ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ନୀଳ ମାଧବଙ୍କ ଉଦ୍ଦେଶ୍ୟରେ ମନେ ମନେ ଜଡ଼ା କହିଲା, ‘ ବାଃ ରେ ଠାକୁର | ଧନ୍ୟ ତୋର ଲୀଳା | ମହରଗରୁ ଆଣି କାନ୍ତାରରେ ପକେଇଦେଲୁ |’
ରାଜୀବ ପଚାରିଲା ‘… ଏତେ ରାତିରେ କୁଆଡେ ଯାଇଥିଲୁ କିରେ? ’
ଡରି ଡରି ଜଡ଼ା କହିଲା, ‘ ହୁର୍ଷିଆନା ଗାଆଁକୁ ଗଲେ ତ | ତାଙ୍କୁ ଛାଡ଼ିବାକୁ ଷ୍ଟେସନ ଯାଇଥିଲି, ସାଇକେଲ୍ ପଙ୍କ୍ଞ୍ଚର୍ ହେଇଗଲା | ‘ରାଜୀବ କହିଲା, ‘ ହଉ, ସାଇକେଲ୍ ଡାଲାରେ ଲଦ୍ , ଯିବା |’ ଜଡ଼ା ନିଶ୍ଚିତ ହେଲା, ଖଟାଲ ଭିତରକୁ ନେଇ ରାଜୀବ ସିଂ ତାକୁ ମାଡ଼ ଦବ | ସେ ତ’ ଦୋଷ ନ କଲା ଲୋକକୁ ବି ହଇରାଣ କରେ | ସହଜେ ଜଡ଼ା ତାକୁ ସକାଳୁ ସକାଳୁ ଅପଦସ୍ତ କରିଛି |
ଜଡ଼ା ତା ସାଇକେଲ୍ ଡାଲାରେ ଲଦିଲା | ନିଜେ ଡାଲାରେ ଚଢିବାକୁ ଯାଉଥିଲା, ରାଜୀବ ଡାକିଲା, ‘କେବିନ୍କୁ ଆସ୍ |’ କିରୋସିନି ଡବା ଧରି କେବିନକୁ ଗଲା ଜଡ଼ା | ରାଜୀବ ପଚାରିଲା, ‘.. ସକାଳେ ମୋ ପକେଟ୍ରୁ କେତେ ଟଙ୍କା ନେଇଥିଲୁ ବେ ?‘ ଚୁପ୍ ରହିଲା ଜଡ଼ା | ଖଟର ଖଟର ଶବ୍ଦ କରି ଡାଲା ଅଟୋ ରାସ୍ତାରେ ଗଡୁଥିଲା | ରାଜୀବ କହିଲା, ‘ ଶଳା.. ରାଜୀବ ସିଂ ଦେହରେ ହାତ ଦେଉଛୁ ? ତତେ ଛାଡିବିନି..| ତୋ ପାଖରେ ପଇସା ଅଛି ତ’ , ମୋ ଅଟୋରେ ଆସି ବସି ପଡିଲୁ? ‘ ଜଡ଼ା ମନେ ମନେ ଭାବିଲା, ଆଜି ଆଉ ତ୍ରାହି ନାହିଁ | ସେ ପାଖରେ କୁସିଆନା, ଏ ପାଖରେ ରାଜୀବ ସିଂ, କେହି ଜଣେ ତ ତା ଜୀବନ ନେଇ ଛାଡ଼ିବ | ‘ ପୁଣି ନୀଳ ମାଧବଙ୍କୁ ଡାକିଲା, ପ୍ରଭୁ, ଏତେ ହିନିମାନ କଲଣି, ଟିକେ ଦୟା ତ ଦେଖାଅ | ଏ ଅସୁରକୁ ବୁଦ୍ଧି ଦିଅ, ମତେ ମାଡ ମାରୁ ପଛକେ, କୁସିଆନାର ସାଇକେଲକୁ ଜବରଦସ୍ତି କରି ଛଡେଇ ନ ନେଉ |’
ଆଖି ବୁଜି ଠାକୁରଙ୍କୁ ଡାକିବା ଭିତରେ ଜଡ଼ା କେଉଁଠି ପହଞ୍ଚି ଯାଇଥିଲା, ଜାଣି ନ ଥିଲା | ରାଜୀବ ସିଂ ତା ଅଟୋରେ ବ୍ରେକ ଦେବାରୁ ଆଖି ଖୋଲିଲା | କୁସିଆନା ଘରର ଲାଇଟ୍ ଦେଖା ଯାଉଥିଲା | ଜଡ଼ା ଅଟୋରୁ ବାହାରିଲା | ତା ପଛେ ପଛେ ରାଜୀବ ସିଂ ବି, କେବିନ୍ ରୁ ବାହାରକୁ ଆସିଲା ଓ ସାଇକେଲକୁ ଡାଲାରୁ ଉତାରି ଦେଲା | ନୀଳ ମାଧବ କଥା ଶୁଣିଛନ୍ତି ବୋଲି ଆଶ୍ୱସ୍ତ ହେଲା ଜଡ଼ା | ତଥାପି ମନରୁ ଡର ଯାଇ ନଥିଲା | ତା’ ଉପରେ କିଛି ଭରଷା ନଥିଲା | ସପ୍ତାହେ ତଳେ ସେଇଠି ରାତିରେ ଆସି ହୁର୍ଷିଆନାକୁ ପିଟିକି ଯାଇଥିଲା | ଡରି ଡରି ଜଡ଼ା କହିଲା, ‘ ମୋ ପାଖରେ ପଇସା ନାହିଁ ଭାଇ…|’
କ୍ଷୀଣ ଆଲୋକରେ ରାଜୀବ ସିଂ ଜଡ଼ାର ମୁହଁକୁ କ୍ଷଣେ ଦେଖିଲା | କହିଲା… ‘ ମୁଁ ତୋ’ଠାରୁ ପଇସା ନେବି ବୋଲି ଭାବୁଛୁ ? ବାଇଆଟା କିରେ…|’ଲୁହରେ ଆଖି ଛଳ ଛଳ ହୋଇଗଲା ଜଡ଼ାର | ଅନ୍ତରରୁ କୋହ ବାହାରି ଆସୁଥିଲା | ଜଡ଼ାକୁ ଲାଗିଲା ଯେମିତି ରାଜୀବ ସିଂ ବଦଳରେ ବାଆ ତା’ ସାମ୍ନାରେ ଠିଆ ହେଇଛି ।
…………