ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
ଗୋପାଳ ଚନ୍ଦ୍ର ପ୍ରହରାଜ
ଅମରେଶ ବିଶ୍ବାଳ
ଗନ୍ତାୟତ ଶିବପ୍ରସାଦ
ରାଧାନାଥ ରାୟ
ଦୟାନିଧି ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝଡ଼ର ପରାଜୟ
 |- କନକଲତା ସାହୁ
 
 
ତା: ଜାନୁଆରୀ ୧୫, ୨୦୧୩  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ମାଛିକୁ ବି ମର ନ କହୁଥିବା ବିଜୁର ଆଜି ମନଦୁଃଖ୤ ଏକଥା ଭାବିଲେ ସୁନନ୍ଦାର ଛାତି ଫାଟି ପଡ଼ୁଛି୤ ସୁନନ୍ଦା ଭାବୁଥିଲେ ସତରେ ବିଜୁ ଅସୁବିଧାରେ ଅଛି ? ହେଲେ ଦୁଃଖ ରହିଲା କେଉଁଠି ? ସଲିମା ସହିତ ତା’ ସଂପର୍କ ଆରମ୍ଭ ହେବା ଦିନଠାରୁ ସୁନନ୍ଦା ଜାଣିପାରିଥିଲେ, କିଛି ଗୋଟିଏ ଅଘଟଣ ଆସିପାରେ୤ ହରି ଗୋସେଇଁ କହୁଥିଲେ ମଝିରେ ତା’ର ଘାଟ ଗୋଟିଏ ଆସିବ୤ ସେଥିରୁ ରକ୍ଷା ପାଇଲେ ଆଉ ଜୀବନସାରା ପାଇଁ ଚିନ୍ତାନାଇଁ୤ ଏଇଟା କ’ଣ ଆଉ ବିଜୟ ପାଇଁ ଘାଟ କି ? ମାଁ ମଙ୍ଗଳାକୁ ମନେ ମନେ ସ୍ମରଣ କଲେ, ମା’ ମଙ୍ଗଳା ମୋ ପୁଅକୁ ଘଣ୍ଟ ଘୋଡ଼େଇ ରଖ ୤ ଘଣ୍ଟ ଘୋଡ଼େଇ ରଖ ମା’ ! ବିଜୁର ସଲିମା ସହ ସମ୍ପର୍କ ଜାଣିବା ପରେ ସୁନନ୍ଦା ଆଉ ପ୍ରଶାନ୍ତ ଆପତ୍ତି କରି ନଥିଲେ୤ କିନ୍ତୁ ଆପତ୍ତି କରିଥିଲେ, ସଲିମାର ବାପା ଓ ମାଆ ୤ ଛୋଟ ମଫସଲ, ପୁଣି ନିର୍ଦ୍ଧନ ଘରେ ସଲିମାକୁ ଜମା ବିବାହ ଦେବେନି୤ ଏପଟେ ପୁଅ ଝିଅ ଉଭୟେ ବିବାହ ପାଇଁ ଜିଦ‍୍‌ ଧରି ବସିଛନ୍ତି୤ ଆଉ କ’ଣ କରାଯାଇପାରେ, ବାଧ୍ୟହୋଇ ସରଳ ନିରାଡ଼ମ୍ବର ଭାବରେ ନିଜ ଘରେ ବିବାହର ଆୟୋଜନ କଲେ ପ୍ରଶାନ୍ତ୤ ସମସ୍ତେ ଭୟ କରୁଥିଲେ ବିବାହ ସମୟରେ ହୁଏତ ସଲିମାର ବପା ଓ ମାଆ କୌଣସି ପ୍ରତିରୋଧ କରିବେ୤ ନାଁ, ସେପଟୁ କୌଣସି ପ୍ରକାର ପ୍ରତିକ୍ରିୟା କି ପ୍ରତିରୋଧ ସୃଷ୍ଟି ହୋଇ ନଥିଲା୤ ଗାଁରେ ଯେ ଏ ବିବାହରେ ସମସ୍ତେ ଖୁସିଥିଲେ ତାହା ମଧ୍ୟ ନୁହେଁ ୤ କିନ୍ତୁ ପ୍ରଶାନ୍ତ ଓ ସୁନନ୍ଦାଙ୍କ ମୁହଁକୁ ଚାହିଁ ସେମାନେ ସମସ୍ତେ ମନରେ ଯାହା ଥାଉ ଆସି ବାହାଘରେ ଏକାଠି ହୋଇଥିଲେ୤ ଗାଁ ଲୋକଙ୍କ ସାହାଯ୍ୟ ସହଯୋଗରେ ହିଁ ଏ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା୤ ମାସେ ଛୁଟି ନେଇ ବିଜୁ ଆସିଲା, ଛୁଟି ଶେଷ ପରେ ପୁଅବୋହୂ ବାହାରିଗଲେ କର୍ମସ୍ଥଳୀକୁ୤ ସୁନନ୍ଦାଙ୍କ ଘର ପୂରି ଉଠୁଥିଲା ପୁଅ ଓ ବୋହୂକୁ ନେଇ୤ ବାହାଘର କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେଲା ସିନା, ଗୋଟିଏ ଦୁଃଖ ରହିଲା୤ ବାହାଘରେ ପ୍ରଶାନ୍ତଙ୍କ ବଡ଼ଭଉଣୀ ଜମା ସନ୍ତୁଷ୍ଟ ନଥିଲେ୤ ତାଙ୍କର ଏକା ଜିଦ‍୍‌ ଏ ବାହାଘର ନ କରିବା ପାଇଁ ୤ ବ୍ରାହ୍ମଣ ପରିବାରରେ ଖ୍ରୀଷ୍ଟିୟାନ‍୍‌ ଝିଅ ବୋହୂ ହେଲେ ସାତପୁରୁଷ ପାଣି ପାଇବେ ତ ? ମନେ ମନେ କହିଲେ ସୁନନ୍ଦା, ସାତ ପୁରୁଷ ପାଣି ପାଇବେ କି ନ ପାଇବେ, ସେ କଥା ଚିନ୍ତା କରିବାକୁ ଏଇନେ ବେଳ କାହିଁ୤

