ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମହାପାତ୍ର ନୀଳମଣି ସାହୁ
ଗନ୍ତାୟତ ଶିବପ୍ରସାଦ
ବୈକୁଣ୍ଠନାଥ ପଟ୍ଟନାୟକ
କିଶୋରୀ ଚରଣ ଦାସ
ଆଶିଷ କୁମାର କର
ପ୍ରଦୀପ ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଖର୍ବପୁରୁଷ
 |- ଚନ୍ଦ୍ରଶେଖର ରଥ
 
 
ତା: ଜୁଲାଇ ୩, ୨୦୧୨  
ମୂଳ ପୃଷ୍ଠାପ୍ରବନ୍ଧ
 

ମୋର ବୃହତ୍‌ ଭାବନାଗୁଡ଼ିକ ସବୁ ଇତିହାସରେ୤ ମୁଁ ସେମାନଙ୍କୁ ଦେଖି ନାହିଁ୤ ଦେଖିବାକୁ ମୋର ଆଗ୍ରହ ନାହିଁ୤ ମୁଁ ଆଧୁନିକ ହେବାକୁ ଚାହେଁ ପୁରୁଣାକୁ ଉପହାସ କରେ୤ ଘୃଣାକରେ୤ ଅପରିଚିତ ହେଲେ ମଧ୍ୟ ବିଦେଶୀ ଢଙ୍ଗଟାକୁ ଆପଣେଇ ନିଏ୤ ଢଙ୍ଗ ନକଲ କରିବାରେ ଛୋଟ ମଣିଷ ଆନନ୍ଦ ପାଏ୤ ମୁଁ ଉଞ୍ଚ ମଣିଷକୁ ନକଲ କରି ସେମାନଙ୍କୁ ଶସ୍ତା କରିପକାଏ୤ ମୁଁ ତାଙ୍କ ଭଳି ଦିଶିବାକୁ ଯାଇ ସେମାନଙ୍କୁ ମୋ ଭଳି ବାମନ କରି ପକାଏ୤ ମୋ ଦେଶରେ କଦବା କଶ୍ଚିତ୍‌ ସାମାନ୍ୟ ବିସ୍ତୃତ ଦିଗ୍‌ବଳୟ ଦେଖୁଥିବା ମଣିଷଗୁଡ଼ିକୁ ଆମେ ଏହିପରି ବୁଡ଼େଇ ଦେଉ୤ ମୋ ଇତିହାସକୁ ମୁଁ ଏଇଭଳି ଅବହେଳିତ କରେ, ବେଳେବେଳେ ସଲଜ୍ଜ ସ୍ବୀକାର କରେ ମୋ ଦର୍ଶନ ଧର୍ମ୤ ମୁଁ ତେଣିକି ପୂଜାକରେ୤ ମଥୁରା ଅଯୋଧ୍ୟାର ସାହିତ୍ୟକୁ ଖଟୁଳିରେ ଥୋଇ ଅର୍ଚ୍ଚନା କରେ- କାରଣ ପୂଜା କରିଦେଲେ ଦୂରତା ରକ୍ଷା ହୁଏ୤ ଆକାଶିଆ ହୋଇଯାଏ ଆଦର୍ଶ୤ ବାମନ କାହିଁକି ତା’ ମାଟି ଛାଡ଼ି ସେ ଯାଏ ଉଠିବାକୁ ଯିବ ? ବଶିଷ୍ଠକୁ ନେଇ ଜଗତ୍‌ ବିହ୍ବଳ ହେଉଥାଉ, ସେଥିରେ ମୋର କ’ଣ ଥାଏ ? ସେମାନେ ଖୋଜି ଖୋଜି ଆସି ମୋ ପାଖରେ ଅବଶ୍ୟ ପହଞ୍ଚିବେ୤ ମୁଁ ଛକି ବସିଛି୤ ଗେରୁଆ- ପିନ୍ଧା, ଦାଢ଼ିଆ ବାମନ ଛକି ବସିଛି, କେମିତି ସେ କୌତୁହଳୀ ଯାତ୍ରୀଦଳକୁ ଭୁଆଁ ବୁଲେଇବି – ଚିତା କାଟି ଛାଡ଼ିବି୤ ସେମାନେ କିଛି ନ ପାଇ ଫେରିବେ୤ ଯାଆନ୍ତୁ୤ ଆମକୁ ନିନ୍ଦା କରିବେ, କରନ୍ତୁ୤ ଆମର ଚରିତ୍ର ନାହିଁ, ଆମେ ଠକ, ଭଣ୍ଡ, ମୂର୍ଖ, ଅଳସୁଆ, ଚୋର ବୋଲି କହିବେ, କହନ୍ତୁ୤ ଆମେ ଏମିତି ପ୍ରାୟ ଶୁଣୁ୤ ଏ ଗୁଡ଼ାକର ଅର୍ଥ ଆମ ପାଇଁ କିଛି ନାହିଁ୤ ମର୍ଯ୍ୟାଦା ହାରି ସାରିବା ପରେ ଆଉ କାହାକୁ ଘୋଡ଼ାଇବା ?

