ତୁ ପରା ବୋଲାଉ ଉତ୍କଳ ସନ୍ତାନ
ତେବେ କିମ୍ପା ଏତେ ଭୀରୁ
ତୋହର ଜନନୀ ରୋଦନ କରିଲେ
କହିବାକୁ କିମ୍ପା ଡରୁ
-ଉତ୍କଳ ଗୌରବ ମଧୁସୂଦନ ଦାସ
ମୁଁ ଗୋଟିଏ ଦରବୁଢୀ ଦେଶୀ ଗାଈ ବୟସ କେତେ ହେବ କହିପାରିବିନି ଜୀବନଟା କଟିଗଲା ସୁଖରେ ସୁଖରେ ଆଜି କିନ୍ତୁ ମୃତ୍ୟୁକୁ ଅପେକ୍ଷା କରିଛି କଂସେଇଖାନାରେ ଦେହଗୋଡ ସାରା ଶରୀର ଥରୁଛି ବିଗତ ଦିନର କଥାସବୁ ମନେପଡୁଛି ଯଦିବା ଆଉ କେଇଘଣ୍ଟା ବା କେଇ ମୁହୂର୍ତ୍ତ ପରେ ଏ ପୃଥିବୀରୁ ମୁଁ ଅବସର ନେଇଯିବି – ହେଲେ ସାଆନ୍ତଙ୍କ ମୁହଁଟା ମୋତେ ଜକଜକ ଦିଶୁଛି
ଦିନେ ଏମିତି କ’ଣ ହେଲା ଯେ ସବୁ ଅଡୁଆ ଲାଗିଲା ମୁଁ ଖାଲି ବୋବେଇଲି ସାଆନ୍ତ ମୋତେ ଯେତେ ଆଉଁଷାପାଉଁସା କଲେ କିଛି ମାନିଲିନି, ଖାଇବା ବି ଛାଡିଦେଲି ସେମାନେ କ’ଣ କ’ଣ ହିସାବ କଲେ ମୋତେ ନେଇ ବାନ୍ଧିଦେଲେ ଗୋବରି ପଡିଆରେ ତା’ପରେ ଯାହା ହେବାର କଥା ହେଲା ମୁଁ ହେଲି ଗର୍ଭବତୀ ଜନ୍ମଦେଲି ପୁଅଟିଏ ଦୁଃଖ ଯେ ତା’ ପିଠିରେ ଗୋଟିଏ କୁଜ ସମସ୍ତେ ମୁହଁ ଆମ୍ବିଳେଇଦେଲେ କିଛି ଦିନାନ୍ତେ ସେ ମୋତେ ଛାଡି ଚାଲିଗଲା ସତ କି ମିଛ ; ସତ ହେଉଛି, ତାକୁ ବିଦା କରିଦିଆଗଲା ସେ ଏବେ ଗୋଟିଏ ମସ୍ତବଡ ଷଣ୍ଢ ହୋଇ ବୁଲୁଛି ବେଳେବେଳେ ତାର ଭେଟ ପାଏ ହେଲେ ତା’ର ଦୁଷ୍ଟାମୀ ମୋତେ ଆଦୌ ଭଲ ଲାଗେନା
ମୋର ଥରେ ଦେହ ଖରାପ ହେଲା ଡାକ୍ତର ଆସିଥିଲା ସବୁ ଦେଖିଲା ଏମିତି ଗୋଟେ ଇଞ୍ଜେକ୍ଶ୍ନ ଦେଲା ଯେ ମୋର ଆଖି ଖୋସିହୋଇଗଲା ଓ ପ୍ରାଣ ଉଡିଗଲା ପରି ଲାଗିଲା ସେତେବେଳେ ଅନୁଭବ କରିଛି ମୋ ସାଆନ୍ତ କେତେ ଦୁଃଖରେ ଥାଆନ୍ତି ଯା’ ହେଉ ମୋ ଦେହ ଭଲ ହୋଇଗଲା ତା’ପରେ ସବୁବେଳେ ଡାକ୍ତରକୁ ଡରେ
ସାଆନ୍ତଙ୍କର ପୁଅଟିଏ ହେଲା ସେଦିନ ମୁଁ ଆନନ୍ଦରେ ଫାଟି ପଡିଥିଲିଏହାର କିଛି ଦିନ ପରେ ପୁଣି ହେଲି ଗର୍ଭବତୀ ଜନ୍ମଦେଲି ଏକ ସନ୍ତାନ ସେ ଏବେ ଶଗଡ ବାହୁଛି ସାଆନ୍ତ ବହୁ ଚେଷ୍ଟା କଲା ପରେ ବି ତା ସାଙ୍ଗକୁ ଗୋଟିଏ ବଳଦ ଖଞ୍ଜିପାରିଲେନି ଠିକ୍ କରି ସେ ଭାରି ବଳୁଆ ଓ କାମିକା ବୋଲି ମୁଁ ଗର୍ବ କରେ ପରେ ପରେ ସାଆନ୍ତ ତାକୁ ଘର ବଗିଚାକୁ ନେଇଗଲେ
