ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ବିଷ୍ଣୁପ୍ରିୟା ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ମଧୁସୂଦନ ଦାସ
ବିଦ୍ୟୁତପ୍ରଭା ଦେବୀ
ଶୈଳେନ୍ଦ୍ର କୁମାର ଜେନା
ଶକ୍ତି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୨୬, ୨୦୧୩  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ଆମ ସାହିତ୍ୟ ହେଉଛି ଆମ ସ୍ବାଭିମାନର ପ୍ରତୀକ୤ ଏହା ଯେପରି ଅଧିକ ଲୋକପ୍ରିୟ ହୋଇ ପାରିବ ସେଥିପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି୤ ଏହି କ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର ବିଶେଷଜ୍ଞ କମିଟି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ସୁପାରିସ କରିବା ଓଡ଼ିଶା ଭାଷା ସାହିତ୍ୟ ପାଇଁ ଗୌରବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି୤ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରତିଷ୍ଠା ଦିବସ ଓ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା କହିଥିଲେ୤

ଏକାଡେମୀର ସଭାପତି ସାତକଡ଼ି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଯେଉଁ ସୁପାରିଶ ହୋଇଛି, ତାକୁ କେନ୍ଦ୍ର ସରକାର ତୁରନ୍ତ ଗ୍ରହଣ କରି ଆଇନ୍‌ରେ ପରିଣତ କରିବାକୁ ଅନୁରୋଧ କରାଯାଇଛି ବୋଲି କହିଥିଲେ୤ ଏହାଦ୍ବାରା ଓଡ଼ିଆ ଭାଷା ସାହିତ୍ୟ ଉପରେ ଅଧିକ ଗବେଷଣା ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ୤ ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୦ ମସିହା ପାଇଁ ବରେଣ୍ୟ କଥାକାର ଚନ୍ଦ୍ରଶେଖର ରଥ, ୨୦୧୧ ମସିହା ପାଇଁ ବିଶିଷ୍ଟ ଭାଷାବିଜ୍ଞାନୀ ଡ.ଗଗନେନ୍ଦ୍ରନାଥ ଦାଶ ଓ ୨୦୧୨ ମସିହା ପାଇଁ ବିଶିଷ୍ଟ କବି ବ୍ରଜନାଥ ରଥଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରିଥିଲେ୤ ସୂଚନାଯୋଗ୍ୟ ଯେ, ପୂର୍ବରୁ ଡ.ଗଗନେନ୍ଦ୍ରନାଥ ଦାଶ ତାଙ୍କୁ ପୁରସ୍କାର ପ୍ରଦାନ ନେଇ ପୂର୍ବରୁ ଉଠିଥିବା କେତେକ ବିବାଦ ଯୋଗୁଁ ଏହି ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ମଧ୍ୟ ପରେ ଏଥିପାଇଁ ରାଜି ହୋଇଥିଲେ୤ ଉପରୋକ୍ତ ତିନିଜଣଙ୍କୁ ପୁରସ୍କାର ବାବଦରେ ନଗଦ ୫୦ହଜାର ଟଙ୍କା ଲେଖାଏ ଏବଂ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା୤

ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ୍ବର ମହାନ୍ତି, ଓଡ଼ିଆ ଭାଷାର ବିକାଶ କେବଳ ସରକାରୀ ଉଦ୍ୟମରେ ହୋଇ ପାରିବ ନାହିଁ, ଏଥିପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି କହିଥିଲେ୤ ରାଜ୍ୟ ସଂସ୍କୃତି ବିଭାଗ ଏହାର ସମସ୍ତ ନଥିପତ୍ର କାର୍ଯ୍ୟ ଓଡ଼ିଆ ଭାଷାର କରିବା ଆରମ୍ଭ କରିଛି ବୋଲି ମନ୍ତ୍ରୀ ଶ୍ରୀ ମହାନ୍ତି ଏହି ଅବସରରେ ସୂଚନା ଦେଇଥିଲେ୤ ରାଜ୍ୟ ସଂସ୍କୃତି ବିଭାଗର ସଚିବ ସନ୍ତୋଷ କୁମାର ଷଡ଼ଙ୍ଗୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗଦେଇ ସାହିତ୍ୟ ଆମ ସଂସ୍କୃତିର ପ୍ରତିଫଳନ ବୋଲି କହିଥିଲେ୤ ତେଣୁ ଓଡ଼ିଶାର ଯୁବବର୍ଗ ଏଥିପ୍ରତି ଅନୁପ୍ରାଣିତ ହେବା ଆବଶ୍ୟକ ବୋଲି ସେ କହିଥିଲେ୤ ଅନ୍ୟତମ ଅତିଥିଭାବେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସୁଶିଲ କୁମାର ଦାସ ଯୋଗଦେଇ ଭାଷା ହିଁ ଗୋଟିଏ ଜାତିର ରକ୍ଷାକବଚ ବୋଲି କହିଥିଲେ୤

