ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୃଷ୍ଣଚନ୍ଦ୍ର ତ୍ରିପାଠୀ
ଉତ୍କଳମଣି ଗୋପବନ୍ଧୁ ଦାସ
ମୃଣାଳ
କାଳିନ୍ଦି ଚରଣ ପାଣିଗ୍ରାହୀ
ଡ.ହରେକୃଷ୍ଣ ମହତାବ
ବରେନ୍ଦ୍ର କୃଷ୍ଣ ଧଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଧା
 |- ପରେଶ ପଟ୍ଟନାୟକ
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
 

ସେଇସବୁ ଦିନ, ଯେତେବେଳେ କୃଷ୍ଣ ଗୋପାଳ ବାଳକମାନଙ୍କର ନେତା ହୋଇ ଗୋପପୁରରେ ସମସ୍ତ ପ୍ରକାର ପିଲାଳିଆମୀ ଖେଳ କୌତୁକ ଏପରିକି ଉପଦ୍ରବ କରିବା ଆରମ୍ଭ କରିଦେଲେ, ସେତେବେଳେ ଚନ୍ଦ୍ରସେଣା ଗଭୀର ମାନସିକ ଅଶାନ୍ତି ଭିତରେ କାଳାତିପାତ କରୁଥିଲେ୤ ସେ ରାତିରାତି ଜାଗ୍ରତ ରହି ରାଧାକୁ ଜଗି ରହୁଥିଲେ କିମ୍ବା ରାଧାକୁ ଘର ଭିତରେ ବନ୍ଦିନୀ କରି ରଖୁଥିଲେ୤

ମାତ୍ର ସକାଳୁ ଅପବାଦର ବାଡ଼ବାଗ୍ନୀରୁ ତଙ୍କୁ ରକ୍ଷା ମିଳୁ ନ ଥିଲା୤ ତାଙ୍କର ଜଣେ ସମବୟସ୍କ ବନ୍ଧୁ ପ୍ରସାଦ ତାଙ୍କୁ ପରାମର୍ଶ ବା ଦୁଃସମ୍ବାଦ ଶୁଣାଇବାର ଠାଣିରେ କହିଥିଲେ: ତୁମେ ନିଜେ ଟିକେ ସତର୍କ ହୁଅ, ଏ ସାମୟିକ ଦୁଷ୍ଟାମି ନିଶ୍ଚୟ ଦୂର ହୋଇଯିବ୤
ଚନ୍ଦ୍ରସେଣା ଆଶ୍ବସ୍ତିର ସହ କହିଥିଲେ: ମୁଁ ସତର୍କ ଅଛି୤
ପ୍ରସାଦ କହିଥିଲେ: କିନ୍ତୁ କାଲି ରାତିରେ ସେମାନେ ରାସଲୀଳା କରିଥିଲେ ଯେ ?
ଚନ୍ଦ୍ରସେଣା ଆଶ୍ଚର୍ଯ୍ୟ ହୋଇଥିଲେ: କାଲି ରାତିରେ ? ଏହା ଯେ ଅସମ୍ଭବ ! କାଲି ରାତିରେ ଯେ ରାଧା ଘରେ ଥିଲେ୤ ମୁଁ ତାଙ୍କୁ ବନ୍ଦ ଘରେ ରଖି ଦ୍ବାରରେ ପ୍ରହରା ଦେଇଥିଲି୤
ପ୍ରସାଦ କହିଥିଲେ: ନା ବନ୍ଧୁ ! ତାହା ନୁହେଁ୤ ମୁଁ ନିଜେ ଦେଖିଛି୤ ରାଧା କୃଷ୍ଣଙ୍କ ସହିତ ଚାଲିଯାଉଥିଲେ୤
ଚନ୍ଦ୍ରସେଣା କହିଥିଲେ: ଅସମ୍ଭବ ! ଏହା ମିଥ୍ୟା !
ପ୍ରସାଦ କହିଥିଲେ: କାଲି ରାତିରେ ତୁମେ କ’ଣ ବଂଶୀର ସ୍ବର ଶୁଣି ନାହିଁ ?
ଚନ୍ଦ୍ରସେଣା କହିଥିଲେ: ନା ! ମୁଁ ସାରା ରାତି ଜାଗ୍ରତ ଅଛି୤ କେବେ ବି କୌଣସି ବଂଶୀ ସ୍ବନ ଶୁଣାଯାଇ ନାହିଁ୤
“ତେବେ ତୁମେ ଶୋଇଯାଇଥିଲ୤ କାଲି ସାରା ରାତି ବଂଶୀ ସ୍ବନ ଶୁଣାଯାଇଥିଲା୤ ଗୋପାଳ ବାଳକ ଓ ଗୋପୀମାନଙ୍କ କୋଳାହଳ ମଧ୍ୟ ଶୁଣାଯାଉଥିଲା୤ ଅଥଚ ତୁମେ ଶୁଣିପାରି ନାହଁ କିପରି ?

