ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କୃଷ୍ଣପ୍ରସାଦ ମିଶ୍ର
ସଦାନନ୍ଦ ତ୍ରିପାଠୀ
ଗୋଦାବରିଶ ମିଶ୍ର
ବିଦ୍ୟୁତପ୍ରଭା ଦେବୀ
ସେନାପତି ପ୍ରଦ୍ୟୁମ୍ନ କେଶରୀ
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାମ ଫଳକ
 |- କମଳା ଶତପଥି
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

ନା, ନା, ସେମିତି ହେବାକୁ ଦେବିନି ମୁଁ୤ ମତେ ଏଠୁ କେହି ବି ବାହାର କରିଦେଇ ପାରିବେନି୤ ଏ ଘର ମୋର, ୟାକୁ ମୁଁ ଗଢ଼ିଛି ମୋ ନିଜ ହାତରେ, ଲୁହ ଲହୁ ସିଞ୍ଚି୤ ତୁମେମାନେ ଯେତେ ଚେଷ୍ଟା କର, ହେଲେ ମୁଁ ୟାକୁ ଛାଡ଼ିଯାଇ ପାରିବିନି୤ ଦୟାକର ମୋ ଉପରେ୤ ମତେ ଏଇଠି, କେବଳ ଏଇଠି ତ ରହିବାକୁ ଦିଅ୤ କାନ୍ଦି ପକେଇଲି ମୁଁ କଇଁ କଇଁ ହୋଇ୤ ‘ମୋ ଘର… ମୋ ଘର…’ ବୋଲି ଚିତ୍କାର କରିଉଠିଲି୤ କିନ୍ତୁ କୋଉଁଠି ବି ପ୍ରତିଧ୍ବନିତ ହେଲା ନାହିଁ ସେ ସ୍ବର୤ ବାର କାର୍ଯ୍ୟ ସରିଗଲା୤ ବହୁତ ଲୋକ ଡାକି ସବୁକିଛି ଯୋଜନାବଦ୍ଧ ଭାବରେ ସମ୍ପନ୍ନ କରିଦିଆଗଲା୤ ଯେଉଁମାନେ ଆସିଥିଲେ, ପିଲାଙ୍କୁ ସାନ୍ତ୍ବନା ଦେଉଥିଲେ ଯେତିକି ଏ ଘରକୁ ଶୋଷି ଯାଉଥିଲେ ସେତିକି୤ ସମସ୍ତଙ୍କ ଦୃଷ୍ଟିରେ କେମିତି ଗୋଟିଏ ଈର୍ଷାଳିଆ ଭାବ ଦେଖିପାରିଥିଲି୤ ହେଲେ ମତେ ଆଉ ସେ ସବୁ ଖରାପ ଲାଗୁ ନଥିଲା୤ କ’ଣ ପାଇଁ ଆଉ ଲାଗିବ ଯେ ! ସେମାନଙ୍କ ପରି ମୁଁ ବି ତ ଏ ଘରେ ଆଉ ମାତ୍ର କେଇଘଣ୍ଟା କି ଦିନ ପାଇଁ ହିଁ ରହିବାର ସୁଯୋଗ ପାଇବି୤ ତା’ପରେ ସେମାନଙ୍କ ପରି ମୋ ନଜରରେ ବି ଭରି ରହିଯିବ ସବୁଦିନ ପାଇଁ ଗୋଟିଏ ବ୍ୟାକୁଳତା ! ନଥିବାର ଅବଶୋଷ୤

ଦିନ ପନ୍ଦରଟା ଯାଉ ନଯାଉଣୁ, ସମସ୍ତେ ଫେରି ଆସିଲେ ନିଜ ନିଜ ରୁଟିନ୍‌ ଭିତରକୁ୤ ସୁରମାଙ୍କ ରୁଟିନ୍‌ ଯେହେତୁ ମୋ ସହିତ ବନ୍ଧା ରହିଥିଲା, ସେଥିରେ ବହୁତ କିଛି ପରିବର୍ତ୍ତନ ଆସିଗଲା୤ ମୋ କଥା ମନେ ପକେଇବାକୁ କି ମୋ ପାଇଁ ଘଡ଼ିଏ ଦି’ ଘଡ଼ି ଶୋକ କରିବାକୁ ଆଉ କାହା ପାଖରେ ବି ସମୟ ନଥିଲା୤ ଏ ଘରର ସବୁ ସ୍ଥାନରୁ ମୋ ଅସ୍ତିତ୍ବ ପୋଛା ହୋଇଯାଇଥିଲା, କେବଳ ରହିଯାଇଥିଲି ସେଇ ନାମଫଳକ ଭିତରେ ମୁଁ ୤ ସେତିକି ସାନ୍ତ୍ବନା ମୋ ପାଇଁ ଯଥେଷ୍ଟ ଥିଲା୤

