ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଜୟନ୍ତ ମହାପାତ୍ର
ରଜତ କୁମାର ମିଶ୍ର
ବିରଜା ବଳ
ଡ.ହରେକୃଷ୍ଣ ମହତାବ
ସଦାନନ୍ଦ ତ୍ରିପାଠୀ
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଫୁଲମଣି କୁଜୁର ଓ ଗପ
  ପ୍ରଦୀପ ନାୟକ
 
 
ତା: ସେପ୍ଟେମ୍ବର୍ ୨୯, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ଫୁଲମଣିର କଥାର କୁହେଳି ଭିତରେ ନିରୀହ କେରାଣ୍ଡି ମାଛ ପରି ଛଟପଟ ହେଉଚି ଗଳ୍ପ୤ ମନରେ ଅସୁମାରୀ କୌତୁହଳ ଅଥଚ ଫୁଲମଣି(!) ସ୍ଥିର, ନିର୍ବିକାର୤
-ତତେ ସେ କାହାଣୀଟା କହୁଚି ଶୁଣ୍‌୤ ଭାବୁଚି ଶୁଣିସାରିବା ପରେ ବୁଝି ପାରିବୁ ଯଉଟା ମିଛ ନୁହଁ ସେଇଟା କି ସତ !

ଶିର୍‌ଶିର୍‌ ପବନରେ ଫୁଲମଣିର ମୁହଁ ଉପରେ ଉଡ଼ୁଥିବା ଚୂଳ କେରାକୁ କାନ ଉପରେ ଗେଞ୍ଜି ଦେଇ ସିଏ ଆକାଶର ଦି’ପାଦ ଉପରକୁ ଉଠିଯାଇଥିବା ଜହ୍ନକୁ ଚାହିଁ ରହିଲା୤ ଧୀର ସ୍ବରରେ ସିଏ ଆରମ୍ଭ କଲା-

ମାନନୀୟ ତିୱାରୀ ମହୋଦୟ ସେତେବେଳେ କେନ୍ଦ୍ରୀୟ ପ୍ରଭାରୀ ହୋଇ ପ୍ରଥମ ଥର ଆସିଥାନ୍ତି ଓଡ଼ିଶା୤ ପ୍ରଦେଶ କଂଗ୍ରେସର ସଭାପତି ପଦ ପାଇଁ ଲାଗିଥାଏ ଛକାପଂଝା୤ ଗୋଡ ଟଣାଟଣି, ଗୋଛିକଟା୤ ନିଜ ନିଜ ସମର୍ଥକମାନଙ୍କୁ ନେଇ ପଡ଼ୁଥାଏ ଦିଲ୍ଲୀରେ ଡେରା୤

ଦଳୀୟ ଅନ୍ତର୍ଦ୍ବନ୍ଦ୍ବ କାରଣରୁ ସଙ୍ଗଠନ ଦୁର୍ବଳ୤ ପୂର୍ବ ସଭାପତିଙ୍କୁ ପ୍ରତ୍ୟାଖ୍ୟାନ କରିସାରିଥାନ୍ତି ଜନତା୤ ନିର୍ବାଚନରେ ମଧ୍ୟ ଚିତ୍‌ପଟା୤ ଜଣେ ନୂତନ ନେତୃତ୍ବ ସନ୍ଧାନରେ ଥିବା ଦଳର ହାଇକମାଣ୍ଡ ବାରମ୍ବାର ଗୋଷ୍ଠୀ କନ୍ଦଳକୁ ସମାଧାନ କରିବାକୁ ପଠାଉଥାନ୍ତି କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କୁ୤ କିନ୍ତୁ ବିଫଳ, ପୁରୁଣା ଗୋଷ୍ଠୀ କନ୍ଦଳ କାରଣରୁ ଦି ଦିଥର କଂଗ୍ରେସକୁ ଲଜ୍ଜାଜନକ ଭାବେ ସାଧାରଣ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼େ୤

ଫୁଲମଣିର ମୁହଁରୁ କଂଗ୍ରେସର ଏଇ ଇତିହାସ ଶୁଣି ଗଳ୍ପ ଭାବୁଚି ଏ ଗୁଡ଼ା ରିପୋର୍ଟ ହେଃ ! ଏ ସବୁକୁ ନେଇ କି ଲେଖା୤ ଏତେ ବାଟ ଆସିବାଟା….୤

