ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ସହଦେବ ସାହୁ
ଆଶିଷ କୁମାର କର
ଅଚ୍ୟୁତାନନ୍ଦ କର
ଜଗଦୀଶ ମହାନ୍ତି
ବିଷ୍ଣୁପ୍ରିୟା ମହାପାତ୍ର
ଭାନୁଜୀ ରାଓ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ମାରକ
 |- ବିଜୟ ମିଶ୍ର
 
 
ତା: ଅଗଷ୍ଟ୍ ୧୭, ୨୦୧୨  
 

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରକୁ ପ୍ରତିଦ୍ବନ୍ଦିତାର ଆହ୍ବାନ ଦେଇ ଗାଁର ସେ ପୁରାତନ ବଟବୃକ୍ଷଟା ଛାୟା ପ୍ରଦାନପୂର୍ବକ ପଞ୍ଚ ପରମେଶ୍ବରଙ୍କୁ ସନ୍ତୁଷ୍ଟି ଦେଉଥିଲା୤ ଶଙ୍କରା ସମେତ ଅନ୍ୟ ଗ୍ରାମବାସୀବୃନ୍ଦ ଯତ୍‌କିଞ୍ଚତ୍‌ ଛାୟା ପ୍ରାପ୍ତି ନିମନ୍ତେ ବୃକ୍ଷଟିର ସୀମିତ ଛାୟାକୁ ନିଜ ନିଜ ମଧ୍ୟରେ ବଣ୍ଟନ କରିବାରେ ଚେଷ୍ଟାରତ ହୁଅନ୍ତେ ଭୀମା ମହାଜନେ ହୁଙ୍କାର ଛାଡ଼ିଲେ, ‘ଏଃ, ଏତେ କିସ ଖୋଜି ହଉଛ ବା ? ଯୋଉଠି ଗୋଟେ ଶୀଘ୍ର ବସିଯାଆ ସମସ୍ତେ୤ ଉଃ! ଦେଖ ଏମିତି ହଉଛନ୍ତି ଯେମିତି ଛାଇ ନ ମିଳିଲେ ଖରାରେ ତରଳି ଯିବେ ଅବା୤ ଆରେ ହେ ମଦନା ବିଞ୍ଚଣାଟା ମୋ ଆଡ଼େ ଟିକେ ଜୋର୍‌ରେ ହଲା୤ ତୁଛା ଭେଣ୍ଡିଆଟା, ସୁକୁମାରିଆ ବୋହୁ ପରିକା କିସ ହଉଛୁ କିରେ ? ଦାସେ ଆପଣେ ! ପାନଟାଏ ଚଳିବ କି ?

ସରପଞ୍ଚ ଭଗବାନ ଦାସ ମହାଜନଙ୍କ ହାତରୁ ପାନଟା ନେଇ ପାକୁଳି କରୁ କରୁ କହିଲେ, ‘ତମେ ସବୁତ ଜାଣିଛ ଆଜି କାହିଁକି ଏଠାରେ ଏକାଠି ହୋଇଛେ୤ ତଥାପି ଯେଉଁମାନେ ଜାଣି ନାହାଁନ୍ତି ସେମାନଙ୍କ ପାଇଁ ଅବଧାନେ ଆଉ ଥରେ ସବୁକଥା କହିଦେବେ୤’ ଏତକ କହି ସେ ଅବଧାନ ନାରଣ ରାଉତଙ୍କୁ ଚାହିଁଲେ୤

