ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ସୌଭାଗ୍ୟ ମିଶ୍ରଙ୍କ ସାରସ୍ବତ ସୃଷ୍ଟି
କବିତା ଗ୍ରନ୍ଥ :- ଆତ୍ମନେପଦୀ (୧୯୬୫), ମଧ୍ୟପଦଲୋପୀ (୧୯୭୦), ନଈ ପହଁରା (୧୯୭୩), ଅନ୍ଧ ମହୁମାଛି (୧୯୭୭), ବଜ୍ରଯାନ (୧୯୮୧), ଦ୍ବା ସୂପର୍ଣ୍ଣା (୧୯୮୪), ମଣିକର୍ଣ୍ଣିକା (୧୯୯୦), ଅନ୍ୟତ୍ର (୧୯୯୪), ଚରାଚର (୧୯୯୯), ଉଜ୍ଜୟିନୀ (୨୦୦୫), ମାତୃସ୍ପର୍ଶ (୨୦୦୯)
ଉଲ୍ଲେଖଯୋଗ୍ୟ ପୁରସ୍କାର ସମ୍ମାନ :-
ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର
କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର
ରାଜ୍ୟପାଳଙ୍କ ସମ୍ମାନ ଫଳକ
ବିଷୁବ ପୁରସ୍କାର
ସାହିତ୍ୟ ଭାରତୀ ସମ୍ମାନ
୧) କବିତା ଲେଖିବାର ଆଦ୍ୟ ପ୍ରେରଣାର ସ୍ମୃତି କିପରି ?
ଉତ୍ତର :-ହାଇସ୍କୁଲରେ ପଢ଼ିଲା ବେଳେ (ନବମ, ଦଶମ) ମୋର କବିତା ଲେଖା ଆରମ୍ଭ ପ୍ରେରଣା ଦୁଇଟି ଉତ୍ସରୁ ଆସିଥିଲା, ଗୋଟିଏ ହେଉଛି ନିଜ ଭିତର ସୃଜନ ପ୍ରବୃତ୍ତି ଏବଂ ଅନ୍ୟଟି ଓଡ଼ିଆ କାବ୍ୟ ସାହିତ୍ୟ ଅଧ୍ୟୟନ
୨) ଆପଣ କବିତା ଲେଖିବା ସହିତ କବି ଗୁରୁପ୍ରସାଦ ମହାନ୍ତିଙ୍କ ସହ ବେଶ୍ ମଧୁର ଭାବେ ଜଡ଼ିତ- ଆପଣ କଣ ଏହାକୁ ସ୍ବୀକାର କରିବେ ?
ଉତ୍ତର :-ଗୁରୁପ୍ରସାଦ ମହାନ୍ତିଙ୍କୁ ମୁଁ କଲେଜରେ ପଢ଼ିଲା ବେଳେ ଜାଣିଲି ସେ ଆମର ଅଧ୍ୟାପକ ଥିଲେ ତାଙ୍କର ବ୍ୟକ୍ତିତ୍ବ ଓ କବିତା ଉଭୟ ମୋତେ ଗଭୀର ଭାବରେ ପ୍ରଭାବିତ କରିଥିଲା
୩) ଆତ୍ମନେପଦୀ (୧୯୬୫) କବିତା ଗ୍ରନ୍ଥରେ ଆପଣ ବେଶ୍ ରୋମାଣ୍ଟିକ ଓ ବିଷର୍ଣ୍ଣତାବୋଧରେ କଷ୍ଟ ପାଇବା ପରି ମନେ ହୁଅନ୍ତି ?
ଉତ୍ତର: ଆତ୍ମନେପଦୀରେ ନିଜକୁ ପ୍ରକାଶ କରିବାର ପ୍ରବଳ ଇଛା ଏବଂ ପ୍ରକାଶ କରି ହେଉନଥିବାର ବିଡ଼ମ୍ବନା ଅନୁଭବ କରିହୁଏ ସେ କଷ୍ଟ ସୃଜନ କର୍ମ ସାଙ୍ଗରେ ଥାଏ ଏହି ଅନୁଭୁତି ସବୁ କବିଙ୍କର
୪) ଅନ୍ଧ ମହୁମାଛିରେ ଓଡ଼ିଆ ପାଠକ ପ୍ରକୃତ ସୌଭାଗ୍ୟ ମିଶ୍ରକୁ ପାଇଲେ ଓ ବିସ୍ମିତ ହେଲେ
କବିର ବେପରୱାପଣ, ଜୀବନକୁ ରହସ୍ୟ ଓ ଭୋଗ ଭିତରେ ଯୋଡ଼ିବାର ସୂତ୍ରଟି ଏହି କବିତା ଗ୍ରନ୍ଥରେ ମିଳିଲା ଏପରି ଏକ କାବ୍ୟିକ ଉତ୍ତରଣର ପ୍ରେରଣା ଓ ପ୍ରକ୍ରିୟାଟି କଣ ?
