ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

କମଳା ଶତପଥି
କିଶୋରୀକିଙ୍କର ଦାସ
ନିତ୍ୟାନନ୍ଦ ମହାପାତ୍ର
ସଦାନନ୍ଦ ତ୍ରିପାଠୀ
ଉତ୍କଳମଣି ଗୋପବନ୍ଧୁ ଦାସ
ବ୍ରଜନାଥ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଣ୍ଟା
 |- ଶୈଳେନ୍ଦ୍ର କୁମାର ଜେନା
 
 
ତା: ଅକ୍ଟୋବର୍ ୨୧, ୨୦୧୬  
 

ହୁର୍ଷିଆନା ଛାଡିବା ଜନ୍ତୁ ନୁହେଁ | ସେ ବି ଶୁଣେଇଲା | ଝଗଡ଼ାଟା ଏତେ ବଢି ଗଲା ଯେ, ପାଖପଡ଼ିଶା ଆସିଲେ ସିନା, ତାଙ୍କ ଝଗଡ଼ାରେ ପାଟି ଫିଟେଇବାକୁ ସାହସ କଲେନି | ଜଡ଼ା ତ ସହଜେ ଆଗରୁ ପାନେ ପାଇଛି | ତାର କି ଯାଏ | ଦିଅରର ଭାଉଜ ଉପରକୁ ଚିଲାଚିଲି କୁସିଆନାର ଦେହରେ ଗଲାନି | ତେଲ ଛଣା ଚଟୁରେ ତା କାନ୍ଧରେ ପାହେରେ କଷି ଦେଲା | ତା ପରେ ଯାହା ହେଲା ନକହିବା ଭଲ | ଶେଷକୁ ହୁର୍ଷିଆନା କହିଲା, ‘ଏଇ ଏବେ ଘର ଛାଡି ଚାଲିଯିବି | ଏ ଜଡ଼ା… ବାହାର କର ସାଇକେଲ୍ | ମୋତେ ନେଇ ଟ୍ରେନ୍ ରେ ବସେଇକି ଆସିବୁ ଚାଲ୍ |’

କୁସିଆନା କହିଲା, ‘ ଜଡ଼ା… ବୁଝି ଖବରଦାର | ସାଇକେଲ୍ ରେ ହାତ ଲଗେଇଲେ, ତୋ ହାତ ଭାଙ୍ଗି ଦେବି|’
ହୁର୍ଷିଆନାକୁ ଏବେ ଏବେ ଜଡ଼ା ଟ୍ରେନ୍ ରେ ବସେଇକି ଆସିଲା | ଟ୍ରେନ୍ ଆସିବା ସମୟ ହେଇ ନଥିଲା| ହୁର୍ଷିଆନା ତାକୁ ଯଦି କହିଥାନ୍ତା ଘରକୁ ପଳେଇ ଯିବାକୁ ସିଏ ଆରାମରେ ଘରକୁ ଫେରି ପାରିଥାନ୍ତା | ସେତେବେଳେ ରାସ୍ତା ଗହଳି ବେଳ ଥିଲା | ହେଲେ ସିଏ ତାକୁ ଅଟକେଇକି କହିଲା, ‘ ଟ୍ରେନ୍ ଆସିଯାଉ ଯିବୁ|’ ବିସ୍କୁଟ୍ ପକେଟ୍ଟାଏ କିଣି ତାକୁ ଦିଟା ବିସ୍କୁଟ୍ ଦେଲା | ବାକି ସବୁତକ ସେ ନିଜେ ଖାଇଲା | କହିଲା, ‘ ଯାଉଛି ଗାଆଁକୁ| ବାପାଙ୍କୁ କହିବି ମୋତେ ଭିନ୍ନ କରିଦେବେ| ମୁଁ ମୋ ପଇସାରେ ଏଇଠି ଘର କରିବି | ଦୋକାନ କରିବି | ତତେ ନେଇ ପାଖରେ ରଖିବି | କୁସିଆନା ଆଉ ଭାଉଜ ପାଖରେ ରହିଲେ ତୁ ଖଟି ଖଟି ମରିଯିବୁ | ମୋ ପାଖରେ ଅୟସ କରିବୁ | ତତେ ପାର୍ଟନର କରି ରଖିବି | କୋଉ ଶଳା କଣ କହିବ ମୁଁ ଦେଖିବି | ତୁ ରହିବୁ ନାଇଁ ମୋ ପାଖରେ?’

