ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋପୀନାଥ ମହାନ୍ତି
ଲକ୍ଷ୍ମୀଧର ନାୟକ
ଜଗଦୀଶ ମହାନ୍ତି
କୃଷ୍ଣପ୍ରସାଦ ମିଶ୍ର
ରାଧାନାଥ ରାୟ
କୃଷ୍ଣଚନ୍ଦ୍ର ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଓଡ଼ିଶା ଇତିହାସ - ପୁସ୍ତକ ସମୀକ୍ଷା
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ସେପ୍ଟେମ୍ବର୍ ୩୦, ୨୦୧୧  
 

odia_itihasa

ସମ୍ପାଦନା : ପ୍ରୀତୀଶ ଆଚାର୍ଯ୍ୟ
ପ୍ରକାଶକ : ଆମ ଓଡ଼ିଶା, ୟୁନିଟ୍‌-୩, ଭୁବନେଶ୍ବର
ସମୀକ୍ଷକ : ଡକ୍ଟର ଯଶୋବନ୍ତ ନାରାୟଣ ଧର

ଓଡ଼ିଆ ପୁସ୍ତକ ଜଗତର ଏକ ଶାରଦୀୟ ସୁସମ୍ବାଦ ହେଉଛି ‘ଆମ ଓଡ଼ିଶା’ ପକ୍ଷରୁ ‘ଓଡ଼ିଶା ଇତିହାସ’ ନାମକ ଏକ ଗବେଷଣାତ୍ମକ ଗ୍ରନ୍ଥର ପ୍ରକାଶନ୤ ‘ସମ୍ବାଦ’ ସମ୍ପାଦକ ତଥା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମାର୍ଗ ଦର୍ଶନରେ ପୁସ୍ତକଟିର ପୁନଃସଂରଚନା ଓ ସମ୍ପାଦନା କରିଛନ୍ତି ଲବ୍ଧପ୍ରତିଷ୍ଠ ଅଧ୍ୟାପକ ପ୍ରୀତୀଶ ଆଚାର୍ଯ୍ୟ୤ ପ୍ରୀତାଶବାବୁଙ୍କ ସମେତ ଏଥିରେ ବିଭିନ୍ନ ଅଧ୍ୟାୟଗୁଡ଼ିକର ଲେଖା ପ୍ରସ୍ତୁତ କରିଛନ୍ତି ବିଶିଷ୍ଟ ଐତିହାସିକ ଓ ଗବେଷକ ସର୍ବଶ୍ରୀ ଅତୁଲ ଚନ୍ଦ୍ର ପ୍ରଧାନ, ସଦାଶିବ ପ୍ରଧାନ, ଶିଶିର କୁମାର ପଣ୍ଡା, ବସନ୍ତ କୁମାର ମଲ୍ଲିକ, ଚଣ୍ଡୀପ୍ରସାଦ ନନ୍ଦ, ପ୍ରମୋଦ କୁମାର ମହାନ୍ତି ଓ ସୂର୍ଯ୍ୟକାନ୍ତ ନାଥ୤ ପେପର୍‌ବ୍ୟାକ୍‌ ସଂସ୍କରଣରେ ପ୍ରକାଶିତ ଏହି ୩୪୦ ପୃଷ୍ଠା ବିଶିଷ୍ଟ ପୁସ୍ତକର ମୂଲ୍ୟ ରହିଛି ମାତ୍ର ୧୭୦ ଟଙ୍କା୤

