ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଏ କି ସମୟ ଆସିଗଲା ?
କଲମ ଚାଳକ ତ କେବେବି କହୁ ନଥିଲେ
ମୁଁ ଫର୍ୱାର୍ଡ଼ ମୁଁ ବେକ୍ୱାର୍ଡ଼
ଆଗୁଆ ପଛୁଆ ବର୍ଗ ବର୍ଣ୍ଣ ବୈଷମ୍ୟ ନଥିଲା
କଲମ ଚାଳକଙ୍କର !
କିନ୍ତୁ କୁମ୍ଭୀର କାନ୍ଦଣା ଶୁଭୁଛି ଆଜି
ପୁରସ୍କାର ନ ପାଇଲେ ଶୁଭୁଛି ବର୍ଣ୍ଣଖେଳ
କବିଟିଏ ସରଳ ଥିଲା, ନିଷ୍କପଟ ଥିଲା
ଜିଇଥିଲା ଗୀତ ଲେଖୁଥିଲା ସବୁରି ପାଇଁ
ସେଇ କବି ନ ଥିଲା ଜାତିର ବା ପାର୍ଟିର
ଆଜି ନତମସ୍ତକ ହୋଇ ମାଗିଆଣିଥିବା ସାର୍ଟିଫିକେଟ୍
ଭଡ଼ାରେ ମିଳୁଛନ୍ତି କଲମ ଚାଳକ
ଯାହା କହିବେ ତା’ ଲେଖିବେ
କବିଗୋଷ୍ଠୀ ଗାଉଛନ୍ତି ଗୀତ
କରୁଛନ୍ତି ଅଯୋଗ୍ୟ ରାଜାର ବନ୍ଦନା
କେହିକେହି ସ୍ବଅର୍ଜିତ ବସ୍ତ୍ର ପରିହରି
ପିନ୍ଧିଛନ୍ତି ଖବରକାଗଜ ଆମୂଳଚୂଳ
ଅବଶ୍ୟ….
ସମସ୍ତ କଲମ ଚାଳକ କବି ନୁହଁନ୍ତି
ସବୁ କବି କଲମ ଚାଳକ ନୁହଁନ୍ତି
ଭଣ୍ଡ କଲମଚାଳକ କଲମ ଚଳାନ୍ତି
ଅର୍ଥ ବିନିମୟରେ ଡକ୍ଟରେଟ୍ ସନ୍ଦର୍ଭ ଲେଖନ୍ତି
ଆଉ କେହି କେହି ଅନୁବାଦ ବିକ୍ରି କରନ୍ତି
ଦାରିଦ୍ୟ୍ରର କଷାଘାତରୁ ନିସ୍ତାର ପାଇଁ
ପୁରସ୍କାର ପ୍ରେକ୍ଷାଳୟରେ ଉପସ୍ଥିତ ରହି
ଅନାହତର ପୁରସ୍କାର ଦେଖି ବ୍ୟଥିତ ହୁଏନା
କାରଣ ସେ ବିକ୍ରି କରିଦେଇଛି ତା’କଲମ ଶ୍ରମ
ରକ୍ତଶିକୁଳିରେ ମରିଯାଇଥିବା ଝିଅର ରକ୍ତ କିଣିବା ପାଇଁ
କଲମ ଚାଳକ ଚିନ୍ତା କରେନା ଏସବୁ
ପ୍ରତ୍ୟେକ ଜିନିଷ ପାଇଁ ତ ପୁଣି ମୂଲ୍ୟ ଦେବାକୁ ହୁଏ !
ବିଖଣ୍ଡିତ ମନସ୍କ କବି କି ଲେଖିବ କବିତା
ଖାଲି କଲମ ଚାଳନାରେ କି ଜନ୍ମେ କବିତା ?
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. sannyasi nayak, ମନମୁଣ୍ଦା | ଏପ୍ରିଲ୍ ୧୮, ୨୦୧୩ - ୧୧:୩୫ ଅପରାହ୍ନ
କଲମ ପୋସିବ ବଦ କଷ୍ଟ କମ