ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଚନ୍ଦ୍ରଶେଖର ରଥ
ନିତ୍ୟାନନ୍ଦ ମହାପାତ୍ର
ନୀଳମଣି ବିଦ୍ୟାରତ୍ନ
ଭଗବତୀ ଚରଣ ପାଣିଗ୍ରାହୀ
ଆଶିଷ କୁମାର କର
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ମନ୍ତ୍ରୀଙ୍କ ଭାଷଣ
  ନାରାୟଣ ମିଶ୍ର, ଭୁବନେଶ୍ବର
 
 
ତା: ଅକ୍ଟୋବର୍ ୨୫, ୨୦୧୧  
ମୂଳ ପୃଷ୍ଠାଗଳ୍ପ
 

“ହେ ମୋର ପ୍ରିୟ ଛାତ୍ରୀଛାତ୍ରଗଣ, ଏ ସଭାର ସଭାପତି ତଥା କଲେଜର ଅଧ୍ୟକ୍ଷ ଏବଂ ସାଂସ୍କୃତିକ ସମାରୋହର ସମ୍ପାଦକଙ୍କୁ ମୋତେ ମୁଖ୍ୟଅତିଥି ରୂପେ ଡାକିଥିବାରୁ ଧନ୍ୟବାଦ ଦେଇ ମୁଁ ଖୁବ୍ ଅଳ୍ପ ସମୟ ମଧ୍ୟରେ ମୋର ବକ୍ତବ୍ୟ ଶେଷ କରିବାକୁ ଯାଉଛି୤ ଆପଣମାନେ ଦୀର୍ଘ ଏକଘଣ୍ଟା ବିଳମ୍ବ ହେଲେ ମଧ୍ୟ ମୋ ପାଇଁ ଧୈର୍ଯ୍ୟର ସହ ଅପେକ୍ଷା କରିଥିବାରୁ ଏବଂ ଶଙ୍ଖ, ମହୁରୀ, ଦଣ୍ଡନାଚ ଇତ୍ୟାଦି ସହ ଏନ୍‌ସିସିର ପରେଡ୍‌ ମାଧ୍ୟମରେ ସ୍ବାଗତ କରିଥିବାରୁ ମୁଁ ଏ ରାଜ୍ୟର ପଶୁ ଓ ପକ୍ଷୀ ବିଭାଗ ମନ୍ତ୍ରୀ ଆମ ବିଭାଗ ଓ ରାଜ୍ୟ ତରଫରୁ ଆପଣମାନଙ୍କୁ ଆଉ ଥରେ ଧନ୍ୟବାଦ ଦେଉଛି୤ ମୁଁ ଦେଖିପାରୁଛି ଯେ ସଭା ବାହାରେ ଅଧିକାଂଶ ପିଲା ଅଛନ୍ତି ଓ ସଭାରେ ପିଲାଙ୍କ ଅପେକ୍ଷା ଗାଁ ଲୋକ ଓ ପୋଲିସ୍‌ମାନଙ୍କ ସଂଖ୍ୟା ଅଧିକ୤ ଏହା ଆମ ରାଜ୍ୟ ପାଇଁ ଏକ ଶୁଭଲକ୍ଷଣ, କାରଣ କଲେଜ ଆସିବା ଅର୍ଥ ଯେ ଶ୍ରେଣୀଗୃହକୁ ଯିବା-ୟା’ର କିଛି ମାନେ ନାହିଁ୤ ପ୍ରକୃତ ସ୍ବାଧୀନତା ଅନୁଭବ କରିବାକୁ ହେଲେ ସଭାର ସଂକୀର୍ଣ୍ଣ ସଭାସ୍ଥଳୀ ମଧ୍ୟରେ ନ ରହି ବାରଣ୍ଡାରେ, ଅଫିସ୍‌ ଦୁଆର ମୁହଁରେ, ଗଛ ଉପରେ, ଛାତ ଉପରେ ଓ ପାଣିଟାଙ୍କି ଉପରେ ରହି ମଧ୍ୟ ଆପଣମାନେ ମୋ ଭାଷଣ ଶୁଣିବାକୁ ଆଗ୍ରହର ସହ କାନ ଡେରିଛନ୍ତି ଏବଂ ନିଜ ନିଜ ମଧ୍ୟରେ ପାଟିତୁଣ୍ଡ, ଯୁକ୍ତିତର୍କ ଓ ହାତାହାତି ହେଉଥିବାର ଅଭ୍ୟାସ ଜାରି ରଖିଛନ୍ତି୤ ଧନ୍ୟ ତୁମେମାନେ, କାରଣ ଆସନ୍ତାକାଲି ତୁମେମାନେ ବିଧାନସଭାକୁ ଗଲେ ଶଙ୍ଖ, ଘଣ୍ଟା, ମହୁରୀ, ଖୋଳ, କରତାଳ ବଜାଇବା, ମାଇକ୍‌ ଭାଙ୍ଗିବା, ଚେୟାର ଫୋପାଡ଼ିବା ଇଦ୍ୟାଦି ବୈଧାନିକ କାର୍ଯ୍ୟଗୁଡ଼ିକ ପାଇଁ ଆଉ ଟ୍ରେନିଂ ନେବା ଦରକାର ପଡ଼ିବ ନାହିଁ୤ ସଭାସ୍ଥଳରେ ନ ରହି ବାହାରେ ରହିବାର ଏଭଳି ଅଭ୍ୟାସର ସ୍ବାଧୀନତା ତୁମମାନଙ୍କ ବାରମ୍ବାର ବିଧାନସଭା ମୁଲତବୀ କରାଇ କ୍ୟାଣ୍ଟିନ ଆଡ଼େ ମୁହାଁଇବାରେ ଭବିଷ୍ୟତରେ ଯଥେଷ୍ଟ ସାହାଯ୍ୟ କରିବ୤ ଏଠାକୁ ମାତ୍ର ପଚାଶ ଷାଠିଏ ପୋଲିସ ଆସିଛନ୍ତି୤ ନିର୍ବାଚନ ଅତି ନିକଟେଇ ଆସିଲାଣି- ମୁଁ ପ୍ରତିଶ୍ରୁତି ଦେଉଛି ତୁମମାନଙ୍କ ମଧ୍ୟରୁ ଯେଉଁମାନେ ସଚିବ, ନିର୍ଦ୍ଦେଶକ ବା ଲୋକପ୍ରତିନିଧି ହେବେ, ସେମାନଙ୍କ ପ୍ରତିରକ୍ଷା ପାଇଁ ବିଶ୍ରାମଗୃହ, ଡ୍ରଇଁ ରୁମ୍‌ ଏପରି କି ପାଇଖାନା ଘର ଲାଗି ମଧ୍ୟ ପୋଲିସ୍‌ ପ୍ରୋଟେକ୍‌ସନ ଦେବାର ବିଲ୍‌ ଆଗତ କରାଇବି୤ କାରଣ ମାଓବାଦୀମାନେ କେତେବେଳେ କେଉଁଠି, କେଉଁ ମୁହୂର୍ତ୍ତରେ କ୍ଷମତାସୀନମାନଙ୍କୁ ଆକ୍ରମଣ କରିବେ, ତା’ର କିଛି ଠିକଣା ନାହିଁ୤

