ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ନୀଳମଣି ବିଦ୍ୟାରତ୍ନ
ଅମିୟବାଳା ପଟ୍ଟନାୟକ
ସଦାନନ୍ଦ ତ୍ରିପାଠୀ
କିଶୋରୀକିଙ୍କର ଦାସ
କେ.ଶ୍ୟାମବାବୁ ଦୋରା
ରାଧାନାଥ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଡିସେମ୍ବର୍ ୧୩, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

harihara mishraସାହିତ୍ୟର ବିଭିନ୍ନ ବିଭାଗ ଉପରେ ଲେଖନୀ ଚାଳନାରେ ସିଦ୍ଧହସ୍ତ ହରିହର ମିଶ୍ର ୭୧ବର୍ଷ ବୟସରେ ମଧ୍ୟ ବେଶ୍ ଚଳଚଞ୍ଚଳ୤ ଜଣେ କବି ଗାଳ୍ପିକ ଏବଂ ଅନୁବାଦକ ଭାବେ ସୁଖ୍ୟାତି ଲାଭ କରିଥିବା ଶ୍ରୀ ମିଶ୍ର ଜଣେ ନାଟ୍ୟକାର ଭାବେ ମଧ୍ୟ ସୁପରିଚିତ୤ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହିତ ଅନ୍ୟାନ୍ୟ ବହୁ ପୁରସ୍କାର ଓ ସମ୍ମାନ ପାଇଥିବା ଶ୍ରୀ ମିଶ୍ରଙ୍କ ଲେଖାରେ ଜଗନ୍ନାଥ ସଂସ୍କୃତିର ଝଲକ ସ୍ବତନ୍ତ୍ର ଭାବେ ପରିଦୃଷ୍ଟ ହୋଇଥାଏ୤ ସେଥିପାଇଁ ବୋଧହୁଏ ଶ୍ରୀ ମିଶ୍ର ନିଜକୁ ଜଗନ୍ନାଥଙ୍କ ଜଣେ ସେବକ ବୋଲି ଅବିହିତ କରିଛନ୍ତି୤

ହରିହରିଙ୍କ ସୃଷ୍ଟି :-

କବିତା ସଙ୍କଳନ-ଶଙ୍ଖନାଭି (୧୯୭୩), ଅକ୍ଷମଦେବତା(୧୯୭୮), ସୂକ୍ତ ଶତକ(୧୯୭୮), ଚନ୍ଦ୍ରବିମ୍ବ (୧୯୮୧), ଲାଲକଢ଼ର ତପସ୍ୟା(୧୯୮୨), ଚାହାଣୀ ମଣ୍ଡପ(୧୯୮୩), ସ୍ବପ୍ନ ବିନିମୟ(୧୯୯୨), ଭିତିରି ଚନ୍ଦନ(୧୯୯୪), ଦର୍ପଣ ଶୀଳା(୧୯୯୫), ଶବ୍ଦ ଏକାଏକା ଏକତ୍ର(୧୯୯୫), ସନ୍ଧ୍ୟାଦର୍ଶନ(୧୯୯୮) ଅଣଅକ୍ଷର(୧୯୯୮), ସ୍ବରବର୍ଣ୍ଣ(ଗୀତିକବିତା-୧୯୯୯), ଶଙ୍ଖନାଭି ଓ ଅନ୍ୟାନ୍ୟ କବିତା (୨୦୦୨)୤

