ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନମୋହନ ମିଶ୍ର
ଅମିୟବାଳା ପଟ୍ଟନାୟକ
ଗୋଦାବରିଶ ମିଶ୍ର
ଗନ୍ତାୟତ ଶିବପ୍ରସାଦ
ଦୀପକ ମିଶ୍ର
ମନୋରଞ୍ଜନ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦାମ୍ପତ୍ୟ (କନ୍ନଡ଼ କାହାଣୀ)
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ଜାନୁଆରୀ ୨୯, ୨୦୧୩  
ମୂଳ ପୃଷ୍ଠାପ୍ରତିବେଶୀ ସାହିତ୍ୟ (ଅନୁବାଦ)
 

ଏହାର ପରବର୍ତ୍ତୀ ଘଟଣା ଆପଣ ଆପେ ଅନୁମାନ କରିପାରିବେ୤ ଆପ୍ପଣା ବୁଝିଗଲା ଯେ ବର୍ଷା ବା ପାଣିପାଗ ବିଷୟରେ କଥା ହେବା ଠିକ୍‌ ହେଇନାଇଁ୤ ବାସ୍‌, ସେ ଚୁପ୍‌ ହେଇଗଲା୤ ସାରାରାତି ବିତିଲା, ଚୁପ୍‌ଚାପ୍‌୤

ପରଦିନ ଦି’ପହର୤ ମା’ ପୁଅ ଦିହେଁ ଭୋଜନରେ ବସିଲେ୤ ସୋନାଲି ଭାତ ବାଢ଼ୁଥିଲା୤ ସେତିକିବେଳେ ଆପ୍ପଣା ଥଟ୍ଟା କରି କହିଲା, ‘‘ଏବେ ତ ମୋ’ ପାଖରେ ଦି’ପଦ ମିଠା କଥା ବି ନାହିଁ, ଦଶମ ଯାଏ ପଢ଼ିଚି ତ ! ମୁଣ୍ଡକୁ ପିତ୍ତ ଚଢ଼ିଗଲାଣି !!’’

‘‘କଥା କ’ଣ ?’’ ମାଆ ପଚାରିଲେ୤ ପୁଅ ଶୁଣେଇ ଦେଲା ସବୁ କଥା୤ ସିଏ ବି ପୁଅପଟିଆ ହେଇ କହିଲେ, ‘‘ୟା’ର ବି ବରର କି ଦରକାର ? ନ୍ୟୁଜ୍‌ପେପର ଯେ ଅଛି ! ଏ ଘରେ ତାର କି ଅଭାବ ବା ଅଛି ? ଖାଇବାକୁ ନାହିଁ ?? ନା ପିନ୍ଧିବାକୁ ନାହିଁ ?? ନା ଆଉ କିଛିର ଅଭାବ ଅଛି ???’’

ସୋନାଲି ବି ଚିହିଁକି ଉଠିଲା୤ କହିଲା, ‘‘ହଁ, ହଁ, ସବୁ ଅଛି, ତା’ତ ଅଗଣାରେ ବନ୍ଧା ହୋଇଥିବା ଗୋପୀ (ଗାଈ) କି ବି ମିଳୁଚି୤’’

ଶାଶୁର ଅହଙ୍କାରକୁ ଏକଥା ବାଧିଲା୤ ସେ କହିଲା, ‘‘ଆଚ୍ଛା, ତା’ହେଲେ ମୁହଁ ଉପରେ ଜବାବ ଦବା ବି ଆରମ୍ଭ ହେଲାଣି ! ଏ ଘରେ କ’ଣ ତତେ ଆମେ ଗୋପୀ ପରି ରଖିଚୁ ? ଆପ୍ପଣା, କାଲିଠୁ ତୁ ଆଉ ଦୋକାନ ଯାଆନା, ବୁଝିଲୁ ! ୟା’ ପାଖେ ବସି ଇଂରେଜୀ ଖବରକାଗଜ ପଢ଼୤ ଦୋକାନ ପଛେ ଚୁଲିକି ଯାଉ୤ ପରେ ବିବିଜୀଙ୍କୁ ଯେତେବେଳେ ଅଟା ଚାଉଳର ଭାଉ ମାଲୁମ ହବ, ସେତେବଳେଳ ବୁଝିବ, ଇଂରାଜୀ ପଢ଼ି ତ ଦେବପ୍ପା ପ୍ରଭୁର ଘର ଉଜୁଡ଼ିଗଲା୤ ନହେଲେ ବନ୍ଦରରେ ଲକ୍ଷ ଲକ୍ଷ ଟଙ୍କାର ବେପାର ଯିଏ କରୁଥିଲା ତା’ ଦଶା କ’ଣ ଏଇଆ ହେଇ ଥାଆନ୍ତା ? ଥରେ ଗୁଆ ଦର ଖସିଗଲା ଯେ ସେତିକିରେ କ’ଣ କେହି ବୁଡ଼ିଯିବା କଥା ?’’