ଏକାଡେମୀର ସଭାପତି ସାତକଡ଼ି ହୋତା ଓଡ଼ିଆ ଭାଷାର ବିକାଶ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟର ଆଞ୍ଚଳିକ ଭାଷା ଓ କଥିତ ଭାଷା ଉପରେ ଏକ ଅଭିଧାନ ପ୍ରସ୍ତୁତି ଚାଲିଛି ଓ ଏହା ଆସନ୍ତା ୬ ମାସ ଭିତରେ ଶେଷ ହେବ ବୋଲି କହିଥିଲେ୤ ସେହିପରି କଥିତ ଭାଷାର ବ୍ୟାକରଣ ରଚନା ପାଇଁ ସାହିତ୍ୟ ଏକାଡେମୀ ଉଦ୍ୟମ କରିବ ବୋଲି ଶ୍ରୀ ହୋତା କହିଥିଲେ୤

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନରୁ ୨୫ଜଣ ସାରସ୍ବତ ସାଧକଙ୍କୁ ସେମାନଙ୍କ ସିଦ୍ଧି ଓ ସାଧନାର ସ୍ବୀକୃତି ସ୍ବରୂପ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା୤ ଏହି ସମ୍ମାନରେ ସମ୍ବର୍ଦ୍ଧିତ ସାହିତ୍ୟିକମାନେ ହେଲେ ଅଟଳବିହାରୀ ପଣ୍ଡା, ଘନଶ୍ୟାମ ଧଳ, ରାହାସ ରାୟ, ଡ.ନିମାଇଁ ଚରଣ ପଣ୍ଡା, ରଘୁନାଥ ଡାକୁଆ, ଡ.ବିଜୟ କୁମାର ନନ୍ଦ, ବ୍ରଜକିଶୋର ମହାନ୍ତି, ଫକୀରମୋହନ ଶତପଥୀ, ଦେବରାଜ ସାହୁ, ନିମାଇଁଚରଣ ପଟ୍ଟନାୟକ, ଭାଗବତ ପ୍ରସାଦ ନନ୍ଦ, ଦୟାନିଧି ଦାଶ, ଡ.କବିପ୍ରସାଦ ମିଶ୍ର, ଉମାକାନ୍ତ ଦାଶ, ଧନପତି ରଥ, ଡ.ଶ୍ୟାମସୁନ୍ଦର ମହାପାତ୍ର, ନିର୍ମଳା ମହାନ୍ତି, ଅପୂର୍ବ ରଞ୍ଜନ ରାୟ, ଅରୁଣ କୁମାର ପଣ୍ଡା, ଡ.ବିମ୍ବାଧର ବେହେରା, ସୂର୍ଯ୍ୟପ୍ରଭା ପାଣିଗ୍ରାହୀ ଓ ଡ.ସୁରେନ୍ଦ୍ରନାଥ ଦାଶ୤ ଉପରୋକ୍ତ ସାଧକମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା୤ ଏହା ସହିତ ବିଦ୍ୟାଳୟସ୍ତରରେ ପ୍ରବନ୍ଧ ଓ କବିତା ପାଇଁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା୤ ପ୍ରାରମ୍ଭରେ ସାହିତ୍ୟ ଏକାଡେମୀର ସଚିବ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବାବେଳେ ଏକାଡେମୀର ଉପସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ୤