ଗଳ୍ପ–ମୂକ ଡାହୁକ(୧୯୭୫), ବୃଷଭର ଏକପାଦ(୧୯୭୭), ଇଚ୍ଛାର ସାମ୍ରାଜ୍ୟ(୧୯୯୦)
ନାଟକ–କାଗଜ ଡ଼ଙ୍ଗା(୧୯୬୦), ରାତିର ଦୁଇଟି ଡେଣା(୧୯୭୪), ହେ ନିଷଦ ନିବୃତ୍ତ ହୁଅ(୧୯୭୩), ନିନ୍ଦିତ ଗଜପତି(୧୯୭୬), ହଂସଧ୍ବନୀ(୧୯୭୮), ମଝିଦରିଆ(୧୯୭୮), ମଧୁଲିତା(୧୯୮୦), ସମ୍ଭବ ଅସମ୍ଭବ(୧୯୮୩), ଏବେ ନୁହେଁ ତ କେବେ ନୁହେଁ (୧୯୯୦)
ଉପନ୍ୟାସ–ବନବିହଙ୍ଗୀ(୧୯୬୦), ନୀଳ ହ୍ରଦର ରକ୍ତ କମଳ(୧୯୬୧)
ସମାଲୋଚନା–ସ୍ବର ସାଧକ(୧୯୮୧)
ଏକାଙ୍କିକା–ବନାଗ୍ନି(୧୯୭୮)
ଅନୁବାଦ–ଗରିଲା (ଜାଁପଲ ସର୍ତ୍ତ ଙ୍କ Crimipassional) ଇତ୍ୟାଦି୤

ପୁରସ୍କାର ଓ ସମ୍ମାନ :-ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୮୦), ଜୀବନ ରଙ୍ଗ ପୁରସ୍କାର (୧୯୮୩), ଝଙ୍କାର ବିଷୁବ ଗଳ୍ପ ପୁରସ୍କାର (୧୯୬୦), ଝଙ୍କାର ବିଷୁବ କବିତା ପୁରସ୍କାର (୧୯୬୯), ବିଷୁବ ପୁରସ୍କାର (ସାମଗ୍ରିକ କୃତି ପାଇଁ) ୧୯୭୪, ଧରିତ୍ରୀ ସମ୍ମାନ (୧୯୭୭), ସାମନ୍ତ ଚନ୍ଦ୍ରଶେଖର ପ୍ରତିଭା ସମ୍ମାନ୤ କଳାତୀର୍ଥ ପୁରସ୍କାର, ଶତାବ୍ଦୀର କଳାକାର ପୁରସ୍କାର ଓ ଯଦୁମଣି ସମ୍ମାନ ତଥା ସୁଧନ୍ୟା ସମ୍ମାନ ଆଦି ଅନ୍ୟତମ୤ ଓଡ଼ିଆ ଶବ୍ଦ ଓ ଭାଷା ଭଣ୍ଡାରର ସାରସ୍ବତ କବି ପ୍ରଚଣ୍ଡ ବାଗ୍ମୀ ଶ୍ରୀଯୁକ୍ତ ମିଶ୍ର କହନ୍ତି, ମୁଁ ଜଣେ ମୁକୁଟ ବିହୀନ ସମ୍ରାଟ୤ ମୁଁ ଜଣେ ବୁଲା ଫକୀର୤ ମୋର ବାସ ଥାଇ ମଧ୍ୟ ବାସ ନାହିଁ୤ ମୁଁ ବାସହରା୤ ଚାରିଆଡ଼େ ବୁଲୁଥିବା ଜଣେ ଯାଯାବର୤ ଦରିଦ୍ର୍ଯ ହେଉଛି ମୋର ଚିର ସହଚର୤

ଜଣେ ଯଶସ୍ବୀ କବି, ଗାଳ୍ପିକ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ଭାବରେ ଆପଣ ପରିଚିତ୤ ତେବେ କବିତା କିମ୍ବା ନାଟକ ପ୍ରଥମେ କେଉଁ ରଚନାରେ ଆପଣ ହାତ ଦେଇଥିଲେ ?
ଉତ୍ତର :- ଏ ସମସ୍ତ ସୃଷ୍ଟି ଏକା ସମୟରେ ଆରମ୍ଭ ହୋଇଛି୤ ତେବେ ଅଭିନୟ ମୁଁ ଚାରି, ପାଞ୍ଚ ବର୍ଷ ବୟସରୁ ମୋହନ ଦେବ ଗୋସ୍ବାମୀଙ୍କ ରାସଦଳରେ ଆରମ୍ଭ କରିଛି୤ ମୋର ପିତା ଚିନ୍ତାମଣି ମିଶ୍ର ଓରଫ୍‌ ମଣିରାମ ମିଶ୍ର ଓ ମାତା ସେବତୀ ଦେବୀଙ୍କ ସହଯୋଗ ହେତୁ ଏହା ସମ୍ଭବ ହୋଇଛି୤ ୧୯୪୧ ରୁ ୧୯୪୫ ଦ୍ବିତୀୟ ମହାଯୁଦ୍ଧ ପରିସ୍ଥିତିରେ ଛୋଟ ଶ୍ରୀକୃଷ୍ଣ ଭାବେ ଅଭିନୟ କରିଥିବା ଝପ୍‌ସା ମନେପଡୁଛି୤