ଏସବୁ ରହସ୍ୟମୟ ମନେ ହୋଇଥିଲା ଚନ୍ଦ୍ରସେଣାଙ୍କୁ୤ ପରବର୍ତ୍ତୀ ରାତିରେ ତାଙ୍କୁ ବଂଶୀ ସ୍ବନ ଶୁଣାଇଦେବେ ଓ ରାଧାଙ୍କ ଗୋପନ ରାତ୍ରି ଅଭିସାରକୁ ଧରେଇ ଦେବେ ବୋଲି ବାହାସ୍ଫୋଟ ମାରିଥିଲେ ପ୍ରସାଦ୤

ପରବର୍ତ୍ତୀ ରାତ୍ରି ମଧ୍ୟ ସେମିତି ରହସ୍ୟମୟତାରେ ସମାପ୍ତ ହୋଇଯାଇଥିଲା୤ ଘରେ ନିଜର ମାତା ଓ ଭଗ୍ନୀଙ୍କୁ ରାଧାଙ୍କ ଉପରେ ଗୁପ୍ତଚର ବୃତ୍ତି କରିବାର ଦାୟିତ୍ବ ଦେଇ ଚନ୍ଦ୍ରସେଣା ଓ ପ୍ରସାଦ ଗୋପପୁରୀ ଉପକଣ୍ଠ କଦମ୍ବ ବନରେ ଏକାଠି ହୋଇଥିଲେ୤ କେତେ ଜଣ ଗୋପାଙ୍ଗନା ମଧ୍ୟ ସେମାନଙ୍କ ସହିତ ଯୋଗ ଦେଇଥିଲେ୤

ଛାଇ ଆଲୁଅ୤ ଜହ୍ନ ରାତିରେ ସେମାନେ ଦୋଳି ଖେଳିଥିଲେ, ନାଚିଥିଲେ ଓ ଗୀତ ଗାଇଥିଲେ୤
ଜଣେ ଗୋପାଙ୍ଗନାକୁ ଦେଖାଇ ପ୍ରସାଦ କହିଥିଲେ: ଦେଖ ! ଦେଖ୤ ସିଏ ହିଁ ରାଧା୤ ଦେଖ ସେ କିପରି କୃଷ୍ଣଙ୍କ ସହିତ ଘନିଷ୍ଠ ହୋଇ ଦୋଳି ଖେଳୁଛି୤

