ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦେବେନ୍ଦ୍ର ମହାନ୍ତି
ବ୍ରହ୍ମାନନ୍ଦ ପଣ୍ଡା
ସନ୍ୟାସୀ ନାୟକ
ଫନି ମହାନ୍ତି
ଜଗଦୀଶ ମହାନ୍ତି
ସୁଧାଂଶୁ ଶେଖର ପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୧୫, ୨୦୧୩  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

କଥାଟି ଭାରତରେ ଇଂରେଜ ଶାସନ ଶେଷ ହେବାର କିଛି ବର୍ଷ ପରର୤ ସମସ୍ତ କ୍ଷୁଦ୍ର ଓ ବୃହତ୍ ରାଜ୍ୟ, ଗଡ଼ଜାତ ରାଜ୍ୟ ଏବଂ ଜମିଦାରମାନଙ୍କ ଜମିଦାରୀ ସରକାରଙ୍କ ଅଧିନସ୍ଥ ହୋଇସାରିଥିଲା୤ କିନ୍ତୁ ସେହି ରାଜା ଓ ଜମିଦାରମାନେ ବଂଶାନୁକ୍ରମିକ ଭାବେ ହସ୍ତଗତ ହୋଇଆସୁଥିବା ପ୍ରତିଷ୍ଠା, ମର୍ଯ୍ୟାଦା ତଥା ରହଣିସହଣିକୁ ସହଜେ ଛାଡ଼ି ପାରୁ ନ ଥିଲେ୤

ସେହିପରି ଜଣେ ଜମିଦାର ଥିଲେ ଜମିଦାର ରାୟବାହାଦୁର ଶକ୍ତି ପ୍ରତାପ ସିଂହ୤ ତା’ଙ୍କ ନାମର ପ୍ରତ୍ୟେକଟି ଶବ୍ଦରୁ ସାହସ ଓ ବୀରତ୍ବ ନିଗିଡ଼ି ପଡ଼ୁଥିଲା୤ ଚେହେରାଟି ମଧ୍ୟ ଅବିକଳ ନାମକୁ ସୁହାଇଲା ଭଳି୤ ଧୋବ ଫରଫର ବସ୍ତ୍ର ବିମଣ୍ଡିତ ଲମ୍ବା ଚଉଡ଼ା ବଳିଷ୍ଠ ଶରୀର୤ ଗୋରା ତକତକ ମୁହଁରେ କଳା ମଚମଚ ପ୍ରଜାପତିଆ ନିଶ୤ ଚାଲିରେ ଏପରି ବୀର ସୁଲଭ ଠାଣି ଯେ ଅରଣା ମଇଁଷି ମଧ୍ୟ ବାଟ ଓଗାଳିବାକୁ ସାହସ କରିବ ନାହିଁ୤ କିନ୍ତୁ ଏ ସବୁ ସହିତ ଖାପ ନ ଖାଇଲା ପରି କେବଳ ଗୋଟିଏ ଚିଜ ଥିଲା; ସେଇଟି ହେଉଛି ଅନାୟାସେ କ୍ଷୁଦ୍ରାତିକ୍ଷୁଦ୍ର ମାମଲାରେ ଭୀତତ୍ରସ୍ତ ହୋଇଯାଉଥିବା ତା’ଙ୍କ ଦୁର୍ବଳ ହୃଦୟଟି୤ ଅବଶ୍ୟ ନିଜ ବ୍ୟକ୍ତିତ୍ବର ଏହି ଦୁର୍ବଳ ପାର୍ଶ୍ବଟିକୁ ସେ ବର୍ଷ ବର୍ଷ ଧରି କଳେବଳେ କୌଶଳେ ଯଥାସମ୍ଭବ ଲୋକଲୋଚନରୁ ଲୁକ୍କାୟିତ ରଖିବାରେ ସମର୍ଥ ହୋଇଥିଲେ୤ ଏଥିରେ ତା’ଙ୍କୁ ସାହାଯ୍ୟ କରିଥିଲା, ତା’ଙ୍କ ଚେହେରା ଏବଂ ତ୍ରିଲୋଚନ ଓରଫ ତିଲୁଆ୤

