ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଅବଧାନଙ୍କର ଏହିକ୍ଷଣି ତହିଁକୁ ଭ୍ରୂକ୍ଷେପ ନଥିଲା ରାମାୟଣରେ ମନ୍ଥରାର କପଟତା ଓ ଚାଲାକି ବିଷୟ ଚାଟଶାଳୀ ପିଲାଙ୍କୁ ବର୍ଷ ବର୍ଷ ଧରି ପଢ଼ାଇ ଆସୁଥିବା ଅବଧାନ ନିଜେ ମଧ୍ୟ ଭଲ ଭାବେ ହୃଦୟଙ୍ଗମ କରିଥିଲେ ଯେ, ଠିକ୍ ସମୟରେ ଠିକ୍ ବରଟି ମାଗି ନ ନେବା କେବଳ ମୂର୍ଖାମୀ ବ୍ୟତୀତ ଅନ୍ୟ କିଛି ନୁହେଁ ତେଣୁ କାଳ ବିଳମ୍ବ ନ କରି ପଞ୍ଚଙ୍କ ନିକଟରେ ସେ ନିଜ ପ୍ରାର୍ଥନା ଉପସ୍ଥାପନ କଲେ, ‘ଆଜ୍ଞା, ଗୋଟାଏ ବଖରା ଚାଟଶାଳୀରେ ପିଲାଏ ବସି ପାଠ ପଢ଼ିଲା ବେଳେ ଖରା ଦିନେ ଦେହରୁ ଝାଳ ବହୁଛି, ବର୍ଷା ଦିନେ ଛାତରୁ ପାଣି ଗଳୁଛି ତେଣୁ ଆଉ ଦି, ଚାରି ବଖରା ଘର ତିଆରି କରି ଚାଟଶାଳୀକୁ ବିଦ୍ୟାଳୟରେ ପରିଣତ କରାଯାଉ ଏପରି ହେଲେ ବିଦ୍ୟାଳୟକୁ ସରକାରୀ ଅନୁଦାନ ମିଳିବା ବି ସମ୍ଭବ ହେବ ‘ସୁବାଷ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ନାଁ’ଟା ମଧ୍ୟ ଖୁବ୍ ସୁନ୍ଦର ଶୁଣାଯିବ’ କହିବା ବାହୁଲ୍ୟ ଯେ, ଉପରୋକ୍ତ ଭାବେ ମିଳିବାକୁ ଥିବା ଅବଶ୍ୟମ୍ଭାବୀ ସରକାରୀ ଅନୁଦାନ ଓ ସୁବିଧାଗୁଡ଼ିକୁ ମନ୍ଥନ କରି ନିଜ ପାଇଁ ବ୍ୟକ୍ତିଗତ ସୁଯୋଗର ଉତ୍ପତ୍ତି କରାଇବାରେ ଅବଧାନ ସିଦ୍ଧହସ୍ତ ଥିଲେ
ଅବଧାନଙ୍କ ପଛକୁ ପଛ ସଭାମଣ୍ଡନ ପୂର୍ବକ ସୁବାର ସ୍ବର୍ଗୀୟ ଆତ୍ମାକୁ କୃତାର୍ଥ କରୁଥିବା ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ନିଜ ନିଜର ମନ୍ତବ୍ୟ ଓ ଯୋଜନା ବଖାଣିବାକୁ ଲାଗିଲେ ‘ସୁବାଷ’ ନାମଧାରୀ ନାନାଦି ସଂସ୍ଥା ପ୍ରସ୍ତାବିତ ତଥା ପ୍ରତ୍ୟାଖିତ ହୋଇ ଚାଲିଲା, ଯଥା-ସୁବାଷ ଦାତବ୍ୟ ଚିକିତ୍ସାଳୟ, ସୁବାଷ କଳା କେନ୍ଦ୍ର ଇତ୍ୟାଦିରୁ ଆରମ୍ଭ କରି ସୁବାଷ ପ୍ରେକ୍ଷାଳୟ, ସୁବାଷ ଭୋଜନାଳୟ, ସୁବାଷ କଣ୍ଟ୍ରୋଲ୍ ଦୋକାନ ଆଦି ପର୍ଯ୍ୟନ୍ତ ପ୍ରସ୍ତାବଦାତାମାନେ ଭୁଲିଯାଇଥିଲେ ଯେ, ‘ସୁବାଷ’ ନାଁ’ଟି ଏକ ସ୍ବର୍ଗତ ବୀରର ବରଂ ନାଁଟି ଏପରି ଭାବେ ବ୍ୟବହୃତ ହେଉଥିଲା, ଯେପରି ତାହା କୌଣସି ନାମୀଦାମୀ କମ୍ପାନୀର ନାଁ’ ଏବଂ କେବଳ ସେହି ନାଁଟିକୁ ନିଜ ବସ୍ତୁ ସହିତ ଯୋଡ଼ି ଦେଲେ ଅତି ସହଜରେ ବସ୍ତୁଟି ବିକ୍ରି ହୋଇଯିବ ଯଦିଓ ପ୍ରସ୍ତାବଦାତାମାନ ନିଜ ପ୍ରସ୍ତାବରେ ଗ୍ରାମର ଓ ଗ୍ରାମବାସୀଙ୍କର ପ୍ରଭୂତ ବିକାଶ ନିହିତ ଥିବାର ଦର୍ଶାଉଥିଲେ, କିନ୍ତୁ ପ୍ରକାରାନ୍ତରରେ ନିଜର ବ୍ୟକ୍ତିଗତ ସ୍ବାର୍ଥ ସାଧନ ଥିଲା ପ୍ରତ୍ୟେକଙ୍କର ଏକ ମାତ୍ର ଉଦ୍ଦେଶ୍ୟ
ଇତ୍ୟବସରରେ ଭୀମା ମହାଜନଙ୍କର ଉର୍ବର ମସ୍ତିଷ୍କ ନିଜର ମହାଜନି ବୁଦ୍ଧି ପ୍ରୟୋଗ କରି ହିସାବ କଷାକଷି କରିବାରେ ବ୍ୟସ୍ତ ଥିଲା ସଂସ୍ଥାଟି ଯାହା ବି ଗଢ଼ା ହେଉ, ଖର୍ଚ୍ଚଟା କମ୍ ପରିମାଣର ହେବନି ଏବଂ ଏଥି ନିମନ୍ତେ ଏକତ୍ରିତ କରାଯିବାର ଥିବା ଚାନ୍ଦାର ବୃହଦଂଶ, ଗ୍ରାମର ସର୍ବାଧିକ ଧନିବ୍ୟକ୍ତି ଭାବେ ତାଙ୍କୁ ହିଁ ଦେବାକୁ ପଡ଼ିବ ଅତଏବ ସେ ଆରମ୍ଭ କଲେ, ‘ଏଠାରେ ଯାହା ଗଢ଼ିଲେ ମଧ୍ୟ କାଲିକୁ ଆମ ନାତି, ଅଣନାତି ଯେବେ ପଚାରିବେ ବୀର ସୁବାଷ କିଏ, କେମିତି ଦେଖିବାକୁ ଥିଲା, ତେବେ କି ଜବାବ ଦେବା ? ତେଣୁ ଗାଁ ମଝି ଚଉତରା ଉପରେ ସୁବାଷ ମୂର୍ତ୍ତିଟାଏ ଗଢ଼ିବା ଠିକ୍ ହେବ ଯୁଗ ଯୁଗକୁ ଲୋକେ ଦେଖିବେ, ମନେ ରଖିବେ ନା କ’ଣ କହୁଛନ୍ତି ଦାସେ ଆପଣେ ?’ ଏତକ କହିବା ପୂର୍ବରୁ ସେ ହିସାବ କରି ସାରିଥିଲେ ଯେ, ମୂର୍ତ୍ତି ଗଢ଼ିବାର ଖର୍ଚ୍ଚ ବିଦ୍ୟାଳୟ, ମନ୍ଦିର ବା ସଡ଼କ ଆଦିର ଖର୍ଚ୍ଚ ତୁଳନାରେ ନଗଣ୍ୟ ହେବ ଓ ତା’ଙ୍କ ଠାରୁ ଆଦାୟ ହେବାକୁ ଥିବା ଚାନ୍ଦା ମଧ୍ୟ
