ନବ ପ୍ରତିଭା

ମୁଁ ଅନୁତପ୍ତ
|- ସମ୍ବିତ କୁମାର ହୋତା, କତାର୍, ଦୋହା
ବସ୍ତ୍ର ହରଣ
|- ଅକ୍ଷୟ କୁମାର ରାଉତ
ନିମିତ୍ୟ
|- ରଜତ କୁମାର ମିଶ୍ର

ସାମ୍ପ୍ରତିକ ଓଡ଼ିଆ ଗଳ୍ପ ଓ ଉପନ୍ୟାସରେ ଓଡ଼ିଶାର ଜନଜାତି ଓ ବନଜାତିର ଜୀବନ ପ୍ରତିଫଳିତ ହେଉଛି କି ?

ମତଦାନ ଫଳାଫଳ

ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ୤


-ଉତ୍କଳ ଗୌରବ ମଧୁସୂଦନ ଦାସ

ଗାଁ-ବିଷୟରେ ରଚନା
  ପ୍ରଫୁଲ୍ଲ କୁମାର ତ୍ରିପାଠୀ
 
 
ତା: ନଭେମ୍ବର୍ ୮, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

ଗାଁ ବୋଇଲେ ସେଇ ଆମ୍ବତୋଟା, ସେଇ ଭଙ୍ଗାଫଟା ପୁଆଳ ଛାଦନକରା ଘର, ଗଦା ଗଦା ମାଟି, ଅନେକ ଢିପ, ଆହୁରି ଅନେକ ଖାଲ, ଶାଗୁଆ ପାଣିର ଗୋଟିଏ ପୋଖରୀ ଆଉ ଧୂଳି ରାସ୍ତା୤ ଆବର୍ଜନା, ଗୋବର-କୁଟା, କାଦୁଅ୤ ଧେତ୍‌ ! ଚମପିନ୍ଧା କଙ୍କାଳର ଦଳ୤ କିଏ ପିଣ୍ଡାରେ ବସି କାଶୁଛି ତ କିଏ ପର୍ଚ୍ଛିରେ ଗୋଟିଏ ଛିଣ୍ଡା ବୁନ୍ଧୁଆ ଗୁନ୍ଥା ଖଟରେ ଶୋଇ କୁନ୍ଥଉଚି, କୁହୁରୁଚି୤

କେହି କହିପାରିବେ ନାଇଁ ଆଜି କି ବାର, ଆଜି କେତେ ତାରିଖ୤

ଖାଇବା ପାଇଁ ଯାହାର ଲଙ୍କା ଲୁଣ ତେନ୍ତୁଳି ଟିକିଏ ବି ଅଭାବ, ପିନ୍ଧିବା ପାଇଁ ଲେଙ୍କଡ଼ା ଖଣ୍ଡେ ବି ନାହିଁ, ଯାହାକୁ ଘୋଡ଼ାଇହେଲେ ଦୃଶ୍ୟ ହୁଏ ସେମାନଙ୍କର ସବୁ ଗୋପନୀୟ ଅଙ୍ଗ ଓ ଅବୟବ…ସୃଜନର ଯନ୍ତ୍ରମାନ…ଖଣ୍ଡ ଖଣ୍ଡ ମେଞ୍ଚା ମେଞ୍ଚା ମାଂସ, ତାରି ଭିତରର ଶିରା ପ୍ରଶିରାରେ ରକ୍ତର ଲଗାମହୀନ ଦୌଡ଼ ନାହିଁ୤