ଗାଁରେ ଅଳ୍ପଦିନ ରହଣି ଭିତରେ ସଲିମା ସମସ୍ତଙ୍କୁ ଆପଣାର କରିପାରିଥିଲା୤ ଯେତେ କଷ୍ଟ ହେଲେ ବି ଗାଁର ଚାଲିଚଳଣିରେ ନିଜକୁ ସାମିଲ କରିନେଇଥିଲା୤ ଆଶ୍ଚର୍ଯ୍ୟ ହେଲେ ସୁନନ୍ଦା ତା’କୁ ଦେଖିଲେ କେହି କହିବେନି ଯେ, ସେ ଜଣେ ଉଗ୍ର ଆଧୁନିକ ପରିବାରର ସନ୍ତାନ୤ ଦେଖୁ ଦେଖୁ ଛୁଟି ଶେଷ ହେଲା ୤ ଏମିତିରେ କୌଣସି ଦିନ ସଲିମାର ବପା ଘରୁ କିଛି ଖବର କି ଫୋନ୍‌ ବି ଆସି ନଥିଲା୤ ସଲିମା ଆଉ ବିଜୟ ଚେନ୍ନାଇ ଫେରିଗଲେ୤ ଚେନ୍ନାଇରେ ପହଞ୍ଚିବା ପରେ, ଥରେ କି ଦିଥର ଫୋନ୍‌ ଆସିଥିଲା୤ ସେ ଫୋନ୍‌ରେ କୁହେ, ଭଲରେ ଅଛନ୍ତି, ନୂଆ ଘର ସଜଡ଼ାସଜଡ଼ି କରୁଛନ୍ତି୤ ଅନେକ ଦିନ ହେଲା ଫୋନ୍‌ ଆସିନି୤ ସୁନନ୍ଦା ଭାବୁଥିଲେ ଘରକାମ ଆଉ ଅଫିସ କାମରେ ବୋଧହୁଏ ବ୍ୟସ୍ତଥିବେ୤ କିନ୍ତୁ କାହିଁକି ଫୋନ୍‌ କରିନି ? ସୁନନ୍ଦା ବ୍ୟସ୍ତ ହୋଇଉଠିଥିଲେ, ପ୍ରଶାନ୍ତ ନିଜ ଆଡ଼ୁ ଫୋନ୍‌ କଲେ୤ ବହୁତ ରିଙ୍ଗ୍‌ ପରେ ବିଜୁ ଫୋନ୍‌ ଧରିଥିଲା ୤ କିନ୍ତୁ ତା’ କଥାବାର୍ତ୍ତାରୁ ପ୍ରଶାନ୍ତ ଅନୁମାନ କରିନେଲେ ସେଠିକା ପରିସ୍ଥିତି ଜମା ଭଲ ନୁହେଁ ୤

