ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶୈଳେନ୍ଦ୍ର କୁମାର ଜେନା
ଫନି ମହାନ୍ତି
ମଧୁସୂଦନ ଦାସ
ସୀତାକାନ୍ତ ମହାପାତ୍ର
ବିରଜା ବଳ
ଅଖିଳମୋହନ ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଓଡ଼ିଆ – ଏକ ଶାସ୍ତ୍ରୀୟ ଭାଷା
 |- ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
 
 
ତା: ନଭେମ୍ବର୍ ୯, ୨୦୧୧  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଓଡ଼ିଆ ଭାଷା ଭାରତର ପୂର୍ବାଞ୍ଚଳ ଭାଷା ଗୋଷ୍ଠୀଭୁକ୍ତ ଏକ ପ୍ରାଚୀନ ଆର୍ଯ୍ୟଭାଷା୤ଏହି ଭାଷାର ମୂଳଉତ୍ସ ସଂସ୍କୃତ ଓ ପ୍ରାକୃତ ଭାଷା ହେଲେହେଁ ସମୟକ୍ରମେ ଅନ୍ୟ ପ୍ରାଚୀନ ଭାଷାର ବିଭବକୁ ଶାସ୍ତ୍ରୀୟ ଶୈଳୀରେ ଆହରଣ କରି ଏହି ଭାଷା ସମୃଦ୍ଧ ହୋଇଛି୤ ଓଡ଼ିଆ ଭାଷାର ବର୍ଣ୍ଣମାଳା, ଲିପି ଓ ଲିପିତତ୍ତ୍ବ, ରୂପତତ୍ତ୍ବ ଧ୍ବନିବିଜ୍ଞାନ ଓ ଭାଷା ବିଜ୍ଞାନ ଅତ୍ୟନ୍ତ ଉଚ୍ଚକୋଟୀର୤ ଆଞ୍ଚଳିକତାର ପ୍ରଭାବରେ ଏହି ଭାଷାର ସୃଷ୍ଟି, ଶାସ୍ତ୍ରୀୟ ଶୈଳୀରେ ଆହରଣ ଓ ଆର୍ଯ୍ୟଭାଷା ପରମ୍ପରାରେ ଏହି ଭାଷାର ସମୃଦ୍ଧି ଘଟିଛି୤ ଏକ ସୃଜନଶୀଳ, ବଳିଷ୍ଠ ତଥା ପୂର୍ଣ୍ଣାଙ୍ଗ ଭାଷାରୂପେ ଓଡ଼ିଆ ଭାଷାର ନିଜସ୍ବ ଉଚ୍ଚାଙ୍ଗ ଭାଷାଶାସ୍ତ୍ର ରହିଥିବାରୁ ଏହା ଶାସ୍ତ୍ରୀୟ ଭାଷା୤