ପୁସ୍ତକର ‘ଦୁଇପଦ’ ଶୀର୍ଷକ ପ୍ରସ୍ତାବନାରେ ସୌମ୍ୟରଞ୍ଜନ ବେଶ୍‌ କେତେପଦ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି୤ ତାହା ହେଉଛି, ‘ଭାଷା ଓ ଜାତିର ପରିଚୟ ପାଇଁ ଯେଉଁ କେତେଗୁଡ଼ିଏ ମୌଳିକ ପୁସ୍ତକର ଆବଶ୍ୟକତା ଅଛି, ସେଗୁଡ଼ିକ ମଧ୍ୟରୁ ଅଭିଧାନ, ବ୍ୟାକରଣ ଓ ଇତିହାସ ପୁସ୍ତକର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ୤ ଅତୀତକୁ ନ ଜାଣିଲେ ବର୍ତ୍ତମାନକୁ ବୁଝି ହେବନାହିଁ କି ଭବିଷ୍ୟତ ପାଇଁ ସୁଚିନ୍ତିତ ଯୋଜନା କରିହେବ ନାହିଁ୤ ମୋର କାହିଁକି ମନେହେଉଛି, ଓଡ଼ିଶାର ଯାବତୀୟ ଜାତୀୟ ସମସ୍ୟା ପାଇଁ ଅତୀତ ସଚେତନତାର ଅଭାବ ଅନେକ ପରିମାଣରେ ଦାୟୀ୤’ ଏ ‘ବିଡ଼ମ୍ବନା’ ସହିତ ବିସ୍ମରଣପ୍ରିୟତା ଓ ନିଷ୍ଠାର ଅଭାବକୁ ମଧ୍ୟ ଓଡ଼ିଶାର ସମସ୍ୟା ବହୁଳତାର କାରଣ ବୋଲି ଗ୍ରହଣ କରାଯାଇପାରେ୤ ଏଥିପାଇଁ ଏହି ‘ସଂକ୍ଷିପ୍ତ ଅଥଚ ପୂର୍ଣ୍ଣାଙ୍ଗ ଇତିହାସ ପ୍ରକାଶ କରିବାର ଯୋଜନା’!

ଗ୍ରନ୍ଥଟିର ଗୁଣାତ୍ମକ ବିଶ୍ଳେଷଣ ଏହି ‘ଦୁଇପଦ’ରୁ ଆରମ୍ଭ କରାଯାଇ ପାରେ୤ ଏହି ପ୍ରତିବଦ୍ଧତା ପରିପ୍ରେକ୍ଷୀରେ ଗ୍ରନ୍ଥର ପୁନର୍ଲିଖନ ଓ ସମ୍ପାଦନା ଦାୟିତ୍ବ ନେଇଥିବା ପ୍ରୀତୀଶ ଆଚାର୍ଯ୍ୟ ତାଙ୍କର ‘ପ୍ରାକ୍‌କଥନ’ ରେ ଯାହା କହିଛନ୍ତି, ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ୤ ସେ ଲେଖିଛନ୍ତି, ‘ଏହି ପୁସ୍ତକକୁ ଓଡ଼ିଶାର ସମ୍ପୂର୍ଣ୍ଣ ଇତିହାସ ବୋଲି କହିବା ଅସମୀଚୀନ ହେବ୤ ପୁଣି, ‘ଓଡ଼ିଶା ଇତିହାସ’ ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆଗ୍ରହ ସୃଷ୍ଟି କରିବାରେ ଏବଂ ‘ଭବିଷ୍ୟତର ଇତିହାସ ଗବେଷକ’ ପାଇଁ ଏହା ଯଦି କିଛି ଆଧାର ଯୋଗାଏ, ତେବେ ଆମର ଶ୍ରମ ସାର୍ଥକ ହେବ୤’ ସଚ୍ଚା ଗବେଷକ ଓ ଲେଖକ ପରି ପୁସ୍ତକଟିର ଏ ଦୁଇ ପ୍ରମୁଖ କର୍ତ୍ତା ସୌମ୍ୟରଞ୍ଜନ ଓ ପ୍ରୀତୀଶଙ୍କ ଉକ୍ତି ଏହି ଗ୍ରନ୍ଥର ପ୍ରକାଶନକୁ ଏକ ଔଚିତ୍ୟ ଓ ଉଚ୍ଚକୋଟୀତ୍ବ ପ୍ରଦାନ କରିଛି୤

ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ହେଲା, କେବଳ ପ୍ରାମାଣିକ ଉତ୍ସ ଆଧାରିତ ଇତିହାସ ଲେଖାରେ ଯୌଥ ଉଦ୍ୟମ ଯେ ଫଳପ୍ରସୂ ହୋଇପାରେ, ତାହାର ଦୃଷ୍ଟାନ୍ତରୂପେ ଏହି ‘ଓଡ଼ିଶା ଇତିହାସ’ ପୁସ୍ତକ ବହୁକାଳଯାଏ ଓଡ଼ିଆ ପ୍ରକାଶନ ଶିଳ୍ପକୁ ପ୍ରୋତ୍ସାହତ କରିବ୤ କାରଣ ବ୍ୟକ୍ତିଗତ ଅଲୌକିକ ଜ୍ଞାନ ଏବଂ ବ୍ୟକ୍ତିଗତ ନିଷ୍ଠା ସତ୍ତ୍ବେ ଆନୁଷ୍ଠାନିକ ତଥା ମିଳିତ ଭାବରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ପରମ୍ପରା ଏପର୍ଯ୍ୟନ୍ତ ଆମ ରାଜ୍ୟରେ ସୃଷ୍ଟି ହୋଇ ପାରୁନାହିଁ୤ ଏହି ଦୃଷ୍ଟିରୁ ସମସ୍ତ ସଦ୍‌ଭାବନା ଥାଇ ମଧ୍ୟ ଓଡ଼ିଆ ସାହିତ୍ୟ, ସଂସ୍କୃତିର ବହୁ ମହାନ୍‌ କୃତି ଓ କୀର୍ତ୍ତି ରହିଯାଇଛନ୍ତି ଅଧାଗଢା ହୋଇ୤

ଆଧୁନିକ ପାଠରେ ଇତିହାସ ବୋଲି ଯାହାକୁ କୁହାଯାଏ, ତାହାର ରଚନା ଆରମ୍ଭ ହୋଇଥିଲା ଇଂରେଜ ପ୍ରଶାସନିକ କର୍ମକର୍ତ୍ତାଙ୍କ ଦ୍ବାରା୤ ବଙ୍ଗ-ବିହାରର ବୁଦ୍ଧିଜୀବୀ ଓ ଗବେଷକମାନେ ଏଥିରେ ପରେ ହାତ ଦେଲେ୤ ଫଳରେ ଉପଲବ୍‌ଧ ପ୍ରମାଣ ଓ ପ୍ରଚଳିତ କିମ୍ବଦନ୍ତୀକୁ ନେଇ ଇତିହାସକୁ ଅଧିକରୁ ଅଧିକ ପ୍ରାମାଣିକ ଏବଂ ପ୍ରାପ୍ତ ତଥ୍ୟକୁ ଅଧିକରୁ ଅଧିକ ଉଦ୍‌ଭାସିତ କରିବାକୁ ପ୍ରାୟ ପ୍ରୟାସ ହେଲାନାହିଁ୤ କାରଣ ସହଜରେ ମିଳୁଥିବା ତଥ୍ୟ ଓ ଲୋକଶ୍ରୁତି ଉଭୟ ପ୍ରଚୁର ମିଳିଯାଉଥିଲା୤ ଉପଲବ୍‌ଧ ତଥ୍ୟକୁ ଯେଉଁମାନେ ପ୍ରକୃତରେ ଆହୁରି ନିରେଖି ଦେଖିଲେ, ସେମାନେ ହେଲେ ଆମର ପ୍ରାତଃସ୍ମରଣୀୟ ପରମାନନ୍ଦ ଆଚାର୍ଯ୍ୟ, କେଦାରନାଥ ମହାପାତ୍ର, ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଡକ୍ଟର ସତ୍ୟନାରାୟଣ ରାଜଗୁରୁ, ଡକ୍ଟର ନବୀନ କୁମାର ସାହୁ ଓ ଡକ୍ଟର ମନ୍ମଥ ନାଥ ଦାସ ପ୍ରମୁଖ ଓଡ଼ିଆ ଐତିହାସିକମାନେ୤ ଏମାନଙ୍କ ସହିତ ସ୍ଥାନୀୟ ବହୁ ଗବେଷକ ଲୋକଲୋଚନ ଆଢୁଆଳରେ ସ୍ଥାନୀୟ ଇତିହାସ ଲେଖିଯାଇଛନ୍ତି୤ ଏହା ବ୍ୟତୀତ ଓଡ଼ିଶା ଇତିହାସକୁ ଋଦ୍ଧିମନ୍ତ କରିଛନ୍ତି ସଂସ୍କୃତ-ପାଲି-ପ୍ରାକୃତ-ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟାପକ, ଗବେଷକଗଣ ତଥା ମ୍ୟୁଜିଅମ୍‌ର ପୋଥି, ପ୍ରତ୍ନତତ୍ତ୍ବ ଓ ନୃତତ୍ତ୍ବ ଉପରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଗଣ୤ ଏସବୁ ସତ୍ତ୍ବେ ଓଡ଼ିଶାର ଇତିହାସ ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ୤ କାରଣ କାଳର ଦନ୍ତାଘାତରୁ ଓ ବିସ୍ମୃତିର ଅନ୍ଧଗଳିରୁ ଆମେ ଅଶୋକ-ପୂର୍ବ ଓ ଖାରବେଳ-ପର ସମୟର ପ୍ରାମାଣିକ ଉତ୍ସ ଖୋଜି ପାଇପାରୁନାହୁଁ୤ ଏହି ଖରାପ ଖବର ‘ଆମ ଓଡ଼ିଶା’ ପକ୍ଷରୁ ‘ଓଡ଼ିଶା ଇତିହାସ’ ପ୍ରକାଶନର ଭଲଖବର ସତ୍ତ୍ବେ, ଆମ ନଥିପତ୍ରରେ ରହିବ୤

