ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋଦାବରୀଶ ମହାପାତ୍ର
ଅମରେଶ ବିଶ୍ବାଳ
ସହଦେବ ସାହୁ
ଅଶୋକ ଚନ୍ଦ୍ର ମହାପାତ୍ର
ତରୁଣକାନ୍ତି ମିଶ୍ର
ସୌଭାଗ୍ୟ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଦାମ୍ପତ୍ୟ (କନ୍ନଡ଼ କାହାଣୀ)
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ଜାନୁଆରୀ ୨୯, ୨୦୧୩  
ମୂଳ ପୃଷ୍ଠାପ୍ରତିବେଶୀ ସାହିତ୍ୟ (ଅନୁବାଦ)
 

ମୂଳ ଲେଖା – କେ.ଶିବରାମ କରନ୍ଥ
ଅନୁବାଦ – ଅସିତ୍‌ ମହାନ୍ତି

ସୋନାଲି ପତ୍ରିକା ଦୁଇଟି ପଢ଼ିସାରି ଗୋଟାଏ କଡ଼କୁ ରଖିଦେଲା୤ ପତ୍ରିକା ଦୁଇଟି ଥିଲା ‘ପ୍ରଭାତ’ ଓ ‘ସ୍ବଦେଶାଭିମାନ’୤ ଇତିମଧ୍ୟରେ ପତ୍ରିକା ଦୁଇଟିକୁ ସିଏ ପାଞ୍ଚପାଞ୍ଚଥର ପଢ଼ି ସାରିଲାଣି୤ ତଥାପି ବି ସମୟ ନକଟିବାରୁ ସପ୍ତାହେ ତଳର ପୁରୁଣା ଖବରକାଗଜଗୁଡ଼ାକ କାଢ଼ି ସେ ସବୁକୁ ଓଲଟପାଲଟ କରି ଆଖି ପକେଇବାରେ ଲାଗିଲା୤ ସୋନାଲିର ଖବରକାଗଜ ପଢ଼ା ଦେଖି ଶାଶୁ ରାଜିବୀ ଯେମିତି ଗୋଟାପଣେ ତାତି ଉଠିଲା୤ ସମୟ କାଟିବାର ଆଉ କି ଉପାୟ ବା ତା’ର ଥିଲା ! ଶାଶୁଙ୍କୁ ରୋଷେଇବାସରେ ସାହାଯ୍ୟ କଲା, ଡାଲି ବଘାରି ଦେଲା, ଅଟା ଚକଟି ରୁଟି ବେଲିଦେଲା, ରୋଷେଇ ସରିବା ପରେ ସବୁ ସଜଡ଼ାସଜଡ଼ି କରି ଥୋଇଦେଲା୤ ତଥାପି ବି ସମୟ କଟୁନାହିଁ୤ ପଡ଼ିଶା ଘରୁ ମାଗି ଆଣିଥିବା ‘ସଣ୍ଡେ ଟାଇମ୍‌ସ’ ବି ଓଲଟପାଲଟ କରି ଦେଖିଲା୤ ଯେତେବେଳେ ମନରେ ଶାନ୍ତି ନାହିଁ, ସେତେବେଳେ ଏଇ ଖବରକାଗଜଗୁଡ଼ାକ ବା କ’ଣ କରିପାରିବ ? ‘ହିନ୍ଦୁ’ ଯଦି ଆସୁଥାଆନ୍ତା, ତା’ହେଲେ ଅବା ଆଉ କିଛି ସମୟ କଟିଯାଇ ପାରୁଥାଆନ୍ତା୤ ମାତ୍ର ମାସକୁ ମାସ ସେଥିପାଇଁ ପଇସା ଦେବା କଥା ଉଠିଲେ ତାର ସ୍ବାମୀ ଆପ୍ପଣା କମ୍‌ତୀର ଛାତିରେ ଯେମିତି ଛନକା ପଶିଯାଏ୤