ଫୁଲମଣି କହିଚାଲିଥିଲା- ସେଇ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ତିୱାରୀ ସାହେବ ଓଡ଼ିଶା ଆସିଥାନ୍ତି୤ ସବୁଗୋଷ୍ଠୀର ଛାମୁଆ ନେତାଙ୍କୁ ଡାକି ଆଲୋଚନା କରିସାରି ନୂଆ ନେତା ଅଳ୍ପ ଦିନ ମଧ୍ୟରେ ହାଇକମାଣ୍ଡ ଘୋଷଣା କରିବେ ବୋଲି କହିସାରିଥାନ୍ତି୤ ତାଙ୍କ ଆସିବାର ତୃତୀୟ ଦିନରେ ନିଜସ୍ବ ଆଗ୍ରହରେ ଓଡ଼ିଶାର ଆଦିବାସୀ ଅଞ୍ଚଳ ବୁଲି ଦେଖିବାକୁ ଆସି ପହଞ୍ଚିଥିଲେ ଫୁଲବାଣୀରେ୤ ଏଠିକାର ଦଳୀୟ କର୍ମୀ, ତାଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରିଥାନ୍ତି୤ ପରେ ପାଦରେ ଚାଲିଚାଲି ଆମ ରାଇଜର ପ୍ରାକୃତିକ ସୁଷମା ଦେଖୁଥାନ୍ତି୤ ବୁଝୁଥାନ୍ତି ଅଶିକ୍ଷା,ଅନ୍ଧାର, ଅର୍ଦ୍ଧାହାର ଓ ଅନାହାରରେ ରହୁଥିବା ମଣିଷ ମାନଙ୍କର ଆର୍ତ୍ତ ଚିତ୍କାର୤

ନିଃଶବ୍ଦରେ ନିଜ ମଥାରେ ହାତ ପିଟି ଗଳ୍ପ ମନେ ମନେ କହୁଥାଏ- ଓଃ, ବନ୍ଦ୍‌କର ଫୁଲମଣି୤ ଏସବୁଙ୍କୁ ନେଇ ଲେଖା ବୋର୍ ହିଁ ବୋର୍ ହବ୤ ଏସବୁ କଥା କିଏ ନ ଜାଣେ !

ଅବଶ୍ୟ ଗଳ୍ପର ଏଇ ଅସ୍ଥିର ଭାବ ବେଶି ସମୟ ରହିଲା ନାହିଁ୤

ରାତିର ବୟସ ବଢୁଥିବା ସାଙ୍ଗେ ସାଙ୍ଗେ ଫୁଲମଣିର ଉଦାସ, ଅଥଚ ନିସ୍ତରଙ୍ଗ ସ୍ବର ଶୁଭୁଥିଲା ଅଦୂରର ବଂଶୀସ୍ବନ ପରି, ବିରହ ବିଧିର୤ ସିଏ କହିଚାଲିଥିଲା- ଆମ ଗାଁ ଲୋକଙ୍କ ଅନୁରୋଧ କ୍ରମେ ଗୋଟିଏ ସ୍କୁଲର ଶିଳାନ୍ୟାସ କରିଥିଲେ ତିୱାରୀ ସାହେବ୤ ପରେ ପରେ ମଧ୍ୟ ଅର୍ଥ ମଞ୍ଜୂର୤ ଗାଁର ବୁଆରି ଘର, ଓଝାଘର, ଠାକୁରାଣୀ, ଚାନ୍ଦିନୀ, ଝରଣା ବୁଲି ବୁଲି ଦେଖିଥିଲେ୤

କଥା କହୁଁ କହୁଁ ଅଟକି ଯାଇ ଫୁଲମଣି ପଚାରିଲା- ଆଚ୍ଛା ତୁ ତିୱାରୀ ସାହେବଙ୍କୁ ଦେଖିଚୁ?
-ନା, ପାଖରୁ ନୁହଁ୤ ଟିଭି ଓ ଖବର କାଗଜରୁ….୤
-କେମିତି ଦିଶନ୍ତି ?
କେମିତି….ଦିଶନ୍ତି, ପ୍ରାୟତଃ ତିୱାରୀ ସାହେବଙ୍କ ଏଇ ଘଟଣା ନ ଘଟେ ତାଙ୍କୁ ମନେ ନରଖିବା ପରି ନ ଦେଖେ୤ ତାପରେ ଏବେ ତାଙ୍କ ବୟସ ସତୁରୀ ପାଖାପାଖି…. ଏଇକଥା ମନେ ମନେ ଭାବୁଥିଲା ଗଳ୍ପ କିନ୍ତୁ କିଛି କହିପାରିଲା ନାହିଁ୤