ଆପଣ ନିଜକୁ ଅଧିକ ଭାବରେ କେଉଁଠି ବ୍ୟକ୍ତ କରିଛନ୍ତି ? କବିତା, ନାଟକ ନା ଗଳ୍ପରେ ?
ଉତ୍ତର :- ନିଶ୍ଚିତ ଭାବେ କବିତାରେ୤

କବିତା ଓ ନାଟକ ମଧ୍ୟରେ ଆପଣ କେଉଁଧରଣର ସାମ୍ୟ ଓ ବୈଷମ୍ୟ ଦେଖନ୍ତି ?
ଉତ୍ତର :-ସାମ୍ୟ ଅଛି ନାଟକର ସଂଶ୍ଳେଷଣ ଓ କାବ୍ୟିକ ନ୍ୟାୟ ମାଧ୍ୟମରେ ଓ ନାଟକର ଉପସଂହାର କରିବାରେ୤ ବୈଷମ୍ୟ ଅନେକ ରହିଛି୤ ମୂଳତଃ ନାଟକ ଏକ ଦୃଶ୍ୟାଭିନୟ ବା ଶ୍ରାବ୍ୟ କାବ୍ୟ ନାଟକ ହୋଇପାରେ୤

ଆପଣଙ୍କ ଅଧିକାଂଶ କବିତା ସଂକଳନରେ ଜଗନ୍ନାଥ ସଂସ୍କୃତିର ତଥା ପୁରୀ ଜନଜୀବନର ସ୍ଥୁଳ ରୂପ ପ୍ରକାଶ ପାଇଛି, ସେ ସମ୍ପର୍କରେ ଆପଣ କି ପ୍ରତିକ୍ରିୟା ପ୍ରକାଶ କରିବେ ?
ଉତ୍ତର :- ଜଗନ୍ନାଥ ସଂସ୍କୃତି ସମସ୍ତ ନ୍ୟସ୍ତସ୍ବାର୍ଥକୁ ଏଡ଼ିଦେଇ ଚାଲିଥିଲେ ମଧ୍ୟ ସମ୍ପୂର୍ଣ୍ଣ ମୁକ୍ତ ହୋଇ ପାରୁନାହିଁ୤ ଜଗନ୍ନାଥଙ୍କ ପାଇଁ ଭକ୍ତ ସୃଷ୍ଟି ନକରି ଉପଭୋକ୍ତା ସୃଷ୍ଟି କରିବାର ବ୍ୟବସାୟୀ ବୃଦ୍ଧି ସ୍ବେଚ୍ଛାଚାରକୁ ପ୍ରଶ୍ରୟ ଦେଇଛି ମନ୍ଦିର ବାହାରେ ଓ ଭିତରେ୤ ଧର୍ମୀୟ ଅର୍ଗଳି ଭିତରେ ମଣିଷକୁ ଅପରାଧୀ ଭଳି ବ୍ୟବହାର କରାଯାଇଛି୤ ପୌରହିତ୍ୟ ବାଦରୁ ଅପଛାୟା ଗ୍ରାସ କରିଛି ସେମାନଙ୍କ ବୁଦ୍ଧି ଓ ଅହଙ୍କାରକୁ୤ ସାମ୍ୟ, ମୈତ୍ରୀ, ମୁକ୍ତିର ନିଦର୍ଶନ ‘ମହାପ୍ରସାଦ’ ଜନଜୀବନକୁ ଆହ୍ଲାଦିତ କରୁଛି୤ ଏହା ଆମର ଆଧ୍ୟାତ୍ମିକା ଓ ଜାତୀୟତାର ପୁରୀ ମୋର ଘର ଏବଂ ଜଗନ୍ନାଥ ମୋ ଠାକୁର୤

