ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସନ୍ୟାସୀ ନାୟକ
ସନତ୍‌ ରାୟ
ସନ୍ଥକବି ଭୀମ ଭୋଇ
ଦୀପକ ମିଶ୍ର
ଅଖିଳମୋହନ ପଟ୍ଟନାୟକ
ଶକ୍ତି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଭିନ୍ନ ଇଲାକା
  ବିଜୟ କୁମାର ମିଶ୍ର , ଭୁବନେଶ୍ବର
 
 
ତା: ଜାନୁଆରୀ ୨୮, ୨୦୧୧  
ମୂଳ ପୃଷ୍ଠାନବ ପ୍ରତିଭାଗଳ୍ପ
 

କୋଦାଳଟା ଥୋଇ ଜଗୁଆ ଅଣ୍ଟା ସଳଖିଲା୤ କପାଳ ଉପରେ ବିଶି ଆଙ୍ଗୁଠିଟାକୁ ୱାଇପର ଭଳି ବୁଲାଇ ଆଣି ଜମି ଆସୁଥିବା ଝାଳ ପୋଛୁପୋଛୁ ଆକାଶରେ ସୂର୍ଯ୍ୟଙ୍କ ଅବସ୍ଥିତି ଦେଖି ସମୟ ଜାଣିବାପାଇଁ ଚେଷ୍ଟା କଲା – ନା’ ବେଳ ବେଶୀ ହୋଇନି୤

ସକାଳେ ପିଲା ତିନିଟାକୁ ଗାଁ ସ୍କୁଲ ପାଖରେ ଛାଡିଦେଇ ଆସିଥିଲା୤ କାଲି କାମରୁ ଫେରିଲାବେଳେ ସ୍କୁଲ ସାର୍ କହିଥିଲେ, ପିଲାମାନଙ୍କୁ ପରିଷ୍କାର କରି ସ୍କୁଲକୁ ପଠାଇବା ପାଇଁ, କାଲି ଗଣତନ୍ତ୍ର ଦିବସ୤ ଗଣତନ୍ତ୍ର ଦିବସ କ’ଣ ସେ କହିପାରିବ ନାହିଁ୤ ଖାଲି ଏତିକି ସେ ଜାଣିଛି ଯେ ପିଲାମାନେ ଗୀତ ଗାଇ, ପତାକା ଧରି ଗାଁ ବୁଲନ୍ତି୤ ସାଆନ୍ତ ସାହିର ପିଲାମାନେ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧି ଧାଡି ଆଗରେ ଥାଆନ୍ତି୤ ଆମ ସାହିର ପିଲାମାନେ ପଛରେ ଥାଆନ୍ତି ପୁରୁଣା ଲୋଚାକୋଚା ପ୍ୟାଣ୍ଟସାର୍ଟ ପିନ୍ଧି୤ ଗୋଡ଼ରେ ଜୋତା ନ ଥାଏ୤ ଆଣ୍ଠୁଏ ବହଳର ଧୂଳି ଲାଗିଯାଇଥାଏ୤ ଦୂରରୁ ସ୍ପଷ୍ଟ ବାରିହୋଇପଡେ ସେ ସାଆନ୍ତ ସାହିର ପିଲା ଆଉ ଏ ଅନ୍ୟ ସାଇର ପିଲା୤ ମଝିରେ ମଝିରେ ମାଷ୍ଟ୍ରେ ସୁସୁରି ବଜାନ୍ତି, ପିଲାମାନେ ଠିଆ ହୋଇଯାଆନ୍ତି୤ ଧାଡି ଆଗରେ ଥିବା ଜଣେ ପିଲା ବଡ ପାଟିରେ କହେ – ଭାରତ ମାତା କି – ମହାତ୍ମା ଗାନ୍ଧିକି – ଜବାହରଲାଲ ନେହେରୁ କି -; ସବୁ ପିଲାଯାକ ଏକ ସ୍ବରରେ କହନ୍ତି ‘ଜୟ’୤ ତା ପରେ ସେହି ପିଲା କହେ ‘ବନ୍ଦେ’ ଅନ୍ୟ ପିଲାମାନେ କହନ୍ତି ‘ମାତରଂ’୤ ତାପରେ ମାଷ୍ଟ୍ରେ ସୁସୁରି ମାରନ୍ତି, ପୁଣି ଗୀତ ବୋଲାହୁଏ୤ ଧାଡିଟି ଗତିଶୀଳ ହୋଇଉଠେ୤ ଏଇ ହେଲା ମୋଟାମୋଟି ତା ପାଇଁ ଗଣତନ୍ତ୍ର ଦିବସ୤

