ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୭

ଲେଖକ ଓ ଲେଖିକା

ଅନନ୍ତ ପଟ୍ଟନାୟକ
କାଳିନ୍ଦି ଚରଣ ପାଣିଗ୍ରାହୀ
ଭଗବତୀ ଚରଣ ପାଣିଗ୍ରାହୀ
ସୁଧାଂଶୁ ଶେଖର ପାତ୍ର
ସୀତାକାନ୍ତ ମହାପାତ୍ର
ନୀଳମଣି ବିଦ୍ୟାରତ୍ନ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

କବିତା / ଥ୍ରିଲର୍
  ନିବେଦିତା ଜେନା, ରାଉରକେଲା
 
 
ତା: ମେ ୧୯, ୨୦୧୧  
ମୂଳ ପୃଷ୍ଠାଗଳ୍ପଅଣୁ ଗଳ୍ପ
 

ଶ୍ରାବଣର ଏକ ମଖମଲି ଅପରାହ୍ନ୤
ମଝିରେ ମଝିରେ ମେଘ ଗର୍ଜି ଘୋଷଣା କରୁଥାଏ ବର୍ଷାର ଆଗମନୀକୁ୤ ରଜତର ରୁମ୍ ଭିତରକୁ ଝଲ୍‌କା ଝଲ୍‌କା ବିଜୁଳିର ଉଜ୍ଜ୍ବଳତା ଧସେଇପଶୁଥାଏ୤ ରଜତ ପୁଣି ଗୋଟାଏ ଜବରଦସ୍ତ ଦମ୍ ଟାଣି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ ଛାଡ଼ିଲା ଓ ସେହି ଧୂଆଁ ମଧ୍ୟରେ ଶ୍ରାବଣୀର ନିରାବରଣ ଶରୀରକୁ ଦେଖି ଶିହରିଉଠିଲା୤

ଆଜିର ସ୍ବପ୍ନିଳ ସନ୍ଧ୍ୟାକୁ ତୁଛ କରିଦେବାକୁ ଆଦୌ ଇଚ୍ଛା ନ ଥିଲା ରଙ୍ଗୀନ୍ ମିଜାଜୀ ରଜତର୤ ଝିପ୍ଝିପ୍ ବର୍ଷା ସାଙ୍ଗକୁ ହାତରେ ସୁରା ଓ ବାହୁରେ ଶ୍ରାବଣୀ୤ ଆଃ…, ରଜତର ତଣ୍ଟି ଶୁଖିଗଲା୤ ହ୍ବିସ୍କୀର ଦ୍ବିତୀୟ ପେଗ୍‌ରେ ଓଠ ଲଗାଇଲା ସେ୤ ଯଦିଓ ଖୁବ୍ ନାରୀସକ୍ତ ରଜତ କିନ୍ତୁ ସ୍ବାସ୍ଥ୍ୟସଚେତନ ମଧ୍ୟ୤ ତେଣୁ ସେ ନିଜର ସୁନ୍ଦର ଶରୀର ଓ ବାକ୍ଚାତୁର୍ଯ୍ୟକୁ ଆୟୁଧ କରି ବନିଶୀ ପକାଏ ଘରୋଇ ପୋଖରୀଗୁଡ଼ିକରେ୤

ବେଶ୍ କିଛି ଦିନ ହେବ ତା ନଜର ପଡ଼ିଛି ଶ୍ରାବଣୀ ଉପରେ୤ ଶ୍ରାବଣୀ, ଇଞ୍ଜିନିୟର ଇନ୍ଦ୍ରଜିତ୍ ଦାସଙ୍କ ସହଧର୍ମିଣୀ୤ ସେ କବିତାକୁ ଭଲ ପାଆନ୍ତି ଓ କବିଙ୍କୁ ପ୍ରଚୁର ସମ୍ମାନ କରିନ୍ତି ବୋଲି ଇନ୍ଦ୍ରଜିତ୍ କିଛି ଦିନ ତଳେ ଜୋର୍ କରି ଧରିନେଇଥିଲେ ସାଥୀ ଇଞ୍ଜିନିୟର ତଥା କବି ରଜତଙ୍କୁ୤ ପ୍ରଥମ ଦେଖାରେ ହିଁ ରଜତର ପରଖିଲା ଆଖି ଶ୍ରାବଣୀକୁ ଚିହ୍ନିନେଇଥିଲା୤ ଛଳଛଳ କଳକଳ ପାହାଡ଼ୀ ଝରଣା ଭଳି ଚପଳ ଓ ସ୍ବଚ୍ଛ ଶ୍ରାବଣୀକୁ କବିତା ଶୁଣେଇ ସହଜରେ ବଶ କରିନେଇହେବ ବୋଲି ମନେ ହୋଇଥିଲା ତା’ର୤

