ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସୁଧାଂଶୁ ଶେଖର ପାତ୍ର
ଦେବେନ୍ଦ୍ର ମହାନ୍ତି
ଭାନୁଜୀ ରାଓ
କିଶୋରୀ ଚରଣ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଖର୍ବପୁରୁଷ
 |- ଚନ୍ଦ୍ରଶେଖର ରଥ
 
 
ତା: ଜୁଲାଇ ୩, ୨୦୧୨  
ମୂଳ ପୃଷ୍ଠାପ୍ରବନ୍ଧ
 

ଏ ବାମନ ରାଜ୍ୟରେ ଜହ୍ନ ଏକ ଅପହଞ୍ଚ ସ୍ବପ୍ନ୤ ବାଇଗଣ ଗଛକୁ ଆଙ୍କୁଡ଼ି ଲଗାଉଥିବା ଖର୍ବ ମଣିଷଙ୍କ ପାଇଁ ଉଞ୍ଚ ଉଞ୍ଚ ଆକାଶର ସମ୍ଭାବନା ନାହିଁ୤ ଛୋଟ ମନ, ଛୋଟ ଛୋଟ ହାତଗୋଡ଼ ନେଇ ସେମାନେ ଗୋଟିଏ ଅପ୍ରସାରିତ ଜଗତରେ ବଞ୍ଚିଥାନ୍ତି୤ ସେମାନଙ୍କର ସୁଖ ଦୁଃଖ ସଂଘର୍ଷରେ ମଧ୍ୟ କୌଣସି ବିସ୍ତାର ନାହିଁ୤ ଏପରିକି ଦୁର୍ଦ୍ଧଷ କାମକ୍ରୋଧମାନେ ମଧ୍ୟ ସେମାନଙ୍କର କୃପଣ ଜୀବନରେ ଅତି ଦୀନହୀନ ଭାବରେ ପ୍ରକଟିତ ହୁଅନ୍ତି୤ କୁଣ୍ଠିତ, ସଙ୍କୁଚିତ, ଦରିଦ୍ର, ଭୟାର୍ତ୍ତ ଜୀବଗୁଡ଼ିଏ ଏମାନେ୤ ସ୍ପର୍ଦ୍ଧା ନାହିଁ, ବିଭବ, ବିଭୂତି କିମ୍ବା ଐଶ୍ବର୍ଯ୍ୟ କିଛି ନାହିଁ୤ ପାଣି କେଞ୍ଚୁଆ ସାମାନ୍ୟ ବାଧା ପାଖରୁ ସାଙ୍କୁଡ଼ି ଯାଇ କୌଣସି ପ୍ରକାରେ ବଞ୍ଚିରହିବା ହିଁ ଜୀବନ୤ ଯଦି ହିମାଳୟକୁ ଲଙ୍ଘିଯିବାର ଅଭିପ୍‌ସା ମୋ ଭିତରୁ ଲିଭିଯାଇଛି, ଯଦି ଗଧଖୁରାରେ ଲାତଖାଇ ମୁଁ ଅବିଚଳିତ ରହିପାରୁଛି, ତେବେ ମୋ ଭିତରେ ଦୟାକରି ସେ ଅହିରାଜକୁ ଖୋଜନ୍ତୁ ନାହିଁ, ଯା’ ଲାଙ୍ଗୁଳରେ ପବନ ବାଜିଗଲେ ସେ ମଣିମଣ୍ଡିତ ଫଣା ତୋଳି ଯୁଦ୍ଧ ଘୋଷଣା କରେ୤ ମୁଁ ଏକ ଚିରପରାସ୍ତ, ଅତି ଦୁର୍ବଳ, ବେଲଜ୍ଜ, ଅମେରୁଦଣ୍ଡୀ ପ୍ରାଣୀ, ଯେ ମୁକାବିଲା କରି ଶିଖି ନାଇଁ, ସାମ୍ନାସାମ୍ନି ଦେଖିନାହିଁ ସମସ୍ୟାକୁ, ସଙ୍କଟକୁ ବା ଶତ୍ରୁକୁ୤ ବଞ୍ଚିବାକୁ ଜାବୁଡ଼ି ଧରି ସକଳ ସମ୍ମାନ ଏବଂ ସଂଭ୍ରମ ମୁଁ ହରେଇ ସାରିଛି୤ ସଂକୀର୍ଣ୍ଣ, କୃପଣ, ମ୍ରିୟମାଣ ଏ ବାମନ ରାଜ୍ୟରେ ମୁଁ ଏକ ବାମନ ପ୍ରତିନିଧି, ମୋର ଇତିବୃତ୍ତ କ୍ଷୁଦ୍ର୤

