ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଡ.ହରେକୃଷ୍ଣ ମହତାବ
ପ୍ରଦୀପ ନାୟକ
ଗୋପୀନାଥ ମହାନ୍ତି
ରଜତ କୁମାର ମିଶ୍ର
ଗୋଦାବରିଶ ମିଶ୍ର
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କଣ୍ଟା
 |- ଶୈଳେନ୍ଦ୍ର କୁମାର ଜେନା
 
 
ତା: ଅକ୍ଟୋବର୍ ୨୧, ୨୦୧୬  
 

ଜଡ଼ାକୁ ଖବର ମିଳିଲା ଖନା ବୁଢା ମରିଗଲା ବୋଲି |

କୁଞ୍ଜ କହିଲା, ‘ ଆବେ ଜଡ଼ା… ତୋ ବାଆ ମରିଗଲା | ’ ସବୁଦିନ ପରି ଗାଈ ଚରାରୁ ଫେରି, ଜଡ଼ା ଶୌଚ ହେବା ପାଇଁ ଗଛ ଉପରକୁ ଚଢି ପାଣି ଭିତରକୁ ମାଙ୍କଡ ପରି ପ୍ରଥମ ଡିଆଁ ମାରିଥିଲା | ମାତ୍ର, ଏମିତିକା ଖବର ଶୁଣି ଅତର୍ଚ୍ଛାରେ ଘରକୁ ଧାଇଁଲା | ଗାଆଁ ମୁଣ୍ଡରେ ତାଙ୍କର କୁଡ଼ିଆ | ପୋଖରୀ ତୁଠରୁ ଘର ଡାକେ ବାଟ | ଧଇଁ ସଇଁ ହୋଇ ଜଡ଼ା ଧାଇଁଥିଲା | ତାକୁ ଲାଗୁଥିଲା ଯେମିତି ବାଟଟା ଅନେକ କୋଶ ଲମ୍ୱି ଯାଇଛି ଅଚାନକ| ଅଣନିଶ୍ୱାସୀ ସହିତ ଓଠ ତଣ୍ଟି ଶୁଖି ଅଠା ହୋଇଯିବା ପରି ଲାଗୁଥିଲା | ଆଖିରୁ ଜୁଳୁ ଜୁଳିଆ ପୋକ ବାହାରି ପଡୁଥିଲା | ଗାଆଁ ଦାଣ୍ଡରେ ଲୋକ ପଚାରୁଥିଲେ, ‘ କଣ ହେଲା କିରେ ଜଡ଼ା, …?’

ବଖୁରିକିଆ ଘରର ମାଟି ଲିପା ଝାଟିମାଟି କବାଟ ଅଧା ଖୋଲା ଥିଲା | ଛୋଟ ଝରକାଟିରୁ ଆସୁଥିଲା କ୍ଷୀଣ ଆଲୋକ | ଜଡ଼ା ଯାହା ଦେଖିଲା, ତା ହୋସ୍ ଉଡ଼ିଗଲା ପରି ଲାଗିଲା | ଲାଗିଲା, ପାଦ ତଳୁ ମାଟି ଅତଡା ଖସୁଛି | ବାଆ ଚିତ୍ ହୋଇ ଶୋଇଥିଲା | ଦେହରେ ଅଣ୍ଟା ପାଖରେ କେବଳ ଥିଲା ମଳିଚିଆ ଲୁଗାଖଣ୍ଡେ | ପବନରେ ସେଇଟା ବି ଉଡ଼ିଆସି ତା ପେଟ ଉପରେ ପଡ଼ିଥିଲା | ଗୁପ୍ତାଙ୍ଗରୁ ଅଧା ଦେଖାଯାଉଥିଲା | ତା’ ଛାତିର ପଞ୍ଜରା ହାଡ଼ ଗୁଡ଼ାକ ଭିତରକୁ ପଶି ଯାଇଥିଲା | ଛାତି ଉପରର ଧଳା ଫୁରୁଫୁରୁ ବାଳ ପବନରେ ଉଡୁଥିଲା | ବୁଢା ଜିଭ କାମୁଡ଼ି ଦେଇଥିଲା | ତା ପାନ ଖିଆ ଅଧା ପାକୁଆ ପାଟିଟା କେମିତି ବିଚିତ୍ର ଦେଖା ଯାଉଥିଲା | ପାଟି ଭିତରୁ ରକ୍ତ ଧାରେ ନିଗିଡ଼ି ଯାଇଥିଲା ଗାଲ ଉପରେ | ମୁଣ୍ଡ ତଳେ ମୁଚୁଳା ହୋଇ ରହିଥିଲା ଗାମୁଛା | ଜଡ଼ା ତଳେ କଚାଡ଼ି ହୋଇ ପଡ଼ିବା ପୂର୍ବରୁ ବଡ଼ ପାଟିରେ କାନ୍ଦିବା ଆରମ୍ଭ କଲା, ‘ ବାଆ, ବାଆ…. ବାଆଲୋ……..|’