୨୦୧୦ ମସିହା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ ଗ୍ରହଣ କରିବା ଅବସରରେ କଥାକାର ଚନ୍ଦ୍ରଶେଖର ରଥ କହିଥିଲେ ଯେ, ମନରେ ଶଙ୍କା ଉଠିଥିଲା ଓଡ଼ିଆ ଭାଷାକୁ ନେଇ୤ ଏହା ଯଥେଷ୍ଟ ଅବହେଳା, ଉପେକ୍ଷା ସହିଛି୤ ଅବମାନନା ସହି ଆସୁଥିବା ଭାଷା ଭାଙ୍ଗି ପଡ଼ୁଥିବା ବେଳେ ବର୍ତ୍ତମାନ ସମଗ୍ର ବାତାବରଣରେ ଏକ ଶୁଭବାର୍ତ୍ତା ସଞ୍ଚରିଛି୤ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଁ ଯୋଗ୍ୟ ବିବେଚିତ ହେବା ପରେ ଏହି ଭାଷାକୁ କେହି ଅବହେଳା କରିବାର ଆସ୍ପର୍ଧା କରି ପାରିବେ ନାହିଁ ବୋଲି ସେ କହିଥିଲେ୤ ମିଳିଥିବା ପୁରସ୍କାର, ସମ୍ମାନ ବାସ୍ତବରେ ତାଙ୍କୁ ନୁହେଁ, ଏହା ଉତ୍କଳ ଭାରତୀଙ୍କୁ ସମ୍ମାନ ଓ ଭାଷାକୁ ସମ୍ମାନ ବୋଲି ଶ୍ରୀ ରଥ କହିଥିଲେ୤

୨୦୧୧ ମସିହା ପାଇଁ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ ଭାଷା ଓ ଧ୍ବନୀତତ୍ତ୍ବବିତ୍‌ ଓ ଗବେଷକ ଡ.ଗଗନେନ୍ଦ୍ରନାଥ ଦାଶ କହିଲେ ଯେ, ମୋ ଠାରୁ ବହୁ ଯୋଗ୍ୟ ସାରସ୍ବତ ସାଧକ ଏହି ପୁରସ୍କାର ପାଇ ନାହାଁନ୍ତି୤ ତେଣୁ ମୁଁ ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ସେମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ୤ ତେବେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ସୁପାରିସ ଏକ ଗର୍ବର ବିଷୟ୤ ମାତ୍ର କେବଳ ଶାସ୍ତ୍ରୀୟ ମାନ୍ୟତା ଭାଷାର ବିକାଶ ପାଇଁ ଯଥେଷ୍ଟ ନୁହେଁ୤ ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ପଡ଼ିବ୤ ଏଥିପାଇଁ ସମସ୍ତେ ସଚେତନ ହେବା ଜରୁରି ବୋଲି ଡ.ଦାଶ କହିଥିଲେ୤

୨୦୧୨ ମସିହା ପାଇଁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ ଗ୍ରହଣ କରିବା ଅବସରରେ ବିଶିଷ୍ଟ ସାହିତ୍ୟିକ ବ୍ରଜନାଥ ରଥ କହିଲେ ଯେ, ଗତ ୬୦ ବର୍ଷ ଧରି ସେ ଭାଷାର ସେବକ ଭାବେ କାର୍ଯ୍ୟ କରିଆସୁଛନ୍ତି୤ ବିଶ୍ବକବି ରବୀନ୍ଦ୍ର ନାଥ ଠାକୁର ୧୦୦ବର୍ଷ ପରେ ତାଙ୍କ କବିତା କିଏ ପଢ଼ିବ କିମ୍ବା ନାହିଁ, ସେ ସମ୍ପର୍କରେ ସନ୍ଦିହାନ ଥିବାବେଳେ ଆମ ଭାଷାର କବି ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାହିତ୍ୟ କୃତୀ ୫୦୦ ବର୍ଷ ପରେ ମଧ୍ୟ ଆମ ରାଜ୍ୟର ପ୍ରତି ଘରେ ଘରେ ପରିଚିତ୤ ଏହା ହିଁ ଆମ ଭାଷାର ଗୌରବ ଓ ଅତିବଡ଼ୀ ଆମ ଭାଷା ଅସ୍ମୀତାର ପ୍ରତୀକ ବୋଲି ଶ୍ରୀ ରଥ କହିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଲକ୍ଷ୍ମୀକାନ୍ତ ତ୍ରିପାଠୀ |  ଜୁଲାଇ ୨୬, ୨୦୧୩ - ୮:୧୫ ଅପରାହ୍ନ

    ଖୁବ୍ ଭଲ ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