ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଶାରଦା ପ୍ରସାଦ ମିଶ୍ର
ଦୀପକ ମିଶ୍ର
ବିରଜା ବଳ
ଫତୁରାନନ୍ଦ
ସୁଧାଂଶୁ ଶେଖର ପାତ୍ର
ସନତ୍‌ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝୁମା
 |- ଲକ୍ଷ୍ମୀଧର ମହାନ୍ତି
 
 
ତା: ଏପ୍ରିଲ୍ ୬, ୨୦୧୧  
 

ସେଦିନ ପଶୁ ଡାକ୍ତରଖାନା ଖୋଲିବା ପୂର୍ବରୁ ଅଖାରୀ ବୁଢ଼ୀ ହାଜର ହୋଇଗଲା୤ ସ୍ବାଇଁବାବୁଙ୍କ ଆସିବା ବାଟକୁ ଚାହିଁରହି ସେ ଖାଲି ଏପଟ ସେପଟ ହେଉଥାଏ୤ ଆଖିରେ ଲୁହ୤ ଡାକ୍ତରଖାନା ବାରଣ୍ଡା ତଳେ ବସିରହି ସେ କେବଳ ଭୂଇଁ ସାଉଁଟିବାରେ ଲାଗିପଡ଼ିଥାଏ୤ ମଝିରେ ମଝିରେ ତା’ର ହାତ ଦୁଇଟାକୁ ନିଜ ଛାତି ଉପରେ ବାଡ଼େଇ ବାହୁନା ପକାଉଥାଏ୤ ସ୍ବାଇଁବାବୁ ଆସିବା ମାତ୍ରେ ସେ ତାଙ୍କର ଗୋଡ଼ ଦୁଇଟାକୁ ଜାବୁଡ଼ିଧରି ବଡ଼ ପାଟିରେ ବାହୁନା ପକାଇଲା୤

“ମୁଁ କ’ଣ କରିବି ଡାକ୍ତରବାବୁ୤ ମୋ ଝୁମାର କ’ଣ ହୋଇଯାଇଛି୤ ସେ ଆଖି ଖୋଲୁନି୤ ବାନ୍ତି କରି ଭୂଇଁରେ ଲୋଟିପଡ଼ିଛି୤ ମୁଁ ତା’ଉପରେ ଖଣ୍ଡିଆ ଛାଞ୍ଚୁଣୀ ଘୋଡ଼େଇଦେଇ ଆସିଛି୤ ତମେ ଟିକିଏ ଆସ ଡାକ୍ତର ବାବୁ, ତମ ଯନ୍ତ୍ର ଲଗାଇ ତା’କୁ ଟିକିଏ ଦେଖ ଡାକ୍ତର ବାବୁ୤ ତା’କୁ ବଞ୍ଚାଅ- ନ ହେଲେ ଏଇଠି ତୁମ ଆଗରେ ମୁଁ ଜୀବନ ହାରିଦେବି୤” ଏତିକି କହି ବୁଢ଼ୀ ସ୍ବାଇଁବାବୁଙ୍କ ପାଦ ଦୁଇଟାକୁ ଧରି ଲମ୍ବ ହୋଇ ଭୂଇଁରେ ଲୋଟିଗଲା୤

କି ବିକଳ ସେ ପ୍ରାର୍ଥନା ! ରାସ୍ତାରେ ଯାଉଥିବା ଲୋକେ ବୁଢ଼ୀର କାନ୍ଦଣା ଶୁଣି ଠୁଳ ହୋଇଗଲେ୤ ସମସ୍ତେ ଭାବିଲେ ଝୁମା ବୋଧହୁଏ ବୁଢ଼ୀର ଝିଅ କି ବୋହୂ ହୋଇଥିବ୤ ସ୍ବାଇଁବାବୁ କିନ୍ତୁ ଅବିଚଳିତ୤ ସମସ୍ତେ ସ୍ବାଇଁବାବୁଙ୍କୁ ପଚାରିବାରେ ବ୍ୟସ୍ତ୤ ବୁଢ଼ୀ ତା’ ଝୁମା ପାଇଁ ପି.ଏଚ୍.ସି. ଡାକ୍ତରଙ୍କ ପାଖକୁ ନ ଯାଇ ଏ ପଶୁ ଡାକ୍ତରଙ୍କ ପାଖକୁ ଆସି ମୁଣ୍ଡ ପିଟୁଛି କାହିଁକି ? ଯେତେବେଳେ ସମସ୍ତେ ଜାଣିବାକୁ ପାଇଲେ ଯେ ଝୁମା ବୁଢ଼ୀର ଝିଅ ନୁହେଁ କି ବୋହୂ ନୁହେଁ, ଛାର ବିଲେଇଟାଏ, ସେତେବେଳେ ସମସ୍ତେ ହସି ହସି ମୁହଁ ମୋଡ଼ିଦେଲେ ବୁଢ଼ୀକୁ ଅନାଇ୤ ଅଖାରୀ ସେମାନଙ୍କ ମୁହଁମୋଡ଼ାରେ ରାଗିଯାଇ ଷ୍ଟକ୍ମ୍ୟାନଙ୍କ ହାତ ଧରି ଟାଣି ଟାଣି ନେଇଗଲା ତା’ ଘରକୁ୤

