ନବ ପ୍ରତିଭା

କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା
ସ୍ଵତନ୍ତ୍ର ଉତ୍କଳର ସ୍ମୃତି ଗାଥା
|- ପ୍ରବୋଧ ଚନ୍ଦ୍ର ମୁଦ୍ରା, ସାଙ୍କୁଡ଼ା , ଗଞ୍ଜାମ
କାଲାମ
|- ଅରୁଣ କୁମାର ତ୍ରିପାଠୀ, ହାଇଦ୍ରାବାଦ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
ମନମୋହନ ମିଶ୍ର
ଗୋପୀନାଥ ମହାନ୍ତି
ସୁଧାଂଶୁ ଶେଖର ପାତ୍ର
ଗୋଦାବରିଶ ମିଶ୍ର
ବିରଜା ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 

ଓଡ଼ିଆ ଭାଷାକୁ ନେଇ ସଙ୍କଟ ଏବେକାର କଥା ନୁହେଁ ବରଂ ଏହା ଏକ ଇତିହାସ ୤ ପ୍ରଥମେ ସଂସ୍କୃତ, ପରେ ପରେ ବଙ୍ଗଳା ଏବଂ ବର୍ତ୍ତମାନ ହିନ୍ଦୀ ଓ ଇଂରାଜୀ ୤ ବାରମ୍ବାର ଓଡିଆ ଭାଷାକୁ ସହିବାକୁ ପଡିଛି ଅନ୍ୟ ଭାଷାଗୁଡିକର କୁଠାରାଘାତ ୤ ତଥାପି, ମଳିନ ପଡିନି ଓଡିଆ ଭାଷା ୤ ଓଡିଆ ଏକ ଭାଷା ନୁହେଁ ବୋଲି ବଙ୍ଗାଳୀମାନଙ୍କ ଉଦ୍‌ଘୋଷଣା ପରେ ଏହାର ସୁରକ୍ଷା ପାଇଁ ସଂଘର୍ଷ କଲା ଏ ଜାତି ୤ ସେତେବେଳେ ତ ବର୍ତ୍ତମାନର ଓଡିଶା ପରି ଓଡ଼ିଆମାନଙ୍କ ଲାଗି ସ୍ବତନ୍ତ୍ର ପ୍ରଦେଶଟିଏ ବି ନଥିଲା ୤ ଥୋକେ ମାନ୍ଦ୍ରାଜ ପ୍ରଦେଶରେ, ଥୋକେ ମଧ୍ୟପ୍ରଦେଶରେ ଏବଂ ଥୋକେ ରହୁଥିଲେ ବଙ୍ଗବିହାର ପ୍ରଦେଶରେ ୤

ତେବେ, ୧୯୦୩ ମସିହାଠାରୁ ଆରମ୍ଭ ହେଲା ସ୍ବତନ୍ତ୍ର ପ୍ରଦେଶଟିଏ ପାଇଁ ସଙ୍ଘର୍ଷ ୤ ମାତ୍ର, ୧୬୬୮ ମସିହାରେ ମୁକୁନ୍ଦ ଦେବଙ୍କ ପରାଜୟ ପରେ ଦୀର୍ଘ ତିନିଶହ ବର୍ଷରୁ ଊର୍ଦ୍ଧ୍ବକାଳ ଖଣ୍ଡ ଭିତରେ ଅପରିବର୍ତ୍ତିତ ରହିଥାନ୍ତା କି ଭୂଗୋଳ ? ଶେଷରେ ସେଇ କପିଳେନ୍ଦ୍ର ବା ପୁରୁଷୋତ୍ତମ ଦେବଙ୍କ ବେଳର ଓଡିଶା-ମାଟି ଖୋଜା ପ୍ରୟାସର ଭିତ୍ତି ହେଲା- ଓଡିଆ ଭାଷା ୤ ଆଉ ମଧୁସୂଦନଙ୍କ ଉଠରେ ଉଠରେ ଉତ୍କଳ ସନ୍ତାନର ଆହ୍ବାନ ଝଂକୃତ ହେଲା ଓଡିଶାର ପୁରପଲ୍ଲୀରେ ଏବଂ ମଧୁବାବୁଙ୍କ ଦ୍ବାରା ଗଠିତ ଉତ୍କଳ ସମ୍ମିଳନୀ ମାଧ୍ୟମରେ ଏକତ୍ରିତ ହେଲେ ରାଜା ମହାରାଜଙ୍କଠାରୁ ସାଧାରଣ ଜନତା ପର୍ଯ୍ୟନ୍ତ ୤ କୋଟିଏ ଓଡିଆ ଗୋଟିଏ ଆକୁଳ କଣ୍ଠରେ ଗାଇଲେ ବନ୍ଦେ ଉତ୍କଳ ଜନନୀ୤ ପରିଶେଷରେ ଦେଶ ସ୍ବାଧୀନ ହେବାର ଏକ ଦଶନ୍ଧି ପୂର୍ବରୁ ଓଡିଶା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା, ହେଲା ଭାରତବର୍ଷର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ୤ ତେବେ, ରାଜନୈତିକ ସାମ୍ରାଜ୍ୟଠାରୁ ଭାଷାର ବନ୍ଧନ ଯେ କେତେ ସୁଦୃଢ, ଏମିତି ଏକ ସ୍ବତନ୍ତ୍ର ଉଦାହରଣ ଓଡିଆ ଭାଷା ଛଡା ଆଉ ବା କଣ ହୋଇପାରେ ?

