ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୌଭାଗ୍ୟ ମିଶ୍ର
ଜୟନ୍ତ ମହାପାତ୍ର
ପ୍ରଦୀପ ନାୟକ
ସହଦେବ ସାହୁ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସ୍ବଭାବ କବି ଗଙ୍ଗାଧର ମେହେର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୨୭, ୨୦୧୩  
ମୂଳ ପୃଷ୍ଠାଭାଷା ଓ ସାହିତ୍ୟ ଆଲୋଚନା
 

ଟେକ‌୍‍ଷ୍ଟ ବା ବିଷୟ :
ଲୋକକାହାଣୀର ଏକ ସୁପରିକଳ୍ପିତ ବା ସୁଗଠିତ ବିଷୟ ବା କଥାବସ୍ତୁ ରହିଥାଏ୤ ନିର୍ଦ୍ଦିଷ୍ଟ ଘଟଣା, ଚରିତ୍ର ବା ପରିବେଶର ପରିଚୟାତ୍ମକ ଆରମ୍ଭ, ବିପଦ ବା ଦ୍ବନ୍ଦ୍ବସଙ୍କୁଳ ମଧ୍ୟ ଭାଗ ଓ ଏକ ସୁଖଦ ପରିଣତି ଯୁକ୍ତ ଆଖ୍ୟାନକୁ ଲୋକକାହାଣୀ ପ୍ରକାଶ କରେ୤

‘ରେବତୀ’ ଗଳ୍ପରେ ଲେଖକ ଏକ ସୁପରି କଳ୍ପିତ ଓ ସୁଗଠିତ କଥାବସ୍ତୁ ଗ୍ରହଣ କରିଅଛନ୍ତି୤ ତତ୍କାଳୀନ ସମାଜରେ ଏକ ପକ୍ଷରେ ନାରୀକୁ ଆଧୁନିକ ଶିକ୍ଷା ଦେଇ ନୂତନ ଆଲୋକରେ ଆଲୋକିତ କରିବା ପାଇଁ ଆନ୍ଦୋଳନ ଓ ଅନ୍ୟ ପକ୍ଷରେ ନାରୀକୁ ଅସୂର୍ଯ୍ୟଂପଶ୍ୟା କରି ରଖିବା, ଏହି ଦୁଇ ଚିନ୍ତା ଧାରାର ଭାବ ସଙ୍ଘର୍ଷକୁ ନେଇ ଫକୀରମୋହନ ‘ରେବତୀ’ ଗଳ୍ପ ସୃଷ୍ଟି କରିଛନ୍ତି୤ ପାଟପୁର ଗ୍ରାମର ଏକ ନିମ୍ନ ମଧ୍ୟବିତ୍ତ ପରିବାରର ମୁଖ୍ୟ ଶ୍ୟାମବନ୍ଧୁ ମହାନ୍ତି୤ ପରିବର୍ତ୍ତିତ ପରିସ୍ଥିତିରେ ନାରୀ ଶିକ୍ଷାକୁ ସ୍ବାଗତ କରି ସେ ତାଙ୍କ ଝିଅ ରେବତୀକୁ ପାଠ ପଢ଼ାଇବା ପାଇଁ ସ୍ଥିର କରିଛନ୍ତି ଏବଂ ଗ୍ରାମର ପ୍ରାଇମେରୀ ସ୍କୁଲର ଶିକ୍ଷକ ବାସୁଦେବଙ୍କ ଉପରେ ରେବତୀର ପାଠପଢ଼ା ଦାୟିତ୍ବ ନ୍ୟସ୍ତ କରିଛନ୍ତି୤ କିନ୍ତୁ ଜେଜୀମା ରେବତୀର ପାଠପଢ଼ାକୁ ପସନ୍ଦ କରି ନାହାଁନ୍ତି୤ ଜେଜୀମା ସେ ସମୟର ଅଗଣିତ ପରମ୍ପରାବାଦୀ ନାରୀଶିକ୍ଷା ବିରୋଧୀ ଜନତାର ପ୍ରତୀକ୤ ସେଥିପାଇଁ ରେବତୀର ପାଠପଢ଼ା ବିଷୟରେ ଜେଜୀମା କହେ – “ପାଠ କ’ଣ ଲୋ? ମାଇକିନିଆ ଝିଅଟା ପାଠ କ’ଣ? ରନ୍ଧାବଢ଼ା ଶିଖ‌୍‍, ପିଠାପଣା କରି ଶିଖ‌୍‍ , ଝୋଟିଦିଆ ଶିଖ‌୍‍, ଦହି ମୁହାଁ ଶିଖ‌୍‍ , ପାଠ କ’ଣ?”