ତା’ ପାଖରେ ରହିବନି ବୋଲି କହି କଣ ଦି କହୁଣୀ ଖାଇଥାନ୍ତା ? ତା କଥାରେ ହଁ ଭରିଲା | ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦି ତା କାହାଣୀ ଶୁଣେଇଲା | ‘ଭାଉଜର ସାନ ଭଉଣୀ ସାଙ୍ଗରେ ହସିକି କ’ଣ ଦି ପଦ କଥା ହେଇଗଲା ଯେ, ଭାଉଜ ରାଗିକି ଏତିକି କାଣ୍ଡ କରେଇଛି | ଭାଉଜ ତ ରାଜୀବ ସିଂ କୁ ମୁଣ୍ଡରେ ଥୋଇଥିଲା | ଆଜି ସକାଳେ କଣ ହେଲା ତୁ ତ ନିଜେ ଦେଖିଲୁ! ’ ତ’ ଦୁଃଖ ଦେଖି ଜଡ଼ାକୁ ବି କାନ୍ଦ ମାଡ଼ିଲା | ତାକୁ ସିଏ କେମିତି ବା କହିଥାନ୍ତା ଯେ, ବେଶୀ ରାତି ହେଲେ ପୀର ବାବା ଛକ ପାଖରୁ ଖଟାଲ୍ ରାସ୍ତାରେ ଯିବାକୁ ଡର ମାଡ଼ିବ| ପ୍ରଥମେ ପଡ଼ିବ କବର ଖାନା, ତା ପରେ ଶ୍ମଶାନ..ରାସ୍ତା ତିନି କିଲୋମିଟର | ବୁଦି ବୁଦିକିଆ ଜଙ୍ଗଲରେ ଦୁଇ ପାଖ ଭରା | ବେଲ ଗଛ ପାଖରେ ରହୁଛି, ଭୂତ ମାନଙ୍କର ସର୍ଦ୍ଦାର, ବ୍ରହ୍ମ ରାକ୍ଷସ | ଜଡ଼ାର ଦେହ ଶୀତେଇ ଉଠିଲା |

