ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିଦ୍ୟୁତପ୍ରଭା ଦେବୀ
ଗଣେଶ୍ୱର ମିଶ୍ର
ସୁଶାନ୍ତ ଦାଶ
ଡକ୍ଟର ମାୟାଧର ମାନସିଂହ
କେ.ଶ୍ୟାମବାବୁ ଦୋରା
ଉତ୍କଳମଣି ଗୋପବନ୍ଧୁ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଓଡ଼ିଆରେ ଓଡ଼ିଆ : ଆମେ ଅଣଓଡ଼ିଆ
  ନୀଳାମ୍ବର ବିଶ୍ବାଳ
 
 
ତା: ମାର୍ଚ୍ଚ୍ ୧୫, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ସାରା ଭାରତରେ ଦୁଇ ପ୍ରକାରର ସରକାରୀ କର୍ମଚାରୀ- ଥୋକେ ରାଜ୍ୟ ସରକାରଙ୍କର, ଆଉ ଥୋକେ କେନ୍ଦ୍ର ସରକାରଙ୍କର୤ଭାରତ ସରକାରଙ୍କ ଉଚ୍ଚବର୍ଗର କର୍ମଚାରୀଙ୍କୁ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ଏବଂ ନିମ୍ନବର୍ଗର କର୍ମଚାରୀଙ୍କୁ ଭାରତୀୟ କର୍ମଚାରୀ ଚୟନ ଆୟୋଗ(ଏସ୍‌ଏସ୍‌ସି) ବାଛନ୍ତି୤ ସେହିପରି ଓଡ଼ିଶା ସରକାରଙ୍କ ଉଚ୍ଚବର୍ଗର କର୍ମଚାରୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଏବଂ ନିମ୍ନବର୍ଗର କର୍ମଚାରୀଙ୍କୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଷ୍ଟାଫ୍ ସିଲେକ୍ସନ କମିଶନ୍) ଚୟନ କରିଥାନ୍ତି୤ ଭାରତୀୟ ପ୍ରଶାସନିକ ସେବା(ଆଇ.ଏ.ଏସ୍) ଅଧିକାରୀମାନେ ମଧ୍ୟ ରଜ୍ୟସରକାରଙ୍କ ଅଧୀନରେ କାମ କରନ୍ତି୤

ତେଣୁ ଆମ ରାଜ୍ୟସରକାରଙ୍କର ଦୁଇ କିସମର ପ୍ରଶାସନିକ ଅଧିକାରୀ ଅଛନ୍ତି୤ ଉଚ୍ଚବର୍ଗର ପ୍ରଶାସକଗଣ ହେଲେ ଭାରତୀୟ ପ୍ରଶାସନିକ ସେବା(ଆଇ.ଏ.ଏସ୍) ଅଧିକାରୀ, ନିମ୍ନବର୍ଗର ପ୍ରଶାସକଗଣ ହେଲେ ଓଡ଼ିଶା ପ୍ରଶାସନିକ ସେବା(ଓ.ଏ.ଏସ୍) ଅଧିକାରୀ୤ ଉଭୟ ଚାକିରି ଚୟନ ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ସ୍ନାତକ୤ ଉଭୟ ଚାକିରି ସକାଶେ ପ୍ରଥମେ ବଛାବଛି ପରୀକ୍ଷା, ତାପରେ ଲିଖିତ ଓ ମୌଖିକ ପରୀକ୍ଷା ହୁଏ୤ ଆଇ.ଏ.ଏସ୍ ପରୀକ୍ଷାର ଢାଞ୍ଚା ଏବେ ବଦଳି, ବଛାବଛି ପରୀକ୍ଷାରେ ତାର୍କିକ ଦକ୍ଷତା(Aptitude) ପରୀକ୍ଷଣ ବ୍ୟବସ୍ଥା ହୋଇଛି୤ ସେହି ଅନୁସାରେ ଓ.ଏ.ଏସ୍ ପରୀକ୍ଷାର ଢାଞ୍ଚା ମଧ୍ୟ ବଦଳିବାକୁ ଯାଉଛି୤