ମାଆର କଥାରେ କଥା ଯୋଡ଼ି ଆପ୍ପଣା କହିଲା, ‘‘ଗୁଆ ବେପାରରେ କିଛି କଥା ନାହିଁ୤ ସିଏତ ରାତିଦିନ କ୍ଲବ୍‌ରେ ପଡ଼ି ରହିଲା୤ ସକାଳୁ ସଞ୍ଜ ଖାଲି ତାସ୍‌, ଇଂରାଜୀ ଖବରକାଗଜ, ଦୋକାନରେ ଯାବତ ଲୋକଙ୍କ ଦରବାର, ଆଉ ମାଲପାଣି; ଏଥିରେ ଲକ୍ଷେ ତ ଲକ୍ଷେ, ଦଶଲକ୍ଷ ହେଲେ ବି କ’ଣ ରହିବ ? ଯଦି ତାର ସେ ଆଗର ଥାଟ୍‌ ଥା’ନ୍ତା, ତା’ହେଲେ କ’ଣ ଗୋଟାଏ ଆପାଠୁଆ ପୁଅ ସାଙ୍ଗେ ତା’ର ଦଶମ ପାସ୍‌ ଝିଅକୁ ବାହା ଦେଇଥାନ୍ତା ?’’

ଆପ୍ପଣା କେବେ କିଛି କଥା କହେନା, ହେଲେ ମଉକା ପାଇବା ମାତ୍ରେ ସିଏ ଯେ ଏମିତି ଅନର୍ଗଳ ବଢ଼ିଯିବ, ଏକଥା ସୋନାଲିର କଳ୍ପନାତୀତ ଥିଲା୤ ସେ ପ୍ରଥମରୁ ଚିନ୍ତାରେ ବୁଢ଼ି ରହିଥିଲା ଯେ, ତା ଭାଗ୍ୟରେ ଏ କି ବିଚିତ୍ର ଘର ଥିଲା ?

ଦି’ପହରରେ ସେ ଖାଇପାରିଲା ନାହିଁ, ନିଜ ବଖରାଟିକୁ ଆସି ମୁହଁ ଭାରି କରି ବସି ରହିଲା୤ ସିଏ ତା’ ମୁହଁ ଯେତେ ଭାରିକରି ବସୁ ପଛେ, ସେଥିରେ କାହାର ବା କି ଗରଜ ପଡ଼ିଚି ? ଶାଶୁ ଆସିଲେ ନାହିଁ୤ ପତିଦେବଙ୍କର ତ ସବୁବେଳ ଦୋକାନରେ ହିଁ କଟେ୤ ସେ ଖବରକାଗଜ ଉଠେଇ ଫାଡ଼ି ଫୋପାଡ଼ି ଦେଲା୤ ତାର ମନେପଡ଼ିଲା, ସେମାନେ ତା’ର ବାପାଙ୍କୁ ନିନ୍ଦା କରିଥିଲେ୤ ତାଙ୍କର ଦେବାଳିଆ ହେବାର କାରଣ ତାସ୍‌ ତ ନିଶ୍ଚୟ, କିନ୍ତୁ କେବଳ ତାସ୍‌ ତ ହୋଇ ନପାରେ୤ କ’ଣ ସିଏ ଖବର କାଗଜ ପଢ଼ି ପଢ଼ି ଦେବାଳିଆ ହେଇଗଲେ ? ସେ ଦେବାଳିଆ ହେଲେ, ଏହା ଅବଶ୍ୟ ସତ୍ୟ; ମାତ୍ର ସେ ନିଜ ଝିଅର ବାହାଘର ଜଣେ ଆଇ.ସି.ଏସ୍‌. ସହିତ କରାଇଦେବାକୁ ଚାହୁଁଥିଲେ୤ କିନ୍ତୁ ଶେଷରେ ଆପ୍ପଣା ହାତରେ ହିଁ ତାଙ୍କୁ ନିଜ ଝିଅର ହାତ ଛନ୍ଦି ଦେବାକୁ ହେଲା; ଆଉ କିଛି ଥାଉ ନଥାଉ, ଖିଆପିଆ ବା ଲୁଗାପଟାର ଚିନ୍ତା ତ ଅନ୍ତତଃ ରହିବ ନାହିଁ୤ ସେ ନିଜ ଝିଅକୁ ଖୁବ୍‌ ଗେଲବସରରେ ବଢ଼ାଇଥିଲେ୤ ଭାରି ଅଲିଅଳୀ ଥିଲା ସିଏ୤ ବାହାଘରର ଅଳ୍ପ କିଛିଦିନ ଆଗରୁ ହିଁ ସେ ଆପ୍ପଣାର ଘର ସମ୍ପର୍କରେ ସବୁକଥା ଜାଣିଲେ୤