ସୁଯୋଗ ବି ଆସି ପହଞ୍ଚିଥିଲା ଶୀଘ୍ର୤ ଇନ୍ଦ୍ରଜିତ୍ କିଛି ଦିନ ପାଇଁ କମ୍ପାନୀ ତରଫରୁ ଟୁର୍‌ରେ ଯାଇଥିଲା୤ ମଦ ପିଉପିଉ ରଜତ ଭାବିଲା, ଏ ସନ୍ଧ୍ୟାକୁ ବେଶ୍ ଉପଭୋଗ କରାଯାଇପାରିବ ଶ୍ରାବଣୀର ସାନ୍ନିଧ୍ୟରେ୤
ବାହାରେ ଝିପ୍ଝିପ୍ ବର୍ଷା୤
ଶ୍ରାବଣୀ ବୋର୍ ହେଉଥିଲା ଖାଲି ଟିଭି ଦେଖିଦେଖି୤ ଏତେ ଜଲଦି ଶୋଇବାର ଅଭ୍ୟାସ ତା’ର ନାହିଁ୤ ଭୋକ ବି ଲାଗି ନ ଥିଲା୤ ସମୟ କାଟିବାକୁ ସେ ବହି ଥାକରୁ ‘ମେଘଦୂତମ୍’ ଆଣି ପଢୁଥିଲା୤

ଠକ୍ଠକ୍ ଶବ୍ଦରେ କବାଟ ଖୋଲି ସେ ଦେଖେ ତ- କବି ରଜତ୤ ଶ୍ରାବଣୀ ଖୁସି ହୋଇଗଲା, ଆଃ, ଆଜିର ସନ୍ଧ୍ୟାଟା କବିତା ଓ ଚା’ ସହ ଖୁବ୍ ସୁନ୍ଦର ଭାବେ କଟିଯିବ ତ! ଶ୍ରାବଣୀ ରୋଷେଇ ଘରକୁ ଚା’ କରିବାକୁ ଗଲା୤ ରଜତ ମଧ୍ୟ ତା’ ପଛେପଛେ ଯାଇ ହାଜର୤ ରଜତର ଆଖି ଅଲଗା ଲାଗୁଥିଲା, କେମିତି ଗୋଟେ୤ ତାକୁ ଦେଖି ନିଜ ଆଖିକୁ ବିଶ୍ବାସ କରିପାରିଲାନି ଶ୍ରାବଣୀ୤ ଅବିଶ୍ବାସ ଓ ଦୁଃଖରେ ସ୍ତବ୍ଧ ହୋଇଗଲା୤ ରଜତ କିନ୍ତୁ ତା’ର ନିରବତାକୁ ସମ୍ମତିର ଲକ୍ଷଣ ମନେ କରି ଆହୁରି ଆଗେଇଲା୤ ନିଜକୁ ରକ୍ଷା କରିବାର ଅନ୍ୟ ଉପାୟ ନ ପାଇ ଶ୍ରାବଣୀ ଚା’ ସସ୍‌ପେନ୍‌ ଉଞ୍ଚେଇଲା….୤

ବର୍ଷାର ବେଗ ବଢ଼ିବଢ଼ି ଚାଲିଥାଏ୤ ରଜତ ଛକରେ ଠିଆ ହୋଇଥାଏ୤ ବାଁ ପଟ ମୁଣ୍ଡର ଫୁଲା ଜାଗାରେ ହାତ ମାରି ଦେଖିଲା, ଏବେ ବି ବେଦନା ଅଛି୤ ସସ୍‌ପେନ୍‌ ମାଡ଼ ଖାଇ ଶ୍ରାବଣୀ ଘରୁ ପଳାଇଆସିଲା ବେଳେ ତାକୁ ପଛରୁ ଶୁଭୁଥିଲା- ମୋ ବେଡ୍‌ରୁମ୍‌ରେ ପଶିବାର ସ୍ବପ୍ନ କ’ଣ ଦେଖୁଛନ୍ତି, ମୋ ଡ୍ରଇଂ ରୁମ୍‌ରେ ମଧ୍ୟ ବସିବାର ଯୋଗ୍ୟତା ଆପଣଙ୍କର ନାହିଁ୤ ଶବ୍ଦଗୁଡ଼ାକର ପ୍ରତିଧ୍ବନୀ ସେ ପର୍ଯ୍ୟନ୍ତ ତା’ ଛାତିରେ ବାଡ଼େଇହେଉଥିଲା୤

