ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବୈକୁଣ୍ଠନାଥ ପଟ୍ଟନାୟକ
ଦୀପକ ମିଶ୍ର
ବରେନ୍ଦ୍ର କୃଷ୍ଣ ଧଳ
ଫନି ମହାନ୍ତି
କିଶୋରୀକିଙ୍କର ଦାସ
ସୁଶାନ୍ତ ଦାଶ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଏମ୍‌.କେ.ଗାନ୍ଧୀ
 |- ଭୂପେନ୍‌ ମହାପାତ୍ର
 
 
ତା: ମେ ୨୮, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ମୁଁ କହିଲି, ‘ଆପଣ ମୋତେ ଭୁଲେଇବାକୁ ଚେଷ୍ଟା କରୁଛନ୍ତି୤ ମୋତେ ଆପଣ କେବେ ବି ଭୁଲେଇ ପାରିବେ ନାହିଁ୤ ମୁଁ କଅଣ ଆପଣଙ୍କୁ ଜାଣି ନାହିଁ ? ମୁଁ କଅଣ ଆପଣଙ୍କୁ ଦେଖିନାହିଁ ? ଆପଣଙ୍କୁ କିଏ ଦେଖିନାହିଁ ନା ଚିହ୍ନିନାହିଁ ?’

‘ଏବେ ବି ଦେଖୁଛି୤ ହେଇ ଦେଖୁନାହାନ୍ତି ?’ ମୁଁ ମୋ ଚେଆର ପଛପଟେ କାନ୍ଥରେ ଟଙ୍ଗା ଯାଇଥିବା ଫଟୋକୁ ହାତ ଦେଖାଇଲି୤

ଆପଣ ତାଙ୍କୁ ଦେଖି ମୁଁ ବୋଲି ଭାବୁଛନ୍ତି ? ସେ କହିଲେ ?

ମୁଁ ଆଶ୍ଚର୍ଯ୍ୟ ହେଲି୤ ଥରେ ଫଟୋକୁ ଦେଖିଲି ଏବଂ ପୁଣି ଥରେ ତାଙ୍କୁ ଦେଖିଲି୤ ଫଟୋରେ ସେ ଚାଦର ଘୋଡ଼ିଛନ୍ତି୤ ଆଉ ଏଠି ତାଙ୍କ ଦେହଟା ଫୁଙ୍ଗୁଳା୤ ପଞ୍ଜରା ହାଡ଼ଗୁଡ଼ିକ ବେଶ୍‌ ଗଣି ହେଇଯାଉଛି୤ ତାଙ୍କ ଖାଲି ଦେହକୁ ଥଣ୍ଡା ଲାଗିବ ଭାବି ମୁଁ ରୁମ୍‌ରେ ଚାଲୁଥିବା ଏସିଟାକୁ ବନ୍ଦ କରିଦେଲି୤ ରୁମ୍‌ ଭିତରେ ତଥାପି ଥଣ୍ଡା ଥିଲା୤ ମୁଁ କହିଲି, ‘ଗୋଟାଏ ଚାଦର ମଗେଇବି ? ଥଣ୍ଡା ଲାଗୁଥିବ୤’