ମୁଁ ପଶୁ ଓ ପକ୍ଷୀ ବିଭାଗ ମନ୍ତ୍ରୀ ହେଲେ ମଧ୍ୟ ତୁମେମାନେ ମୋତେ କଲେଜକୁ କାହିଁକି ଡାକିଛ ମୁଁ ଜାଣେ୤ ତୁମେ ଛାତ୍ରୀଛାତ୍ରମାନେ କଲେଜ ମାଟି ମାଡ଼ିବା ପରେ ପଶୁପକ୍ଷୀଙ୍କ ପରି ସବୁ ଜାଗାରେ ସବୁବେଳେ ବିନା ଲୁଗାପଟାରେ ସ୍ବାଧୀନ ଭାବେ ଏକାଠି ବୁଲିବାକୁ ଚାହୁଁଛ- ମୁଁ ଏଥିରେ ବହୁତ ଖୁସୀ୤ ମୁଁ ଶୁଣିପାରୁଛି ତୁମେମାନେ ହାଲ୍ଲାଗୁଲା କରୁଛ, ତାଳି ମାରୁଛ ଏବଂ ବେଳେବେଳେ ଛୋଟ ଛୋଟ ଗୋଡ଼ି ମଧ୍ୟ ସଭାସ୍ଥଳରୁ ଓ ବାହାରୁ ଷ୍ଟେଜ ଉପରକୁ ଫିଙ୍ଗୁଛ୤ ବିଦେଶରେ ଅଣ୍ଡା ପକାନ୍ତି- ଆମ ଦେଶ ବହୁତ ପଛରେ୤ ଏହା ଏକ ଗରିବ ଦେଶ ବୋଲି ଆପଣମାନେ ଅଣ୍ଡା ପକାଇ ପାରୁନାହାନ୍ତି୤ ମୁଁ ପ୍ରତିଶ୍ରୁତି ଦେଉଛି ଏ ଦେଶର ଛାତ୍ରଛାତ୍ରୀମାନଙ୍କ ଷ୍ଟାଣ୍ଡାର୍ଡ଼ ଅଣ୍ଡା ଫୋପାଡ଼ିବା ଭଳି ହେବା ପର୍ଯ୍ୟନ୍ତ ମୁଁ ବାରମ୍ବାର ମନ୍ତ୍ରୀ ହୋଇ ପର୍ଯ୍ୟାପ୍ତ ପରିମାଣର ଅଣ୍ଡା କଲେଜମାନଙ୍କୁ ଯୋଗାଇବା ବ୍ୟବସ୍ଥା ନିଶ୍ଚୟ କରିବି୤

