମୃଣାଳ
ସନତ୍‌ ରାୟ
ଶକ୍ତି ମହାନ୍ତି
ସ୍ବଭାବ କବି ଗଙ୍ଗାଧର ମେହେର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ବୋଉର ଦିନ
 |- ବୈଷ୍ଣବ ଚରଣ ମହାନ୍ତି
 
 
ତା: ଜୁଲାଇ ୩୧, ୨୦୧୩  
 

୧୯୭୧ ମସିହା ମାର୍ଚ୍ଚ ୧୪ ତାରିଖ ଦିନ ମୋ ବୋଉ ମରିଥିଲା୤ ସେ ଦିନର ତିଥି ଥିଲା ବାରୁଣୀ ଅମାବାସ୍ୟା୤ ସେଇଦିନଠୁ ପ୍ରତିବର୍ଷ ବାରୁଣୀ ଅମାବାସ୍ୟାକୁ ମୋ ବୋଉର ଶ୍ରାଦ୍ଧ ଦିବସ ବା ମୋ ‘ବୋଉର ଦିନ’ ଭାବେ ମୁଁ ପାଳିଆସୁଛି୤ ଶ୍ରାଦ୍ଧ ଦିବସକୁ ଆମ ଓଡ଼ିଶାରେ ‘ଦିନ’ କୁହାଯାଏ, ଏଇ ଯେମିତି ମୋ ‘ବାପାଙ୍କର ଦିନ’, ମୋ ‘ଜେଜେଙ୍କର ଦିନ’ ବା ‘ମୋ ବୋଉର ଦିନ’ ଇତ୍ୟାଦି୤

କିନ୍ତୁ ଆମ ଦେଶରେ ମେ ମାସ ଦ୍ବିତୀୟ ରବିବାରକୁ ‘ବୋଉର ଦିନ’ (Mother’s Day) ଭାବେ ପାଳନ କରାଯାଉଛି୤ ଆମ ଓଡ଼ିଶାର ପୁଅଝିଅମାନେ ମଧ୍ୟ ଆଜିକାଲି ପ୍ରତିବର୍ଷ ମେ ମାସ ଦ୍ବିତୀୟ ରବିବାରକୁ ‘ବୋଉର ଦିନ’ ଭାବେ ପାଳନ କରୁଛନ୍ତି୤ ୟା’ର ଅର୍ଥ ନୁହଁ ଯେ ସାରା ଦେଶଟାଯାକର ବୋଉ ଏଇ ମେ ମାସ ଦ୍ବିତୀୟ ରବିବାର ଦିନ ମରିଥିଲେ ଏବଂ ସେମାନଙ୍କ ପାଇଁ ଏ ଦିନ ପାଳନ କରାଯାଉଛି୤ ଏଇ ‘ବୋଉର ଦିନ’ କିନ୍ତୁ ମଲା ବୋଉମାନଙ୍କ ପାଇଁ ନୁହେଁ, ଜିଅନ୍ତା ବୋଉମାନଙ୍କ ପାଇଁ୤ ଏହା ହାଲି ଆମଦାନି କରା ହୋଇଥିବା ଏକ ବିଦେଶୀ ଚଳଣି, ଏକ ଉଧାରକରା ପଶ୍ଚିମା ପରମ୍ପରା୤

ଗତ ମେ ଦ୍ବିତୀୟ ରବିବାର ଦିନ ପଡ଼ିଶାଘର ପୁଅଟିଏ ଗୋଟାଏ ଫୁଲ ତୋଡ଼ା ଓ ଗୋଟାଏ ଉପହାର ପୁଡ଼ିଆ ଧରି ଆସୁଥିବାର ଦେଖି ପଚାରିଲି- ‘ଆରେ ବାବୁ! ଇଏ ସବୁ କ’ଣ? ଆଜି କ’ଣ କି?’