ସେ କହିଲେ, ‘ଏମିତି ତ ଜନ୍ମ ହେଇଥିଲି ଖାଲି ଦେହରେ, ଯିବି ବି ଖାଲି ଦେହରେ୤ ଚାଦରଟେ ଆଉ କ’ଣ ହେବ ? ଖାଲି ଦେହରେ ମୁଁ ଥଣ୍ଡା ଓ ଗରମ ସବୁ ସହିପାରେ୤’ ସେ ଟିକିଏ ରହିଗଲେ, ତା’ପରେ କହିଲେ, ‘ସେ ଯନ୍ତ୍ରଟାକୁ ବନ୍ଦ କରିଦେଲେ ଆପଣଙ୍କୁ କଷ୍ଟ ହେବନି ?’
ମୋ ଗାଲରେ ଯେମିତି କିଏ ଚାପୁଡ଼ାଏ ପିଟିଦେଲା୤ ମନକୁ ମନ ମୋ ହାତଟା ଉଠିଯାଇ ଗାଲକୁ ଆଉଁସି ପକେଇଲା୤
ସେ କହିଲେ, ‘ହଉ ଛାଡ଼ନ୍ତୁ ସେକଥା୤ ଆପଣ ମୋତେ ଦେଖିଥିଲେ ଦେଖିଥିବେ୤ ମୋର ସେଥିରେ ଆଉ କିଛି କହିବାର ନାହିଁ୤ ମୁଁ କିନ୍ତୁ ଏମ୍‌.କେ.ଗାନ୍ଧୀ୤ ଆସିଚି ଗୁହାରି କରିବାକୁ୤ କେବେଠାରୁ ଆସିବି ବୋଲି ଭାବୁଥିଲି୤ କିନ୍ତୁ ପାରୁଚି କେଉଁଠି ?’
ମୁଁ କହିଲି ‘ମୋତେ କହିଥିଲେ ମୁଁ ଆପଣଙ୍କ ପାଖକୁ ଯାଇଥାଆନ୍ତି୤ ଆପଣ ଏତେ କଷ୍ଟ କରି…୤’

ସେ ପୁଣି ହସିଲେ୤ ଏଥର ସେ ହସିଲାବେଳେ ତାଙ୍କ ଆଖିରେ ଲୁହ ଦେଖାଗଲା୤ ପୂରା ଆଖି ଦି’ଟାରେ ପାଣି ଭର୍ତ୍ତି ହୋଇଗଲା୤ ତାଙ୍କ କଣ୍ଠ କେମିତି ଜଡ଼ିଜଡ଼ି ଆସିଲା୤ ସେ ଯେମିତି କିଛି କହିବାକୁ ଚାହୁଁଛନ୍ତି, କହିପାରୁ ନାହାନ୍ତି୤ କିଛି ସମୟ ପରେ ନିଜ କୋହକୁ ସମ୍ଭାଳି ନେଇ ଏବଂ ଗୋଟାଏ ଦୀର୍ଘଶ୍ବାସ ପକେଇ ସେ କହିଲେ, ‘ସେଇ ସେତକ ଯଦି ହୋଇପାରୁଥାଆନ୍ତା, ତେବେ ଭାରତବର୍ଷ ଏତେବେଳକୁ ସୁନାର ଭାରତବର୍ଷରେ ପରିଣତ ହେଇସାରନ୍ତାଣି୤’ ଏତକ କହିସାରି ଚୁପ୍‌ ହୋଇ ତଳକୁ ମୁହଁ ପୋତି ଚେୟାରରେ ବସି ରହିଲେ୤ ଗୋଲ ଟେବୁଲ୍‌ ବୈଠକରେ ମହାତ୍ମାଗାନ୍ଧୀ ଯେମିତି ମେମୋରେଣ୍ଡମ୍‌ଟା ଧରାଇ ଦେଇ ବଡ଼ ଗମ୍ଭୀର ହେଇ ବସି ରହିଥିଲେ୤

ମୁଁ ତାଙ୍କ ମୁହଁକୁ ଦେଖୁଥିଲି୤ ଯେମିତି ଅନେକ ଦୁଃଖ ଓ ଚିନ୍ତାର ରଙ୍ଗସବୁ ତାଙ୍କ ମୁହଁରେ ଉକୁଟି ଉଠୁଚି୤ ତାଙ୍କର ସେଇ ପଦେ କଥାରେ ମୁଁ ବଡ଼ ଅପ୍ରସ୍ତୁତ ହେଇପଡ଼ିଲି୤ ମୋ ପାଖରେ ସେଠୁ ଖସିଯିବାର ବାଟ ନ ଥିଲା୤ ଗୋଟେ ବିରାଟ ସାମ୍ରାଜ୍ୟ ଯେତେବେଳେ ତାଙ୍କ ହାତ ମୁଠାରୁ ଖସି ନ ଯାଇପାରି ତ୍ରାହିତ୍ରାହି ଡାକ ଛାଡ଼ିଥିଲା ଏବଂ ଶେଷରେ ଆତ୍ମସମର୍ପଣ କରି ଦେଶ ଛାଡ଼ି ପଳାଇଲା, ସେତେବେଳେ ମୁଁ କିଏ ? ମୁଁ ତ ଅତି ନଗଣ୍ୟ୤

