ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ବିଷ୍ଣୁପ୍ରିୟା ମହାପାତ୍ର
ମନମୋହନ ମିଶ୍ର
ବିରଜା ବଳ
ରଜତ କୁମାର ମିଶ୍ର
ବିଜୟ ମିଶ୍ର
ବିଦ୍ୟୁତପ୍ରଭା ଦେବୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ସ୍ମାରକ
 |- ବିଜୟ ମିଶ୍ର
 
 
ତା: ଅଗଷ୍ଟ୍ ୧୭, ୨୦୧୨  
 

ଅବଧାନଙ୍କର ଏହିକ୍ଷଣି ତହିଁକୁ ଭ୍ରୂକ୍ଷେପ ନଥିଲା୤ ରାମାୟଣରେ ମନ୍ଥରାର କପଟତା ଓ ଚାଲାକି ବିଷୟ ଚାଟଶାଳୀ ପିଲାଙ୍କୁ ବର୍ଷ ବର୍ଷ ଧରି ପଢ଼ାଇ ଆସୁଥିବା ଅବଧାନ ନିଜେ ମଧ୍ୟ ଭଲ ଭାବେ ହୃଦୟଙ୍ଗମ କରିଥିଲେ ଯେ, ଠିକ୍‌ ସମୟରେ ଠିକ୍‌ ବରଟି ମାଗି ନ ନେବା କେବଳ ମୂର୍ଖାମୀ ବ୍ୟତୀତ ଅନ୍ୟ କିଛି ନୁହେଁ୤ ତେଣୁ କାଳ ବିଳମ୍ବ ନ କରି ପଞ୍ଚଙ୍କ ନିକଟରେ ସେ ନିଜ ପ୍ରାର୍ଥନା ଉପସ୍ଥାପନ କଲେ, ‘ଆଜ୍ଞା, ଗୋଟାଏ ବଖରା ଚାଟଶାଳୀରେ ପିଲାଏ ବସି ପାଠ ପଢ଼ିଲା ବେଳେ ଖରା ଦିନେ ଦେହରୁ ଝାଳ ବହୁଛି, ବର୍ଷା ଦିନେ ଛାତରୁ ପାଣି ଗଳୁଛି୤ ତେଣୁ ଆଉ ଦି, ଚାରି ବଖରା ଘର ତିଆରି କରି ଚାଟଶାଳୀକୁ ବିଦ୍ୟାଳୟରେ ପରିଣତ କରାଯାଉ୤ ଏପରି ହେଲେ ବିଦ୍ୟାଳୟକୁ ସରକାରୀ ଅନୁଦାନ ମିଳିବା ବି ସମ୍ଭବ ହେବ୤ ‘ସୁବାଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ନାଁ’ଟା ମଧ୍ୟ ଖୁବ୍‌ ସୁନ୍ଦର ଶୁଣାଯିବ୤’ କହିବା ବାହୁଲ୍ୟ ଯେ, ଉପରୋକ୍ତ ଭାବେ ମିଳିବାକୁ ଥିବା ଅବଶ୍ୟମ୍ଭାବୀ ସରକାରୀ ଅନୁଦାନ ଓ ସୁବିଧାଗୁଡ଼ିକୁ ମନ୍ଥନ କରି ନିଜ ପାଇଁ ବ୍ୟକ୍ତିଗତ ସୁଯୋଗର ଉତ୍ପତ୍ତି କରାଇବାରେ ଅବଧାନ ସିଦ୍ଧହସ୍ତ ଥିଲେ୤

