ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କାହ୍ନୁଚରଣ ମହାନ୍ତି
ସନତ୍‌ ରାୟ
ଭାନୁଜୀ ରାଓ
ଗୋଦାବରିଶ ମିଶ୍ର
ରାଜକିଶୋର ରାୟ
ଜଗଦୀଶ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ରାଧା
 |- ପରେଶ ପଟ୍ଟନାୟକ
 
 
ତା: ମାର୍ଚ୍ଚ୍ ୨୨, ୨୦୧୨  
 

ରାଧା ଆଉ କିଛି କହି ନ ଥିଲେ୤ ସେ ଚିରକାଳ ଏମିତି୤ ସଂକ୍ଷିପ୍ତ ତାଙ୍କର ଉତ୍ତର୤ ଆହୁରି ସଂକ୍ଷିପ୍ତ ତାଙ୍କର ପ୍ରତିକ୍ରିୟା୤ ଅନାବଶ୍ୟକ କଥାଭାଷାକୁ ସେ ପ୍ରଶ୍ରୟ ଦିଅନ୍ତି ନାହିଁ୤ ଅକାରଣ ପ୍ରଗଳ୍ଭତାକୁ ତାଙ୍କର ପସନ୍ଦ ନାହିଁ୤ ସଂସାର କରିବାର ପଚିଶ ବର୍ଷ ଧରି ଚନ୍ଦ୍ରସେଣା ଏସବୁ ଦେଖି ଆସୁଛନ୍ତି ଓ ଆଶ୍ଚର୍ଯ୍ୟ ହେଉଛନ୍ତି ଯେ, ଏମିତି ଗୋଟେ ପ୍ରତିକ୍ରିୟାହୀନ ନାରୀ କେମିତି ଥିଲା ଦିନେ କୃଷ୍ଣଙ୍କର ପ୍ରିୟତମା୤ ସେ ଯେତିକି ଶୁଣିଛନ୍ତି ବା ଜାଣିଛନ୍ତି, ଦିନେ ସମଗ୍ର ଗୋପପୁରୀ ସେଇମାନଙ୍କ ଗୋପନ ପ୍ରଣୟ କାହାଣୀରେ ମୁଖରିତ ହୋଇଉଠିଥିଲା୤ ସବୁରି ଓଠରେ ଥିଲା ସେମାନଙ୍କ କଳଙ୍କର ଆଲୋଚନା୤ ଛିଟିକା ଛିଟିକା କାଦୁଅ ଭଳି ନେସି ହେଇ ଯାଉଥିଲା ଏଣେ ତେଣେ୤ କଣ୍ଟାର ଆଘାତ ଭଳି ଚନ୍ଦ୍ରସେଣାଙ୍କ ଦେହରେ ବାଜିଥିଲା ଓ ତାଙ୍କୁ କ୍ଷତାକ୍ତ କରି ପକେଇଥିଲା୤ ଇଏ କ’ଣ ସେହି ନାରୀ ?
ମନେ ଅଛି ପଚିଶ ବର୍ଷ ତଳର କଥା୤
ସେ ଆହତ ହୋଇ, କ୍ରୁଦ୍ଧ ହୋଇ ଦିନେ ଆଦେଶ ଦେଇଥିଲେ: ତୁମେ ଯମୁନା ତୀରକୁ ଜଳ ଆଣିବାକୁ ଯିବ ନାହିଁ୤
ରାଧା କୌଣସି ପ୍ରତିବାଦ କରି ନ ଥିଲେ୤
ଚନ୍ଦ୍ରସେଣା ପୁଣି ପ୍ରତିବନ୍ଧକ ବସେଇଥିଲେ୤
: ତୁମେ କ୍ଷୀର ଭାର ଧରି ମଥୁରାକୁ ଯିବ ନାହିଁ୤
ମାନି ନେଇଥିଲେ ରାଧା୤
:ତୁମେ ଘରର ସୀମାରେଖା ଛାଡ଼ି ବାହାରକୁ ଯାଇପାରିବନି୤
ସ୍ବୀକାର କରିନେଇଥିଲେ ରାଧା୤ ନା ଓଠରେ ଥିଲା ପ୍ରତିବାଦର ସ୍ବର ନା ଆଖିରେ ଥିଲା ଅସନ୍ତୋଷର ଚିହ୍ନ୤ ନା କାର୍ଯ୍ୟକଳାପରେ ଥିଲା ବିଦ୍ରୋହର ଝଙ୍କାର୤
ଚନ୍ଦ୍ରସେଣା କହିଥିଲେ: ତୁମେ ଅନ୍ୟ କୌଣସି ଗୋପବାଳା ସହ ମିଶି ପାରିବନି କିମ୍ବା କେହି ଗୋପବାଳା ଏ ଘରକୁ ଆସିପାରିବେନି୤

