ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମହାପାତ୍ର ନୀଳମଣି ସାହୁ
ଭଗବତୀ ଚରଣ ପାଣିଗ୍ରାହୀ
ନୀଳମଣି ବିଦ୍ୟାରତ୍ନ
ରମାକାନ୍ତ ରଥ
ଶାରଦା ପ୍ରସାଦ ମିଶ୍ର
ବ୍ରଜନାଥ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୫, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ମାଧୁରୀ ଦିକ୍ଷିତ-ବମ୍ବେର ଅପହଞ୍ଚ ସିନେମା ତାରକା, ଅଥଚ ଅବିନାଶର ନିଃସଙ୍ଗତାର ଚିରସାଥୀ୤ ଈଶ୍ବର-ଏବେ ସୁଦ୍ଧା ଅବିନାଶ ପାଇଁ ଏକ କୁହେଳିକା ଅଥଚ ତାଙ୍କର ନାମମାତ୍ର ଉଚ୍ଚାରଣରେ କେଡ଼େ ସାହାସ, ଓ ଆତ୍ମବିଶ୍ବାସ ଖୁନ୍ଦି ହେଇଯାଏ ହୃଦୟ ଭିତରେ୤ ଚାକିରୀ- ଏଯାବତ୍‌ ଅବିନାଶ ପାଇଁ ମରୀଚିକା, ଅଥଚ ତାକୁ ପାଇବା ପାଇଁ କି ପ୍ରଗାଢ଼ ପ୍ରଚେଷ୍ଟା୤

ମାଧୁରୀ, ଇଶ୍ବର ଓ ଚାକିରୀ୤ ତୃତୀୟ ଅବସ୍ଥିତିଟିକୁ ଅବିନାଶ କେଳେଇବ୤ ସେଥିରେ ସେ ବଞ୍ଚିବ, ଖାଇବ ଓ ପିନ୍ଧିବାକୁ ପାଇବ୤ ମୁଣ୍ଡ ଗୁଞ୍ଜିବାକୁ ଜାଗା ପାଇବ୤ ଛାତି ଫୁଲାଇ ଗାଁ ଦାଣ୍ଡରେ ଚାଲିବ୤ ଅନ୍ୟ ଦୁଇଟା ତା ପାଇଁ ପରବର୍ତ୍ତୀ ଅବସ୍ଥା୤

ଚାକିରୀ ଆଣିବ ଜୀବନରେ ଉଦ୍ଦାମତା, ସ୍ବପ୍ନିଳ ଜହ୍ନରାତି, ବାପା ବୋଉଙ୍କ ପାଇଁ ଔଷଧ, ସାନ ଭଉଣୀର ବାହାଘର, ତା ନିଜ ପାଇଁ ବିବାହ ପ୍ରସ୍ତାବ, ମଧୁରାତ୍ରୀ, ସୁନ୍ଦରୀ ପତ୍ନୀ ମୁଁହରେ ସେ ଦେଖିବ ମାଧୁରୀର ପଲିସ୍‌ କରା ହସ, ଆଖି ନଚା ଠାଣି, ତାର ଗରମ ଗରମ ନିଃଶ୍ବାସରେ ତରଳି ଯିବ କଠୋର ସଂଯମ୤ଇସ୍‌, ଚାକିରୀ କଣ ସ୍ବର୍ଗର କାମଧେନୁ! ନା କଳ୍ପତରୁ! ଏଇ ଚାକିରୀ ଖଣ୍ଡେ ପାଇଁ କି କୁଚ୍ଛ୍ର ସାଧନା୤ ରାତି ଅନିଦ୍ରା ହେଇ ପଢୁଛି୤ ଦୁଇ ଓଳି ଆଠଟା ହାଇସ୍କୁଲ ପିଲାଙ୍କୁ ଟ୍ୟୁସନ କରୁଛି୤ ବଖୁରିକିଆ ଟିଣ ଛପର ଘରଟାରେ ନିଜ ପାଇଁ ଭାତ ଡାଲ୍‌ମା ନିଜେ ରାନ୍ଧୁଛି, ଅଥଚ ଏଯାଏ ଚାକିରୀଟାଏ ସେ ପାଇନି୤