ଘରକୁ ଗଲେ ଅନ୍ୟ ବିପଦ ବି ଅଛି | କୁସିଆନାର ମନା କରିବା ପରେ ବି, ହୁର୍ଷିଆନା କଥା କାଟି ନ ପାରି ସାଇକେଲ୍ ଧରି ଆସିଥଲା | ସେଥିପାଇଁ ଘରକୁ ଗଲେ ଗାଳି ବା ମାଡ଼ ବା ଦୁଇଟାଯାକ ମିଳିବା ନିଶ୍ଚିତ | ସେଇଟାକୁ ତ ସହିଯିବ | ମାଡ଼ ଖାଇଲେ ବି ବାସନ ସବୁତକ ମାଜି ଦବ | ଗାଈ ଗୁହାଳରେ କୁଟା ଜଳେଇ ଧୂଆଁ ଦେଇ ଦବ | ଭାଉଜର ଘର ଝାଡ଼ୁ କରିଦେବ | ତାଙ୍କ ବାପଘରର ଡ୍ରେସିଂ ଟେବୁଲ ପୋଛି ଦେଲେ, ଆଉ ଖଟଟାକୁ ତାରିଫ କଲେ ସିଏ ଖୁସି ହେଇଯିବେ | ସୋରିଷ ତେଲରେ ରସୁଣ ଗରମ କରି କୁସିଆନା ହାତ ଗୋଡ଼ ଟିକେ ମୋଡି ଦବ | ମୁଣ୍ଡରେ ଭିକ୍ସ ଲଗେଇ ଚୁଟି ସାଉଁଳେଇ ଦବ | କୁନି ଝିଅର ମୂତ କପଡା ଧୋଇ ଦେବ | ତାକୁ କାଖେଇକି ଶୁଏଇ ଦବ | ଭାଉଜକୁ ଖୁସି କରିବାକୁ କିରୋସିନି ପାଞ୍ଚ ଲିଟର ବି ଷ୍ଟେସନ ପାଖ ଦୋକାନରୁ ଆଣିକି ଆସଛି | ମନେ ପଡ଼ିଲା, ଦି’ ଦିନ ତଳେ କୁସିଆନା ତାକୁ ପଠେଇଥିଲା କିରୋସିନି ନବାକୁ | ଟଙ୍କା ଆଉ ଜାର୍ ଧରି ଦୋକାନରେ ପହଞ୍ଚିବାରୁ ଦୋକାନୀର ସ୍ତ୍ରୀ କିରୋସିନ ନାହିଁ ବୋଲି କହିଥିଲା | ତାକୁ ଆଗୁଆ ଟଙ୍କା ଆଉ ଜାର୍‌ ଦେଇକି ଆସି ଘରୁ ଭାଉଜଠାରୁ ଗାଳି ଶୁଣିଥିଲା | ଆଜି ଯୋଗକୁ ଦୋକାନ ଖୋଲା ଥିଲା | କିରୋସିନି ବି ଥିଲା| ଦୋକାନୀକୁ କହିବାରୁ ସିଏ କିରୋସିନି ଦେଇଦେଲା | ଜାର୍ରେ କୁସ ବୋଲି ନାଆଁ ଲେଖା ହୋଇଥିଲା | ଭଲକରି ଦେଖିକି ଜାରକୁ ଆଣିଛି | ଅନ୍ତତଃ ଏଇ ଗୋଟାଏ କାରଣ ହେତୁ ସିଏ ମାଡ଼ ଗାଳିରୁ ବଞ୍ଚିଯାଇପାରେ | ନହେଲେ ଭାଉଜ ଯଦି ଥାଉ ବୋଲି କହିଦେବେ, କୁସିଆନାର ରାଗ ନିଆଁରେ ପାଣି ପଡିବା ପରି ଥଣ୍ଡା ହେଇଯିବ |

ହେଲେ, ଅଧା ବାଟରେ ବସିଥିବା ଏ ବ୍ରହ୍ମ ରାକ୍ଷାସକୁ କେମିତି ପାର କରିବ? ସାଇକେଲ ଏତିକି ବେଳକୁ ପଙ୍କଚର ହେବାକୁ ଥିଲା| ଅଲକ୍ଷଣା କଣ୍ଟା ଶନିଗ୍ରହ ପରି ତା ସାଇକେଲ ଚକରେ ପଶିଗଲା| ସାଇକେଲଚଲେଇକି ଗଲେ ଟ୍ୟୁବ୍ ପୁରା ଖରାପ ହେଇଯିବ| ଟ୍ୟୁବ୍ ଗୋଟାକ ସତୁରି ଟଙ୍କା ହେଲାଣି| କୁସିଆନା ଆଉ ଭାଉଜ, ଦୁହେଁ ମିଶି ତା’ର କି ହାଲ୍ କରିବେ ! ମାରନ୍ତୁ ପଛକେ, ରାସ୍ତା ପାର୍ ହେଲେ ଜୀବନ’ତ ବଞ୍ଚିଯିବ | ହେଲେ ସାଇକେଲ୍ ଉପରେ ଭରଷା ନାହିଁ | ଯଦି ରିମ୍ ଟାଲ୍ ହେଇଯାଏ… ଯଦି ଠିକ୍ ଭୂତର ସାମ୍ନାରେ ତାକୁ ତଳକୁ ଫିଙ୍ଗିଦିଏ ?