କିନ୍ତୁ ଦିନ କେଇଟା ଭିତରେ ସେ ସାନ୍ତ୍ବନା ସରିଯିବାର ସମୟ ଆସିଗଲା୤ ପୁଅ ବୋହୂ ନାତିନାତୁଣୀ କିଛି ଦିନ ଧରି ଭାରି ଗୋଟାଏ ଗୁରୁତର ଆଲୋଚନା କରିବାରେ ଲାଗିପଡ଼ିଛନ୍ତି୤ ସୁରମା ସେ ବିଷୟରେ କିଛି ଜାଣିଥିଲେ କି ନଜାଣିଥିଲେ, କହିପାରିବିନି୤ ଏମିତି ବି ତାଙ୍କ ଜାଣିବା ନ ଜାଣିବାରେ ଆଉ କିଛି ନଥିଲା ୤ ଏବେ ସଂସାରର ଡୋର ତାଙ୍କ ହାତରୁ ଯାଇ ପୁଅବୋହୂଙ୍କ ହାତରେ ରହିଗଲାଣି୤ ସେମାନେ ଯାହା ଚାହୁଁଛନ୍ତି, ନିଜ ହିସାବରେ ହିଁ ସବୁକିଛି କରୁଛନ୍ତି୤

ସେମାନଙ୍କୁ ଏମିତି ଫୁଟୁରଫାଟର ହେଉଥିବାର ଦେଖି ମୁଁ ଆତଙ୍କିତ ହୋଇପଡ଼ିଲି୤ ଏ ଘର ଉପରୁ ମୋର ଶେଷ ଅଧିକାର ବି ସମାପ୍ତ ହେଇଯିବାର ସମୟ ଆସିଗଲା୤ କେତେ କଷ୍ଟରେ କରିଥିଲି ୟାକୁ, କେତେ ଶ୍ରଦ୍ଧାରେ ସଜେଇଥିଲି… ଆଖିର ଲୁହ ବନ୍ଧବାଡ଼ ନମାନି ବହିଚାଲିଗଲା୤

ସେମାନେ ସମସ୍ତେ ଆସି ବାହାର ବାରଣ୍ଡାରେ ଠିଆହେଲେ୤ ଏପଟସେପଟ କରି ଚାହିଁଲେ୤ ଧଡ଼୍‌କରି କାନ୍ଥରୁ ନାତି ଟୋକାଟା ଭିଡ଼ିଆଣିଲା ମୋର ଅସ୍ତିତ୍ବକୁ୤ ଜରିରେ ପୂରେଇ ରଖିଦେଲା ପରେ ଆଉ ଗୋଟାଏ କାଢ଼ିଲା୤ ମପାମପି କରି ଦେଖିଲା୤ ମୁଁ ଆଉ ଚାହିଁ ପାରିଲିନି ସେ ଆଡ଼େ୤ ମଝି ଆଷାଢ଼ର ବର୍ଷା ବେଗଠାରୁ ବି ଅଧିକ ଥିଲା ମୋର ଆଖିର ଲୁହ୤ ଅସରନ୍ତି ଅଭିମାନ ନେଇ ଗେଟ୍‌ ଖୋଲି ବାହାରକୁ ଚାଲିଆସିଲି ମୁଁ୤ ସବୁ ମୋହମାୟା ମୋର ଛିଡ଼ିଗଲା ଆଜିଠୁ୤ ମୁଁ ଏବେ ପ୍ରକୃତରେ ମରିଗଲି୤ ଆଉ ଏ ସହରରେ ମତେ କେହି ବି ଚିହ୍ନିବେ ନାହିଁ, କେହି ବି ଜାଣିବେ ନାହିଁ୤ ମୋର ଶେଷ ଅସ୍ତିତ୍ବର ବି ମୃତ୍ୟୁ ହେଇଗଲା୤ କିନ୍ତୁ ଦୁଃଖର ବିଷୟ ସେ ମୃତ୍ୟୁ ହେଲା ମୋ ଘରଲୋକଙ୍କ ଦ୍ବାରା୤ ଆଉ ଏଠି ମୋର କିଛି ନାହିଁ, କି ମୋ ପାଇଁ କେହି ନାହିଁ୤ ଏ ଜାଗା ଛାଡ଼ି ଚାଲିଯିବି ବହୁ ଦୂରକୁ୤