ପାଞ୍ଚ ଦିନ ତଳେ ବିଜୁ ନିଜେ ଫୋନ କରିଥିଲା, ଗାଁକୁ ସେ ଫେରି ଆସୁଛି ୤ ଛାତି ଫାଟିପଡ଼ିଲା ସୁନନ୍ଦାଙ୍କର୤ ଦୁଃଖ କ’ଣ ଅଭାବ କ’ଣ, କିଛି ହେଲେ ବିଜୁକୁ ଦିନେ ଜାଣିବାକୁ ଦେଇ ନଥିଲେ୤ ଆଜି ତା’ଉପରେ ଏବେ ବଡ଼ ଦୁଃଖର ପାହାଡ଼! ଏସବୁ ସମ୍ମୁଖୀନ ସେ କେମିତି ହେବ ? ବିଜୁ କହୁଥିଲା, ଗାଁରୁ ଯିବା ଦଶଦିନ ପରେ ସଲିମାର ବପା ଓ ମାଆ ଆସି ସଲିମାର ଅନିଚ୍ଛା ସତ୍ତ୍ବେ ତାକୁ ଜୋର୍‌କରି ଘରକୁ ନେଇ ଚାଲିଗଲେ୤ ତଥାପି ସେମାନଙ୍କ ମନ ଶାନ୍ତି ହେଲାନାହିଁ୤ ବିଜୁକୁ ଯେଉଁଠାରେ ଦେଖିଲେ ଅପମାନିତ କରିବାକୁ ଲାଗିଲେ୤ ମାନସିକ ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ସେ ଚାକିରୀ ଛାଡ଼ି ଗାଁକୁ ଫେରିଆସୁଛି୤

