ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୁନ୍ତଳା କୁମାରୀ ସାବତ
ଫତୁରାନନ୍ଦ
ବ୍ରହ୍ମାନନ୍ଦ ପଣ୍ଡା
ସ୍ବଭାବ କବି ଗଙ୍ଗାଧର ମେହେର
ମନୋରଞ୍ଜନ ପାଣିଗ୍ରାହୀ
ରବି ଶତପଥୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅକ୍ଟୋବର୍ ୩, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଗତ ଦୁଇ ତିନି ବର୍ଷ ଭିତରେ ଭାରତୀୟ ଭାଷାଗୁଡ଼ିକର ଶାସ୍ତ୍ରୀୟ(କ୍ଲାସିକାଲ୍‌) ମାନ୍ୟତା ପାଇବା ସର୍ବଭାରତୀୟ କ୍ଷେତ୍ରରେ ଏକ ସ୍ପର୍ଶକାତର ପ୍ରସଙ୍ଗରୂପେ ଦେଖାଦେଇଛି୤ ଓଡ଼ିଶାରେ ଏବଂ ଓଡ଼ିଆ ଭାଷା ପ୍ରସଙ୍ଗରେ କିନ୍ତୁ ଏପର୍ଯ୍ୟନ୍ତ ଆଦୌ ଏଇକଥା ଆଲୋଚନାର ପରିସରକୁ ଆସିନାହିଁ୤ ବୋଧହୁଏ ଆମେ ଏ ଦିଗରୁ ଉଦାସୀନ ଅଥବା ଆମର ଅପାରଗତା ବିଷୟରେ ଆମେ ଏତେ ସଚେତନ ଯେ, ଏକଥା ନଉଠାଇଲେ ଭଲ ଭାବି ନିରବ ରହିଛୁ୤ ତେବେ ବିଷୟଟିର ଅବତାରଣା ଅନ୍ତତଃ ଏ ଦିଗରେ ଜାତୀୟତାବାଦୀ ଜନନେତା, ରାଜ୍ୟ ସରକାର, ଉତ୍କଳପ୍ରାଣ ସଙ୍ଗଠନ ଓ ସର୍ବୋପରି ଭାଷାବିତ୍‌ ମାନଙ୍କର ଆଗ୍ରହ ସୃଷ୍ଟି କରିବ ବୋଲି ଭାବି ଏଇ କ୍ଷୁଦ୍ର ରଚନାଟିର ପ୍ରସ୍ତୁତି୤

କ୍ଲାସିକାଲ ଶବ୍ଦଟି ପାଶ୍ଚାତ୍ୟରୁ ଆମଦାନୀ୤ ଗ୍ରୀକ୍‌ କ୍ଲାସିକ୍ସରୁ ଏହାର ସୃଷ୍ଟି୤ କୌଣସି ଉଚ୍ଚ ରୁଚିସମ୍ପନ୍ନ ଚିରାୟତ ବା ଧ୍ରୁପଦୀ କଳା ସାହିତ୍ୟକୁ କ୍ଲାସିକାଲ୍‌ ନାମିତ କରାଯାଉଥିଲା୤ ପ୍ରାଚୀନ, ସ୍ବତନ୍ତ୍ର ଓ ଅପ୍ରଭାବିତ ରହି ନିଜସ୍ବ ପରମ୍ପରାରେ ସମୃଦ୍ଧ ଭାଷାକୁ କ୍ଲାସିକାଲ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥାଏ୤ ପୃଥିବୀର ଭାଷା ସମୂହଭିତରୁ ପାଶ୍ଚାତ୍ୟର ଦୁଇଟି ଗ୍ରୀକ୍‌ ଓ ଲାଟିନ୍‌ ଏବଂ ପ୍ରାଚ୍ୟର ତିନୋଟି- ସଂସ୍କୃତ, ଚୀନ ଓ ଆରବୀ ଏହି ପାଞ୍ଚୋଟି ଭାଷା କ୍ଲାସିକାଲ୍‌ ମର୍ଯ୍ୟାଦା ପାଇ ଆସୁଥିଲେ୤ ଭାରତବର୍ଷରେ ପ୍ରାଚ୍ୟ ବିଦ୍ୟାବିତ୍‌ମାନେ (ଓରିଏଣ୍ଟାଲିଷ୍ଟ) ପ୍ରଥମେ ବୈଦିକ ସଂସ୍କୃତି ଠାରୁ କାବ୍ୟ ଯୁଗର ଆଳଙ୍କାରିକ ସଂସ୍କୃତିକୁ ପୃଥକ ଭାବେ ଚିହ୍ନିତ କରିବା ପାଇଁ ଏଇ ଶବ୍ଦଟି ବ୍ୟବହାର କରିଥିଲେ୤ ପରବର୍ତ୍ତୀ ସମୟରେ ପ୍ରତ୍ୟେକ ଭାଷା ନିଜ ନିଜର ଉଚ୍ଚାଙ୍ଗ ସାହିତ୍ୟ ଓ ସଙ୍ଗୀତକୁ ଏଇ ପର୍ଯ୍ୟାୟରେ ସୃଷ୍ଟି ରୂପେ ଚିହ୍ନିତ କରିଥାନ୍ତି୤

ସ୍ବାଧୀନତା ଆନ୍ଦୋଳନ ସମୟରେ ଭାଷା ଗୋଟିଏ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗରେ ପରିଣତ ହେଲା୤ ଜାତୀୟତାର ପ୍ରତୀକ ଭାବରେ ହିନ୍ଦୀକୁ ଚିହ୍ନିତ କରାଗଲା୤ ଚରଖା ଓ ସ୍ବଦେଶୀ ପୋଷାକ ସହିତ ହିନ୍ଦୀର ବ୍ୟବହାରକୁ ମହାତ୍ମାଗାନ୍ଧୀଙ୍କ ସମେତ ଜାତୀୟ ସ୍ତରର ନେତାମାନେ ପ୍ରୋତ୍ସାହିତ କଲେ୤ ସ୍ବାଧୀନତା ଭାରତରେ ଭାଷାର ସ୍ଥିତି ଓ ପ୍ରାଧାନ୍ୟ ବିଷୟରେ କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ଲିରେ ଦୀର୍ଘ ବିତର୍କ ସଂଘଟିତ ହେଲା୤ ରାଜଭାଷା (ଅଫିସିଆଲ) ମର୍ଯ୍ୟାଦାରୁ ଭୋଟଦ୍ବାରା କାଟ ଖାଇ ଯିବାରୁ ସଂସ୍କୃତକୁ ସମ୍ବିଧାନର ୩୫୧ ଧାରାରେ ଏକ ସ୍ବତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରାଗଲା୤ କାରଣ ସ୍ବରୂପ କୁହାଗଲା ହିନ୍ଦୀ ସମେତ ଅନେକ ଭାରତୀୟ ଭାଷାର ମୂଳ ଉତ୍ସ ବା ଜନନୀ ହେଉଛି ସଂସ୍କୃତ, କିନ୍ତୁ ଏହି ପ୍ରଥାବଦ୍ଧ ଧାରଣାକୁ ଅସିଦ୍ଧ କରିବା ପାଇଁ ଭାଷାବିତ୍‌ ମାନେ କେବେ ପ୍ରୟାସ କରିନାହାନ୍ତି୤ ଏହାର ପରବର୍ତ୍ତୀ ସମୟରେ ବିଂଶ ଶତାଦ୍ଦୀର ଷଷ୍ଠ, ସପ୍ତମ ଦଶକରେ ଦକ୍ଷିଣ ଭାରତର ବହୁ ବିଦ୍ବାନ ଓ ତାମିଲ ଭାଷାବିତ୍‌ ମାନେ ସଙ୍ଗମ ଯୁଗର ପ୍ରାଚୀନ ତାମିଲ କାବ୍ୟ ଭାଷାକୁ କ୍ଲାସିକାଲ ମର୍ଯ୍ୟାଦା ଦେବାପାଇଁ ଦାବି ଉପସ୍ଥାପନ କଲେ୤ ସେମାନଙ୍କ ମତ ଥିଲା ପ୍ରାଚୀନ ତାମିଲ ହେଉଛି ଦ୍ରାବିଡ଼ ଭାଷା ପରିବାରର ପ୍ରାଚୀନତମ ପ୍ରତ୍ନରୂପ୤

ଯୋଗ୍ୟତା ବିଚାର :

କେନ୍ଦ୍ରସରକାର ଏଇ ପ୍ରସଙ୍ଗରେ ପ୍ରଥମେ ଯେଉଁ ବିଶେଷଜ୍ଞମାନଙ୍କର ମତାମତ ଲୋଡ଼ିଲେ ସେମାନେ ସଂସ୍କୃତ ବ୍ୟତୀତ ଅନ୍ୟକୌଣସି ଭାଷାକୁ ଏଇ ପ୍ରକାର କ୍ଲାସିକାଲ ମର୍ଯ୍ୟାଦା ଦେବା ସପକ୍ଷରେ ମତ ଦେଇନଥିଲେ୤ କେନ୍ଦ୍ର ସାହିତ୍ୟ ଏକାଡେମୀ ମଧ୍ୟ ଏଇ ମତ ପୋଷଣ କରିଥିଲେ୤ ପ୍ରଥମତଃ କ୍ଲାସିକାଲ୍‌ର ଯେଉଁ ମାନଦଣ୍ଡ ସ୍ଥିର କରାଯାଇଥିଲା, ତାହା ହେଲା, ଗୋଟିଏ ଭାଷା ପ୍ରାଚୀନ ହୋଇଥିବ, ଅପ୍ରଭାବିତ ଓ ଅବିଚ୍ଛିନ୍ନ ଭାବେ ଏକ ମୌଳିକ ସଂସ୍କୃତିକୁ ବହନ କରୁଥିବା ସାହିତ୍ୟର ସୁଦୀର୍ଘ ପରମ୍ପରାରେ ସମୃଦ୍ଧ ହୋଇଥିବ୤ ୨୦୦୪ ମସିହାରେ କେନ୍ଦ୍ର ସରକାର ଉପରୋକ୍ତ ମତକୁ ବିଚାର କରି ସିଦ୍ଧାନ୍ତ ନେଲେ ଯେ ନିର୍ଦ୍ଦିଷ୍ଟ କେତେକ ଆବଶ୍ୟକତାକୁ ପୂରଣ କରିପାରିଲେ ଗୋଟିଏ ଭାଷା କ୍ଲାସିକାଲ ବୋଲି ସ୍ବୀକୃତି ଲାଭ କରିପାରିବେ୤ ୨୦୦୫ରେ ପ୍ରଥମେ ତାମିଲ୍‌ ଓ ତା’ପରେ ସଂସ୍କୃତ କ୍ଲାସିକାଲ୍‌ ଭାଷାର ମର୍ଯ୍ୟାଦା ପାଇଲେ୤ ଏଇ ଦୁଇ ଭାଷା ଦ୍ରାବିଡ଼ ଓ ଇଣ୍ଡୋୟୁରୋପୀୟ ଭାଷା ପରିବାରରୁ ଉଦ୍‌ଭୂତ ବହୁ ଭାଷାର ଉତ୍ସ ବା ଜନନୀ ସଦୃଶ ବୋଲି କୁହାଗଲା୤ ୨୦୦୬ରେ ତତ୍‌କାଳୀନ ସଂସ୍କୃତି ମନ୍ତ୍ରୀ ଘୋଷଣାକଲେ ଯେ ନିମ୍ନୋକ୍ତ ୪ଟି ମାନଦଣ୍ଡର ଭିତ୍ତିରେ ଭାଷା ଗୁଡ଼ିକୁ ବିଚାରକୁ ନେଇ କ୍ଲାସିକାଲ୍‌ ଭାଷାର ମର୍ଯ୍ୟାଦା ପ୍ରଦାନ କରାଯିବ୤ ଏଥିପାଇଁ ବିଚାରର ମାନଦଣ୍ଡ ହେଲା: (୧)- କ୍ଲାସିକାଲ ମର୍ଯ୍ୟାଦା ଦାବିକରୁଥିବା ଭାଷାଭାଷୀ ଜାତିର ଅନ୍ୟୂନ ୧୫୦୦ରୁ ୨୦୦୦ ବର୍ଷର ଲିପିବଦ୍ଧ ଇତିହାସ ଓ ସଂସ୍କୃତିର ପ୍ରାଚୀନ ଐତିହ୍ୟ ଥିବ୤ (୨)- ଯୁଗଯୁଗ ଧରି ମହତ୍ବପୂର୍ଣ୍ଣ ବୋଲି ମନେକରାଯାଉଥିବା ପ୍ରାଚୀନ ସାହିତ୍ୟ ଓ ଗ୍ରନ୍ଥ ରଚନାର ପରମ୍ପରା ଥିବା୤ (୩) ଅନ୍ୟ କୌଣସି ଭାଷା ଦ୍ବାରା ପ୍ରଭାବିତ ନ ହୋଇ ବା ଉଧାର ନକରି ମୌଳିକ ସୃଷ୍ଟି ସମ୍ଭାରରେ ସମୃଦ୍ଧ ହୋଇଥିବା (୪) ଆଧୁନିକ ଭାଷାଠାରୁ ସଂପୂର୍ଣ୍ଣ ଭାବେ ସ୍ବତନ୍ତ୍ର ଓ ବୈଶିଷ୍ଟ୍ୟପୂର୍ଣ୍ଣ ହୋଇଥିବାରୁ ସେହି ପ୍ରାଚୀନ ଭାଷା ଓ ତା’ର ଉପଜାତି ଆଧୁନିକ ଭାଷା ଭିତରେ ଅବିଚ୍ଛିନ୍ନତା ରହି ନ ପାରେ୤ ଏହି ସବୁ ଯୋଗ୍ୟତାକୁ ବିଚାରକୁ ନେଇ ଗୋଟିଏ ଭାଷାତତ୍ତ୍ବବିତ୍‌ ଓ ବିଶେଷଜ୍ଞ ମଣ୍ଡଳୀଙ୍କ ସୁପାରିସ୍‌ କ୍ରମେ ୨୦୦୮ରେ ତେଲଗୁ ଓ କନ୍ନଡ଼ ଭାଷା ଦ୍ବୟକୁ କ୍ଲାସିକାଲ ଭାଷାର ମାନ୍ୟତା ପ୍ରଦାନ କରାଯାଇଛି୤

ଉପକାରିତା :