ସକାଳେ ପିଲାତିନିଙ୍କୁ ସ୍କୁଲରେ ଛାଡିଲାବେଳେ ପିଲାଗୁଡାକ ଶୀତରେ ଥୁରୁଥୁରୁ ହେଉଥିଲେ୤ ନିଜ କାନ୍ଧରେ ପଡିଥିବା ଖୋର୍ଦ୍ଧା ଗାମୁଛାଟାକୁ ସାନ ପିଲାଟା ଦେହରେ ପକାଇଦେଇ ବଡପୁଅକୁ କହିଲା – ଗାଁ ବୁଲା ସରିଲେ ଘରକୁ ପଳାଇବ୤

ତା’ର ମନେ ଅଛି ଦିନାକେତେ ସେ ସ୍କୁଲକୁ ଯାଉଥିଲା୤ ସ୍କୁଲଘରର ପଛଧାଡିର ଗୋଟିଏ ପାଖକୁ ସେ ବସେ୤ ମାଷ୍ଟ୍ରେ ପାଠ ପଢାନ୍ତି୤ ପାଠ ନ କରିଥିଲେ ସାଆନ୍ତ ସାଇର ପିଲାମାନଙ୍କୁ ମାଡ ଦିଅନ୍ତି୤ କିନ୍ତୁ ତାକୁ ପାଠ ପଚାରିଦେଇ ନୀରବ ରୁହନ୍ତି୤ ତା’ର ଠିକ୍ ମନେ ଅଛି ତା ସମସାମୟିକ ତାଙ୍କ ସାହିର ଯେତେ ପିଲା ପାଠ ପଢୁଥିଲେ କେହି କେବେ ପାଠପଢା ପାଇଁ ମାଷ୍ଟ୍ରଙ୍କଠାରୁ ମାଡ ଖାଇ ନାହାନ୍ତି୤ ଗଣେଶ ଚତୁର୍ଥୀ, ସରସ୍ବତୀ ପୂଜାରେ ହରିଜନ ସାହିର ପିଲାମାନଙ୍କର ହଠାତ୍ ଗୁରୁତ୍ବ ବଢିଯାଏ୤

ତା’ର ମନେ ଅଛି ଦିନାକେତେ ସେ ସ୍କୁଲକୁ ଯାଉଥିଲା୤ ସ୍କୁଲଘରର ପଛଧାଡିର ଗୋଟିଏ ପାଖକୁ ସେ ବସେ୤ ମାଷ୍ଟ୍ରେ ପାଠ ପଢାନ୍ତି୤ ପାଠ ନ କରିଥିଲେ ସାଆନ୍ତ ସାଇର ପିଲାମାନଙ୍କୁ ମାଡ ଦିଅନ୍ତି୤ କିନ୍ତୁ ତାକୁ ପାଠ ପଚାରିଦେଇ ନୀରବ ରୁହନ୍ତି୤ ତା’ର ଠିକ୍ ମନେ ଅଛି ତା ସମସାମୟିକ ତାଙ୍କ ସାହିର ଯେତେ ପିଲା ପାଠ ପଢୁଥିଲେ କେହି କେବେ ପାଠପଢା ପାଇଁ ମାଷ୍ଟ୍ରଙ୍କଠାରୁ ମାଡ ଖାଇ ନାହାନ୍ତି୤ ଗଣେଶ ଚତୁର୍ଥୀ, ସରସ୍ବତୀ ପୂଜାରେ ହରିଜନ ସାହିର ପିଲାମାନଙ୍କର ହଠାତ୍ ଗୁରୁତ୍ବ ବଢିଯାଏ୤ ଆମ୍ବଡାଳ ତୋଳିବା, ଭୋଜି ପାଇଁ ଜାଳ ସଂଗ୍ରହ କରିବା, ସାର୍‌ଙ୍କ ସାଥିରେ ବଜାରରୁ ସଉଦା ବୋହିକରି ଆଣିବା ଆଦି କାମ ସେମାନେ କରନ୍ତି୤ ବାପା କିନ୍ତୁ ପାଠ ପଢାଇବା ପାଇଁ ରାଜି ହୁଏନା୤ ସେ କହେ ବାହା ଚଳାଇଲେ ପେଟ ପୋଷିବ, ପାଠ କ’ଣ କରିବ୤ ପଞ୍ଚମ ଶ୍ରେଣୀରେ ପଢିଲାବେଳେ ସତକୁସତ ବାପା ଆଉ ସ୍କୁଲକୁ ଛାଡିଲାନି୤ ତାପରେ ଆରମ୍ଭ ହେଲା ମାଛ ମାରିବା, ଗାଈ ଜଗିବା୤ ଗାଈ ଜଗିବାକୁ ଯିବାରେ ଡେରି ହେଲେ ବାପା ପାଟି କରେ – “କେତେ ବେଳକୁ ଯିବୁ, ଗାଈଗୁଡାକ କ’ଣ ଖୁଣ୍ଟରେ ପଡିଥିବେ ?”

ବାପା ସାଆନ୍ତମାନଙ୍କୁ ଭାରି ଭୟ କରେ୤ ଚପଲ ତ କେବେ ଲଗାଏନି, ଢୁଢୁ ବର୍ଷାରେ ମଧ୍ୟ ଛତା ପକାଇ ଯାଏନା୤ ବାପାର ଏ ଗୁଣ ପାଇଁ ଜଗୁଆକୁ ଖୁବ୍ ରାଗ ଲାଗେ୤ କିନ୍ତୁ ମଲା ପର୍ଯ୍ୟନ୍ତ ବାପାର ଏ ଢଙ୍ଗ ଗଲାନି୤ ଜଗୁଆ ବେଳେବେଳେ ଭାବେ ସାଆନ୍ତମାନଙ୍କର କାହିଁକି ଆମ ସାହି ପିଲାଙ୍କ ଉପରେ ଏପରି ନଜର ? ପିଲାଟିଏ ସ୍କୁଲକୁ ଯାଉଥିବା ବେଳେ ଟିକିଏ ଆଖିକୁ ଦେଖାଗଲା ପରି ହୋଇଗଲେ ଟଙ୍କାର ଲୋଭ ଦେଖାଇ ବୋଲହାକ କରିବାପାଇଁ ହେଉ କି ଗାଈ ଜଗିବା ପାଇଁ ହେଉ ନେଇଯାଆନ୍ତି୤ ଟିକିଏ ଚିନ୍ତା କରନ୍ତିନାହିଁ ପିଲାଟା ପାଠ ପଢୁଛି ତ ପଢୁ୤ ତା ସମୟରେ ଯେମିତି ଥିଲା କାହିଁ ଏବେ ସୁଦ୍ଧା ତ କିଛି ବଦଳିନି ! ସେ ମନେମନେ ଠିକ୍ କରେ ତା ପୁଅ ପଢା ବନ୍ଦ କରି କାମଧନ୍ଦା କରିବାକୁ ଯିଏ କହିବ ତାକୁ ମୁହେଁମୁହେଁ ବତାଇଦେବ୤

