ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କିଶୋରୀ ଚରଣ ଦାସ
କାହ୍ନୁଚରଣ ମହାନ୍ତି
ଡ.ହରେକୃଷ୍ଣ ମହତାବ
ଭକ୍ତକବି ମଧୁସୂଦନ ରାଓ
ବିଷ୍ଣୁପ୍ରିୟା ମହାପାତ୍ର
ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝଡ଼ର ପରାଜୟ
 |- କନକଲତା ସାହୁ
 
 
ତା: ଜାନୁଆରୀ ୧୫, ୨୦୧୩  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ପୁଅର ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଭିତରବାହାର ହେଉଥିଲେ ସୁନନ୍ଦା ୤ ଗାଡ଼ି ରହିବା ଶବ୍ଦ ଶୁଣିବା ମାତ୍ରେ ଦୌଡ଼ିଯାଉଥିଲେ ବାହାରକୁ୤ ଗାଡ଼ି ଚାଲିଗଲେ ପୁଣି ଘରକୁ ଫେରିଆସୁଥିଲେ ଦୁଃଖରେ ୤ ଏମିତି ଭିତରବାହାର ହେବା ଏ ପରିଣତ ବୟସରେ କ’ଣ ସମ୍ଭବ ? ତଥାପି ତାଙ୍କୁ ପୁଅକୁ ସ୍ବାଗତ କରିବାକୁ ପଡ଼ିବ୤ ପ୍ରତି ଥର ପୁଅ ଆସିଲେ ଆରତୀ ଥାଳୀ ଧରି ଠିଆ ହୋଇପଡ଼ନ୍ତି, ଏରୁଣ୍ଡିବନ୍ଧ ପାଖରେ୤ ବନ୍ଦାପନା ପରେ ହିଁ ଘରେ ପ୍ରବେଶ କରିବାକୁ ଅନୁମତି ଦିଅନ୍ତି ୤ ପ୍ରଶାନ୍ତ ସବୁବେଳେ ହସି ହସି କହନ୍ତି ଆରେ “ସୁନନ୍ଦା, ଘରର ପୁଅ ଘରକୁ ଆସିବ ୤ ତୁମେ ସବୁବେଳେ ଏ ବର ଆୟୋଜନ କାହିଁକି କରୁଛ ?” ସୁନନ୍ଦା କିନ୍ତୁ ନଛୋଡ଼ବନ୍ଧା ୤ କାଳେ ପୁଅ ଉପରେ କାହାର ଅଶୁଭ ନଜର ପଡ଼ିଯାଇଥିବ?

ଦୁଇଦିନ ତଳେ ଫୋନ୍‌ ଆସିଥିଲା ସେ ଫେରିଆସୁଛି ୤ ଭାରି ଦରଦଭରା ସେ କଣ୍ଠସ୍ବର୤ ଗାଆଁରୁ ସେ ଯାଇ ମାସେ ବି ହୋଇନି୤ ସେଥିରେ କହୁଛି ଫେରିଆସିବ ? ଟ୍ରେନିଂ ସମୟରେ ବି କେବେ ଦିନେ କହିନି “ବୋଉ କଷ୍ଟ ହେଉଛି ଫେରିଆସିବି୤” ଆଉ ଆଜି କାହିଁକି ? ଫୋନ୍‌ରୁ ବିଜୁ ଯେ ଦୁଃଖରେ ଅଛି ଏକଥା ଅନୁମାନ କରିପାରୁଥିଲେ ସୁନନ୍ଦା୤ ସୁନନ୍ଦାଙ୍କର ମନଟା ଗୋଳେଇ ଘାଣ୍ଟି ହେଉଥିଲା୤ ବିଜୁ ମନରେ ସାମାନ୍ୟ କଷ୍ଟକୁ ସେ ସହ୍ୟ କରିପାରନ୍ତି ନାହିଁ ୤ ପାଞ୍ଚ ନା ସାତ ଯେ ସହ୍ୟକରିବେ୤ ଗୋଟିଏ ବୋଲି ପୁଅ, ପୁଣି ବାହାଘର ଦଶ ବର୍ଷ ପରେ କେତେ ଦିଅଁ ଦେବତା କରି ତା’ର ଜନ୍ମ ୤