ପୁଅଟି ମୋତେ ଓଲଟା ପ୍ରଶ୍ନକଲା- ‘ଅଙ୍କଲ୍! ଜାଣି ନାହାନ୍ତି କି ଆପଣ? ଆଜିପରା ‘ମଦର୍ସ ଡ଼େ୤’

ତଥାପି ବି କଥାଟାର ମର୍ମ ବୁଝି ନପାରି ଓଲମାଙ୍କ ଭଳି ବଲବଲ କରି ଚାହିଁ ରହିବାରୁ ସେ ସରଳାର୍ଥରେ ‘ମଦର୍ସ ଡ଼େ’ର ମର୍ମାର୍ଥ ବୁଝେଇ ଦେଲା- ‘ଆଜି ହଉଚି ମଦର୍ସ ଡ଼େ୤ ମଦର୍ସ ଡ଼େ ଅବଜର୍‌ଭେସନ୍‌ ମାଧ୍ୟମରେ ଆମେ ଆମ ମଦର୍‌ଙ୍କ ସାକ୍ରିଫାଇସ୍‌, ତାଙ୍କ ଲଭ୍‌, ଆଫେକ୍‌ସନ୍‌ ବିଷୟରେ କନ୍‌ସସ୍‌ ହେବୁ, ସେ ସବୁର ଭାଲ୍ୟୁ ଦବୁ୤ ମଦର୍‌ଙ୍କର କେୟାର ନବୁ୤ ତାଙ୍କୁ ରେସ୍‌ପେକ୍ଟ କରିବୁ, ପ୍ରେଜେଣ୍ଟେସନ୍‌ ଦବୁ୤ ଏଇପରା, ମୋ ମମିଙ୍କ ପାଇଁ ମୁଁ ଗିଫ୍ଟ ପ୍ୟାକେଟ୍‌ ଧରି ଆସୁଚି୤’

ପଡ଼ିଶା ପୁତ୍ରଟି ପ୍ରେଜେଣ୍ଟେସନ୍‌ ଧରି ଚାଲିଗଲା୤

ମୁଁ ଭାବୁଥିଲି, ସାରା ସୃଷ୍ଟିଟାକୁ ଆଣି ବୋଉର ପାଦତଳେ ଅଜାଡ଼ି ଦେଲେ ବି, ତା’ ଋଣ କାଣିଚାଏ ସୁଝି ହବନି୤ ଇଏ ତାକୁ କି ଗିଫ୍ଟ ଦବ? କି ପ୍ରେଜେଣ୍ଟେସନ୍‌ ଦେଇ ପୂଜା କରିବ? ଉଡ଼ି ଶିଖିବା ପରେ ମା’ ଚଢ଼େଇ ବସାରୁ ଛୁଆ ଚଢ଼େଇ ଫୁର୍‌କିନା ଉଡ଼ି ପଳେଇବା ପରି ବିଦେଶରେ ପୁଅଝିଅଙ୍କ ମୁଣ୍ଡକୁ ହାତ ପାଇଲେ ମା’ ବାପାଙ୍କୁ ଛାଡ଼ି ଛୁଆଏ ପଳେଇ ଯାଆନ୍ତି୤ ଦିନେ ନାହିଁ, କାଳେ ନାହିଁ, ଗହ୍ମା ପୂନେଇଁକି ମାଇଁ ମାଇଁ ନୀତିରେ ବରଷକୁ ଥରେ ‘ଏଇ ମଦର୍ସ ଡ଼େ’ ଦିନ କୋଉ ଜରାନିବାସ କି କୋଉ ଘର କଣରେ ପଡ଼ିଥିବା ମା’ ବାପାଙ୍କୁ ସତେ ଅବା ଦୟା ଦେଖେଇବା ଭଳି ଦୟାବନ୍ତ ସନ୍ତାନମାନେ ଗିଫ୍ଟ ପ୍ୟାକେଟ୍‌ ଧରି ଆସିଥାନ୍ତି୤