ପିଲାବେଳେ ବାପ କହୁଥିଲା – ଗାନ୍ଧୀବୁଢା ବିଦେଶୀ ସରକାରକୁ ହଟାଇଦେଲା୤ ଆଉ ଏଣିକି ଦୁଃଖ ରହିବନି୤ ଅସଜଡା ସରକାରୀ କଳଟାକୁ ସଜାଡିବାକୁ ଆଉ କିଛି ଦିନ ଲାଗିବ୤ ଆଉ ଜିନିଷପତ୍ରର ଦରଦାମ ବଢିବନି, ପେଟ ପୂରାଇ ସମସ୍ତେ ଖାଇବେ୤ ବାପ ମରିବାର ୪୦ ବର୍ଷ ପରେ ଜଗୁଆ ଚିନ୍ତା କରେ – କାହିଁ ଏତେ ଦିନ ପରେ ସେ ଦିନ ଏବେ ବି ତ ଆସିନି୤ ବାପା ଥିଲାବେଳେ ଘରେ ସମସ୍ତେ ପେଟ ପୂରାଇ ଖାଉଥିଲେ୤ ଘର ପାଇଁ ସମସ୍ତେ କିଛି ନା କିଛି ରୋଜଗାର କରୁଥିଲେ୤ ଭାତ ତରକାରୀ ସାଙ୍ଗକୁ କସ୍ତା ଲୁଗା ଓ ଦୁଇଖଣ୍ଡି ଖୋର୍ଦ୍ଧା ଗାମୁଛା ହୋଇଗଲେ ଚଳିଯାଉଥିଲା୤ ଏବେ କିନ୍ତୁ ଖାଇବାଠାରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ ଧାରା ବଦଳିଯାଇଛି୤ ଦୈନିକ ମଜୁରୀରେ ଘର ଚଳାଇବା କଷ୍ଟକର୤ ହୁ ହୁ ହୋଇ ବଢୁଥିବା ଦରଦାମକୁ ଲକ୍ଷ୍ୟ କରି ତାଙ୍କ ସାହିର ପୁରୁଣା କାଳିଆ ଧରମାବୁଢା କହେ – ଫିରିଙ୍ଗି ସରକାରଠାରୁ ଏ ସରକାର କ’ଣ ଭଲ କରିଛି ? ଭୋଟ ବେଳକୁ ପଞ୍ଝାପଞ୍ଝା ହୋଇ ଗାଁ ଲୋକଙ୍କ ଭିତରୁ ମୁଖିଆମାନଙ୍କୁ ଧରି ଆସୁଛନ୍ତି, ଭୋଟ ଦେବାକୁ କହୁଛନ୍ତି୤ ଆମେ ଅମୁକ କରିଦେବୁ, ସମୁକ କରିଦେବୁ ୤ ତାପରେ ପୁଣି କୁଆଡେ ଯାଉଛନ୍ତି ଦେଖା ମିଳୁନି ପରବର୍ତ୍ତୀ ଭୋଟ ଯାକେ୤