କେହି କହିପାରିବେ ନାହିଁ, ଭାରତବର୍ଷ କେବେ ସ୍ବାଧୀନ ହେଲା୤
ସେମାନଙ୍କର ଜୀବନ ସରଳ, ନିରାଡ଼ମ୍ବର୤ ହେ ବ୍ୟବସ୍ଥାପକମାନେ ! ତୁମର ଚଶମା-କାଚରେ ସେ ବଳ କାହିଁ ଯେ ତୁମେ ସେମାନଙ୍କର ଅସଲ ଚେହେରା ଦେଖିପାରିବ ? ତୁମେ ତାଙ୍କର ଭାଗବତ ଟୁଙ୍ଗୀ, ପଦ୍ମପୋଖରୀ ଓ ମନ୍ଦମଳୟ ପ୍ରବାହିତ ଆମ୍ବ ବୁରେଇ କଥା କହି କହି ବାହାର ଲୋକଙ୍କୁ ଭଣ୍ଡାଇଛ୤ ଯାହା ବାସ୍ତବ ତାକୁ ଲଙ୍ଗଳା କରି ପ୍ରକାଶ କରିବାକୁ ଡର୤ ତେଣୁ ନିଜ କାନ୍ଧରୁ ଦାୟିତ୍ବର ବୋଝ ନେଇ ଅନ୍ୟର କାନ୍ଧ ଉପରେ ଲଦି ଦେଇ, ଗୋଟିଏ ରୋମାଣ୍ଟିକ୍‌ ଭାଷା ବିନ୍ୟାସରେ ନୁଖୁରା କଥାକୁ ସାଳଙ୍କୃତ କରି ତୁମେମାନେ କହୁଚ ଯେ ସେମାନେ ନିଷ୍କପଟ, ସରଳ, ସାଧୁ, ନିରାଡ଼ମ୍ବର, ଧର୍ମପରାୟଣ !

କେହି କହିପାରିବେ ନାହିଁ ରାଜଧାନୀ କେଉଁଠି ଓ ସେଠି ଯାଇ ପହଁଞ୍ଚିବାକୁ କେତେ ସମୟ ଦରକାର୤
ଲାଜ ନାହିଁ ତୁମ ମୁହଁରେ ? ଦିନ ଦିନ ଧରି ଯୁକ୍ତି କରୁଛ ଯେ ସେମାନେ ମରୁଛନ୍ତି କିପରି… ଅନାହାର ନା ଅଳ୍ପାହାର ?

ତୁମଦ୍ବାରା ନିଯୁକ୍ତ, ପ୍ରତିପାଳିତ ଓ ପ୍ରମୋଶନ-ପ୍ରତ୍ୟାଶୀ ଡାକ୍ତର କ’ଣ ଏଇ ସାମାନ୍ୟ ଟିକିଏ କଥା ବି ଜାଣିନାହିଁ ଯେ, ଭୋକ ମଧ୍ୟ ଗୋଟିଏ ରୋଗ ଓ ଦାରିଦ୍ର୍ଯ ମଧ୍ୟ ଏକ ବ୍ୟାଧି ?
ସେମାନେ ମରନ୍ତି-ଝାଡ଼ାବାନ୍ତି/ଖଇଫୁଟା ତାତି/ଜର/କାଶ/ବାତ୤ ଚିକିତ୍ସା ଶାସ୍ତ୍ର ବୋଇଲେ ଯେ ଜମାରୁ କିଛି ବୁଝେନା, ସେ ଏଇ ସବୁ କାରଣ ଦିଏ, ନହେଲେ ଉପରକୁ ହାତ ଦେଖାଇଦିଏ୤ ହେଲେ ମୁଁ ଜାଣେ ଓ ତୁମେମାନେ ବି ଜାଣ ଯେ, ସେମାନେ ଟ୍ୟୁବରକ୍ୟୁଲୋସିସ୍‌, ପେପ୍‌ଟିକ୍‌ ଅଲ୍‌ସର୍‌, ପାରାଲିସିସ୍‌, ସେରିବ୍ରାଲ୍‌ ଇନ୍‌ଫେକ୍‌ସନ୍‌, କ୍ୟାନସର୍‌ ଓ ଟ୍ୟୁମର… ଏ ସବୁ ସହ ଲଢ଼ି ଲଢ଼ି ମରନ୍ତି୤