କ୍ଲାସିକାଲ ଭାଷା ଭାବରେ ମାନ୍ୟତା ପାଇବାର ଅର୍ଥ ପ୍ରକୃତରେ କ’ଣ? ଏହା ଫଳରେ ଗୋଟିଏ ଭାଷାର କି ଉପକାର ହୁଏ ବା ଉନ୍ନତି ସାଧିତ ହୁଏ? ସେ ବିଷୟରେ ଜାଣିବାର ଅବକାଶ ଅଛି୤ କ୍ଲାସିକାଲ ମାନ୍ୟତା ପାଇଲେ ଗୋଟିଏ ଭାଷା ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ ହୋଇପାରିବ୤ ସେଥି ମଧ୍ୟରୁ ପ୍ରଧାନ ହେଲା: (୧) ଏହି ଭାଷା ସାହିତ୍ୟର ଗବେଷକ ମାନଙ୍କ ପାଇଁ ବର୍ଷକୁ ଦୁଇଟି ମୂଲ୍ୟବାନ୍‌ ଆନ୍ତର୍ଜାତିୟ ପୁରସ୍କାର ପ୍ରତିଷ୍ଠା କରାଯିବ୤ (୨) ଏହି ଭାଷାର ଅଧ୍ୟୟନ ଓ ଗବେଷଣା ପାଇଁ ଉଚ୍ଚମାନର ଗବେଷଣା ପ୍ରତିଷ୍ଠାନ (ସେଣ୍ଟର୍‌ ଅଫ୍‌ ଏକ୍‌ସେଲେନ୍‌ସ) ସ୍ଥାପନ କରାଯିବ ଓ ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ପଦବୀ ଖୋଲିବା ପାଇଁ ବିଶ୍ବବିଦ୍ୟାଳୟ ମଞ୍ଜୁରୀ କମିଶନକୁ ନିର୍ଦ୍ଦେଶ ଦିଆଯିବ୤ (୩) ଏହି ଭାଷାର ଉନ୍ନତି, ପ୍ରଚାର ଓ ପ୍ରସାର ପାଇଁ କେନ୍ଦ୍ର ସରକାର ଶହେ କୋଟି ଟଙ୍କା ଅନୁଦାନ ପ୍ରଦାନ କରିବେ୤ (୪) ପ୍ରତିବର୍ଷ କେନ୍ଦ୍ର ବଜେଟ୍‌ରୁ ଏହି ଭାଷାର ପ୍ରସାର ପାଇଁ ଅନ୍ୟୂନ ୫ କୋଟି ଟଙ୍କା ରାଜ୍ୟ ପାଇବ୤ (୫) ଅନ୍ତର୍ଜାତୀୟ କ୍ଷେତ୍ରରେ ଏହି ଭାଷାର ପ୍ରସାର ପାଇଁ ପଠନ କେନ୍ଦ୍ର(ଷ୍ଟଡି ସେଣ୍ଟର) ପ୍ରତିଷ୍ଠା ଓ ଦ୍ବିଭାଷିକ ସମ୍ପର୍କ ସ୍ଥାପନ କରାଯିବା ପାଇଁ ଉଦ୍ୟମ ହେବ୤ ଏସବୁ ବ୍ୟତୀତ ରାଜ୍ୟ ଓ ଆଞ୍ଚଳିକ ସ୍ତରରେ ଆହୁରି ଅନେକ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ୤ ଏହି ଭାଷା ସାହିତ୍ୟର ଇତିହାସ ଓ ବିକାଶ ବିଷୟରେ ଗବେଷଣା ପାଇଁ ଗବେଷକ ମାନେ ବିଭିନ୍ନ ପ୍ରକଳ୍ପ ଅନୁଦାନ ପାଇବାର ସୁଯୋଗ ପାଇବେ୤ ଏସବୁ କ୍ଲାସିକାଲ୍‌ ମାନ୍ୟତା ପ୍ରାପ୍ତିର ସମଧିକ ସୁବିଧା ସୁଯୋଗ୤