ରାତି ଆଠଟା ବାଜି ସାରିବା ପରେ ମିନିଟ୍‌ କଣ୍ଟା ଆହୁରି ଘେରାଏ ବୁଲି ଆସିଲାଣି୤ ସ୍ବାମୀ ନଆସିବା ଆଗରୁ ଖାଇ ପାରିବ ନାହିଁ୤ ନିଦ ଲାଗୁଥିଲେ ସୁଦ୍ଧା ଶୋଇ ବି ପାରିବ ନାହିଁ୤ ଦୋକାନ ବନ୍ଦ କରି ଘରକୁ ଆସୁଆସୁ ଆପ୍ପଣା କମ୍‌ତୀର ଦଶଟା ହେଇଯାଏ୤ ସକାଳ ଆଠଟାରୁ ରାତି ଦଶଟା ଯାଏ ତାର ଦୋକାନ ଖୋଲା୤ ଏମିତି କିଛି ଜିନିଷ ନାହିଁ, ଯାହା ତା’ ଦୋକାନରେ ନମିଳିବ୤ ଧାର୍‌ କରଜ ଦେବାର ସାହସ ବି ତାର ଅଛି୤ ଆଖପାଖର ସାରା ଗାଆଁ ପାଇଁ ସେଇଟା ଖାଲି ଗୋଟାଏ ତେଜରାତି ଦୋକାନ ନ ଥିଲା; ଥିଲା ଗାଆଁର ପଞ୍ଚାୟତ ଆଉ ଜନତା ଜନାର୍ଦ୍ଦନଙ୍କ କଚେରୀ ବି୤

ଆପ୍ପଣା ଗାଆଁର ଟିକିନିଖି ଖବର ରଖେ୤ ତେଣୁ ନିଜର ପରି ସେ ସେଇସବୁ କଥା କହୁ କହୁ ଭୁଲେଇ ଦଣ୍ଡି ମାରିଦିଏ ବା ପଳାରେ କମ୍‌ ମାପି ଜିନିଷ ଦେଇଦିଏ୤ ମୂର୍ଖ ଗରାଖ ବିଚରା ସେକଥା ଜାଣି ପାରେ ନାହିଁ୤ ଏଣୁ, ଏମିତିରେ ଦେଖିଲେ ସଞ୍ଜ ଗଡ଼ିଯିବା ପରେ ବେପାରରେ ଯୋଉ ଲାଭ, ଅନ୍ୟବେଳେ ସେ ଲାଭ ସହଜ ନଥିଲା୤ ସଞ୍ଜବତୀ ଲାଗିବା ପରେ ତିନିବର୍ଷର ପୁରୁଣା ଫିମ୍ପିମରା ଧୂଆଁପତ୍ର ବି ‘ବଢ଼ିଆ’ ନମ୍ବରୀ ବରାଦୀ ମାଲ୍‌ ବନିଯାଉଥିଲା୤ ‘ମୁଁ କହୁଚି ପରା, ନେଇ ଦେଖ ଆଗ ! ଏ କୋଳଥ ସିଝେଇ ବଳଦ ଆଗରେ ଥୋଇଦିଅ, ଦେଖିବ, ବଳଦ କେମିତି ତାଟିଆ ଚାଟି ଖାଇବେ; ଏ ଡାଲି ସିଝଉ ସିଝଉ ତାର ବାସ ତିନିମାଇଲ ଯାଏ ଚହଟିଯିବ; ହଳଦି ମଚମଚ ଏ ହରଡ଼ ଫାଳକୁ ତୁ ପୁଣି ବାଜେ ବୋଲି କହୁଚୁ !’ ଏମିତି ଗରାଖମାନଙ୍କୁ ମୂର୍ଖ ବନେଇବାରେ ତାର ଆଦୌ କୁଣ୍ଠା ନଥିଲା୤ କଥାବର୍ତ୍ତାରେ ସେ ଏପରି ଧୂରନ୍ଧର ଆଉ ଚତୁର ଥିଲା ଯେ ବାରମ୍ବାର ଧୋକା ଖାଇବା ପରେ ବି ଗରାଖମାନେ ଆପ୍ପଣା କମ୍‌ତୀର ଦୋକାନକୁ ହିଁ ଆସୁଥିଲେ୤

