ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନୋରଞ୍ଜନ ପାଣିଗ୍ରାହୀ
ଭୁବନେଶ୍ବର ବେହେରା
ବିରଜା ବଳ
ମନୋଜ ଦାସ
ବିଦ୍ୟୁତପ୍ରଭା ଦେବୀ
ବିପ୍ର ଆଚାର୍ଯ୍ୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଏକାଦଶ ଅବତାରରେ କମ୍ପ୍ୟୁଟର
  ବିଜୟ ଚନ୍ଦ୍ର ମହାପାତ୍ର, ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା
 
 
ତା: ମେ ୧୨, ୨୦୧୧  
ମୂଳ ପୃଷ୍ଠାପ୍ରବନ୍ଧ
 

ମନୁଷ୍ୟ ପ୍ରକୃତିରେ ନାନା ଭିନ୍ନତା ରହିଥିବା ଆମେ ଜାଣୁ୤ ବୟସ, ଅବସ୍ଥା ଓ ପରିବେଶ ନେଇ ମନୁଷ୍ୟ ପ୍ରକୃତିରେ ବୈଷମ୍ୟ ଦେଖାଯାଏ୤ ଶରୀରରୁ କ୍ଷରିତ ହେଉଥିବା ବିଭିନ୍ନ ପ୍ରକାର ହର୍‌ମୋନ୍‌ ଓ ରାସାୟନିକ ପଦାର୍ଥ ହେତୁ ବିଭିନ୍ନ ସମୟରେ ଓ ବୟସରେ ପ୍ରକୃତିଗତ ଭିନ୍ନତା ପରିଲକ୍ଷିତ ହୋଇଥାଏ୤ ଶରୀରରେ ଥିବା ବିଭିନ୍ନ ଗ୍ରନ୍ଥି ମଧ୍ୟରୁ ଆଡ୍ରେନାଲ୍‌ ଗ୍ରନ୍ଥିରୁ ଆଡ୍ରେନାଲିନ୍‌ କ୍ଷରିତ ହୋଇ ରକ୍ତରେ ମିଶି ପ୍ରବାହିତ ହେବା ଫଳରେ ଆମ ହୃତ୍‌ପିଣ୍ଡ ଖୁବ୍‌ ଦ୍ରୁତ ଗତିରେ ଦପ୍‌ଦପ୍‌ ହୁଏ ଏବଂ ଦେହରୁ ଗମ୍‌ଗମ୍‌ ଝାଳ ବାହାରେ୤ ଏହା ଅତ୍ୟନ୍ତ ଭୟଭୀତ ବା ବ୍ୟସ୍ତବିବ୍ରତ ହେବାର ଲକ୍ଷଣ୤ ସେହିଭଳି ଶରୀରର ପ୍ରଣାଳୀହୀନ ଗ୍ରନ୍ଥିରୁ କ୍ଷରିତ ରାସାୟନିକ ରସ ବା ହର୍‌ମୋନ୍‌ର ମାତ୍ରା କମ୍‌ ବେଶୀ ହେଲେ ଶରୀର କ୍ରିୟାର ବ୍ୟତିକ୍ରମ ଦେଖାଦେଇଥାଏ୤

