ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ବ୍ରଜନାଥ ରଥ
ମନୋଜ ଦାସ
ଦେବେନ୍ଦ୍ର ମହାନ୍ତି
ଦୟାନିଧି ମିଶ୍ର
ଶାରଦା ପ୍ରସାଦ ମିଶ୍ର
ମନମୋହନ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ନାମ ଫଳକ
 |- କମଳା ଶତପଥି
 
 
ତା: ଅଗଷ୍ଟ୍ ୨୮, ୨୦୧୨  
 

କିନ୍ତୁ ବଡ଼ର ବୁଦ୍ଧିକୁ ମାନିବାକୁ ପଡ଼ିବ୤ ଚଟ୍‌ କରି କହିଦେଲା, ‘ତୁମେମାନେ ମୋ ପାଖରେ ରହିବ୤ ମୁଁ ଘରର ବଡ଼ପୁଅ, ତୁମମାନଙ୍କର ଦାୟିତ୍ବ ମୋର୤ ସାନ ଯଦି କହୁଛି, ତେବେ ତୁମେ ଥାଉ ଥାଉ ସବୁକିଛି ବାଣ୍ଟି ଦବାଟା ଠିକ୍‌ ରହିବ୤’

ଶେଷ ଧାଡ଼ିଟା ମନ ଉଚ୍ଚାଟ କରିପକେଇଲା୤ ମୁଁ ଥାଉ ଥାଉ ମାନେ ? ସମସ୍ତେ କ’ଣ ଭାବିନେଲେଣି ମୁଁ ଆଉ ବେଶୀ ଦିନର ନୁହେଁ୤ ନିରାଶ ହେଇଗଲି ମୁଁ୤ ଅବଶ୍ୟ ସବୁ ନୈରାଶ୍ୟ ଭିତରେ ବି ବଡ଼ର ଆଶ୍ବାସନା ଯେ ଆମର ଦାୟିତ୍ବ ସେ ନିଜେ ନେବ, ଭଲ ଲାଗିଥିଲା ମତେ୤ କିନ୍ତୁ କିଏ ଜାଣେ, ସେଥିରେ କେତେ ଆତ୍ମୀୟତା ରହିଛି ! ଯୋଉଁ ପିଲାମାନେ ବାପା ମା’ ଥାଉ ଥାଉ ଘର ମଝିରେ କାନ୍ଥ ଠିଆ କରିଦେବାକୁ ମନ ପକ୍‌କା କରିନେଲେଣି, ସିଏ ପରେ ବାପାମାଆଙ୍କ ଭିତରେ ଭାଗ ବାଣ୍ଟୁରା କରିନେବେନି ତ !

ସ୍ବାର୍ଥପର ! ସମସ୍ତେ ସ୍ବାର୍ଥପର ! ସମସ୍ତେ କେବଳ ନିଜ ନିଜର ସୁଖସୁବିଧା କଥା ଚିନ୍ତା କରିବାରେ ବ୍ୟସ୍ତ ଏଠି୤ ଭଲ ହେଲା, ଏମାନଙ୍କଠୁ ପିଛା ଛଡ଼େଇ ନେଲି ମୁଁ୤ ଆଉ କିଛିଦିନ ଆଗରୁ ଚାଲି ଯାଇଥିଲେ ବେଶୀ ଭଲ ହୋଇଥାଆନ୍ତା୤ ସେମାନେ ନୁହେଁ, ମୁଁ ହିଁ ମୁକ୍ତି ପାଇ ଯାଇଥାନ୍ତି୤