ତିଲୁଆ ଥିଲା ବାପଦାଦାଙ୍କ ଅମଳରୁ ରାୟବାହାଦୁରଙ୍କ ଘରେ ଗୋତି ଖଟି ଆସୁଥିବା ବଂଶର ଦାୟାଦ୤ ଆଦର୍ଶ ଭୃତ୍ୟ ପରି ସେ ରାୟବାହାଦୁରଙ୍କ ଅର୍ଥ ଓ ସମ୍ମାନ ରକ୍ଷା ଦିଗରେ ସଦା ଚେଷ୍ଟାରତ ଥିଲା୤ ତା’ଙ୍କ ଭୀରୁପଣିଆର ଅନେକ ଦୃଷ୍ଟାନ୍ତକୁ ଚିର ଦିନ ପାଇଁ କିମ୍ବଦନ୍ତୀରେ ପରିଣତ ହେବାର ମଉକା ନ ଦେଇ ସେ ସବୁ ଉପରେ ଘଣ୍ଟ ଘୋଡ଼ାଇ ଚାଲିଥିଲା ତିଲୁଆ୤ ରାୟବାହାଦୁର୍‌ଙ୍କୁ ଏଥି ନିମନ୍ତେ ମଧ୍ୟେ ମଧ୍ୟେ ଖୁବ୍ ସାମାନ୍ୟ ପରିମାଣର ଅର୍ଥ ବିନିଯୋଗ କରି ତିଲୁଆର ମୁହଁରେ ବାଡ଼ ଦେବାକୁ ହେଉଥିଲା, ଅନ୍ୟଥା ତା’ ମୁହଁ ଖୋଲିଲେ ଅନେକ ବର୍ଷର ଉପାର୍ଜିତ ସମ୍ମାନ ପାଣିରେ ପଡ଼ିଯିବାର ଆଶଙ୍କା ଥିଲା୤