ଗୋଟିଏ ପ୍ରକାର ପ୍ରସ୍ତୁତିରେ ଜଣେ ପ୍ରାର୍ଥୀ ଊଭୟ ଆଇଏଏସ୍ ଏବଂ ଓଏଏସ୍ ପରୀକ୍ଷା ଦେଇପାରିବ୤ ଏହା ଏକ ଅଭିନନ୍ଦନୀୟ ପଦକ୍ଷେପ୤ ଅନ୍ୟ ରାଜ୍ୟରେ ଏହି ଢାଞ୍ଚା ଅନେକ ଦିନରୁ ପ୍ରଚଳିତ ହୋଇସାରିଛି୤ ମାତ୍ର ଓଡ଼ିଶାରେ ଡେରିରେ ହେଲା –ତାହା ପୁଣି ବିକୃତ ଭାବରେ୤ ଆଇଏଏସ୍ ଏବଂ ଆମ ଓଏଏସ୍ ପରୀକ୍ଷା ମଧ୍ୟରେ ଥିବା ଫରକ ହେଲା – ଆଇଏସ୍ ପରୀକ୍ଷାରେ କେବଳ ଇଂରାଜୀକୁ ଛାଡ଼ି ଜଣେ ପ୍ରାର୍ଥୀ ଅନ୍ୟ ସମସ୍ତ ବିଷୟରେ ଯେକୌଣସି ଅନୁସୂଚିତ ପ୍ରାନ୍ତୀୟ ଭଷା ମାଧ୍ୟମରେ ପରୀକ୍ଷା ଦେଇପାରିବ୤ ଅର୍ଥାତ ନିଜର ଇଚ୍ଛା ଅନୁସାରେ ପରୀକ୍ଷାର୍ଥୀ ହିନ୍ଦୀ, ବଙ୍ଗଳା, ଓଡ଼ିଆ, ତେଲଗୁ, ତାମିଲ, ଇଂରାଜୀ, ମରାଠି ଆଦି ଯେକୌଣସି ଭଷା ମାଧ୍ୟମରେ ପରୀକ୍ଷା ଦେଇପାରିବ୤ ତେଣୁ ଅନ୍ୟ ରାଜ୍ୟର ପ୍ରାର୍ଥୀ ନିଜ ମାତୃଭାଷା ମାଧ୍ୟମରେ ଆଇଏଏସ୍ ତଥା ଏସ୍‌ଏସ୍‌ସି ପରୀକ୍ଷା ଦେଊଛନ୍ତି – ସେସବୁ ରାଜ୍ୟର ପ୍ରଶାସନିକ ସେବା ଠାରୁ କିରାଣି ପର୍ଯ୍ୟନ୍ତ ସବୁ ପରୀକ୍ଷାରେ ପରୀକ୍ଷାର୍ଥୀ ନିଜ ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଉଛନ୍ତି୤ ମାତ୍ର ଓଡ଼ିଶା ହେଉଛି ଏକ ମାତ୍ର ରାଜ୍ୟ, ଯେଉଁଠି ଓଏଏସ୍ ଠାରୁ କିରାଣି ପର୍ଯ୍ୟନ୍ତ ସମସ୍ତ ଚୟନ ଇଂରାଜୀ ମାଧ୍ୟମରେ ହୁଏ୤ ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବାର ସୁଯୋଗ ଏଠାରେ ନାହିଁ୤ ବହୁ ପୂର୍ବରୁ ଆଇଏଏସ୍ ପରୀକ୍ଷା ମଧ୍ୟ କେବଳ ଇଂରାଜୀ ମାଧ୍ୟମରେ ହେଉଥିଲା୤ ସେତେବେଳେ ଓଡ଼ିଆ ପିଲାଏ ଆନୁପାତିକ ସଫଳତା ମଧ୍ୟ ପାଉଥିଲେ୤ ଏପରିକି ଅଶୀ ଦଶକରେ ବର୍ଷକୁ ୧୫/୨୦ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହେଉଥିଲେ୤ ଏହି ସଫଳତା ସର୍ବଭାରତୀୟ ହାର ତୁଳନାରେ ଭଲ ଥିଲା୤ ଯେବେଠାରୁ ପ୍ରାନ୍ତୀୟ ଭଷା ମାଧ୍ୟମରେ ଆଇଏଏସ୍ ପରୀକ୍ଷା କରାଗଲା, ସେହିଦିନଠାରୁ ଓଡ଼ିଶାର ସଫଳତା ନିମ୍ନଗାମୀ ହେଲା୤ ଏବେ ଓଡ଼ିଶାର ସଫଳତା ଏକ ଅଙ୍କରେ ସୀମିତ ରହୁଛି୤ ବର୍ଷେ ବର୍ଷେ ଜଣେ ଦୁଇଜଣ ପାଉଛନ୍ତି୤ ୨୦୦୬ ମସିହାରୁ ଷ୍ଟାଫ୍ ସିଲେକ୍ସନ କମିଶନ୍ ଜରିଆରେ ସବୁ ସର୍ବଭାରତୀୟ ଚାକିରି ଯୋଗାଣ ସଂସ୍ଥାରେ ମାତୃଭାଷା ମାଧ୍ୟମରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି୤ ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଉଥିବା ଅନ୍ୟ ରାଜ୍ୟର ପିଲାଏ ଏଣିକି ବାଜିମାତ୍ କରିବେ- ଓଡ଼ିଆ ପିଲାଏ ଭକୁଆ ହୋଇ ରହିବେ୤