ଅବଧାନଙ୍କ ପଛକୁ ପଛ ସଭାମଣ୍ଡନ ପୂର୍ବକ ସୁବାର ସ୍ବର୍ଗୀୟ ଆତ୍ମାକୁ କୃତାର୍ଥ କରୁଥିବା ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ନିଜ ନିଜର ମନ୍ତବ୍ୟ ଓ ଯୋଜନା ବଖାଣିବାକୁ ଲାଗିଲେ୤ ‘ସୁବାଷ’ ନାମଧାରୀ ନାନାଦି ସଂସ୍ଥା ପ୍ରସ୍ତାବିତ ତଥା ପ୍ରତ୍ୟାଖିତ ହୋଇ ଚାଲିଲା, ଯଥା-ସୁବାଷ ଦାତବ୍ୟ ଚିକିତ୍ସାଳୟ, ସୁବାଷ କଳା କେନ୍ଦ୍ର ଇତ୍ୟାଦିରୁ ଆରମ୍ଭ କରି ସୁବାଷ ପ୍ରେକ୍ଷାଳୟ, ସୁବାଷ ଭୋଜନାଳୟ, ସୁବାଷ କଣ୍ଟ୍ରୋଲ୍‌ ଦୋକାନ ଆଦି ପର୍ଯ୍ୟନ୍ତ୤ ପ୍ରସ୍ତାବଦାତାମାନେ ଭୁଲିଯାଇଥିଲେ ଯେ, ‘ସୁବାଷ’ ନାଁ’ଟି ଏକ ସ୍ବର୍ଗତ ବୀରର୤ ବରଂ ନାଁଟି ଏପରି ଭାବେ ବ୍ୟବହୃତ ହେଉଥିଲା, ଯେପରି ତାହା କୌଣସି ନାମୀଦାମୀ କମ୍ପାନୀର ନାଁ’ ଏବଂ କେବଳ ସେହି ନାଁଟିକୁ ନିଜ ବସ୍ତୁ ସହିତ ଯୋଡ଼ି ଦେଲେ ଅତି ସହଜରେ ବସ୍ତୁଟି ବିକ୍ରି ହୋଇଯିବ୤ ଯଦିଓ ପ୍ରସ୍ତାବଦାତାମାନ ନିଜ ପ୍ରସ୍ତାବରେ ଗ୍ରାମର ଓ ଗ୍ରାମବାସୀଙ୍କର ପ୍ରଭୂତ ବିକାଶ ନିହିତ ଥିବାର ଦର୍ଶାଉଥିଲେ, କିନ୍ତୁ ପ୍ରକାରାନ୍ତରରେ ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ଥିଲା ପ୍ରତ୍ୟେକଙ୍କର ଏକ ମାତ୍ର ଉଦ୍ଦେଶ୍ୟ୤

ଇତ୍ୟବସରରେ ଭୀମା ମହାଜନଙ୍କର ଉର୍ବର ମସ୍ତିଷ୍କ ନିଜର ମହାଜନି ବୁଦ୍ଧି ପ୍ରୟୋଗ କରି ହିସାବ କଷାକଷି କରିବାରେ ବ୍ୟସ୍ତ ଥିଲା୤ ସଂସ୍ଥାଟି ଯାହା ବି ଗଢ଼ା ହେଉ, ଖର୍ଚ୍ଚଟା କମ୍‌ ପରିମାଣର ହେବନି ଏବଂ ଏଥି ନିମନ୍ତେ ଏକତ୍ରିତ କରାଯିବାର ଥିବା ଚାନ୍ଦାର ବୃହଦଂଶ, ଗ୍ରାମର ସର୍ବାଧିକ ଧନିବ୍ୟକ୍ତି ଭାବେ ତାଙ୍କୁ ହିଁ ଦେବାକୁ ପଡ଼ିବ୤ ଅତଏବ ସେ ଆରମ୍ଭ କଲେ, ‘ଏଠାରେ ଯାହା ଗଢ଼ିଲେ ମଧ୍ୟ କାଲିକୁ ଆମ ନାତି, ଅଣନାତି ଯେବେ ପଚାରିବେ ବୀର ସୁବାଷ କିଏ, କେମିତି ଦେଖିବାକୁ ଥିଲା, ତେବେ କି ଜବାବ ଦେବା ? ତେଣୁ ଗାଁ ମଝି ଚଉତରା ଉପରେ ସୁବା‌ଷ ମୂର୍ତ୍ତିଟାଏ ଗଢ଼ିବା ଠିକ୍‌ ହେବ୤ ଯୁଗ ଯୁଗକୁ ଲୋକେ ଦେଖିବେ, ମନେ ରଖିବେ୤ ନା କ’ଣ କହୁଛନ୍ତି ଦାସେ ଆପଣେ ?’ ଏତକ କହିବା ପୂର୍ବରୁ ସେ ହିସାବ କରି ସାରିଥିଲେ ଯେ, ମୂର୍ତ୍ତି ଗଢ଼ିବାର ଖର୍ଚ୍ଚ ବିଦ୍ୟାଳୟ, ମନ୍ଦିର ବା ସଡ଼କ ଆଦିର ଖର୍ଚ୍ଚ ତୁଳନାରେ ନଗଣ୍ୟ ହେବ ଓ ତା’ଙ୍କ ଠାରୁ ଆଦାୟ ହେବାକୁ ଥିବା ଚାନ୍ଦା ମଧ୍ୟ୤