ବର୍ତ୍ତମାନ ଏଇ ପ୍ରସଙ୍ଗକୁ ନେଇ ଭାରତ ବର୍ଷର ଅନ୍ୟାନ୍ୟ ଅନେକ ଭାଷାଭାଷୀଙ୍କ ପରି ଆମେ ଓଡ଼ିଆ ଭାଷାର ଇତିହାସ ଓ ଐତିହ୍ୟକୁ ବିଚାରକରି କ୍ଲାସିକାଲ ମାନ୍ୟତା ପାଇବାର ଯୋଗ୍ୟତା ବିଷୟରେ ବିତର୍କ ଆରମ୍ଭ କରିବା ଉଚିତ ନୁହେଁ କି ? ରାଜନେତା ଓ ସମାଜ ସଙ୍ଗଠନ ମାନଙ୍କର ଏହିଦାବି ଉପସ୍ଥାପନ କରିବା ଯେତିକି ପ୍ରୟୋଜନ, ଭାଷାବିତ୍‌, ଗବେଷକ ଓ ସାହିତ୍ୟିକମାନଙ୍କର ଏହି ବିଷୟରେ ବିଚାରବିମର୍ଶ କରିବା ତତୋଽଧିକ ଗୁରୁତ୍ବପୂର୍ଣ୍ଣ୤ ସ୍ଥୁଳତଃ ଓଡ଼ିଆ ଭାଷା ଅନ୍ୟସବୁ ପୂର୍ବଭାରତୀୟ ଭାଷାପରି ଭାରତୀୟ ଆର୍ଯ୍ୟଭାଷା ପରିବାରରୁ ମାଗଧି ପ୍ରାକୃତ ବାଟ ଦେଇ ଦଶମ ଏକାଦଶ ଶତାଦ୍ଦୀରେ ଉଦ୍‌ଭୂତ ହୋଇଥିବା ବିଷୟ ପ୍ରଥା ସିଦ୍ଧ ଭାବେ ଗୃହୀତ ହୋଇଯାଇଛି, କିନ୍ତୁ ସୂକ୍ଷ୍ମଭାବରେ ଚିନ୍ତାକଲେ ମନକୁ ଆସେ, ଯେଉଁ ପ୍ରାଚୀନ କଳିଙ୍ଗ ବା ଉଡ୍ରଭୂମିର କଥା ମହାଭାରତ ଠାରୁ ଆରମ୍ଭ କରି ସ୍କନ୍ଦ ପୁରାଣ ପର୍ଯ୍ୟନ୍ତ ବର୍ଣ୍ଣିତ ହୋଇଛି, ସେଇ ପୁଣ୍ୟଭୂମିର ଭାଷା ତାହେଲେ କ’ଣ ଥିଲା? ଭରତ ମୁନିଙ୍କ ‘ନାଟ୍ୟଶାସ୍ତ୍ର’ ରେ ଯେଉଁ ଓଡ୍ର ଭାଷା କଥା ଉଲ୍ଲେଖ ଅଛି, ମାର୍କଣ୍ଡେୟ ଦାସଙ୍କ ‘ପ୍ରାକୃତ ସର୍ବସ୍ବ’ ରେ ଯାହାର ନମୁନା ଦେଇଛନ୍ତି ତାହା କ’ଣ ଆମ ଓଡ଼ିଆ ଭାଷାର ପ୍ରତ୍ନରୂପ ନୁହେଁ ? ପୁଣି ଖ୍ରୀଷ୍ଟପୂର୍ବ ତୃତୀୟ ଶତାଦ୍ଦୀରେ କଳିଙ୍ଗ ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କ ଖୋଦିତ ଯେଉଁ ଦୁଇଟି ଶିଳାଲେଖ ଧଉଳି ଓ ଜଉଗଡ଼ ଠାରେ ଉକ୍ତୀର୍ଣ୍ଣ ଅଛି ତା’ର ମାଗଧି ପ୍ରାକୃତ ଭାଷା କ’ଣ ଓଡ଼ିଆ ଭାଷାର ଉତ୍ସ ନୁହେଁ ?