ଏକୁଟିଆ ବଞ୍ଚିବାକୁ ସାମର୍ଥ୍ୟ ନ ଥିବାରୁ ମୁଁ ଏକାଠି ବଞ୍ଚେ୤ ଏକାଠି ବଞ୍ଚିଲେ ପ୍ରେମ କରିବାକୁ ପଡ଼େ, ଘୃଣା କରିବାକୁ ପଡ଼େ କିନ୍ତୁ ମୋର ଉଦାରତା ନାହିଁ୤ ମୁଁ ତ୍ୟାଗ କରିପାରେ ନାହିଁ, ଉତ୍ସର୍ଗ କରିବା ମୋର ସ୍ବଭାବ ନୁହେଁ୤ ମୋତେ ହିଁ ଜାବୁଡ଼ି ଧରି ମୁଁ ଗଣ୍ଠି ବାନ୍ଧିଯାଇଛି୤ ଏଣୁ ପାଖ ପଡ଼ୋଶୀକୁ ମୁଁ କେବଳ ସହିଯାଏ୤ ସହଯାତ୍ରୀଟିକୁ ଅଗତ୍ୟା ସ୍ବୀକାର କରେ, ପ୍ରେମ କରିପାରେ ନା, ମୁଁ ପ୍ରେମକୁ ଚୋରିକରେ୤ ପ୍ରେମକୁ ପାପଜଡ଼ିତ କରେ୤ ପ୍ରେମ ପାଇଁ ଲଜ୍ଜିତ ହୁଏ୤ ବାପ କାକା’ଙ୍କୁ ଭଲପାଏନା, ସେମାନଙ୍କର ମୃତ୍ୟୁ କାମନା କରେ୤ ମୁଁ କୃତଜ୍ଞ ନୁହେଁ୤ ମୋର ପତ୍ନୀ କୌଣସି ସ୍ବାଦିଷ୍ଟ ଫଳ ପରି- ମୁଁ ତାକୁ ଖାଏ୤ ସେ ଗାଈ ପରି – ମୁଁ ତାକୁ ଦୋହନ କରେ୤ ମୋର ପୁତ୍ର କନ୍ୟା ମୋର ଦାୟିତ୍ବ୤ ତାଙ୍କର ପ୍ରତିପୋଷଣ ମୋର ସାମାଜିକ କର୍ତ୍ତବ୍ୟ୤ ସେଥିରେ ଅବହେଳା କଲେ ମୁଁ ଦୁଃଖିତ ନୁହେଁ୤ ମୋର ଉପାର୍ଜନ ମୁଁ ମୋ ପରିବାର ପାଇଁ ବାଣ୍ଟି ଦିଏ୤ ଶୋଇବା ପାଇଁ ମୋ ଘରର ପ୍ରକୋଷ୍ଠ ବାଣ୍ଟିଦିଏ୤ ମୁଁ ଏମାନଙ୍କୁ ଭୟକରେ, ଅନ୍ୟମାନଙ୍କୁ ଭୟ କରେ, ପ୍ରେମ କରିପାରେ ନା୤ ପ୍ରେମ ଏକ ଅବାଧ କନ୍ୟା୤ ତାର ପ୍ଳାବନ ପାଇଁ ମୋ ଗର୍ଭରେ ବିସ୍ତାର ନାହିଁ୤ ଘୃଣା ପାଇଁ ମଧ୍ୟ ମୁଁ ସମର୍ଥ ନୁହେଁ୤ ମୁଁ କେବଳ ଲୁଚି ଲୁଚି ନିଭୃତରେ ଘୃଣା କରିପାରେ୤ ଅନ୍ୟକୁ ଘୃଣା କଲେ ମୁଁ ନିଜକୁ ଭଲପାଏ-ସେଥିପାଇଁ ମୁଁ ଘୃଣାକରେ୤ ଘୃଣା ଏକ ଦହନ, ଏକ ତରଳ ଅଗ୍ନି୤ ପରିପୂର୍ଣ୍ଣ ଘୃଣା କ୍ରୋଧରେ ଫାଟିପଡ଼େ୤ କ୍ରୋଧ ଏକ ସାହସିକ ସାମର୍ଥ୍ୟ – ମୋର ସାହସ ନାହିଁ୤ ମୋର ପୌରୁଷ ନାହିଁ୤ ମୁଁ ବାମନ୤ ମୁଁ କ୍ଷୁଦ୍ର ପୁରୁଷ୤