ଓଡ଼ିଆ ଭାଷା ପ୍ରାକୃତରୁ ଜନ୍ମ ନେଇ ସ୍ବକୀୟ ଉନ୍ନତ ଆହରଣ ଶୈଳୀରେ ସଂସ୍କୃତ, ସୌରସେନୀ, ମାଗଧୀ, ପୈଶାଚୀ, ଦ୍ରାବିଡ଼, ଆଦିବାସୀ, ପର୍ତ୍ତୃଗୀଜ, ପାର୍ଶୀ, ପଂରାସୀ ଓ ଇଂରାଜୀ ପ୍ରଭୃତି ଭାଷାର ବିଭବକୁ ଶାସ୍ତ୍ରୀୟ ଧାରାରେ ତଥା ପରମ୍ପରା ପରିଧିରେ ନିଜସ୍ବ କରି ସମୃଦ୍ଧ ହୋଇଛି୤ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ଭରତମୁନି ସ୍ବରଚିତ ନାଟ୍ୟଶାସ୍ତ୍ରରେ ଓଡ୍ରମାଗଧୀ ପ୍ରବୃତ୍ତି ଓ ଉଡ୍ରଜା ବିଭାଷା ସଂପର୍କରେ ଉଲ୍ଲେଖ କରିଥିବାରୁ ପ୍ରମାଣିତ ହୁଏ ଯେ ତତ୍‌କାଳୀନ ସଂସ୍କୃତ ନାଟକରେ ଓଡ଼ିଆ ସଂଳାପ ବିଦ୍ୟମାନ ଥିଲା୤ ଅଧିକନ୍ତୁ, ଭରତମୁନି ଏହି ଭାଷା, ଶ୍ରେଷ୍ଠୀ ବା ସାଧବ ମାନଙ୍କର ଭାଷା ଥିଲା ବୋଲି ଉଲ୍ଲେଖ କରିଛନ୍ତି୤ ସେହି ସମୟରେ ଓଡ଼ିଆମାନେ ସାମୁଦ୍ରିକ ବାଣିଜ୍ୟ ମାଧ୍ୟମରେ ଅସରନ୍ତି ଧନସମ୍ପଦ ଓଡ଼ିଶାକୁ ବୋହି ଆଣିଥିବାରୁ ବିଶ୍ବ ଦରବାରରେ ସାଧବ ଭାବରେ ପରିଚିତ ଥିଲେ ତଥା ଓଡ଼ିଆ ଭାଷା ବ୍ୟବହାର କରୁଥିଲେ ବୋଲି ଭରତଙ୍କ ଉକ୍ତିରୁ ପ୍ରତୀୟମାନ ହୁଏ୤ ଖ୍ରୀଷ୍ଟପୂର୍ବକାଳରେ ସମ୍ରାଟ୍‌ ଖାରବେଳ ଖଣ୍ଡଗିରି ଗୁମ୍ଫାରେ ଭରତଙ୍କ ବର୍ଣ୍ଣନାନୁସାରେ ନାଟମଣ୍ଡପ ନିର୍ମାଣ କରିଥିବାରୁ ପ୍ରମାଣିତ ହୁଏ୤ ସେତେବେଳେ ଓଡ଼ିଆ ନାଟକ ଓ ଓଡ଼ିଆ ସଂଳାପ ଥିବା ସଂସ୍କୃତ ନାଟକ ଓଡ଼ିଶାରେ ଅଭିନୀତ ହେଉଥିଲା୤ ପୁନଶ୍ଚ, ଅଶୋକ ଓ ଖାରବେଳଙ୍କ ଶିଳାଲେଖାରେ ଓଡ଼ିଆ ଲିପିର ସନ୍ଧାନ ମିଳିଥିବାରୁ ଓଡ଼ିଆ ଭାଷା ଖ୍ରୀଷ୍ଟପୂର୍ବକାଳୀନ ପ୍ରାଚୀନ ଆର୍ଯ୍ୟ ଭାଷା ରୂପେ ସ୍ବୀକୃତ୤ ଜୈନଧର୍ମାବଲମ୍ବୀ ପ୍ରାକୃତ ବୈୟାକରଣିକମାନେ ଓଡ୍ରମାଗଧୀକୁ “ଆର୍ଷୀପ୍ରାକୃତ” ବା ଋଷିଙ୍କ ଭାଷା ବୋଲି କହିଛନ୍ତି ଏବଂ ଏହାର ବ୍ୟାକରଣ ସଂସ୍କୃତସମ ବୋଲି ବିବେଚନା କରିଛନ୍ତି୤ ଏହି ଦୃଷ୍ଟିକୋଣରୁ ହୃଦ୍‌ବୋଧ ହୁଏ, ପ୍ରାଚୀନ ବୈଦିକ ସଂସ୍କୃତ ଭାଷା ସହିତ ଓଡ଼ିଆ ଭାଷା ସମାନ୍ତରାଳ ଭାବରେ କାୟା ବିସ୍ତାର କରିଥିଲା୤ ପ୍ରାଚୀନ ଶିଳାଲେଖ ଓ ତାମ୍ରପତ୍ର ତଥା ଚର୍ଯ୍ୟାଗୀତିକାରୁ ଓଡ଼ିଆ ଭାଷାର କ୍ରମବିକାଶ, କ୍ରମ ବିବର୍ତ୍ତନ, ପ୍ରବୃତ୍ତି ଓ ଲକ୍ଷଣ ପରିଦୃଷ୍ଟ ହୋଇଥାଏ୤ ପଞ୍ଚଦଶ ଶତାବ୍ଦୀରେ ରଚି଼ତ ସାରଳା ଦାସଙ୍କ ମହାଭାରତରୁ ଏହି ଭାଷାର ପରିପୂର୍ଣ୍ଣତା ଓ ସୌରଭ ଉପଲବ୍‌ଧ୤ ଷୋଡ଼ଶ ଶତାବ୍ଦୀରେ ଅତିବଡ଼ୀ ଜଗନ୍ନାଥ ଦାସ ମାନକ ଓଡ଼ିଆ ଭାଷାରେ ଭାଗବତ ରଚନା କରିବା ପରେ ଲକ୍ଷ ଲକ୍ଷ ଓଡ଼ିଆ ବିନା ବିଦ୍ୟାଳୟରେ ସାକ୍ଷର ହୋଇପାରିଥିଲେ୤ ଏହାପରେ ଭାଷାଶିକ୍ଷା ନିମିତ୍ତ ଓଡ଼ିଶା ଭୂଖଣ୍ଡରେ ହଜାର ହଜାର ଚାଟଶାଳୀ ପ୍ରତିଷ୍ଠିତ ହୋଇ “ମାଟିବଂଶ” ନାମକ ଏକ ସଂପ୍ରଦାୟ ଭାଷାଶିକ୍ଷକ ଭାବରେ ସାର୍ବଜନୀନ ସ୍ବୀକୃତୀ ଲାଭ କରିଥିଲେ, ଯାହାକି ଅନ୍ୟ ଭାଷାରେ ବିରଳ୤ ସେହି ସମୟରେ ଓ ପରବର୍ତ୍ତୀ କାଳରେ ଓଡ଼ିଆ ଭାଷାରେ ବହୁ ପୁରାଣ, ସଂହିତା, ରାମାୟଣ, ମହାଭାରତ, ଧର୍ମଶାସ୍ତ୍ର ରଚି଼ତ ହେବା ଦ୍ବାରା ଭାଷାର ମର୍ଯ୍ୟଦା ବୃଦ୍ଧି ପାଇଥିଲା୤ କ୍ରମେ ଓଡ଼ିଆ ଭାଷା ଆର୍ଯ୍ୟଭାଷାମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ଓ ବଳିଷ୍ଠ ଭାଷା ରୂପେ ଗଣ୍ୟ ହେଲା୤ ସମ୍ପ୍ରତି ଓଡ଼ିଆ ଭାଷା ସ୍ବକୀୟ ପ୍ରାଚୀନତା, ଗୁଣାତ୍ମକ ଉତ୍କର୍ଷ, ଶବ୍ଦସମ୍ଭାର, ବୌଦ୍ଧିକ ସୃଜନଶୀଳତା ଓ ସୌଷ୍ଠବ ଯୋଗୁଁ ବିଶ୍ବ ଦରବାରରେ ସ୍ବତନ୍ତ୍ର ଆସନରେ ଅଧିଷ୍ଠିତ୤ ଭାରତ ଓ ଭାରତ ବାହାରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷାର ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣା ଅବ୍ୟାହତ ରହିଛି୤ ସଂକ୍ଷେପରେ ଉଲ୍ଲେଖ କଲେ, ଓଡ଼ିଆ ଭାଷାର ଐତିହ୍ୟ ଯେପରି ଗୌରବୋଜ୍ଜଳ, ବର୍ତ୍ତମାନ ମଧ୍ୟ ସେହିପରି ସମୁଜ୍ଜଳ୤