ଏବେ ବିଚାରିବାର ବେଳ ଆସିଛି୤ ପରିସଂଖ୍ୟାନ ଏହିଯେ, ଓଡ଼ିଶାର ସମସ୍ତ ପରୀକ୍ଷାର୍ଥୀ କେବଳ ଇଂରାଜୀରେ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷା ଦେଉଛନ୍ତି; ମାତ୍ର ଅନ୍ୟ ରାଜ୍ୟର ୯୦ ଶତାଂଶ ପିଲା ନିଜ ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଊଛନ୍ତି ଏବଂ ସଫଳ ହେଉଛନ୍ତି୤ ଓଡ଼ିଆ ପିଲାଏ ଲେଖନ୍ତି ଇଂରାଜୀରେ ଏବଂ ସେମାନଙ୍କ ଖାତା ଦେଖନ୍ତି ଅଣଓଡ଼ିଆମାନେ୤ ଯେଉଁ ପ୍ରାର୍ଥୀ ନିଜ ଭାଷାରେ ଲେଖୁଛି, ତା’ ଖାତା ସେହି ଭାଷାଭାଷୀ ପରୀକ୍ଷକ ଦେଖନ୍ତି୤ ଏପରିକି ଆଇଏଏସ୍ ସାକ୍ଷାତକାର ପରୀକ୍ଷାରେ ପ୍ରାନ୍ତୀୟ ଭାଷା ମାଧ୍ୟମ ପିଲାଙ୍କୁ ସେହି ଭାଷାଭାଷୀ ବିଶାରଦଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ରବୋର୍ଡ ପରୀକ୍ଷା କରନ୍ତି୤ ଓଡ଼ିଆ ପିଲାଙ୍କ ସକାଶେ ଓଡ଼ିଅ ବିଶାରଦଙ୍କ ସ୍ବତନ୍ତ୍ର ବୋର୍ଡ ମଧ୍ୟ ଥଏ; ମାତ୍ର କେହି ଓଡ଼ିଆ ପିଲା ଓଡ଼ିଆରେ ଇଣ୍ଟର୍‌ଭ୍ୟୁ ଦିଅନ୍ତିନାହିଁ୤ ଏଭଳି ପରିସ୍ଥିତିରେ ଓଡ଼ିଶାର ପ୍ରାର୍ଥୀ ଅଣଓଡ଼ିଆଙ୍କ ସହିତ ପ୍ରତିଯୋଗିତା କରି ପାରିବ କି ?