ମୁଁ ଜାଣେ ତୁମେମାନେ ଏ ଦେଶର ଭବିଷ୍ୟତ୤ ତୁମେମାନେ ଜାଣିସାରିଲଣି ଯେ ଜ୍ଞାନୀମାନେ ଭୀରୁ, ଡରକୁଳା ଓ ମାଇଚିଆ୤ ମୂର୍ଖତା ହିଁ ଉପରକୁ ଉଠିବାର ମାପକାଠି୤ ପାଠ ନୁହେଁ, ଶାଠ ହିଁ ସାହସର ଜନନୀ୤ ତେଣୁ ତୁମେମାନେ କ୍ଲାସ୍‌କୁ ନ ଯାଇ ଷ୍ଟେୟାର କେସ୍‌ ତଳେ, ଛାତ ଉପରେ, କ୍ଲାସ୍‌ ହେଉ ନ ଥିବା ରୁମ୍‌ରେ ଏକାଠି ହୋଇ ଯୋଡ଼ି ଯୋଡ଼ି ହୋଇ ଲିଭିଂ ଟୁଗେଦର୍‌ର ଅଭ୍ୟାସ କରୁଛ୤ ମୁଁ ଆଶୀର୍ବାଦ କରୁଛି, ତୁମେମାନେ ଆମ ବିଭାଗର ପଶୁପକ୍ଷୀଙ୍କ ପରି ଯତ୍ର, ତତ୍ର, ସର୍ବତ୍ର ଏକାଠି ହୁଅ- ମନେରଖ, କଲେଜ ପରିସର ଭଳି ଆଉ ଉତ୍ତମ ଜାଗା ତୁମକୁ କେବେ ବି ମିଳି ନ ପାରେ୤ ତେଣୁ ଜାତି, ଧର୍ମ, ବର୍ଣ୍ଣ ଓ ବୟସ ନିର୍ବିଶେଷରେ କେବଳ ‘ମିଳନ’କୁ ହିଁ ପରମ ଳକ୍ଷ୍ୟ କର୤ ଦେଖିବ, ଚାକିରି, ବାକିରି ନ ପାଇଲେ ବି କୌଣସି ନେତା ପଛରେ ଗୋଡ଼େଇ ଗୋଡ଼େଇ ଦିନେ ନା ଦିନେ ତୁମେ ରାଜନୀତିରେ ପଶିଯିବ୤ ପିଲାମାନେ ମନେରଖ, ଜୀବନରେ ଏକମାତ୍ର ଲକ୍ଷ୍ୟ ରଖ ଯେ କିଛି ନ ହେଲେ ସରପଞ୍ଚ, ୱାର୍ଡ଼ମେମ୍ବର, ଜିଲ୍ଲା ପରିଷଦ ସଭ୍ୟ, ଏମ୍‌ଏଲ୍‌ଏ ହେବ୤ ମୋ ଆଦର୍ଶକୁ ଅନୁସରଣ କର, ଦେଖ ମୁଁ କେମିତି ଯେଉଁ ଦଳ ଶାସନ କ୍ଷମତାରେ ରହିଲେ ବି ନିଶ୍ଚୟ ମନ୍ତ୍ରୀ ହୋଇପାରୁଛି ! ଦରକାର ପଡ଼ିଲେ ବର୍ଷକ ମଧ୍ୟରେ ପାଞ୍ଚଟା ଦଳ ପରିବର୍ତ୍ତନ କରି ମଧ୍ୟ ମୁଁ ସବୁବେଳେ ମନ୍ତ୍ରୀପଦକୁ ଲକ୍ଷ୍ୟ ରଖିଛି ଏବଂ ହେଉଛି ମଧ୍ୟ୤ ନିଜ ସ୍ବାର୍ଥରେ ବା ମାନସସମ୍ମାନରେ ଆଞ୍ଚ୍‌ ଆସିବା ମାତ୍ରେ ଦଳ ଛାଡ଼ି ଅନ୍ୟତ୍ର ଯିବାକୁ ପ୍ରସ୍ତୁତ ରୁହ୤ ଦଳରେ ତୁମେ ଏକମାତ୍ର ସଭ୍ୟ ହେଲେ ବି ଆପ୍ରାଣ ଚେଷ୍ଟା ଦ୍ବାରା ବହୁ ପୁରୁଷ, ସ୍ତ୍ରୀ, ସାବାଳକ ଓ ସାବାଳିକା ତୁମ ଦଳରେ ମିଶିଯିବେ୤ ଏଥିପାଇଁ ଗୋଟାଏ ନିର୍ମଳ ଭାବମୂର୍ତ୍ତି ଦରକାର୤ ତୁମେମାନେ ଜାଣିଛ କି ଏ ଭାବମୂର୍ତ୍ତି କ’ଣ ? ଏ ଭାବମୂର୍ତ୍ତି ହେଲା କିଶୋର ଅବସ୍ଥାରୁ କଲୋନୀରେ, ସ୍କୁଲରେ, ସଭାସଭିତି ଆୟୋଜନରେ, ଗଣେଶ ପୂଜା, ସରସ୍ବତୀ ପୂଜା କରିବାରେ ସର୍ବସାଧାରଣଙ୍କୁ ଧମକାଇ ଚାନ୍ଦା ଆଦାୟ କରିବା, କଥା କଥାକେ ଛୁରି, ପିସ୍ତଲ, ଖଣ୍ଡା ବା ଭୁଜାଲି ଚଳେଇବା, ଜନାକାରି କେସ୍‌ କରିବା ଓ କରାଇବା, ବାରମ୍ବାର ଥାନାକୁ ଯିବା ଓ ଥାନାରୁ ଜେଲ୍‌‌କୁ ଯାଇ ଜାମିନରେ ଆସିବା, ଜବରଦସ୍ତ ଟଙ୍କା ଧାର ଆଣି ନ ଫେରେଇବା, ଚାନ୍ଦା ଟଙ୍କାରୁ ମଦ ପାଣି ପାଇଁ ପର୍ଯ୍ୟାପ୍ତ ଟଙ୍କାର ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେବା ଏବଂ ପାଞ୍ଚଶହ ଖର୍ଚ୍ଚ କରି ପାଞ୍ଚହଜାରର ଭାଉଚର ତିଆରି କରିବା୤ ତୁମେମାନେ ଦେଖୁଥିବ, ସବୁ ଜାଗାରେ ପାଞ୍ଚ ସାତଜଣ ଲୋକ ନେତାଙ୍କ ପ୍ରଚ୍ଛନ୍ନ ଆଶୀର୍ବାଦରେ ଶହ ଶହ ସର୍ବସାଧାରଣଙ୍କ ଠାରୁ ଚାନ୍ଦା ଆଦାୟ କରି, ଧମକାଇ, ବଳପ୍ରୟୋଗ କରି ପରିଶେଷରେ ନିଜେ ନେତା ବନିଯାଉଛନ୍ତି ଓ ସାତଜନ୍ମ ପାଇଁ ଜମିବାଡ଼ି, ଘରଦ୍ବାର ଓ ବ୍ୟବସାୟମାନ ପ୍ରତିଷ୍ଠା କରିଯାଉଛନ୍ତି୤ ମୁଁ ସ୍ପଷ୍ଟ ଜାଣିପାରୁଛି ତୁମମାନଙ୍କଠାରେ ଏ କଲେଜ କ୍ୟାରିୟରରେ ଏଭଳି କଳାର ଯଥେଷ୍ଟ ବିକାଶ ଘଟିଚାଲିଛି ଓ ଚାଲିବ ମଧ୍ୟ୤