ମୁଁ ବି ଏଥର କେମିତି ତାଙ୍କଠାରୁ ମୁକ୍ତି ପାଇବି ସେକଥା ଚିନ୍ତା କରୁଥିଲି୤ ଏଥର ସାହସ ସଞ୍ଚୟ କରି କହିଲି, ‘ହଉ, ଆପଣଙ୍କ କଥା କୁହନ୍ତୁ୤ ଆପଣ ଯଦି ସେ ଏମ୍.କେ.ଗାନ୍ଧୀ ନୁହନ୍ତି, ତେବେ କୁହନ୍ତୁ ଆପଣ କ’ଣ ଗୁହାରି କରିବାକୁ ଆସିଛନ୍ତି, କୁହନ୍ତୁ ଶୀଘ୍ର୤ ମୋର ସମୟ ଯଥେଷ୍ଟ କମ୍‌୤ ଅନେକ କାମ ତେଣେ ବାକି ପଡ଼ିଛି୤ ଅନେକ ମିଟିଂ ଅଛି୤ ଚିଫ୍‌ଙ୍କ ସହିତ ଓ ହେଡ୍‌ସ ଅଫ୍‌ ଦି ଡିର୍ପାଟମେଣ୍ଟ ସହିତ୤ ଆସନ୍ତାକାଲିଠୁ ମାସିକିଆ ବିଧାନସଭା ବସିବ୤ ସେଠି ଉତ୍ତର ଦରକାର ହୁଏନି୤ ଖାଲି ପ୍ରଶ୍ନ୤ ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ୤ ଏଠି ଏସବୁ କାମରେ ବ୍ୟସ୍ତ ରହିବାକୁ ମୋର ବେଳ ନାହିଁ୤ ହଁ କୁହ୤ ଆଗରୁ ପ୍ରସ୍ତୁତ ହେଇ ଆସିଥାଆନ୍ତ ସିନା୤’

ସେ ସେମିତି ହସିଲେ ଓ କିଛି କହିବା ପୂର୍ବରୁ କାଶିଲେ ବାରମ୍ବାର୤

‘ଟିକିଏ ପାଣି ପିଇବ ?’ ମୁଁ ପାଣି ଗ୍ଲାସ୍‌ଟିକୁ ତାଙ୍କ ଆଡ଼କୁ ବଢ଼େଇ ଦେଲି୤ ସେ ହାତ ହଲେଇ ମନା କଲେ୤ କହିଲେ ‘ସାତଦିନ ହେଲା ଜଳସ୍ପର୍ଶ କରିନାହିଁ୤ ଆଜି ଏଠି କେମିତି ପାଣି ପିଇଦେବି ? ମୋତେ ସେମାନେ କ’ଣ କହିବେ ?’
‘ଜଳସ୍ପର୍ଶ କରିନାହିଁ ? କାହିଁକି ? କିଏ କ’ଣ କହିବ ? ମୁଁ ବୁଝିପାରୁନି୤’