ସୁନନ୍ଦା ଭାବୁଥିଲେ ଗାଁର ପୁଅକୁ ସହରର ଯାନ୍ତ୍ରିକ ସଭ୍ୟତା ପାଦରେ ଦଳିଚକଟି ତଳିତଳାନ୍ତ କରିଦେଲା୤ ସୁନନ୍ଦାଙ୍କର ମନ ବିସ୍ମୟ ଆଉ ଆଶଙ୍କାର ଦୋଛକିରେ ଦୋଳାୟମାନ୤ ବିଜୁ ବର୍ତ୍ତମାନ କେମିତି ଥିବ? ମାନସିକ ଯନ୍ତ୍ରଣାରେ ସନ୍ତୁଳିତ ହେଉଥିବ ? କେତେଟା ବର୍ଷ ବା ତାକୁ ହୋଇଛି, ଏଇ ଆଷାଢ଼ ପୁନେଇ ଆସିଲେ ଛବିଶି ପୁରି ସତେଇଶି ଚାଲିବ୤ ଏଇ ଦିନରୁ କେତେ କଷ୍ଟ ଭୋଗିଲାଣି୤ ନାଁ, ଗାଁକୁ ଆସିଲେ ଆଉ ତାକୁ ଛାଡ଼ିବେନି, ଚେନ୍ନାଇ୤ ଗାଁରେ ରହୁ୤ କେତେ ଦିନ ଗଲେ ମନ ଆପେ ଭଲ ହେଲେ ଯିବ, ତା’ପରେ ଆଉ କୁଆଡ଼େ ଚାକିରୀ ଖୋଜିବ୤ ଏଇନା ତ ଚାକିରୀ ଅଭାବ ନାହିଁ୤ ଯେତେ କମ୍ପାନୀ ସେତେ ଚାକିରୀ୤ ହଁ ଚେନ୍ନାଇରେ ଭଲ ପୋଷ୍ଟ୍‌ରେ ଥିଲା, କିନ୍ତୁ ସଲିମାର ବପା ପରା ଚେନ୍ନାଇର ସମ୍ପନ୍ନଶାଳୀ ଲୋକ୤ ଯାହା ଇଚ୍ଛା ତାହା କରିଦେବେ୤ ସେ ଦିନ ବିଜୟର ବାହାଘରେ ବିଜୟର ସାଙ୍ଗ ତନ୍ମୟ କହୁଥିଲା ବୁଝିଲ ମାଉସୀ, ସଲିମାର ବାପା ଗୋଟିଏ ସିଂହ ! ଏମାନଙ୍କ ସମ୍ପର୍କରେ ସେ ଆଦୌ ଖୁସୀ ନଥିଲା ୤ ଝିଅକୁ ଭଲ ପାଉଥିଲା ତ, କିଛି କହିଲାନି, ଛାଡ଼ିଦେଲା୤ ନହେଲେ ସେ ଖୋଜାଖୋଜି କରି ଏଠି ପହଞ୍ଚି ଯାଇଥା’ନ୍ତା୤ ବାହାଘରେ କାଳେ ଅସୁବିଧା ହେବ ଏଇ ଭୟ ଥିଲା ସମସ୍ତଙ୍କର୤ ଯାହା ହେଉ ଏମିତି କିଛି ହେଲାନି, ହେଲେ ବାହାଘର ମାସେ ନ ଯାଉଣୁ ସେ ଦେଖାଇ ଦେଲା ତା’ର ପ୍ରକୋପ୤ ବିଜୁର ମୁହଁଟା ଖାଲି ନାଚି ଉଠୁଛି୤ ଅନ୍ୟାୟ ଅନୀତିର ପ୍ରତିରୋଧ କରିବା ଶକ୍ତି ବିଜୁର ନାହିଁ ୤ ବିଜୁର ବହିପଢ଼ା ଭଲ ତ ସେ ଭଲ୤ ଆଜି କେମିତି ଏତେ ବଡ଼ ପରିସ୍ଥିତିର ସମ୍ମୁଖୀନ ହେଉଥିବ ?

ବିଜୁ ଫୋନ୍‌ କରିଥିଲା, ଆଜି ଆସି ପହଞ୍ଚିବ, ଚେନ୍ନେଇ ହାବଡ଼ା ମେଲ୍‌ରେ୤ କାଳେ ପ୍ରଶାନ୍ତଙ୍କୁ କହିଥିବ ? ପ୍ରଶାନ୍ତ ତ ଅଧାକଥା କହିବେ ଅଧା ଭିତରେ ରଖିବେ୤ ପ୍ରଶାନ୍ତ ଆର ଘରେ ଟି.ଭି. ଦେଖୁଛନ୍ତି୤ ଦିନରାତି ନ୍ୟୁଜ୍‌, କେମିତି ବିରକ୍ତ ଲାଗେନି କେଜାଣି ? ହାତରେ ଚା’କପ୍‌ ଧରି ସୁନନ୍ଦା ପ୍ରଶାନ୍ତଙ୍କ ପାଖକୁ ବାହାରିଲେ୤ ପ୍ରଶାନ୍ତଙ୍କ ହାତକୁ ଚା’କପ୍‌ଟି ଦେଉ ଦେଉ ଶୁଣିଲେ ଚେନ୍ନାଇରୁ ଆସୁଥିବା ଚେନ୍ନାଇ ମେଲ୍‌ ଟ୍ରେନ୍‌ରେ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁ୤ ବ୍ୟକ୍ତିର ଶବ ଚିହ୍ନଟ କରାଯାଇପାରୁନି୤ ହାତରୁ ଚା’କପ୍‌ଟା ଖସିପଡ଼ିଲା୤ ରକ୍ଷା ହୋଇଛି ପ୍ରଶାନ୍ତଙ୍କ ଗୋଡ଼ରେ ପଡ଼ିନି୤ ଓଢ଼ଣାଟିକୁ ମୁଣ୍ଡ ଉପରକୁ ଟାଣିନେଇ ସର୍ବମଙ୍ଗଳାକୁ ସ୍ମରଣ କଲେ ସୁନନ୍ଦା୤ ବିଜୁ ମୋର ଭଲରେ ଫେରିଆସୁ୤

