ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସେନାପତି ପ୍ରଦ୍ୟୁମ୍ନ କେଶରୀ
କିଶୋରୀକିଙ୍କର ଦାସ
ଗୋଦାବରିଶ ମିଶ୍ର
ସୀତାକାନ୍ତ ମହାପାତ୍ର
ଦୟାନିଧି ମିଶ୍ର
ସାର୍‌ ବାସୁଦେବ ସୁଢ଼ଳଦେବ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କହିପୁଛି ଜାଣେ ଯେ
 |- କାଳିନ୍ଦି ଚରଣ ପାଣିଗ୍ରାହୀ
 
 
ତା: ଏପ୍ରିଲ୍ ୨୦, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

ବାକ୍ୟ, ମନ ଓ ହାତଗୋଡ଼ ଲଗାଏ ତ ଯେତୋଟି ଇନ୍ଦ୍ରିୟକୁ ମିଶାଇ ମଣିଷର ସଂଜ୍ଞା ତିଆରି ହୋଇଅଛି, ପୃଥିବୀରେ ସଭ୍ୟ, ଅସଭ୍ୟ ସମସ୍ତଙ୍କୁ ଚାହିଁ ମନେହୁଏ ସେଥି ଭିତରୁ ହାତଗୋଡ ହିଁ ସବୁଠୁଁ ବେଶୀ ବଳୁଆ୤ ଯାହାର ହାତଗୋଡ ଯେତିକି ବୋଲ କରିପାରେ, ଦୁନିଆରେ ଚାଲିବୁଲି ପାରିବାକୁ ପରୁଆ ତାହାର ସେତିକି କମ୍‌୤ ହାତଗୋଡ ପଛକୁ ଦେଖାଯାଏ ମୁହଁଜୋର ଏବଂ ସବାଶେଷରେ, ବିଦ୍ୟାବୁଦ୍ଧି ନାମଧେୟ ଇନ୍ଦ୍ରିୟଜାତ ଗୁଣମାନ ବୋଧହୁଏ ଥାର୍ଡକ୍ଲାସରେ ସ୍ଥାନ ପାଇବ୤ ଏ ରୂପ ଶ୍ରେଣୀବିଭାଗର ଯଥାର୍ଥ୍ୟ ବୁଝିବାପାଇଁ ବିସ୍ତର ଉଦାହରଣ ସମସ୍ତଙ୍କର ସବୁ ପାଖରେ ପୂରିରହିଛି୤ ଜୋର ଜାର ମୂଲକ ତାହାର କଥାଟା ପଛରେ ଯେ ଅନେକ ଅଭିଜ୍ଞତା ଓ ପର୍ଯ୍ୟବେକ୍ଷଣ ଲୁଚିଅଛି, ପୁଣି ପୃଥିବୀର ଅଳ୍ପ କେତେଟା ସତ୍ୟ ଭିତରୁ ଏ ଯେ ଗୋଟେ ବଡ ସତ୍ୟ ଏବଂ ଏତକ ପ୍ରମାଣ କରିବା ପାଇଁ ଡାରଉନ୍‌ଙ୍କଠାରୁ ନିଟ୍‌ସେଙ୍କ ପର୍ଯ୍ୟନ୍ତ ବୈଜ୍ଞାନିକ ଓ ଦାର୍ଶନିକଗଣ ପୁଣି ସେମାନଙ୍କର ବହୁ ଚେଲା ଓ ଟୀକାକାର ଯେ ଅସୁମାରି ଶବ୍ଦ ଲେଖିଯାଇଛନ୍ତି, ସେ କଥା ମନେ ପକାଇଲେ ଅନାମଧେୟ ଏହି ଓଡିଆ ପ୍ରବଚନକାରଙ୍କୁ ସାବାସ ନ କହି ଚାରା କାହାର ? ଏହି ପ୍ରବଚନକାରଙ୍କ କଥା ସଙ୍ଗେ ଇଂଲଣ୍ଡର ବିଜ୍ଞାନ ବିଶାରଦ ଡାରଉଇନ୍‌ଙ୍କ ‘ସରଭାଇଭାଲ୍‌ ଅଫ୍‌ ଦି ଫିଟେଷ୍ଟ୍‌’ ଏବଂ ଜର୍ମାନ ଦାର୍ଶନିକ ନିଟ୍‌ସେଙ୍କର ‘ୱିଲ୍‌ ଟୁ ପାୱାର୍‌’, ପୁଣି ଭାରତର ଶ୍ରେଷ୍ଠ ଋଷିଙ୍କର “ଦାୟମାତ୍ମା ବଳହୀନେନ ଲଭ୍ୟଃ” କଥାଗୁଡିକ ତୁଳିଦେଲେ ବରାବର ସମାନ ଓଜନ ହେବ ନାହିଁ କି ? ଗୋଟିଏ କଥାକୁ ହିଁ ଟିକିଏ ଫରକ ବାଟରେ ଅଲଗା ଭାଷାରେ କହିବାର ଭଙ୍ଗୀ ଛଡା ଏଗୁଡିକରେ ଆଉ କଣ ଅଛି ? ଏବେ ମଧ୍ୟ ଆମେ ଦେଖୁଥାଇଁ, ସାଧାରଣତଃ ଯେଉଁ ଲୋକକୁ ଆଦିମ ଓ ଅନାର୍ଯ୍ୟ କହିଥାନ୍ତି, ତାଙ୍କ ଭିତରେ ସବୁଠୁଁ ବଳୁଆ ଲୋକର ଆୟୋଜନ ଅଧିକାର ଯେମିତି ଅଧିକ, ସଭ୍ୟ ଆର୍ଯ୍ୟଙ୍କ ଭିତରେ ବି ଠିକ୍ ସେୟା୤ ପଶୁମାନଙ୍କ ଭିତରେ ମଧ୍ୟ ବଳୁଆ ମାଙ୍କଡ, ବଳୁଆ କୁକୁର ବା ବଳୁଆ ଷଣ୍ଢ ନିଜ ଆହାରବିହାର ପାଇଁ ଦୁର୍ବଳଠାରୁ ବେଶୀ ଆଦାୟ କରିଥାଏ୤ ଆର୍ଯ୍ୟ ଅନାର୍ଯ୍ୟ ସବୁ ମଣିଷ ଆପଣାର ବଳ ପରଖ ପାଇଁ ସୁବିଧା ପାଇଲେ ସବୁ ପ୍ରକାର ଧର୍ମ ଓ ନୀତି ମୁହଁରେ ଉକ୍ତ ରୂପ ଆଚରଣ କରିବାକୁ ଛାଡେ ନାହିଁ୤

ଏ ତଥ୍ୟର ଉଦାହରଣ ପାଇଁ ଖାଲି ଈଶ୍ବର-ଈଶ୍ବରୀ, ଷଣ୍ଢ-ଗାଈ କିମ୍ବା ପୁରୁଷ ଓ ସ୍ତ୍ରୀର ସମ୍ବନ୍ଧ ଉଲ୍ଲେଖ କଲେ ଯଥେଷ୍ଟ ହେବନାହିଁ୤ ଟିକିଏ ନିରେଖି ଚାହିଁଲେ ବଳୁଆ ବ୍ୟକ୍ତିଠାରୁ ବଳୁଆ ଜାତିର ସ୍ବାର୍ଥପରତା ଭୀଷଣତର, ଉତ୍କଟତର ଏବଂ ମାରାତ୍ମକ୤ ବିଜିତ ଦେଶର ସ୍ତ୍ରୀ ଉପରେ ବିପକ୍ଷ ସୈନ୍ୟମାନେ ଯେଉଁ ଧର୍ଷଣ କରନ୍ତି, ତାହା ଆଜି ମଧ୍ୟ ଅସାଧାରଣ ଘଟଣା ନୁହେଁ୤ ଦୁର୍ବଳ ବୋଲି ତାହାର ପୈତୃକ ଚୁଟି କେରାକ ପାଇଁ କେତେ ପରିହାସ, ଅପମାନ ଓ ଝିଙ୍କାଓଟରା ସହି ଶେଷରେ ସମଗ୍ର ଓଡିଆ ଜାତିଟା ପିତୃପୁରୁଷଙ୍କ ଶ୍ରାଦ୍ଧ କରି ଲଣ୍ଡା ହେବାକୁ ବାଧ୍ୟ ହୋଇଛି; ଅଥଚ ଶିଖ୍ ଜାତିଟା ସୁସଭ୍ୟ ଇଂରେଜ ସମ୍ରାଟଙ୍କ ଦରବାରରେ ମଧ୍ୟ ଖାଲି ତ ଚୁଟି ନୁହେଁ, ତହିଁରେ ପାନିଆ ଖୋସି ଏବଂ ଲମ୍ବା ଦାଢିରେ ଲୁହା ବଳା ଲଗା ହାତ ବୁଲାଇ ନିର୍ବିକାର