‘‘କମ୍‌ତୀ ଭାଇ, ସେଦିନ ତୁ ଯୋଉ ହରଡ଼ ଡାଲି ଦେଇଥିଲୁ ନା, ତାକୁ ମଇଁଷି ବି ଛୁଇଁଲେ ନାଇଁ୤ ପୂରାପୂରି ପୋକରା- ଖାଲି ଯେମିତି ଅଟା ଝରୁଚି !’’ ଗରାଖର ଅଭିଯୋଗ ଶୁଣିବା ମାତ୍ରେ ସେ କହୁଥିଲା, ‘‘ଆଚ୍ଛା, ଆଚ୍ଛା, ଛାଡ଼ ସେକଥା୤ ମୁଁ ତାର ଭାଉ ଅଢ଼େଇଅଣା କହିଥିଲି ନା, ଏବେ ଦି’ଅଣା କରିଦଉଚି; ହେଲା ! ତମ ପରି ଲୋକ କ’ଣ କେବେ ମିଛ କହିବ !’’ ଏମିତି ଭାବେ ଗରାଖଙ୍କୁ ବୋଧଦେଇ ସେଥର ବି ସେଇ ଏକା ପୋକରା ଡାଲି ଗରାଖ ମୁଣ୍ଡରେ ସେ ଥାପି ଦେଉଥିଲା୤ ଦୋକାନକୁ ଯୋଉ ଗରାଖ ଆସୁ ପଛକେ, ସିଏ ସବୁବେଳେ ସେଇ ଗୋଟିଏ କଥା କହୁଥିଲା- ’‘ଆପଣଙ୍କ ଅଜାଙ୍କ ଅମଳରୁ ପରା ମୋ’ଦୋକାନରୁ ସଉଦା ଯାଉଚି୤ ପିତୃପୁରୁଷଙ୍କ ଋଣାନୁବଦ୍ଧତା କହିଲେ ଅସଲରେ ଏଇଆ୤’’

କମ୍‌ତୀ ରାତିରେ ଡେରି କରି ଘରକୁ ଆସୁଥିଲା, ଆଉ ତୁରନ୍ତ ହାତଗୋଡ଼ ଧୋଇ ଖାଇବାକୁ ବସିଯାଉଥିଲା୤ ତାର ମାଆ ବି ତା’ ସାଙ୍ଗେ ଖାଇବାକୁ ବସୁଥିଲା୤ ସୋନାଲି ପରଷି ଦେଉଥିଲା୤ ଖାଇ ସାରିବା ପରେ କମ୍‌ତୀ ସାଙ୍ଗେ ସାଙ୍ଗେ ଶୋଇବାକୁ ଚାଲିଯାଉଥିଲା୤ ସୋନାଲି ଖିଆପିଆ, କାମଦାମ ସାରି ଆସିଲା ବେଳକୁ ଆପ୍ପଣା ଶୋଇପଡ଼ୁଥିଲା ନିଘୋଡ଼ ନିଦରେ୤ ତା’ର କୁମ୍ଭକର୍ଣ୍ଣ ନିଦ ଯାଇ ସକାଳେ ଭାଙ୍ଗୁଥିଲା, ଆଉ ତରବର ହେଇ ନିତ୍ୟକର୍ମ ସାରିଦେଇ ସିଏ ଦୋକାନକୁ ବାହାରି ଯାଉଥିଲା୤ ସୋନାଲି ବି ଘରର କାମଦାମରେ ଲାଗିଯାଉଥିଲା୤ ଦି’ପହରରେ ଦି’ଟା ବାଜିବା ଆଗରୁ କମ୍‌ତୀ କେବେ ଘରକୁ ଫେରୁ ନଥିଲା୤ ସିଏ ଘରକୁ କେତେବେଳେ ଆସୁଥିଲା ଆଉ ଘରୁ କେତେବେଳେ ଯାଉଥିଲା, ତାହା ଜାଣିବା ମୁସ୍କିଲ୍‌ ଥିଲା୤

ସୋନାଲି ଯଦି ଜିଦ୍‌ କରି ଘଣ୍ଟାଏ ପହରେ ଆରାମ କରିବାକୁ କହୁଥିଲା ତ କମ୍‌ତୀ ବିରକ୍ତ ହେଇ କହୁଥିଲା- ‘‘ଗରାଖ କ’ଣ ଆଉ ରଖିବେ ! ଧୂଆଁପତ୍ର ବେପାରୀ ଆସିଚି୤ ତା’ସାଙ୍ଗେ ମୂଲଚାଲ କରି ଦେଇ ଆସିଚି୤ ମାଲ୍‌ ଏଯାଏ ଓଜନ ବି ହେଇନାଇଁ୤ ଯଦି ସିଏ ନିଜେ ଓଜନ କରିଦେଇ ଚାଲିଯାଏ ତା’ହେଲେ ମହଣକ ତିରିଶି ସେର ହବ ଜାଣି ଥା’ ୤’’ ଏମିତି କିଛି କହୁ କହୁ ସିଏ ଅସମ୍ଭାଳ ହେଇ ଘରୁ ବାହାରି ଚାଲିଯାଉଥିଲା୤