ଘର ବାହାରେ ଗାଡ଼ି ରାତିସାରା ଠିଆ ହୋଇରହିଥିଲେ ଲୋକେ ସନ୍ଦେହ କରିପାରନ୍ତି ଭାବି ରଜତ ଗାଡ଼ି ନେଇ ନ ଥିଲା୤ ହେଲେ ସନ୍ଧ୍ୟାପରେ ବର୍ଷାର ପ୍ରକୋପ ଏତେ ବଢ଼ିଯିବ ବୋଲି କିଏ ଜାଣିଥିଲା୤ ରାସ୍ତାଘାଟ ଏବେ ଶୂନ୍ଶାନ୍୤ ଟେମ୍ପୋ କିମ୍ବା ଟାକ୍ସି ଦୂରେ ଥାଉ, ରିକ୍ସାଟିଏର ମଧ୍ୟ ଦେଖାଦର୍ଶନ ନାହିଁ୤ ଘରକୁ କେମିତି ଯିବ ଚାଲିଚାଲି !
ପରିସ୍ଥିତିରୁ ମୁକୁଳିବାର ନୂଆ କିଛି ଯୋଜନା କରୁକରୁ ଆରପଟରୁ ଗୋଟେ କାର୍ ଆସୁଥିବାର ଦେଖାଗଲା୤ ରଜତର ହାତ ତା’ ଅଜାଣତରେ ଲିଫ୍ଟ୍ ମାଗିବା ଭଙ୍ଗୀରେ ଉପରକୁ ଉଠିଗଲା୤ କାର୍ ରହିଲା ତା’ ପାଖରେ୤ ପଛପାଖ ଦରଜା ଖୋଲିଦେଲେ ଜଣେ ମହିଳା୤ ଅବଶ୍ୟ ମେକ୍ଅପ୍‌ରେ ହେଉ କିମ୍ବା ଆଲୋକର ସ୍ବଳ୍ପତାରେ, ବୟସ କିମ୍ବା ସୌନ୍ଦର୍ଯ୍ୟ କିଛି ଠିକ୍‌ରେ ଜଣା ପଡୁ ନ ଥିଲା୤ କାଳବିଳମ୍ବ ନ କରି କାର୍ ଭିତରକୁ ଲମ୍ଫ ଦେବା ପ୍ରାୟ ପଶିଗଲା ରଜତ୤