ଜନ୍ମ ବେଳେ ତ ହରି ଗୋସେଇଁ ବିଜୁର ଜାତକ ତିଆରି କରି କହିଥିଲେ ଭାରି ସୁନ୍ଦର କୋଷ୍ଠି, ଭଲ ପାଠ ପଢ଼ିବ୤ ବଡ଼ ଅଫିସର୍‌ ହେବ୤ ବଡ଼ ଅଫିସର ହୋଇଛି ବିଜୟଶ୍ରୀ୤ ଦିନେ ତା’ ପାଠପଢ଼ା ଦେଖିନାହାନ୍ତି କିଏ ଗାଁ ସ୍କୁଲରୁ ଆରମ୍ଭ କରି ରେଭେନ୍ସା ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ୤ ବିଦ୍ୟାଳୟ କୁହ କି କଲେଜ କୁହ, ସବୁ ଆନୁସଙ୍ଗିକ କାର୍ଯ୍ୟକ୍ରମରେ ସବୁବେଳେ ବିଜୁ ପ୍ରଥମ୤ ଘରସାରା କପ୍‌, ସିଲ୍‌ରେ ସଜେଇଛି୤ ହରି ଗୋସେଇଁ କହିବା ଅନୁସାରେ ତ ସଫଳତା ମିଳିଛି ହେଲେ ଦୁଃଖ ରହିଲା କେଉଁଠି ? ନାଁ, ହରି ଗୋସେଇଁଙ୍କ ଗଣନାରେ ଆଉ କେଉଁଠି ଭୁଲ୍‌ ରହିଲା୤ ବିଜୁର ପଢ଼ା ଶେଷ ହୋଇନଥିଲା୤ ଶେଷ ସେମିଷ୍ଟାର୍‌ରେ ହିଁ କ୍ୟାମ୍ପସ୍‌ ସିଲେକ୍‌ସନ୍‌ ହୋଇ ଚାକିରି ମିଳିଯାଇଥିଲା୤ ତା’ ନିଷ୍ଠାପର କାର୍ଯ୍ୟକଳାପରେ ସମସ୍ତେ ଏତେ ଖୁସି ଯେ, ଟ୍ରେନିଂର ସମୟସୀମା କମେଇ ତା’କୁ ପୋଷ୍ଟିଂ ଦେଇଥିଲେ ଏବଂ ଚାକିରୀର ଛଅମାସ ଭିତରେ ପ୍ରମୋଶନ୤ ଏମିତି ବର୍ଷଟିଏ ବିତିଗଲା ଖୁସିରେ୤ କିନ୍ତୁ ସଲିମା ସହ ତା’ ସମ୍ପର୍କ, ତା’ ଗତିପଥକୁ ବଦଳେଇ ଦେଇଥିଲା୤ କେତେବେଳେ କେଉଁ ଝିଅକୁ ଚାହୁଁନଥିବା ପୁଅ ସଲିମାର ପ୍ରେମରେ ବାନ୍ଧି ହୋଇଗଲା୤ ସବୁବେଳେ ସବୁକଥା କହୁଥିବା ପୁଅ ସୁନନ୍ଦାକୁ ଯେ ଏକଥା କହିନି ତା’ ନୁହେଁ କିନ୍ତୁ ସଲିମା ଆସିବା ପରେ ତା’ ଜୀବନ ଧାରାରେ କିଛିଟା ପରିବର୍ତ୍ତନ ଦେଖାଦେଇଛି୤ ସକାଳ ପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରତିଟି ଖବର ସୁନନ୍ଦାଙ୍କୁ ପଚାରି ପଚାରି ବ୍ୟସ୍ତ କରୁଥିବା ପୁଅ ଆଉ ଏତେ ଫୋନ୍‌ କରୁନି୤ ସୁନନ୍ଦାଙ୍କୁ ଦୁଃଖ ଲାଗିଲେ ବି ଯାହା ସତ୍ୟ ତା’କୁ ମାନିବାକୁ ସେ ପଶ୍ଚାତ୍‌ପଦ ହୋଇ ନଥିଲେ୤ ଅବଶ୍ୟ ବେଳେବେଳେ ଦୁଃଖ ବଳି ପଡ଼ିଲେ ପ୍ରଶାନ୍ତଙ୍କୁ କହନ୍ତି ଦେଖିଲ ବିଜୁ ସାର୍ଟର ବୋତାମ ଲଗାଠାରୁ ଆରମ୍ଭ କରି ଅଫିସର ପ୍ରୋଗ୍ରାମ୍‌ ପର୍ଯ୍ୟନ୍ତ ସବୁ କଥା ପଚାରୁଥିଲା, ଆଜି କିଛି ପଚାରୁନି୤ ଦିନରେ ଦଶଥର ଫୋନ୍‌ କରୁଥିଲା୤ ବର୍ତ୍ତମାନ ଦିନରେ ଥରେ ବି ନାହିଁ ୤