ଚନ୍ଦ୍ରସେଣା ଚମକି ଉଠି ଛାଇଛାଇଆ ଆଲୁଅରେ ରାଧାଙ୍କୁ ଚିହ୍ନିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ ଓ ଅନ୍ତରାଳରୁ ବାହାରି ଆସି ସେମାନଙ୍କ ପାଖକୁ ଆସିଥିଲେ୤ ମାତ୍ର ସେ ରାଧା ବୋଲି କୁହାଯାଉଥିବା ବା ଦେଖାଯାଉଥିବା ନାରୀଟି ନିକଟରେ ପହଞ୍ଚିବା ପୂର୍ବରୁ କୃଷ୍ଣ ସମେତ ରାସ ନିମଜ୍ଜିତ ଚରିତ୍ରମାନେ ଦୂରକୁ ଦୂରକୁ ଯାଇ କେଉଁଆଡ଼େ ନିଶ୍ଚିହ୍ନ ହୋଇଗଲେ୤ ଚରମ କ୍ରୋଧ ଘୃଣା ଓ ମାନସିକ ଅବସାଦରେ ଚନ୍ଦ୍ରସେଣା ଘରକୁ ଫେରି ଆସି ଦେଖିଲେ ଘରେ ତାଲା ଦିଆଯାଇଛି ଓ ଦୁଆରେ ପ୍ରହରୀ ଭଳି ଜଗିରହିଛନ୍ତି ତାଙ୍କର ମାତା୤

ଚନ୍ଦ୍ରସେଣା ଗର୍ଜନ କରି କହିଥିଲେ: ମାତା ! ତୁମେ ଏଠାରେ ବୃଥାରେ କାହିଁକି ଜଗି ବସିଛ୤ ସେ ସିଆଡ଼େ ନଦୀକୂଳରେ ରାସଲୀଳାରେ ମାତିଛି୤ ଏହାପରେ ମାତା ଓ ପୁତ୍ର ତାଲା ଖୋଲି କବାଟ ମେଲାଇ ଦେଖିଥିଲେ ଯେ ରାଧା ଶୋଇଛନ୍ତି ଓ ଗଭୀର ନିଦ୍ରାରେ ଅଛନ୍ତି୤ ମାତା ଓ ପୁତ୍ର ଦୁହେଁ ବିସ୍ମୟାଭୂତ ହୋଇପଡ଼ିଥିଲେ୤

ସେ ସବୁ ଅନେକ ଦିନ ତଳର କଥା୤

ସେଇଦିନୁ ଏଇସବୁ କାହାଣୀ ପ୍ରହେଳିକାପରି ପଶ୍ଚାତାଧାବନ କରି ଆସିଛି ଚନ୍ଦ୍ରସେଣାଙ୍କୁ ଓ କୌଣସି ସ୍ଥିର ନିଷ୍ପତ୍ତିରେ ପହଞ୍ଚିପାରି ନାହାଁନ୍ତି ଚନ୍ଦ୍ରସେଣା୤ ଜନମୁଖରେ ରାଧାକୃଷ୍ଣଙ୍କ ପ୍ରଣୟଲୀଳାର ପ୍ରଚାର ଓ ଚନ୍ଦ୍ରସେଣାଙ୍କ ହାତରେ କୌଣସି ଚାକ୍ଷୁସ ପ୍ରମାଣର ଅଭାବ, ଚନ୍ଦ୍ରସେଣାଙ୍କ ସବୁପ୍ରକାର ପ୍ରତିବନ୍ଧକ ସ୍ଥାପନ ଓ ତା’ ସତ୍ତ୍ବେ ଅସମ୍ଭବ ଭାବରେ ରାଧାଙ୍କ ପ୍ରଣୟଲୀଳା ସମୁଦାୟ ଘଟଣାକୁ ଏକ ରହସ୍ୟମୟତା ଆଡ଼କୁ ଟାଣି ନେଇଥିଲା୤