ଏବେ ମୁଁ ଶୁଣିପାରୁଛି ତୁମମାନଙ୍କ ମଧ୍ୟରୁ ଅନେକ କୁକୁର, ବିଲୁଆ, ବିରାଡ଼ି ଇତ୍ୟାଦିଙ୍କ ବୋବାଇବା ଶବ୍ଦ କରିପାରୁଛ୤ ଏ ସବୁକୁ ମୁଁ ବହୁତ ପସନ୍ଦ କରେ୤ ମୋ ପୁଅ ଏଭଳି ଶବ୍ଦ କରିବାରେ ଧୁରନ୍ଧର ଥିବାରୁ ତା’ ପଛରେ ଅନେକ ଝିଅ ଗୋଡ଼େଇଥିଲେ୤ ମୁଁ ସେମାନଙ୍କ ମଧ୍ୟରୁ ଜଣକୁ ମୋ ପୁଅ ପସନ୍ଦରେ ବୋହୂ ବି କରିଆଣିଛି୤ ଏବେ ଆମ ଘରେ ଶାନ୍ତି ବିରାଜମାନ କରିଛି ଓ ପରିବାରର ବାତାବରଣରେ ସମ୍ପୂର୍ଣ୍ଣ ଶୃଙ୍ଖଳା ଆସିଛି, କାରଣ ଏବେ ବୋହୂ ସବୁବେଳେ କୁକୁର ଭଳି ଭୋ ଭୋ ଶବ୍ଦ କରୁଛି ଓ ପୁଅ ବିରାଡ଼ି ଭଳି ମିଆଉଁ ମିଆଉଁ ହୋଇ ତା କଥାରେ ଉଠବସ୍‌ ହେଉଛି୤