ସଲିମା ବଡ଼ ଘରର ଝିଅ ୤ ତା’ ବାପା ଚେନ୍ନାଇର ପ୍ରଖ୍ୟାତ ବ୍ୟବସାୟୀ୤ କୋଟିପତିର କନ୍ୟା ସେ୤ ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା୤ ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ୤ ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି୤ ପୁଅକୁ ଯେ, ସଲିମା ସମ୍ପର୍କରେ ବୁଝେଇ ନାହାଁନ୍ତି ତା’ ନୁହେଁ୤ ହେଲେ ପ୍ରେମ ଆଖିରେ ଏମିତି ଅନ୍ଧପୁଟୁଳି ବାନ୍ଧେ ଅତିରୁ ଅତି ଚାଲାକ ପିଲା ମଧ୍ୟ ସେଥିରେ ବାନ୍ଧି ହୋଇଯାଆନ୍ତି୤ ଆଉ ଥରେ ବାନ୍ଧି ହୋଇଗଲେ ନିସ୍ତାର ନାହିଁ ୤

ସଲିମା ଅନେକ ଥର ଗାଁକୁ ଆସିଛି୤ ଅବଶ୍ୟ ଘଣ୍ଟାଏ କି ଦି’ଘଣ୍ଟା ରହି ସେମାନେ ଚାଲିଯାଇଛନ୍ତି୤ ଗାଁର ଚଳଣିକୁ ଜାଣିବାର ସୁଯୋଗ ପାଇନାହାନ୍ତି୤ ସଲିମା ମନ୍ଦ ନୁହେଁ, ଦେଖିବାକୁ ଗୌରବର୍ଣ୍ଣ, ଅତ୍ୟାଧୁନିକ ପୋଷାକରେ ନିଜକୁ ସଜେଇଛି୤ କିନ୍ତୁ କଥା କଥାରେ ଅନ୍ୟକୁ ଆପଣାର କରିବା କଳା ରହିଛି ତା’ରି ପାଖରେ୤ ଯେତିକି ସମୟ ଗାଁରେ ରହିଛି ସେତିକି ଭିତରେ ସୁନନ୍ଦାକୁ କିଛି କରିବାକୁ ସୁଯୋଗ ଦେଇନି୤ ଯେତିକି ପାରିଛି ନିଜେ ହିଁ କରିବାର ପ୍ରୟାସ କରିଛି୤ ସୁନନ୍ଦା ଜାଣିଛନ୍ତି ସାଲିମାର ଘର ଖୁବ୍‌ ବଡ଼, ତା’ ତୁଳନାରେ ତାଙ୍କ ଘର ଖୁବ୍‌ ଛୋଟ୤ ଜଣେ ମଧ୍ୟବିତ୍ତ ପରିବାରର ଯେତିକି ସୁବିଧା ଥିବା କଥା ସୁନନ୍ଦା ନିଜ ଘରକୁ ସେତିକି ସୁବିଧାରେ ସଜେଇଛନ୍ତି୤ ବିଜୁର ବାପା ପ୍ରଶାନ୍ତ ଗାଁର ପୋଷ୍ଟ୍‌ମାଷ୍ଟର୤ ଦରମା ଯାହା ଆଣନ୍ତି, ସେଥିରେ ଘର ଚଳେ୤ ବିଜୁର ପଢ଼ାରେ ଖର୍ଚ୍ଚ ହୁଏ୤ ପୁଣି ସେଥିରେ ବନ୍ଧୁ ବାନ୍ଧବଙ୍କର ମାନମହତ ଖର୍ଚ୍ଚ ବି ଚଳେ୤ ଗାଁର ସୁଖ ଦୁଃଖରେ ପ୍ରଶାନ୍ତ ଆଗ ଠିଆ ହୁଅନ୍ତି୤ ପକେଟ୍‌ରେ ଘରଖର୍ଚ୍ଚ ପାଇଁ ପଇସା ଥାଉ କି ନଥାଉ, ଆଗ ଗାଁର ଦୁଃଖୀ ଅରକ୍ଷିତଙ୍କ କଥା ବୁଝନ୍ତି ୤ ସୁନନ୍ଦା ହସି ହସି ସବୁବେଳେ କୁହନ୍ତି, ପ୍ରଶାନ୍ତ ସତେ ଯେମିତି ଗୋପବନ୍ଧୁଙ୍କ ଅବତାର ୤