ଯାହା ହେଲେ ବି ଜଗୁଆ କଲେଜରେ ପଢୁଥିବା ପିଲାମାନଙ୍କୁ ଦେଖିଲେ ଭାବେ ତା’ ପୁଅକୁ କଲେଜରେ ପଢାଇବ୤ କଲେକ୍ଟର କରାଇବ, ତା’ ପୁଅ କାର୍ ଚଳାଇବ, ଉଡାଜାହାଜରେ ବସିବ, ତା’ ହୁକୁମରେ ସବୁ ଚାଲିବ୤ ସ୍ବପ୍ନ ଦେଖିଦେଖି ବିଚରା ଜାଣିବାକୁ ଚେଷ୍ଟା କରିପାରେନି ଯେ ଏ ଗାଁ ସ୍କୁଲରେ ପଢିଥିବା କାହିଁ ଗୋଟିଏ ପିଲା ତ କଲେକ୍ଟର ହୋଇନି, ଉଡାଜାହାଜରେ ଚଢିବାକୁ ସୁଯୋଗ ପାଇନି୤ ଯେଉଁମାନେ କଲେକ୍ଟର ହେବେ, ଉଡାଜାହାଜରେ ବୁଲିବେ ସେମାନଙ୍କ ପାଇଁ ସହରରେ ସୁନ୍ଦର ସୁନ୍ଦର ସ୍କୁଲମାନ ଅଛି, ତାର ମାସକଯାକର ମଜୁରୀଠାରୁ ଗୋଟିଏ ପିଲାର ପଢାରେ ଅଧିକ ଖର୍ଚ୍ଚ ହୁଏ୤ ତଥାପି ସେ ସ୍ବପ୍ନ ଦେଖେ୤ ଗାଁକୁ କାର୍ ଚଢି ଆସିଥିବା ବାବୁଭାୟାମାନଙ୍କୁ ଦୂରରୁ ନିରେଖିନିରେଖି ଚାହେଁ୤ ତାର ମନେ ହୁଏ ସତେ ଅବା ତା ପୁଅ କାର୍ ଚଢି ଆସୁଛି୤

ତାର ମନେ ପଡିଲା କାଲି ବଡପୁଅ କହୁଥିଲା- ଖାତା ନାହିଁ, ସାର୍ଟପ୍ୟାଣ୍ଟ ଚିରିଗଲାଣି୤ ଜଗୁଆ ଠିକ୍ କରିନେଲା, ଆଜି ଆଗୁଆ କିଛି ଟଙ୍କା ଧାର ନେବ, ପରେ କାମ କରି ଶୁଝିଦେବ୤ ସେଥିରେ ସେ ଖାତା ଆଣିବ, କଲମ ଆଣିବ, କାଳି ଆଣିବ, ପୁଅ ପାଇଁ ସାର୍ଟପ୍ୟାଣ୍ଟ କରିଦେବ୤ ପୁଅ ତାର ପାଠ ପଢିବ୤ କଲେକ୍ଟର ହେବ୤ ଉଡାଜାହାଜରେ ବୁଲିବ, ତା ପଢା ପାଇଁ ଯାହା ଦରକାର ସବୁ କରିଦେବ୤

ସଂଧ୍ୟାବେଳକୁ ସାଆନ୍ତ କହୁଥିଲେ ପୁଅଟାକୁ ତାଙ୍କଘରେ ରଖିବା ପାଇଁ, ଗାଈ ଜଗିବ, ଗୁହାଳ ପୋଛିବ, ବାଡିବଗିଚାରେ ସକାଳୁ କାମ କରିବ୤ ବୋଲହାକ ଶୁଣିବ୤ ଖାଇପିଇ ମାସିକ ଶହେ ଟଙ୍କା ଦେବେ୤ ଜଗୁଆ ଚାହୁଁଥିଲା ସାଆନ୍ତଙ୍କ ମୁହଁକୁ ବଲବଲ କରି୤ ସାଆନ୍ତେ କହୁଥିଲେ, ହଇରେ ପାଠ କ’ଣ କରିବ ? ପାଠ ତୁମ କୂଳରେ କେତେଜଣ ପଢିଲେଣି ?

