ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ରାଜକିଶୋର ରାୟ
ମନୋରଞ୍ଜନ ପାଣିଗ୍ରାହୀ
ଜଗଦୀଶ ମହାନ୍ତି
ସୁଧାଂଶୁ ଶେଖର ପାତ୍ର
ମହାପାତ୍ର ନୀଳମଣି ସାହୁ
ଆଶିଷ କୁମାର କର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଣ୍ଟା
 |- ଶୈଳେନ୍ଦ୍ର କୁମାର ଜେନା
 
 
ତା: ଅକ୍ଟୋବର୍ ୨୧, ୨୦୧୬  
 

ସିଏ ଯେଉଁ ଲାଇଟ୍ ଖମ୍ୱ ତଳେ ପଙ୍କ୍‌ଚର୍‌ ସାଇକେଲ ଓ ହାତରେ କିରୋସିନ ଡବାଟାଏ ଧରି ଠିଆ ହୋଇଥିଲା, ସେଇଟା ଥିଲା ପୀର ବାବା ଛକ | ସହରର ଶେଷ ଲାଇଟ୍ ଖମ୍ୱ | ତା’ ସେପାଖକୁ ବୁଦୁ ବୁଦୁକିଆ ଜଙ୍ଗଲ ଆରମ୍ଭ | ଅଧା କିଲୋମିଟର ରାସ୍ତା ପରେ ପଡ଼େ କବର ଖାନା | କବର ଖାନା ପରେ ଗୋଟାଏ ବେଲ ଗଛ | ସମସ୍ତେ କହନ୍ତି ସେଇଠି ରହେ ବ୍ରହ୍ମ ରାକ୍ଷସ | ତା ପାଖରେ ପହଞ୍ଚିଲେ, ଗଛକୁ ଜୋର କରି ହଲାଏ | କେତେ ଲୋକ ସେଠି ସେ ରାକ୍ଷସକୁ ଭେଟଣା ହୋଇଛନ୍ତି | ବେଲ ଗଛ ସେ ପାଖକୁ ଶ୍ମଶାନ.. |

ଏମିତି ନୁହେଁ ଯେ ସେ ରାସ୍ତାରେ ଆଜି ସେ ଏକୁଟିଆ ପ୍ରଥମ ଥର ପାଇଁ ଯାଉଛି | ସେ ରାସ୍ତାରେ ଅନେକବାର ସେ ଆଗରୁ ଯାଇଛି | ରାତି ଆଠଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ | ଡେରି ରାତିରେ ଯେତେଥର ଯାଇଛି , କୁସିଆନାର ସାଇକେକେଲରେ ଯାଇଛି | କୁସିଆନା ସାଇକେକେଲରେ ଅଛି ଡାଇନାମୋ | ଯୋର୍ରେ ଚାଲିଲେ ଡୁମ୍ ଜଳେ| ରାସ୍ତା ଉପରେ ବିଛାଡ଼ି ହୋଇପଡ଼େ ଲାଇଟ୍ | ରାସ୍ତା କଡ଼ରେ ସିଏ ଘୁଷୁରୀ ହେଉ କି , ବାଛୁରୀ, ଷଣ୍ଢ ହେଉ କି ମଣିଷ, ଯେଉଁ ବେଶରେ ସାଇକେଲ ସାଙ୍ଗରେ ରେସ୍ ଲଗେଇଲେ ବି ଠାକୁରଙ୍କ ନାଆଁ ନେଇ ଗୀତ ଗାଇ ଗାଇ ପେଡାଲ୍କୁ ଯୋର୍ ଯୋର୍ କରି ମାରିଲେ କୋଉ ଶଳା ଭୂତ ପାଖ ପଶିବ ମଁ ?