ରାଧା ଘର ଭିତରେ ରହିଲେ୤

ଦ୍ବାର ଜଗି ରହିଲେ ଚନ୍ଦ୍ରସେଣା୤ ସେ ମନେ କରିଥିଲେ ଏହିପରି ନୀତି ନିୟମ, ପ୍ରତିବନ୍ଧକ ଓ ଆଦେଶ ବଳରେ ସେ ସବୁ ଦୁର୍ନାମ, କଳଙ୍କ ଓ ଅପବାଦକୁ ଚାପି ଦେବେ୤
କିନ୍ତୁ ସେମିତି ହୋଇଥିଲା କି ?
ସେ କଂସଙ୍କ ସୈନ୍ୟବାହିନୀରେ ଜଣେ ବେତନଭୋଗୀ କର୍ମଚାରୀ ଥିଲେ୤ ଚାକିରିରୁ ସାମୟିକ ଅବ୍ୟାହିତ ନେଇ ସେ ଫେରିଥିଲେ ଗୋପପୁରୀକୁ ଓ ସେଇ ସମୟରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା ରାଧାରାଣୀଙ୍କ ସହିତ୤ ବିବାହର କିଛି ଦିନ ଉତ୍ତାରୁ ତାଙ୍କର ମଥୁରା କଟକ ଫେରିଯିବା କଥା ଓ ମଧ୍ୟେ ମଧ୍ୟେ ଗୋପପୁରୀ ଆସିବା କଥା୤

କିନ୍ତୁ ତାହା ହୋଇପାରି ନଥିଲା୤
ବିବାହର ଆନନ୍ଦ ଉଲ୍ଲାସ ଭିତରେ ତାଙ୍କୁ ନିରନ୍ତର ଆହତ କରିଥିଲା ରାଧାଙ୍କ ସମ୍ପର୍କରେ ଗୋପପୁରୀସାରା ଖେଳିବୁଲୁଥିବା ଅପବାଦ୤ ସମସ୍ତେ ଶତମୁଖ ହୋଇପଡ଼ିଥିଲେ ରାଧାକୃଷ୍ଣଙ୍କ ଗୋପନ ପ୍ରଣୟର ଚର୍ଚ୍ଚାରେ ଓ ଅପମାନରେ ପୋଡ଼ିଜଳି ଚନ୍ଦ୍ରସେଣା ନିଜର ଚାକିରି ତ୍ୟାଗ କରିଥିଲେ୤ ସେ ସୈନ୍ୟବାହିନୀରେ ଯୋଗ ଦେବାରେ ଅକ୍ଷମ ହେବାରୁ କଂସର ସେନାଧ୍ୟକ୍ଷ ପ୍ରଦ୍ୟୋତ, ଜଣେ ଚରକୁ ତା’ ନିକଟକୁ ପ୍ରେରଣ କରିଥିଲେ୤ ମାତ୍ର ତାଙ୍କୁ ଚନ୍ଦ୍ରସେଣା କ୍ଷମାପ୍ରାର୍ଥନା ସ୍ବରରେ ଫେରାଇ ଦେଇଥିଲେ୤ କହିଥିଲେ: ତୁମେ ଫେରିଯାଅ ବନ୍ଧୁ ! ମୁଁ ଆଉ ଯାଇପାରିବି ନାହିଁ୤ ବନ୍ଧୁ ଜାଣିବାକୁ ଚାହିଁଥିଲେ ଏତେ ସମ୍ମାନସୂଚକ ସୈନିକର ଚାକିରି ଓ ସ୍ବଚ୍ଛନ୍ଦ ବେତନକୁ ଉପେକ୍ଷା କରିବାର କାରଣ୤

ଚନ୍ଦ୍ରସେଣା କହିଥିଲେ: ମୁଁ ତୁମକୁ ସବୁକଥା ବୁଝାଇ କହିପାରିବି ନାହିଁ ବନ୍ଧୁ୤ କିନ୍ତୁ ଦାରୁଣ ସତ୍ୟଟି ହେଉଛି ମୁଁ ଆଉ ଏ ସ୍ଥାନ ଛାଡ଼ି ଯାଇପାରିବି ନାହିଁ୤
ସୈନିକ ବନ୍ଧୁ ତିରସ୍କାର କରିଥିଲେ୤