ପୃଥିବୀର ସବୁ ପ୍ରକାର ମୂଲ୍ୟ ଏଠି ଅଛି କିନ୍ତୁ ସବୁଗୁଡ଼ିକ ଖର୍ବ ରୁପ୤ ମାନବିକ ଅଧିକାର, ବ୍ୟକ୍ତି ସ୍ବାଧୀନତା, ଦେଶପ୍ରୀତି ଏମିତି ନାନା କଥା୤ ଉପର ଢାଞ୍ଚାଟି ସଯତ୍ନେ ରଖାହୋଇଥାଏ୤ ତା’ ଭିତରେ କିନ୍ତୁ ମୂଷା ପଶି ସବୁ କତୁରି ଦେଇଥାଏ୤ ଗଭୀର ଦେଶପ୍ରୀତିର ବକ୍ତୃତା ଆମ ସମସ୍ତଙ୍କର ମୁଖସ୍ଥ୤ ସଜ ଉଣ୍ଡି ଦେଶଟିକୁ ବିକି ଭାଙ୍ଗି ଆମେ ଖାଇଛୁ୤ ମୋର ସ୍ବାଧୀନତା ଉପରେ ମୋର ଅଧିକାର୤ ମୁଁ ଯେତେବେଳେ ଯାହା କହିପାରେ, ଯାହା କରିପାରେ, ମୋ ଇଚ୍ଛା୤ ମୋ ଦେଶର ସର୍ବୋଚ୍ଚ ସଭାରେ ସେଥିପାଇଁ ଆମେ ମାଡ଼ପିଟ ଲାଗୁ୤ ଗାଳିଗୁଳଜ ହୁଏ୤ ମୁଣ୍ଡ ଫଟାଫଟି ହୁଏ୤ ଏ ସବୁ କେବଳ ଦେଶ-ପ୍ରୀତି ପାଇଁ, କେବଳ ବ୍ୟକ୍ତିର ଅଖଣ୍ଡ ସ୍ବାଧୀନତା ପାଇଁ କ୍ଷୁଦ୍ର ମଣିଷମାନେ ପ୍ରତିସ୍ପର୍ଦ୍ଧା କରନ୍ତିନାହିଁ୤ କେବଳ ଶୋଧାଶୋଧି ହୁଅନ୍ତି୤ ଗୋଇ ଖୋଳାଖୋଳି ହୁଅନ୍ତି୤ ଗୋଛି କଟାକଟି ହୁଅନ୍ତି୤ ପରସ୍ପରକୁ ତଳକୁ ଭିଡ଼ି ରଖି କେହି ଭୂଇଁ ଛାଡ଼ି ପାରନ୍ତି ନାହିଁ୤ ଲେସିହୋଇ ଘୁଷୁରୁଥାନ୍ତି, ପୋକପରି୤