ହେଲେ, ଆଜିର କଥା ତ ଅଲଗା | କୁସିଆନାର ସାଇକେଲ୍ ତ ଅଛି | ହେଲେ, ସେ ଆଉ ଦୌଡ଼ି ପାରିବନି | ତା’ ପଛ ଚକରେ କଣ୍ଟାଟାଏ ଫୁଟିଯାଇଛି | ନିଜ ବିକଳିଆ ପଣରୁ ଏମିତି ହେଲା ସିନା | ଟ୍ରେନରେ କୁସିଆନାକୁ ବସେଇବା ବେଳକୁ ରାତି ଅନେକ ହୋଇଯାଇଥିଲା | ମନରେ ଡର ବାନ୍ଧିବା ଆରମ୍ଭ କରୁଥିଲା | ଭାବୁଥିଲା ନିଛାଟିଆ ରାସ୍ତାଟା କେମିତି ସୁରୁଖୁରରେ ପାର୍ ହେବ | ଆଗରେ ଯାଉଥିଲା ଅଟୋଟାଏ | ସେ ଅଟୋକୁ ଖଟାଲ୍ ରାସ୍ତାରେ ଆଗରୁ କେତେଥର ଦେଖିଥିଲା ବୋଲି ଜଡ଼ା ଭାବିଲା, ଯୋର୍ରେ ଯୋର୍ରେ ଅଟୋ ପଛରେ ଗଲେ ଅନ୍ଧାର ରାସ୍ତାର ତିନି କିଲୋମିଟର ପାର୍ ହୋଇଯିବ | ସେଥିପାଇଁ ଯୋର୍ରେ ଯୋର୍ରେ ପେଡାଲ୍ ମାରୁଥିଲା | ଅଟୋ ପଛେ ପଛେ ଧପାଳିଥିଲା | ଭଲ ରାସ୍ତା ଛାଡ଼ି ଅଟୋଟା ଗଳି ରାସ୍ତାରେ ପଶିବା ଆରମ୍ଭ କଲା | ଜଡ଼ା ବି ତା ପଛେ ପଛେ ସେହି ରାସ୍ତାରେ ଚାଲିଲା | ତା ରାସ୍ତାରେ ଯେ କଣ୍ଟାଟାଏ ପଡିଥିବ ଆଉ ସେଇ ଗୋଟାକ କୁସିଆନାର ସାଇକେଲ ଚକରେ ଫୁଟିଯିବ, ସେ କଥା, ସେ ବା ଜାଣିଥାନ୍ତା କେମିତି | ଖଦଡ଼ା ରାସ୍ତାରେ ଅଟୋ ପଡ଼ି ଉଠି ଦୌଡ଼ି ପଳେଇଗଲା | ଜଡ଼ା ରହିଗଲା ଅଧା ବାଟରେ | ରାତି ଦଶଟାରୁ ଅଧିକ ହେଲାଣି | ସହର ବଜାର ବନ୍ଦ ହୋଇ ଗଲାଣି | ସହର ଭିତରେ ରାସ୍ତାରେ ଲାଇଟ୍ ଜଳୁଛି | ସେଥିପାଇଁ ସେ ଖଣ୍ଡକ ରାସ୍ତା ପାଇଁ ଚିନ୍ତା ନ ଥିଲା |

ହୁର୍ଷିଆନା କହିଲା, ‘ ଚାଲ୍ ମତେ ନେଇ ଟ୍ରେନରେ ବସେଇ ଦେଇ ଆସିବୁ | ମୁଁ ଏଇକ୍ଷଣି ଗାଆଁକୁ ଯିବି|’ ଦି ଭାଇଙ୍କ ଝଗଡା ମଝିରେ ବିଚରା ଜଡ଼ା ଫସି ଯାଇଛି | ୟ୍ୟା କଥା ନ ମାନିଲେ ମଲା | ତା କଥା ନ ମାନିଲେ ବି ମଲା | କରିବ କଣ? ଦି ଭାଇଙ୍କ ଭିତରେ ଏ ତ ନୂଆ ଝଗଡ଼ା ନୁହେଁ | ମଝିରେ ମଝିରେ ଝଗଡ଼ା କରନ୍ତି | ହାତାହାତି ହୁଅନ୍ତି | ପାଖ ପଡ଼ିଶା ଆସି ଝଗଡ଼ା ମଝିରେ ପଶି ଶାନ୍ତ କରାନ୍ତି | ପଡ଼ିଶାଙ୍କୁ ଦେଖା ଦେଖି ଜଡ଼ାବି ଦିନେ ଭଦ୍ର ଲୋକ ସାଜି ଝଗଡ଼ା ମଝିରେ ପଶିଗଲା | ହୁର୍ଷିଆନାର ହାତ ଧରି ଶାନ୍ତ କରିବାକୁ ଚେଷ୍ଟା କଲାବେଳକୁ ସିଏ ଏମିତି ହାତ ଛାଟି ଦେଲାଯେ , ତା କହୁଣୀ ମାଡ଼ରେ ଜଡ଼ାର ନାକ ଫାଟି ଧାର ଧାର ରକ୍ତ ବୋହିଲା | କୁସିଆନା ପାଟି କରି କହିଲା, ‘ ହଇବେ, ତୋର ତ ଭାରି ପୀତ ହେଇଗଲାଣି | ତା ପଟିଆ ହେଇଗଲୁଣି କେବେଠାରୁ? ‘ବାସ୍, ଜଡ଼ାର ଭଦ୍ରଲୋକୀ ଶେଷ | କାନ ମୋଡ଼ି ଗାଲରେ ଚଟକଣି ମାରି ଶପଥ କଲା, ଦୁଇ ଭାଇଙ୍କ କଳିରେ ସିଏ ମୁଣ୍ଡ ପୁରେଇବନି |