କଳିଙ୍ଗର ପ୍ରଜା ଓ ସୀମାନ୍ତବର୍ତ୍ତୀ ଆଦିବାସୀ ମାନଙ୍କ ପ୍ରତି ଅନୁକମ୍ପା ମୂଳକ ବ୍ୟବହାର ପ୍ରଦର୍ଶନ ପାଇଁ ନିଜର ଅମାତ୍ୟ ମାନଙ୍କୁ ସମ୍ରାଟ ଅଶୋକଙ୍କର ଏଇ ନିର୍ଦ୍ଦେଶାବଳୀର ଯେଉଁ ସର୍ବମାନବୀୟ ଦୟା ଓ ଉଦାରତା ପ୍ରକଟିତ, ସମଗ୍ର ମାନବ ଇତିହାସରେ ତାହା ବିରଳ୤ ଏହାକୁ ଆମେ ଏଇ ପ୍ରାଚୀନ କଳିଙ୍ଗ ଭୂମିର ପ୍ରଥମ ଲିଖିତ ସାହିତ୍ୟିକ ନିଦର୍ଶନ କହିପାରିବାନି ? ତା’ ପରେ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରେ ଦିଗ୍‌ବିଜୟୀ ସମ୍ରାଟ ଖାରବେଳଙ୍କର ହାତୀ ଗୁମ୍ପା ଶିଳାଲେଖ, ଯାହାର ଭାଷା ପରି ଥିଲା ଓଡ଼ିଶା ଭାଷାର ଅତି ନିକଟତମ୤ ସେଥିରେ ବର୍ଣ୍ଣିତ କଳିଙ୍ଗର ଯୋଦ୍ଧା ଓ ବୀରତ୍ବ ପରମ୍ପରାର ବିଜୟଗାଥାକୁ ଆମର ପ୍ରାଥମିକ ମୌଳିକ ସାହିତ୍ୟିକ ସନ୍ଦେଶ ବୋଲି ଗ୍ରହଣ କରି ପାରିବାନି ? ହାତୀଗୁମ୍ଫା ଶିଳାଲେଖ ଭାରତ ଭୂମିରେ ଖୋଦିତ ଏକମାତ୍ର ପାଲି ଶିଳାଲିପି ହୋଇଥିବାରୁ କଳିଙ୍ଗ ଯେ ଏହି ଭାଷାର ପ୍ରାଚୀନ ଭୂମି ଓ ଏହା ଆମ ଭାଷାର ପ୍ରତ୍ନରୂପ, ଏକଥା ଅନେକ ଗବେଷକ ମତ ଦେଇଛନ୍ତି୤ ହୁଏତ ବୌଦ୍ଧଧର୍ମ ଓ ବୋଧିଦ୍ରୁମର ଚାରା ପରି ପାଲି ଭାଷା ମଧ୍ୟ କଳିଙ୍ଗରୁ ଶ୍ରୀଲଙ୍କାକୁ ଏକଦା ପ୍ରେରଣ କରାଯାଇଥିଲା୤

ଏହାର ପରବର୍ତ୍ତୀ ସମୟରେ ଖ୍ରୀଷ୍ଟୀୟ ଚତୁର୍ଥ ଶତକବେଳକୁ ଉତ୍ତର ଭାରତରେ ଗୁପ୍ତ ରାଜତ୍ବକାଳରେ ବ୍ରାହ୍ମଣ୍ୟ ଧର୍ମର ପୁନଃପ୍ରତିଷ୍ଠା ଫଳରେ ସଂସ୍କୃତ ଭାଷାର ପ୍ରାଦୁର୍ଭାବ ବୃଦ୍ଧି ପାଇଥିଲା, କିନ୍ତୁ ବ୍ରାହ୍ମଣ୍ୟ ମନ୍ଦିର ପାଖେ ପାଖେ ବୌଦ୍ଧ ବିହାର ସ୍ଥାପିତ ହୋଇଥିବା ପରି ସଂସ୍କୃତ ସହିତ ସମାନ୍ତରାଳ ଭାବେ ଯେଉଁ ଅପଭ୍ରଂଶ ଭାଷାର ପ୍ରଚଳନ କଳିଙ୍ଗର ସବୁ ଜନପଦ ଗୁଡ଼ିକରେ ଥିଲା, ତା’ର ସୂଚନା ହୁଏନ୍‌ସାଙ୍କ ବିବରଣୀରୁ ମିଳେ୤ ୭ମ ଶତାଦ୍ଦୀରୁ କଳିଙ୍ଗରେ ମନ୍ଦିର ସ୍ଥାପତ୍ୟର ପରମ୍ପରା ଆରମ୍ଭ କରିଥିବା ଭୌମକର ରାଜାମାନଙ୍କର ଦାନପତ୍ର ଗୁଡ଼ିକରେ ବ୍ୟବହୃତ ଦିବ୍ୟ ସଂସ୍କୃତ ଭାଷାର ଅନ୍ତରାଳରେ ମଝି ମଝିରେ ଉଡ୍ର ଉଚ୍ଚାରଣର ନମୁନା ମିଳିଥାଏ୤ ପୂର୍ବ ସୂଚିତ ଅପଭ୍ରଂଶ ଭାଷା ହିଁ ଥିଲା ଦଶମ ଏକାଦଶ ଶତାଦ୍ଦୀରେ ରଚିତ ବୌଦ୍ଧଗାନ ବା ଚର୍ଯ୍ୟାଗୀତିର ସନ୍ଧାଭାଷା ଯାହାକୁ ବଙ୍ଗଳା, ଅସମୀୟା ସମେତ ସକଳ ପୂର୍ବ ଭାରତୀୟ ଭାଷା ନିଜର ଆଦିରୂପ ବୋଲି ଦାବି କରିଆସିଛନ୍ତି୤ ଆମର କୃତବିଦ୍ୟ ଚର୍ଯ୍ୟାବିଶେଷଜ୍ଞ ମାନେ ତା’ର ପୂର୍ବବର୍ତ୍ତୀ ସମୟକୁ ଓଡ଼ିଶା ଭାଷାର ଉତ୍ସ ସନ୍ଧାନ କରିବା ପାଇଁ କେବେବି ପ୍ରୟାସ ନକରି ସଯତ୍ନବର୍ଦ୍ଧିତ ଆତ୍ମସନ୍ତୋଷରେ ରହିଛନ୍ତି୤ ତେଣୁ ଆମଭାଷାର ସୁଦୀର୍ଘ ଐତିହ୍ୟ ଓ ପ୍ରାଚୀନତା ‘ପିହିତ ପାଷାଣ’ ହୋଇ ରହିଛି୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବସନ୍ତ କୁମାର ପଣ୍ଡା, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ସୁରେନ୍ଦ୍ର କୁମର ମିସ୍ର |  ଅକ୍ଟୋବର୍ ୭, ୨୦୧୧ - ୮:୪୩ ପୂର୍ବାହ୍ନ

    ନିଶ୍ଚୟ…………….

  • ୨. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା |  ଅକ୍ଟୋବର୍ ୮, ୨୦୧୧ - ୫:୧୬ ପୂର୍ବାହ୍ନ

    ଖୁବ ଭଲ କଥା ୤ ଓଡିଆ ମାନଙ୍କୁ ଜାଗ୍ରତ ହେବାକୁ ପଡିବ ୤ ନହେଲେ କଥା ସରିଲ ୤

  • ୩. ରମେଶ ଚନ୍ଦ୍ର ଦାସ,ଭୁବନେଶ୍ବର ୤ |  ଡିସେମ୍ବର୍ ୨୭, ୨୦୧୧ - ୧୨:୫୬ ଅପରାହ୍ନ

    ଦୁଃଖର ବିଷୟ ଅ‍ାଜି ଅ‍ାମର ଶିକ୍ଷିତ ଓଡ଼ିଅ‍ା ଭାଇମାନେ ଓଡ଼ିଅ‍ା ଭାଷା ବିମୁଖ୤ ଓଡ଼ିଶାର ଶାସନ ମୁଖ୍ୟ ଓଡ଼ିଅ‍ା ଭାଷା-ନିରକ୍ଷର୤ ଏପରି ପରିସ୍ଥିତିରେ ଏହି କାମ ତ ନିଶ୍ଚିତ କଠିନ୤ ତଥାପି, ଏଥିପାଇଁ ଓଡ଼ିଅ‍ା ଭାଷାପ୍ରେମୀମାନଙ୍କୁ ଜାଗ୍ରତ କରିବାକୁ ପଡ଼ିବ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