‘ରାୟବାହାଦୁର’ ଉପାଧିଟି ଅର୍ଜିବାରେ ମଧ୍ୟ ତିଲୁଆର ବିରାଟ ଯୋଗଦାନ ଥିଲା୤ ଘଟଣାଟା ଏପରି ଭାବେ ଘଟିଥିଲା-ତତ୍କାଳୀନ ଜନୈକ ଇଂରେଜ ସାହେବଙ୍କ ଭାବୀ ପତ୍ନୀ ଜିଦ୍ଦି ଧରିଲେ ଯେ, ସାହେବ ଗୋଟାଏ ବାଘ ଶିକାର କରି ତା’ ଛାଲକୁ ତା’ଙ୍କ ଗୃହର ବୈଠକଖାନା ନିମନ୍ତେ ଭେଟି ଦେବା ପରେ ହିଁ ସେ ତା’ଙ୍କୁ ବିବାହ କରିବେ| କିନ୍ତୁ ସାହେବ ଏହା ଆଗରୁ କେବେ ଠେକୁଆଟିଏ ସୁଦ୍ଧା ଶିକାର କରି ନ ଥିଲେ, ବାଘ ତ ସ୍ବପ୍ନ ସଦୃଶ| ଅତଏବ ସେ ସାହାଯ୍ୟ ଲୋଡ଼ିଲେ ନିଜ ଅଧିନସ୍ଥ ଜମିଦାର ଶକ୍ତି ପ୍ରତାପ ସିଂହଙ୍କଠାରୁ| ଜମିଦାର ନିଜ ଭାଳେଣିର ଭାଗୀଦାର ବନାଇଲେ ତିଲୁଆକୁ| ତିଲୁଆ ମୁଣ୍ଡକୁ ଉପାୟଟିଏ ଜୁଟିଲା୤ ନିର୍ଦ୍ଧାରିତ ଦିବସରେ ଜଙ୍ଗଲରେ ଏକ ବିରାଟ ବୃକ୍ଷରେ ଉଚିତ୍ ଉଚ୍ଚତାରେ ବସିରହିବା ପାଇଁ ସ୍ଥାନ ପ୍ରସ୍ତୁତ କରାଗଲା୤ ତା’ ଉପରେ ବସି ରହିଲେ ଇଂରେଜ ସାହେବ, ତା’ଙ୍କ ଭାବୀ ପତ୍ନୀ ଓ ଜମିଦାର୤ ଛାଗଳଟିଏକୁ, ତଳେ ଥୋପ ଭାବେ ବାନ୍ଧି ରଖାଗଲା୤ ବାଘର ଆଗମନ ହୁଅନ୍ତେ ଅବିଳମ୍ବେ ସାହେବଙ୍କ ଆଙ୍ଗୁଠି ଟ୍ରିଗର୍ ଚିପିଲା ଏବଂ ବାଘଟା ଗୋଟାଏ ବିକଟାଳ ଚିତ୍କାର କରି ଟଳି ପଡ଼ିଲା୤ ଭାବୀ ପତ୍ନୀ ସାହେବଙ୍କ ବାହାଦୁରୀରେ ପ୍ରୀତ ହେଲେ୤ ହେଲେ ସେ ଜାଣି ନ ଥିଲେ ଯେ, ସାହେବଙ୍କ ବନ୍ଧୁକରେ ଗୁଳି ହିଁ ନ ଥିଲା୤ ବାଘଟି ଯେଉଁ ଗୁଳିରେ ବୀଦ୍ଧ ହେଲା, ସେଇଟାର ଉଦ୍ଭବ ହୋଇଥିଲା ତା’ଙ୍କ ଦୃଷ୍ଟି ଆଢ଼ୁଆଳରେ ନିକଟସ୍ଥ ଅନ୍ୟ ଏକ ବୃକ୍ଷରେ ବସି ରହିଥିବା ତିଲୁଆର ଜଣେ ଶିକାରୀ ବନ୍ଧୁର ବନ୍ଧୁକରୁ୤ ଫଳତଃ ଅଚିରେ ସାହେବଙ୍କର ତା’ଙ୍କ ଭାବୀ ପତ୍ନୀଙ୍କ ସହିତ ବିବାହ ସମ୍ପନ୍ନ ହେଲା୤ ସାହେବ ଜମିଦାରଙ୍କ ଆନୁଗତ୍ୟରେ ପ୍ରସନ୍ନ ହୋଇ ତା’ଙ୍କୁ କିଛି ଦେବାକୁ ଚାହିଁଲେ୤ ମଉକାର ଉଚିତ ବ୍ୟବହାର କରି ଜମିଦାର ‘ରାୟବାହାଦୁର’ ଉପାଧିଟି ହାତେଇ ନେଲେ୤ ସମସ୍ତ ଭୟକୁ ହୃଦୟରେ ଚାପି ରଖି ସାହେବଙ୍କ ସହିତ ଶିକାରରେ ବସିବାର ଲାଭ ପାଇଲେ୤ ସେବେଠାରୁ ତିଲୁଆ ରାୟବାହାଦୁରଙ୍କର ବିଶ୍ବସ୍ତ ହେଲା୤ ପ୍ରତି କାର୍ଯ୍ୟରେ ସେ ତିଲୁଆକୁ ଛାୟା ପରି ପାଖରେ ପାଖରେ ରଖୁଥିଲେ୤

କିଛି ବର୍ଷ ଅତିକ୍ରାନ୍ତ ହୁଅନ୍ତେ ରାୟବାହାଦୁରଙ୍କ କନିଷ୍ଠ କନ୍ୟାର ବିବାହ ନିକଟସ୍ଥ ଜମିଦାରିର ପୂର୍ବତନ ଜମିଦାରଙ୍କ ପୁତ୍ର ସହ ଠିକଣା ହେଲା୤ ରାୟବାହାଦୁର ପରିବାରର ଶେଷ ବିବାହଟିକୁ ଧୁମ୍‍ଧାମ୍‌ରେ କରିବା ଆୟୋଜନରେ ଲାଗିଗଲେ୤ ଶୁଭ ବେଳା ଦେଖି ତିଲୁଆକୁ ସାଥିରେ ଧରି ସହରକୁ ଗସ୍ତ କଲେ ଆବଶ୍ୟକୀୟ ଗହଣାଗାଣ୍ଠି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କ୍ରୟ କରିବା ଉଦ୍ଦେଶ୍ୟରେ୤ ସମସ୍ତ କିଣାକିଣି ସରୁସରୁ ସନ୍ଧ୍ୟା ରତରତ୤ ରାୟବାହାଦୁରଙ୍କ ଦୁର୍ବଳ ହୃଦୟ ଛାନିଆ ହେବାକୁ ଲାଗିଲା-ଏକେ ତ ତିନି କୋଷ ଲମ୍ବା ବାଟ, ମଝିରେ ମଝିରେ ପୁଣି ଜଙ୍ଗଲ ରାସ୍ତା, ଯାହା ହେଲେ ବି ବିଭାଘର ଗହଣାଗାଣ୍ଠି କିଛି ଶସ୍ତା ପଦାର୍ଥ ତ ନୁହଁ, କେତେବେଳେ କୋଉ କଥା୤ ଆଉ ଅଳ୍ପ ସମୟ ଗଲେ ପୂରା ଅନ୍ଧକାର ଘୋଟି ଆସିବ୤ ମେଘୁଆ ଆକାଶ ସକାଶେ ଜହ୍ନ ଆଲୁଅ ବି କାଣିଚାଏ ନାହି୤ ଶଗଡ଼ ଗାଡ଼ିରେ ଝୁଲୁଥିବା ଲଣ୍ଠନଟା ହିଁ ଏକ ମାତ୍ର ସାହା ଭରସା୤ ରାୟବାହାଦୁର ତିଲୁଆକୁ ତାଗିଦ କଲେ, ‘ଆରେ ତିଲୁଆ! ଆଉ ଜମାରୁ ଉଛୁର କରନାଟି୤ ଆକାଶକୁ ନିଘା କର, କିମିତି କଳାହାଣ୍ଡିଆ ଘୋଟି ଆସିଲାଣି’୤