ଏଠି ବୋଉ ପାଇଁ କି ପ୍ରେଜେଣ୍ଟେସନ୍‌ ନେଇ ଯାଉଚି ଏ ଟୋକା! ଏଠି ପରା ବୋଉ ଅକାଶଠାରୁ ପ୍ରଶସ୍ତ, ଅବନୀଠାରୁ ବିଶାଳ, ସ୍ବର୍ଗାଦପି ଗରୀୟସୀ୤ କୋଇଲି ଯାଇ କାଉ ବସାରେ ଅଣ୍ଡା ଦେବା ଭଳି ବିଦେଶିନୀ ବୋଉଟି ଛୁଆ ଜନମ କରି ଆଉ କାହା ଦାୟିତ୍ବରେ ତାକୁ ପାଳିବା ପାଇଁ ଛାଡ଼ିଦେଇ ପାରେ ସିନା, ଏଠି ଆମ ଦେଶୀ ବୋଉମାନେ ଆମକୁ ତାଙ୍କ ଆଖି ଆଢ଼ୁଆଳକୁ ବି ଛାଡ଼ନ୍ତି ନାହିଁ୤ ହେତୁ ପାଇବା ପରେ ବି ପୁଅ ଦିନେ ଦି’ଦିନ ମାମୁଁ ଘରକୁ ଗଲେ ଆମ ବୋଉମାନେ ବାହୁନନ୍ତି- ‘କୋଇଲି ଲୋ! ଦୁଧ ସର ଦେବି ମୁଁ କାହାକୁ? ଖାଇବାର ପୁତ୍ର ଗଲା ମଥୁରାପୁରକୁ, ଲୋ କୋଇଲି!’ ଏଠି ଆମ ବୋଉମାନଙ୍କ ପାଇଁ ତାଙ୍କ ପିଲା ହଉଚି ନୟନପିତୁଳା, ଜୀବନଧନ, ରଙ୍କରତନ, ଗଳାରମାଳି୤ ଏଠି ଆମ ମା’ ଓ ପିଲାର ସମ୍ପର୍କ ଦିନେଅଧକର ସମ୍ପର୍କ ନୁହଁ, ପ୍ରତି ନିଶ୍ବାସ ପ୍ରଶ୍ବାସରେ, ପ୍ରତି ହୃଦ୍‌ସ୍ପନ୍ଦନରେ ମା’ ଆଉ ପିଲାମାନଙ୍କ ଭିତରେ ସମ୍ପର୍କର ସ୍ରୋତଟିଏ, ଆବେଗର ବେଗବତୀଟିଏ ନିରବଧି ବହୁଥାଏ୤ ଆମ ଓଡ଼ିଶାରେ ମଦର୍ସ ଡ଼େ ପାଳିବା ଯାହା, ଓଡ଼ିଆଟିଏ ଇଂଲଣ୍ଡ ଯାଇ ଇଂରେଜମାନଙ୍କୁ ଇଂରେଜୀ କହି ଶିଖାଇବା ପାଇଁ ସ୍ପୋକନ୍‌ ଇଙ୍ଗ୍‌ଲିସ୍‌ ସ୍କୁଲ୍‌ ଖୋଲିବା ସେଇଆ୤

ଏ ଜଗତୀକରଣ ଯୁଗରେ କୌଣସି ଆନ୍ତର୍ଜାତୀୟ ସଂସ୍ଥା ଯଦି କିଛି ଗୋଟାଏ ଦିବସ ପାଳନର ପରମ୍ପରା ଆରମ୍ଭ କରେ, ତେବେ ଯେଉଁ ଦେଶ ବା ଇଲାକାର ଲୋକମାନଙ୍କ ପାଇଁ ତାହା ପ୍ରଯୁଜ୍ୟ ବା ପ୍ରୟୋଜନୀ, ସେମାନେ ତାହା ପାଳନ କରନ୍ତୁ୤ କିନ୍ତୁ ଓଧମାନଙ୍କୁ ଦେଖି ବଣଭୁଆମାନେ ବାଈ ହେଉଛନ୍ତି କାହିଁକି? ପରମ୍ପରା ପାଳନ ପୂର୍ବରୁ ସ୍ଥାନ କାଳ ପାତ୍ରର ବିଚାର ତ କରିବ! ଯୋଉଠି ବିଚାର ନଥାଏ ସେ ପାଳନକୁ ତ କେବଳ ଅନ୍ଧାନୁକରଣ ହିଁ କୁହାଯିବ୤ ‘ମାଧିଆ ଭାଇ, ନା’ ହୋଇ ହୋ ନୀତିରେ ଦୂରଦର୍ଶନ ବା ପତ୍ରପତ୍ରିକାରେ ଏ ସମ୍ପର୍କରେ ସାକ୍ଷାତ୍‌କାର ଦେଉଥିବା ବାବୁଜାତୀୟ ବ୍ୟକ୍ତିତ୍ବମାନେ ବେଳେ ବେଳେ ମୁହଁଉପ୍ରୋଧରେ ଦିବସ ପାଳନ ସପକ୍ଷରେ କହିଥାନ୍ତି୤ ପୁଣି କେତେକ ଗାଲୁଆମିରେ ବାରବାଟି ନହେଉ ପଛେ ଗୁଣ୍ଠେ ବା ବିଶ୍ବାଏ ଚଷିଥାନ୍ତି୤