-ସୁନ୍ଦର, ଗୋଟିଏ ନାରୀର ମନକୁ ଆକର୍ଷିତ କଲାପରି୤ ଏକଥା ମୁଁ କହୁଚି ତାଙ୍କ କୋଡ଼ିଏ-ପଚିଶ ବର୍ଷ ତଳର ଚେହେରାକୁ ନେଇ୤

ଗଳ୍ପ ଫୁଲମଣିର କଥାକୁ ସମର୍ଥନ କରି କହି ଉଠିଲା- ଅବଶ୍ୟ ଅବଶ୍ୟ, ଏବେକା ଚେହେରାକୁ ଦେଖିଲେ ଯେ କେହି ଅନୁମାନ କରିପାରେ୤

-ତତେ ଆଉ ଟିକେ ମୋ ବ୍ୟକ୍ତିଗତ ଋଚି ଆଡ଼କୁ ନଉଚି୤ ଭାବୁଚି ବୋର୍ ହବୁନି୤
ଗଳ୍ପ ଚାହିଁ ରହିଥିଲା ସେଇ ରହସ୍ୟମୟୀ ଫୁଲମଣି ଆଡ଼େ୤ ଯାଦୁକରର ପେଡ଼ିପରି ଖୋଲିବା ଖୋଲିବା ହଉଚି ଅଥଚ ଉତ୍କଣ୍ଠା,ଉଦ୍‌ବିଗ୍ନତାକୁ ଏକାଠି କରୁଚି ତା ଚଉଦହୀରେ୤ ଉତ୍କଣ୍ଠା ରହିବାଟାତ…୤

ଗୋଟେ ନାତିଦୀର୍ଘ ନିଶ୍ବାସ ଛାଡ଼ି ଫୁଲମଣି କହିଲା- ମୋ ବାପା ଦୀନ କୁଜୁରକୁ ମୁଁ ଦେଖି ନାହିଁ୤ ମାକୁ ଦେଖିଚି ସାତ ଆଠ ବର୍ଷ ଯାଏ୤ ଆମର ଅଭାବ ଘର୤ ମାଣ୍ଡିଆ ଜାଉ, ସଲପ ତାଡ଼ି ପିଆ ସଂସାର୤ କାହିଁକି କେଜାଣି ମୋତେ ପିଲା ଦିନର କେହି ସେ ସବୁରୁ ବାହାର କରି ଆଣିଚି୤ ସମସ୍ତଙ୍କଠୁ ମୁଁ ଅଲଗା ହେଇ ବଞ୍ଚିବା ଶିଖିଚି୤ ଏଇ ଗାଁରୁ ଚାଲି ଚାଲି, ବସ୍ତାନୀ ଧରି ପାଠ ପଢିବାକୁ ଯାଇଚି ପାଞ୍ଚ କିଲୋମିଟର୤ ସ୍କୁଲରୁ ଫେରିବା ବେଳେ ସଞ୍ଜ ଅନ୍ଧାରରେ ଭାଲୁ ହାବୁଡ଼ରେ ପଡ଼ିଚି୤ ପ୍ରଥମ ଝିଅଟେ ହେଇ ମାଟ୍ରିକ୍ ପାଶ୍ କରିଛି୤ ଘରେ ପଢ଼ି କଲେଜ ପାଶ୍ କରିଚି୤ ମହୁଲଫୁଲ ତୋଳି ପେଟ ପୋଷିଚି୤ କାଠ କାଟି, ପୋଡୁଚାଷ କରିବାକୁ ଡଙ୍ଗର ଯାଇନି୤ ପରବରେ ଗୀତ ଗାଇଚି, ନାଚିଚି, କିନ୍ତୁ କେବେ ମହୁଲି ନିଶାରେ ପଡ଼ିନି୤ ନିଶାରେ ପଡ଼ିଚି କିନ୍ତୁ ଅଲଗା ଗୋଟେ ହେବି୤ ଛାଡ୍ ୤