ଉତ୍ତର :-‘ଅନ୍ଧ ମହୁମାଛି’ ରେ ଏହି ଗୁଣଟି ପ୍ରକୃତରେ ଚମକପ୍ରଦ ଅନ୍ଧ ମହୁମାଛି, କ୍ବାଲାଲାମ୍ପୁର ଓ ସକାଳ ଭଳି କବିତାମାନଙ୍କରେ କାବ୍ୟ ଆବେଗ ବେଶ୍ ନିୟନ୍ତ୍ରିତ
୫) ମହୁମାଛି ଅନ୍ଧ କାହିଁକି ?
ଉତ୍ତର :- ଏଥିପାଇଁ ଯେ ସେ ସୁନ୍ଦର ଓ କୁତ୍ସିତ ମଧ୍ୟରେ ଥିବା ତଥାକଥିତ ଦୂରତ୍ବକୁ ଦେଖିପାରିବ ନାହିଁ
୬) ଆପଣଙ୍କ ଦ୍ବା ସୂପର୍ଣ୍ଣା ଓ ଉପନିଷଦର ସେଇ ଜୀବାତ୍ମା ପରମାତ୍ମାର ପ୍ରତୀକ ଦୁଇ ପକ୍ଷୀର ପାର୍ଥକ୍ୟ କେଉଁଠି?
ଉତ୍ତର :-ଗୋଟିଏ ଦୃଷ୍ଟିରୁ କିଛି ପାର୍ଥକ୍ୟ ନାହିଁ କିନ୍ତୁ ଦ୍ବା ସୂପର୍ଣ୍ଣ ଚିତ୍ର ଜରିଆରେ ମୁଁ କେବଳ ଜୀବନର ଦ୍ବିବିଧ ରୂପପ୍ରତି ଦୃଷ୍ଟି ଆକର୍ଷଣ କରିଛି କୌଣସି ଉପନିଷଦୀୟ ତାତ୍ବିକତା ଆଡ଼କୁ ନୁହେଁ
୭) ଜଣେ କବି ଗୋଟିଏ କବିତା ଲେଖି ସାରିଲା ପରେ ଯଦି ଜାଣିପାରେ ତାର କବିତାଟି ବିଫଳ ହୋଇଯାଇଛି, ତେବେ ସେତେବେଳେ ତାହାର ମୁହୂର୍ତ୍ତ କେମିତି କଟେ ? ନିଜସ୍ବ ଅଭିଜ୍ଞତା ସେପରି କିଛି ଅଛି କି ?
ଉତ୍ତର :- ହଁ ଅଛି ମୁଁ ଏକଥା ବାରମ୍ବାର କହିଛି ମୁଁ ମୋର କୌଣସି କବିତାକୁ ନେଇ ଶତକଡ଼ା ଶହେ ଭାଗ ସନ୍ତୁଷ୍ଟ ନୁହେଁ ତେବେ ଏଇ ଅସନ୍ତୋଷ ହିଁ ମୋତେ ପରବର୍ତ୍ତୀ କାବ୍ୟ କର୍ମ ପାଇଁ ପ୍ରେରିତ କରେ
୮) ଆପଣଙ୍କ ମତରେ ଏକ ଭଲ ‘କବିତା’ର କି କି ଗୁଣ ରହିବା ଲୋଡ଼ା ?
ଉତ୍ତର :- ମୋ ମତରେ ଗୋଟିଏ ଭଲ କବିତା ହେଲା ସେଇ କବିତା ଯାହାର ରୂପ ଗୁଣ ଥରକର ପଢ଼ାରେ କଳିହୁଏ ନାହିଁ, ଯା ପାଖକୁ ଥରକୁ ଥର ଯିବାକୁ ହୁଏ ପ୍ରତିଥର ସେ ରୂପ ଗୁଣର ଅବବୋଧ କିଛି କିଛି ଅଲଗା ହେଉଥାଏ
୯) ବର୍ତ୍ତମାନ ଓଡ଼ିଆ କବିତା ସମ୍ପର୍କରେ ଆପଣଙ୍କ ବ୍ୟକ୍ତିଗତ ଅବବୋଧଟି କଣ ?