‘ସେଇ ଯୋଉମାନେ ଗେଟ୍‌ ସାମ୍ନାରେ ବସିଛନ୍ତି୤’ ସେ କହିଲେ୤ ‘ଆଃ, ସେଥିରେ ତୁମର କ’ଣ ଅଛି ? ସେଇଟା ଗୋଟାଏ ଭିନ୍ନ ପ୍ରଶ୍ନ୤’ ମୁଁ ପି.ଏ.ଙ୍କୁ ଡକେଇଲି୤ ଶ୍ରୀକୃଷ୍ଣଙ୍କୁ ମଧ୍ୟ ଡାକିଲି୤ ସେମାନେ ଆସି ତାଙ୍କୁ ବୁଝାସୁଝା କରି ବାହାରକୁ ନେଇଗଲେ୤ ମୁଁ ଗୋଟାଏ ବିରାଟ ଅସ୍ବସ୍ତିକର ପରିସ୍ଥିତିରୁ ମୁକ୍ତି ପାଇଗଲି ବୋଲି ଭାବୁଥିଲି ଏବଂ ଟେବୁଲ ଉପରେ ମୁଣ୍ଡରେ ହାତଦେଇ ବସିଗଲି୤

କିଛି ସମୟ ପରେ ବାହାରେ କ’ଣ ଗୋଟାଏ ଗୋଳମାଳ ହେବାର ଶୁଣି ମୁଁ ଦଉଡ଼ି ଆସିଲି୤ ଦେଖିଲି ସେ ଲୋକଟିକୁ ଘେରି ମୋର ପି.ଏ. ଓ ଅନ୍ୟ କେତେଜଣ ଠିଆ ହୋଇଛନ୍ତି୤ ମୁଁ ତାଙ୍କ ପାଖକୁ ଯିବାକୁ ଅନ୍ୟମାନେ ଆଡ଼େଇ ଗଲେ୤

ପଚାରିଲି, ‘କଅଣ ହେଲା୤’

ସେ କହିଲେ, ‘ମୁଁ ଆପଣଙ୍କ ଅଫିସ୍‌କୁ ଗଲାବେଳେ ମୋ ବାଡ଼ିଟା ଏଠି ପି.ଏ. ବାବୁଙ୍କୁ ଦେଇ ଯାଇଥିଲି୤ ସେ ବାଡ଼ି ଅଫିସର୍‌ଙ୍କ ରୁମ୍‌କୁ ନେବାର ନିୟମ ନାହିଁ ବୋଲି କହିଲେ୤ ଏବେ ଆସି ଦେଖୁଛି, ବାଡ଼ିଟା ନାହିଁ୤ ମୁଁ ଏବେ କ’ଣ କରିବି ?’

ଶ୍ରୀକୃଷ୍ଣ ଏତିକିବେଳେ ଦଉଡ଼ି ଦଉଡ଼ି ସେ ଆଡ଼ୁ ଆସିଲା୤ ସେ ଧଇଁସଇଁ ହେଇ କହିଲା, ‘ଗେଟ୍‌ ପାଖରେ ଗୋଳମାଳ ହେବାରୁ ଏଠୁ ପୋଲିସ୍‌ବାଲା ଦଉଡ଼ି ଗଲାବେଳେ ବାଡ଼ିଟାକୁ ନେଇଯାଇଛନ୍ତି୤ ଏ ବାବୁ ମୋ ସାଙ୍ଗରେ ଆସନ୍ତୁ୤ ମୁଁ ଗେଟ୍‌ ପାଖରୁ ସେ ବାଡ଼ିଟା ଆଣିଦେବି୤ ସେ ବାଡ଼ି ସେମାନଙ୍କର ଆଉ କ’ଣ ହେବ ?’