ଚାଲିଗଲା ପୂର୍ବରୁ ଆଉ ଥରେ ମୋ ସ୍ବପ୍ନର ମନ୍ଦିରକୁ ଆଖି ପୂରେଇ ଦେଖିନେବି କି ? ମନଭରି ଆଉଁସି ଦେବି କି୤ କିଏ ଜାଣେ, ଆଉ କେବେ ସିଏ ମତେ ଚିହ୍ନିବ କି ନ ଚିହ୍ନିବ ! ଏବେ ତ ଛାତିରେ ତାର ନୂତନ ମାଲିକର ନାଁ୤ ଆଖି ଛଳଛଳ ହେଇଆସିଲା୤ ସବୁକିଛି କେତେ ଶୀଘ୍ର ଶେଷ ହୋଇଗଲା ଜୀବନରୁ ! ନା ଜୀବନ ହାରିଲା, ନା ରହିଲା ଭାବପ୍ରବଣତା୤ ହଉ, ଯାହା ହେବା କଥା ହେଇସାରିଲାଣି୤ ଆଉ ସେ ସବୁକୁ ଭାବିବସିଲେ କଣ ବା ମିଳିବ ଦୁଃଖ ଛଡ଼ା ! ଯେତିକି ଭାଗ୍ୟରେ ଥିଲା ସେତିକି ଭୋଗ କଲି, ଏବେ ଅନ୍ୟମାନେ କରନ୍ତୁ୤

ମନକୁ ବୁଝାଇଥିଲି ସତ, ହେଲେ ମନ କହୁଥିଲା, ଚାଲ ଥରେ ଆମେ ଯିବା୤ ଏତେ ଦିନର ସମ୍ପର୍କ୤ ଏତେ ଶୀଘ୍ର ଛାଡ଼ିଯିବାକୁ କଷ୍ଟ ଲାଗୁଛି୤ ମନ କଥା ଶୁଣିଲି୤ ଫେରିଆସିଲି୤ ଦରଜା ଖୋଲି ଭିତରକୁ ପ୍ରବେଶ କଲି୤ ସବୁକିଛି ଥିଲା ଯେମିତି ସେମିତି୤ ବହୁ ବର୍ଷ ପୂର୍ବରୁ ଯେମିତି ଗଢ଼େଇଥିଲି ମୁଁ, ଯେମିତି ସଜେଇ ଥିଲେ ସୁରମା, ଠିକ୍‌ ସେମିତି୤ ଖାଲି ଯାହା ବଦଳି ଯାଇଛି ତାର ମାଲିକ, ଆଉ ବଦଳି ଯାଇଛି ନାମଫଳକ୤ କାହାର ନାଁ ଲେଖିଲେ ସେମାନେ ! ବଡ଼ର…ସାନର…ନା ସୁରମାଙ୍କର ! ଯାହାର ଲେଖନ୍ତୁ, ମୋର ସେଥିରେ କି ଯାଏ ଆସେ ! କି ଫରକ ପଡ଼ିଯିବ ସେଥିରେ ! ଭଲ ପାଇବାର କୋଉ ସେତୁଟା ବାନ୍ଧି ହୋଇଯିବ ସେମାନଙ୍କ ସହିତ ମୋର !