ଏବେ ଆଉ କ’ଣ ବା କରାଯାଇପାରେ ? ସୋନାଲି ଭାବିବାରେ ଲାଗିଲା୤ ବାପଘର ଚାଲିଯିବାଟା କ’ଣ ଉଚିତ୍‌ ହେବ ? ତା’ ବାପା ସବୁ ଜଞ୍ଜାଳରୁ ମୁକ୍ତି ନେବା କଥା ଚିନ୍ତା କରୁଥିଲେ୤ ତାଙ୍କ ଉପରେ ନିଜ ଚିନ୍ତାର ଭାର ଲଦିଦେଇ ତାଙ୍କୁ ପୁଣି ଦୁଃଖୀ କରିବାଟା ଠିକ୍‌ ହେବ ? ସତର ବର୍ଷ ବୟସରେ ତାର ବାହାଘର ହୋଇଥିଲା୤ ଏବେ ତାକୁ ଚବିଶ୍‌୤ ଦୁଃଖ ବାଣ୍ଟିବା ପାଇଁ କୋଳରେ ପିଲାଟିଏ ବି ନାହିଁ୤ ଲୋକବାକ ଭିତରେ ଥାଇ ବି ସିଏ ଏକା୤

ଅନେକବାର ସୋନାଲିର ଇଚ୍ଛା ହୋଇଛି, ବାପ ଘରକୁ ଚାଲିଯିବ୤ ତାର ବାପା ତାକୁ ଦେଖିଲା ମାତ୍ରେ କହୁଥିଲେ, ‘‘ମୁଁ ତତେ କୂଅକୁ ଠେଲି ଦେଲି୤’’ କହି କାନ୍ଦି ଉଠୁଥିଲେ୤ ଏବେ ତାଙ୍କ ଆଗରେ ଯଦି ନିଜର ଦୁଃଖ ବଖାଣି ବସେ, ତା’ହେଲେ ତାଙ୍କ ମନରେ ଭାରି ଦୁଃଖ ହେବ୤ ସେଥିପାଇଁ ଯେବେ ବି ସିଏ ବାପଘର ଯାଇଛି, ନିଜ ଶଶୁରଘରର ବୈଭବ ବଖାଣିଚି୤ ସୋନାଲି ମନେମନେ ଭାବିଲା, ଏପରି ଏକ ବୀଭତ୍ସ କ୍ଷତ ତାଙ୍କୁ ଯାଇ ଦେଖାଇବା ଠିକ୍‌ ହେବ ନାହିଁ, ସେଠିକି ଯାଇ ତାଙ୍କ ସାଙ୍ଗେ ମିଶି ଅଭାବ ଅନଟନ ଭିତରେ ଦିନ କାଟିବା ବି ଠିକ୍‌ ହେବ ନାହିଁ୤