କେହି କହିପାରିବେ ନାହିଁ, ଭାରତକୁ କିଏ ମନେରଖିଚି ବନ୍ଧୁଗଣ ! ବ୍ୟବସ୍ଥାପକମାନେ ସରକାରୀ କର୍ମଚାରୀମାନଙ୍କର ଗୋଲାମ ହୋଇ ଓ ସରକାରୀ କର୍ମଚାରୀମାନେ ବ୍ୟବସ୍ଥାପକ, ମନ୍ତ୍ରୀ ଓ ବ୍ୟବସାୟୀମାନଙ୍କର ଗୋଲାମ ହୋଇ ସବୁ ପାଶୋରି ଦେଇଛନ୍ତି, ଭୁଲିଯାଇଛନ୍ତି୤

ମୋ ଗାଁର ଲୋକମାନେ ଆପତ୍ତି, ଅଭିଯୋଗ ଓ ପ୍ରତିବାଦ କିପରି କରିବାକୁ ହୁଏ ଜାଣନ୍ତି ନାହିଁ୤ ଚରମପତ୍ର ଓ ଧର୍ମଘଟ ନୋଟିସ କେଉଁ ଭାଷାରେ ଲେଖିବାକୁ ହୁଏ ଜାଣନ୍ତି ନାହିଁ୤ ମୋ ଗାଁରେ ଗତ ପଚାଶ କି ଶହେ ଦୁଇଶହ ବର୍ଷ ମଧ୍ୟରେ ଗୋଟିଏ ବି ଶୋଭାଯାତ୍ରା ବାହାରିନାହିଁ୤ କେହି କେବେ ଦିନେ ପ୍ଳାକାର୍ଡ଼ ଧରି ସ୍ଳୋଗାନ୍‌ ଦେଇନାହିଁ, କି କାନ୍ଥବାଡ଼ରେ ପୋଷ୍ଟର ମାରିନାହିଁ, ବିକ୍ଷୋଭ ପ୍ରଦର୍ଶନ କରିନାହିଁ, ଧାରଣା ଦେଇନାହିଁ୤

ହଁ, ମାସକୁ ଦୁଇ ଚାରିଟା କିମ୍ବା ସମୟ ପଡ଼ିଲେ ଆଠ ଦଶଟା ଶବଯାତ୍ରା ବାହାରେ୤ ତାଙ୍କ ପାଖରେ କୋକେଇ ସଜାଇବାକୁ ଫୁଲ ନାହିଁ କି କଦଳୀଗଛ ନାହିଁ୤ ରାସ୍ତାରେ ବିଞ୍ଛିବାକୁ ଖଇ ନାହିଁ କି ତମ୍ବା ପଇସା ନାହିଁ୤ ବେଳେବେଳେ ଜାଳିବାକୁ କାଠ ବି ନାହିଁ୤ ମୁଁ ଶବଯାତ୍ରାରେ ବାରମ୍ବାର ସାମିଲ ହେଉଛି୤ ଖଟ ବୋହି ବୋହି ମୋର କାନ୍ଧରେ ବିଣ୍ଡି, ଚାଲି ଚାଲି ପାଦରେ ଫୋଟକା୤ ତଥାପି ମୋର କ୍ଳାନ୍ତି ନାହିଁ୤

ମୁଁ ତୁମକୁ କିଛି ମାଗୁ ନାହିଁ୤ ଅଳି ଅର୍ଦ୍ଦଳି କରୁନାହିଁ୤ ଧମକ ଦେଉନାହିଁ କି ଘେରାଉ କରୁନାହିଁ୤ କ୍ଷୁଧାହିଁ ମୋର ପ୍ରସାଦ୤ ଶରୀରରେ ଘା’ ଓ ଗୋଦର ମୋର ଆଭୂଷଣ୤ ଡର ନାହିଁ୤ ଏମିତି ଶଙ୍କି ଯାଅ ନାହିଁ୤ ମୁଁ କେବଳ ମୋ ଗାଁ ବିଷୟରେ ଗୋଟିଏ ରଚନା ଲେଖୁଚି୤ ନୂଆକରି ଥରେ ପରୀକ୍ଷା ଦେଉଛି୤