ଭୀମା ମହାଜନଙ୍କର ବହୁମୂଲ୍ୟ ମନ୍ତବ୍ୟ ଉପସ୍ଥିତ ସମସ୍ତ ଗଣ୍ୟମାନ୍ୟ ବ୍ୟକ୍ତିମାନଙ୍କୁ କିଛି କ୍ଷଣ ନୀରବ ରହି ଚିନ୍ତା କରିବାକୁ ବାଧ୍ୟ କରି ଦେଇଥିଲା ଅର୍ଥକୁ ଜୀବନର ପ୍ରକୃତ ଅର୍ଥ ମନେ କରୁଥିବା ଏହି ବ୍ୟକ୍ତିମାନଙ୍କୁ ମହାଜନଙ୍କ ମନ୍ତବ୍ୟରେ ଲୁକ୍କାୟିତ ଗଭୀରତମ ଅର୍ଥକୁ ହୃଦୟଙ୍ଗମ କରିବାକୁ ଅଧିକ ସମୟ ଲାଗି ନ ଥିଲା କୌଣସି ବୃହତ୍ ବ୍ୟକ୍ତିଗତ ଉଦ୍ଦେଶ୍ୟ ସାଧିତ ନ ହେଲା ନାହିଁ, କିନ୍ତୁ ଏତେ ବଡ଼ ଆକାରର ଚାନ୍ଦା ଦେବାରୁ ବଞ୍ଚି ଯିବାଟା କ’ଣ କମ୍ କଥା ? ଫଳସ୍ବରୂପ ମହାଜନଙ୍କ ପ୍ରସ୍ତାବରେ ସେମାନେ ସମସ୍ତେ ସହମତି ବ୍ୟକ୍ତ କଲେ
କିନ୍ତୁ ବିଗତ ଘଣ୍ଟାଏ ହେବ ଖରାରେ ନିଜ ଝାଳ ବୁହାଇ, କୌଣସି ବିଶେଷ ନିଷ୍ପତ୍ତି ଗ୍ରହଣ କରାଯିବାର ଆଶା ନେଇ ବସି ରହିଥିବା ଗ୍ରାମବାସୀ ଏପରି ପ୍ରସ୍ତାବରେ ସନ୍ତୁଷ୍ଟ ହୋଇଥିବା ପରି ପ୍ରତୀତ ହେଲା ନାହିଁ ଅବଶ୍ୟ ଏହାର ପ୍ରତିବାଦ କରିବାର ସାହସ ସେମାନଙ୍କର ନ ଥିଲା କିନ୍ତୁ ଗାଁର ଯୁବମଣ୍ଡଳୀର ନେତା ତଥା ସୁବାର ବାଲ୍ୟବନ୍ଧୁ ସୁରେନ୍ଦ୍ର ଏହାର ବ୍ୟତିକ୍ରମ ଥିଲା ସେ କହିଲା, ‘ସୁବାର ଗୋଟାଏ ମୂର୍ତ୍ତି ଗଢ଼ି ଦେଇ ତା’ ବେକରେ ହାର ଚଢ଼େଇ ଦେଲେ ଆମ ଦାୟିତ୍ବ କ’ଣ ସରିଗଲା ? ଆଉ ଶଙ୍କରା ମଉସାଙ୍କ କ’ଣ ହେବ ? ସୁବାଛଡ଼ା ତା’ଙ୍କର ଆଉ କିଏ ଥିଲା ? ତା’ଙ୍କ ପାଇଁ ଆମର କିଛି ଦାୟିତ୍ବ ନାହିଁ ?’