କହିଥିଲେ: ତୁମେ ତୁମର ନବପରିଣୀତା ପତ୍ନୀର ପ୍ରେମରେ ଅନ୍ଧ ହୋଇ ଏହିପରି କରୁଅଛ୤ ତୁମେ ଯେଉଁ ଅବସ୍ଥାରେ ଅଛ, ତାହା ପ୍ରତ୍ୟେକ ଲୋକର ଜୀବନରେ ଆସିଥାଏ୤ ମାତ୍ର ସବୁଲୋକ ଏହି କ୍ଷଣିକ ପ୍ରଣୟ ମୋହରେ ନିଜର କର୍ତ୍ତବ୍ୟ, ଭବିଷ୍ୟତ ବା ସମ୍ପଦକୁ ଜଳାଞ୍ଜଳି ଦେଇ ନ ଥାନ୍ତି୤ ତୁମର ନିଷ୍ପତ୍ତି ଭବିଷ୍ୟତରେ ତୁମପାଇଁ ଦୁଃଖଦାୟକ ସାବ୍ୟସ୍ତ ହୋଇପାରେ୤ ଚନ୍ଦ୍ରସେଣାଙ୍କର ସେଦିନର ସେଇ ନିଷ୍ପତ୍ତି ଠିକ୍‌ ଥିଲା କି ଭୁଲ୍‌ ଥିଲା ତାହା ସେ କେବଳ ବିଶ୍ଳେଷଣ କରି ନାହାଁନ୍ତି୤ କିନ୍ତୁ ଏକଥା ସତ୍ୟ ଥିଲା ଯେ, ସେଇ ନିଷ୍ପତ୍ତି ପାଇଁ ସେ ହରାଇ ବସିଥିଲେ ନିଜର ସମ୍ପଦ୤ କଂସଙ୍କ ସୈନ୍ୟବାହିନୀରୁ ସେ ପାଉଥିବା ସ୍ବର୍ଣ୍ଣମୁଦ୍ରା ହଜିଗଲା ଓ ସେ କ୍ରମେ ଦରିଦ୍ରରୁ ଦରିଦ୍ରତର ହୋଇଯାଇଥିଲେ୤

ତେବେ ସେ ନିଷ୍ପତ୍ତିର ଯଥାର୍ଥତାକୁ ସେ କେବେ ବି ବାରମ୍ବାର ପ୍ରଶ୍ନ କରି ବିବ୍ରତ କରିନାହାଁନ୍ତି୤ ନିଜେ ନିଜେ ବିବଶ ହୋଇଛନ୍ତି ଯାହା୤ ସେ ସେଦିନ ବନ୍ଧୁକୁ ଶେଷ କଥା କିଛି ଶୁଣାଇଥିଲେ ଏହିପରି୤

କହିଥିଲେ: ତୁମେ ଭୁଲ୍‌ ଅନୁମାନ କରୁଛ୤ ଅବଶ୍ୟ ସେହିପରି ଅନୁମାନ କରିବା ଯେ କୌଣସି ବ୍ୟକ୍ତି ପକ୍ଷରେ ଅସମ୍ଭବ ନୁହେଁ୤ ଜଣେ ତରୁଣୀ ପତ୍ନୀର ପ୍ରେମଫାଶରେ ଆବଦ୍ଧ ହୋଇ ମୁଁ ଯୁଦ୍ଧକୁ, ତରବାରୀକୁ କିମ୍ବା କର୍ତ୍ତବ୍ୟକୁ ଭୟ କରି ପଳାୟନ କରୁନାହିଁ୤ ମୋର ଏହି ପଶ୍ଚାଦଗତିର କାରଣ ଅନ୍ୟ କିଛି, ଯାହା ମୁଁ ତୁମ ସମ୍ମୁଖରେ ପ୍ରକାଶ କରିପାରିବି ନାହିଁ୤ ତେବେ ତୁମେ ମୋତେ ଭୀରୁ କାପୁରୁଷ ବୋଲି ଭର୍ତ୍ସନା ନ କରି ବନ୍ଧୁପଣରେ କ୍ଷମା ପ୍ରଦାନ କଲେ ଖୁସି ହେବି୤