ଏମିତି କେତେ ବର୍ଷ ତଳର କଥା ଆଜି ବି ମନେପେଡ଼ ସୁନନ୍ଦାର, ସୁନନ୍ଦା ନୂଆ ବାହା ହୋଇ ଆସିଥାନ୍ତି୤ ପବିତ୍ର ରଥଯାତ୍ରା ଦିନ ସୁନନ୍ଦାଙ୍କର ବାହାଘର୤ ଆଷାଢ଼ ମାସ ପରେ ଆସିଲା ଶ୍ରାବଣ ମାସ୤ ଧାରା ଶ୍ରାବଣ ଲାଗିରହିଲା ପାଞ୍ଚଦିନ୤ ନଦୀରେ ଆସିଲା ବନ୍ୟା୤ ନଦୀ କୂଳରେ ଦାଣ୍ଡମୁକୁନ୍ଦପୁର, ଚାରିଆଡ଼ୁ ବିଚ୍ଛିନ୍ନ ହୋଇଗଲା୤ ପ୍ରଶାନ୍ତ ସହ୍ୟ କରିପାରିଲେ ନାହିଁ୤ ନିଜ ଗାଁଲୋକଙ୍କ ପାଇଁ ପିନ୍ଧିବା, ଖାଇବା ଜିନିଷ ସବୁ ଯୋଗାଡ଼ କରିବା ପାଇଁ, ଚାକିରୀ ଛାଡ଼ି, ଘରଛାଡ଼ି ବାହାରିଗଲେ୤ ନଈ ପାଣି ଦୁଇକୂଳ ଖାଇ ଚାଲିଥାଏ୤ ଫୋନ୍‌ ଲାଇନ୍‌ ସବୁ କଟିଯାଇଥାଏ୤ ପ୍ରଶାନ୍ତଙ୍କ ସହିତ ସବୁ ଯୋଗାଯୋଗ ବନ୍ଦ୤ ମାସେ ପରେ ପ୍ରଶାନ୍ତ ଘରକୁ ଫେରିଲେ୤ ଆଶ୍ବସ୍ତ ହେଲେ ସମସ୍ତେ୤ ପ୍ରଶାନ୍ତ ସାଧାରଣତନ୍ତ୍ର ଦିବସରେ କ’ଣ ସବୁ ପୁରସ୍କାର ପାଇଲେ୤ ମାସେ ପରେ ତାଙ୍କ ଲମ୍ବା ଦାଢ଼ୀ ଦେଖି ସମସ୍ତେ କହିଲେ, ଗୋପବନ୍ଧୁ ଆସିଲେ୤ ପ୍ରଶାନ୍ତଙ୍କୁ ଦେଖି ଯେତିକି ଦୁଃଖ ଲାଗୁଥିଲା, ସେତିକି ଖୁସୀ ବି ଲାଗୁଥିଲା ସୁନନ୍ଦାଙ୍କୁ୤ ଯାହା ହେଉ ସତରେ ସୌଭାଗ୍ୟ ୤ ଏମତି ମାନବିକ ଗୁଣ ଧାରଣ କରିଥିବା ବ୍ୟକ୍ତିଙ୍କୁ ସେ ସ୍ବାମୀ ହିସାବରେ ପାଇଛନ୍ତି୤ ବିଜୁ ଠିକ୍‌ ପ୍ରଶାନ୍ତଙ୍କ ପରି ହୋଇଛି୤ ପିଲାଦିନେ ଯିଏ ଯାହା ମାଗିବାକୁ ଆସେ, ବିଜୁ ତାକୁ ଖାଲି ହାତରେ ବିଦା କରିବା ସେ ଜମା ଜାଣି ନାହାଁନ୍ତି୤ ଘରେ ଟଙ୍କା ପଇସାର ଅଭାବ ବିଜୁ ଜାଣେ, ତଥାପି କଲେଜ୍‌ରେ କିଏ ପରୀକ୍ଷା ଫିସ୍‌ ନ ବାନ୍ଧି ପାରିଲେ, ସେ ନିଜେ ନ ଖାଇ ଜଳଖିଆ ଟଙ୍କାତକ ତାକୁ ଦେଇଦିଏ ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କନକଲତା ସାହୁ
କନକଲତା ସାହୁ
ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ କନକଲତା ସାହୁ ଏକାଧାରରେ ଜଣେ ଗାଳ୍ପିକା, ପ୍ରାବନ୍ଧିକା, ନାଟ୍ୟକାର ସହିତ ଓଡ଼ିଆ ଭାଷାସାହିତ୍ୟର ଜଣେ ଗବେଷିକା ଭାବେ ପ୍ରତିଷ୍ଠାଲାଭ କରିଛନ୍ତି୤ ‘ବୋଉ ବନାମ ବହୁବଚନ’ ଗଳ୍ପ ସଙ୍କଳନ ସହିତ ‘ରେବତୀ’, ‘କାଳିଜାଇ’ ଓ ‘ଦେବଦାସୀ’ ନାଟକ ସହିତ ଏକାଧିକ ବେତାର ନାଟକ ବ୍ୟତୀତ ଶ୍ରୀମତୀ ସାହୁଙ୍କ ଅନେକ ଗଳ୍ପ, ପ୍ରବନ୍ଧ ଓ ଗବେଷଣାମୂଳକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଏହା ବ୍ୟତୀତ ବିଭିନ୍ନ ସାମାଜିକ ଓ କ୍ରୀଡ଼ା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. Raju, Bhubnewar |  ଜାନୁଆରୀ ୨୨, ୨୦୧୩ - ୬:୦୦ ପୂର୍ବାହ୍ନ