ଅନ୍ୟ ଏକ ଗୁରୁତର କଥା ଏହିଯେ, ଓଡ଼ିଆ ମାଧ୍ୟମରେ ଆଇଏଏସ୍ ତଥା ଅନ୍ୟାନ୍ୟ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷା ତଥା ସାକ୍ଷାତକାର ଦେଇହେବ- ଏକଥା ଆମର ବଡ଼ବଡ଼ିଆ ବୃନ୍ଦ ପ୍ରାୟତଃ ଜାଣନ୍ତି ନାହିଁ୤ ଯଦି ଜାଣିଥା’ନ୍ତେ, ତେବେ ଆଇଏଏସ୍ ଓଡ଼ିଆ ମାଧ୍ୟମରେ ଦେବାର ସୁଯୋଗ ଥିବାବେଳେ – ଓଡ଼ିଶା ମୁଲକର ସାମାନ୍ୟ କିରାଣି ଚାକିରି ପାଇଁ ଇଂରାଜୀ ମାଧ୍ୟମର ବାଧ୍ୟବାଧକତାକୁ ସ୍ବାଭିମାନୀ ଓଡ଼ିଆ କ‘ଣ ବରଦାସ୍ତ କରନ୍ତେ ? ବରିଷ୍ଠ ପଦାଧିକାରୀ ତଥା ଲୋକପ୍ରତିନିଧିଗଣ ଏବେ ଏବେ ଜାଣୁଛନ୍ତି ଓ ଓଏଏସ୍ ପରୀକ୍ଷାରେ ଓଡ଼ିଆ ମାଧ୍ୟମର ସୁଯୋଗ ଦେବା ପାଇଁ ଚିନ୍ତା କରୁଛନ୍ତି୤

ଏବେ ଆଉ ଏକ କଥା ମନକୁ ଆସୁଛି୤ ଆମ ସ୍କୁଲ୍କ୍ କଲେଜରେ ଏବର ଓଡ଼ିଆ ପଢ଼ାପଢ଼ିର ଅବସ୍ଥା ଯାହା, ଆମର ଓଡ଼ିଅ ପିଲାଏ ଓଡ଼ିଆ ମାଧ୍ୟମରେ ଠିକ୍ ଠିକ୍ ଲେଖି ପାରିବେ ତ ? ଯେଉଁ ପ୍ରଦେଶରେ ପ୍ରାଦେଶିକ ପରୀକ୍ଷା ଗୁଡ଼ିକ ଇଂରାଜୀ ମାଧ୍ୟମରେ ହୁଏ, ସେହି ପ୍ରଦେଶର ପିଲା ଓଡ଼ିଆରେ ଲେଖିବାକୁ କାହିଁକି ମନ ବଳେଇବ ?

ସାଧୁ ସାବଧାନ୍ ! ଓଡ଼ିଆ ଜାତିର ନାତିଟୋକାର ଭବିଷ୍ୟତ ଅନ୍ଧାର ହୋଇ ଆସିଲାଣି- ସେ ପ୍ରଶ୍ନ ପୁଚ୍ଛିବା ଆରମ୍ଭ କଲାଣି୤ ହେ! ବଡ଼ବଡ଼ିଆ ଓଡ଼ିଆ ! ଆମକୁ ଏମିତି ନିକମା କଲ କାହିଁକି ? ଏମିତି ଅଣଓଡ଼ିଆମି ଆଉ କେତେଦିନ ? ଏହି ପ୍ରଶ୍ନର ଉତ୍ତର ଖୋଜିବା ଚାଲନ୍ତୁ୤ ଖାଲି କାରଣ ଜାଣି କି’ ଲାଭ – ନିରାକରଣ ଖୋଜିବା ମଧ୍ୟ ଆବଶ୍ୟକ୤

ସମସ୍ୟା ସମାଧାନର ଏକମାତ୍ର ପନ୍ଥା – ଓଡ଼ିଆ ଭଷାକୁ ଜୀବିକା ସହିତ ଯୋଡ଼ିବା୤ ଏ କଥା ଗୁଞ୍ଜରିତ ହେଲାଣି ୤ ଓଡ଼ିଶାର ସମସ୍ତ ଚାକିରି ପାଇଁ ବଛାବଛି ପରୀକ୍ଷା ଇଂରାଜୀ ଏବଂ ଓଡ଼ିଆରେ ହେଉ୤ ପରୀକ୍ଷାରେ ଓଡ଼ିଆ ମାଧ୍ୟମ ପରୀକ୍ଷାର୍ଥୀଙ୍କ ଅର୍ଜିତ ନମ୍ବରର କୋଡ଼ିଏ ପ୍ରତିଶତ ଅଧିକ ଅନୁକମ୍ପା ଭିତ୍ତିରେ ଦିଆଯାଇ ଯୋଗ୍ୟତା ତାଲିକା ଗୃହୀତ ହେଉ୤ ଦେଖିବେ, ଅଳ୍ପ ଦିନରେ ଆମ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଓଡ଼ିଆ ଓଡ଼ିଆ ବାସ୍ନା ମହମହ ମହକିବ ୤ ଅନ୍ୟ ରାଜ୍ୟର ପିଲାଙ୍କପରି ଆମ ପିଲା ମଧ୍ୟ ମାତୃଭଷା ମାଧ୍ୟମରେ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷାରେ କୃତକାର୍ଯ୍ୟ ହେବେ୤