ମା କେତେଥର ଚିଠି ଦେଲାଣି ଗାଁକୁ ଚାଲିଆସ୤ ଏଇଠି ଘରେ ଥାଇ ଚାକିରୀ ପାଇଁ ଚେଷ୍ଟା କର୤ ଅବିନାଶ ଯାଇ ପାରିନି୤ ଗାଁରେ ରହିବାକୁ ଏବେ ତାକୁ କେମିତି ମାଡ଼ି ମାଡ଼ି ପଡ଼ୁଛି୤

ଗାଁକୁ ଗଲେ ବିଲ ବାଟରେ ଲୁଚି ଲୁଚି ବାରିପଟ ଦେଇ ଘରକୁ ପଶୁଛି୤ କୋଉଁଥି ପାଇଁ ? ଏଇଥି ପାଇଁ ଯେ, କେହି ପଚାରି ଦିଏ, ଅବିନାଶ ଏତେ ପାଠ ପଢିଛି, ଏବେ କଣ କରୁଛି? ଅବିନାଶ କଣ କହିବ? ତାର ବେଳେବେଳେ ମନେହୁଏ ସେ ଯେମିତି ନିଜର ପୁରୁଷତ୍ବ ହରେଇଛି, ନିଜ ଭିତରେ କେମିତି ଗୋଟାଏ ହିଞ୍ଜଡ଼ା ଭାବ ଧୀରେ ଧୀରେ ତାକୁ ଅଣପୁରୁଷା କରିଦେଉଛି୤

ନିମ୍ନମଧ୍ୟବିତ୍ତ ବାପାଙ୍କର ସମସ୍ତ କଷ୍ଟୋପାର୍ଜିତ ଝାଳବୁହା ଧନକୁ ଆତ୍ମସାତ୍‌ କରି ସେ ପାଠ ପଢ଼ିଛି୤ ସେମାନଙ୍କ ଆଖିରେ ଭରି ଦେଇଛି ଅଜସ୍ର ସୁନେଲି ସ୍ବପ୍ନ୤ ପୁଅ ଖୁବ୍‌ ପାଠ ପଢ଼ୁଛି, ବଡ଼ ଚାକିରୀ କରିବ୤ ତାଙ୍କ ପରିବାରର ମର୍ଯ୍ୟାଦା ବଢ଼େଇବ୤ ସବୁ ଅଭାବ, ଦାରିଦ୍ର୍ଯ ଧୂଳି ପରି ଉଡ଼ିଯିବ୤

ଓଃ ଅବିନାଶର ମୁଣ୍ଡକୁ କିଏ ଅବା କୋରି ପକଉଥିଲା୤ ନଡ଼ିଆ କୋରିଲା ଭଳି୤ ଆଃ ଚାକିରୀ -ଦୂରନ୍ତ ମରୀଚିକା୤ ପୌଷ ସକାଳର ଏକ ବିଳମ୍ବିତ ମୁହୂର୍ତ୍ତରେ ସୁଦ୍ଧା ଅବିନାଶ ଶେଯ ଛାଡ଼ିନାହିଁ୤ ଶୀତର କାଲୁଆ ପାପୁଲି ଏବେବି ଜାବୁଡ଼ି ଧରିଛି ରାସ୍ତା ଘାଟ, ସହର ବଜାର, ଗାଡିଘୋଡ଼ା ଓ ଗଛପତ୍ରକୁ ସୁଦ୍ଧା୤ ସହରଟା ଯେମିତି ଜାକିଜୁକି ହେଇ ତାର ଅବସ୍ଥିତିଠାରୁ କ୍ଷୁଦ୍ର ହେଇଯାଇଛି୤ ଯେମିତି ଅବିନାଶ କମ୍ବଳ ତଳେ ଜାକି ଜୁକି ହେଇ ଛଅଫୁଟର ଯୁବକରୁ ପାଲଟି ଯାଇଛି ଆଠବର୍ଷର ବାଳକଟିଏ୤

ବିଛଣାରେ ତକିଆ କଡ଼ରେ ପଡିରହିଛି ପ୍ଲାଷ୍ଟିକ୍‌ ଖୋଳ ଭିତରେ ତାର ବିଶ୍ବବିଦ୍ୟାଳୟର ଡିଗ୍ରୀ ଓ ବିଭିନ୍ନ ପ୍ରତିଯୋଗିତାରେ ପାଇଥିବା ସାର୍ଟିଫିକେଟ୍‌ଗୁଡ଼ା୤