ତା ପିଠିରେ ବସିଲା ଶକ୍ତ ଚାପଡ଼ାଟାଏ | ଉଠି ଦେଖିଲା ତା ବାଆ ତା ପାଖରେ ବସି ପାକୁଆ ପାଟି ମେଲେଇ କପଟିଆଙ୍କ ପରି ହସୁଥିଲା | ‘ କହିଲା, ଶଶୁର ପୁଅ, ଏତେ ବେଳ ହେଲାଣି, ସକାଳୁ କିଛି ଖାଇନୁ, କୁଆଡ଼େ ଯାଇଥିଲୁ, ମୋ ମଲା ଖବର ଶୁଣି ଧାଇଁ ଆସିଲୁ? ମୁଁ ମଲେ ତ ତୋର ଖୁସି…!’ ଖନା ବୁଢା ତା ପାଟି କଳରୁ ବୋହି ଯାଇଥିବା ପାନ ଛେପକୁ ଗାମୁଛାରେ ପୋଛିବାକୁ ଲାଗିଲା | ମାଡ଼ ଖାଇ ରାଗିକରି ବୁଢାକୁ ଦି ବିଧା କଷିବା ବଦଳରେ ଜଡ଼ାକୁ କାନ୍ଦ ମାଡିଲା | ବୁଢାର ହାଡୁଆ ଦେହଟାକୁ ଜାବୁଡିଧରି ଖୁବ୍ ଯୋରରେ କାନ୍ଦିବାକୁ ଲାଗିଲା | କହିଲା, ‘ବାଆଲୋ… ତତେ ମରଣ ହଉନି…ଯଦି ସତରେ ତୁ ମରିଯାଇଥାନ୍ତୁ !’

ଜଡ଼ା କହିଲା, ‘ ଏମିତିକା ନାଟକ କଲୁଯେ, ଅଧା ଗାଧୁଆରୁ ଧାଇଁଛି ମୁଁ | ତୋ ପାଇଁ ଦି’ଟା ତୋଡ଼ୀ ଆଉ ବନ୍ଶୀ ଖଡ଼ାରେ ଆଠ ଦଶଟା କରାଣ୍ଡି ଧରିକି ଆଣିଥିଲି | ସେଗୁଡ଼ାକ ପୋଖରୀ ତୁଠରେ ଗାଞ୍ଜିଆରେ ଥୋଇ ଦେଇ ଆସିଛି, ବିଲେଇ ନେଇ ଯାଇଥିବ କି କଣ…|’ ଆଜି ବାଆ ଆଉ ପାଖରେ ନାହିଁ | ଦୂରରେ ଅଛି | ଯୋଜନ ଯୋଜନ ଦୂରରେ | କଳନା କରିହୁଏ ନାହିଁ ସେ ଦୂରତା | ବାପା ମାଆଙ୍କୁ ପିଲା ବେଳୁ ଦେଖିନି | ଆଖି ଖୋଲିବା ଦିନଠାରୁ କେବଳ ବାଆକୁ ଦେଖିଛି | ଗାଆଁ ମୁଣ୍ଡରେ କୁଡ଼ିଆ କରି ଜେଜେ ଓ ନାତି ଦୁହେଁ ରହନ୍ତି | ବାଆ ଜିଦ୍ କରି ତାକୁ ସହରକୁ ପଠେଇ ଦେଇଛି | ଆଜି ଦୁଃଖ ବେଳାରେ ତାର ସେହି ହସ ହସ ମାୟାବୀ ମୁହଁଟା ଆଖି ଆଗରେ ନାଚି ଯାଉଛି | ତା’ କଥା ଶୁଣା ଯାଉଛି, ‘ ବାଇଆଟା କିରେ…’

