ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ପ୍ରିୟମ୍ବଦା ମନ ମୋର
ଫୁଲଫୁଟା ଋତୁର ବେଳରେ
ଯିବୁନାହିଁ ବସନ୍ତର ବଗିଚାକୁ
ବନ୍ଦି କରିଦେବ ତୋତେ ନାଗଫେଣୀ କଣ୍ଟାର ଅରଣ୍ୟ
କିଏ ବା କରିବ ମୁକ୍ତ?
ପକ୍ଷୀରାଜ ଘୋଡ଼ା ଚଢ଼ି ରାଜପୁତ୍ରମାନେ କେବେଠୁଁ ଗଲେଣି
ଏବେ ଯେ ଆସିବେ ସବୁ ଛଳନାରେ ଛଦ୍ମବେଶ ପିନ୍ଧି
ରାବଣର ମାୟାମୃଗ ହୋଇ ଅବା
ସୂବର୍ଣ୍ଣ କଙ୍କଣଧାରୀ ବାଘରୂପ ନେଇ
ପ୍ରିୟମ୍ବଦା ମନ ମୋର
ଯାଅ ନାହିଁ ପଦ୍ମପୋଖରୀକୁ
ଘୁମର ଘୁମର କଳାପାଣି ଭିତରେ ତ କୋରକିତ ପଦ୍ମର ବିପଣି
ମନ୍ଦ୍ର ନିରବତା ମଧ୍ୟେ କପଟୀ କୁମ୍ଭୀରର କୁଟିଳ ଚାହାଣି
ଛଳନାର ଦୁର୍ଗ ଯାହା ଚାରିଆଡ଼େ,
କପଟପାଶାର ଖେଳେ ପଣଟିଏ ହେବା ପାଇଁ ଖୋଜାପଡ଼େ ତୋର
ନୁହେଁ ତୁହି ପ୍ରିୟତିମା କା’ ର, ଦିଗ୍ବିଜୟୀ ସମ୍ରାଟର ଏକ ଜିତିଥିବା ଗଡ଼
ପ୍ରିୟମ୍ବଦା ମନ ମୋର
ଚାରିମେଘ ବର୍ଷିଲେ ବି ତୋଷ କରିପାରିବେନି
ଶୋଷ ତୋ ଚାତକୀ ଓଠର
ଯେ ଶ୍ରାବଣ ବେପଥୁରେ ଆଜି ତୁହିଁ ଉଚ୍ଚାଟ ଅଧିର
ସେ ଶ୍ରାବଣ ନୁହେଁ ଯେ ତୋହର
ପ୍ରିୟମ୍ବଦା ମନ ମୋର
ଫେରିଆ ସେ ମାୟାଜାଲ କାଟିଦେଇ
ନିଃସଙ୍ଗତା ମୁହୂର୍ତ୍ତକୁ ଆପଣାର କରି
ଗଭୀର ବିଶ୍ବାସରେ,
ଏକାନ୍ତ ଆଳାପର ଦୂର୍ଲଭ ମୁହୂର୍ତ୍ତର ଅପେକ୍ଷାରେ
ସେ ପରା ତୋର ପରମ ଆତ୍ମୀୟ
ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?
୧. ଆଦିତ୍ୟ କୁମାର ପଣ୍ଡା, ମହୀଶୂର | ଜୁଲାଇ ୨, ୨୦୧୩ - ୪:୪୧ ପୂର୍ବାହ୍ନ
ଆପଣଙ୍କ ଶବ୍ଦ ସଂଯୋଜନା, ତାସହ ଏକାନ୍ତ ଆଳାପର ଭାବଚିତ୍ର ବଢ଼ିଆ ହୋଇଛି |
୨. Lipika Mohaptra, california | ଜୁଲାଇ ୨, ୨୦୧୩ - ୩:୫୬ ଅପରାହ୍ନ
କବିତାଟି ଭଲ ଲାଗିଲା
୩. ଉଲ୍ଲସ, bbsr | ସେପ୍ଟେମ୍ବର୍ ୮, ୨୦୧୩ - ୭:୨୮ ପୂର୍ବାହ୍ନ
ସମ୍ପାଦକୀୟ
“ଏମିତି” ଏମିତି ଭାବରେ କେମିତି ହେଲା ଏମିତିରେ କିଛି ବି ଜଣାଗଲା ନାହିଁ ଏମିତି ଦେଖିବାକୁ ଗଲେ “ଏମିତି” ରେ ସେମିତି କିଛି ନ ଲାଗିବା ପାଇଁ “ଏମିତି” ରେ ଆମେ ସବୁକିଛି ରଖିବାକୁ ଚେଷ୍ଟା କରୁଛୁ “ଏମିତି” ରେ ଏମିତି କିଛି ରହିବା ପାଇଁ ଆମେ ଆପଣଙ୍କ ସହଯୋଗ କାମନା କରୁଛୁ
ଉଲ୍ଲାସ ସାହୁ
ସମ୍ପାଦକ,ଏମିତି
୪. ଶ୍ରୀ ଜ୍ୟୋତି ରଞନ ପଧାନ, BARGARH | ମାର୍ଚ୍ଚ୍ ୨୭, ୨୦୧୪ - ୬:୪୭ ପୂର୍ବାହ୍ନ
ମନ ଛୁଁଇକି ହୃଦୟ ନେଇ ଗଲା
୫. ସଚିଦାନନ୍ଦ ପାତ୍ର, ନୟାଗଡ | ସେପ୍ଟେମ୍ବର୍ ୨, ୨୦୧୪ - ୧୨:୪୯ ପୂର୍ବାହ୍ନ
ଏହି ୱେବ୍ ସାଇଡ୍ ଜରିଆରେ ଓଡିଆ ଭାଷାରେ କବିତା, ଗଳ୍ପ, ଓ ପ୍ରବନ୍ଧ ଆଦି ପାଠ କରି ବହୁତ ଆତ୍ମତ୍ରୁପ୍ତି ଲାଗିଲା । ଆଜି କାହି ଓଡିଆ ବୋଲି ଗର୍ବ ଲାଗିଲା ।
୬. ଅନନ୍ତ ବାଗ, ପିତାମହୁଲ,ରାଣୀପୁର ଝରିଆଲ,ବଲାଙ୍ଗୀର | ଅକ୍ଟୋବର୍ ୧୩, ୨୦୧୬ - ୧୧:୦୧ ଅପରାହ୍ନ
ଏହି ୱେବସାଇଟ ପ୍ରଥମ କରି ଦେଖିଲି ମନ ମୋର ଖୁସି ହୋଇଯାଇଛି, କବିତା ଭଲ ହୋଇଛି |