ଏବେ ତା’ହେଲେ କ’ଣ କରାଯାଇପାରେ ? ସ୍ବାମୀକୁ ବିଦ୍ବାନ କରିବା ସମ୍ଭବ ନୁହେଁ୤ ତାଙ୍କ ପାଖରେ ତ ଅନେକ ବିଦ୍ୟା୤ ସ୍କୁଲ୍‌ ଯାଇ- ବେପାର ପାଇଁ ଅତି କମ୍‌ରେ ଯେତିକି ଦରକାର ସେତିକି ଜ୍ଞାନ ସିଏ ହାସଲ କରି ସାରିଛନ୍ତି୤ କିନ୍ତୁ ଏମିତି କ’ଣ କିଛି ସ୍କୁଲ ଅଛି, ଯେଉଁଠୁ ଦାମ୍ପତ୍ୟ ପାଇଁ ପ୍ରୟୋଜନ ଜ୍ଞାନ ହାସଲ କରାଯାଇପାରିବ ? ଏହି ଚିନ୍ତା ତା’ମନରେ ଆସୁଥିଲା୤ ଯଦି କୌଣସି ସ୍କୁଲ୍‌ରେ ଏପରି କିଛି ଶିକ୍ଷା ଦିଆଯାଉଥାଆନ୍ତା, ତା’ହେଲେ ସବୁ ସ୍କୁଲ୍‌ କଲେଜ୍‌, ପରୀକ୍ଷାକେନ୍ଦ୍ର ହେବା ବଦଳରେ ବିବାହ ମଣ୍ଡପ ହୋଇଯାଆନ୍ତା ନାହିଁକି ? ଏକଥା ମନକୁ ଆସିବା ମାତ୍ରେ ସିଏ ହସି ଉଠିଲା୤

ହସି ହସି ତା ପେଟ କ’ଣ ହେଇଗଲା୤ ମାତ୍ର ପରକ୍ଷଣରେ ତା’ର ମନକୁ ଆସିଲା, ଯେଉଁ ବିଦ୍ୟା ପରିବାରରେ ଦରକାରରେ ନ ଲାଗୁଚି, ସେ ବିଦ୍ୟା ଯାହା କିଛି ହେଉ ପଛେ, ସେଥିରେ କି ଲାଭ ? ଅଲଗା ଅଲଗା ପୁରୁଷ ଅଲଗା ଅଲଗା ନାରୀକୁ ଅଲଗା ଅଲଗା ବଢ଼େଇ, କୁଢ଼େଇ ଦିନେ ଦୁହିଁଙ୍କୁ ଏକାଠି ଦାମ୍ପତ୍ୟପାଇଁ ବାହାବେଦୀରେ ବସେଇ ଦେବାଟା କ’ଣ ଏକ ଭ୍ରମ ନୁହେଁ ?

କନ୍ନଡ଼ ସାହିତ୍ୟ ପ୍ରଖ୍ୟାତ ସାହିତ୍ୟିକ ଏବଂ ଭାରତୀୟ ସାହିତ୍ୟର ସର୍ବୋଚ୍ଚ ପୁରସ୍କାର ଜ୍ଞାନପୀଠ ପୁରସ୍କାର ପ୍ରାପ୍ତ କେ.ଶିବରାମ କରନ୍ଥ(୧୯୦୨-୧୯୯୭)ଙ୍କ ବହୁଳ ପଠିତ “ଦାମ୍ପତ୍ୟ” ଉପନ୍ୟାସକୁ ଏକ କାହାଣୀ ମାଧ୍ୟମରେ ଉପସ୍ଥାପନା କରିଛନ୍ତି ଅସିତ୍‌ ମହାନ୍ତି୤ “ଜ୍ଞାନପୀଠ ବିଜେତାଙ୍କ କଥା ଓ କାହାଣୀ-ଅଧ୍ୟାୟ ଏକବିଂଶ” ଶୀର୍ଷରେ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ପ୍ରକାଶିତ ପୁସ୍ତକରୁ ଏହି କାହାଣୀଟି ସଂଗୃହିତ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ରୂପଧର, ହାଇଦ୍ରାବାଦ |  ନଭେମ୍ବର୍ ୧୮, ୨୦୧୩ - ୭:୧୦ ପୂର୍ବାହ୍ନ

    ଦୁଇଟି ଭିନ୍ନ ଭାଷା ଏବଂ ପରିବେଶଗତ ଭିନ୍ନତା ମଧ୍ୟରେ ଜୀବନର ସମସ୍ୟା ଭିନ୍ନ ନୁହଁ । ଯାହା ଏହି ଅନୁଦିତ ରଚନାର ପ୍ରାସଙ୍ଗିକତା ଆଧୁନିକ ଜୀବନରେ ପରିଲକ୍ଷିତ ହୁଏ । ମହାନ ରଚନାକାରଙ୍କ କୃତିର ଏହା ବିଶିଷ୍ଟତା । ସ୍ବାଗତଯୋଗ୍ୟ ଅନୁଦିତ ରଚନା ।ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