ଅବଧାନେ କୌଣସି ବିଶିଷ୍ଟ ଗାୟକଙ୍କ ପରି ଗଳା ଖଙ୍କାରି ତାଙ୍କ ପୂର୍ବ ମୁଖସ୍ଥ ଦୀର୍ଘ ଭାଷଣଟି ଆରମ୍ଭ କଲେ୤ ଅନେକ ସାହିତ୍ୟିକ ଶବ୍ଦର ବ୍ୟବହାର କରି ଅଧଘଣ୍ଟା କାଳ ଯେଉଁ ଉକ୍ତିଗୁଡ଼ିକ ଓଗାଳି ଦେଇଗଲେ ତା’ର ସାରମର୍ମ ଥିଲା- ‘ଶଙ୍କରାର ପୁଅ ସୁବା କେଡ଼େ ବୀର, କେଡ଼େ ମହାନ ଥିଲା, ଯେ କି ଏସନ ଯୁଦ୍ଧରେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଦେଲା୤ ତା’ ସ୍ମୃତିକୁ ଗାଁରେ ଚିର ଦିନ ଅମର ରଖିବାକୁ ଗାଁରେ କିଛି ଗୋଟେ ଗଢ଼ିବାର ନିଷ୍ପତ୍ତି ନେବା ପାଇଁ ଆଜି ସମସ୍ତେ ଏଠାରେ ଏକତ୍ରିତ୤

ଶଙ୍କରା ଭାବୁଥିଲା ଆଜି ସୁବା ଥିଲେ କେତେ ଖୁସିହୋଇ ଥାଆନ୍ତା୤ ଯେଉଁ ଅବଧାନ ସବୁବେଳେ ବିରକ୍ତ ହୋଇ କହୁଥିଲେ, ‘କି ଚାକିରି କରିଛି ଯେ, ମଣିଷ ମାରି ନିଜ ପେଟ ପୋଷୁଛି’, ସେହି ନିଜେ ଆଜି ସୁବାର ପ୍ରଶଂସାରେ କେତେ କଥା କହୁଛନ୍ତି୤ ଶଙ୍କରାର ଆଖିରେ ଲୁହ ଜକେଇ ଆସିଲା୤

ଶଙ୍କରାର ଭାବନା ଭଙ୍ଗ କରି ମନ୍ଦିରର ପୁରୋହିତ ନିମାଇଁ ପଣ୍ଡା କହିଲେ, ‘ଯାହା କହିଲେ ଅବଧାନେ, ବଢ଼ିଆ ପିଲାଟାଏ ଥିଲା ଏକା ଆମ ସୁବାଟା୤ ଗାଁର ନା’ଟା ଉଜ୍ଜ୍ବଳ କରିଗଲା୤’ ଶଙ୍କରା ବୁଝି ପାରୁ ନଥିଲା, ଆଜି ହଠାତ୍‌ ସୁବା ସମସ୍ତଙ୍କ ପାଖରେ ଏତେ ପ୍ରିୟ କିପରି ହୋଇଗଲା୤ ଏହି ପୁରୋହିତ ସକାଳୁ ସକାଳୁ ପୋଖରୀ ପାଣି ସାରି ଫେରିଲାବେଳେ ଯଦି ସୁବାର ଛାଇ ତା’ଙ୍କ ଉପରେ ପଡ଼ି ଯାଉଥିଲା, ବିଗିଡ଼ି ଉଠି କହୁଥିଲେ, ‘ରାମ, ରାମ, ରାମ, ପୁଣି ଗାଧୋଇବାକୁ ପଡ଼ିବ୤ ଜାତି-ଅଜାତି ଲୋକଙ୍କ ସଙ୍ଗେ ମିଶି ଗୋରୁ ଘୁଷୁରି ମାଂସ ଖାଉଥିବ, ମଦ ପିଉଥିବ୤ ନିଜ ଜାତିଟା ତ ଗଲା, ମୋ ଜାତିଟା ବି ନେବ ୤’ ଅବଶ୍ୟ ଏହି ପୁରୋହିତ ଲୋକଙ୍କୁ ଲୁଚି ଲୁଚି ମଦ-ମାଂସକୁ ଆନନ୍ଦରେ ଉପଭୋଗ କରୁଥିବାର ଶଙ୍କରା ନିଜେ କେତେ ଥର ଦେଖିଥିଲା ୤

‘ଆରେ ଶଙ୍କରା ! ତୁ କିଛି କହୁନୁ ଯେ ? ଏମିତି ପଥରଟା ପରି କାହିଁକି ବସିଛୁ ?’