କଠୋର ନିର୍ଣ୍ଣୟ, ବସ୍ତୁନିଷ୍ଠ ଦୃଷ୍ଟିଭଙ୍ଗୀ ଓ ପ୍ରମାଣ ନିର୍ଭର ଲେଖା ଦୃଷ୍ଟିରୁ ଓଡ଼ିଶାର ଏହି ନୂଆ ଇତିହାସ ପୁସ୍ତକଟି ଅତ୍ୟନ୍ତ ଉଚ୍ଚକୋଟୀର୤ ପୁନର୍ଲିଖନ ଓ ସଂପାଦନାର ଦୃଢତା ଏବଂ ଲେଖକମଣ୍ଡଳୀଙ୍କ ଦକ୍ଷତା ଉଭୟ ପ୍ରଶଂସାଯୋଗ୍ୟ୤ ଏଥିରେ ଏପରି କିଛି ନାହିଁ ଯାହାକୁ ସହଜରେ କାଟି ଦେଇହେବ୤ ମାତ୍ର କାଟି ନହେବା ପରି ଅନେକ କଥା ଥିଲା, ଯାହା ଏଥିରେ ଯୋଡ଼ାଯାଇ ପାରିଥା’ନ୍ତା୤ ଏପରିକି ସଂକ୍ଷିପ୍ତ କଳେବର ସତ୍ତ୍ବେ, ଭୌମକର ବଂଶର ଅଢେଇଶହ ବର୍ଷର ଶାସନକୁ ମାତ୍ର ପାଞ୍ଚପୃଷ୍ଠା ମଧ୍ୟରେ ଛାପି ସାରିଦେବା ଉଚିତ ମନେହୁଏନାହିଁ୤ ‘ଗାଁ କନିଆ ସିଂଘାଣି ନାକୀ’ ନ୍ୟାୟରେ ଭୌମରାଣୀ ମାନଙ୍କ ଶାସନକୁ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦେଇ ଚିତ୍ରଣ କରାଯାଇ ପାରିଥାନ୍ତା୤ ସେହିପରି ଇଂରେଜ ଶାସନ ପୂର୍ବର ପ୍ରସଙ୍ଗ ଗୁଡ଼ିକରେ ଅନେକ ସ୍ଥଳରେ ଆନୁପାତିକତା ରକ୍ଷା କରାଯାଇ ପାରିନାହିଁ୤ ତେବେ ଇଂରେଜ ଶାସନ ଓ ତାର ପରବର୍ତ୍ତୀ ପ୍ରସଙ୍ଗଗୁଡ଼ିକରେ ଉପଯୁକ୍ତ ଆନୁପାତିକତା ରକ୍ଷା କରାଯାଇ ପାରିଛି୤