ସମ୍ଭ୍ରାନ୍ତ ମହିଳାଙ୍କ ନିମନ୍ତ୍ରଣ ଏଡ଼ାଇ ନ ପାରି ରଜତ ତାଙ୍କ ସହ ଗଲା ତାଙ୍କ ଘରକୁ୤ ଖୁବ୍ ସୁଦୃଶ୍ୟ ତଥା ନିରୋଳା ଅଟ୍ଟାଳିକା୤ ଭବ୍ୟ ଡ୍ରଇଂରୁମ୍ ପାର ହୋଇ ବିଳାସମୟ ଶୟନ କକ୍ଷକୁ ତାଙ୍କୁ ନେଇଗଲେ ଭଦ୍ର ମହିଳା୤ ସମାନ୍ୟ କଥୋପକଥନ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ହୋଇଆସିଲେ ସେ୤ ଶୟନ କକ୍ଷରେ ଥିବା ବାର୍‌ରୁ ଦୁଇଟି ଗ୍ଲାସ୍‌ରେ ମଦ ଢ଼ାଳି ଗୋଟିଏ ରଜତ ଉଦ୍ଦେଶ୍ୟରେ ବଢ଼ାଇଦେଲେ୤ ରଜତ ଓଠରେ ଗ୍ଲାସ୍ ଲଗଉଲଗଉ ତା’ ମନ ଭିତରକୁ ଶ୍ରାବଣ ରାତିକୁ ନେଇ ଗୋଟେ କବିତାର ପଦଟିଏ ଆସିଗଲା୤ କିନ୍ତୁ କବିତା-ବୀତସ୍ପୃହ ଭଦ୍ରମହିଳା ବାଥରୁମ୍କୁ ଚାଲିଗଲେ ଫ୍ରେସ୍ ହେବାକୁ୤ ଝର୍କା ବାହାରର ବର୍ଷାକୁ ଉପଭୋଗ କରୁକରୁ ରଜତ ମନେ ପକାଇଲା ଶ୍ରାବଣୀକୁ୤ ତାକୁ ହଠାତ୍ ସବୁ କିଛି କେମିତି ଗୋଟେ ଖାଲି ଖାଲି ଲାଗିଲା୤
ଏହାପରେ ଘଟିଥିବା ଘଟଣା ସବୁ ରଜତର ଭାବନା ପରିଧିର ବାହାରେ ଥିଲା୤ ବାଥ୍‌ରୁମ୍‌ରୁ ସ୍ବଳ୍ପ ପୋଷାକରେ ଫେରିଆସିଲେ ସେହି ମହିଳା୤ ତା’ପରେ ତାଙ୍କ ବୟସ ଓ ମେଦ କ୍ରମଶଃ ରଜତ ଆଖି ଆଗରେ ସ୍ପଷ୍ଟ ହୋଇଉଠିଲା୤ ସେ ସ୍ବପ୍ନପୁରୀ ଏବେ ତାକୁ ପ୍ରେତପୁରୀ ମନେ ହେଲା୤ ରଜତ ସେଠାରୁ ଧାଇଁ ପଳେଇବାକୁ ଚାହିଁ ବିଫଳ ହେଲା୤ ତାକୁ ଜୋର୍ କରି ଅଟକାଇ ଧରି ମହିଳା ଦରଜା ବନ୍ଦ କରିଦେଲେ୤

ବାହାରେ ରାତି ସାରା ଭୀଷଣ ବର୍ଷା୤ ସେ ବର୍ଷା ରାତିସାରା କମିବାର ନାମ ନେଲାନି୤
ରଜତ ଶ୍ରାବଣୀ ସହ ଯାହା ଯାହା ଘଟନା ଘଟେଇବାକୁ ଚାହୁଁଥିଲା; ସେଇ ନିବୁଜ କୋଠରିରେ ସବୁ ଗୋଟିକ ପରେ ଗୋଟିଏ ଘଟିଚାଲିଥିଲା୤ ତଫାତ୍ କେବଳ ଏତିକି ଯେ, ରଜତ ନିଜ ଭୂମିକାରେ ଅବତୀର୍ଣ୍ଣ ନ ହୋଇ ଶ୍ରାବଣୀର ଭୂମିକାରେ ଥିଲା୤

ସକାଳ ହେଲା୤ ଧର୍ଷିତା ନାରୀର କୋହ ପରି ଆକାଶରେ ମେଘ ଖଣ୍ଡମାନ ଆହୁରି ଗୁମୁରୁଥିଲେ୤ ନାଲି କାର୍‌ଟି ରଜତକୁ ତା’ ଘର ପାଖରେ ଛାଡ଼ିଦେଇ କେତେବେଳୁ ଯାଇସାରିଥିଲା୤ ରଜତ ଗେଟ୍ ଆଗରେ ଠିଆ ହୋଇ ଆକାଶରୁ ଚାହିଁଚାହିଁ ଭାବୁଥିଲା- ଶ୍ରାବଣ ରାତିକୁ ନେଇ କେବଳ କବିତା କାହିଁକି, ଭଲ ଥ୍ରିଲର୍ ବି ଲେଖାଯାଇପାରେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ନିବେଦିତା ଜେନା, ରାଉରକେଲା
author photo
 

ମତାମତ ସଂଖ୍ୟା - ୧୦ ଆପଣଙ୍କ ମତାମତ ?