ମୁଁ କୁଆଡ଼େ ବଦ୍‌ରାଗୀ, ଅସଂସାରୀ, କଞ୍ଜୁସ୍‌, କାହା ପ୍ରତି ମାୟା ମମତା ନାହିଁ ମୋର… ଏଇ ଜୀବନକାଳ ଭିତରେ ଥରଥର କରି ଅନେକ ଥର ମୋରି ଉଦ୍ଦେଶ୍ୟରେ କୁହାଯାଇଛି ଏସବୁ୤ ମୋ ପରିକା ଲୋକ ସତରେ ଶୀଘ୍ର ମରିଯିବା କଥା୤ ଯେତେ ବେଶୀ ବଞ୍ଚିରହିବି, ସେତେ ଅସୁବିଧା ସୃଷ୍ଟି କରିବି ସମସ୍ତଙ୍କ ପାଇଁ୤ ହଁ, ସମସ୍ତେ ନିଶ୍ଚୟ ଏଇଆ ଚାହୁଁଥିବେ, କିନ୍ତୁ ପାଟି ଫିଟେଇ କହିପାରୁ ନଥିବେ୤ ଯାହାହେଉ ଏତେ ଦିନ ପରେ ସେମାନଙ୍କ ଈପ୍‌ଷିତ ସ୍ବପ୍ନ ଅଚିରେ ସଫଳ ହେଇଗଲା୤

ଗୁଡ଼ାଏ ଦୀର୍ଘଶ୍ବାସ ଅନେକ ଦିନରୁ ଛାତି ଭିତରେ ଜମା କରି ରଖିଥିଲି୤ ଆଜି ସେମାନଙ୍କୁ ମୁକ୍ତ କଲାବେଳେ ଭାରି ଆଶ୍ବସ୍ତ ଲାଗୁଥିଲା ମତେ୤ କେହି ଜାଣିବେ ନାହିଁ କି ପଚାରିବେ ବି ନାହିଁ… କିଛି କହିପାରିବେ ବି ନାହିଁ୤ ମୁଁ ମରିଯାଇଛି… ଖୁବ୍‌ ଭଲ ହେଲା… ମୋ ପାଇଁ ଆଉ ଅନ୍ୟମାନଙ୍କ ପାଇଁ ବି୤

ଘରର ଅଗଣାରେ ଧଳା ଚାଦରଟିଏ ଢାଙ୍କି ମତେ ଶୁଆଇ ଦେଇଛନ୍ତି୤ ସମସ୍ତଙ୍କୁ ସେ ଚାଦର ଭିତରୁ ଭଲ ଭାବରେ ମୁଁ ଦେଖିପାରୁଛି, ଶୁଣି ପାରୁଛି ସେମାନଙ୍କ କଥା୤ ଅବଶ୍ୟ ଆଉ ସେସବୁ ଶୁଣିବାର ଆଗ୍ରହ ମୋର ନାହିଁ୤ ଏବେ ଖାଲି ମୁଁ ଭାବୁଛି ମୋ ଘର କଥା୤ କେତେ ଯତ୍ନରେ, କେତେ ଶ୍ରଦ୍ଧାରେ ବନେଇଥିଲି ତାକୁ ! କେତେ ଅଭାବ, ଅସୁବିଧା, କଷ୍ଟ ଯନ୍ତ୍ରଣା ସହି ଏ ଘରର କାନ୍ଥବାଡ଼ ଠିଆ କରିଥିଲି୤ କୋଉଠୁ ଟାଇଲ୍‌ ତ ଆଉ କୋଉଠୁ ସିମେଣ୍ଟ ବାଲି ଇଟା ଯୋଗାଡ଼ କରି ଆଣିଥିଲି୤ ଖରାତରାରେ ନିଜକୁ ସିଝେଇ ଘର ତିଆରି କଲି, କିନ୍ତୁ କି ଲାଭ ! ନିଶ୍ଚିନ୍ତରେ ଦଶଟା ବର୍ଷ ବି ତ ରହିପାରିଲି ନାହିଁ୤ ରୋଗବଇରାଗ ଗୋଟାକ ପରେ ଗୋଟାଏ କରି ବେଢ଼ିଗଲା ମତେ୤ କହିଲା ଲୋକ କହିଗଲେ, ତମକୁ ଏ ଘର ସୁହାଇଲାନି !