ହିମାଳୟର ସବୁ ଦେବଦାରୁମାନେ ପଙ୍ଗୁ ଗୁଳ୍ମ୤ ହିମାଳୟ ସ୍ବୟଂ ଖର୍ବିତା ତା’ ମଥାରେ ବିଭିନ୍ନ ପାଦଚିହ୍ନ୤ ଏ ଦେଶରେ କୌଣସି ଉଚ୍ଚ ଭୂମି ଆଉ ନାହିଁ ସ୍ମୃତିରେ, ବିଶ୍ବାସରେ, ମର୍ଯ୍ୟାଦାରେ, ଆଶାରେ କିମ୍ବା କଳ୍ପନାରେ୤ ଏଠି ସମସ୍ତେ ଖର୍ବ, ଅନୁଦାର, ନିଷ୍ପ୍ରଭ୤ ଦୁର୍ବଳ ମଣିଷ ଭୟରେ ଉପରକୁ ହାତ ବଢ଼ାଏ ନାହିଁ୤ ଉପରକୁ ଚାହେଁ ନାହିଁ୤ ସେ ନିଜେ ନିଜକୁ ଦ୍ବେଷ କରେ, ଈର୍ଷା କରେ୤ ଗୋଠ ଗଢ଼ି ଲୁଚି ଳୁଚି ଅନିଷ୍ଟ କରେ୤ ଅଶୁଭ ଅମଙ୍ଗଳମୟ ତା’ର ଦୁର୍ଭାବନା୤ ସେ ବେଲଜ୍ଜା ବୃହନ୍ନଳା୤ ତା’ର ଅଭିଶାପ ମେଣ୍ଟିବାର ନୁହେଁ୤ ଏଠି ମହନୀୟ କିଛି ଆଉ ଘଟିବାର ନାହିଁ୤ ଏକକ ବ୍ୟକ୍ତିତ୍ବ ଏଠି ନାହିଁ୤ ଦୈବାତ୍‌ ଦେଖାଇଦେଲେ ସେ ମହାତ୍ମାକୁ ଆମେ ଗୁଳି କରିଦେଉ, କାରଣ ସେ ଗୋଟାଏ ବ୍ୟତିକ୍ରମ୤ ଆମେ ଗଣ-ବ୍ୟକ୍ତିତ୍ବ ଗଢ଼ିବାକୁ ପ୍ରୟାସୀ୤ ଏଠି କେହି ଉଚ୍ଚ ହୋଇ ପାରିବେନାହିଁ୤ ଆମେ ଅଭିବୃଦ୍ଧିର ବିରୋଧୀ୤ ଆମେ କାଦୁଅରେ ପଡ଼ିଥିବୁ୤ କାଦୁଅରେ ଖେଳୁଥିବୁ୤ ଆମେ ଅଯୋଗ୍ୟ, ହତ୍ୟା ପାଇଁ ଅଥବା ଆତ୍ମହତ୍ୟା ପାଇଁ ଏ ବାମନଜାତି କେବେ ଜହ୍ନ ପାଇଁ ଅଭିଳାଷ ପାଳିବନାହିଁ୤ ଏ ରାଜ୍ୟରେ ଜହ୍ନ ଅବାନ୍ତର, ଜହ୍ନ ଏକ ଅପହଞ୍ଚ ସ୍ବପ୍ନ୤ ଆମେ ଗୁଡ଼ିଏ କ୍ଷୟିଷ୍ଣୁ କ୍ଷୁଦ୍ର ପରୁଷ୤ ଆମ ଇତିବୃତ୍ତ କ୍ଷୁଦ୍ର୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଚନ୍ଦ୍ରଶେଖର ରଥ, ଭୁବନେଶ୍ବର
ଚନ୍ଦ୍ରଶେଖର ରଥ
ଓଡ଼ିଆ ସାହିତ୍ୟରେ ଜଣେ ଲବ୍ଧ ପ୍ରତିଷ୍ଠିତ ତଥା ସାମ୍ପ୍ରତିକ ସମୟର ଜଣେ ପ୍ରଖ୍ୟାତ ସାହିତ୍ୟିକ ଭାବେ ଚନ୍ଦ୍ରଶେଖର ରଥ ନିଜର ଲେଖା ପାଇଁ ଏକ ସ୍ବତନ୍ତ୍ର ସ୍ଥାନର ଅଧିକାରୀ୤ ଏକାଧାରରେ କବିତା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ଲେଖାରେ ପାରଦର୍ଶିତା ଦେଖାଇବା ସହ ଅଜସ୍ର ପାଠକୀୟ ସ୍ବୀକୃତି ମଧ୍ୟ ହାସଲ କରିଛନ୍ତି ଶ୍ରୀ ରଥ୤ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ରାଜ୍ୟ ସାହିତ୍ୟ ଏକାଡ଼େମୀ ସହିତ ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଶ୍ରୀ ରଥ୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?

