ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ମୁଁ ସବୁକଥା କହିବି ନାହିଁ
କାରଣ ଜୀବନ ମୋତେ ମନା କରିଚି
କହିଚି-ମଞ୍ଚ ଉପରେ ଠିଆ ହ’
ହେଲେ ମଞ୍ଜକଥା କହିବୁ ନାଇଁ ଜମ୍ମାରୁ
ଖୋଲିବୁ ନାଇଁ କେବେ ବି
ରହସ୍ୟର ଦ୍ବାର, ଗୁମର
କୋଉ ଅନନ୍ତ କାଳରୁ
ନଈ ବି ଏମିତି ଦୁଇ ଭାଗ,
ଭାଗେ ଆଲୁଅ ତ’ ଭାଗେ ଅନ୍ଧାର
ଜୀବନ କହିଚି-ଅନ୍ଧାରରେ ପହଁରିବୁ
ହେଲେ ଆଲୁଅରେ ବୁଡ଼ିବୁ ନାହିଁ
ଅନ୍ତତଃ ଗଛ-ବୃଚ୍ଛ ସ୍ଥିର ହେବା ଯାଏଁ
ପବନରୁ ଆର୍ଦ୍ରତା କି,
ଆକାଶରୁ ନୀଳିମା ହଜିବା ଯାଏଁ
କେଜାଣି, କେମିତି ଥିଲି ମୁଁ
ଜୀବନ ମୋତେ ଛୁଇଁଲା ତ’ ଜାଣିଲି
ମୁଁ ଅଛି,
ତେଣିକି ପକ୍ଷୀର ହଳେ ଡେଣା ପରି
ସକ୍ରିୟ ହେଲା ମୋର ପାଦ
ପବନ ପରି ଇତସ୍ତତଃ ହେଲା ମୋର ମନ
ଜୀବନ ମୋତେ ଅନେକ କଥା ବୁଝେଇଲା
ହାତ ଧରି ଚାଲି ଶିଖେଇଲା
କହିଲା-ଚାଲୁଥା …
ସିଏ ମୋତେ ଘୂରା-ଫେରା କଲା ମନଇଚ୍ଛା
ଖୁବ୍ ଦୂରରେ ଦିକ୍ ଦିକ୍ କରୁଥିବା
ଗୋଟେ ନକ୍ଷତ୍ର ଆଡ଼େ ଦେଖେଇ କହିଲା
ତୁ’ ସେଇ ତାର
ତା’ପରେ ମୁଁ ନିଜ ଭିତରେ ଜଳିବା ଆରମ୍ଭକଲି,
ଦିଗନ୍ତ ଆଡ଼େ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା
ଝାପ୍ସା ଦିଶୁଥିବା ତୁ’ ସେଇ ବରଫର ପାହାଡ଼
ଏବଂ ମୁଁ ନିଜ ଭିତରେ ଜମାଟ ବାନ୍ଧିଗଲି
ଖରାର ଦିଶୁ ନଥିବା ଛାଇରେ
ଠିଆହେଲି ଅଣ୍ଟା ସଳଖି,
ଛାଇର ଅଜଣା ଭତ୍ତାପର ଆକ୍ରୋଶରେ
ସିଝିଲି ସାରୁ କି’ କନ୍ଦମୂଳ ପରି
ଯୁଗ ଯୁଗର ଅପେକ୍ଷା ପରେ
ଜୀବନ ମୋତେ ସେଇ ସୀମାରେଖା ଯାଏଁ ନେଲା
ଯାହାର ସେପଟେ ଜୀବନ ହିଁ
ମୃତ୍ୟୁର ଅଲିଭା ଦୀପଟିଏ ହେଇ ଜଳୁଥିଲା ..
ହେଲେ ତା’ର ନିଷ୍କପଟ ଆଲୁଅରେ ଭିଜିବା
ହୁଏତ ମୋ କପାଳେ ନଥିଲା
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. ଅରୁନ୍ଧତି ମିଶ୍ର ପଟନାୟକ | ନଭେମ୍ବର୍ ୪, ୨୦୧୨ - ୮:୫୭ ଅପରାହ୍ନ
ବହୁତ୍ ଭଲ ହେଇଛି ଲେଖା, ଖୁବ୍ ମନ ଛୁଆ..
୨. ନମିତା ଦାଶ, ବ୍ରହ୍ମପୁର..ଗଞ୍ଜମ୍..ଓଡିଶା | ମାର୍ଚ୍ଚ୍ ୧୧, ୨୦୧୩ - ୮:୩୧ ପୂର୍ବାହ୍ନ
କେଜାଣି, କେମିତି ଥିଲି ମୁଁ……….ଜୀବନ ମୋତେ ଛୁଇଁଲ ତ ଜାଣିଲି….ମୁଁ ଅଛି…….ଚିନ୍ତା,ଚେତନାକୁ ଦୋହଲଇ ଦେଉଚି……….ଖୁବ୍ ସୁନ୍ଦର୍ କବିତା ସାର୍…….ଧନ୍ୟବାଦ
୩. ପ୍ରକାଶ କୁମାର ପଣ୍ଡା, କୋଣାର୍କ, ଓଡିଶା | ମାର୍ଚ୍ଚ୍ ୨୧, ୨୦୧୫ - ୯:୫୨ ଅପରାହ୍ନ
ବହୁତ ଭଲ ଲେଖିଛନ୍ତି ….
୪. କେ.ରବିକିରନ୍ ଦୋରା, ବ୍ରହ୍ମପୁର | ମାର୍ଚ୍ଚ୍ ୩୧, ୨୦୧୫ - ୬:୩୨ ପୂର୍ବାହ୍ନ
ଡାଡି ତମର କବିତାଟି ଖୁବ୍ ଭଲଲାଗୁଛି,
୫. ମଦନ ମୋହନ ପଣ୍ଡା, ରାୟପୁର,ଛତ୍ତିଶଗଡ | ଜୁନ୍ ୮, ୨୦୧୫ - ୧୦:୪୫ ଅପରାହ୍ନ
ମଣିଷ ବିଷୟରେ ସୁନ୍ଦର କବିତା ଟିଏ !
“କେଜାଣି, କେମିତି ଥିଲି ମୁଁ
ଜୀବନ ମୋତେ ଛୁଇଁଲା ତ’ ଜାଣିଲି
ମୁଁ ଅଛି,
ତେଣିକି ପକ୍ଷୀର ହଳେ ଡେଣା ପରି
ସକ୍ରିୟ ହେଲା ମୋର ପାଦ
ପବନ ପରି ଇତସ୍ତତଃ ହେଲା ମୋର ମନ
ଜୀବନ ମୋତେ ଅନେକ କଥା ବୁଝେଇଲା
ହାତ ଧରି ଚାଲି ଶିଖେଇଲା
କହିଲା-ଚାଲୁଥା …”
ଅତି ସୁନ୍ଦର !