ଜେଜୀମାର ବିରୋଧ ସତ୍ବେ ରେବତୀ ପାଠ ପଢ଼ିଛି୤ ଦୈବୀଦୁର୍ବିପାକରୁ ମହାମାରୀ ହଇଜାରେ ରେବତୀର ବାପା, ମାଆ, ପ୍ରିୟତମ ବାସୁଦେବର ମୃତ୍ୟୁ ଘଟିଛି୤ ଏ ସବୁର କାରଣ ରେବତୀର ପାଠପଢ଼ା ବୋଲି ଜେଜୀମାର ଧାରଣା୤ ଏପରିକି ସେମାନଙ୍କ ଦାରିଦ୍ର୍ଯ ଓ ଜେଜୀମାର ଦୃଷ୍ଟିଶକ୍ତିହୀନତା ମଧ୍ୟ ରେବତୀର ପାଠପଢ଼ା ଯୋଗୁ ହୋଇଛି ବୋଲି ତା’ର ଧାରଣା୤

ଗଳ୍ପରେ ନିର୍ଦ୍ଦିଷ୍ଟ ଘଟଣା, ଚରିତ୍ର ଓ ପରିବେଶକୁ ନେଇ ଫକୀରମୋହନ ଗଳ୍ପ ରଚନା କରିଛନ୍ତି୤ ଗଳ୍ପର ମଧ୍ୟଭାଗ ମଧ୍ୟ ବିପଦ ବା ଦ୍ବନ୍ଦ୍ବସଙ୍କୁଳ ହୋଇଛି୤ କିନ୍ତୁ ଗଳ୍ପର ପରିଣତି ଲୋକ କାହାଣୀ ପରି ମିଳନାନ୍ତକ ବା ସୁଖଦ ହେବା ପରିବର୍ତ୍ତେ ବିୟୋଗାନ୍ତକ ହୋଇଛି୤

ଭାଗ୍ୟ ବା ନିୟତି ଦ୍ବାରା ଲୋକ କାହାଣୀର କଥାବସ୍ତୁ ନିୟନ୍ତ୍ରିତ ହୋଇଥାଏ୤ ଭାଗ୍ୟ ବିପକ୍ଷରେ ଗତିକରି କେହି ସଫଳ ହୋଇପାରେ ନାହିଁ୤ କପାଳର ଲିଖନ ଅପ୍ରତିହତ ବୋଲି ଲୋକ କାହାଣୀ ସ୍ବୀକାର କରେ୤ ସେଥିପାଇଁ ନାରୀଶିକ୍ଷା ପ୍ରସାରକୁ ସମର୍ଥନ କରି ରେବତୀକୁ ପାଠ ପଢ଼ାଉଥିବା ଶ୍ୟାମବନ୍ଧୁ ଭାଗ୍ୟର ବିଡ଼ମ୍ବନା ଯୋଗୁଁ ହଇଜା ରୋଗରେ ମୃତ୍ୟୁବରଣ କରିଛନ୍ତି୤ ଲେଖକଙ୍କ ଭାଷାରେ –“ ବିଧାତାର ବିଧାନ, କାହାର ଦିନ ସମାନ ଭାବରେ ଯିବ ନାହିଁ୤”

କଣ୍ଟେକ୍‌ଷ୍ଟ ବା ପଟ୍ଟଭୂମି :
ଦେଶ, କାଳ ଓ ପାତ୍ରକୁ ନେଇ ଗଳ୍ପ ରଚନା କରାଯାଇଥାଏ୤ ଗଳ୍ପରେ ଏହାକୁ ପରିବେଶ ବା ପଟ୍ଟଭୂମି କୁହାଯାଏ୤ ଯେଉଁ ପରିବେଶକୁ ନେଇ ଲେଖକ ଗଳ୍ପ ରଚନା କରନ୍ତି ତା’ର ଜୀବନ୍ତ ଓ ବାସ୍ତବ ବର୍ଣ୍ଣନା ଗଳ୍ପକୁ ଚମତ୍କାରିତା ପ୍ରଦାନ କରିଥାଏ୤ ପଲ୍ଲୀ ଜୀବନ ଓ ପଲ୍ଲୀ ଚରିତ୍ରକୁ ନେଲାବେଳେ ପଲ୍ଲୀ ପରିବେଶ, ଆଦିବାସୀ ଚରିତ୍ରକୁ ନେଲାବେଳେ ଆରଣ୍ୟକ ପରିବେଶ ଅଥବା ସହରୀ ଚରିତ୍ର ନେଲାବେଳେ ସହରର ପରିବେଶ ବର୍ଣ୍ଣନା କରିବା ଆବଶ୍ୟକ୤ କଥାକାର ଗଳ୍ପରେ ଯେଉଁ ଅଞ୍ଚଳ ବା ସମାଜର ଚରିତ୍ରକୁ ନେଇଥାନ୍ତି ସେହି ସମାଜ ବା ଅଞ୍ଚଳରେ ପ୍ରଚଳିତ ସାଂସ୍କୃତିକ ପରମ୍ପରା ବା ରୀତି ନୀତି, ଚାଲି ଚଳନ, ଆଚାର ବିଚାରର ଚିତ୍ର ମଧ୍ୟ ସେଥିରେ ସ୍ଥାନ ପାଇଥାଏ୤ ସମ୍ପ୍ରତି ପାଶ୍ଚାତ୍ୟ ଲୋକ ସାହିତ୍ୟବିତ‌୍‍ମାନେ କାହାଣୀର ପଟ୍ଟଭୂମି ଉପରେ ଅଧିକ ଗୁରୁତ୍ବ ଆରୋପ କରିଅଛନ୍ତି୤