ଭୀମା ମହାଜନଙ୍କର ବହୁମୂଲ୍ୟ ମନ୍ତବ୍ୟ ଉପସ୍ଥିତ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କୁ କିଛି କ୍ଷଣ ନୀରବ ରହି ଚିନ୍ତା କରିବାକୁ ବାଧ୍ୟ କରି ଦେଇଥିଲା୤ ଅର୍ଥକୁ ଜୀବନର ପ୍ରକୃତ ଅର୍ଥ ମନେ କରୁଥିବା ଏହି ବ୍ୟକ୍ତିମାନଙ୍କୁ ମହାଜନଙ୍କ ମନ୍ତବ୍ୟରେ ଲୁକ୍କାୟିତ ଗଭୀରତମ ଅର୍ଥକୁ ହୃଦୟଙ୍ଗମ କରିବାକୁ ଅଧିକ ସମୟ ଲାଗି ନ ଥିଲା୤ କୌଣସି ବୃହତ୍‌ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧିତ ନ ହେଲା ନାହିଁ, କିନ୍ତୁ ଏତେ ବଡ଼ ଆକାରର ଚାନ୍ଦା ଦେବାରୁ ବଞ୍ଚି ଯିବାଟା କ’ଣ କମ୍‌ କଥା ? ଫଳସ୍ବରୂପ ମହାଜନଙ୍କ ପ୍ରସ୍ତାବରେ ସେମାନେ ସମସ୍ତେ ସହମତି ବ୍ୟକ୍ତ କଲେ୤

କିନ୍ତୁ ବିଗତ ଘଣ୍ଟାଏ ହେବ ଖରାରେ ନିଜ ଝାଳ ବୁହାଇ, କୌଣସି ବିଶେଷ ନିଷ୍ପତ୍ତି ଗ୍ରହଣ କରାଯିବାର ଆଶା ନେଇ ବସି ରହିଥିବା ଗ୍ରାମବାସୀ ଏପରି ପ୍ରସ୍ତାବରେ ସନ୍ତୁଷ୍ଟ ହୋଇଥିବା ପରି ପ୍ରତୀତ ହେଲା ନାହିଁ୤ ଅବଶ୍ୟ ଏହାର ପ୍ରତିବାଦ କରିବାର ସାହସ ସେମାନଙ୍କର ନ ଥିଲା୤ କିନ୍ତୁ ଗାଁର ଯୁବମଣ୍ଡଳୀର ନେତା ତଥା ସୁବାର ବାଲ୍ୟବନ୍ଧୁ ସୁରେନ୍ଦ୍ର ଏହାର ବ୍ୟତିକ୍ରମ ଥିଲା୤ ସେ କହିଲା, ‘ସୁବାର ଗୋଟାଏ ମୂର୍ତ୍ତି ଗଢ଼ି ଦେଇ ତା’ ବେକରେ ହାର ଚଢ଼େଇ ଦେଲେ ଆମ ଦାୟିତ୍ବ କ’ଣ ସରିଗଲା ? ଆଉ ଶଙ୍କରା ମଉସାଙ୍କ କ’ଣ ହେବ ? ସୁବାଛଡ଼ା ତା’ଙ୍କର ଆଉ କିଏ ଥିଲା ? ତା’ଙ୍କ ପାଇଁ ଆମର କିଛି ଦାୟିତ୍ବ ନାହିଁ ?’