ରାଗରେ ଥରି ଉଠିଥିଲି୤ ବୟସ ହେଲେ ତ ସମସ୍ତଙ୍କ ଦେହ ମୁଣ୍ଡ ଜବାବ ଦେବ, ଏଥିରେ ଘର ସୁହାଇବା ନସୁହାଇବା କଥା କ’ଣ ଅଛି ! ଈର୍ଷାରେ ତ ଜଳିପୋଡ଼ି ଯାଉଛନ୍ତି ସମସ୍ତେ ! କାହିଁକି କେଜାଣି ମୋ ହାତ ତିଆରି ଏ ମନ୍ଦିର ବିଷୟରେ କେହି କିଛି ବି କହିଲେ ମୋ ଦେହରେ ନିଆଁ ଚେଙ୍କ ଲାଗିଯାଏ୤ ସେଇଥିପାଇଁ ସୁରମା କେବେ କେବେ ରାଗରେ ହେଉ କି ଚିଡ଼େଇବାକୁ ହେଉ କହିପକାନ୍ତି, ‘ତୁମ ପାଇଁ କ’ଣ ଆମେ ବଡ଼ କି, ଏ ଘର ହିଁ ତମ ପାଇଁ ସବୁକିଛି୤ କୋଉଦିନ ଖାଲି ୟାକୁ ହିଁ ଜାବୁଡ଼ି ଧରି ପଡ଼ି ରହିଥିବ, ଗୋଟି ଗୋଟି ହେଇ ଆମେ ସମସ୍ତେ କୁଆଡ଼େ ଚାଲି ଯାଇଥିବୁ୤’

ସତକଥା, ଏ ଘରକୁ ମୁଁ ଖୁବ୍‌ ଭଲ ପାଏ୤ ଏ ଘରର ଅନ୍ଧିସନ୍ଧି, ବାଡ଼ିବଗିଚା, ବାରଣ୍ଡା, ଅଗଣା, ସବୁଆଡ଼େ ନିଜର ଛାପ ରଖିବାକୁ ଚାହେଁ୤ ଏ ସହରର ସବୁଠୁ ସୁନ୍ଦର ଘର କହିଲେ, ମୋରି ଘରକୁ ହିଁ ଲୋକମାନେ ଜାଣନ୍ତି୤ ଏହାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଯେତେ ପରିଶ୍ରମ ମୁଁ କରିଛି, ତାକୁ କେହି କେବେ ଚିନ୍ତା ବି କରିପାରିବେ ନାହିଁ୤ ବାହାର କାନ୍ଥରେ ଲଗା ଯାଇଥିବା ନାମ ଫଳକରେ ସେଥିପାଇଁ କେବଳ ମୋରି ନାଁ ମୁଁ ଲେଖିଛି୤ କେତେଜଣ ପଚାରନ୍ତି ସୁରମାଙ୍କ ନାମ କାହିଁ ରଖିନାହିଁ ସେଠି୤ କିଛି ଉତ୍ତର ଦିଏନି ମୁଁ୤ ସେସବୁ ମୋର ନିହାତି ବ୍ୟକ୍ତିଗତ ଇଚ୍ଛା, ସେଥିରେ କାହାର ମୁଣ୍ଡ ଖେଳେଇବାକୁ ମୁଁ ପସନ୍ଦ କରେନା୤