ନିରାପତ୍ତାକୁ ମୁଁ ସବୁଠାରୁ ବେଶି ମୂଲ୍ୟ ଦିଏ୤ ଏଣୁ ଗୋଡ଼ ଫରକଟେଇ ମୋ ସାମ୍ନାରେ ଠିଆ ହୋଇଥିବା ରେରେକାରକୁ ମୁଁ ଆଡ଼େଇ ହୋଇ ଖସିଯାଏ୤ ତା ପୁଡ଼ାତଳେ ଗଳିଯାଏ୤ ସଦର ଦର୍ଜା ଉପରେ ଅନେକ ଦୃଷ୍ଟି, ଅନେକ ଆଲୋକ୤ ମୁଁ ତେଣୁ ପଛବାଟେ ପଶିଯାଏ୤ ମୋ ମାଖୁନା ମୁହଁରେ ମୁଁ ନିଶ ଗଜୁରିବାକୁ ଦିଏନାହିଁ୤ ଠିଆନିଶର ଦାୟିତ୍ବ ତୁଲାଇବାକୁ ମୁଁ ଅକ୍ଷମ୤ ନେଇଆଣି ଥୋଇ ଜାଣିବା ବିଦ୍ୟା ମୋତେ ଖୁବ୍‌ ପୋଷାଏ୤ ମୋତେ ବିଶ୍ବାସ କଲେ ମୁଁ ସେଇ ବିଶ୍ବାସର ସୁଯୋଗ ନିଏ୤ ଠକି ପାରିବା ମୋର ଯୋଗ୍ୟତା୤ ବାଲି, ରୁଗୁଡ଼ିକୁ ରାସ୍ତାରେ ନ ପକାଇ ମୋ କୋଠାରେ ନେଇ ଲଗେଇଦିଏ୤ ଦଶ ଦେଲି ବୋଲି କହି ପାଞ୍ଚ ଖାଇଯାଏ୤ ମୋ ରାଜ୍ୟରେ ସମସ୍ତେ ମିଛ କହନ୍ତି୤ ମିଛ କହିପାରିବା ଚତୁରତା୤ ସମସ୍ତେ ଚୋରିକରନ୍ତି୤ ଚୋରିକରିବା ସାମର୍ଥ୍ୟ୤ ଖଡ଼ାବଡ଼ି ଥୋଡ଼’ ଯଦି ଅଛି ମୁଁ ତାକୁ ଥୋଡ଼ବଡ଼ି ଖଡ଼ା କରିଦିଏ୤ ମୋତେ ଆପଣ ଡି.ଲିଟ୍‌ ଉପାଧି ଦିଅନ୍ତି୤ ଆପଣ ସେଇଆ କରିଛନ୍ତି୤ ମୋ ଦେଶର ପାଞ୍ଚଲକ୍ଷ ଗବେଷଣାର ଚଷୁ ପର୍ବତ ଭିତରେ ଗୋଟିଏ ଦାନା ବହୁ କଷ୍ଟରେ ଦେଖାଦିଏ୤ ସି.ଭି. ରମଣ ଏକ ବ୍ୟକ୍ତିକ୍ରମ୤ କାହିଁକି ସେ ଉଞ୍ଚ ମଣିଷଟି ଏ ଖର୍ବ ରାଜ୍ୟରେ ଜନ୍ମୁଥିଲା ?