ଅବିନାଶ କଡ଼ ଲେଉଟାଇଲା, ହଠାତ୍‌ ତାର ଗାଲରେ ଘଷିହେଲା ପ୍ଲାଷ୍ଟିକ୍‌ ଖୋଳଟାଏ, ଆଃ କି ଥଣ୍ଡା, ତାକୁ ଜଣାଗଲା ଏଇସବୁ ମୁଦ୍ରିତ କାଗଜଗୁଡ଼ା ଏକାଧାରରେ ମୂଲ୍ୟବାନ ଓ ମୂଲ୍ୟହୀନ, ଓଜନିଆ ଓ ହାଲ୍‌କା, ଆଲୋକ ଓ ଅନ୍ଧାର୤ ଏସବୁ ତା ପାଇଁ ହୁଏତ ସଂସାର ର ସବୁଠୁ ଦୁର୍ମୂଲ୍ୟ ବସ୍ତୁ୤ ଅଥଚ, ବେଳେବେଳେ ମନେ ହୋଇଛି ଏ ଗୁଡିକର କୌଣସି ମୂଲ୍ୟ ହିଁ ନାହିଁ୤ ଅଥଚ ଏଇସବୁ ସାର୍ଟିଫିକେଟର ଅକ୍ଷରଗୁଡ଼ା ଯେମିତି ଶତାଦ୍ଦୀ ଶତାଦ୍ଦୀ ଧରି ପାଠପଢ଼ା ମଣିଷମାନଙ୍କ ଅକୁହା ଇତିହାସର ମୁଦ୍ରିତ ପୃଷ୍ଠବନ୍ଧ୤

ବାହାରେ ପୋଷ୍ଟ୍‌ପିଅନ୍‌ର ଡାକ ଶୁଭିଲା୤ ଓଃ ଏବେ ଗୁଡ଼ାଏ ଦିନ ହେଲାଣି ବାପାଙ୍କ ଚିଠି ଆସି ନଥିଲା୤ ଆସିଛି ବୋଧେ୤

ବାପାଙ୍କ ଚିଠି ସାରା ଗୀତା ଭାଗବତରୁ ଉଦ୍ଧୃତ ଓଜନିଆ ମହତ୍‌ ବାଣୀ୤ ଭଲ ମଣିଷ ଓ ବଡ଼ ମଣିଷ ହେବାପାଇଁ ଅସରା ଅସରା ଉପଦେଶ୤ ଅବିନାଶ ଭାବୁଥିଲା, ଆସିଥାନ୍ତା କି ଗୋଲାପି ରଙ୍ଗର ଲଫାପାଟିଏ, କେଉଁ ଏକ ଅଜଣା ପ୍ରେମିକାର୤ ଚମ୍ପାକଢ଼ି ଆଙ୍ଗୁଳିର ବାଇଁଗଣ ମଞ୍ଜି ପରି ଅକ୍ଷରରେ ଲେଖା ଚିଠି ଖଣ୍ଡେ୤ ଭୁରୁଭୁରୁ ବାସୁଥାନ୍ତା ନାଁ ଅଜଣା ଅତର ବାସ୍ନାରେ୤