ଏ ଘରକୁ ଭଲ ପାଏ ମୁଁ, ଆଉ ଘର ବି ଭଲପାଏ ମତେ୤ ଏଇଟା ମୋର ବିଶ୍ବାସ୤ କିଏ ସେକଥାକୁ ମାନୁ କି ନମାନୁ, ସେଥିରେ ମୋର କିଛି ଯାଏଆସେ ନାହିଁ୤ ଆମ ଭଲପାଇବାରେ ଅଛି ନିସ୍ବାର୍ଥପରତା୤ ତା’ ବିନା ମୁଁ, ଆଉ ମୋ ବିନା ସିଏ… କେତେ ଅସମ୍ପୂର୍ଣ୍ଣ ସତରେ ! କାଲିଠାରୁ ସବୁକିଛି ଶୂନ୍‌ଶାନ୍‌ ହୋଇଯିବ ଏଠି୤ ଏ ଘରତ ଥିବ, କିନ୍ତୁ ମୁଁ ନଥିବି୤ କିଏ ଜାଣେ ମୋ ନାଁ ବି ଆଉ କେହି ଉଚ୍ଚାରଣ କରିବ ଏଠି କି ନା ! ଗୁମ୍‌ସୁମ୍‌ ହେଇଗଲି ମୁଁ୤ ଆଖିରୁ ଦୁଇଧାର ଲୁହ ଗଡ଼ିଆସି ଓଦାକରି ପକେଇଲା ମୋ ଛାତି୤ ସନ୍ଧ୍ୟା ପୂର୍ବରୁ ଦାହକାର୍ଯ୍ୟ ଶେଷ କରିଦେଇ ନିଜ ନିଜ ବାଟରେ ସମସ୍ତେ ଚାଲିଯାଇଥିଲେ୤ ଭାରି ଖାଁ ଖାଁ ଲାଗୁଥିଲା ଘର ଭିତରଟା୤ ମୋ ଶରୀରରେ ନିଆଁ ଲଗେଇ ତାକୁ ପୋଡ଼ି ଦିଆଗଲା ସିନା, ହେଲେ ମୁଁ ରହିଗଲି ଏଇଠି, ଘରର ନାମଫଳକ ରେ୤ ସେତିକିରେ ବି ମୁଁ ସନ୍ତୁଷ୍ଟ ଥିଲି୤ ହେଲେ ରହି ରହି ଭୟଟିଏ ମୋ ଭିତରେ କଡ଼ ଲେଉଟଉ ଥିଲା୤ ଆଉ କେତେ ସମୟ ରହିପାରିବି ଏଠି ମୁଁ ! ନିଶ୍ଚୟ କିଛି ନା କିଛି ଯୋଜନା କରୁଥିବେ, ସମସ୍ତେ ଏଠୁ ବି ମତେ ବାହାର କହିଦେବା ପାଇଁ୤ ସବୁଦିନ ପାଇଁ ମତେ ଏ ଘରୁ ବିଦା କରିଦେଇ ନିଷ୍କଳଙ୍କ ଭାବେ ଏହାର ଉତ୍ତରାଧିକାରୀ ହୋଇଯିବା ପାଇଁ୤

ପୃଷ୍ଠା ସଂଖ୍ୟା : 1 2 3 4

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳା ଶତପଥି, ନବି ମୁମ୍ବାଇ
କମଳା ଶତପଥି
ଓଡ଼ିଶା ବାହାରେ ରହୁଥିବା ଲେଖିକା ଏବଂ ସୁଗୃହିଣୀ କମଳା ଶତପଥି ଏକାଧାରରେ ଜଣେ ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା, ଶିଶୁ ସାହିତ୍ୟିକ ଓ କବି୤ ତାଙ୍କର ପ୍ରକାଶିତ ଗଳ୍ପ ସଙ୍କଳନ ମଧ୍ୟରେ ‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’, ‘ପୂର୍ଣ୍ଣଛେଦ ପରର କାହାଣୀ’ ଇତ୍ୟାଦି, କବିତା ସଙ୍କଳନ ମଧ୍ୟରେ ରହିଛି ‘ଶେଷ ଫଗୁଣ’, ‘ଫଗୁଣ ହଜିଗଲା ପରେ’ ଉପନ୍ୟାସ ସହିତ ଅନେକ ପୁସ୍ତକ୤ ଶ୍ରୀମତୀ ଶତପଥି ଓଡ଼ିଶା ଲେଖିକା ସଂସଦ ପୁରସ୍କାର ସହିତ ଓଡ଼ିଶା ଓ ମହାରାଷ୍ଟ୍ରରେ ମଧ୍ୟ ଏକାଧିକ ପୁରସ୍କାର ଓ ସମ୍ମାନରେ ସମ୍ମାନୀତ ହୋଇଛନ୍ତି୤... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. ପ୍ରିୟରଞ୍ଜନ୍ ମହାପାତ୍ର |  ଅଗଷ୍ଟ୍ ୨୯, ୨୦୧୨ - ୯:୨୯ ପୂର୍ବାହ୍ନ

    ପାଠକ କୁ ବାନ୍ଧି ରଖିବାରେ ସଫଳ୤ ମର୍ମସ୍ପର୍ଶୀ୤

  • ୨. ପ୍ରିୟରଞ୍ଜନ |  ଅଗଷ୍ଟ୍ ୨୯, ୨୦୧୨ - ୧୦:୦୦ ପୂର୍ବାହ୍ନ

    ଅତି ସୁନ୍ଦର ଭାବରେ ଚରିତ୍ର ଚିତ୍ରଣ କରିଛନ୍ତି୤ ସମସ୍ତଙ୍କୁ ଏକ ସୁସନ୍ତାନ ହେବାପାଇଁ ରାସ୍ତା ଦେଖେଇଛନ୍ତି ୤