ଚିତ୍ତରେ ବସୁଛି, ସେଥିରେ କାହାରି ଟିକିଏ ଉଁଚୁଁ ହେବାର ସାହାସ ନାହିଁ୤ ହାତଗୋଡ ଯାହାର ବେଶୀ ବୋଲ କରେ ନାହିଁ, ତାକୁ ପ୍ରାୟ କିସ୍ତିମାତ୍ କରିବାର ଦେଖାଯାଏ ନାହିଁ ମୁହଁଜୋରରେ; କିନ୍ତୁ ହାତ-ଗୋଡ-ଚାଳକ ପାଖରେ କଥାର ଚାଳକକୁ ଅନେକ ସମୟରେ ତୁନି ରହିଥିବାର ଦେଖାଯାଏ୤ ପୃଥିବୀର ନାରୀ ଏବଂ ଶିଶୁ ଜାତିର ଏହି କାରଣରୁ ହିଁ ମୁହଁ ବେଶୀ ବୋଲ କରେ ଏବଂ ଭାରତବର୍ଷର ନାରୀ ଏହି କାରଣରୁ ପୁରୁଷ ଆଗରେ ଚୁପ୍୤ ଏହି କାରଣରୁ ହିଁ ମିଲିଟାରିଜିମ୍‌ର ଆସନ ଆଜି ପୃଥିବୀର ଶୀର୍ଷ ସ୍ଥାନରେ ଏବଂ ଆନ୍ତର୍ଜାତିକ ଲିଗ୍‌ର ରାଜନୈତିକ ବାକ୍‌ସ୍ଫୃର୍ତ୍ତି ଇଟାଲି ଜର୍ମାନୀର ସାମରିକ ଧମକ ପାଖରେ ଏକାବେଳକେ ତୁଚ୍ଛ ଓ ଅର୍ଥହୀନ୤ ଏହି କାରଣରୁ ହିଁ ଆମ ଆଖି ଆଗରେ କେତେ କାଳର ଗୋଟେ ପୁରୁଣା ସାମ୍ରାଜ୍ୟ ସ୍ବାଧୀନତା ହରାଇ ବୈଧବ୍ୟ ଗ୍ରହଣ କଲା, ଆଉ ଗୋଟାକର ଦଶା ତାହା ହିଁ ହେବାକୁ ଯାଉଛି୤ ଆବିସିନିଆରେ କୁହାଳିଆ ଲୋକେ ଥିଲେ, ଚାଏନାରେ ମଧ୍ୟ ଅଛନ୍ତି; କିନ୍ତୁ ଆଧୁନିକ ରୀତିରେ ଗୋଇଠାଚାପୁଡା ମାରିବାପାଇଁ ସେ ଦେଶ ଲୋକଙ୍କର ହାତଗୋଡ ଖୁବ୍ ସମର୍ଥ ନୁହେଁ; ସେଥିଲାଗି ତାଙ୍କର ଏହି ଦଶା୤ ଯେତେ କୁହାଳିଆ ହୁଅ, ଭଲ ରୂପେ ଯେ ହାତଗୋଡ ଚଳାଇ ଜାଣେ, ତାହା ପାଖେ ସାବଧାନରେ ମୁହଁ ଫିଟେଇବାକୁ ପଡିବ୤ ଯୁଦ୍ଧଭୁଇଁର ନାନା ଅଦ୍ଭୁତ ଗପ ଭିତରେ ଶୁଣାଯାଏ ଦିନେ ଦିନେ ମଲାଖଣ୍ଡିଆ ସୈନ୍ୟସଂଖ୍ୟା ଏତେ ବେଶି ହୋଇପଡେ ଯେ, ଡାକ୍ତର ପକ୍ଷରେ ପ୍ରତି ସୈନ୍ୟଙ୍କୁ ପରୀକ୍ଷା କରି କିଏ ମଲା, କିଏ ଜୀଅନ୍ତା ବାରି ପାରିବା ଅସମ୍ଭବ ହୋଇଉଠେ୤ ମଲାଖଣ୍ଡିଆ ନିଆରା ନିଆରା ସୁମାରି କରି ସାର୍ଟିଫିକେଟ ଦେଲାବେଳେ ଡାକ୍ତରର ଏ କ୍ଷେତ୍ରରେ ଭୁଲ୍ ହେବା ହିଁ ସାଧାରଣ କଥା ଏବଂ ଠିକ୍ ହେବା ବରଂ ଅସାଧାରଣ୤ ସେଥିପାଇଁ ଏ ରୂପ ମଲା ସାର୍ଟିଫିକେଟ୍ ପାଇସାରିବା ପରେ କେହି କେହି ଜୀଅନ୍ତା ସୈନ୍ୟର ହୋସ୍ ଆସିଗଲେ ଏବଂ ସେ ମଲାଲୋକ ପାଖେ ରଖାହୋଇଥିବାର ଆପତ୍ତି କଲେ, ଜଗୁଆଳମାନେ ତାହାର ସାକ୍ଷ୍ୟ ଅପେକ୍ଷା ଡାକ୍ତର ସାର୍ଟିଫିକେଟ୍ ବେଶି ମୂଲ୍ୟବାନ୍ ଓ ବିଶ୍ବାସଯୋଗ୍ୟ ବୋଲି ଜବାବ ଦିଅନ୍ତି୤ ଅଥଚ ସେହି ସୈନ୍ୟର ହାତଗୋଡ ଯେବେ ଟିକିଏ ଚଳୁଥାନ୍ତା, ତେବେ ଜଗୁଆଳ କଥା କଣ, ଯେ କେହି ଡାକ୍ତରଙ୍କୁ ମଧ୍ୟ ଆଗ ଆପଣାର ଦେହମୁଣ୍ଡ ସମ୍ଭାଳି ପରେ ତାହାକୁ ପରୀକ୍ଷା କରିବାକୁ ହୁଅନ୍ତା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କାଳିନ୍ଦି ଚରଣ ପାଣିଗ୍ରାହୀ
କାଳିନ୍ଦି ଚରଣ ପାଣିଗ୍ରାହୀ
ଓଡ଼ିଆ ସାହିତ୍ୟର ସବୁଜଗୋଷ୍ଠୀର ଲେଖକ ଭାବେ ପରିଚିତ କାଳିନ୍ଦୀ ଚରଣ ପାଣିଗ୍ରାହୀ(୧୯୦୧-୧୯୯୧) ଏକାଧାରରେ ଜଣେ ଗାଳ୍ପିକ, କବି, ଔପନ୍ୟାସିକ, ପ୍ରାବନ୍ଧିକ ଓ ନାଟ୍ୟକାର ଭାବେ ପ୍ରସିଦ୍ଧି ଲାଭ କରିଥିଲେ୤ ପଦ୍ମ ଭୂଷଣ ସମ୍ମାନ ସହିତ ସାହିତ୍ୟ ଏକାଡ଼େମୀର ଫେଲୋ ଭାବେ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ହୋଇଥିଲାବେଳେ ତାଙ୍କର ରଚିତ ‘ମାଟିର ମଣିଷ’ ଉପନ୍ୟାସ ଏକ କାଳଜୟୀ କୃତି୤ ଏହା ଉପରେ ଏକ ଓଡିଆ ଚଳଚ୍ଚିତ୍ର ନିର୍ମାଣ ହୋଇ ପ୍ରଶଂସିତ ହୋଇଥିଲା୤ ଏହା ବ୍ୟତୀତ ତାଙ୍କ ରଚିତ ‘ ଲୁହାର ମଣିଷ’, ‘ମୁକ୍ତାଗଡ଼ର କ୍ଷୁଧା’... [ କ୍ରମେ ସବିଶେଷ ]
କାଳିନ୍ଦି ଚରଣ ପାଣିଗ୍ରାହୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Ashok Nayak |  ଏପ୍ରିଲ୍ ୨୦, ୨୦୧୧ - ୧୨:୫୭ ଅପରାହ୍ନ

    good

  • ୨. ପ୍ରଶ୤ନ୍ତ କୁମର ପଣ୍ଡ୤ |  ନଭେମ୍ବର୍ ୧୧, ୨୦୧୧ - ୬:୪୯ ଅପରାହ୍ନ

    ଆପଙ୍କର ପ୍ରବନ୍ଧ ଟି ବେସ୍ ମନ ମୁଗ୍ଧ୍କକର ହେଇଛି. ଧନ୍ୟବଦ୍.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