ସରପଞ୍ଚଙ୍କ କଥାରେ ଶଙ୍କରା ପ୍ରକୃତିସ୍ଥ ହେଲା୤ ତଥାକଥିତ ବଡ଼ ଲୋକମାନଙ୍କ ସମ୍ମୁଖରେ କେବେ ମୁହଁ ଖୋଲି ଶିଖି ନ ଥିବା ଶଙ୍କରା କିଂକର୍ତ୍ତବ୍ୟବିମୂଢ଼ ହୋଇ ତା’ର ଚିରାଚରିତ ଢ଼ଙ୍ଗରେ ହାତ ଯୋଡ଼ି ପଞ୍ଚଙ୍କୁ ଜୁହାରଟିଏ ପକେଇ ବସି ରହିଲା୤ ଏମିତିରେ ବି ତା’ର କୌଣସି କଥାରୁ ପଞ୍ଚଙ୍କୁ ବିଶେଷ କିଛି ତଫାତ୍‌ ପଡ଼ିବାର ନଥିଲା୤ ଅତଏବ ଭଗବାନ ଦାସ ଅନ୍ୟ ପଞ୍ଚଙ୍କ ଉଦ୍ଦେଶ୍ୟରେ ପଚାରିଲେ, ‘ଆପଣମାନେ କ’ଣ କହୁଛନ୍ତି, ଆମ ସୁବା ନାଁ’ରେ କ’ଣଟାଏ ଗଢ଼ିଲେ ଠିକ୍‌ ହେବ ?’

ନିକଟ ଅତୀତରେ କଣ୍ଟ୍ରାକ୍ଟରୀ ବ୍ୟବସାୟ ଆରମ୍ଭ କରିଥିବା ଏବଂ କଣ୍ଟ୍ରାକ୍ଟରୀ ନାଁ’ରେ ଏ ଯାବତ୍‌ ଫାଳେ ମାତ୍ର ପାଇଖାନା ଘର ତିଆରି କରି ପାରିଥିବା ପୁତ୍ରର ବ୍ୟବସାୟର ଉନ୍ନତି ଆଶା କରି ନରେଶ ପାତ୍ର କହିଲେ, ‘ମୁଁ ଭାବୁଛି ଆମ ଗାଁ ମାଟି ରାସ୍ତାଟାକୁ ପକ୍କା ସଡ଼କ କରିଦେଇ ସୁବା ନା’ରେ ‘ସୁବାଷ ସଡ଼କ’ ନାଁ’ ଦେଇଦେବା୤ ତା’କୁ ବନେଇବାକୁ ବାହାରୁ କଣ୍ଟ୍ରାକ୍ଟର୍‌ ବି ଡାକିବା ଦରକାର ହେବନି୤ ମୋ ପୁଅ ଭୁବନାକୁ କହିଲେ ଏମିତି ସଡ଼କ ବନେଇବ ଯେ ଆମ ସାତ ପୁରୁଷ ଯାଏଁ ରାସ୍ତାରୁ ଗୋଡ଼ିଟାଏ ବି ଖସିବ ନାହିଁ ୤’

ତତ୍‌କ୍ଷଣାତ୍‌ ତା’ଙ୍କ ବାକ୍ୟକୁ ଖଣ୍ଡନ କରି ପୁରୋହିତ କହିଲେ, ‘ଆଜ୍ଞା ମୁଁ କ’ଣ କହୁଥିଲି କି, ଏଡ଼ିକି ବକଟେ ଗାଁ୤ କୋଉ ଦଶଟା ରାସ୍ତା ଅଛି ଯେ ? ଗାଁରେ ଗୋଟିଏ ବୋଲି ତ ରାସ୍ତା, ତା’ହେଲେ ସେଇଟାକୁ ନାମକରଣ କରିବାର କିଛି ମାନେ ଅଛି ? ବରଂ ଗାଁ ମନ୍ଦିରଟାକୁ ଟିକିଏ ବାଗେଇ ଦେଇ ସେଠାରେ ଗୋଟାଏ ବଖରା ଘର କରି ଦେଲେ ହୁଅନ୍ତା୤ ମୁଁ ସେଠାରେ ରହି ଦିନ ତମାମ ମନ୍ଦିରକୁ ଭକ୍ତଙ୍କ ପାଇଁ ଖୋଲା ରଖନ୍ତି୤ କେତେ ଭକ୍ତ ଉପକୃତ ହୁଅନ୍ତେ ସତେ !’ କହିବା ବେଳେ ମନେ ମନେ ବିଚାରୁଥିଲେ, ଯଦି ଏପରି ହୁଅନ୍ତା ତେବେ ଆଉ ଭଡ଼ା ଘରେ ରହି ମାସକୁ ମାସ ଘର ମାଲିକକୁ ପଇସା ଗଣି ଦେବାକୁ ପଡ଼ନ୍ତା ନାହିଁ ୤