ଆମେ ଶାସନରେ ଥିବା ମନ୍ତ୍ରୀ ଓ ସଚିବ ଜାଣୁ ଯେ ତୁମମାନଙ୍କର ପାଠ ପଢ଼ିବା ପ୍ରତି ଆଉ ଆଗ୍ରହ ନାହିଁ୤ କେବଳ ନେତା ହେବା, ଯୋଡ଼ି ଯୋଡ଼ି ହୋଇ ହୋଟେଲ୍‌ରେ ଖାଇବା, ଡିଭିଡ଼ି ସହ ଟିଭି ମାଧ୍ୟମରେ ବିଭିନ୍ନ ଚିତ୍ର ଓ ଖେଳ ଦେଖିବାରେ ତୁମର ପ୍ରବଳ ଆଗ୍ରହ୤ ତେଣୁ ଆମ ସରକାର କଲେଜମାନଙ୍କରୁ ଅଧ୍ୟାପକ, ଅଧ୍ୟାପିକାଙ୍କ ସଂଖ୍ୟା କମେଇ ଚାଲିଛନ୍ତି, ସବୁ କଲେଜକୁ ୟୁଜିସି ଗ୍ରାଣ୍ଟ ମାଧ୍ୟମରେ ଟିଭି, ଡିଭିଡ଼ି ପ୍ଲେୟାର ସହ ମାଗଣା ଇଣ୍ଟରନେଟ୍‌ ବ୍ୟବସ୍ଥା କରାଇଦେଇଛନ୍ତି୤ ପରୀକ୍ଷା ସଂଖ୍ୟା କମେଇ ଦେଇଛନ୍ତି ଓ ପ୍ରାଥମିକରୁ ମାଟ୍ରିକ୍‌ ଯାଏ ସମସ୍ତଙ୍କୁ ଯାହା ଲେଖିଲେ ବି ପାସ୍‌ କରିବା ବ୍ୟବସ୍ଥା କରେଇ ଦେଇଛନ୍ତି୤ ମୁଁ ତୁମମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ, ଆସନ୍ତା ଶୀତକାଳୀନ ଅଧିବେଶନରେ ବ୍ୟାକ୍‌ ସିଷ୍ଟମକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରେଇଦେଇ ତୁମମାନଙ୍କୁ କିଛି ନ ଲେଖିଲେ ବି ଡିଗ୍ରୀ ମିଳିବା ଆଇନ ପାଇଁ ଏକ ସ୍ବତନ୍ତ୍ର ବିଲ୍‌ ପେଶ୍‌ କରେଇଦେବି୤ କାରଣ, ପରୀକ୍ଷା ଭଳି ଅଦରକାରୀ ବୋଝ ଭାରରେ ତୁମମାନଙ୍କର ଅନ୍ୟାନ୍ୟ ବହୁମୁଖୀ ପ୍ରତିଭାର ବିକାଶ ହୋଇପାରୁନାହିଁ୤ ଜୟହିନ୍ଦ୍‌୤