କଳିରେ ମୁଣ୍ଡ ନ ପୁରେଇଲେ କଣ ହେଲା ? ଗୋଟାଏ ଘରେ ତ ରହୁଛି| ସେମାନେ କଥା କଟା କଟି ହେଲେ, ସେ ସବୁ ତା ଦେହରେ ତ’ ବାଜିବ | ଦୁହେଁ ଦୁହିଁଙ୍କଠାରୁ କଳିରେ ହାରିବା ପରେ ରାଗ ଶୁଝାନ୍ତି ଜଡ଼ା ଉପରେ | ଆଜିର କଳିରେ କୁସିଆ ନନା ଠିକ୍ କହିଲା | ହୁର୍ଷିଆନା ଜୁଆ ଖେଳି ତାର ପଇସା ଉଡ଼େଇ ଦଉଛି | ହୁର୍ଷିଆନା ବି ଠିକ୍ କଥା କହୁଛି, ‘ କାଇଁକି ମୁଁ କଣ ରୋଜଗାର କରୁନି? ମନ ଖୁସି କରିବାକୁ ସାଙ୍ଗ ସାଥିରେ ଦିନେ ଅଧେ ଜୁଆ ଖେଳିଲେ କଣ ମାରା ହେଇଗଲା? ଯେଉଁଦିନ ଜୁଆରେ ଟଙ୍କା ଜିତିକି ଆଣୁଛି, ସେ ଦିନ ତ ଭାଉଜକୁ ଟଙ୍କା ଦଉଛି | ସେତେବେଳକୁ ମନା କରୁନୁ ଯେ, ଜୁଆ ଟଙ୍କା ମୁଁ ନେବିନି ?’ ଦି’ଜଣ ମିଶିକି ତ ରୋଜଗାର କରୁଛେ | ‘ତୁ କାହିଁକି ଭାଉଜ ନାଆଁରେ ଜମି କିଣି ଦେଲୁ ଗାଆଁରେ?’

କୁସିଆନା କହିଲା, ‘ ମୁଁ ଅଧିକ ମେହନତ କରୁଛି | ଦିନସାରା ବସି ଚୁଲି ଜାଳୁଛି | ଚା କରୁଛି | ପକୁଡ଼ି, ବରା ପିଆଜି ଛାଣୁଛି | ତୋ ଭାଉଜ ବି ଘରର ସବୁ କାମ କରିବା ସହିତ ଦୋକାନ କଥା ବି ବୁଝୁଛି | ତା ନାଆଁରେ ଜମି ଦି ଗୁଣ୍ଠ କିଣିଦେଲି ଯେ ବେଦ କଣ ଅଶୁଦ୍ଧ ହୋଇଗଲା?’

ହୁର୍ଷିଆନା ନ କହିବା କଥାଟା କହି ଦେବାରୁ ମାମଲା ବିଗିଡ଼ି ଗଲା | ସିଏ କହିଲା, ‘ ହୁଃ, ଭାଉଜ କଣ କରୁଛି ମଁ | ଯାହା କରୁଛି, ଏଇ ଜଡ଼ା କରୁଛି | ଗାଆଁରୁ ଆସିବା ବେଳକୁ ଭାଲୁ ଭଳିଆ ଦିଶୁଥିଲା | ଭାଉଜ ତାକୁ ଖଟେଇ ଖଟେଇ ବିଲୁଆ ଭଳିଆ କରି ସାରିଲାଣି |’ ଏଥର ଭାଉଜକୁ ଆଉ ସମ୍ଭାଳେ କିଏ | ଭାଉଜ ବର୍ଷି ଗଲା |

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶୈଳେନ୍ଦ୍ର କୁମାର ଜେନା
ଶୈଳେନ୍ଦ୍ର କୁମାର ଜେନା
ଜଣେ ଯୁବ ସାହିତ୍ୟିକଭାବେ ପରିଚିତ ଶୈଳେନ୍ଦ୍ର କୁମାର ଜେନା ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀଭାବେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରହି ମଧ୍ୟ ଗଳ୍ପ ଓ କବିତା ଆଦି ଲେଖାଲେଖି କରିଆସୁଛନ୍ତି। ତାଙ୍କର କବିତା ଓ ଗଳ୍ପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକୀୟ ଆଦୃତି ହାସଲ କରିଛି।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