ସାହିତ୍ୟରେ ଉତ୍ତର ଆଧୁନିକତା ସମ୍ପର୍କରେ ଚର୍ଚ୍ଚା ଚାଲିଛି୤ ଆପଣଙ୍କର ପ୍ରତିକ୍ରିୟା କ’ଣ ?
ଉତ୍ତର :- ଆଧୁନିକ/ଆଧୁନିକତା ବାଦ/ସଂରଚନା/ସଂରଚନା ବାଦ, ଉତ୍ତର ସଂରଚନା ଏବଂ ଉତ୍ତର ଶ୍ରେଣୀବଦ୍ଧ କରିବାରେ ସମାଲୋଚକମାନଙ୍କୁ ସାହାଯ୍ୟ କରିଛି୤ ଆଧୁନିକ ଯେପରି ଆସିଛି ଉତ୍ତର ଆଧୁନିକତା ସେପରି ଆସିବ୤ ଓଡ଼ିଆ ସାହିତ୍ୟରେ ସେସବୁ ସମାଲୋଚନାର ସ୍ପୁଲିଙ୍ଗ ନାହିଁ୤ ଶବ୍ଦର କୁହୁକ, ଧ୍ବନିଗତ ଚିତ୍ରାଭିନୟ, କମ୍ପ୍ୟୁଟର କଳା ମାଧ୍ୟମରେ ଦୃଶ୍ୟ ଓ ଦୃଷ୍ଟି ବଦଳିବା ଆରମ୍ଭ ହୋଇସାରିଲାଣି୤

ଶଙ୍ଖନାଭି, ଭିତିରି ଚନ୍ଦନ, ଚାହାଣି ମଣ୍ଡପ, ଦର୍ପଣଶିଳା, ଅଣଅକ୍ଷର, ସନ୍ଧ୍ୟାଦର୍ଶନ, ଏପରି କବିତା ସଂକଳନର ନାମକରଣରେ ଆପଣଙ୍କର ବୈଶିଷ୍ଟ୍ୟ ନା ଜଗନ୍ନାଥ ଚେତନାକୁ ଆଧୁନିକତା ଭିତରେ ପ୍ରୟୋଗ କରିବା ଏକ ଫେଶନ୍‌ ?
ଉତ୍ତର :- ନା ଏଥିରେ ବୈଶିଷ୍ଟ୍ୟ ଅଛି ନା ଏହାମଧ୍ୟ ଯାଦୁଚ୍ଛିକ ବିଳାସ୤ ଏହା ଫେଶନ୍‌ ନୁହେଁ ପାଶନ୍‌୤ ଏହାତୁଳନାରେ ମଣିଷ ପ୍ରବୃତ୍ତି ଏକ ଅଲୋଡ଼ା ପ୍ରବୃତ୍ତି ନହୋଇ ମଣିଷ ଏକ ମହିମାମୟ ପୁରୁଷୋତ୍ତମର ନୈତିକ ଯୋଗ୍ୟତା ଲାଭ କରିବା ପାଇଁ ବାଟ ଖୋଜି ପାଏ୤

ଜୀବନକାଳରେ କେତେ ମନ୍ଦ ମଧୁର ମଳୟରେ ଭିଜିଥିବେ, ପ୍ରେମ କରିବାର କଥାରେ ବିଭୋର ହୋଇ ନିଆରା ଜୀବନ ବିତାଇଥିବେ, ସେ ସମ୍ପର୍କରେ କୁହନ୍ତୁ୤
ଉତ୍ତର :- ପ୍ରେମ କେବଳ ଯୌବନର ଶିହରଣ ନୁହେଁ୤ ଏକ କାଳୋତ୍ତୀର୍ଣ୍ଣ ଚେତନା୤ ଯୌବନରେ ଲେଖିଥିଲି- “ପ୍ରଣୟ ହୋଇଥିଲେ ଫୁଲ ପ୍ରେମ ତା’ର ଦେହର ସୁରଭି ସେ ସୁବାସେ ଆକୁଳ ମୁଁ ଫୁଲ ଖାଲି କଦାପି ଚାହିଁନି୤ ଯେତେ ମୁଁ ତ ଚେଷ୍ଟା କଲି କେମିତି ମୁଁ ସବୁ ଭୁଲିଯିବି୤ ସେତିକି ତ ଚେଷ୍ଟାକଲି କିନ୍ତୁ ଦିନେ ହେଲେ ଭଲ ମୁଁ ପାଇନି୤”