ମୋ ଦେଶର ସବୁଠୁ ବୃହତ୍ତମ ଲେଖକଗୋଷ୍ଠୀ ଦପ୍ତର କିରାଣୀ୤ ଶଠତା ଆମ ବୃତ୍ତି୤ ଆମେ ପରସ୍ପରକୁ ଚୋରିକରୁ୤ ପରସ୍ପରକୁ ଈର୍ଷାକରୁ, ନିନ୍ଦାକରୁ, ହୁଏତ ସଂହାର କରୁ୤ ଆମେ ରକ୍ତରେ ଖେଳିବାକୁ ଘୋଷଣା କରୁ ଖେଳୁ କାଦୁଅରେ- ରକ୍ତପାଇଁ ସାହସ ନାହିଁ୤ ଆମେ ବଞ୍ଚୁ ଆଂଶିକ ଭାବରେ, ଏଣୁ ପ୍ରାଣ ଦେଇ ଦେଖି ପାରୁନା, ପ୍ରାଣ ଦେଇ ଲେଖିପାରୁନା୤ ମୁଁ ବି ଲେଖିପାରେନା୤ ମୋ ଭାଷାରେ ରାଣ

ନାହିଁ୤ ବାକ୍‌ରେ ମୁଁ ପ୍ରାଣକୁ ହବନ କରିପାରେ ନାହିଁ୤ ମୋ ଚେତନା ଅବରୁଦ୍ଧ୤ ମୋର ଅନୁଭବ ସଂକୀର୍ଣ୍ଣ୤ ମୋର ଆବେଗ କୁଣ୍ଠିତ୤ ମୋର ଅବୟବ ଅପ୍ରସାରିତ୤ ମୋର ବେଦନା ନାହିଁ; ରକ୍ତ କ୍ଷରଣ ନାହିଁ୤ ଏ ସବୁର ଚିହ୍ନମାତ୍ର ମୋ ପାଇଁ ଯଥେଷ୍ଟ୤ ମୁଁ କ୍ଳୀବ, ମୁଁ ଅର୍ଦ୍ଧମଣିଷ୤