ହଁ ମୁଁ କହୁଥିଲି ପରା, ତିୱାରୀ ସାହେବଙ୍କୁ ଦେଖିଲା ପରେ ମୋ କୁଆଁରୀ ମନରେ ଛୁଆଁ ଲାଗିଲା୤ ଇଚ୍ଛା ହେଲା ଏମିତି ଗୋଟେ ସୁନ୍ଦର ପୁରୁଷର ସାନିଧ୍ୟ ଜୀବନରେ ଥରଟେ ମିଳିଲେ…୤ବାମନ ହେଇ ଚନ୍ଦ୍ରକୁ ଥରଟେ ହଉ ପଛେ ପାଇବି କି ? ଭାବିଲି ସଭ୍ୟତା, ଶିକ୍ଷାର ଦୁଆର ମାଡ଼ିନଥିବା କଉ ଗୋଟେ ଡଙ୍ଗରିଆ ସାଙ୍ଗରେ ସାରାଟା ଜୀବନ ବିତେଇ ଦେବା ଅପେକ୍ଷା ମୁହୂର୍ତ୍ତକର ସେ ସାର୍ଥକତା ଜୀବନକୁ ପୂର୍ଣ୍ଣତାରେ ଭରିଦବ୤

କହିପାରିବିନି ଇଶ୍ବରଙ୍କ ସଂଯୋଗ କି କଣ, ସେଦିନ ଗାଁ ମୁଖିଆ ତିୱାରୀ ସାହେବଙ୍କ ଚର୍ଚ୍ଚା ସ୍କୁଲର ମାଷ୍ଟରାଣୀ ହିସାବରେ ମୋତେ ଦେଇଥିଲେ୤ ଆମ ଘରେ ମୁଁ ଲାଗିପଡ଼ିଥିଲି ତାଙ୍କୁ ଆତିଥେୟତା ଦେବାରେ୤ ସ୍ବପ୍ନରେ ବି ଭାବିନଥିଲି ମୋର ଏଇ ଖପରଲି ଘରଭିତରକୁ ସିଏ ପାଦ ଦେବେ୤ ଅଥଚ ମୋ ଘର ଭିତରକୁ ଆସୁ ଆସୁ ମାଟିକାନ୍ଥର ଝୋଟି ଚିତ୍ରରେ ସିଏ ବିମୋହିତ ହେଇ ପଡ଼ିଲେ୤

ମୁଁ ତାଙ୍କୁ ଖାଇବା ପରଶିଦେବା ବେଳେ ଲକ୍ଷ୍ୟ କରୁଥାଏ ତାଙ୍କ ଅନମନସ୍କ ଭାବକୁ୤ ମୋ ହାତ ରନ୍ଧାର ପ୍ରଶଂସା କରି ସିଏ ଅଧିକ ବିରିଭାତ ଖାଇଦେଇଥିବା କଥା ପରେ କହିଲେ୤ ପଚାରି ବୁଝିଲେ, ଶର୍ଗିପତ୍ର ଦେଇ ଅଳସି ଏଣ୍ଡ୍ରି ପିଠା କେମିତି ତିଆରି ହୁଏ୤ ଆମ ଚଳଣିରେ ଅତିଥି ଭଗବାନ୤ ସେଦିନ ସଞ୍ଜରେ ତାଙ୍କୁ ସ୍ବାଗତ କରାଯାଇ ଲାଗିଲା ନାଚ ଗୀତର ପରବ୤ ଦିନର ବୁଲା ବୁଲି ପରେ ସିଏ କ୍ଲାନ୍ତ ଅନୁଭବ କରି ଅଳ୍ପ ସମୟ ପରେ ଫେରିଆସିଲେ ରାତ୍ରିର ବିଶ୍ରାମ ନେବାକୁ୤ ମୁଁ ନିଜ ହାତରେ ସଜେଇଥିବା ବିଛଣାରେ ଶୋଇଥିଲେ ମୋ ଇପ୍‌ସିତ ପୁରୁଷ୤ ନୀରବରେ ନିଶ୍ଚିନ୍ତରେ୤ କିନ୍ତୁ ମୁଁ ଅସ୍ଥିର ଚଞ୍ଚଳ୤ ବହିଯାଉଥିଲି କୁଆଁରୀ ଛନ୍ଦରେ ବନର ଝରଣା ପରି୤ ଭିଜେଇ ଦେଇ ଚାଲିଯାଉଥିଲି ତାଙ୍କ ତନୁମନକୁ୤ ମୋ ହୃଦୟ ମନ୍ଦିରର ଦେବତା କରି ନୈବେଦ୍ୟ କରି ଦେଇଥିଲି ଅପାପବିଦ୍ଧା ମୋ ଯୌବନକୁ, ନାରୀତ୍ବକୁ୤