ଜଡ଼ା ମନେ ମନେ କାନ୍ଦିଲା, ‘ ବାଆଲୋ….|’ ପୁଣି ଭାବିଲା, ମନେ ମନେ କାହିଁକି କାନ୍ଦିବ ମଁ ? କିଏ ଅଛି ଯେ ଅନ୍ଧାରକୁ ଡରି ଦରବୁଢା ଟୋକାଟା କାନ୍ଦୁଛି ବୋଲି ଦେଖି ହସିବ ? ରାସ୍ତା ତ ଶୂନ୍ଶାନ୍ | ଅନ୍ଧାର ଲମ୍ୱିଛି ଚାରିଆଡ଼େ | ବଡ଼ ପାଟିରେ କାନ୍ଦିଲେ, ଠାକୁର କାଳେ ଶୁଣିବେ | କାହାକୁ ପଠେଇଦେବେ ସାହାଜ୍ୟ ପାଇଁ | ଜଡ଼ା ଉଚ୍ଚ ସ୍ୱରରେ କାନ୍ଦିବାକୁ ଆରମ୍ଭ କଲା | ଚାରିଆଡ଼କୁ ଦେଖିଲା | କେହି ନାହାଁନ୍ତି ତ’? କାଳେ କିଏ ଥିବେ |

ଆଜି ତାର ଏ ଦୁର୍ଦ୍ଦିନ ପାଇଁ ବାଆ ଦାୟୀ | କହିଲା, ‘ ମୁଁ ତ ମଲା ଗଲା ଲୋକ | ଯମ ଡାକରା ଆସିଲାଣି | କେତେ ଦିନ ବଞ୍ଚିବି ଯେ, ପରଘରେ ପାଇଟି କରି ତତେ ଖୁଏଇବି! ତୁ କଣ ମୋ ସାଙ୍ଗରେ ମରିବୁ ? ଉପରକୁ ଗଲେ ତୋ ବାପା ବୋଉକୁ ମୁଁ କି ଜବାବ ଦେବି ? ଯାଃ…. କୁସିଆ ସାଙ୍ଗରେ ସହରକୁ ଯା | ମେହେନତ କରି ଶିଖ୍ | ଦି ପଇସା ରୋଜଗାର କରି ଶିଖ୍ | ବାହା ହେଇକି ଘରକୁ ଗୋଟାଏ ଜାଡ଼ି ଆଣିବୁ କି ନାଇଁ ? ’ ବୁଢାର ଯୁକ୍ତି ତାକୁ ଠିକ୍ ଲାଗିବାରୁ, ସେଦିନ ହୁର୍ଷିଆନାର ହାତ ଧରି ସହରକୁ ଆସିଥିଲା |

ବାଆ କହେ ‘ ସହର ହେଉଛି ଦିଲ୍ଲୀକା ଲଡ୍ଡୁ | ଯୋ ଖାୟା ୱ ପସ୍ତାୟା | ଯୋ ନହିଁ ଖାୟା ୱ ଭି ପସ୍ତାୟା |’ ବୁଢାର ବି ସହରୀ ଲଡ଼ୁ ଖାଇବାକୁ ମନ ହେଲା | ଆସିଥିଲା ଦିନାକାତେ | ଦି ଦିନ ରହିଲା | ମନ ଘର ଧରିଗଲା | କୁସିଆନାକୁ କହିଲା, ‘ ପୁଅରେ ମତେ ଟିକେ ବସ୍ରେ ବସେଇ ଦିଅନ୍ତୁ ନାହିଁ ?’ ତା’ ପରେ ବସ୍ ରେ ଗାଆଁକୁ ପଳେଇଲା | ଜଡ଼ା ତାକୁ ଧରି କାନ୍ଦିଲା ବେଳକୁ, ବୁଢା କହିଲା, ‘ ବାଇଆଟା କିରେ …. | ନାକ କାନ୍ଦୁରା….କାନ୍ଦୁଛୁ କାହିଁକି ? ଏ ସନ ମାଘ ପୁର୍ଣ୍ଣମୀକୁ ତତେ ଚଉଦ ପୁରି ପନ୍ଦର ଚାଲିବ | ତା’ ଆର ବର୍ଷକୁ ଷୋହଳ | ମୁଁ ତ ଷୋହଳ ବର୍ଷରେ ବାହା ହେଇଥିଲି | ତତେ ବି ଷୋହଳ ବର୍ଷରେ ବାହା କରେଇ ଦେବି | ମୁଁ ଗାଆଁକୁ ଯାଉଛି | ତୋ ପାଇଁ ଜାଡ଼ି ଖୋଜିବି…|’ ବୁଢାର କଥା ଗୁଡାକ ଭାରି ମାୟାବୀ | ତା କଥା ରେ ଜଡ଼ା ଥୟ ପଡ଼ିଲା |