ହଠାତ୍ ସାଆନ୍ତ ମା’ ଆଖି ମୁଦିଦେଲେ ଦୁଃଖରେ ମୁଁ ଭାଙ୍ଗିପଡିଲି, ବୁଝେଇଦେଲି ମନକୁ ସାଆନ୍ତ ଅଛନ୍ତି ସେ ଥିବା ଯାଏଁ ସତରେ ଦୁଃଖ କ’ଣ ! ଏଇମିତି ଛୁଆ ଜନମ କରିକରି କଟିଗଲା ଅନେକ ବର୍ଷ ଯୌବନ ବି ଚାଲିଗଲା ମୁଁ ହୋଇଗଲି ଦରବୁଢୀ ଦେଶୀ ଗାଈ
ହଠାତ୍ ଏକ ଦୁଃଖଦ ଘଟଣା ମୋତେ ହତଚକିତ କରିଦେଲା ସାଆନ୍ତ ଚାଲିଗଲେ ଆରପାରିକୁ ଦୁଃଖ ଥିଲା ମୋର ସାଆନ୍ତାଣୀ ଶଙ୍ଖାସିନ୍ଦୁର ହରେଇଲେ ସେ ଏକୁଟିଆ ପୁଅକୁ ଧରି ଜୀବନ ବାହିବା ଆରମ୍ଭ କଲେ ସାଆନ୍ତାଣୀଙ୍କର କିନ୍ତୁ ଏତେ ଟୋପେ ଦୟାମାୟା ନ ଥିଲା ମୋ ଆଖିର ଦରୋଟି ଭାଷାକୁ ହିଁ ସାଆନ୍ତ ବୁଝୁଥିଲେ ସମେସ୍ତ ତ ସବୁ ବୁଝନ୍ତିନି
ଦିନେ ବଳୁଆ ବଳୁଆ ତିନି ଚାରିଟା ଲୋକ ଆସି ପହଞ୍ଚିଲେ ଦେହରେ ହାତ ମାରିଲେ, କେତେ ଚିମୁଟିଲେ କହିଲେ ଏଇଟାକୁ ଛାଡିଦିଅ ଇଏ ଆଉ ଜନମ କରିବ ନାହିଁ ସେତେବେଳେ ମୁଁ କିଛି ବୁଝି ପାରୁ ନ ଥିଲି ଆଜି ଜାଣୁଛି ସେମାନେ ମୋ ମାଉଁସକୁ ହିସାବ କରୁଥିଲେ
ମୁଁ ବିକ୍ରି ହୋଇଗଲି କେଇଟି ଟଙ୍କାରେ ସାଆନ୍ତାଣୀ ଖୁସ୍ ଓ ପୁଅ ବି ଖୁସ୍ ସେମାନେ ମୋତେ ଘୋଷାରି ଘୋଷାରି ନେଲେ ଯେତେ ଘରକୁ ଚାହିଁଲି, ଭିଡିହେଲି; ଖାଇଲି ମାଡ ସେମାନ ମୋତେ କେଉଁ ଆଡକୁ ନେଉଚନ୍ତି ବୁଝି ପାରୁ ନ ଥିଲି
ଏବେ ମୁଁ କଂସେଇଖାନାରେ ଜାଣେନା ମୋ ପାଳି କେତେବେଳେ ଆଉ ଭୟ ନାହିଁ ମୋତେ ଖାଲି ସାଆନ୍ତର ମୁହଁଟା ଦିଶୁଛି
ହଠାତ୍ ସବୁ ଅନ୍ଧାର ଲାଗିଲା ଶେଷରେ ଭିଡାଓଟରା ହୋଇ ଅନ୍ଧାରରେ ହଜିଗଲି ମୁଁ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ତନ୍ନ୍ମୟ ମିଶ୍ର | ଫେବୃଆରୀ ୫, ୨୦୧୧ - ୧୨:୪୦ ପୂର୍ବାହ୍ନ
ମର୍ମାନ୍ତିକ ପରିପ୍ରକାଶ…
ନିଶ୍ଚିତ ଭାବରେ ଏକ ଉତ୍ତମ ସୃଷ୍ଟି.
୨. ଜ୍ୟୋତି ପ୍ରକାଶ ସାହୁ | ସେପ୍ଟେମ୍ବର୍ ୨୪, ୨୦୧୧ - ୮:୨୯ ପୂର୍ବାହ୍ନ
ଅତ୍ୟନ୍ତ ଦୁଃଖଦ ପରିପ୍ରକାଶ…….ଗପଟି ଭଲ ଲାଗିଲା. ଏହିଭଳି କିଛି ମର୍ମାନ୍ତିକ ପରିପ୍ରକାଶ ଥିବା ଗପ ଆପଣଙ୍କଠାରୁ ଆଶା କରୁଛି.
୩. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା | ଅକ୍ଟୋବର୍ ୫, ୨୦୧୧ - ୩:୪୯ ପୂର୍ବାହ୍ନ
ଲେଖାଟି ଅତ୍ୟନ୍ତ ଭଲ ଲାଗିଲା ବିଚାର ବିଷୟ ଆମ ସମାଜରେ ଗାଈକୁ ଗୋ ମାତା କହୁ ଥିବା ବେଳେ , ହୃଦୟରେ ସେପରି ସମ୍ବେଦନା ନାହିଁ ଜୀବନ ଯେମିତି ଟଙ୍କା ପଇସାରେ ବାନ୍ଧି ହୋଇ ଯାଇଛି ……