  • ୧. ବିକାଶ ବିଶ୍ବାଳ |  ଜୁଲାଇ ୬, ୨୦୧୨ - ୩:୫୨ ପୂର୍ବାହ୍ନ

    ଖୁବ୍ ସୁନ୍ଦର

  • ୨. ଅଶୁତୋଷ ପାତ୍ର |  ସେପ୍ଟେମ୍ବର୍ ୧୪, ୨୦୧୨ - ୩:୧୧ ପୂର୍ବାହ୍ନ

    ବହୁତ୍ ବଢିଆ ହେଇଛି୤

  • ୩. ଯଜ୍ଞେଶ ପ୍ରସାଦ ସାମନ୍ତରାୟ, ବାଙ୍ଗାଲୋର୍ |  ଅକ୍ଟୋବର୍ ୧୪, ୨୦୧୨ - ୧୨:୩୦ ଅପରାହ୍ନ

    ପ୍ରେରଣାଦାୟୀ ଓ ମର୍ମସ୍ପର୍ଶୀ୤ ମନକୁ ଆନ୍ଦୋଳିତ କରି ଭାବନାର ତରଙ୍ଗ ସୃଷ୍ଟି କରିଦେଇଛି ଏ ଲେଖା୤ ଧନ୍ୟବାଦ୤

  • ୪. Dilip kumar Acharya, buguda |  ଫେବୃଆରୀ ୯, ୨୦୧୩ - ୧:୪୯ ପୂର୍ବାହ୍ନ

    ବହୁତ ଭଲ ଲାଗିଲ !

  • ୫. SUSANTA MISHRA, Bangalore |  ଏପ୍ରିଲ୍ ୧୪, ୨୦୧୩ - ୧୦:୫୨ ଅପରାହ୍ନ

    bahuta uchha kotira lekha.Congrats to the author.

  • ୬. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୩, ୨୦୧୩ - ୬:୦୭ ପୂର୍ବାହ୍ନ

    ଏଇ ପ୍ରବନ୍ଧଟି ମୋର ସଂକୀର୍ଣ୍ଣ ଚେତନାକୁ ବିସ୍ତାରିତ କରିବାରେ ଖୁବ୍ ସହାୟ ହୋଇଛି | ପ୍ରବନ୍ଧର ଅନେକ ବାକ୍ୟ ମୋର ମାନସରେ ରୁଢ଼ି ଭଳିଆ ରହିଯାଇଛି | ପ୍ରବନ୍ଧଙ୍କ “ମୁଁ ” ରେ ଆମେ ସମସ୍ତେ ସମାଲୋଚିତ |