ଏ ସବୁ ପାଇଁ ବାଆ ଦାୟୀ | କେତେ ଆନନ୍ଦରେ ଗାଆଁରେ ଥିଲା | ସମୁଦ୍ର କୂଳକୁ ଗାଈ ନେଇ ଯାଉଥିଲା ଚରେଇବାକୁ | ଯୋରରୁ ମାଛ କଙ୍କଡା ଧରୁଥିଲା | ଗଛ ଚଢୁଥିଲା | ମାଙ୍କଡ ପରି ପାଣିକୁ ଡିଆଁ ମାରୁଥିଲା | ତା କଳା ଦେହଟା ଗୋରା ଦେଖାଯବା ପର୍ଯ୍ୟନ୍ତ ପାଣିରେ ପହଁରୁଥିଲା | ବାଗୁଡ଼ି ଖେଳୁଥିଲା | ଗାଆଁରେ ରଜ, ଦୋଳ, ଦୀପାବଳୀ ପାଳୁଥିଲା | ଆଜି ସହରକୁ ଆସିବା ପରେ ସେ ସବୁର କିଛି ମାନେ ନାହିଁ | ଏଠି ଜାକଜମକରେ ସିନା ପର୍ବ ପାଳନ ହୁଏ, ହେଲେ ଗାଆଁର ପବିତ୍ରତା କାହିଁ ? ଏପାଖରେ ଠାକୁର ପୂଜା କରୁଥିବେ, ସେ ପାଖରେ ମଦ ପିଇ ନାଚ କରୁଥିବେ | … ବାଆ କହିଲା, ‘ ସହରକୁ ଯା | ସେଠି ଜୀବନ ଅଛି | ଗାଆଁରେ ଲୋକଗୁଡ଼ାକ ଖାଲି ପୋକ ମାଛି ପରି ବଞ୍ଚୁଛନ୍ତି ସିନା | ସହରରେ ଯେତେ ମେହେନତ କରିବ ସେତେ ରୋଜଗାର କରିବ | ଟଙ୍କା ପଇସା ହାତରେ ହେଲେ ସିନା ବାହାଘରରେ ବାଣ ଫୁଟିବ… ବେଣ୍ଡ ପାର୍ଟି ଆସି ବାଜା ବାଜିବ.. ଗାଆଁ ଭୋଜି ହବ | ଗାଆଁରେ ରହିଲେ ତତେ କିଏ ସେ ଝିଅ ଦବ ?’ ସହରକୁ ଯିବନି ବୋଲି ଜଡ଼ା କାନ୍ଦିବାରୁ ବୁଢା କହିଲା, ‘ ବାଇଆଟା କିରେ….? ’

ତା କଥା ମାନି ସହରକୁ ଆସିବା ପରେ କିଛି ଦିନ ତ ଭଲ ଲାଗିଲା | ଏବେ ଆଉ ଭଲ ଲାଗୁନି | ଏମାନଙ୍କ ଝଗଡ଼ା ଝାଟି କଣ କେବେ ଶେଷ ହେବ ! ନିତିଦିନିଆ ଝଗଡ଼ାରେ ଶ୍ୱାସରୁଦ୍ଧ ହୋଇଯାଏ ତା’ର | କେତେବେଳେ ଦେହ ଭଲ ନ ଲାଗିଲେ କି ମନ ଭଲ ନ ଥିଲେ ଶୁଣିବାକୁ କେହି ନାହିଁ | କେହି ଭାବନ୍ତିନି ଯେ ଜଡ଼ାର ବି କିଛି ଦୁଃଖ ଥାଇପାରେ ବୋଲି | ସମସ୍ତଙ୍କ ରାଗ ଅଭିମାନ, ଦୁଃଖର ବୋଝ ତା ଉପରେ ଲଦି ହୋଇପଡ଼େ ।

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶୈଳେନ୍ଦ୍ର କୁମାର ଜେନା
ଶୈଳେନ୍ଦ୍ର କୁମାର ଜେନା
ଜଣେ ଯୁବ ସାହିତ୍ୟିକଭାବେ ପରିଚିତ ଶୈଳେନ୍ଦ୍ର କୁମାର ଜେନା ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀଭାବେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରହି ମଧ୍ୟ ଗଳ୍ପ ଓ କବିତା ଆଦି ଲେଖାଲେଖି କରିଆସୁଛନ୍ତି। ତାଙ୍କର କବିତା ଓ ଗଳ୍ପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକୀୟ ଆଦୃତି ହାସଲ କରିଛି।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