‘ବୋଉର ଦିନ’ କହିଲେ ଆମ ଆଧୁନିକ ଓଡ଼ିଆ ପୁଅମାନେ କଥାଟାକୁ ଆଦୌ ବୁଝିପାରିବେନି୤ ସଂସ୍କୃତରେ ‘ମାତୃ ଦିବସ’ କହିଲେ କିଛି କିଛି ବୁଝିବେ ଏବଂ ‘ମଦର୍ସ ଡ଼େ’ କହିଲେ ଭଲଭାବେ ବୁଝିବେ୤ ଏ ‘ମଦର୍ସ ଡ଼େ’କୁ ଖାଣ୍ଟି ଓଡ଼ିଆରେ କହିଲେ ‘ବୋଉର ଦିନ’ ହେବ୤ ‘ବୋଉର ଦିନ’ କହିଲେ ଆମ ଓଡ଼ିଆଏ ବୋଉର ଶ୍ରାଦ୍ଧ ବୋଲି ବୁଝିବେ୤ ଏ ‘ବୋଉ’ ଶବ୍ଦଟା ଆମ ଆଧୁନିକ ଓଡ଼ିଆଙ୍କ ସମ୍ବୋଧନରୁ ପ୍ରାୟ ବୁଡ଼ିବାକୁ ବସିଲାଣି୤ ଏ ଭିତରେ ଆମ ଅଧିକାଂଶ ‘ଓଡ଼ିଆଣୀ ବୋଉ’ ‘ମଦର’ ହେଇଗଲେଣି ଏବଂ ସଂକ୍ଷେପରେ ‘ମମି’ ପାଲଟି ଗଲେଣି୤ ପଡ଼ିଶାଘର ସାନ ଝିଅଟିକି ‘ବୋଉ’ ବନାନ କରିବାକୁ କହିବାରୁ ସେ ଉତ୍ତର ଦେଲା- ‘ଏମ୍‌, ଓ, ଟି, ଏଚ୍‌, ଇ, ଆର୍‌୤’ ଥରେ ମୁଁ ମୋର ଜଣେ ସାଙ୍ଗକୁ ପଚାରିଲି- ‘କୁଆଡ଼େ ଯାଇଥିଲ କି?’ ସେ ଉତ୍ତର ଦେଲା- ‘ମଦର୍‌ଙ୍କ ଦେହ ଖରାପ ଥିଲା ତ…୤’

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବୈଷ୍ଣବ ଚରଣ ମହାନ୍ତି
ସାମ୍ପ୍ରତିକ ସମୟର ଅନ୍ୟତମ ପାଠକପ୍ରିୟ ପ୍ରାବନ୍ଧିକ ହେଉଛନ୍ତି ବୈଷ୍ଣବ ଚରଣ ମହାନ୍ତି୤ ସମାଜର ଅଶିକ୍ଷା, ଅନୀତି, ଅନାଚାର ଓ ଅପସଂସ୍କୃତି ବାବଦରେ ନିଜ ଲେଖା ମାଧ୍ୟମରେ ସମାଜକୁ ସଜାଡ଼ିବା ହେଉଛି ତାଙ୍କର ଲକ୍ଷ୍ୟ୤ ନାଟକ, ନିବନ୍ଧ, କବିତା, ଶିଶୁ ସାହିତ୍ୟ ଓ ପ୍ରୌଢ଼ ସାହିତ୍ୟଠାରୁ ଆରମ୍ଭ କରି ଭାଷା ସଂସ୍କୃତି ବିଷୟକ ପର୍ଯ୍ୟାଲୋଚନା ପର୍ଯ୍ୟନ୍ତ ତାଙ୍କ ସାରସ୍ବତ ସର୍ଜନାର ସରହଦ ସମ୍ପ୍ରସାରିତ୤ ନିଜର ନିଆରା ରଚନା ଶୈଳୀ ମାଧ୍ୟମରେ ପାଠକକୁ ନିଜ ଲେଖା ପଢ଼ିବା ନିମନ୍ତେ ଆକୃଷ୍ଟ କରିବାରେ ଶ୍ରୀ ମହାନ୍ତି ସିଦ୍ଧହସ୍ତ୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. SRIKANTA TRIPATHY, KENDUJHAR |  ଅଗଷ୍ଟ୍ ୩, ୨୦୧୩ - ୨:୫୫ ପୂର୍ବାହ୍ନ