ଜଗୁଆ ଦିନକ ମଜୁରୀରେ ଗାଁ ଦୋକାନରୁ ଚାଉଳ ଛୋଟ ପୁଟୁଳାଟିଏ ପିଠିରେ ପକାଇ ଫେରିଲା୤ ପ୍ରତି ପାହୁଣ୍ଡରେ ପିଠି ଉପରେ ଚାଉଳ ବୁଜୁଳା ସାଆନ୍ତଙ୍କ କଥାର ବିଧା ପରି ଆଘାତ କରୁଥିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜୟ କୁମାର ମିଶ୍ର , ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ନଚିକେତା ମିଶ୍ର |  ଫେବୃଆରୀ ୩, ୨୦୧୧ - ୩:୧୯ ପୂର୍ବାହ୍ନ

    ଅତି ସୁନ୍ଦର ବିଷୟବସ୍ତୁ| ସ୍ବାଧୀନତାର ୬୪ ବର୍ଷ ପରେବି ଆମ ସମାଜର ଏମିତି ଏକ ଚିତ୍ର ଅତ୍ୟନ୍ତ ଲଜ୍ଜାଜନକ କିନ୍ତୁ ଏକ ନିରାଟ ସତ| ଦେଖାଯାଉ ଆଉ କେତେ ଦିନ ଲାଗିବ ଆମକୁ ମଣିଷକୁ ମଣିଷ ପରି ଭାବିବା ପାଇଁ|

  • ୨. ଜଗଦୀଶ ତ୍ରିପାଠୀ |  ଫେବୃଆରୀ ୪, ୨୦୧୧ - ୧୨:୨୯ ପୂର୍ବାହ୍ନ

    ଆଧୁନିକ ସମାଜର ନିରାଟ ସତ୍ୟ

  • ୩. ତ୍ରିଲୋଚନ ଦାଶ |  ଜୁଲାଇ ୨୬, ୨୦୧୧ - ୨:୨୮ ଅପରାହ୍ନ

    ଗଲ୍ପ ଟି ବାସ୍ତବ ଧର୍ମୀ ୤ ହୁଏତ ଗଲ୍ପଟି ରେ ସାଆନ୍ତ ଯୁଗର କଲ୍ପନା କରାଯାଇଛି, କିନ୍ତୁ ଏହା ଆଜି ମଧ୍ୟ ଗ୍ରାମ୍ୟ ପରିବେଶ ର ଆର୍ଥିକ ସ୍ବଚ୍ଚଳ ଗୋଷ୍ଟିର “ହମ୍ ବଡା” ମନୋଭାବ ର ସୂଚନା ଦେଇଥାଏ ୤ ସହରାଞ୍ଚଳର ଆଜି ର ସମାଜ ର ବଡପଣ୍ଡା ଙ୍କ ମନୋଭାବ ତ ନ କହିବା ଭଲ ୤ ପ୍ରକୃତରେ ଲେଖକଙ୍କ କଲ୍ପନା ବାସ୍ତବଧର୍ମୀ ୤

  • ୪. ଗୋବିନ୍ଦ |  ଫେବୃଆରୀ ୧୦, ୨୦୧୬ - ୨:୨୪ ଅପରାହ୍ନ

    ଗଳ୍ପଟି ହୃଦୟସ୍ପର୍ଷି ହୋଇଛି ।। ଏହାର ଦ୍ୱିତୀୟ ଭାଗ ପାଇଁ ମୁ ପର୍ତିକ୍ଷା କରିବି ।।

  • ୫. ଅକ୍ଷୟ କୁମାର ରଥ, ଗୁଣପୁର, ଜିଲ୍ଲା- ରାୟଗଡ, ଓଡିଶା  |  ଫେବୃଆରୀ ୧୩, ୨୦୧୬ - ୧୧:୫୪ ପୂର୍ବାହ୍ନ

    ଭିନ୍ନ ଇଲାକାର ସ୍ୱପ୍ନରେ ; ଆଉ ସ୍ୱପ୍ନ ଭାଙ୍ଗିଲା ବେଳକୁ ଚାଉଳ ବୁଜୁଳାର ଓଜନଠୁ ବଳି ତା’ ସାଆନ୍ତର ତାତ୍ସଲ୍ୟ, ସତରେ ଜଗୁଆକୁ ନିମନ୍ତ୍ରଣ କରେ ପୁଣି ସେହି ଅଭିନ୍ନ ଇଲାକାକୁ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