ପୁସ୍ତକଟିର ବିଷୟ ଉପସ୍ଥାପନା ଦୃଷ୍ଟିରୁ ବିଭିନ୍ନ ଲେଖକ ଏକ ପ୍ରକାରର ମାନଦଣ୍ଡ ବ୍ୟବହାର କରିନଥିବା ମଧ୍ୟ ଲକ୍ଷ୍ୟ କରାଯାଏ୤ ଅଭିଲେଖଗୁଡ଼ିକର ମୂଲ୍ୟାୟନରେ ଏହା ପରିଲକ୍ଷିତ୤ ଅଶୋକଙ୍କ ଶିଳାଲେଖକୁ ତଥା ସମୁଦ୍ରଗୁପ୍ତଙ୍କ କୌଶାମ୍ବୀ ସ୍ତମ୍ଭଲେଖକୁ ଏହି ପୁସ୍ତକରେ ପୂର୍ଣ୍ଣ ବିଶ୍ବାସକୁ ନିଆଯାଇଥିବା ସ୍ଥଳେ ‘ଖାରବେଳଙ୍କ ଶାସନ’ ପ୍ରସଙ୍ଗରେ ହାତୀଗୁମ୍ଫା ଶିଳାଲେଖକୁ ନେଇ ସଂଶୟ ବ୍ୟକ୍ତ କରାଯାଇଛି୤ କୁହାଯାଇଛି, ‘ତାଙ୍କର ପ୍ରତ୍ୟକ୍ଷ ଓ ପ୍ରକୃତ ଶାସନ କ୍ଷେତ୍ର କଳିଙ୍ଗ ନଗରୀ ବାହାରେ ହୁଏତ ଖୁବ୍‌ ଅଧିକ ନଥିଲା୤’ (ପୃ-୩୫) ଏବଂ ‘ଏହି ଶିଳାଲେଖ ତାଙ୍କୁ ଏକ ମହାବିଜୟୀ ସମ୍ରାଟ ରୂପେ ବର୍ଣ୍ଣନା କରିଛି୤ ମାତ୍ର ରାଜାଙ୍କ ଆଦେଶରେ ସେତେବେଳେ ଏହି ଶିଳାଲେଖ ଖୋଦିତ ହୋଇଥିବାରୁ ଅର୍ଥାତ୍‌ ଏହା ରାଜପ୍ରଶସ୍ତି ହୋଇଥିବାରୁ ତାହାର ସତ୍ୟାସତ୍ୟ ନିରୀକ୍ଷଣ କରିବାର ଆବଶ୍ୟକତା ମଧ୍ୟ ରହିଛି୤’ (ପୃ-୩୫)୤ ଏଣୁ ସମସ୍ତ ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ ସତ୍ତ୍ବେ ଏହି ସନ୍ଦେହାତ୍ମକ ଅଭିବ୍ୟକ୍ତିକୁ ଅତିବେଶୀରେ ଏକ ଭିନ୍ନମତର ଆଖ୍ୟା ଦିଆଯାଇପାରେ୤ କାରଣ, କେଉଁ ଅଭିଲେଖଟି ବା ରାଜାମାନଙ୍କ ଆଦେଶରେ ଲେଖାନଯାଇଛି ? ‘ଖାରବେଳଙ୍କ ପରବର୍ତ୍ତୀ ଓଡ଼ିଶା’ ପ୍ରସଙ୍ଗରେ ‘ବଡୁଖୀ’ ଓ ‘କୁଦେପଶିରି’ ଙ୍କ ସଂପର୍କରେ ମଧ୍ୟ ଉଲ୍ଲେଖ ନଥିବା ଲକ୍ଷ୍ୟ କରାଯାଏ୤ ସେହିପରି ସାତବାହନ, ମୁରୁଣ୍ଡ, ମାଠର, ନଳ, ମାଣ, ବିଗ୍ରହ, ଶରଭପୁରୀୟ, ଶୈଳୋଦ୍‌ଭବମାନଙ୍କ ସଂପର୍କରେ ସ୍ପଷ୍ଟତର ଆଲୋଚନାର ଆବଶ୍ୟକତା ଥିଲା୤ ଏ ପ୍ରସଙ୍ଗରେ କୁହାଯାଇପାରେ ଯେ ସଂକ୍ଷିପ୍ତତା ଓ ପ୍ରାଞ୍ଜଳତା ପରସ୍ପରର ବିରୋଧୀ ନୁହେଁ, ବରଂ ପରସ୍ପରର ସହାୟକ ହୋଇଥାଏ୤