ସ୍ବାଇଁବାବୁ ଝୁମା ପାଖରେ ପହଞ୍ଚିଲା ବେଳକୁ ଝୁମାର ଶେଷ ଅବସ୍ଥା୤ ଗୁଡ଼ାଏ କଳା ବାନ୍ତି କରି ଝୁମା ନିର୍ଜୀବ ହୋଇ ପଡ଼ିରହିଥିଲା୤ ସ୍ବାଇଁବାବୁ ତା’ ଉପରେ ପୁଣି ଛାଞ୍ଚୁଣିଟାକୁ ଘୋଡ଼ାଇ ଦେଇ କହିଲେ, “ଆଉ ଲାଭ ନାହିଁ୤ ପଏଜନ୍‌ କେଶ୍‌୤ କିଏ ତା’କୁ ବିଷ ଦେଇ ମାରିଦେଇଛି୤ ଏତିକି ଶୁଣିବା ପରେ ଅଖାରୀ ବୁଢ଼ୀ ତା’ ମୁଣ୍ଡଟାକୁ ଢୋ କରି ବାଡ଼େଇ ଦେଲା ଦୁଆର ବନ୍ଧ ଉପରେ୤ ଝରଝର ହୋଇ ରକ୍ତ ବୋହିଲା ତା’ ମଥାରୁ୤ ବୁଢ଼ୀ ବଡ଼ ପାଟିରେ ଗର୍ଜିଉଠିଲା୤ ମଣିଷକୁ ଲାଗି ଲାଗି ପାରିଲନି, ଶେଷକୁ ପଶୁଟା ଉପରେ ଦାଉ ସାଧିଲା ସବୁ ରାଗ ତମର, ସେଇଠି ସୁଝାଇଲ ? ହଉ ହେ ଧର୍ମଦେବତା ! ତମେ ବୁଝିବ୤

ହାତ ସାରା ରକ୍ତ ଆଉଟୁପାଉଟୁ ହୋଇ ଅଖାରୀ ବୁଢ଼ୀ ବାହୁନା ପକାଇଲା ଝୁମା ଆଡ଼କୁ ଚାହିଁ- କୋଉ ଚଣ୍ଡାଳୁଣୀ ଏକଥା କଲା ଲୋ, ବାୟାଣୀ ମୋର ; କେମିତି ତାହାର ହାତ ଚାଲିଲା ଲୋ, ବାୟାଣୀ ମୋର ; ଝୁମା ଡାକି ଦେଲେ ଯେଉଁଠି ଥିବୁ ଲୋ, ବାୟାଣୀ ମୋର ; ଝୁମୁଝୁମୁ ହୋଇ କୋଳେ ପଶିବୁ ଲୋ, ବାୟାଣୀ ମୋର୤

ସେଇ ଲୋକ ଗହଳି ଭିତରୁ ଜଣେ କିଏ ଚିପାଗଳାରେ ଟୁପୁଟୁପୁ ହେବାର ଶୁଣାଗଲା୤ କିଏ ଏକଥା କଲା କ’ଣ ଅଛପା ଅଛି କି ? କାଲି ସଞ୍ଜ ବେଳେ ଯୋଉ ଲୋକର କୁକୁଡ଼ା ଛୁଆକୁ ଝୁମା ଗୋଡ଼େଇଥିଲା ଖାଇବ ବୋଲି- ସେଇ ଏମିତି କରିଥିବ ତ, ଆଉ କିଏ ?

ଅଖାରୀ ବୁଢ଼ୀର ହଂସା ଉଡ଼ିଗଲା୤ ସେ ଗଛ କାଟିଲା ପରି ଭୁଇଁ ଉପରେ ଲୋଟିପଡ଼ିଲା୤ ଦାନ୍ତ ପଡ଼ିଗଲା, ଆଖି ତରାଟିହୋଇଗଲା୤ ମଥାରେ ଯେତେ ପାଣି ମାରିଲେ ମଧ୍ୟ ବୁଢ଼ୀ ଆଉ ଉଠିଲା ନାହିଁ୤ ଝୁମାର ଶବ ଭିତରୁ ତା’ର ଜୁଳୁଜୁଳୁ ଆଖି ଦିଇଟା ଚାହିଁରହିଥିଲା ଅଖାରୀ ବୁଢ଼ୀର ମୁହଁକୁ୤

ଗାଁ ଲୋକେ ଜଳଜଳ କରି ଚାହିଁରହି ସେ ଦୃଶ୍ୟକୁ ଉପଭୋଗ କରୁଥିଲେ କେବଳ୤ ଜଣେ କିଏ କହିପକାଇଲା ଖଟିଆଟାଏ ଆଣ, ବୁଢ଼ୀକୁ ସେଥିରେ ପକାଇ ଡାକ୍ତରଖାନା ନେଇଯିବା୤ ଏତକ ଶୁଣିବା ପରେ ଲୋକ ଗହଳି ଧୀରେ ଧୀରେ କମିବାରେ ଲାଗିଲା୤ ବୁଢ଼ୀ ଅଗଣାରେ କେହି ରହିଲେ ସିନା, ଖଟିଆ ଆଣି ବୁଢ଼ୀକୁ ସେଥିରେ କାନ୍ଧେଇବା ପାଇଁ କିଏ କହିବ ?