ସ୍କୁଲରେ ପଢ଼ିଲାବେଳେ ଏଭଳି ଏକ ରଚନା ଲେଖିବାକୁ କହିଥିଲେ ଆମର ସାହିତ୍ୟ-ମାଷ୍ଟ୍ରେ୤ ମୁଁ ଲେଖିଥିଲି-ଭାରତ ଏକ ଗ୍ରାମବହୁଳ ଦେଶ୤ ଭାରତର ଅସଂଖ୍ୟ ଗ୍ରାମ ମଧ୍ୟରୁ ଆମର ଗ୍ରାମ ଅନ୍ୟତମ୤ ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଗଦପି ଗରୀୟସି୤ ମୋର ଗାଁ ମୋର ମା’ ତୁଲ୍ୟ୤ ଆମ୍ଭ ଗ୍ରାମର ପାଞ୍ଚଶହ ଆବାଳବୃଦ୍ଧ-ବନିତା ବାସ କରନ୍ତି୤ ଆମ୍ଭ ଗ୍ରାମର ଚତୁର୍ଦ୍ଦିଗରେ ଶସ୍ୟଶ୍ୟାମଳା କୃଷିକ୍ଷେତ୍ର ବିରାଜିତ୤ ଆମ୍ଭ ଗ୍ରାମ ପାର୍ଶ୍ବରେ କୁଳୁକୁଳୁ ନାଦ କରି ଏକ ତଟନୀ (ମିଛ କଥା, ସେଇଟା ଗୋଟେ ନାଳ, ସବୁଦିନେ ଶୁଖିଲା) ପ୍ରବାହିତା୤ ଆମ ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରନ୍ତି୤ ଆମ୍ଭ ଗ୍ରାମରେ ଗୋଟିଏ ବିଦ୍ୟାଳୟ ଗୃହ, ଗୋଟିଏ ଡାକଘର, ଗୋଟିଏ ଅବସର ବିନୋଦନ କେନ୍ଦ୍ର…

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଫୁଲ୍ଲ କୁମାର ତ୍ରିପାଠୀ
author photo
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. pradip  |  ନଭେମ୍ବର୍ ୧୧, ୨୦୧୧ - ୪:୨୦ ଅପରାହ୍ନ

    Lekhati mora antarar aatmmaku chhuin gala,eha bahuta ucchakotir lekha .Ehi lekhati mo gnar chitrapattaku mo aakhi agare thoi deuchhi.Mote bahuta bhala lagila.
    THANK YOU Mr.Prafulla kumar

  • ୨. ସୁରେନ୍ଦ୍ର କୁମର ମିସ୍ର  |  ନଭେମ୍ବର୍ ୧୨, ୨୦୧୧ - ୧୦:୧୫ ଅପରାହ୍ନ

    ବହୁତ ସୁନ୍ଦର ହୋଇହ୍ଚି

  • ୩. ସୁରେନ୍ଦ୍ର କୁମର ମିସ୍ର  |  ନଭେମ୍ବର୍ ୧୨, ୨୦୧୧ - ୧୦:୨୩ ଅପରାହ୍ନ

    ଆଗକୁ ଆହୁରି ସୁନ୍ଦର ହେଉ……………………..

  • ୪. ଚିତ୍ତରଞ୍ଜନ  |  ନଭେମ୍ବର୍ ୧୫, ୨୦୧୧ - ୩:୨୮ ଅପରାହ୍ନ

    ଲୋମ ଟାଙ୍କୁରି ଗଲା ମୋର ……. !!!!
    ମୋର ଆଶା ଆହୁରି ଭଲ ଲେଖା ପଢିବାକୁ ମିଳିବ……

  • ୫. ରାଜେନ୍ଦ୍ର  |  ଜାନୁଆରୀ ୨୭, ୨୦୧୨ - ୧୨:୫୨ ପୂର୍ବାହ୍ନ

    ବହୁତ ସୁନ୍ଦର ହୋଇଛି
    ଧନ୍ୟବଦ

  • ୬. Ajit kumar Bhoi  |  ଫେବୃଆରୀ ୧୩, ୨୦୧୨ - ୧୨:୫୩ ପୂର୍ବାହ୍ନ

    ବହୁତ୍ ବଢିଆ ଲଗଲା……….ଧନ୍ୟବାଦ୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