ଓଡ଼ିଆ ଭାଷାର ବର୍ଣ୍ଣମାଳା ସଂସ୍କୃତ ଭାଷାରୁ ଆନୀତ ତଥା ଓଡ଼ିଆ ଲିପି ବ୍ରାହ୍ମୀ ଲିପିରୁ ଜାତ ଓ କ୍ରମବିକଶିତ୤ ଅନ୍ୟ ଭାଷାରେ କହିଲେ ଏହାର ବର୍ଣ୍ଣମାଳା ଓ ଲିପି ଶାସ୍ତ୍ରୀୟ ପରମ୍ପରା ପରିଧିରେ ଆତ୍ମିକ ସନନ୍ଦ ଭାବରେ ପ୍ରତିଭାତ୤ ଓଡ଼ିଆ ଧ୍ବନି ମଧ୍ୟ ସଂସ୍କୃତଧ୍ବନିରୁ ବିବର୍ତ୍ତିତ୤ ସଂସ୍କୃତଧ୍ବନି ସଦୃଶ ଓଡ଼ିଆଧ୍ବନି ନିର୍ଦ୍ଦିଷ୍ଟ ଶାସ୍ତ୍ରୀୟ ଶୃଙ୍ଖଳାରେ ଅର୍ଥପୂର୍ଣ୍ଣ ଶବ୍ଦ ଓ ବାକ୍ୟ ଆକାରରେ ପ୍ରକାଶିତ୤ ପ୍ରାଥମିକ ଅବସ୍ଥାରେ ଓଡ଼ିଆ ଭାଷା ସଂସ୍କୃତ ବ୍ୟାକରଣକୁ ଅନୁସରଣ କରିଥିବାରୁ ବିଶ୍ବର ପ୍ରଥମ ଶାସ୍ତ୍ରୀୟ ଭାଷା ସଂସ୍କୃତ ସହିତ ଏହାର ଘନିଷ୍ଠ ସଂପର୍କ ସ୍ଥାପିତ ହୋଇ ଶାସ୍ତ୍ରୀୟ ଧାରାରେ ଏହା ପଲ୍ଲବିତ, ପୁଷ୍ପିତ ଓ ସୁରଭିତ୤ ପରବର୍ତ୍ତୀ କାଳରେ ଓଡ଼ିଆ ବ୍ୟାକରଣ ସଂସ୍କୃତ ବ୍ୟାକରଣ ଆଦର୍ଶରେ ରଚି଼ତ ହୋଇ ଶାସ୍ତ୍ରୀୟ ମର୍ଯ୍ୟାଦାରେ ଅଧିଷ୍ଠିତ୤ ସଂସ୍କୃତ ବ୍ୟାକରଣର ଅନେକ ପ୍ରକ୍ରିୟା ଓଡ଼ିଆ ବ୍ୟାକରଣରେ ଅପରିବର୍ତ୍ତିତ ରହିଛି୤ ସଂସ୍କୃତ ଭାଷାର ଶବ୍ଦ ସଂରଚନାବିଧି ଓଡ଼ିଆ ଶବ୍ଦ ସର୍ଜନାରେ ଅନୁସୃଦ୤ ସଂସ୍କୃତ ଭାଷାରେ ବ୍ୟବହୃତ ଉପସର୍ଗ ସମୂହ ଓଡ଼ିଆ ଶବ୍ଦ ସହିତ ମିଳିତ ହୋଇ ତଦ୍ଧିତ ପଦ ସୃଷ୍ଟି ହୋଇଛି୤ ଓଡ଼ିଆ ପଦର ବିଭିନ୍ନ ବିଭକ୍ତିରେ ବ୍ୟବହୃତ ପ୍ରତ୍ୟୟଗୁଡ଼ିକ ମଧ୍ୟରୁ ଅଧିକାଂଶ ସଂସ୍କୃତ ପ୍ରତ୍ୟୟର କ୍ରମ ପରିବର୍ତ୍ତିତ ରୂପ୤ ଓଡ଼ିଆ ଭାଷାର ଧ୍ବନିତତ୍ତ୍ବ, ଶବ୍ଦତତ୍ତ୍ବ, ରୂପତତ୍ତ୍ବ, ଅର୍ଥତତ୍ତ୍ବ ମୂଖ୍ୟତଃ ସଂସ୍କୃତ ଭାଷାରୁ ଆହରିତ ହେଲେହେଁ ଏହାର ଅନେକ ମୌଳିକତା ରହିଛି, ଯାହା ଏକ ସ୍ବତନ୍ତ୍ର ଆଲୋଚନାର ଅପେକ୍ଷା ରଖେ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ଢେଙ୍କାନାଳ
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର
ବିଶେଷ କରି ଆଧ୍ୟାତ୍ମିକ,ଧର୍ମ, ସଂସ୍କୃତି ଓ ପରମ୍ପରା ଏବଂ ଭାଷା ସାହିତ୍ୟ ଉପରେ ସ୍ବତନ୍ତ୍ର ଏବଂ ବଳିଷ୍ଠ ଲେଖନୀ ଚାଳନ କରୁଥିବା ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି୤ ଏକାଧାରରେ ଜଣେ ସାହିତ୍ୟିକ, ସ୍ତମ୍ଭକାର, ପ୍ରାବନ୍ଧିକ, ଗବେଷକ, ତନ୍ତ୍ରାଚାର୍ଯ୍ୟ, ଜ୍ୟୋତିର୍ବିଦ୍, ଓ ବାସ୍ତୁବିଜ୍ଞାନୀ ଭାବରେ ଶ୍ରୀ ମିଶ୍ର ବେଶ୍ ସୁପରିଚିତ୤ ଧର୍ମ, ସଂସ୍କୃତି ଓ ପରମ୍ପରା ଉପରେ ତାଙ୍କଦ୍ବାରା ରଚିତ ଏକାଧିକ ପୁସ୍ତକ ଅଜସ୍ର ପାଠକୀୟ ସ୍ବୀକୃତି ହାସଲ କରିଛି୤ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ପାଇଥିବା... [ କ୍ରମେ ସବିଶେଷ ]
ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ପ୍ରସାନ୍ତ କୁମାର ସ୍ବାଇଁ |  ମେ ୩, ୨୦୧୨ - ୩:୩୦ ପୂର୍ବାହ୍ନ