ଏବେ ନିକଟରେ ଆମେରିକାର ଚିକାଗୋ ସହରରେ ହୋଇଥିବା ଏକ ଗବେଷଣା ପରେ ବୈଜ୍ଞାନିକମାନେ କହୁଛନ୍ତି ଯେ ମନୁଷ୍ୟ ମନରେ କ୍ରୋଧ ସୃଷ୍ଟି ହେବା ପଛରେ ‘ସେରୋଟନିନ୍‌’ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର ଭୂମିକା ରହିଛି୤ ଏହାର ଅଭାବରେ ମଣିଷ କ୍ରୋଧୀ ହୋଇଯାଏ୤ ଏହାକୁ ଯଦି ଔଷଧ ଭାବେ ଜଣେ କ୍ରୋଧୀ ମଣିଷ ଶରୀରରେ ଦିଆଯାଇପାରିବ, ତେବେ ସେ ଅତ୍ୟନ୍ତ ଶାନ୍ତଶିଷ୍ଟ ପ୍ରକୃତିର ହୋଇପାରିବ୤ ଏହା ବ୍ୟତୀତ ଅନ୍ୟ କେତେ ପ୍ରକାରର ରାସାୟନିକ ରସର ପରିମାଣ ଅଧିକ ବା କମ୍‌ ହେଲେ ମନୁଷ୍ୟର ମାନସିକ ସ୍ତରରେ ଭାବପ୍ରବଣତାର ପରିବର୍ତ୍ତନ ଘଟିଥାଏ୤ ଜଣେ ଖୁସିରେ ହସିବା, ଦୁଃଖରେ କାନ୍ଦିବା କିମ୍ବା ରାଗରେ କଳିଗୋଳ ଝଗଡ଼ା କରିବା ପଛରେ ମଧ୍ୟ କିଛି ରାସାୟନିକ ରସର ଭୂମିକା ରହିଛି୤ ତେଣୁ ବୈଜ୍ଞାନିକମାନେ ଚିନ୍ତା କଲେଣି, ବିଭିନ୍ନ ରାସାୟନିକ ରସକୁ ଛୋଟିଆ ଶିଶି ମଧ୍ୟରେ ରଖି ସେଥିରୁ ଦୁଇ ତିନି ଟୋପା ପ୍ରୟୋଗ କରି ମନୁଷ୍ୟର ସ୍ବଭାବ, ଆଚରଣ ବା ଚେତନାରେ ପରିବର୍ତ୍ତନ ଅଣାଯାଇପାରିବ୤

ବିଭିନ୍ନ ସମୟରେ ଗୌତମବୁଦ୍ଧ, ମହାବୀର, ଶଙ୍କରାଚାର୍ଯ୍ୟ, ଯୀଶୁ, ନାନକ, ମହମ୍ମଦ ଭଳି ମହାପୁରୁଷମାନେ ଈଶ୍ବରଙ୍କ ଦୂତ ଭାବେ ଆବିର୍ଭୂତ ହୋଇ ଏ ପୃଥିବୀରେ ଶାନ୍ତି, ପ୍ରେମ, ସତ୍ୟ, ଅହିଂସା ଓ ସଦ୍‌ଭାବର ଅନେକ ପ୍ରଚାର କରିଯାଇଛନ୍ତି୤ ସେମାନଙ୍କ ଅମର ବାଣୀର ପ୍ରଚାର ବିଭିନ୍ନ ରାଷ୍ଟ୍ରନାୟକ ବା ଯୁଗପୁରୁଷଙ୍କ ଦ୍ବାରା ପ୍ରଚାରିତ ଓ ପ୍ରସାରିତ ହୋଇଛି୤ ଏବେ ମଧ୍ୟ ବିଭିନ୍ନ ଧର୍ମାନୁଷ୍ଠାନ ଓ ଆଧ୍ୟାତ୍ମିକ ସଂସ୍ଥା ଦ୍ବାରା ଏସବୁର ବହୁଳ ପ୍ରଚାର ଚାଲିଛି୤ ତେବେ ସେମାନଙ୍କ ଅନୁଗାମୀ ଭାବେ ମନୁଷ୍ୟ ସମାଜରେ ଭିନ୍ନ ଭିନ୍ନ ଗୋଷ୍ଠୀ, ଜାତି ଓ ସମ୍ପ୍ରଦାୟର ସୃଷ୍ଟି ହୋଇ, ମନୁଷ୍ୟର ପ୍ରକୃତି ଦିନୁଦିନ ଅଧିକରୁ ଅଧିକ କ୍ରୋଧାନ୍ବିତ ଓ ହିଂସାତ୍ମକ ହୋଇଚାଲିଛି୤ ଏହାର ପ୍ରତିକାର ବର୍ତ୍ତମାନ ଧର୍ମ ମାଧ୍ୟମରେ କରାଯିବା ସମ୍ଭବ ହେଉନାହିଁ୤ ସାମ୍ପ୍ରତିକ ନୂତନ ଯୁଗରେ ଧର୍ମ ଓ ଧାର୍ମିକମାନେ ପୁରୁଣା ହୋଇ କିଛିଟା ଅଚଳ ହୋଇଗଲେଣି୤

ଆଜିର ଚିନ୍ତାନାୟକମାନେ କହୁଛନ୍ତି, ବିଜ୍ଞାନ ଦ୍ବାରା ହିଁ ମନୁଷ୍ୟ ପ୍ରକୃତିରେ ପରିବର୍ତ୍ତନ ଅଣାଯାଇପାରିବ୤ ଆଧୁନିକ ଯୁଗରେ ହୁଏତ ଭଗବାନ ବାଧ୍ୟ ହୋଇ ଏକ ନୂତନ ରୂପ ବା ଅବତାର ଗ୍ରହଣ ପୂର୍ବକ ସ୍ବର୍ଗରୁ ଓହ୍ଲାଇ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହେବେ୤ ଖୁବ୍‌ ସମ୍ଭବତଃ ଏହି ନୂତନ ଅବତାର ହୋଇପାରେ କମ୍ପ୍ୟୁଟର୍‌ ରୂପରେ୤

ସେହି ‘କମ୍ପ୍ୟୁଟରାବତାରୀ ଈଶ୍ବର’ ପ୍ରତ୍ୟେକଟି ମଣିଷର ହାରିଗୁହାରି ଓ ପ୍ରକୃତିକୁ ତ୍ବରାନ୍ବିତ ବେଗରେ ଗ୍ରହଣ କରି ପ୍ରତିଟି ମଣିଷ ପାଇଁ ଉଦ୍ଦିଷ୍ଟ ରାସାୟନିକ ରସର ନାମ ଉଲ୍ଲେଖ କରି ଛୋଟ ଛୋଟ ଶିଶି ମଧ୍ୟରେ ରଖିବେ୤ ଉପଯୁକ୍ତ ସମୟରେ ପ୍ରୟୋଗ କରାଯିବା ଫଳରେ ମାନବଜାତି ମଧ୍ୟରୁ ଦୁଃଖ, କ୍ଲେଶ, କ୍ରୋଧ, ହିଂସା, ଅଶାନ୍ତି ଭଳି ସମସ୍ୟାଗୁଡ଼ିକୁ ଦୂର କରାଯାଇପାରିବ୤

ଆଜି ହୁଏତ ଏଭଳି ଚିନ୍ତାଧାରା ଆମକୁ ଅବାନ୍ତର ବା ବ୍ୟଙ୍ଗାତ୍ମକ ବୋଲି ମନେ ହୋଇପାରେ୤ କିନ୍ତୁ ବୈଜ୍ଞାନିକମାନେ ଏ ଦିଗରେ ଯେଭଳି ଦ୍ରୁତ ଉନ୍ନତି ହାସଲ କରୁଛନ୍ତି ସେଥିରୁ ମନେ ହେଉଛି, ଆସନ୍ତା ଶତାବ୍ଦୀ ମଧ୍ୟରେ ପୃଥିବୀରେ ଏକ ନୂତନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି୤

ତେଣିକି ଆମେ ଦଶାବତାର ପରିବର୍ତ୍ତେ ଶେଷ ପଦରେ ଏକାଦଶବତାର ଈଶ୍ବରଙ୍କ ବନ୍ଦନା କରି ଗାଇବା –
“କେଶବ ! ଧୃତ ‘କମ୍ପ୍ୟୁଟର ରୂପ’ ଜୟ ଜଗଦୀଶ ହରେ୤”

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜୟ ଚନ୍ଦ୍ର ମହାପାତ୍ର, ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା
author photo
ଖୋର୍ଦ୍ଧା ଜିଲ୍ଲାର ଛତ୍ରପଡ଼ାଠାରେ ୧୯୫୭ ମସିହାରେ ଜନ୍ମିତ ଲେଖକ ବିଜୟ ଚନ୍ଦ୍ର ମହାପାତ୍ର ମୂଳତଃ ବ୍ୟଙ୍ଗ ରଚନାରୁ ନିଜର ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ ହେଁ ପରବର୍ତ୍ତୀ ସମୟରେ ବିଜ୍ଞାନ ସମ୍ପର୍କିତ ପ୍ରବନ୍ଧ ରଚନାରେ ମନୋନିବେଶ କରି ପ୍ରତିଷ୍ଠିତ୤ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ମହାବିଦ୍ୟାଳୟରୁ ବିଜ୍ଞାନ ଓ ଶିକ୍ଷାରେ ସ୍ନାତକ ସହିତ ଇତିହାସରେ ସ୍ନାତକୋତ୍ତର ପରେ ଶିକ୍ଷକତା କରିଆସୁଥିବା ଶ୍ରୀ ମହାପାତ୍ରଙ୍କର ପ୍ରବନ୍ଧ ସଂକଳନ 'ବିଜ୍ଞାନର ଝଲକ' ଏକ ଉଲ୍ଲେଖନୀୟ କୃତି୤ ବିଭିନ୍ନ ସଂଗଠନ ପକ୍ଷରୁ ସଂବର୍ଧିତ ହେବା ସହିତ 'ବିଜ୍ଞାନାଲୋକ', 'ବିଜ୍ଞାନ ପ୍ରଭା', 'ଆଲୋକ', 'କମ୍ପ୍ୟୁଟର ଓ ବିଜ୍ଞାନ', 'ଆମରି ସତ୍ୟ' ପ୍ରଭୃତି ଅଗ୍ରଣୀ ବିଜ୍ଞାନ ପତ୍ରିକାରେ ତାଙ୍କର ପ୍ରବନ୍ଧ ନିୟମିତ ପ୍ରକାଶିତ ଓ ଆଦୃତ୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. Ramakant Sahu |  ମେ ୧୩, ୨୦୧୧ - ୯:୫୫ ପୂର୍ବାହ୍ନ