ଦିନେ ଦିନେ ରାତିରେ, ସୋନାଲି ଭଗୀରଥ ପରି ଯତ୍ନ କରି ଯଦି କମ୍‌ତୀ ସାଙ୍ଗେ କଥା ହେବାକୁ ଚେଷ୍ଟା କରୁଥିଲା, ତା’ହେଲେ ସିଏ ଠିକ୍‌ କରି ପାରୁନଥିଲା ଯେ ତା’ ସାଙ୍ଗେ କି କଥା ହେବ୤ ଆପ୍ପଣା ଯଦିବା କେବେ ମୁହଁ ଖୋଲୁଥିଲା, ‘‘ଏ ବର୍ଷ ଭଲ ପାଳକ ହବ’’ ବା ‘‘ପାର୍ବତୀ ଷ୍ଟିମର, ବନ୍ଦରରେ ଆସି ପହଞ୍ଚି ପାରିଲା ନାହିଁ୤’’ ଆଦି ହିଁ କହୁଥିଲା୤ ‘‘ସେଦିନ ଷ୍ଟିମର୍‌ ଆସିବା ଖବର ଆସିଲା, ହେଲେ ଏଥର ‘ପାର୍ବତୀ’ ଆସି ନାଇଁ୤ ପାର୍ବତୀ ତ ଖୁବ୍‌ ଛୋଟ୤ ଏବେ ଯୋଉ ‘ଦମୟନ୍ତୀ’ କାର୍ଗୋ ବୋଟ୍‌ ଆସୁଚି, ତାହା ବନ୍ଦରକୁ ତିନିଥର ଆସି ଲେଉଟି ଗଲାଣି୤ ଦୋକାନରେ ଦାନାଏ ହେଲେ ଚିନି ନାହିଁ୤ ଦମୟନ୍ତୀରେ ୩୦୦ବସ୍ତା ଲଦା ହେଇଚି; ହେଲେ ଏ ବଦମାସ୍‌ ତୋଫାନ୍‌ଟା ଜମା ପିଛା ଛାଡ଼ୁନାହିଁ୤ କଲମ୍ବୋରେ ତ ବର୍ଷା ଆସିଗଲାଣି୤’’

ଆପ୍ପଣାର ଏ ଲମ୍ବା ଭାଷଣ ଶୁଣି ସୋନାଲି ଚିଡ଼ିଯାଏ୤ ସାରା ମାସରେ ଦିନଟିଏ ହେଲେସେ ତାର ଦୁଃଖସୁଖ ବୁଝନ୍ତା ! ହଠାତ୍‌ ତାର ମୁହଁରୁ ବାହାରି ଗଲା-‘‘ଦମୟନ୍ତୀ ଆସୁ କି ନଆସୁ, ମୋର କି ଗରଜ ପଡ଼ିଚି୤ ତମ ଷ୍ଟିମର ତ କୋଉଦିନ ବନ୍ଦ ହବାର ନାଇଁ୤ ଚିନି ନମିଳିଲା ନାଇଁ, ମିଠା କଥାର ବି କ’ଣ ଅଭାବ ପଡ଼ିଚି ? ଯାହାର କଥାବାର୍ତ୍ତା ହବାକୁ ବି ତର ନାଇଁ, ତାର ବାହା ହବା କି ଦରକାର ଥିଲା !!’’

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ରୂପଧର, ହାଇଦ୍ରାବାଦ |  ନଭେମ୍ବର୍ ୧୮, ୨୦୧୩ - ୭:୧୦ ପୂର୍ବାହ୍ନ

    ଦୁଇଟି ଭିନ୍ନ ଭାଷା ଏବଂ ପରିବେଶଗତ ଭିନ୍ନତା ମଧ୍ୟରେ ଜୀବନର ସମସ୍ୟା ଭିନ୍ନ ନୁହଁ । ଯାହା ଏହି ଅନୁଦିତ ରଚନାର ପ୍ରାସଙ୍ଗିକତା ଆଧୁନିକ ଜୀବନରେ ପରିଲକ୍ଷିତ ହୁଏ । ମହାନ ରଚନାକାରଙ୍କ କୃତିର ଏହା ବିଶିଷ୍ଟତା । ସ୍ବାଗତଯୋଗ୍ୟ ଅନୁଦିତ ରଚନା ।ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