ବାଆର କଥା ମନେ ପଡ଼ିବାରୁ ଜଡ଼ା ନିଜକୁ ନିଜେ ବୁଝେଇଲା, ‘ ଏ ସନ ପନ୍ଦର ପୁରି ଷୋହଳ ଚାଲିବ ତତେ | ନରଣପୁରର ଷଣ୍ଢ ମାର୍କା ଟୋକା | ଡରିକି କାନ୍ଦୁଛୁ? ଛି.. ଛି, ଲାଜ ନାହିଁ ତୋ ମୁହଁକୁ…! ତୋ ବାଆ ଗାଆଁରେ କନିଆଁ ଖୋଜୁଛି | କାଲି ହାତକୁ ଦି ହାତ ହେଲେ, ପଅର ଦିନକୁ ହେଂସେ ଛୁଆ…| ତୁ ପୁଣି ଡରିକି କାନ୍ଦୁଛୁ!’ ନିଜକୁ ନିଜେ ସାହସ ଦେଲା ଜଡ଼ା |

ଯେତେ ବୁଝେଇଲେ ବି ଅନ୍ଧାରକୁ ଦେଖିଲେ ଡର ମାଡିବା କଥା ମାଡ଼ୁଛି | ଗାଆଁରେ ଥିବା ବେଳେ ବାଆକୁ କୁଣ୍ଢେଇ, ତା ପେଟ ଉପରେ ଗୋଡ଼ ରଖି ଶୁଏ | ନିଦ ଆସିଗଲେ ହେଲା | ମଝିରେ ସ୍ୱପ୍ନ ଦେଖି ବାଉଳି ହେଲେ, ନିଦ ଭାଙ୍ଗିଗଲେ ପୁଣି ବାଆକୁ ଜାକି ଧରି ଶୁଏ | ଅନ୍ଧାରକୁ ଭାରି ଡର | ଦିନ ବେଳା ସାପ ଗାତରେ ହାତ ପୁରେଇ ସାପକୁ ଟାଣି ଆଣି ପାରିବ | ମାଢୁଆ କଙ୍କଡ଼ାକୁ ଅନାୟସରେ ମାଡ଼ି ବସିବ | ହେଲେ, ସନ୍ଧ୍ୟା ହେଲେ ବାଆର ପାଖେ ପାଖେ ରହେ, ଅନ୍ଧାରକୁ ଡର ମାଡ଼େ ବୋଲି |

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଶୈଳେନ୍ଦ୍ର କୁମାର ଜେନା
ଶୈଳେନ୍ଦ୍ର କୁମାର ଜେନା
ଜଣେ ଯୁବ ସାହିତ୍ୟିକଭାବେ ପରିଚିତ ଶୈଳେନ୍ଦ୍ର କୁମାର ଜେନା ଓଡ଼ିଶା ପ୍ରଶାସନିକ ସେବାର ଜଣେ ଅଧିକାରୀଭାବେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରହି ମଧ୍ୟ ଗଳ୍ପ ଓ କବିତା ଆଦି ଲେଖାଲେଖି କରିଆସୁଛନ୍ତି। ତାଙ୍କର କବିତା ଓ ଗଳ୍ପଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ପାଠକୀୟ ଆଦୃତି ହାସଲ କରିଛି।
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