‘ରେବତୀ’ ଗଳ୍ପରେ ତତ୍କାଳୀନ ଓଡ଼ିଆ ସମାଜରେ ପ୍ରଚଳିତ ରୀତିନୀତି ଓ ପରମ୍ପରାର ଚିତ୍ର ଦେଖିବା ପାଇଁ ମିଳିଥାଏ୤ ଓଡ଼ିଶାର ଗାଁ ଗହଳିରେ ଲୋକମାନେ ଦିନସାରା ପରିଶ୍ରମ କରି ଫେରିବା ପରେ ସଞ୍ଜବେଳେ ଦାଣ୍ଡପିଣ୍ଡାରେ ବସି ଭଜନ ଗାନ କରିବା ବା ଭାଗବତ ପାଠ କରିବା ଦେଖାଯାଏ୤ ପିଲାମାନଙ୍କୁ ପିହୁଳା ରୋଗ ହେଲେ ଗାଆଁ ଗହଳିରେ ମାଆମାନେ ପିଲାଙ୍କ ମୁଣ୍ଡରେ ତତଲା ବୋତଲ ଚିହ୍ନ ଦେଇ ଚିକିତ୍ସା କରନ୍ତି୤ ପୁନେଇଁ ପର୍ବ ବା ଗୁରୁବାର ମାଣବସାରେ ଘରେ ବିଭିନ୍ନ ପ୍ରକାର ପିଠାପଣା କରାଯାଏ୤ ସମାଜରେ ସେତେବେଳେ ଜାତି ପ୍ରଥା ବିଶେଷ ଭାବରେ ପ୍ରଚଳିତ ଥିଲା୤ କରଣ ସମ୍ପ୍ରଦାୟରେ ବିବାହ ସମୟରେ ଜାତି ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିଲା୤ ଗ୍ରାମରେ ବିଭିନ୍ନ ସମ୍ପ୍ରଦାୟ ଭିତରେ ସଦ‌୍‍ଭାବ ଓ ସହଯୋଗ ରହିଥିଲା୤ କୌଣସି ଲୋକ ମୃତ୍ୟୁ ବରଣ କଲେ ଶବଦାହ ପାଇଁ ଧୋବା କାଠ ହାଣି ଦେଉଥିଲା୤ ଦୋଳ ପୂର୍ଣ୍ଣମା ଠାରୁ ଚାକର ବା କୋଠିଆ ନିଯୁକ୍ତି କରିବାର ପରମ୍ପରା ପ୍ରଚଳିତ ଥିଲା୤ ଶ୍ରବଣା ନକ୍ଷତ୍ରରେ(ଶରଣରେ) ଘର ଛପରବନ୍ଦି କରିବା ନିଷିଦ୍ଧ ଥିଲା୤ ଝିଅ ପିଲାମାନଙ୍କର ପାଠପଢ଼ା ଅପେକ୍ଷା ରନ୍ଧାବଢ଼ା ଶିଖିବା, ପିଠାପଣା କରି ଶିଖିବା, ଝୋଟି ବା ଚିତା ଦେବା ଓ ଦହିମୁହାଁ ଶିଖିବା ଉପରେ ଗୁରୁତ୍ବ ପ୍ରଦାନ କରାଯାଉଥିଲା୤ ଜମିଦାରମାନେ ପ୍ରଜାମାନଙ୍କୁ ଶୋଷଣ କରିବା ସଙ୍ଗେ ସଙ୍ଗେ ନାନା ଭାବରେ ନିର୍ଯାତିତ କରୁଥିଲେ୤ ଧାର୍ମିକ ଓ ସେଚ୍ଚୋଟ କର୍ମଚାରୀ ଶ୍ୟାମବନ୍ଧୁ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ଆକସ୍ମିକ ମୃତ୍ୟୁପରେ ଜମିଦାର ତାଙ୍କ ଜମିକୁ ନିଲାମ କରିନେବା ଏବଂ ତହବିଲ ଟଙ୍କା ଭରଣା ବାବଦକୁ ଦୁଧିଆଳୀ ଗାଈ ବାନ୍ଧି ନେଇଯିବାର ଚିତ୍ର ଲେଖକ ରେବତୀ ଗଳ୍ପରେ ପ୍ରଦାନ କରି ଅଛନ୍ତି୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ରମେଶ ଚନ୍ଦ୍ର ଦାସ, ଭୁବନେଶ୍ବର
ରମେଶ ଚନ୍ଦ୍ର ଦାସ
ରମେଶ ଚନ୍ଦ୍ର ଦାସ ଜଣେ ଲେଖକ ସହିତ ଆଲୋଚକ, ବିଶେଷ ଭାବେ ଶିଶୁ ସାହିତ୍ୟିକ ଭାବେ ସୁପରିଚିତ୤ କିଛି ବର୍ଷ ପୂର୍ବେ ଜଣେ ବ୍ୟାଙ୍କ୍‌ ଅଧିକାରୀଭାବେ କାର୍ଯ୍ୟରତ ଶ୍ରୀ ଦାସ ସ୍ବେଚ୍ଛାକୃତ ଅବସର ନେଇ ସାହିତ୍ୟ ଚର୍ଚ୍ଚା ଓ ଲେଖକଭାବେ ସକ୍ରିୟ ଅଛନ୍ତି୤ ତାଙ୍କର ପ୍ରକାଶିତ ପୁସ୍ତକ ମଧ୍ୟରେ ‘ଶିଶୁ ସାହିତ୍ୟ ଚର୍ଚ୍ଚା’ ଆଲୋଚନା ପୁସ୍ତକ ରହିଥିଲାବେଳେ ତାଙ୍କ ରଚିତ ଅନେକ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି୤ ସମ୍ପ୍ରତି ଓଡ଼ିଆ ଶିଶୁ ସାହିତ୍ୟ ଗବେଷଣା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ହିମାନ୍ସୁ ଶେଖର ମହାପାତ୍ର, ବ୍ରହ୍ମପୁର୍ ଗଞ୍ଜାମ୍ ଓଡିଶା |  ସେପ୍ଟେମ୍ବର୍ ୨୯, ୨୦୧୩ - ୧:୨୪ ପୂର୍ବାହ୍ନ