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଭୂପେନ୍‌ ମହାପାତ୍ର, ରାଉରକେଲା
ଭୂପେନ୍‌ ମହାପାତ୍ର
ଜଣେ ଗାଳ୍ପିକ, ଔପନ୍ୟାସିକ ସହିତ ଅନୁବାଦକ ସହିତ ଜଣେ ମୁକ୍ତ ବୃତ୍ତି ସ୍ତମ୍ଭକାର ଭାବେ ଭୂପେନ ମହାପାତ୍ର ଓଡ଼ିଆ ସାହିତ୍ୟରେ ଏକ ପରିଚିତ ନାମ୤ ତାଙ୍କର ଏକାଧିକ ଗଳ୍ପପୁସ୍ତକ ସହିତ ଉପନ୍ୟାସ, ଭ୍ରମଣ କାହାଣୀ ଓ ଅନୁବାଦ ପ୍ରକାଶିତ ହୋଇ ପାଠକମାନଙ୍କ ଦ୍ବାରା ଆଦୃତ୤ ୭୭ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଶ୍ରୀ ମହାପାତ୍ର ଆଜି ମଧ୍ୟ ସାହିତ୍ୟ ଚର୍ଚ୍ଚାରେ ବେଶ୍‌ ଚଳଚଞ୍ଚଳ୤ ତାଙ୍କର ଗଳ୍ପ ସଙ୍କଳନ ମଧ୍ୟରେ ଗୋଟିଏ ମେଣ୍ଢାପଲ, ଏବେ ବି ରେବତୀ ଓ ଅନ୍ୟାନ୍ୟ ଗଳ୍ପ, ହାତୀର... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. ରବିନ୍ଦ୍ର କୁମ!ର ପାଣି |  ମେ ୩୧, ୨୦୧୨ - ୭:୩୩ ପୂର୍ବାହ୍ନ

    ବହୁତ ସୁନ୍ଦର ଗଳ୍ପ

  • ୨. ରଞ୍ଜନ କୁମାର ପଣ୍ଡା |  ଜୁନ୍ ୩, ୨୦୧୨ - ୧୧:୦୮ ଅପରାହ୍ନ

    ବହୁତ ସୁନ୍ଦର ହେଇଛି

  • ୩. alshaya kumar rout |  ଜୁନ୍ ୧୧, ୨୦୧୨ - ୪:୨୨ ପୂର୍ବାହ୍ନ

    khub sundara

  • ୪. Sandip K. Dasverma |  ଜୁନ୍ ୧୨, ୨୦୧୨ - ୧୨:୫୧ ଅପରାହ୍ନ

    ଖୁବ୍ ସୁନ୍ଦର ଗପଟି ୥

  • ୫. ଗିରିଜା |  ଜୁନ୍ ୧୫, ୨୦୧୨ - ୯:୧୩ ଅପରାହ୍ନ

    ଆଧୁନିକ ଭାରତର ଏକ ନିଛକ ପ୍ରତିଛବି୤ ହୃଦୟକୁ ଛୁଇଁ ପାରିଛି୤

  • ୬. mAnasa sAhu |  ଜୁନ୍ ୧୭, ୨୦୧୨ - ୯:୧୯ ପୂର୍ବାହ୍ନ

    bhala lAgilA

  • ୭. ପ୍ରତାପ ଚନ୍ଦ୍ର ମହାପାତ୍ର |  ଜୁନ୍ ୨୦, ୨୦୧୨ - ୬:୫୬ ପୂର୍ବାହ୍ନ

    ଖୁବ୍ ଚମତ୍କାର୤ ଆଜିର ସମୟ ଏବଂ ସମାଜରେ ଭୂପେନ୍‌ ମହାପାତ୍ରଙ୍କର ଗାନ୍ଧୀଗିରିର ଏମିତି ଏକ କଳ୍ପନା ସତରେ ଅଚିନ୍ତନୀୟ୍୤

  • ୮. kamakshya jena,KALAKAR,Angul |  ଜୁଲାଇ ୨୮, ୨୦୧୨ - ୧୧:୦୫ ଅପରାହ୍ନ

    Apananka galpa suchei deuchi je ebebi lokanka manare Gandhi nka prati sradha o samman rahichhi kintu Gandhi kahithiba kathaku kamare parinata karibaku tike bi ichha nahin.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