ତିଲୁଆ ତତ୍‍କ୍ଷଣାତ୍ ଶଗଡ଼ଗାଡ଼ି ପ୍ରସ୍ତୁତ କରି ରାୟବାହାଦୁରଙ୍କୁ ସାଥିରେ ଧରି ଗ୍ରାମାଭିମୁଖେ ଯାତ୍ରାରମ୍ଭ କଲା୤ ଦୁଇଟି ଗାଁ, ଦୁଇଟି ଜଙ୍ଗଲ ଅତିକ୍ରମ କଲେ ରାୟବାହାଦୁରଙ୍କ ଗାଁ୤ ପ୍ରଥମ ଗାଁଟି ଅତିକ୍ରମ କଲାବେଳକୁ ଗାଁର ଘରମାନଙ୍କରେ ସନ୍ଧ୍ୟାବତି ଜଳା ସରିଲାଣି୤ ତା’ ପରେ ଆସିଲା ଜଙ୍ଗଲ୤ ସାୟଂକାଳର ଅନ୍ଧକାର ଚତୁର୍ଦିଗକୁ କବଳିତ କରିସାରିଥିଲା୤ ଝିପିଝିପି ବର୍ଷା ମଧ୍ୟ ଆରମ୍ଭ ହୋଇଗଲା୤ ବୃଷ୍ଟି ବିନ୍ଦୁଗୁଡ଼ିକ ବିରାଟ ବିରାଟ ଶାଳ ପିଆଶାଳ ବୃକ୍ଷଗୁଡ଼ିକର ପତ୍ରମାନଙ୍କ ଉପରେ କୁଦିକୁଦି ଜଙ୍ଗଲର ନିସ୍ତବ୍ଧତାକୁ ଚିରି କୋଳାହଳ ସୃଷ୍ଟି କରିବାକୁ ଚେଷ୍ଟା କରୁଥାଆନ୍ତି୤ ତା’ ସାଥିକୁ ଝିଙ୍କାରିମାନଙ୍କର ଅହରହ ଚେଁ ଚେଁ ଶବ୍ଦ କାନକୁ ବିଦାରି ପକାଇଲା ଭଳି ପ୍ରତୀତ ହେଉଥାଏ୤ ବର୍ଷାସାଙ୍ଗକୁ ସୁଲୁସୁଲିଆ ବାଆର ପ୍ରଭାବରେ ଦେହର ଲୋମ ଟାଙ୍କୁରି ଉଠୁଥା୤ ତେଣେ ଶଗଡ଼ଗାଡ଼ିର ବତା ଘେରା ଛାତର ଫାଙ୍କ ଦେଇ ଯେବେ ଟୋପାଟିଏ ବି ବର୍ଷା ପାଣି ଶରୀର ଉପରେ ପଡ଼ିଯାଉଥାଏ, ଡାମ୍ପଣ ଫୋଡ଼ି ହେବା ପରି ଲାଗୁଥାଏ୤ ରାୟବାହାଦୁର ଭାବୁଥିଲେ ଏପରି ସ୍ଥିତିରେ ଯଦି ତା’ଙ୍କର ହୁକାଟା ପାଖରେ ଥାଆନ୍ତା, ଦୁଇ ଚାରି ଦମ୍ ମାରି ଦେଇଥିଲେ, ଶୀତ କବଳରୁ କିଛି ତ ରକ୍ଷା ମିଳିଥାଆନ୍ତା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ବିଜୟ ମିଶ୍ର, ରାଉରକେଲା
ବିଜୟ ମିଶ୍ର
ପେଶାରେ ଜଣେ ଡାକ୍ତର ଥିବା ବିଜୟ କୁମାର ମିଶ୍ର ଜଣେ ନୂତନ ପିଢ଼ୀର ଗାଳ୍ପିକ ଭାବେ ପରିଚିତ୤ ଦୈନନ୍ଦିନ ଜୀବନ ଏବଂ ସାମ୍ପ୍ରତିକ ସାମାଜିକ ବ୍ୟବସ୍ଥା ଉପରେ ତାଙ୍କର ଗଳ୍ପଗୁଡ଼ିକ ପାଠକମାନଙ୍କୁ ବେଶ୍‌ ଆମୋଦିତ କରିଥାଏ୤ ବିଭିନ୍ନ ପତ୍ରପତ୍ରିକାରେ ଡାକ୍ତର ମିଶ୍ରଙ୍କ ଅନେକ ଗଳ୍ପ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ସମ୍ପ୍ରତି ଡା. ମିଶ୍ର ରାଉରକେଲା ସ୍ଥିତ ଇଏସ୍‌ଆଇ ଚିକିତ୍ସାଳୟରେ କାର୍ଯ୍ୟରତ ଅଛନ୍ତି୤
ବିଜୟ ମିଶ୍ରଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. Lipika Mohapatra, Hayward |  ଜୁଲାଇ ୧୮, ୨୦୧୩ - ୨:୧୨ ଅପରାହ୍ନ