    ଭାରୀ ଭଲ ଲାଗିଲା,

  • ୨. Sushil Kumar Bag, Kalahandi, BhawaniPatna. |  ଅକ୍ଟୋବର୍ ୯, ୨୦୧୩ - ୭:୧୪ ପୂର୍ବାହ୍ନ

    ବହୁତ ଭଲ

  • ୩. ପ୍ରେମ ସାଗର ମାହାନ୍ତ, ରାଉରକେଲା  |  ଜାନୁଆରୀ ୨୯, ୨୦୧୪ - ୮:୩୩ ପୂର୍ବାହ୍ନ

    ଏ ହଉଛି ଯୁଗ ପରିବର୍ତ୍ତନ ର କରାମତି ।

    ଗଳ୍ପ ମାଧ୍ୟମରେ ସମାଜ କୁ ଭଲ ଦିଗ୍ ଦେଇ ଛନ୍ତ ।

  • ୪. ପ୍ରେମ ସାଗର ମାହାନ୍ତ |  ଜାନୁଆରୀ ୨୯, ୨୦୧୪ - ୮:୪୯ ପୂର୍ବାହ୍ନ

    ଏ ହଉଛି ଯୁଗ ପରିବର୍ତ୍ତନ ର କରାମତି ।

    ଗଳ୍ପ ମାଧ୍ୟମରେ ସମାଜ କୁ ଭଲ ଦିଗ୍ ଦର୍ଶନ ଦେଇ ଛନ୍ତି ।

  • ୫. NUTAN MOHAPATRA, NABARANGPUA |  ଅଗଷ୍ଟ୍ ୧, ୨୦୧୪ - ୯:୨୫ ପୂର୍ବାହ୍ନ

    ଭାରି ଭଲ ଲାଗିଲା

  • ୬. ପ୍ରତାପ କୁମାର ସାହୁ, ଭଟ୍ଟିମୁଣ୍ଡା, କଟକ, ଓଡିଶା  |  ନଭେମ୍ବର୍ ୨୨, ୨୦୧୪ - ୭:୩୦ ପୂର୍ବାହ୍ନ

    ମାତୃଭୂମି ମାତୃଭାଷା ପ୍ରତି ଯାହୃଦେ ମମତା ଜନମୀ ନାହିଁ
    ତାକୁ ଯଦି ଆମେ ଜ୍ଞାନ ରେ ଗଣିବା ଅଜ୍ଞାନ ରହିବ ନାହିଁ

    ବହୁତ ଭଲଲାଗିଲା

  • ୭. rashmi ranajan panigrahi, khaprakhol balangir |  ସେପ୍ଟେମ୍ବର୍ ୧୫, ୨୦୧୫ - ୧:୦୦ ଅପରାହ୍ନ

    bahut sundar bhabare byakhyan karichanti. satare hrudaya swarshi

  • ୮. Dandeswor Patnaik, Bangalore |  ମାର୍ଚ୍ଚ୍ ୧୫, ୨୦୧୬ - ୧୧:୦୧ ପୂର୍ବାହ୍ନ

    Lekhati bahut badhia hoichhi. Lekhanku antarika dhanyabad. Se amiti sikhyania katha lekhuthantu.

  • ୯. ମନ୍ମଥ ଚୌଧୁରୀ, ପାରାଦ୍ବୀପ |  ମେ ୩୦, ୨୦୧୬ - ୯:୫୪ ପୂର୍ବାହ୍ନ

    ଧନ୍ୟବାଦ ଆପଣଙ୍କର ଲେଖାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ

  • ୧୦. ଅନୁପମ ପଣ୍ଡା, ଯାଜପୁର ରୋଡ୍ |  ମାର୍ଚ୍ଚ୍ ୧୦, ୨୦୧୭ - ୪:୨୬ ପୂର୍ବାହ୍ନ

    ମହୋଦୟ
    ଲେଖାଟି ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଶିକ୍ଷଣୀୟ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