    As usual story. Nothing new. I love to read story. Please ma’am write something new. Son fall in love with a rich girl and her father kill him ,70’s story.

  • ୨. ଦୀପଂକର ଦାସ, ଭୁବେନଶ୍ବର |  ଏପ୍ରିଲ୍ ୨୦, ୨୦୧୩ - ୩:୪୯ ପୂର୍ବାହ୍ନ

    ଅତି ସୁନ୍ଦର

  • ୩. ରୂପଧର, HYDERABAD |  ଅକ୍ଟୋବର୍ ୨୪, ୨୦୧୩ - ୨:୨୫ ଅପରାହ୍ନ

    ପ୍ରେମକୁ ନେଇ ଅନେକ କାହାଣୀ ଲେଖା ଯାଇଛି କିନ୍ତୁ ଜାତି ବ୍ୟବସ୍ଥା ଉପରେ କିମ୍ବା ଧର୍ମ କୁ ନେଇ ପ୍ରେମ କାହାଣୀ ର ରଚନା କମ ହୋଇଛି । ଉକ୍ତ କାହାଣୀ ର କେନ୍ଦ୍ରୀୟ ସମସ୍ୟା ପ୍ରେମ ଏବଂ ଧନ । ଆଉ ଅନ୍ୟ ପାଖେ ମା’ ର ମନ – “ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା୤ ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ୤ ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି୤” କାହାଣୀରେ ପ୍ରଶାନ୍ତ ଙ୍କ ପରି ତ୍ୟାଗବାନ ପୁରୁଷ ଏବଂ ଅନ୍ୟ ପାଖେ ସଲିମାଙ୍କ ପିତାଙ୍କ ଭଳି ସ୍ଵାର୍ଥୀ ମଣିଷ । ବିଜୁ ଙ୍କ ମାନସିକ ଭାରସାମ୍ୟ ହରାଇବା ଏବଂ ରହସ୍ୟ ଜନକ ମୃତ୍ୟୁ, ପୁଣି ମା’ ମନରେ ପ୍ରଶ୍ନ ସୃଷ୍ଟି କରେ- “ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ୤ ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ ।” ପ୍ରେମ ବି ଏଠି ବଳି ଚଢିଯାଏ, ଧନ କୁ ମଣିଷ ଭଲ ପାଏ ।

  • ୪. SUSHREE DALAI, Hyderabad |  ଜୁନ୍ ୧୮, ୨୦୧୪ - ୯:୩୦ ପୂର୍ବାହ୍ନ

    Excellent story.I enjoyed reading.Keep it up.

  • ୫. rasmi, noida |  ମାର୍ଚ୍ଚ୍ ୧୯, ୨୦୧୫ - ୯:୦୨ ଅପରାହ୍ନ

    ଯଦିବା କିଏ କହିପାରଂତି ଏ‍ଇ ଗପଟି ପୁରୁଣା ଧାରାର, ମାତ୍ର ଏବେତ ଏହି ପୃଷ୍ଠଭୂମି ବର୍ତ୍ତମାନର ସମାଜରେ ବହୁତ ଦେଖାଦେଉଛି.. ତେଣୁ ଏହା ପୁରୁଣା ନୁହେଁ…। ଅବଶ୍ୟ ଗାଳ୍ପିକା ମୁଖ୍ୟ ଚରିତ୍ରକୁ ବହୁତ ଭଲ (ideal) ଦେଖାଇଛଂତି…।

  • ୬. ଅମରେଶ ବଳବନ୍ତରାୟ, ସାଲେପୁର, କଟକ |  ଡିସେମ୍ବର୍ ୨୬, ୨୦୧୫ - ୨:୨୫ ପୂର୍ବାହ୍ନ

    ଭଲ ହୋ‍ଇଛି

  • ୭. SANTOSH KUMAR NAYAK, BALASORE |  ଜାନୁଆରୀ ୨୯, ୨୦୧୮ - ୬:୫୨ ଅପରାହ୍ନ

    It is a significant step for the improvement of the Odia language. Thanks and congratulations to all the founder members and specially to the Editor-in-chief.
    Faithfully yours
    Santosh Kumar Nayak, OES-I
    Assistant Professor and Head
    P.G. Department of Odia language and literature
    Government College, Koraput, Odisha, India

  • ୮. ଜଗନ୍ନାଥ ତରେଇ, ମୟୂରଭଞ୍ଜ  |  ମେ ୨୨, ୨୦୧୮ - ୪:୦୧ ପୂର୍ବାହ୍ନ

    ସୁନ୍ଦର ଗଳ୍ପ। ବର୍ତ୍ତମାନ ସମାଜର ଏକ ଜ୍ୱଳନ୍ତ ଚିତ୍ରକୁ ଚିତ୍ରିତ କରିଛନ୍ତି । ଧନ୍ୟବାଦ ଏ ସୁନ୍ଦର ଗଳ୍ପ ପାଇଁ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