    ଇନଟରନେଟ୍ ରେ ଓଡିଆରେ ପଢିବାର ସୁଯୋଗ ପାଇଥିବାରୁ ମୁଁ ବହୁତ୍ ଖୁସି ଏହାର କିପରି ଅଧିକ ପ୍ରଚାର ତଥା ପ୍ରସାର ହେବ ସେଥିପାଇଁ ଉଦ୍ୟମ ହେବାଦରକାର ୤

  • ୨. ରୋହିତ ସେଠ୍, ବଲାଙ୍ଗିର |  ଡିସେମ୍ବର୍ ୧୨, ୨୦୧୬ - ୫:୦୯ ପୂର୍ବାହ୍ନ

    ଇଣ୍ଟରନେଟ ରେ ମୁଁ ଅନେକ ଗୁଡ଼ିଏ ବହି ପଢ଼ି ପାରୁଅଛି ,
    ତେଣୁ ମୁଁ ବହୁତ ଖୁସି |
    ଧନ୍ୟବାଦ

  • ୩. ତପନ କୁମାର ଶତପଥୀ ।, ପାଲଲହଡା,  |  ମେ ୫, ୨୦୧୭ - ୯:୦୨ ପୂର୍ବାହ୍ନ

    ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ତାତ୍ପର୍ଯ୍ୟ ପୂର୍ଣ୍ଣ ଗ୍ରନ୍ଥ । ଏହି ଗ୍ରନ୍ଥ ପ୍ରକାଶିତ ହେବା ପରେ ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଦାବି ମଝବୁତ ହୋଇ ପାରିଥିଲା।

  • ୪. ବିଭୂତି ଭୂଷଣ ସାହୁ, ତାଳଚେର, ଓଡିଶା |  ସେପ୍ଟେମ୍ବର୍ ୨୬, ୨୦୧୭ - ୯:୦୦ ପୂର୍ବାହ୍ନ

    ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅବଦାନ ଚିର ସ୍ମରଣୀୟ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