ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଆତ୍ମାରାଜ୍ୟେ ସେ ଭୀମ ବିପ୍ଳବେ
ଧର୍ମର ପୂଣ୍ୟ ରାଜତ୍ବ ପ୍ରଜ୍ଞାର ମହତ ତତ୍ତ୍ବ
ହୁଏ ପରହତ, ପାପ ଗର୍ଜ୍ଜଇ ଭୈରବେ,
ପଳାୟନ କରେ ଶାନ୍ତି ସେହି ଉପଦ୍ରବେ୧୦
ମୁକୁଟମଣ୍ଡିତ ରାଜଶିର
ନୁହଇ ଶାନ୍ତି-ଆସ୍ପଦ, ଆଶଙ୍କା ଭୟ ବିପଦ
ନିରନ୍ତର ରାଜ ମନ କରଇ ଅସ୍ଥିର
ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକୀର୧୧
ଏ ସଂସାରେ ନାହିଁ ସୁଖ ଶାନ୍ତି
ଅହଙ୍କାର ଦ୍ବେଷ ରୋଷ ଲୋଭ ମୋହ ଅସନ୍ତୋଷ
ଦୁଷ୍ଟ ରିପୁକୁଳ ଘୋର ଅନର୍ଥ ଘଟାନ୍ତି,
ପାପର ଭୀଷଣାବର୍ତ୍ତେ ନରେ ନିକ୍ଷେପନ୍ତି୧୨
କାହିଁ ଶାନ୍ତି, କାହିଁ ନିତ୍ୟସୁଖ,
ଯାହା ଲଭିବାର ଲାଗି ଅଛି ଅବିରତ ଜାଗି
ଚିତ୍ତଗୃହେ ଆଶାଦୀପ ଉଜ୍ଜ୍ବଳମୟୁଖ,
କାହିଁ ଗଲେ ପାସୋରିବି ମୃତ୍ୟୁ ପାପ ଦୁଃଖ୧୩
ରେ ହୃଦୟ! ନ ହୁଅ କାତର,
ସଂସାରର ବିଡମ୍ବନା ପାପ ସନ୍ତାପ ଯାତନା
ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର
ନିରେଖି ନିରାଶାବିଷେ ନ ହୁଅ ଜର୍ଜ୍ଜର୧୪
ଧର ଧୈର୍ଯ୍ୟ ଘେନ ରେ ସାନ୍ତ୍ବନା,
ଅଛି ସେହି ମହାଧନ, ସେ ମହାସ୍ପର୍ଶରତନ,
ସେ ଅମୃତ ମହୌଷଧ, ଯାହାର କାମନା
ଆଶା, ଜାଗ୍ରତ ସତତ, କରେ ଉଦ୍ଦୀପନା୧୫
ସ୍ଥିର ହୁଅ ରେ ଚଞ୍ଚଳ ମନ,
ଘେନ ମହାତତ୍ତ୍ବ ଦୀକ୍ଷା, ଜୀବନ ପରମ ଶିକ୍ଷା,
ତେବେ ରେ ଲଭିବୁ ସେହି ପ୍ରାଣାରାମ ଧନ,
ଆକୁଳ ହୃଦୟ କରେ ଯାହାର ଅନ୍ବେଷଣ୧୬
ଧୂଳିର ଏ ମର କଳେବର,
ଆହୋ ମାନବ ଜୀବନ କି ଅଦ୍ଭୁତ ଉଦ୍ଭାବନ!
ବିରାଜେ ଅମର ଆତ୍ମା ଦିବ୍ୟ ସୌନ୍ଦର୍ଯ୍ୟରେ,
କମଳ ଶୋଭଇ ଯଥା ପଙ୍କମୟ ସରେ୧୭
ଏ ସଂସାର ଅନ୍ଧକାର ସ୍ଥାନ
ଅନ୍ଧାରେ ହେଲେ ଜଡିତ ନ ହୁଅଇ ବିକଶିତ
ଜୀବାତ୍ମା-କୁସୁମ ଏଥି, ହୁଏ ମ୍ରିୟମାଣ
ହରାଇଣ ଦିବ୍ୟ ଶୋଭା ପ୍ରେମ ଭକ୍ତି ଜ୍ଞାନ୧୮
ଦିବାକରେ ନିରେଖି ଗଗନେ
ହର୍ଷେ ଫୁଟେ ପଦ୍ମଫୁଲ ତେସନେ ଆତ୍ମା ପ୍ରଫୁଲ୍ଲ
ଅନନ୍ତ ମଙ୍ଗଳାଳୟ ବିଭୁ ଦରଶନେ
ପୂଣ୍ୟର ତପନ ଯେହୁ ପାପର ଭୁବନେ୧୯
ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?
୧. ଉପାସନା ମହାନ୍ତି | ଅକ୍ଟୋବର୍ ୧୯, ୨୦୧୧ - ୧:୩୬ ପୂର୍ବାହ୍ନ
ବହୁତ ଭଲ ଲାଗିଲା ଆଜି ଏତେ ସୁନ୍ଦର କବିତା ଦେଖି ଓ ଏତେ ଭଲ ସାଇଟ୍ ଅଛି ଜାଣି
୨. Sasmita Mishra | ଅକ୍ଟୋବର୍ ୨୧, ୨୦୧୧ - ୯:୫୨ ପୂର୍ବାହ୍ନ
kabita ti bhawapurna abong sampurna bhave adhunika jugara samagra manab samaj pain’e eka birat sachetana bhara snadsesha
୩. bibhuti | ଅକ୍ଟୋବର୍ ୨୩, ୨୦୧୧ - ୮:୫୧ ଅପରାହ୍ନ
Odia bhasa surakhyare eha eka yugantakari padakhyepa. Bahut sundar heichhi.
୪. Rasmi Ranjan Parida | ନଭେମ୍ବର୍ ୪, ୨୦୧୧ - ୧୦:୨୪ ପୂର୍ବାହ୍ନ
ବହୁତ ଧନ୍ୟବାଦ, ମୋର ଅନୁରୋଧ ରକ୍ଷା କରି ଏହି ଗୀତ ଟିକୁ ପ୍ରକାଶ କରିଥିବାରୁ
ମୁର୍ମୁଷୁ ଓଡିଆ ଭାଷାକୁ ବଞ୍ଚାଇ ରଖିବାକୁ ଆପଣଙ୍କ ପ୍ରଚେଷ୍ଟା ସଫଳ ହେଉ, ଏହା ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା
୫. ସୁଦାମ | ଏପ୍ରିଲ୍ ୧୨, ୨୦୧୬ - ୧୧:୪୪ ପୂର୍ବାହ୍ନ
ପଣ୍ଡିତ ନୀଳକଣ୍ଠ ଦାସଙ୍କ ରାମଚଣ୍ଡୀରେ ସଂଧ୍ୟା କବିତାଟି ପ୍ରକାଶ କଲେ ଭଲ ହୁଅନ୍ତା