  • ୭. ଦୁଷ୍ମନ୍ତ କୁମାର ଜେନା, ଓଡିଶା |  ଜୁଲାଇ ୨୭, ୨୦୧୩ - ୧୧:୩୭ ପୂର୍ବାହ୍ନ

    “ମୁଁ ସତ୍ୟଧର୍ମା କହୁଛି” କୁ ସମ୍ମାନ କରୁଥିଲି, କରୁଛି ଓ କରିବି୤
    “ଖର୍ବ ପୁରୁଷ” ଏକ ମାନସିକ ନ୍ୟୁନ ସମୟର ପ୍ରକାଶ୤ ଆମେ ରୁ ମୁଁ କୁ ଓହ୍ଲାଇବା ସହଜ ମାତ୍ର ଓଲଟା ବିପଦପୁର୍ଣ୍ଣ, ଅନେକ କ୍ଷେତ୍ରରେ ଅସମ୍ଭବ ମଧ୍ୟ୤ ଲେଖାଟି କୁ ଦେଖିଛି, ପ୍ରିଣ୍ଟ୍‌ କରି ସାଥି ମାନଙ୍କୁ ପଢାଇଛି, ଲେଖାଟି ଆଦର ପାଇ ନାହିଁ୤
    ଉଚ୍ଚ ଉଚ୍ଚ ମଣିଷ ଙ୍କୁ ଯେପରି ତୁଳନା କରାଯାଇଛି ଅପରିପକ୍ବତା ଆବୋରି ବସିଛି୤ ସାଧବ ପୁଅ ସମୁଦ୍ର ଡେଇଁଛି, ବିବେକାନନ୍ଦ ପୃଥିବୀ କୁ ନୂଆ ଆଲୋକ ଦେଖାଇଛନ୍ତି୤ ଏସିଆର ଆଲୋକ ଙ୍କୁ ବୁଝିବାକୁ ପୃଥିବୀ ଅପେକ୍ଷା କରିଛି୤ ଉଚ୍ଚ ମଣିଷ ର ବିକାଶ ର ବୟସ ୧୦୦୦ ବର୍ଷ ମଧ୍ୟରେ କିନ୍ତୁ ଶାନ୍ତି ଓ ସହବସ୍ତାନ ର ବୟସ ଅନେକ ଅଧିକ୤ ଭଲରେ ଖରାପ ଆତ୍ମଗୋପନ କରିପାରେ ଓ କରେ ମଧ୍ୟ, ମାତ୍ର ଓଲଟା ନୁହେଁ୤ ଶରୀର ସବୁ କିଛି ନୁହେଁ. Cell technology ଉପରେ ଗବେଷଣା କରୁଥିବା ଡାକ୍ତର ଙ୍କ Does death exist? No. ଲେଖା ଦେଖନ୍ତୁ୤ Consciousness ଅଛି୤
    ସମ୍ମାନନୀୟ ଚନ୍ଦ୍ରଶେଖର ରଥ ମହାଶୟ ଙ୍କୁ ପ୍ରଣାମ କରୁଛି୤ ଲେଖାଟିକୁ ହଟାଦର କରିବାର ସାହସ କରୁଛି୤ ଅତିକମ୍‌ ରେ ମୁଁ ଖର୍ବ ନୁହେଁ୤ ମୁଁ ପୃଥିବୀ କୁ ଭଲପାଉଥିବା ଉଚ୍ଚ ମଣିଷ ଟିଏ୤
    ଧନ୍ୟବାଦ.
    ଦୁଷ୍ମନ୍ତ କୁମାର ଜେନା.

  • ୮. ଲକ୍ଷ୍ମୀକାନ୍ତ ଖଟୁଆ, Koraput, Odisha |  ଜୁଲାଇ ୩୦, ୨୦୧୩ - ୭:୦୯ ପୂର୍ବାହ୍ନ

    ଚମତ୍କାର ହେଇଛି ୤

  • ୯. pabitra das, revenshaw,cuttack |  ଫେବୃଆରୀ ୧୩, ୨୦୧୪ - ୧୦:୦୬ ପୂର୍ବାହ୍ନ

    Bahuta pravabadharmi heichhi.

  • ୧୦. ଧନଞ୍ଜୟ ମଲ୍ଲିକ୍, ଜଗତ୍ ସିଂ ପୁର୍ |  ଜାନୁଆରୀ ୨୮, ୨୦୧୫ - ୮:୧୬ ପୂର୍ବାହ୍ନ

    ବହୁତ ଭଲ , ଆପଣଙ୍କ ଲେଖା କିଏବା ବାରିପାରେ ,ମୁଁ ଆଜି ଦୁଖିତ ଯେ ଆପଣଙ୍କର ଉପଦେଶ ରକ୍ଷା କରିପାରିଲିନି .

  • ୧୧. ସରୋଜ ସ୍, Angul |  ମାର୍ଚ୍ଚ୍ ୮, ୨୦୧୬ - ୧୦:୩୦ ଅପରାହ୍ନ

    ନିକଟରେ ଜେ ଏନ୍ ୟୁ ରେ ଘଟିଥିବା ଘଟଣା ଏହାର ପ୍ରାସଙ୍ଗିକତା ।

  • ୧୨. ରଞ୍ଜନ କୁମାର ମହାପାତ୍ର, ଭୁବନେଶ୍ବର, ଓଡ଼ିଶା |  ନଭେମ୍ବର୍ ୨, ୨୦୧୬ - ୨:୧୫ ପୂର୍ବାହ୍ନ

    ବିଶିଷ୍ଟ କଥାକାର ଚନ୍ଦ୍ର ଶେଖର ରଥଙ୍କ ଲେଖା ମନୁଷ୍ୟର ନିଜସ୍ବ ପରିଚୟ ଓ କାର୍ଯ୍ୟଦକ୍ଷତା ଉପରେ ନିଜେ ବିଶ୍ଳେଷଣ କରି କିଭଳି ନିଜକୁ ସଂଶୋଧନ କରିବା ଉଚିତ୍ । ତାହା ପରିଷ୍ଫୁଟ ହେଉଥିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