ସେତେବେଳକୁ ଛାଇ ଗଡ଼ିଯାଇଥିଲା୤ ଖାଇବାବେଳ ବି ଗଡ଼ିଯାଇଥାଏ୤ ବୁଢ଼ୀ ମରିଛି କି ନାହିଁ ସେ ପର୍ଯ୍ୟନ୍ତ ଜଣା ନାହିଁ, ତା’ ପୂର୍ବରୁ ଗାଁ ସାରା ଭାତ ଗଣ୍ଡାଏ ଗଣ୍ଡାଏ ପେଟରେ ପକାଇ ଦେବା ପାଇଁ ବ୍ୟଗ୍ର ହୋଇ ଉଠିଲେ ସମସ୍ତେ୤ ମରିବା ଖବରଟା ପ୍ରଘଟ ହୋଇଗଲେ ଶବ ପଡ଼ିଥିଲା ପର୍ଯ୍ୟନ୍ତ ଆଉ ଖାଇ ହେବନି ଯେ ! ଜଣ ଜଣ ହୋଇ ବୁଢ଼ୀର ଅଗଣାରୁ ଖସିଯିବା ପାଇଁ ଚେଷ୍ଟା କରୁଥିଲେ ସମସ୍ତେ୤ ଉଦୁଉଦିଆ ସୂର୍ଯ୍ୟ କିରଣ କ୍ରମେ ମଳିନ ପଡ଼ିଆସୁଥିଲା୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଲକ୍ଷ୍ମୀଧର ମହାନ୍ତି, ଭୁବନେଶ୍ବର
ଜଣେ ସମସାମୟିକ କଥାକାର ଭାବେ ପରିଚିତ ଲକ୍ଷ୍ମୀଧର ମହାନ୍ତି ବିଭିନ୍ନ ସାମାଜିକ ବ୍ୟବସ୍ଥା ଉପରେ ଲେଖନୀ ଚାଳନା କରିବାରେ ସିଦ୍ଧହସ୍ତ୤ ଗଳ୍ପ ଓ ପ୍ରବନ୍ଧ ସମେତ ଅନ୍ୟାନ୍ୟ ଲେଖା ଲେଖୁଥିବା ଶ୍ରୀ ମହାନ୍ତିଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ “ପ୍ରାଣ ଓ ପିପାସା”, “ମର୍ତ୍ତ୍ୟ ନିର୍ମାଣ”, “ମଞ୍ଚନାୟକ” ଆଦି ଅନ୍ୟତମ୤
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. Ashok Nayak |  ଏପ୍ରିଲ୍ ୧୪, ୨୦୧୧ - ୧୦:୨୧ ପୂର୍ବାହ୍ନ

    gap ti bahut bhal lagila.kemiti besahara sahara mili thai.man ku bujai ba ku padithai,taha bes bhal bhabre barnnan karajai achhi.
    With Thanks
    Ashok Nayak
    New Delhi

  • ୨. ବିରଞ୍ଛି ନାରାୟଣ ବେହେରା |  ଜୁଲାଇ ୪, ୨୦୧୧ - ୧୨:୪୯ ଅପରାହ୍ନ

    ଗପ ଟି ବହୁତ ସୁନ୍ଦର ହୋଇଛି ୤

  • ୩. partha |  ଅଗଷ୍ଟ୍ ୧, ୨୦୧୧ - ୭:୦୯ ପୂର୍ବାହ୍ନ

    galpa ra marmikata kebala jane hrudaywan hi bujhi pariba.Its a social Massage for Our society…..

  • ୪. sanjatkumarsahoo |  ଅଗଷ୍ଟ୍ ୨୮, ୨୦୧୧ - ୫:୨୧ ପୂର୍ବାହ୍ନ

    ଓଡିଆ ଏତେ ସହଜ ମୁଁ ଜାଣି ନଥିଲି

  • ୫. ରମେଶ୍ ବେହେରା |  ଅକ୍ଟୋବର୍ ୨୧, ୨୦୧୧ - ୪:୨୮ ପୂର୍ବାହ୍ନ

    ବହୁତ ଭଲ ହୋଇଛି ଗପ.

  • ୬. ବାଇଧର ଜେନା, ଆସିକା |  ଫେବୃଆରୀ ୨୨, ୨୦୧୩ - ୫:୦୩ ପୂର୍ବାହ୍ନ

    ଶ୍ରୀମହାନ୍ତି ବାବୁ ଗପଟି ଅତିସୁନ୍ଦର ଭାବରେ ଲେଖିଛନ୍ତି ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