ମୋର କାମନାଗୁଡ଼ିକ ପଙ୍ଗୁ୤ ମୋ କ୍ଷୁଧା ପାଖରେ ମୁଁ ପ୍ରଥମେ ବଳି ପଡ଼ି ଯାଏ୤ ତା’ର ଶିକ୍ଷା ଚହଟିବାକୁ ଦିଏନାହିଁ୤ ମହାର୍ଘ ଆହାର ଦେଖି ଲାଳାୟିତ ହୁଏ୤ ଭୋଜନକୁ ଜିହ୍ବାଲାଳସା କହି ଉପେକ୍ଷା କରେ୤ ମନୋରମା ନାରୀକୁ ଲୁଚି ଲୁଚି ଦେଖେ୤ ମନରେ ସମ୍ଭୋଗ କରେ, ସ୍ପର୍ଶ କରେନା, ରମ୍ଭା, ଉର୍ବଶୀ ମୋର କାମ୍ୟ ନୁହଁନ୍ତି୤ କାଶ୍ମୀର ଘୋଟକୀ ପରି ସୁରମ୍ୟା ରମଣୀ ମୋର ସଙ୍ଗ କାମନା କଲେ ମୁଁ ମୂର୍ଚ୍ଛିତ ହୋଇଯିବି୤ ସେହିପରି ବିସ୍ତୃତ ହେମଜଡ଼ିତ ହର୍ମ୍ୟ ମୋର ଆବାସ୍ୟ ନୁହେଁ୤ ମୁଁ ତା’ର ତ୍ରିସୀମା ସ୍ପର୍ଶ କରେନାହିଁ୤ ମୋ ଖର୍ବିତ ଅଙ୍ଗ ପରାସ୍ତ ହୁଏ୤ ଯେ କୌଣସି ଐଶ୍ବର୍ଯ୍ୟ ମୋତେ ତ୍ରାସିତ କରେ୤ ଅନର୍ଘ ମଣିମୁକୁଟ ପାଇଁ ମୋର ମନଗୋବିନ୍ଦ ମୂର୍ଦ୍ଧା ନାହିଁ୤ ସମୁଦ୍ରକୁ ଦେଖିଲେ, ମୁଁ ଖର୍ବମଣିଷ, ଆଖି ନୁଆଇଁ ଆଣେ୤ ଆରପାରିକୁ ଯାଇ ମୁକ୍ତା ଆଣିବାକୁ ମୁଁ ମନ ବଳାଏ ନାହିଁ୤ ଢେଉ ମୋ ସଙ୍ଗେ ଖେଳିବାକୁ ଗୋଡ଼ାଇ ଆସିଲେ ମୁଁ ସନ୍ତ୍ରସ୍ତ ହୋଇ ଧାଇଁ ପଳାଏ୤ ବିସ୍ତୃତ ସମୁଦ୍ର ମୋର ବିପରୀତଧର୍ମୀ୤ ସମୁଦ୍ର ମୋର ଶତ୍ରୁ୤ ମୁଁ ଗୋଷ୍ପଦର ମଣିଷ୤ ସମୁଦ୍ର ଲଙ୍ଘନ ମୋ ପାଇଁ ଅବାନ୍ତର୤ ସେହିପରି ହିମାଳୟ ମୋର ଶତ୍ରୁ୤ ସେ ମୋତେ ଉପହାସ କରେ୤ ଗୁଡ଼ାଏ ଉଦ୍ଭଟ ବିଶାଳ ବନସ୍ପତି ମୋର ଭୟ କରନ୍ତି୤ ମୁଁ ଗୁଳ୍ମ-ରାଜ୍ୟର ମଣିଷ୤ ମୁଁ ଅଭିମାନ କରେନାହିଁ, କରିପାରେ ନାହିଁ୤ ନୂତନକୁ ମୁଁ ଡରେ୤ ତା’ର ସହସା ସଂଘାତ ପାଇଁ ମୁଁ କଦାପି ପ୍ରସ୍ତୁତ ନୁହେଁ୤ ମୁଁ କାହିଁକି ଚନ୍ଦ୍ରରେ ଅବତରଣ କରିବି ? କାହିଁକି ଗ୍ରହ ନକ୍ଷତ୍ରର କଳନା କରିବି ? କାହିଁକି ଆପେକ୍ଷିକତତ୍ତ୍ବ ଉଦ୍ଭାବନ କରିବି ? ମୋର ଅଭିଳାଷ ସଙ୍କୁଚିତ୤ ମୁଁ ଶ୍ରମ କାତର ଭୟାର୍ତ୍ତ ମଣିଷ୤ ମୁଁ ସମ୍ରାଟକୁ ଭୟକରେ୤ ସାମ୍ରାଜ୍ୟକୁ ଭୟକରେ୤ ଜ୍ଞାନୀକୁ ଭୟକରେ, ଜ୍ଞାନକୁ ଭୟ କରେ୤ କର୍ମଫଳର ଆଶଙ୍କା ମୋତେ ବିବ୍ରତ କରେ୤ କର୍ମ ବିବ୍ରତ କରେ୤ କର୍ମରୁ ବିରତ ହୋଇ ମୁଁ ଆଳସ୍ୟକୁ ଲେସେଡ଼ିଯାଏ୤ ମୋର ଆଳସ୍ୟ ନିଦ୍ରାଜଡ଼ିତ୤ ନିଦ୍ରା ସ୍ବପ୍ନ – ଦୂଷିତ୤ ମୃତ୍ୟୁ ଭୟ ମୋ ଜୀବନରେ ଏକମାତ୍ର ଆବେଗ, ମୋର ଗରିଷ୍ଠ ଉପାଦାନ, ମୋର ବିଡ଼ମ୍ବନା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚନ୍ଦ୍ରଶେଖର ରଥ, ଭୁବନେଶ୍ବର
ଚନ୍ଦ୍ରଶେଖର ରଥ
ଓଡ଼ିଆ ସାହିତ୍ୟରେ ଜଣେ ଲବ୍ଧ ପ୍ରତିଷ୍ଠିତ ତଥା ସାମ୍ପ୍ରତିକ ସମୟର ଜଣେ ପ୍ରଖ୍ୟାତ ସାହିତ୍ୟିକ ଭାବେ ଚନ୍ଦ୍ରଶେଖର ରଥ ନିଜର ଲେଖା ପାଇଁ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ୤ ଏକାଧାରରେ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଲେଖାରେ ପାରଦର୍ଶିତା ଦେଖାଇବା ସହ ଅଜସ୍ର ପାଠକୀୟ ସ୍ବୀକୃତି ମଧ୍ୟ ହାସଲ କରିଛନ୍ତି ଶ୍ରୀ ରଥ୤ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ରାଜ୍ୟ ସାହିତ୍ୟ ଏକାଡ଼େମୀ ସହିତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ରଥ୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?