ପଶୁ ଓ ପକ୍ଷୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ କୁଳାଙ୍ଗାରଙ୍କ ଭାଷଣ ଘନ ଘନ କରତାଳି ମଧ୍ୟରେ ଶେଷହେବା ଉତ୍ତାରେ ମନ୍ତ୍ରୀ ତରତର ହୋଇ ଅଧ୍ୟକ୍ଷ ଓ ଅନ୍ୟାନ୍ୟମାନଙ୍କୁ ହାତଯୋଡ଼ି ସଭାସ୍ଥଳ ଛାଡ଼ି ବାଲେଶ୍ବରରେ ଏକ ସୁଲଭ ଶୌଚାଳୟ ଉଦ୍‌ଘାଟନ କରିବାକୁ ଚାଲିଗଲେ !!!

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନାରାୟଣ ମିଶ୍ର, ଭୁବନେଶ୍ବର
author photo
 

ମତାମତ ସଂଖ୍ୟା - ୧୪ ଆପଣଙ୍କ ମତାମତ ?

  • ୧. LOKANATH MAHANTA |  ଅକ୍ଟୋବର୍ ୨୭, ୨୦୧୧ - ୧:୨୯ ଅପରାହ୍ନ

    very nice thinking

  • ୨. ଆନାରଂଜନ ବେହେରା କଳକଳା ଯାଜପୁର |  ଅକ୍ଟୋବର୍ ୩୦, ୨୦୧୧ - ୨:୫୦ ପୂର୍ବାହ୍ନ

    ଯେଉଁମାନେ ପଢିଥିବେ ଦୟାକରି ସେମାନେ ଅନ୍ୟମାନଙ୍କୁ ଶୁଣାନ୍ତୂ

  • ୩. ଆର୍ତ୍ତତ୍ରାନ ମିଶ୍ର ଦୁର୍ଗାପୁର୍ |  ନଭେମ୍ବର୍ ୩, ୨୦୧୧ - ୨:୫୬ ପୂର୍ବାହ୍ନ

    mind refreshment .

  • ୪. Sandip K. Dasverma |  ନଭେମ୍ବର୍ ୫, ୨୦୧୧ - ୯:୩୨ ଅପରାହ୍ନ

    ଉତ୍ତମ୍ ଲେଖାଟିଏ ୥ ନାରାୟଣ ବାବୁଙ୍କୁ ଧନ୍ୟବାଦ୍ ୥

  • ୫. ଲକ୍ଷ୍ମୀକାନ୍ତ ଘୋଷ |  ନଭେମ୍ବର୍ ୭, ୨୦୧୧ - ୯:୪୭ ପୂର୍ବାହ୍ନ

    ପ୍ରକୃତରେ ଆମ ରାଜ୍ୟରେ ବହୁତ ଭଲ ଜ୍ଞାନୀ ଲୋକ ମନେ ଅଛନ୍ତି୥

  • ୬. mamaliii |  ନଭେମ୍ବର୍ ୨୫, ୨୦୧୧ - ୨:୧୮ ପୂର୍ବାହ୍ନ

    haa ha haa haaa seriously……………..
    mote atee hasa laguchi je mu sambhali paruni siireeeeeeeeee
    atee budhiiiiiiiiiii mane idea kouthu asilaaaaaaaaaaaa
    mu na hassi auu rahi paruni………………