ଆଜିର ସଭାସ୍ଥଳ ବିଶିଷ୍ଟ ବ୍ୟକ୍ତିମାନଙ୍କର ଯଦି ଗାଁରେ କାହାକୁ ତିଳେ ମାତ୍ର ଭୟ ଥିଲା, ସେ ଥିଲେ ସୁରେନ୍ଦ୍ର ଓ ତା’ର ଯୁବମଣ୍ଡଳୀ ଅବଧାନ ନାରଣ ରାଉତ ଆଜି ପର୍ଯ୍ୟନ୍ତ ଭୁଲି ନ ଥିଲେ, ପିଲା ଥିଲା ବେଳେ ଚାଟଶାଳୀରେ ସେ ସୁରେନ୍ଦ୍ରକୁ ଦଣ୍ଡ ଦେଇ ଥିବାରୁ, ସେ ଓ ତା’ର ସାଥିମାନେ ଗାଧୁଆ ବେଳେ ପୋଖରୀ ତୁଠରେ ଥୁଆ ହୋଇଥିବା ତାଙ୍କ ଲୁଗାରେ କିଛି ବିଛୁଆତି ରଖି ଦେଇ ଯାହା ହନ୍ତସନ୍ତ କରିଥିଲେ ସେ ଲୁଗାକୁ ପିନ୍ଧି ଦେବା ପରେ ବିଛୁଆତିର ପ୍ରଭାବରେ ଅନନ୍ୟୋପାୟ ହୋଇ ଗାଁ ଦାଣ୍ଡରେ ବିବସ୍ତ୍ରପ୍ରାୟ ଦଉଡ଼ି ଯେଉଁ ହିନସ୍ତା ହୋଇଥିଲେ, ସେ କଥା ମନେ ପଡ଼ି ଗଲେ ଆଜି ମଧ୍ୟ ପିନ୍ଧିଥିବା ଧୋତିର ଗଣ୍ଠିକୁ ସମ୍ଭାଳିବାକୁ ଆପେ ଆପେ ହାତ ଚାଲିଯାଏ ସରପଞ୍ଚ ଡରୁଥିଲେ କାରଣ ଯୁବ ମଣ୍ଡଳୀର ବିନା ସହଯୋଗରେ ପଞ୍ଚାୟତର ଅଧିକାଂଶ କାର୍ଯ୍ୟ କରିବା ଅସମ୍ଭବ ଥିଲା ମହାଜନଙ୍କ ଭୟର କାରଣ ଥିଲା- ଏ ସନ ମହାଜନରୁ ସରପଞ୍ଚ ହେବାର ତାଙ୍କର ଆଶାକୁ ସାକାର କରିବାରେ ଏହି ମଣ୍ଡଳୀର ସାହାଯ୍ୟ ଅନିବାର୍ଯ୍ୟ ଥିଲା
ହୃଦୟର ଭୟକୁ ମୁଖମଣ୍ଡଳରେ ପ୍ରକାଶ ହେବାକୁ ନ ଦେବାର ଯଥାସାଧ୍ୟ ଚେଷ୍ଟା କରି ସରପଞ୍ଚ କହିଲେ, ‘ଆରେ ସୁର, ତୁମେ ପିଲାଗୁଡ଼ା ଚାହୁଁଥିଲ ସୁବାର ସ୍ମୃତିରେ କିଛି ଗୋଟେ କରିବାକୁ ଶଙ୍କରାର ଥଇଥାନ ବିଷୟ ତ ଆମର କିଛି କଥା ହୋଇ ନ ଥିଲା ତା’ ଛଡ଼ା ଗାଁରେ କେତେ କାହାର ପୁଅ, ବାପ, ଭାଇ ମରୁଛନ୍ତି ତା’ ବୋଲି କ’ଣ ସମସ୍ତଙ୍କ ଭରଣ ପୋଷଣ ଦାୟିତ୍ବ ପଞ୍ଚାୟତର ? ପଞ୍ଚ ଯାହା ରାୟ ଦେଇଛନ୍ତି ତାହା ଶେଷ ରାୟ ତା’ଠାରୁ ଅଧିକ ଆଶା କରନି’
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. muralidhar kabi | ସେପ୍ଟେମ୍ବର୍ ୨୧, ୨୦୧୨ - ୧୦:୨୨ ପୂର୍ବାହ୍ନ
so fine village story. thank U sir.
୨. Dr KAMAL KRISHNA PARIDA, ROURKELA | ସେପ୍ଟେମ୍ବର୍ ୩, ୨୦୧୩ - ୧୧:୪୭ ପୂର୍ବାହ୍ନ
NICE STORY