ପୋଷ୍ଟ୍‌ପିଅନ ଡାକ ପୁଣି ଶୁଭିଲା ଆଜ୍ଞା ବାହାରନ୍ତୁ, ଆପଣଙ୍କର ରେଜିଷ୍ଟର୍‌ଡ଼ ଚିଠି ଅଛି୤ ଅବିନାଶ ଅଳସ ଭାଙ୍ଗି ଉଠିଲା, ହାଇଟାଏ ମାରୁ ମାରୁ ଟାୱେଲ୍‌ରେ ଆଖି କୋଣର ନେଞ୍ଜରା ପୋଛି ବାହାରକୁ ଆସିଲା୤ ଦସ୍ତଖତ କରି ଚିଠି ନେଲା୤ ନା ଏଇଟା ବାପାଙ୍କ ଚିଠି ନୁହେଁ୤ ବାପା ସବୁବେଳେ ପୋଷ୍ଟକାର୍ଡ଼ ନହେଲେ ଇନଲ୍ୟାଣ୍ଡ ଲେଟରରେ ଦିଅନ୍ତି୤ କୌଣସି ଅଜଣା ପ୍ରେମିକାର ଅତରସିଞ୍ଚା ଲଭ୍‌ଲେଟର୍‌ ବି ନୁହେଁ୤ ମାଟିଆ ଖାମ୍‌ରେ ସିଲ୍‌ ହୋଇଥିବା ରେଜିଷ୍ଟର୍‌ଡ଼ ଲଫାପା୤ ହୁଏତ କେଉଁ ପରୀକ୍ଷାର ଆଡ୍‌ମିଟ୍‌ କାର୍ଡ ଅବା କେଉଁ କମ୍ପାନୀର ଇଣ୍ଟରଭ୍ୟୁ ଲେଟର୍‌୤ ସେ ଲଫାପା ଖୋଲିଲା ନାହିଁ୤ ତକିଆ କଡ଼େ ଫିଙ୍ଗି ଦେଲା୤ ଅବିନାଶ ଆଉଥରେ ବିଛଣାରେ ଗଡ଼ିଗଲା୤ ସେଇମିତି ଶୋଉ ଶୋଉ ମାଧୁରୀ ଦେହର ଉଷ୍ଣତାକୁ ନିଜ ଦେହରେ ଅନୁଭବ କରିବାକୁ ଚେଷ୍ଟା କଲା୤ ଅଥଚ ମଝିରେ ମଝିରେ ମାଆର ମୁହଁଟି ଭାବନା ମଝିକୁ ପଶିଆସିବାରୁ ବିରକ୍ତ ହେଲା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲଳିତା ଖଣ୍ଡା, ସୁନ୍ଦରଗଡ଼
ଜଣେ ଶିକ୍ଷୟିତ୍ରୀଭାବେ କର୍ମମୟ ଜୀବନର ଜଞ୍ଜାଳ ମଧ୍ୟରେ ସୁନ୍ଦରଗଡ଼ ପରି ଉପାନ୍ତ ସହରରେ ନିଜର ସାହିତ୍ୟ ସାଧନା ଅବ୍ୟାହତ ରଖିଛନ୍ତି ଶ୍ରୀମତୀ ଲଳିତା ଖଣ୍ଡା୤ ଏକାଧିକ ସମ୍ମାନ ଓ ପୁରସ୍କାର ପାଇଥିବା ଶ୍ରୀମତୀ ଖଣ୍ଡା ନିଜସ୍ବ ଉଦ୍ୟମରେ ଲାବଣ୍ୟ ନାମକ ଏକ ସାହିତ୍ୟ ପତ୍ରିକା ଆରମ୍ଭ କରିଥିଲେ୤ ବିଶେଷ କରି ନାରୀମାନଙ୍କର ବିଭିନ୍ନ ସମସ୍ୟା ଓ ବିଷୟ ଉପରେ ଗଳ୍ପ ଲେଖି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ସେ୤
 

ମତାମତ ସଂଖ୍ୟା - ୧୨ ଆପଣଙ୍କ ମତାମତ ?

  • ୧. kamakshya jena |  ଜୁଲାଇ ୬, ୨୦୧୨ - ୮:୧୧ ଅପରାହ୍ନ

    Khyudra galpa kintu ati sundar manachhuan.Lekhaka mahasay nku anek subhechha

  • ୨. Biswaranjan mishra |  ଜୁଲାଇ ୭, ୨୦୧୨ - ୬:୪୩ ପୂର୍ବାହ୍ନ

    Inspiring..

  • ୩. ରଶ୍ମିରଞ୍ଜନ ପତି |  ଜୁଲାଇ ୭, ୨୦୧୨ - ୮:୧୨ ପୂର୍ବାହ୍ନ

    ବହୁତ ଭଲ ଲେଖା,ଧନ୍ୟବାଦ ଆପଣଙ୍କୁ

  • ୪. ଦେବେନ୍ଦ୍ର ବେହେରା, ସବଡେଗା (ସୁନ୍ଦରଗଡ) |  ଜୁଲାଇ ୧୭, ୨୦୧୨ - ୭:୪୦ ପୂର୍ବାହ୍ନ

    ଲାବଣ୍ୟ ପତ୍ରିକା ରେ ଶ୍ରୀମତୀ ଲଳିତା ଖଣ୍ଡା ଙ୍କ ସମ୍ପାଦନା ର ତୁଳନା ନାହିଁ୤ ଶିକ୍ଷୟିତ୍ରୀଭାବେ କର୍ମମୟ ଜୀବନର ଜଞ୍ଜାଳ ଭିତରେ ତାଙ୍କ ଲେଖନୀ ଏମିତି ଆଗେଇ ଥାଉ୤