    “କେଶବ ! ଧୃତ ‘କମ୍ପ୍ୟୁଟର ରୂପ’ ଜୟ ଜଗଦୀଶ ହରେ୤”
    Many thanks.Oriya masterpiece

  • ୨. ପ୍ରଦ୍ୟୁମ୍ନ କୁମାର ଦାଶ |  ଜୁଲାଇ ୫, ୨୦୧୧ - ୬:୦୫ ପୂର୍ବାହ୍ନ

    କିଏ କହେ ଗପ ତ କିଏ କହେ ପ୍ରବନ୍ଧ,ଆଉ ମଧ୍ୟ କେତକ କୁହନ୍ତି ବ୍ୟଙ୍ଗ ସାହିତ୍ୟ….
    କିନ୍ତୁ ଏହା ପ୍ରକୃତ ରେ ସତ୍ୟ,
    ଏକାଦଶ ଅବତାର ହି କମ୍ପୁଟର୍

  • ୩. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୨:୪୮ ଅପରାହ୍ନ

    ବର୍ତମାନ ତ Computer ର ଯୁଗ କିନ୍ତୁ ଏହାମଧ୍ୟ ସତ୍ୟ ଯେ ଭଗବାନ ସର୍ବଦା Super Computer ରହିଆସିଥିଲେ ରହିଆସିଛନ୍ତି ଓ ଭବିଷ୍ୟତ ରେ ମଧ୍ୟ ରହିବେ ୤ ଭଗବାନ ଙ୍କୁ ବୁଝିବା ତ ମନୁଷ୍ୟ କୁ ସମ୍ଭବ ହୋଇ ନାହିଁ, ତେବେ ମନୁଷ୍ୟ ତିଆରି ଯନ୍ତ୍ର ତାଙ୍କୁ ବୁଝିବ ବା କିପରି ୤ ଯୁଗ ଯେତେ ବଦଳୁନା କାହିଁକି କିନ୍ତୁ ବିବର୍ତ୍ତନବାଦ ନିୟମ ଅନୁସାରେ ପ୍ରତୈକ ମଣିଷ କୁ ଯୁଗ ଅନୁଶାରେ ତାଳ ଦେଇ ଚାଲିବାକୁ ପଡିବ, ନହେଲେ ଝୁଣ୍ଟିବା ହିଁ ସାର ହେବ ୤

  • ୪. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୧୬, ୨୦୧୧ - ୪:୩୧ ପୂର୍ବାହ୍ନ

    ବିଜୟ ବାବୁ ଆପଣ କଂପ୍ୟୁଟର କୁ ଭଗବାନଙ୍କ ସହିତ ତୁଳନା କେମିତି କରୁଛନ୍ତି ୤ ଆଉ ଥରେ ଚିନ୍ତା କରନ୍ତୁ ୤ ସିଏ ଯେମିତି ଚିନ୍ତା କରୁଛନ୍ତି , ସେମିତି କିଛି ହେବାର ନାହିଁ , କଂପ୍ଯୁଟର କିମ୍ବା ରସାୟନିକ ପଦାର୍ଥ ଦ୍ବାରା ଚମତ୍କାର ହୋବାର ମଧ୍ୟ ନାହିଁ ୤ ସତ କହିବାକୁ ଗଲେ ଏବେକାର ସମାଜ, ମଣିଷ ନିଜକୁ ବେଶି ଅସହାୟ, ଅବହେଳିତ, ବିପଦପୂର୍ଣ୍ଣ ମନେ କରୁଛି ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