ଅଶୀପୂର୍ବର ଆପଣଙ୍କ କବିତା ଓ ଏବେକାର କବିତା ଭିତରେ କ୍ରମେ ସରଳହେବା ପରିଲକ୍ଷିତ ହେଉଛି, ସେ ବିଷୟରେ ଆପଣଙ୍କ ମତ ?
ଉତ୍ତର :- ସରଳ କବିତା ସହଜ ନୁହେଁ୤ କବିତା ସ୍ବରରେ କିଛି ନୂତନତା ସୃଷ୍ଟି କରିବା ଏବଂ ଶୈଳୀର ନୂତନ ସୃଷ୍ଟି କରିବା ଏବଂ ଶୈଳୀର ନୂତନ ପ୍ରୟୋଗ ବିଧି ସୃଷ୍ଟି କରିବା ପ୍ରତିଟି ମୌଳିକ କବିର ଲକ୍ଷ୍ୟ୤

କେତକଙ୍କ ମତରେ ଆପଣ କବିତାରେ ବାସ୍ତବଚିତ୍ର ଖୁବ୍‌ କମ୍‌, ଏହାର କାରଣ କ’ଣ ?
ଉତ୍ତର :- ବାସ୍ତବତା ସାମ୍ପ୍ରତିକତା ଉପରେ ଦଣ୍ଡାୟମାନ୤ ତାକୁ ଉତ୍ତୀର୍ଣ୍ଣ ହେବାରେ ସାହିତ୍ୟରେ ଚିରନ୍ତନତାର ଆଭାସ ମିଳେ୤ ଏହା ମଧ୍ୟ ବାସ୍ତବତାକୁ ବାଦଦେବା ସମ୍ଭବ ହୁଏନାହିଁ୤ ନିଜସ୍ବ ଶୈଳୀ ପାଇଁ କଳ୍ପନା ଅନ୍ତରାୟ ହୁଏନାହିଁ୤ କବିତା ପାଇଁ କଳ୍ପନାର ଆବଶ୍ୟକତା ରହିଛି ବୋଲି ମୋର ବିଶ୍ବାସ୤

ଆମ ରାଜ୍ୟର ସାହିତ୍ୟ ଆଲୋଚକମାନେ ବିଦେଶରୁ ଆମଦାନୀକରା ମାନଦଣ୍ଡରେ ଏଠାକର ସାହିତ୍ୟ ବିଚାର କରୁଛନ୍ତି ଏ ବାବଦରେ ଆପଣଙ୍କ ମନ୍ତବ୍ୟ-
ଉତ୍ତର :- ଆମ ସାହିତ୍ୟର ସମାଲୋଚନା ଧାରା ଓ ସମାଲୋଚକମାନଙ୍କ ପ୍ରମୁଖ ଦୃଷ୍ଟିଭଙ୍ଗୀ ଗୁଡ଼ିକୁ ଯୁଗ ନିର୍ବିଶେଷରେ ଆକଳନ କରାଯିବା ଉଚିତ୍‌୤ ତାପରେ ସେଗୁଡ଼ିକ ବିଶ୍ଳେଷଣ ସୃଷ୍ଟିକରି ସମାଲୋଚନାର ମାନଦଣ୍ଡକୁ ସ୍ଥିର କରାଯିବା ଦରକାର୤ ତେବେ ଯେପରି ସାହିତ୍ୟ କର୍ମର ଆବଶ୍ୟକତା ରହିଛି, ତା ହେଉନାହିଁ୤