ଆଜିର ସଭାସ୍ଥଳ ବିଶିଷ୍ଟ ବ୍ୟକ୍ତିମାନଙ୍କର ଯଦି ଗାଁରେ କାହାକୁ ତିଳେ ମାତ୍ର ଭୟ ଥିଲା, ସେ ଥିଲେ ସୁରେନ୍ଦ୍ର ଓ ତା’ର ଯୁବମଣ୍ଡଳୀ୤ ଅବଧାନ ନାରଣ ରାଉତ ଆଜି ପର୍ଯ୍ୟନ୍ତ ଭୁଲି ନ ଥିଲେ, ପିଲା ଥିଲା ବେଳେ ଚାଟଶାଳୀରେ ସେ ସୁରେନ୍ଦ୍ରକୁ ଦଣ୍ଡ ଦେଇ ଥିବାରୁ, ସେ ଓ ତା’ର ସାଥିମାନେ ଗାଧୁଆ ବେଳେ ପୋଖରୀ ତୁଠରେ ଥୁଆ ହୋଇଥିବା ତାଙ୍କ ଲୁଗାରେ କିଛି ବିଛୁଆତି ରଖି ଦେଇ ଯାହା ହନ୍ତସନ୍ତ କରିଥିଲେ୤ ସେ ଲୁଗାକୁ ପିନ୍ଧି ଦେବା ପରେ ବିଛୁଆତିର ପ୍ରଭାବରେ ଅନନ୍ୟୋପାୟ ହୋଇ ଗାଁ ଦାଣ୍ଡରେ ବିବସ୍ତ୍ରପ୍ରାୟ ଦଉଡ଼ି ଯେଉଁ ହିନସ୍ତା ହୋଇଥିଲେ, ସେ କଥା ମନେ ପଡ଼ି ଗଲେ ଆଜି ମଧ୍ୟ ପିନ୍ଧିଥିବା ଧୋତିର ଗଣ୍ଠିକୁ ସମ୍ଭାଳିବାକୁ ଆପେ ଆପେ ହାତ ଚାଲିଯାଏ୤ ସରପଞ୍ଚ ଡରୁଥିଲେ କାରଣ ଯୁବ ମଣ୍ଡଳୀର ବିନା ସହଯୋଗରେ ପଞ୍ଚାୟତର ଅଧିକାଂଶ କାର୍ଯ୍ୟ କରିବା ଅସମ୍ଭବ ଥିଲା୤ ମହାଜନଙ୍କ ଭୟର କାରଣ ଥିଲା- ଏ ସନ ମହାଜନରୁ ସରପଞ୍ଚ ହେବାର ତାଙ୍କର ଆଶାକୁ ସାକାର କରିବାରେ ଏହି ମଣ୍ଡଳୀର ସାହାଯ୍ୟ ଅନିବାର୍ଯ୍ୟ ଥିଲା୤

ହୃଦୟର ଭୟକୁ ମୁଖମଣ୍ଡଳରେ ପ୍ରକାଶ ହେବାକୁ ନ ଦେବାର ଯଥାସାଧ୍ୟ ଚେଷ୍ଟା କରି ସରପଞ୍ଚ କହିଲେ, ‘ଆରେ ସୁର, ତୁମେ ପିଲାଗୁଡ଼ା ଚାହୁଁଥିଲ ସୁବାର ସ୍ମୃତିରେ କିଛି ଗୋଟେ କରିବାକୁ୤ ଶଙ୍କରାର ଥଇଥାନ ବିଷୟ ତ ଆମର କିଛି କଥା ହୋଇ ନ ଥିଲା୤ ତା’ ଛଡ଼ା ଗାଁରେ କେତେ କାହାର ପୁଅ, ବାପ, ଭାଇ ମରୁଛନ୍ତି୤ ତା’ ବୋଲି କ’ଣ ସମସ୍ତଙ୍କ ଭରଣ ପୋଷଣ ଦାୟିତ୍ବ ପଞ୍ଚାୟତର ? ପଞ୍ଚ ଯାହା ରାୟ ଦେଇଛନ୍ତି ତାହା ଶେଷ ରାୟ୤ ତା’ଠାରୁ ଅଧିକ ଆଶା କରନି୤’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜୟ ମିଶ୍ର, ରାଉରକେଲା
ବିଜୟ ମିଶ୍ର
ପେଶାରେ ଜଣେ ଡାକ୍ତର ଥିବା ବିଜୟ କୁମାର ମିଶ୍ର ଜଣେ ନୂତନ ପିଢ଼ୀର ଗାଳ୍ପିକ ଭାବେ ପରିଚିତ୤ ଦୈନନ୍ଦିନ ଜୀବନ ଏବଂ ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥା ଉପରେ ତାଙ୍କର ଗଳ୍ପଗୁଡ଼ିକ ପାଠକମାନଙ୍କୁ ବେଶ୍‌ ଆମୋଦିତ କରିଥାଏ୤ ବିଭିନ୍ନ ପତ୍ରପତ୍ରିକାରେ ଡାକ୍ତର ମିଶ୍ରଙ୍କ ଅନେକ ଗଳ୍ପ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ସମ୍ପ୍ରତି ଡା. ମିଶ୍ର ରାଉରକେଲା ସ୍ଥିତ ଇଏସ୍‌ଆଇ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି୤
ବିଜୟ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. muralidhar kabi |  ସେପ୍ଟେମ୍ବର୍ ୨୧, ୨୦୧୨ - ୧୦:୨୨ ପୂର୍ବାହ୍ନ

    so fine village story. thank U sir.

  • ୨. Dr KAMAL KRISHNA PARIDA, ROURKELA |  ସେପ୍ଟେମ୍ବର୍ ୩, ୨୦୧୩ - ୧୧:୪୭ ପୂର୍ବାହ୍ନ

    NICE STORY

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