ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ଗତ ୪ ତାରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୦୭-୨୦୦୮ ଏବଂ ୨୦୦୮ – ୨୦୦୯ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଭାଷା ହିଁ ଗୋଟିଏ ଜାତିର ପରିଚୟ ବୋଲି କହିଥିଲେ ଓଡ଼ିଆ ଭାଷା ଏକ କାଳଜୟୀ ଭାଷା ଯାହା ଦେଶର ଅନ୍ୟ କେତେକ ଭାଷାକୁ ମଧ୍ୟ ପ୍ରଭାବିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ ଏହି ଅବସରରେ ଏକାଡେମୀ ପକ୍ଷରୁ ପୂର୍ବଘୋଷିତ ୯ ଗୋଟି ବିଭାଗରେ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ଓଡିଆ ସାହିତ୍ୟର ଉପନ୍ୟାସ, ଗଳ୍ପ, କାବ୍ୟକବିତା, ନାଟକ ଓ ଏକାଙ୍କିକା, ପ୍ରବନ୍ଧ ଓ ସମାଲୋଚନା, ଜୀବନୀ ଓ ଭ୍ରମଣ ସାହିତ୍ୟ, ଅନୁବାଦ, ଶିଶୁ ସାହିତ୍ୟ, ଗୀତି କବିତା ଆଦି ୯ଟି ବିଭାଗ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି
ଏଥିରେ ୨୦୦୭ ମସିହା ପାଇଁ ମନୋଜ କୁମାର ମହାପାତ୍ରଙ୍କ ଉପନ୍ୟାସ ‘ନିର୍ବାଣ’, ବିଷ୍ଣୁ ସାହୁଙ୍କ ଗଳ୍ପ ‘ଗୋଟିଏ ଗାଁର ଚିତ୍ରପଟ’, ଅପର୍ଣ୍ଣା ମହାନ୍ତିଙ୍କ କାବ୍ୟକବିତା ‘ଝିଅ ପାଇଁ ଝର୍କାଟିଏ’, ରାମଚନ୍ଦ୍ର ମିଶ୍ରଙ୍କ ନାଟକ ଓ ଏକାଙ୍କିକା ‘ଏକାନ୍ତ ନିଜସ୍ବ’, ରବୀନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପ୍ରବନ୍ଧ ଓ ସମାଲୋଚନା ‘ମଧ୍ୟବିତ୍ତର ଆତ୍ମବିଚାର’, ରବି ତ୍ରିପାଠୀଙ୍କ ଜୀବନୀ ଓ ଭ୍ରମଣ ସାହିତ୍ୟ ‘କାଦମ୍ବିନୀ ଆମରି ଗାଁ ଝିଅ’, ମୋନାଲିସା ଜେନାଙ୍କ ଅନୁବାଦ ‘ଅସ୍ତରାଗ’, ରମେଶ ପତ୍ରୀଙ୍କ ଶିଶୁ ସାହିତ୍ୟ ‘ଚିକୁନ୍ ଓ ଚଢେଇ’ ଏବଂ ଅଲେଖ ଚନ୍ଦ୍ର ପଢିଆରୀଙ୍କ ଗୀତି କବିତା ‘ଗୀତି ବର୍ଣ୍ଣାଳୀ’ ପୁରସ୍କାର ପାଇଛି ସେହିଭଳି ୨୦୦୮ ମସିହା ପାଇଁ ଭୀମ ପୃଷ୍ଟିଙ୍କ ଉପନ୍ୟାସ ‘ସମୁଦ୍ର ମଣିଷ’ ପ୍ରକାଶ ମହାପାତ୍ରଙ୍କ ଗଳ୍ପ ‘କୀଟ ଓ ଅନ୍ୟାନ୍ୟ’, ସୁନୀଲ କୁମାର ପୃଷ୍ଟିଙ୍କ କାବ୍ୟକବିତା ‘ତନୁଲତାର କବିତା’, ପ୍ରସନ୍ନ ଦାସଙ୍କ ନାଟକ ଓ ଏକାଙ୍କିକା ‘କିମ୍ବଦନ୍ତୀ’, ଗୌରାଙ୍ଗ ଚରଣ ଦାସଙ୍କ ପ୍ରବନ୍ଧ ଓ ସମାଲୋଚନା ‘ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି’, ମନୋରଞ୍ଜନ ପ୍ରଧାନଙ୍କ ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଗୋଦାବରୀଶ ମିଶ୍ର’, ଅସିତ ମହାନ୍ତିଙ୍କ ଅନୁବାଦ ‘ବାପୁ-ମୋ ମାଆ’, ମାନସ ରଞ୍ଜନ ସାମଲଙ୍କ ଶିଶୁ ସାହିତ୍ୟ ‘ମନଛୁଆଁ ଗୀତ’ ଓ ବୃନ୍ଦାବନ ଜେନାଙ୍କ ଗୀତି କବିତା ‘ପ୍ରୀତି ସ୍ମୃତି ହୋଇ ଫେରିଆସେ ଯେବେ’ ଆଦି ପୁସ୍ତକ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି
ବେଶ୍ କିଛି ବର୍ଷ ହେଲା ଏକାଡେମୀ ପକ୍ଷରୁ ଠିକ୍ ସମୟରେ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଉ ନ ଥିବାରୁ ବ୍ୟାପକ ଅସନ୍ତୋଷକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ୨୦୦୯-୧୦ ବର୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଏକାଡେମୀର ସଭାପତି ଡ. ରାମ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ ସାମଲ ଯୋଗଦେଇ କୌଣସି ଭାଷାକୁ ସମୃଦ୍ଧ କରିବା ପାଇଁ ସାହିତ୍ୟିକମାନଙ୍କର ଗୁରୁଦାୟିତ୍ବ ଥିବା କଥା କହିଥିଲେ ଏଥିରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଅଶୋକ ତ୍ରିପାଠୀ ଯୋଗ ଦେଇ ଚଳିତ ବର୍ଷ ବିଶ୍ବ ଓଡ଼ିଆ ସମ୍ମିଳନୀ କରାଯିବା ପାଇଁ ଆପାତତଃ ସ୍ଥିର ହୋଇଥିବା ଏବଂ ଓଡ଼ିଆ ସାହିତ୍ୟିକମାନଙ୍କର ମହାନ କୃତିଗୁଡ଼ିକୁ ଅନ୍ୟାନ୍ୟ ଭାଷାରେ ଅନୁବାଦ କରିବା ପାଇଁ ଅର୍ଥ ବ୍ୟବସ୍ଥା ଯୋଗାଯାଇଥିବା କଥା କହିଥିଲେ ଉତ୍ସବରେ ଏକାଡେମୀର ଉପସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ପ୍ରସ୍ତାବ ଦେଇଥିଲାବେଳେ ସଚିବ ବିଜୟ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