ସୈନିକ ବନ୍ଧୁ ଫେରିଯାଇଥିଲେ୤

ସେତେବେଳେ ଗୋପର ଜନତା ଥିଲେ ମୁଖ୍ୟତଃ ଗୋପାଳ୤ ଗୋ-ପାଳନ ଥିଲା ସେମାନଙ୍କର ମୁଖ୍ୟ କାର୍ଯ୍ୟ ଏବଂ ତାହା ହିଁ ଥିଲା ଜୀବିକା ନିର୍ବାହର ପନ୍ଥା୤ କିନ୍ତୁ ଚନ୍ଦ୍ରସେଣା ନିଜର ଅଧ୍ୟବସାୟ ଓ ଅସ୍ତ୍ରଶିକ୍ଷା ବଳରେ କଂସର ସୈନ୍ୟବାହିନୀରେ ସ୍ଥାନ ପାଇପାରିଥିଲେ ଓ ତାଙ୍କର ଆର୍ଥିକ ଅବସ୍ଥା ସ୍ବଚ୍ଛନ୍ଦ ହୋଇ ଉଠିଥିଲା୤ ସମ୍ଭବତଃ ସେହି କାରଣରୁ ଅନ୍ୟତମ ସମ୍ଭ୍ରାନ୍ତବଂଶୀୟ ବୃଷଭାନୁ ତାଙ୍କର ଏକମାତ୍ର ସୁନ୍ଦରୀ କନ୍ୟା ରାଧାର ହାତ ତାଙ୍କ ହାତରେ ଦେଇଥିଲେ୤ ମାତ୍ର ପରିଣତି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଥିଲା୤

ପୃଷ୍ଠା ସଂଖ୍ୟା : 1 2 3 4 5

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପରେଶ ପଟ୍ଟନାୟକ, ଭୁବନେଶ୍ବର
ମୁଖ୍ୟତଃ ଗଳ୍ପ ଏବଂ ଉପନ୍ୟସ ଲେଖୁଥିବା ପରେଶ ପଟ୍ଟନାୟକଙ୍କ ବିଭିନ୍ନ ଲେଖାର ବିଷୟ ଏବଂ ଚରିତ୍ରଗୁଡ଼ିକ ବେଶ୍‌ ଜୀବନ୍ତ୤ କଥା ଥିଲା ଓ ଶେଷର ଆରମ୍ଭ ପରି ଉପନ୍ୟାସର ରଚୟିତା ଲେଖକ ଶ୍ରୀ ପଟ୍ଟନାୟକଙ୍କର ଛାୟା ପୁରୁଷ ନାମରେ ଏକ ଗଳ୍ପ ଗ୍ରନ୍ଥ ମଧ୍ୟ ରହିଛି୤ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଶ୍ରୀ ପଟ୍ଟନାୟକ ସାମ୍ପ୍ରତିକ ସମୟରେ ଜଣେ ପରିଚିତ ଲେଖକ୤ ନିଜର ଉପନ୍ୟାସ ପାଇଁ ଶ୍ରୀ ପଟ୍ଟନାୟକ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମଧ୍ୟ ପାଇଛନ୍ତି୤
 

ମତାମତ ସଂଖ୍ୟା - ୪ ଆପଣଙ୍କ ମତାମତ ?

  • ୧. ବିଜନ ରାୟ୍ |  ଏପ୍ରିଲ୍ ୨, ୨୦୧୨ - ୨:୧୩ ପୂର୍ବାହ୍ନ

    ସୁନ୍ଦର ଗପ.

  • ୨. ସୁଧୀର କୁମାର ବେହେରା |  ଏପ୍ରିଲ୍ ୧୭, ୨୦୧୨ - ୨:୨୮ ଅପରାହ୍ନ

    ମନ କୁ ଛୁଇଁଲା ଭଳି ଗପଟିଏ

  • ୩. ସତ୍ୟବ୍ରତ ଦାସ |  ଏପ୍ରିଲ୍ ୨୦, ୨୦୧୨ - ୮:୪୦ ପୂର୍ବାହ୍ନ

    ବହୁତ୍ ସୁନ୍ଦର ଗପ ମନକୁ ଛୁଇଁଲା ଭଲି ହୋଇଛି୤

  • ୪. ହିମାଂଶୁ ରଞ୍ଜନ ଦାଶ୍ |  ଏପ୍ରିଲ୍ ୨୧, ୨୦୧୨ - ୧:୦୬ ପୂର୍ବାହ୍ନ

    ବହୁତ ଭଲ ଲାଗିଲା ବିଶେଷଭାବେ ପରିସମାପ୍ତି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