ହେଲେ ଅବଧାନ କିଛି କମ୍‌ ଚାଲାକ ନ ଥିଲେ୤ ପୁରୋହିତଙ୍କ ମନ୍‌ସା ଠଉରାଇ ନେଇ ତୁରନ୍ତ କହିଲେ, ‘ହଇ ହେ ପୁରୋହିତେ, ପ୍ରଥମେ ଭାବ, ତା’ ପରେ ଭାଷ୤ ଆହେ, ମନ୍ଦିର କ’ଣ ଖରାପ ଅଛି ଯେ ବାଗେଇବ ? ଆଉ ଠାକୁରଙ୍କୁ କ’ଣ ଭକ୍ତଙ୍କ ପାଇଁ ଦିନ ରାତି ଅନିଦ୍ରା ରଖିବ ? ତା’ ଛଡ଼ା ମନ୍ଦିର ଗଢ଼ାଇ ତା’ର ନାମ କ’ଣ ଦେବ- ‘ସୁବାଷ ମନ୍ଦିର’ ? ମନ୍ଦିରର ଏପରି ନାମକରଣ କସ୍ମିନ୍‌ କାଳେ ଶୁଣିଛ ?’ ଅବଧାନଙ୍କ କଥା ଶୁଣି ପୁରୋହିତ ତା’ଙ୍କ ଆଡ଼କୁ ଏକ ତୀର୍ଯ୍ୟକ୍‌ କ୍ରୋଧପୂର୍ଣ୍ଣ ଦୃଷ୍ଟି ନିକ୍ଷେପ କଲେ, ଯାହାର ଅର୍ଥ ସିଧାସଳଖ ଏଇଆ ଥିଲା- ‘ରହରେ ବାପ ଦିନ ଆସୁ ମୁଁ ବି ତୋତେ ପାନେ ଚଖେଇବି୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜୟ ମିଶ୍ର, ରାଉରକେଲା
ବିଜୟ ମିଶ୍ର
ପେଶାରେ ଜଣେ ଡାକ୍ତର ଥିବା ବିଜୟ କୁମାର ମିଶ୍ର ଜଣେ ନୂତନ ପିଢ଼ୀର ଗାଳ୍ପିକ ଭାବେ ପରିଚିତ୤ ଦୈନନ୍ଦିନ ଜୀବନ ଏବଂ ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥା ଉପରେ ତାଙ୍କର ଗଳ୍ପଗୁଡ଼ିକ ପାଠକମାନଙ୍କୁ ବେଶ୍‌ ଆମୋଦିତ କରିଥାଏ୤ ବିଭିନ୍ନ ପତ୍ରପତ୍ରିକାରେ ଡାକ୍ତର ମିଶ୍ରଙ୍କ ଅନେକ ଗଳ୍ପ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ସମ୍ପ୍ରତି ଡା. ମିଶ୍ର ରାଉରକେଲା ସ୍ଥିତ ଇଏସ୍‌ଆଇ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି୤
ବିଜୟ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. muralidhar kabi |  ସେପ୍ଟେମ୍ବର୍ ୨୧, ୨୦୧୨ - ୧୦:୨୨ ପୂର୍ବାହ୍ନ

    so fine village story. thank U sir.

  • ୨. Dr KAMAL KRISHNA PARIDA, ROURKELA |  ସେପ୍ଟେମ୍ବର୍ ୩, ୨୦୧୩ - ୧୧:୪୭ ପୂର୍ବାହ୍ନ

    NICE STORY

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