ଏତେସବୁ କହିବା ପରେ ବି କେଉଁ ମୋହରେ ପଡ଼ି ଜଣାନାହିଁ ମୁଖ୍ୟ ଦରଜାର ସେପଟ କାନ୍ଥକୁ ଚାହିଁଦେଲି ମୁଁ୤ ଆରେ ଇଏ କ’ଣ ? ସନ୍ଧ୍ୟାବେଳେ ବଡ଼ ନାତିଟା ଯୋଉଠୁ ପୁରୁଣା ନାମଫଳକ ଭିଡ଼ିଆଣିଥିଲା, ସେଠି ଲଗାହୋଇ ଯାଇଛି ନୂଆ ଚକ୍‌ଚକ୍‌ କରୁଥିବା ନାମଫଳକ ଟେ, ଯାହା ମତେ ବି ଜଣା ଥିଲା, କିନ୍ତୁ ସେଥିରେ ଲେଖାହେଇଛି ମୋର ନାଁ ! ମୋର ନାଁ ? ହଁ, ମୋର ହିଁ ନାଁ, ଯାହାର ସାମାନ୍ୟ ଆଶା ବି ମୋର ନଥିଲା୤

ତାହାହେଲେ ପୁରୁଣାଟା କାଢ଼ୁଥିଲେ କାହିଁକି ? ପାଖକୁ ଦଉଡ଼ିଗଲି ମୁଁ ୤ ଓଃ, ଆଗରୁ ମୋ ନାଁ ପୂର୍ବରୁ ଯେଉଁ ଶ୍ରୀ ଲେଖା ଯାଇଥିଲା ସେଠି ଏବେ ସ୍ବର୍ଗତ ଲେଖିଛନ୍ତି୤ କେବଳ ଏତିକି ପାଇଁ ଏତେ ପରିଶ୍ରମ, ଏତେ ଖର୍ଚ୍ଚ ! ତା ମାନେ… ତା ମାନେ ଏ ଘର ଏବେ ବି ମୋର ଅଛି ! କେହି ଭୁଲିନାହିଁ ମୋ ଅବଦାନକୁ !

କୁଣ୍ଢେଇ ପକେଇଲି ସେ ନାମଫଳକ କୁ୤ ଏତେ ଭଲ ପାଇବା ମୋ ପ୍ରତି ! ଏତେ ଭାବପ୍ରବଣତା ! ଆଖିରୁ ମୋର ଧାର ଧାର ଲୁହ ଗଡ଼ି ଯାଉଥିଲା, ହେଲେ ମୁଁ କାନ୍ଦୁ ନଥିଲି, ବରଂ ଆକାଶକୁ ଚାହିଁ ପ୍ରାର୍ଥନା କରୁଥିଲି, ମୋ ନିଜ ପାଇଁ ନୁହେଁ… ମୋ ପିଲାମାନଙ୍କ ପାଇଁ୤ ସୁରମାଙ୍କ ପାଇଁ ଆଉ ସାରା ଜଗତପାଇଁ… ଶେଷରେ ଏ ନୂଆ ନାମଫଳକ ଟା ପାଇଁ୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳା ଶତପଥି, ନବି ମୁମ୍ବାଇ
କମଳା ଶତପଥି
ଓଡ଼ିଶା ବାହାରେ ରହୁଥିବା ଲେଖିକା ଏବଂ ସୁଗୃହିଣୀ କମଳା ଶତପଥି ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ଶିଶୁ ସାହିତ୍ୟିକ ଓ କବି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’, ‘ପୂର୍ଣ୍ଣଛେଦ ପରର କାହାଣୀ’ ଇତ୍ୟାଦି, କବିତା ସଙ୍କଳନ ମଧ୍ୟରେ ରହିଛି ‘ଶେଷ ଫଗୁଣ’, ‘ଫଗୁଣ ହଜିଗଲା ପରେ’ ଉପନ୍ୟାସ ସହିତ ଅନେକ ପୁସ୍ତକ୤ ଶ୍ରୀମତୀ ଶତପଥି ଓଡ଼ିଶା ଲେଖିକା ସଂସଦ ପୁରସ୍କାର ସହିତ ଓଡ଼ିଶା ଓ ମହାରାଷ୍ଟ୍ରରେ ମଧ୍ୟ ଏକାଧିକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. ପ୍ରିୟରଞ୍ଜନ୍ ମହାପାତ୍ର |  ଅଗଷ୍ଟ୍ ୨୯, ୨୦୧୨ - ୯:୨୯ ପୂର୍ବାହ୍ନ