    ଆପଣଙ୍କ ଗଳ୍ପଟି ଭଲ ହୋଇଚି….

  • ୨. ପ୍ରଭାକର |  ଅଗଷ୍ଟ୍ ୨୪, ୨୦୧୩ - ୧୦:୩୧ ପୂର୍ବାହ୍ନ

    ଆପଣଙ୍କ ଗଳ୍ପ ଟି ଭଲ ଲାଗିଲା ……..

  • ୩. siva kota, Riyadh, Saudi Arabia |  ସେପ୍ଟେମ୍ବର୍ ୪, ୨୦୧୩ - ୬:୨୧ ପୂର୍ବାହ୍ନ

    He was a brilliant writer and shown his keen interest and talent in the field of Literature since i know him. Good indeed and go ahead zooming……………

  • ୪. ପ୍ରଦ୍ୟୁତ ମୋହନ ଦାଶ, ଭୁବନେଶ୍ବର |  ସେପ୍ଟେମ୍ବର୍ ୨୫, ୨୦୧୩ - ୧୦:୫୨ ଅପରାହ୍ନ

    ଗଲ୍ପ ଟି ପଢି ଖୁବ୍ ଖୁସି ଲାଗିଲା.

  • ୫. ବିଶ୍ଵଜିତ, BHUBANESWAR |  ଅକ୍ଟୋବର୍ ୨୪, ୨୦୧୩ - ୧:୧୭ ଅପରାହ୍ନ

    କାହାଣୀରେ ବର୍ଣନା ଶୈଳୀ ଅତି ମାତ୍ରାରେ ପ୍ରୟୋଗ କରାଯାଇଛି-1)”ଚାଲିରେ ଏପରି ବୀର ସୁଲଭ ଠାଣି ଯେ ଅରଣା ମଇଁଷି ମଧ୍ୟ ବାଟ ଓଗାଳିବାକୁ ସାହସ କରିବ ନାହିଁ”2)”ଆଦର୍ଶ ଭୃତ୍ୟ ପରି ସେ ରାୟବାହାଦୁରଙ୍କ ଅର୍ଥ ଓ ସମ୍ମାନ ରକ୍ଷା ଦିଗରେ ସଦା ଚେଷ୍ଟାରତ ଥିଲା” କିନ୍ତୁ କାହାଣୀ କିଛି ଭିନ୍ନ ମୋଡ ନିଏ । ରାୟ ବାହାଦୁରଙ୍କ ବ୍ୟକ୍ତିତ୍ବ କୁ ହାସ୍ୟାସ୍ପଦ ରୂପେ ଚିତ୍ରିତ କରାଯାଇଛି-“ଫମ୍ପା ମାଟିଆର ଶବଦ ବେଶୀ” ସଦୃଶ୍ୟ । । ରାୟ ସାହାବ ବାଘକୁ ଡରନ୍ତି କିନ୍ତୁ ସେ କୌଣସି ବାଘ ଠାରୁ କମ ନୁହନ୍ତି-ପ୍ରସଙ୍ଗ- “ଯଦିଓ ସେ ସୁଧମୂଳର ହିସାବ କିତାବ ଜାଣି ନ ଥିଲା, ହେଲେ ଏତିକି ବୁଝି ପାରୁଥିଲା ଯେ, ତା’ ସାଆନ୍ତଙ୍କୁ ସେ ଆଜି ପର୍ଯ୍ୟନ୍ତ ସୁଧ ବାବଦକୁ ଯେତିକି ଟଙ୍କା ସୁଝି ସାରିଲାଣି ତାହା ସୁଧ ଓ ମୂଳର ସମୁଦାୟ ପରିମାଣଠାରୁ ଯଥେଷ୍ଟ ଅଧିକ ହେବଣି” । ପରିଣାମ କାହାଣୀ ର ତିଲୁଆ ର ଆଦର୍ଶ ଚରିତ୍ର ଭିତରେ ପ୍ରତିଶୋଧ ଭାବନା ଜାଗିଉଠେ । ଇଂରେଜ ସାହେବ ପାଖରେ ବାଘ ଟିଏ ମାରିବା ପାଇଁ ସାହସ ନାହିଂ କିନ୍ତୁ ଯାହା ପାଖରେ ସାହସ ଅଛି ସେ ଯେ ଗୁଲାମ । କାହାଣୀରେ ଶୋଷିତ ବର୍ଗ ଏବଂ ଶୋଷକ ବର୍ଗ ଅଛନ୍ତି । କିନ୍ତୁ କିଛି ନବୀନତା ନାହିଂ ।

  • ୬. ରୂପଧର, HYDERABAD |  ଅକ୍ଟୋବର୍ ୩୧, ୨୦୧୩ - ୧:୩୩ ଅପରାହ୍ନ

    ଭୋକିଲା କୁ ମୁଠେ ଭାତ ଆଉ ରୁଟି, ତରକାରୀ ପରି ସାହିତ୍ୟ ସୃଜନ ନ ହେଉ ବଂର କିଛି ସ୍ଵାଦିଷ୍ଟ ଏବଂ ପୁଷ୍ଟିକର ରଚନା ହେଉ । କାହାଣୀ କୁ ଆଜି ମନୋରଞ୍ଜନ ପାଇଁ ଲେଖିବା ହାସ୍ୟାସ୍ପଦ ।

  • ୭. ନମିତା ଦାଶ, ବ୍ରହ୍ମପୁର୍. ଗଞ୍ଜାମ୍. |  ମାର୍ଚ୍ଚ୍ ୫, ୨୦୧୪ - ୧୦:୪୫ ପୂର୍ବାହ୍ନ

    ଭଲ ଲାଗିଲା ଗପଟି……

  • ୮. ସୁନିଲ୍ କୁମାର୍ ବାଘସିଂହ, ଭୁବନେଶ୍ୱର,ଓଡିଶା |  ଅଗଷ୍ଟ୍ ୨୩, ୨୦୧୪ - ୪:୧୩ ପୂର୍ବାହ୍ନ

    ଗଳ୍ପ ଟି ବହୁତ୍ ଭଲ ହୋଇଛି

  • ୯. Resonance, bengaluru |  ଫେବୃଆରୀ ୮, ୨୦୧୫ - ୧:୫୭ ପୂର୍ବାହ୍ନ

    Excellent narratives, may god bless you to keep your creativity flourish.

  • ୧୦. ପ୍ରତାପ କୁମାର, ଧେଙ୍କନଲ୍ |  ଫେବୃଆରୀ ୨୨, ୨୦୧୫ - ୨:୨୦ ପୂର୍ବାହ୍ନ

    କାହାନୀ ସୁନ୍ଦର ଲାଗିଲା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