‘ଅନାମ କାବ୍ୟ ଆନ୍ଦୋଳନ’ ର ପ୍ରଭାବ ଓ ତା’ର ଏବେକାର ଶିଥିଳତା ସମ୍ପର୍କରେ କିଛି ସୂଚନା ଦିଅନ୍ତୁ ?
ଉତ୍ତର :- କୁମାର ମହାନ୍ତି, ଉଦୟ ଦାସ, ମଧୁ ମହାନ୍ତି ଆଉ ଫେରିବେ ନାହିଁ୤ ମୋ ପାଇଁ ସେମାନେ ବଞ୍ଚିଛନ୍ତି କିନ୍ତୁ ସେମାନଙ୍କ ଅନେକ କଥା ଅକୁହା ରହିଛି୤ ଅନାମ ଚେତନା ଓ ତା’ର ଆଭିମୁଖ୍ୟକୁ ହୃଦୟଙ୍ଗମ କରି ଯେଉଁମାନେ ଲେଖୁଥିଲେ, ଲେଖୁଛନ୍ତି ବା ଲେଖିବେ ସେମାନେ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପାଲଟି ଯାଇଥିବେ୤

ଆପଣଙ୍କର ସୁଖକର ଅନୁଭୂତି ସମ୍ପର୍କରେ :-
ଉତ୍ତର :- ସ୍ଥିତିରୁ ଅସ୍ଥିତି ଭିତରେ ଯିବା ଅପେକ୍ଷାକୃତ ସୁଖକର ଅନୁଭୂତି୤ ତା’ପରେ ସୁଖ, ଦୁଃଖର ସ୍ଥିତି ନାହିଁ୤ କୋଳାକୋଳି, ଗୋଳାଗୋଳି ହେବା ପାଇଁ ଆତ୍ମାର ପ୍ରବର୍ତ୍ତନା ନାହିଁ୤ ନାହିଁ କରୁଥିବା ଅବସ୍ଥାରେ କାନ୍ଦ କାନ୍ଦ ଅବସ୍ଥାରେ ଆନନ୍ଦମୟ ସତ୍ତାରୁ ପୁନଶ୍ଚ ବିଛିନ୍ନତା ଓ ପୁର୍ନଜନ୍ମ୤ ଆନନ୍ଦ ଅପହଞ୍ଚ ପୁନଶ୍ଚ ଯାତ୍ରାରମ୍ଭ୤ ସିସିଫସର ଅଭିଶପ୍ତ ଜୀବନ୤ ସବୁ ଦିହସୁହା୤

ସବୁଠୁ ଦୁଃଖଦ ଅନୁଭୂତି ?
ଉତ୍ତର :- ପ୍ରିୟ ଲୋକଟି ଦେଖି ନ ଦେଖିଲା ପରି ବ୍ୟବହାରେ କଲେ କିମ୍ବା ବିଶ୍ବାସ ଭଙ୍ଗ କଲେ୤ ତଥାପି ଏ ମହାବାତ୍ୟା ମୋତେ ମୂକ କରିଦେଇଛି୤

ଲେଖକ ହୋଇନଥିଲେ କ’ଣ ହୋଇଥାନ୍ତେ ?
ଉତ୍ତର :- ଅଧ୍ୟାପନା ମୋର ବୃତ୍ତି୤ ତେବେ ଜଣେ ନାଟ୍ୟଶିଳ୍ପୀ ଭାବେ ତ ମୁଁ ଜଣାଶୁଣା୤

ଆପଣଙ୍କ ସ୍ବପ୍ନ ?
ଉତ୍ତର :- ଆମ ଐତିହ୍ୟର ସମ୍ଭାବନା ଗତିକୁ ଯୁଗୋପଯୋଗୀ ରୀତିରେ ସମୃଦ୍ଧ କରିବା୤

ଆପଣ ନିଜ ପାଇଁ କିଭଳି ମୃତ୍ୟୁକୁ ଲୋଡ଼ିବେ ?
ଉତ୍ତର :- ମୃତ୍ୟୁଠାରୁ ଏ ଯାଏ ଜୀବନକୁ ଲୋଡ଼ି ଆସିଛି୤ ସେତେବେଳେ ସେ ସଦୟ ହୋଇଛି୤ ତାକୁ ଲୋଡ଼ିଲେ ସେ ଯଦି ଆସେ, ଖୁସି ହେବି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଏ.ବାମଦେବ ପାତ୍ର |  ଡିସେମ୍ବର୍ ୧୪, ୨୦୧୧ - ୫:୦୪ ପୂର୍ବାହ୍ନ

    ଯା ହେଊ ଭାଇ ବଢିଆ ହଓଇଛି.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