    ପାଠକ କୁ ବାନ୍ଧି ରଖିବାରେ ସଫଳ୤ ମର୍ମସ୍ପର୍ଶୀ୤

  • ୨. ପ୍ରିୟରଞ୍ଜନ |  ଅଗଷ୍ଟ୍ ୨୯, ୨୦୧୨ - ୧୦:୦୦ ପୂର୍ବାହ୍ନ

    ଅତି ସୁନ୍ଦର ଭାବରେ ଚରିତ୍ର ଚିତ୍ରଣ କରିଛନ୍ତି୤ ସମସ୍ତଙ୍କୁ ଏକ ସୁସନ୍ତାନ ହେବାପାଇଁ ରାସ୍ତା ଦେଖେଇଛନ୍ତି ୤

  • ୩. Dr.Leenasri |  ଅଗଷ୍ଟ୍ ୨୯, ୨୦୧୨ - ୧:୧୪ ଅପରାହ୍ନ

    ବହୁତ ଭଲ .ମର୍ମସ୍ପର୍ଶି.

  • ୪. ରବିନ୍ଦ୍ର କୁମ!ର ପାଣି |  ସେପ୍ଟେମ୍ବର୍ ୪, ୨୦୧୨ - ୭:୨୫ ପୂର୍ବାହ୍ନ

    The story is very heart touching

  • ୫. B.N.Das |  ସେପ୍ଟେମ୍ବର୍ ୪, ୨୦୧୨ - ୯:୦୧ ଅପରାହ୍ନ

    ଭଲ ଗଳ୍ପ |

  • ୬. ହରପ୍ରସାଦ ସାହୁ |  ସେପ୍ଟେମ୍ବର୍ ୧୩, ୨୦୧୨ - ୧୧:୧୩ ପୂର୍ବାହ୍ନ

    ସୁନ୍ଦର ଉପସ୍ଥାପନର ସଫଳ ପ୍ରୟାସ

  • ୭. ଜିତୁ ପାତ୍ର |  ସେପ୍ଟେମ୍ବର୍ ୧୪, ୨୦୧୨ - ୬:୩୯ ପୂର୍ବାହ୍ନ

    ସତରେ କେତେ ସୁନ୍ଦର ଭାବରେ ଚରିତ୍ର ଅଙ୍କନ କରିଛନ୍ତି……. ଉତ୍କୃଷ୍ଟ….

  • ୮. ଯୋଗେଶ୍ବର ପ୍ରଧାନ |  ସେପ୍ଟେମ୍ବର୍ ୨୩, ୨୦୧୨ - ୧୨:୧୨ ପୂର୍ବାହ୍ନ

    Very nice story. It cann’t express in language.Ending of the story is very wounderful.

  • ୯. satyaranjan sarangi, gorakhpur,UP |  ଅକ୍ଟୋବର୍ ୨୦, ୨୦୧୨ - ୭:୫୭ ପୂର୍ବାହ୍ନ

    Great,Mam.what a presentation makes every body cry,God bless you and you write more and more for us,Thanks

  • ୧୦. ଚିନ୍ମୟ୍ ମିଶ୍ର, bokaro steel city |  ନଭେମ୍ବର୍ ୧୫, ୨୦୧୨ - ୩:୦୮ ପୂର୍ବାହ୍ନ

    ସୁନ୍ଦର ହୋଇଛି

  • ୧୧. sikha biswal |  ଜାନୁଆରୀ ୧୯, ୨୦୧୩ - ୫:୩୮ ପୂର୍ବାହ୍ନ

    Very heart touching .

  • ୧୨. ହର ପ୍ରସଦ୍ ଦ୤ସ, ଗୋପ |  ଜୁଲାଇ ୧୪, ୨୦୧୩ - ୧୧:୫୨ ଅପରାହ୍ନ

    ଗପ ହେଲେବି ସତ

  • ୧୩. ଦିଲ୍ଲୀପ ଦାସ |  ଜୁନ୍ ୧୨, ୨୦୧୫ - ୯:୪୦ ପୂର୍ବାହ୍ନ

    ସୁନ୍ଦର ହୋଇଛି

  • ୧୪. ସମୀର କୁମର ସାହୁ, ଜୋଡାପଦର୍ , କରମଲା , ପୁରି , ଓଡିଶା |  ନଭେମ୍ବର୍ ୨୮, ୨୦୧୫ - ୭:୦୪ ପୂର୍ବାହ୍ନ

    ବହୁତ ଭଲ, ତେଣୁ ଆପଣକୁ ଧନ୍ୟବାଦ………….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