ସେହିସବୁ ଦିନମାନଙ୍କରେ ଚନ୍ଦ୍ରସେଣାଙ୍କର ରାଧାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ରହିପାରି ନଥିଲା୤ ତା’ର କାରଣ ସମ୍ଭବତଃ ଚନ୍ଦ୍ରସେଣାଙ୍କର ମାନସିକ ବିପର୍ଯ୍ୟୟତା୤ ଏହା ଛଡ଼ା ସେ ଯେବେ ବି ରାଧାଙ୍କ ନିକଟତର ହୋଇଥିଲେ, ଅନୁଭବ କରିଥିଲେ ରାଧାଙ୍କ ନିକଟରେ ଗୋଟେ ହିମ ଶୀତଳ ଅନିଚ୍ଛା ଭାବ୤ ରାଧାଙ୍କ ମୁହଁକୁ ଚାହିଁଲେ ତାଙ୍କୁ ଦେଖାଯାଉଥିଲା ସେଠି କୃଷ୍ଣ ଛାଡ଼ି ଯାଇଥିବା ଚୁମ୍ବନର ଅଦୃଶ୍ୟ ଦାଗ ଓ ତାହା ଚନ୍ଦ୍ରସେଣାଙ୍କ ପୁରୁଷାକାରକୁ ବିଦ୍ରୂପ କରୁଥିଲା୤ ଏହାପରେ ଦିନେ ଜଣାପଡ଼ିଲା ଯେ, କୃଷ୍ଣ ଗୋପାଳ ନୁହଁନ୍ତି ସେ ଯାଦବ୤ ସେ ଯାଦବ ଶ୍ରେଷ୍ଠ ବସୁଦେବଙ୍କ ପୁତ୍ର ଓ ସେ ମଥୁରାକୁ ଚାଲିଯିବେ୤ ଅବଲୀଳାକ୍ରମେ କୃଷ୍ଣ ଗୋପପୁରୀ ଛାଡ଼ି ମଥୁରାକୁ ଗଲେ ଓ କଂସକୁ ନିପାତ କରି ମଥୁରାର ରାଜତ୍ବ ହାତକୁ ନେଲେ୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପରେଶ ପଟ୍ଟନାୟକ, ଭୁବନେଶ୍ବର
ମୁଖ୍ୟତଃ ଗଳ୍ପ ଏବଂ ଉପନ୍ୟସ ଲେଖୁଥିବା ପରେଶ ପଟ୍ଟନାୟକଙ୍କ ବିଭିନ୍ନ ଲେଖାର ବିଷୟ ଏବଂ ଚରିତ୍ରଗୁଡ଼ିକ ବେଶ୍‌ ଜୀବନ୍ତ୤ କଥା ଥିଲା ଓ ଶେଷର ଆରମ୍ଭ ପରି ଉପନ୍ୟାସର ରଚୟିତା ଲେଖକ ଶ୍ରୀ ପଟ୍ଟନାୟକଙ୍କର ଛାୟା ପୁରୁଷ ନାମରେ ଏକ ଗଳ୍ପ ଗ୍ରନ୍ଥ ମଧ୍ୟ ରହିଛି୤ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଶ୍ରୀ ପଟ୍ଟନାୟକ ସାମ୍ପ୍ରତିକ ସମୟରେ ଜଣେ ପରିଚିତ ଲେଖକ୤ ନିଜର ଉପନ୍ୟାସ ପାଇଁ ଶ୍ରୀ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଏପ୍ରିଲ୍ ୨, ୨୦୧୨ - ୨:୧୩ ପୂର୍ବାହ୍ନ

    ସୁନ୍ଦର ଗପ.

  • ୨. ସୁଧୀର କୁମାର ବେହେରା |  ଏପ୍ରିଲ୍ ୧୭, ୨୦୧୨ - ୨:୨୮ ଅପରାହ୍ନ

    ମନ କୁ ଛୁଇଁଲା ଭଳି ଗପଟିଏ

  • ୩. ସତ୍ୟବ୍ରତ ଦାସ |  ଏପ୍ରିଲ୍ ୨୦, ୨୦୧୨ - ୮:୪୦ ପୂର୍ବାହ୍ନ

    ବହୁତ୍ ସୁନ୍ଦର ଗପ ମନକୁ ଛୁଇଁଲା ଭଲି ହୋଇଛି୤

  • ୪. ହିମାଂଶୁ ରଞ୍ଜନ ଦାଶ୍ |  ଏପ୍ରିଲ୍ ୨୧, ୨୦୧୨ - ୧:୦୬ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ବିଶେଷଭାବେ ପରିସମାପ୍ତି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