  • ୧. ବିକାଶ ବିଶ୍ବାଳ |  ଜୁଲାଇ ୬, ୨୦୧୨ - ୩:୫୨ ପୂର୍ବାହ୍ନ

    ଖୁବ୍ ସୁନ୍ଦର

  • ୨. ଅଶୁତୋଷ ପାତ୍ର |  ସେପ୍ଟେମ୍ବର୍ ୧୪, ୨୦୧୨ - ୩:୧୧ ପୂର୍ବାହ୍ନ

    ବହୁତ୍ ବଢିଆ ହେଇଛି୤

  • ୩. ଯଜ୍ଞେଶ ପ୍ରସାଦ ସାମନ୍ତରାୟ, ବାଙ୍ଗାଲୋର୍ |  ଅକ୍ଟୋବର୍ ୧୪, ୨୦୧୨ - ୧୨:୩୦ ଅପରାହ୍ନ

    ପ୍ରେରଣାଦାୟୀ ଓ ମର୍ମସ୍ପର୍ଶୀ୤ ମନକୁ ଆନ୍ଦୋଳିତ କରି ଭାବନାର ତରଙ୍ଗ ସୃଷ୍ଟି କରିଦେଇଛି ଏ ଲେଖା୤ ଧନ୍ୟବାଦ୤

  • ୪. Dilip kumar Acharya, buguda |  ଫେବୃଆରୀ ୯, ୨୦୧୩ - ୧:୪୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲ !

  • ୫. SUSANTA MISHRA, Bangalore |  ଏପ୍ରିଲ୍ ୧୪, ୨୦୧୩ - ୧୦:୫୨ ଅପରାହ୍ନ

    bahuta uchha kotira lekha.Congrats to the author.

  • ୬. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୩, ୨୦୧୩ - ୬:୦୭ ପୂର୍ବାହ୍ନ

    ଏଇ ପ୍ରବନ୍ଧଟି ମୋର ସଂକୀର୍ଣ୍ଣ ଚେତନାକୁ ବିସ୍ତାରିତ କରିବାରେ ଖୁବ୍ ସହାୟ ହୋଇଛି | ପ୍ରବନ୍ଧର ଅନେକ ବାକ୍ୟ ମୋର ମାନସରେ ରୁଢ଼ି ଭଳିଆ ରହିଯାଇଛି | ପ୍ରବନ୍ଧଙ୍କ “ମୁଁ ” ରେ ଆମେ ସମସ୍ତେ ସମାଲୋଚିତ |

  • ୭. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜୁଲାଇ ୨୭, ୨୦୧୩ - ୧୧:୩୭ ପୂର୍ବାହ୍ନ