    kintu sirr……aita sata katha je ama college manakare board rahiba darkar………… n pila manaku……….bhala sikhayaka nihattio rahiba darkaar…………abang…..semanaku pasuu bhali chdidele aee maati ra kaa heba……

    no doubt its a gud comedy galpa……
    but sir u have really addressed the peroble……….m…

    sir ama pila manak kana heba??????
    comedy hele bi aeha sata…………..jouta ama loka nka akhi agare re rahiki bi jou jinisa bhul hauchi auu
    sarangi madam jaha bhul niyama kannoon tiari karuchanti..taha ninda jogya aeha kahibare kichi bhul nuhe………..but ama pila nku sidha kemiti karajiba??????
    please introduce odia moral science…………….
    gud story books for college children……….please give them the realization of will power……….to realize that they are the sons n daughters of a brave soli……..n its now their duty….. to take on the administration..and make our common people to think who we people are n how rich our culture is………………

    thank u…
    dhanyabad……

  • ୭. debiprasad maharana |  ଡିସେମ୍ବର୍ ୧, ୨୦୧୧ - ୩:୪୮ ପୂର୍ବାହ୍ନ

    khub sundar…super awesm…hats off to the writer…

  • ୮. ଲଳିତ ମୋହନ ସାହୁ |  ଡିସେମ୍ବର୍ ୧୬, ୨୦୧୧ - ୪:୨୪ ପୂର୍ବାହ୍ନ

    ବହୁତ ବଢିଆ ଲେଖା ଭଲ ଲାଗିଲା

  • ୯. Biswa Ranjan Goswami |  ଡିସେମ୍ବର୍ ୩୦, ୨୦୧୧ - ୧୦:୧୨ ପୂର୍ବାହ୍ନ

    bahut bahut bahut badhia…..

  • ୧୦. Bhanani |  ଡିସେମ୍ବର୍ ୩୧, ୨୦୧୧ - ୧୨:୨୦ ପୂର୍ବାହ୍ନ

    Very Very True .

  • ୧୧. ହେମନ୍ତ୍ କୁମର୍ ପତ୍ର |  ଫେବୃଆରୀ ୪, ୨୦୧୨ - ୧୧:୩୬ ପୂର୍ବାହ୍ନ

    ଖୁବ୍ ସୁନ୍ଦର୍ .ଧନ୍ୟବଦ୍

  • ୧୨. ପ୍ରଭୁଦତ୍ତ ଦାଶ |  ମାର୍ଚ୍ଚ୍ ୧୦, ୨୦୧୨ - ୧୨:୪୭ ଅପରାହ୍ନ

    ବହୁତ ଉତ୍ତମ ଲେଖା, ନେତାମାନଙ୍କର ପ୍ରକୃତ ଚେହେରା ଜଣା ପଡିଗଲା…… ଯେ ସେମାନେ କହିବାକୁ କଣ ଚାହାନ୍ତି ଆଉ କଣ କୁହନ୍ତି…. ଲେଖକ ମହାଶୟଙ୍କୁ ବହୁତ ବହୁତ ଧନ୍ୟବାଦ

  • ୧୩. Isica, Balangir |  ନଭେମ୍ବର୍ ୮, ୨୦୧୨ - ୧୨:୫୮ ପୂର୍ବାହ୍ନ

    really anice story. but the thing is now the collage students dont have the capacity of realising the real meaning of the story . they are busy in having fun by reading this.. its a matter of shame…

  • ୧୪. ଦାମୋଦର ବେହେରା, ଗୋହିରିବାଡ଼ି,ଗଞ୍ଜାମ |  ନଭେମ୍ବର୍ ୧୩, ୨୦୧୩ - ୨:୦୦ ପୂର୍ବାହ୍ନ

    ଗପଟି ଭଲ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