ଆଲୋଚନାର ସମାନୁପାତିକତା ଦୃଷ୍ଟିରୁ ଦେଖିଲେ ଇଂରେଜ୍‌ ଶାସନ ପରଠାରୁ ଏହି ପୁସ୍ତକରେ ଅପେକ୍ଷାକୃତ ଅଧିକ ମାପଚୁପ ଠିକ୍‌ଭାବରେ ବ୍ୟବହୃତ ହୋଇଛି୤ ଆଞ୍ଚଳିକ ତଥ୍ୟକୁ ମଧ୍ୟ ଏହିଠାରୁ ଉଚିତ୍‌ ଗୁରୁତ୍ବ ଦିଆଯାଇଛି୤ ଐତିହାସିକର ଉପଯୁକ୍ତ କର୍ତ୍ତବ୍ୟ ରୂପେ ବ୍ୟକ୍ତିଗତ ବିରଳ ଉଦ୍ୟମ, ଆନୁଷଙ୍ଗିକ କ୍ଷେତ୍ରର ପ୍ରମାଣ (ଉପମା, ଅନୁମାନ ସମେତ) ବିଭିନ୍ନ ବିଷୟକୁ ସମାନୁପାତିକ ଢଙ୍ଗରେ ଉପସ୍ଥାପିତ କରାଯାଇଛି୤ ଅନାଲୋଚିତ ବ୍ୟକ୍ତିତ୍ବ-ପୁରୀର ହରିହର ଦାଶଶର୍ମା (୧୮୪୨ ଖ୍ରୀ:ରୁ ୧୮୭୧ ଖ୍ରୀ:) ସମ୍ବଲପୁରର ଓଡ଼ିଆ ଆନ୍ଦୋଳନ, ବିଭିନ୍ନ ଅଞ୍ଚଳରେ ହୋଇଥିବା ସ୍ବାଧୀନତା ଆନ୍ଦୋଳନ, ଦେଶମିଶ୍ରଣ, ପ୍ରଜାମଣ୍ଡଳ, ଗଡ଼ଜାତ ମିଶ୍ରଣ ତଥା ଭାଷା ପ୍ରଚଳନ ସଂପର୍କରେ ଗୋଟିଏ ବହିରେ ଏତେକଥା ଯେ ଲେଖାଯାଇ ପାରିଛି, ଏହାହିଁ ଏହି ପୁସ୍ତକର ଅନନ୍ୟତାକୁ ପ୍ରତିଷ୍ଠିତ କରେ୤ ଜାତୀୟତା ଓ ଓଡ଼ିଶାର ଅସ୍ମିତା ସଂପର୍କରେ ଏହି ପୁସ୍ତକରେ ବର୍ଣ୍ଣିତ ପ୍ରସଙ୍ଗ ଅନ୍ୟତମ ସର୍ବଶ୍ରେଷ୍ଠ ଲେଖାବୋଲି କୁହାଯାଇପାରେ୤ ନିର୍ଭୁଲ ଛାପା ଓ ବିଷୟ ବିନ୍ୟାସ ଏହି ଗ୍ରନ୍ଥର ପ୍ରକାଶନ ଓ ସମ୍ପାଦନା କରିଥିବା ବ୍ୟକ୍ତିଗଣଙ୍କର ଉତ୍କର୍ଷକୁ ସୃଷ୍ଟି ରୂପେ ଦର୍ଶାଏ୤

ଏଣୁ ଏହି ‘ଓଡ଼ିଆ ଇତିହାସ’ ପୁସ୍ତକ ସମ୍ପର୍କରେ ଶେଷରେ ଏତିକି କୁହାଯାଇପାରେ ଯେ ସବୁ ଭଲ ହେବା ସମ୍ଭବ ନହେଲା ନାହିଁ, ଅନେକ ଗୁଡିଏ ଭଲକୁ ନେଇ ଓଡ଼ିଶାର ଇତିହାସ ସଂପର୍କରେ ଭଲ ବହିଟିଏ ଯେ ଏତେଦିନକେ ବାହାରି ପାରିଲା, ଏହାହିଁ ବର୍ତ୍ତମାନର ଏକ ସବୁଠୁ ଭଲ ଖବର୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ତପନ, ଚଣ୍ଡିଗଡ |  ଅଗଷ୍ଟ୍ ୨୩, ୨୦୧୪ - ୪:୧୧ ପୂର୍ବାହ୍ନ

    ବହୁ ଦିନ ରୁ ଏହି ପ୍ରକାର ର ଏକ ପୁସ୍ତକ ଖୋଜୁଥିଲି୤ ବହୁତ୍ ବହୁତ୍ ଧନ୍ୟବାଦ୍!

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