  • ୩. Dr.Leenasri |  ଅଗଷ୍ଟ୍ ୨୯, ୨୦୧୨ - ୧:୧୪ ଅପରାହ୍ନ

    ବହୁତ ଭଲ .ମର୍ମସ୍ପର୍ଶି.

  • ୪. ରବିନ୍ଦ୍ର କୁମ!ର ପାଣି |  ସେପ୍ଟେମ୍ବର୍ ୪, ୨୦୧୨ - ୭:୨୫ ପୂର୍ବାହ୍ନ

    The story is very heart touching

  • ୫. B.N.Das |  ସେପ୍ଟେମ୍ବର୍ ୪, ୨୦୧୨ - ୯:୦୧ ଅପରାହ୍ନ

    ଭଲ ଗଳ୍ପ |

  • ୬. ହରପ୍ରସାଦ ସାହୁ |  ସେପ୍ଟେମ୍ବର୍ ୧୩, ୨୦୧୨ - ୧୧:୧୩ ପୂର୍ବାହ୍ନ

    ସୁନ୍ଦର ଉପସ୍ଥାପନର ସଫଳ ପ୍ରୟାସ

  • ୭. ଜିତୁ ପାତ୍ର |  ସେପ୍ଟେମ୍ବର୍ ୧୪, ୨୦୧୨ - ୬:୩୯ ପୂର୍ବାହ୍ନ

    ସତରେ କେତେ ସୁନ୍ଦର ଭାବରେ ଚରିତ୍ର ଅଙ୍କନ କରିଛନ୍ତି……. ଉତ୍କୃଷ୍ଟ….

  • ୮. ଯୋଗେଶ୍ବର ପ୍ରଧାନ |  ସେପ୍ଟେମ୍ବର୍ ୨୩, ୨୦୧୨ - ୧୨:୧୨ ପୂର୍ବାହ୍ନ

    Very nice story. It cann’t express in language.Ending of the story is very wounderful.

  • ୯. satyaranjan sarangi, gorakhpur,UP |  ଅକ୍ଟୋବର୍ ୨୦, ୨୦୧୨ - ୭:୫୭ ପୂର୍ବାହ୍ନ

    Great,Mam.what a presentation makes every body cry,God bless you and you write more and more for us,Thanks

  • ୧୦. ଚିନ୍ମୟ୍ ମିଶ୍ର, bokaro steel city |  ନଭେମ୍ବର୍ ୧୫, ୨୦୧୨ - ୩:୦୮ ପୂର୍ବାହ୍ନ

    ସୁନ୍ଦର ହୋଇଛି

  • ୧୧. sikha biswal |  ଜାନୁଆରୀ ୧୯, ୨୦୧୩ - ୫:୩୮ ପୂର୍ବାହ୍ନ

    Very heart touching .

  • ୧୨. ହର ପ୍ରସଦ୍ ଦ୤ସ, ଗୋପ |  ଜୁଲାଇ ୧୪, ୨୦୧୩ - ୧୧:୫୨ ଅପରାହ୍ନ

    ଗପ ହେଲେବି ସତ

  • ୧୩. ଦିଲ୍ଲୀପ ଦାସ |  ଜୁନ୍ ୧୨, ୨୦୧୫ - ୯:୪୦ ପୂର୍ବାହ୍ନ

    ସୁନ୍ଦର ହୋଇଛି

  • ୧୪. ସମୀର କୁମର ସାହୁ, ଜୋଡାପଦର୍ , କରମଲା , ପୁରି , ଓଡିଶା |  ନଭେମ୍ବର୍ ୨୮, ୨୦୧୫ - ୭:୦୪ ପୂର୍ବାହ୍ନ

    ବହୁତ ଭଲ, ତେଣୁ ଆପଣକୁ ଧନ୍ୟବାଦ………….

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