  • ୫. ୟୋଗେଶ୍ବର ପ୍ରଧାନ |  ଜୁଲାଇ ୨୨, ୨୦୧୨ - ୬:୨୭ ପୂର୍ବାହ୍ନ

    ଖୁବ୍ ଭଲହୋଇଛି ।

  • ୬. ବିଜନ ରାୟ୍ |  ଅଗଷ୍ଟ୍ ୩, ୨୦୧୨ - ୫:୪୮ ପୂର୍ବାହ୍ନ

    ଏହିପରି ସୁନ୍ଦର ଗପ ଲେଖନ୍ତୁ. ଧନ୍ୟବାଦ୍.

  • ୭. ପ୍ରିୟରଞ୍ଜନ |  ଅଗଷ୍ଟ୍ ୨୯, ୨୦୧୨ - ୯:୫୨ ପୂର୍ବାହ୍ନ

    ମୁଖ୍ୟ ଚରିତ୍ର ର ଜୀବନରେ ଦୁଃଖ ର ମାତ୍ରା ଟିକେ କମ୍ ଲାଗିଲା୤
    ବୋଧ୍ ହୁଏ ସେଥିପାଇଁ ଶେଷରେ ଖୁସି ଟା କଳ୍ପନା ଅନୁସାରେ ହେଲାନି୤ ତଥାପି ଭଲ ଲାଗିଲା୤

  • ୮. Trilochan Das, cuttack |  ଡିସେମ୍ବର୍ ୧୫, ୨୦୧୨ - ୨:୧୦ ପୂର୍ବାହ୍ନ

    This is Best Inspiration Of a Middle Class Family Boy.
    Thanks a Lot.

  • ୯. କନ୍ଦର୍ପଜିତ କଲ୍ଲୋଲ, ଅସମ |  ଡିସେମ୍ବର୍ ୨୬, ୨୦୧୨ - ୩:୪୦ ପୂର୍ବାହ୍ନ

    ଭଲ ଲାଗିଲା । ଗଳ୍ପରୁ ବର୍ଣନାଟି ଭଲ ହେଉଁଛି । ଗୋଟଟ ଓଡ଼ିଆ ଗଳ୍ପ କାମତାପୁରୀ (ରାଜବଂଶୀ) ଭାଷାରେ ଅନୁବାଦ କରିବା ପାଇଁ ମୋ ପାଖକୁ ପ୍ରସ୍ତାବ ଆସୁଛି । ମୁଁ ‘ହାଉସ’ ପତ୍ରିକା ପାଇଁ ଏଇ ଗଳ୍ପଟାକୁ ଅନୁବାଦ କରିବି ।

  • ୧୦. କନ୍ଦର୍ପଜିତ କଲ୍ଲୋଲ, ହରଲଟାରୀ, ସାପଟଗ୍ରାମ, ଧୁବୁରୀ, ଅସମ |  ଡିସେମ୍ବର୍ ୨୬, ୨୦୧୨ - ୩:୪୭ ପୂର୍ବାହ୍ନ

    [ଗୋଟଟ ନୂଁହେ ଗୋଟେ] ଆମ ଭାଷାରେ ଗଳ୍ପଟାର ନାଁ ହେବ “মাধুৰী ঈশ্বৰ আৰ চাকিৰী” (ମାଧୁରୀ, ଈଶ୍ବର ଆର ଚାକିରୀ)

  • ୧୧. debendra lenka, cuttack,odisha |  ମେ ୧୦, ୨୦୧୩ - ୧୧:୫୧ ପୂର୍ବାହ୍ନ

    nice story.it tells if u have the passion god always there with u

  • ୧୨. ମାନଶ ରଞ୍ଜନ ବାରିକ, ବଳସାଦ ଗୁଜୁରାଟ |  ଅଗଷ୍ଟ୍ ୫, ୨୦୧୪ - ୧୧:୦୧ ପୂର୍ବାହ୍ନ

    ଗରିବ ଆଉ ବେକାରି ପୁଣି ଚାକିରି ,ଏକ ନିଛକ ସତ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