ସେବେଠୁ ଓଡିଆଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଓଡିଆ ସମ୍ବାଦପତ୍ର ଓ ପତ୍ରପତ୍ରିକାଗୁଡିକ ନିଜ ନିଜର ଦାୟିତ୍ବ ତୁଲାଇ ଆସୁଛନ୍ତି ୤ ସମୟକ୍ରମେ ଓଡିଆ ଭାଷା ଓ ସାହିତ୍ୟର ପ୍ରଚାର ଓ ପ୍ରସାର ସକାଶେ ଅନେକ ପରୀକ୍ଷା ନିରୀକ୍ଷା ହୋଇଛି ଏବଂ ଏବେ ମଧ୍ୟ ସେ ପ୍ରୟାସ ଜାରି ରଖିଛି ୤ ଆଜିର ଏହି ସୂଚନା ଓ ପ୍ରଯୁକ୍ତି ଯୁଗରେ ଓଡିଆ ସାହିତ୍ୟ ଡଟ୍ କମ୍, ନିଶ୍ଚିତ ଭାବେ ଏକ କ୍ଷୁଦ୍ର କିନ୍ତୁ ନିଆରା ପ୍ରୟାସ ୤ ଏଇଥିପାଇଁ ନିଆରା ଯେ, ସଂଗ୍ରହଣୀୟତା ଦୃଷ୍ଟିରୁ ଓଡିଆ ସାହିତ୍ୟ ଡଟ୍ କମ୍, ସମ୍ବାଦପତ୍ରର ସାହିତ୍ୟ ପୃଷ୍ଠା ଓ ସାହିତ୍ୟ ପତ୍ରପତ୍ରିକା ଗୁଡିକଠାରୁ ବହୁତ ଆଗରେ ୤ ଅନ୍ୟ ଦୃଷ୍ଟିରୁ ବିଚାର କଲେ, ସମ୍ବାଦପତ୍ର ଓ ସାହିତ୍ୟ ପତ୍ରପତ୍ରିକା ଗୁଡିକର ବ୍ୟାପ୍ତି କେବଳ କିଛି ଭୌଗୋଳିକ ସୀମା ସରହଦ ଭିତରେ ସୀମିତ, ମାତ୍ର ଇଣ୍ଟର୍‌ନେଟ୍‌ର ଉପସ୍ଥିତ ବିଶ୍ବବ୍ୟାପୀ ୤ ଏଣୁ, ଓଡିଆ ଭାଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ତଥା ସୂଚନା ଓ ପ୍ରଦ୍ୟୋଗିକ କ୍ଷେତ୍ରରେ ଓଡିଆ ଭାଷାର ପ୍ରୟୋଗ ହିଁ ବର୍ତ୍ତମାନ ସମୟର ଆହ୍ବାନ ୤

ଏଇଠି ଆମେ ସୂଚେଇ ଦେବାକୁ ଚାହୁଁ, ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାର ଦୀର୍ଘ ଅଣଚାଶ ବର୍ଷ ପରେ ହିଁ ଆମ ଓଡିଆଙ୍କ ନିଦ ଭାଙ୍ଗିଲା ୤ ଅର୍ଥାତ୍ ପହିଲା ଅପ୍ରେଲ୍ ୧୯୮୫ଠୁ ହିଁ ଓଡିଆ ଭାଷା ସରକାରୀ ଭାଷାର ମର୍ଯ୍ୟାଦା ପାଇଲା ୤

ସଚିବାଳୟ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଯେପରି ସବୁ ସ୍ତରରେ ଓଡିଆ ଭାଷାର ବ୍ୟବହାର ଠିକ୍ ଭାବରେ ହୋଇ ପାରିବ, ସେଥିପ୍ରତି ଦୃଷ୍ଟିଦେବାକୁ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଲେ୤ ଏହା ଭିତରେ ବିତି ଗଲାଣି ପ୍ରାୟ ଦୁଇ ଦଶନ୍ଧି୤ କିନ୍ତୁ, ପରିଣତି ସମସ୍ତଙ୍କ ସାମ୍ନାରେ୤

ହଁ ଆଜ୍ଞା, ଏବେ ସମୟ ଆସିଛି, ଅତୀତରେ ଭାଷାପ୍ରତି ଆମେ ପ୍ରଦର୍ଶନ କରିଥିବା ସମସ୍ତ ଅବହେଳାରେ ପୂର୍ଣ୍ଣଛେଦଟିଏ ଟାଣିବା ପାଇଁ, ଇଣ୍ଟର୍‌ନେଟ୍ ମାଧ୍ୟମରେ ଶିକ୍ଷିତ ଲୋକମାନଙ୍କୁ ସଚେତନ କରିବା ପାଇଁ; ସର୍ବୋପରି, ଓଡିଆ ଭାଷାର ପ୍ରଚୁର ବ୍ୟବହାର ପାଇଁ ୤ ଆମର ବିଶ୍ବାସ, କେବଳ ବ୍ୟବହାର କଲେ ହିଁ ଓଡିଆ ଭାଷା ସମୃଦ୍ଧ ହୋଇପାରିବ ୤