    ମୁ ଓଡିଆ ରେ ଲେଖି ପାରିଲି

  • ୨. ରୂପଧର, HYDERABAD |  ଜାନୁଆରୀ ୨, ୨୦୧୪ - ୪:୩୮ ଅପରାହ୍ନ

    କାହାଣୀର ତତ୍ଵ ଯେପରି କଥାବସ୍ତୁ, କାଳ ବା ସମୟ , ପରିବେଶ ,ଚରିତ୍ର, ସଂବାଦ ଅଥବା କଥୋପକଥନ ଏବଂ ଉଦ୍ଦେଶ୍ୟ ଦୃଷ୍ଟିରେ ସମୀକ୍ଷା ପାରମ୍ପରିକ ଅଟେ କିନ୍ତୁ ଏଠାରେ ଲେଖକଙ୍କ ଲୋକଦୃଷ୍ଟି ସମୀକ୍ଷା ଏକ ଶୋଧ କାର୍ଯ ମନେ ହୁଏ । ଆଗାମୀ ପିଢି ପାଇଁ ଏହା ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ କିଛି ନୂଆ କରିବାକୁ । ଅଶେଷ ଧନ୍ୟବାଦ

  • ୩. ସମିର କୁମର ସାହୁ, ଓଡିସା |  ଅକ୍ଟୋବର୍ ୧୮, ୨୦୧୫ - ୮:୨୪ ପୂର୍ବାହ୍ନ

    ଚିର ସବୁଜ ଓଡିଆ ଲେଖା, ବହୁତ ଆନନ୍ଦ ଦୟକ

  • ୪. କୁଞ୍ଜବନ ପୃଷ୍ହ୍ତି, ବାରିପଦା ,ଓଡିଶା |  ଡିସେମ୍ବର୍ ୧୦, ୨୦୧୫ - ୮:୦୫ ପୂର୍ବାହ୍ନ

    ଲେଖିବା ଅତି ସହଜ ହେଉଛି

  • ୫. ରଘୁନାଥ ପ୍ରଧାନ, ବୌଦ୍ଧ,ଓଡିଶା  |  ମାର୍ଚ୍ଚ୍ ୧୮, ୨୦୧୮ - ୫:୪୪ ପୂର୍ବାହ୍ନ

    ମୁଁ ପ୍ରଥମ ଥର ଏହା ପଠନ କରିବା ପରେ ବହୁତ ଖୁସି ଲାଗୁଛି।
    ଏହା ନିଶ୍ଚିତ ମୋର ଛାତ୍ର ଜୀବନରେ ସାହାଯ୍ୟ କରିବ ବୋଲି ମୋ ଆଶା ଅଛି।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