କଥାଟା ଏତେ ସହଜ ନୁହେଁ – ଅସାଧ୍ୟ ମଧ୍ୟ ନୁହେଁ ୤ ସବୁ ଠିକ୍ଠିକ୍ ଚାଲୁ – ରାଜନୈତିକ ଇଛାଶକ୍ତିର ଜୟ ହେଉ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନୀଳାମ୍ବର ବିଶ୍ବାଳ
author photo
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ସୁଦୀପ୍ତ ପଣ୍ଡା |  ମାର୍ଚ୍ଚ୍ ୨୦, ୨୦୧୧ - ୩:୨୨ ପୂର୍ବାହ୍ନ

    ସତରେ କଣ ଏମିତି ହେବ?

    ସୁଦୀପ୍ତ ପଣ୍ଡା
    ବାଙ୍ଗାଲୋର

  • ୨. ଶ୍ରୀଦୁଃଖିଶ୍ୟାମ ପଟ୍ଟନାୟକ |  ଅଗଷ୍ଟ୍ ୩, ୨୦୧୧ - ୧:୧୩ ପୂର୍ବାହ୍ନ

    ନ କହିବା ସବୁଠୁ ଭଲ ! କହି ହେଉ ନାହିଁ, କି ସହି ହେଉ ନାହିଁ ! ଓଡିଆଙ୍କ ପାଇଁ ନବୀନ ବାବୁ କରିବେ ବୋଲି ତ ତାଙ୍କୁ ଓଡିଆଏ ବାଛିଛନ୍ତି! ସି ଏ କରିବେ !

  • ୩. ଶ୍ରୀକାନ୍ତ ତ୍ରିପାଠୀ, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୪, ୨୦୧୧ - ୫:୦୪ ପୂର୍ବାହ୍ନ

    ଖୁଭ ଭଲ, କିନ୍ତୁ ଏହା କଣ ସମ୍ଭବ
    ଇଂରାଜୀ ର ଚକ୍ରବ୍ୟୁହ ରୁ ଓଡିଶା କୁ ମୁକ୍ତ କରିବ କିଏ
    ନିଜେ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଆ ଜାଣନ୍ତି ନାହିଁ
    ଅଫିସରେ ଓଡିଆରେ କୌଣସି କାମ ହୁଏ ନାହିଁ
    ଇଂରାଜୀ ରେ କହିଲେ , ଲେଖିଲେ ଓଡିଆ ମାନେ ନିଜକୁ ଉନ୍ନତ ମନେ କରିବା ପରି ମତେ ଲାଗେ ୤
    ଓଡିଆର ଭବିଷ୍ଯତ ଅନ୍ଧକାର ମୟ ୤

  • ୪. ରମେଶ ଚନ୍ଦ୍ର ଦାସ, ଭୁବନେଶ୍ବର |  ମେ ୧୬, ୨୦୧୩ - ୯:୦୫ ଅପରାହ୍ନ

    ଯେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡିଆ ଭାଷା ଲେଖି ପାରନ୍ତି ନାହିଁ କି କହି ପାରନ୍ତି ନାହିଁ ଏବଂ ପ୍ରଶାସନିକ ଅଧିକାରୀଗଣ ଓ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଖୁସି ପାଇଁ ଇଂଜାଜୀ ଭାଷା କୁହନ୍ତି ବା ଲେଖନ୍ତି, ସେଠାରେ ଅଧିକ କ’ଣ ଆଶା କରାଯାଇ ପାରେ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