ଆକାଶରୁ ପଡ଼ିଗଲା ପରି ଅନୁଭବ ହେଲା ଗଳ୍ପକୁ୤ ଫୁଲମଣି ତାକୁ ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସର ନାୟିକା ପରି ଇମୋସନାଲ୍ ଲାଗୁଥିଲାବେଳେ ଆଖି ଆଗରେ ନାଚି ଯାଉଥିଲା ନାୟକ ବୃଦ୍ଧ ତିୱାରୀଙ୍କ ଛବି୤ ପୁଣି ଜିଦ୍‌‌ଖୋରୀ ସମିରାର ସଂଘର୍ଷ୤ ଅବିଶ୍ବାସ ଆସୁଥିଲା ସତରେ କଣ ତିୱାରୀଙ୍କ ପରି ଜଣେ ଉଚ୍ଚପାହ୍ୟାର ମଣିଷ…!! ଗଳ୍ପ ତା ମନ କଥା ପ୍ରକାଶ କଲା୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଦୀପ ନାୟକ
author photo
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. ବନେନ୍ଦୁ |  ନଭେମ୍ବର୍ ୧୪, ୨୦୧୧ - ୩:୦୨ ପୂର୍ବାହ୍ନ

    ବହୁତ୍ ଭଲ ଗପ ….

  • ୨. ସୁବ୍ରତ କୁମାର ପୁରୋହିତ |  ଡିସେମ୍ବର୍ ୧୨, ୨୦୧୧ - ୧୦:୪୧ ଅପରାହ୍ନ

    ବହୁତ ଭଲ ହେଇଛି ୤ ଗଳ୍ପ ଚରିତ୍ରଟି ବହୁତ ଆକର୍ଷଣୀୟ ହେଇଛି ୤ ପ୍ରଦିପ ସାର୍ ଙ୍କୁ ଏଇ ଭଳି ଏକ ଗପ ର ସୃଷ୍ଟି ଲଗି ଅନେକ୍ ଅନେକ୍ ଧନ୍ୟବାଦ୍ ୤

  • ୩. pappu |  ଜାନୁଆରୀ ୨୦, ୨୦୧୨ - ୪:୩୦ ପୂର୍ବାହ୍ନ

    niceeeee

  • ୪. ବିମଳ ଚନ୍ଦ୍ର ନାୟ୍କ |  ଜାନୁଆରୀ ୨୯, ୨୦୧୨ - ୨:୩୮ ପୂର୍ବାହ୍ନ

    ଗଳ୍ପଟି ବହୁତ ବଢିଆ ହୋଇଛି ! ଧନ୍ୟବାଦ…

  • ୫. ଧର୍ମପଦ ଜେନା |  ଫେବୃଆରୀ ୧୩, ୨୦୧୨ - ୧୨:୪୩ ପୂର୍ବାହ୍ନ

    ଅତି ନିପୁଣ ବର୍ଣ୍ଣନା୤ଖୁବ୍ ସୁନ୍ଦର ଗଳ୍ପ୤

  • ୬. ଚନ୍ଦନ କୁମାର ସାହୁ |  ଫେବୃଆରୀ ୧୫, ୨୦୧୨ - ୧:୪୬ ପୂର୍ବାହ୍ନ

    ବହୁତ ସୁନ୍ଦର ଗପ

  • ୭. ଶାଶ୍ବତ ମିଶ୍ର |  ଫେବୃଆରୀ ୨୨, ୨୦୧୨ - ୬:୧୪ ପୂର୍ବାହ୍ନ

    ବହୁତ ସୁନ୍ଦର ବର୍ଣ୍ଣନା

  • ୮. ତପୁ ନାୟକ୍ ( ଦାଣ୍ଦୀ ) |  ମାର୍ଚ୍ଚ୍ ୨୧, ୨୦୧୨ - ୮:୨୦ ପୂର୍ବାହ୍ନ

    ବହୁତ ଭଲ ହେଇଛି

  • ୯. ବାଦଲ ମହାନ୍ତି, ଭୁବେନଶ୍ବର, ଭୁବେନଶ୍ବର |  ଡିସେମ୍ବର୍ ୬, ୨୦୧୨ - ୧୧:୩୬ ଅପରାହ୍ନ

    ପ୍ରଦୀପବାବୁ ଗପଟି ଚମତ୍କାର ହୋଇଛି ଉଦ୍ୟମକୁ ସାଧୁବାଦ

  • ୧୦. ପ୍ରଣବ ନାୟକ, Bangalore |  ମେ ୩, ୨୦୧୩ - ୭:୨୯ ପୂର୍ବାହ୍ନ

    ବହୁତ ଭଲଗପ ଟିଏ ,ପଢି ଖୁସି ଲାଗିଲା…ଧନ୍ୟବାଦ୍

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