    “ମୁଁ ସତ୍ୟଧର୍ମା କହୁଛି” କୁ ସମ୍ମାନ କରୁଥିଲି, କରୁଛି ଓ କରିବି୤
    “ଖର୍ବ ପୁରୁଷ” ଏକ ମାନସିକ ନ୍ୟୁନ ସମୟର ପ୍ରକାଶ୤ ଆମେ ରୁ ମୁଁ କୁ ଓହ୍ଲାଇବା ସହଜ ମାତ୍ର ଓଲଟା ବିପଦପୁର୍ଣ୍ଣ, ଅନେକ କ୍ଷେତ୍ରରେ ଅସମ୍ଭବ ମଧ୍ୟ୤ ଲେଖାଟି କୁ ଦେଖିଛି, ପ୍ରିଣ୍ଟ୍‌ କରି ସାଥି ମାନଙ୍କୁ ପଢାଇଛି, ଲେଖାଟି ଆଦର ପାଇ ନାହିଁ୤
    ଉଚ୍ଚ ଉଚ୍ଚ ମଣିଷ ଙ୍କୁ ଯେପରି ତୁଳନା କରାଯାଇଛି ଅପରିପକ୍ବତା ଆବୋରି ବସିଛି୤ ସାଧବ ପୁଅ ସମୁଦ୍ର ଡେଇଁଛି, ବିବେକାନନ୍ଦ ପୃଥିବୀ କୁ ନୂଆ ଆଲୋକ ଦେଖାଇଛନ୍ତି୤ ଏସିଆର ଆଲୋକ ଙ୍କୁ ବୁଝିବାକୁ ପୃଥିବୀ ଅପେକ୍ଷା କରିଛି୤ ଉଚ୍ଚ ମଣିଷ ର ବିକାଶ ର ବୟସ ୧୦୦୦ ବର୍ଷ ମଧ୍ୟରେ କିନ୍ତୁ ଶାନ୍ତି ଓ ସହବସ୍ତାନ ର ବୟସ ଅନେକ ଅଧିକ୤ ଭଲରେ ଖରାପ ଆତ୍ମଗୋପନ କରିପାରେ ଓ କରେ ମଧ୍ୟ, ମାତ୍ର ଓଲଟା ନୁହେଁ୤ ଶରୀର ସବୁ କିଛି ନୁହେଁ. Cell technology ଉପରେ ଗବେଷଣା କରୁଥିବା ଡାକ୍ତର ଙ୍କ Does death exist? No. ଲେଖା ଦେଖନ୍ତୁ୤ Consciousness ଅଛି୤
    ସମ୍ମାନନୀୟ ଚନ୍ଦ୍ରଶେଖର ରଥ ମହାଶୟ ଙ୍କୁ ପ୍ରଣାମ କରୁଛି୤ ଲେଖାଟିକୁ ହଟାଦର କରିବାର ସାହସ କରୁଛି୤ ଅତିକମ୍‌ ରେ ମୁଁ ଖର୍ବ ନୁହେଁ୤ ମୁଁ ପୃଥିବୀ କୁ ଭଲପାଉଥିବା ଉଚ୍ଚ ମଣିଷ ଟିଏ୤
    ଧନ୍ୟବାଦ.
    ଦୁଷ୍ମନ୍ତ କୁମାର ଜେନା.

  • ୮. ଲକ୍ଷ୍ମୀକାନ୍ତ ଖଟୁଆ, Koraput, Odisha |  ଜୁଲାଇ ୩୦, ୨୦୧୩ - ୭:୦୯ ପୂର୍ବାହ୍ନ

    ଚମତ୍କାର ହେଇଛି ୤

  • ୯. pabitra das, revenshaw,cuttack |  ଫେବୃଆରୀ ୧୩, ୨୦୧୪ - ୧୦:୦୬ ପୂର୍ବାହ୍ନ

    Bahuta pravabadharmi heichhi.

  • ୧୦. ଧନଞ୍ଜୟ ମଲ୍ଲିକ୍, ଜଗତ୍ ସିଂ ପୁର୍ |  ଜାନୁଆରୀ ୨୮, ୨୦୧୫ - ୮:୧୬ ପୂର୍ବାହ୍ନ

    ବହୁତ ଭଲ , ଆପଣଙ୍କ ଲେଖା କିଏବା ବାରିପାରେ ,ମୁଁ ଆଜି ଦୁଖିତ ଯେ ଆପଣଙ୍କର ଉପଦେଶ ରକ୍ଷା କରିପାରିଲିନି .

  • ୧୧. ସରୋଜ ସ୍, Angul |  ମାର୍ଚ୍ଚ୍ ୮, ୨୦୧୬ - ୧୦:୩୦ ଅପରାହ୍ନ

    ନିକଟରେ ଜେ ଏନ୍ ୟୁ ରେ ଘଟିଥିବା ଘଟଣା ଏହାର ପ୍ରାସଙ୍ଗିକତା ।

  • ୧୨. ରଞ୍ଜନ କୁମାର ମହାପାତ୍ର, ଭୁବନେଶ୍ବର, ଓଡ଼ିଶା |  ନଭେମ୍ବର୍ ୨, ୨୦୧୬ - ୨:୧୫ ପୂର୍ବାହ୍ନ

    ବିଶିଷ୍ଟ କଥାକାର ଚନ୍ଦ୍ର ଶେଖର ରଥଙ୍କ ଲେଖା ମନୁଷ୍ୟର ନିଜସ୍ବ ପରିଚୟ ଓ କାର୍ଯ୍ୟଦକ୍ଷତା ଉପରେ ନିଜେ ବିଶ୍ଳେଷଣ କରି କିଭଳି ନିଜକୁ ସଂଶୋଧନ କରିବା ଉଚିତ୍ । ତାହା ପରିଷ୍ଫୁଟ ହେଉଥିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