ଉତ୍ତର :-ଅଧିକ ସୁନ୍ଦର ହୋଇ ପାରନ୍ତା ଆମର କାବ୍ୟିକ ଉଚ୍ଚାରଣ କିନ୍ତୁ ଅଧିକାଂଶ କବି ଉତ୍ସାହହୀନ, କ୍ଲାନ୍ତ ମନେ ହେଉଛନ୍ତି ଅବଶ୍ୟ ଏ ପରିସ୍ଥିତି ପାଇଁ ଆମର ସାମାଜିକ ବ୍ୟବସ୍ଥା ଅନେକାଂଶରେ ଦାୟୀ
୧୦) କାହାକୁ ଶ୍ରେୟ ମଣିବେ ଏବେ ? ‘ଅନ୍ଧ ମହୁମାଛିର ଅନ୍ଧ ଆସ୍ବାଦନ ନା’ ବଜ୍ରଯାନର ଆସକ୍ତଧ୍ୟାନ ନା ଦ୍ବା ସୁପର୍ଣ୍ଣାର ଦ୍ବନ୍ଦ୍ବପୂର୍ଣ୍ଣ ଅନ୍ବେଷଣ
ଉତ୍ତର :- ଏ ତିନୋଟି ଯାକ ଅବସ୍ଥା ମୁଁ ଅତିକ୍ରମ କରିଆସିଛି ବୋଲି କହିଲେ ବୋଧେ ଭଲ ହେବ କିନ୍ତୁ ଏ ଅନୁଭବ ସବୁ ଅବଶ୍ୟ ମୋ ଉତ୍ତରଣ ପାଇଁ ନିଶ୍ଚେ ଅପରିହାର୍ଯ୍ୟ ଥିଲା ମୋ ଚେତନାରେ ଆଉ ଦ୍ବନ୍ଦ୍ବବୋଧ ନାହିଁ, ଏ କଥା ମୁଁ ଜୋର୍ ଦେଇ କହିପାରିବି ନାହିଁ
୧୧) କବି ଜୀବନରେ ସବୁଠାରୁ ସୁଖକର ପ୍ରାପ୍ତି ଟି କଣ ?
ଉତ୍ତର :-ସୃଜନ ଆନନ୍ଦର ଉପଲବ୍ଧି
୧୨) ସୃଜନ ପ୍ରକ୍ରିୟାକୁ ନେଇ ପୁରସ୍କାର ରାଜନୀତି ହେଉଛି- ଏ ସମ୍ପର୍କରେ ଆପଣଙ୍କ ପ୍ରତିକ୍ରିୟା କଣ ?
ଉତ୍ତର :-ରାଜନୀତି କହିଲେ ବର୍ତ୍ତମାନ ଯାହା ବୁଝାଉଛି, ସେଠୁ ମୁଁ ବହୁତ ଦୂରରେ ଏବଂ ସୁଖରେ ଅଛି
****************************************************************
ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କାବ୍ୟକବିତାକୁ ଦିଗ୍ଦର୍ଶନ ଦେବାରେ କବି ସୌଭାଗ୍ୟ କୁମାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ ଉତ୍ତର ଷାଠିଏ ଓଡ଼ିଆ କାବ୍ୟ କବିତାରେ ବାକ୍ଛଳ ସହିତ କାବ୍ୟିକ ଛନ୍ଦର ଯେଉଁ ନୂତନ ପରମ୍ପରା ଶୁଭାରମ୍ଭ ହୋଇଥିଲା ତାହାର ଉତ୍ତରଣ ଘଟିଛି ସୌଭାଗ୍ୟଙ୍କ କବିତାରେ ରୋମାଣ୍ଟିକ୍ କାବ୍ୟ ଚେତନାର ସଫଳ ନିର୍ମାତା ସୌଭାଗ୍ୟ ମିଶ୍ରଙ୍କ ରଚନାରେ ସମୟ, ବାସ୍ତବତା ଓ ସାମାଜିକ ଚେତନାର ଅନ୍ତଃସ୍ବର ଭିନ୍ନ ଭାବରେ ପ୍ରତିଧ୍ବନିତ ଭାରତୀୟ ପରମ୍ପରା ଓ ମୂଲ୍ୟବୋଧର ବିଶ୍ବସ୍ତ କାବ୍ୟଶିଳ୍ପୀ ସୌଭାଗ୍ୟ ମିଶ୍ରଙ୍କ ଓଡ଼ିଆ ସାହିତ୍ୟକୁ ଅବଦାନ ସ୍ବତନ୍ତ୍ର ଏହି ବରେଣ୍ୟ କବିଙ୍କ ସହ ସାକ୍ଷାତ୍ ଆଲୋଚନା କରିଛନ୍ତି- ଅଧ୍ୟାପକ ଡକ୍ଟର ବିଜୟାନନ୍ଦ ସିଂହ
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. ଆରତି ମିଶ୍ର | ଅକ୍ଟୋବର୍ ୧୬, ୨୦୧୧ - ୬:୨୨ ପୂର୍ବାହ୍ନ
ବହୁତ ଭଲ , ବେଶୀ ସୁବିଧା
୨. Debapriya Priyadarshi Chakra | ଜାନୁଆରୀ ୧୦, ୨୦୧୨ - ୩:୧୨ ପୂର୍ବାହ୍ନ
ଖୁବ୍ ଭଲ ଉଦ୍ୟମ