  • ୧. sudhanshu tripathy |  ଜୁନ୍ ୧୮, ୨୦୧୧ - ୯:୩୫ ପୂର୍ବାହ୍ନ

    It too good for me

  • ୨. ଶୁଭେନ୍ଦୁକୁମାର ମୁଖୀ |  ଅଗଷ୍ଟ୍ ୨୨, ୨୦୧୧ - ୧:୧୫ ଅପରାହ୍ନ

    ବହୁତ ସୁନ୍ଦର ୤‘‘ଏଠି ଆଖି ସ୍ବପ୍ନ ଦେଖେ ନାହିଁ, ସ୍ବପ୍ନ ରାତି ସଜାଏ ’’ ସୁନ୍ଦର ହୋଇଛି ବାକ୍ୟ ଗୁଡିକର ଆଳଙ୍କାରିକ ଭାବନା ୤ ଗାଳ୍ପିକାଙ୍କୁ ମୋର ଶୁଭେଚ୍ଛା ୤

  • ୩. ଆଶିଶ |  ଅଗଷ୍ଟ୍ ୨୭, ୨୦୧୧ - ୧୦:୨୪ ପୂର୍ବାହ୍ନ

    ଅତି ସୁନ୍ଦର ବର୍ଣନା, ବହୁତ ଭଲ ଲାଗିଲା. ଲେଖିକାଙ୍କୁ ବହୁତ ବହୁତ ଧନ୍ୟବାଦ.

  • ୪. shishir Routray |  ସେପ୍ଟେମ୍ବର୍ ୧୮, ୨୦୧୧ - ୮:୩୯ ପୂର୍ବାହ୍ନ

    It is a good story,after 20 years I read a oriya story.Thank odisha sahitya.com for I read story in odiya language my own language even if I am staying
    in pune.At last thanks to jena madam.

  • ୫. BINOD |  ଅକ୍ଟୋବର୍ ୩, ୨୦୧୧ - ୨:୦୫ ପୂର୍ବାହ୍ନ

    I like this site so thaks…..

  • ୬. Doctor |  ନଭେମ୍ବର୍ ୨୧, ୨୦୧୧ - ୧୨:୪୫ ଅପରାହ୍ନ

    A brilliant piece with all elements of a story. The narrative is excellent. Keeps you attentive till the last word !!

  • ୭. Doctor |  ନଭେମ୍ବର୍ ୨୧, ୨୦୧୧ - ୧୨:୪୬ ଅପରାହ୍ନ

    Congratulations!

  • ୮. ପ୍ରତାପ ଚନ୍ଦ୍ର ଭଞ୍ଜ, ସାମନ୍ତରାପୁର, ଖୋରଧା |  ଫେବୃଆରୀ ୪, ୨୦୧୨ - ୧୨:୪୨ ଅପରାହ୍ନ

    ଖୁବ୍ ସୁନ୍ଦର୤ ଗାଳ୍ପିକା ଏକ ନିର୍ଭୀକ ଉଦ୍ୟମ କରିଛନ୍ତି, ଏକ ଭିନ୍ନ ଦିଗରେ କାହାଣୀକୁ ନେଇ ଯାଇଛନ୍ତି୤ ଗଳ୍ପ ଯେ କେବଳ ସ୍ବପ୍ନିଳ ବର୍ଣ୍ଣନା ହୋଇପାରେ ସେ କଥା ନୁହେଁ, ତାହା ବାସ୍ତବତାର ପ୍ରତିଫଳନ ବି ଦେଖେଇପାରେ୤

  • ୯. Sanjay K Das(Pune) |  ଫେବୃଆରୀ ୧୫, ୨୦୧୨ - ୪:୧୬ ପୂର୍ବାହ୍ନ

    Man always gets what he doesnot want……and never gets what he wants.
    Excellent presentation….Thanks!

  • ୧୦. ରଞ୍ଜନ କୁମାର ପାଣିଗ୍ରାହୀ |  ଜୁଲାଇ ୧୮, ୨୦୧୨ - ୩:୧୯ ପୂର୍ବାହ୍ନ

    ବାହାରେ ଶ୍ରାବଣର ବାରି ଝରିପଡ଼ୁଛି, ମୁଁ ଗପ ପଢ଼ୁଛି, ଭାରି ଭଲ ଲାଗିଲା, ଗାଳ୍ପିକାଙ୍କୁ ଧନ୍ୟବାଦ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