ପୃଷ୍ଠା ସଂଖ୍ୟା : 1 2 3

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କନକଲତା ସାହୁ
କନକଲତା ସାହୁ
ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଶ୍ରୀମତୀ କନକଲତା ସାହୁ ଏକାଧାରରେ ଜଣେ ଗାଳ୍ପିକା, ପ୍ରାବନ୍ଧିକା, ନାଟ୍ୟକାର ସହିତ ଓଡ଼ିଆ ଭାଷାସାହିତ୍ୟର ଜଣେ ଗବେଷିକା ଭାବେ ପ୍ରତିଷ୍ଠାଲାଭ କରିଛନ୍ତି୤ ‘ବୋଉ ବନାମ ବହୁବଚନ’ ଗଳ୍ପ ସଙ୍କଳନ ସହିତ ‘ରେବତୀ’, ‘କାଳିଜାଇ’ ଓ ‘ଦେବଦାସୀ’ ନାଟକ ସହିତ ଏକାଧିକ ବେତାର ନାଟକ ବ୍ୟତୀତ ଶ୍ରୀମତୀ ସାହୁଙ୍କ ଅନେକ ଗଳ୍ପ, ପ୍ରବନ୍ଧ ଓ ଗବେଷଣାମୂଳକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ଏହା ବ୍ୟତୀତ ବିଭିନ୍ନ ସାମାଜିକ ଓ କ୍ରୀଡ଼ା... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. Raju, Bhubnewar |  ଜାନୁଆରୀ ୨୨, ୨୦୧୩ - ୬:୦୦ ପୂର୍ବାହ୍ନ

    As usual story. Nothing new. I love to read story. Please ma’am write something new. Son fall in love with a rich girl and her father kill him ,70’s story.

  • ୨. ଦୀପଂକର ଦାସ, ଭୁବେନଶ୍ବର |  ଏପ୍ରିଲ୍ ୨୦, ୨୦୧୩ - ୩:୪୯ ପୂର୍ବାହ୍ନ

    ଅତି ସୁନ୍ଦର

  • ୩. ରୂପଧର, HYDERABAD |  ଅକ୍ଟୋବର୍ ୨୪, ୨୦୧୩ - ୨:୨୫ ଅପରାହ୍ନ

    ପ୍ରେମକୁ ନେଇ ଅନେକ କାହାଣୀ ଲେଖା ଯାଇଛି କିନ୍ତୁ ଜାତି ବ୍ୟବସ୍ଥା ଉପରେ କିମ୍ବା ଧର୍ମ କୁ ନେଇ ପ୍ରେମ କାହାଣୀ ର ରଚନା କମ ହୋଇଛି । ଉକ୍ତ କାହାଣୀ ର କେନ୍ଦ୍ରୀୟ ସମସ୍ୟା ପ୍ରେମ ଏବଂ ଧନ । ଆଉ ଅନ୍ୟ ପାଖେ ମା’ ର ମନ – “ସଲିମାର ଆଭିଜାତ୍ୟ ବିଷୟ ଜାଣିବା ପରଠାରୁ ମନେ ମନେ ପ୍ରମାଦ ଗଣିଥିଲେ ସୁନନ୍ଦା୤ ସେ ଜାଣନ୍ତି ପ୍ରେମରେ ଧନୀ, ଗରିବ, ଜାତି-ଅଜାତିର ହିସାବ ନିକାସ ନାହିଁ୤ ତଥାପି ଜାତି-ଅଜାତି ତିଆରି କରିଥିବା ମଣିଷ କେବେହେଲେ ଏ ସତ୍ୟକୁ ଗ୍ରହଣ କରିପାରିବନି୤” କାହାଣୀରେ ପ୍ରଶାନ୍ତ ଙ୍କ ପରି ତ୍ୟାଗବାନ ପୁରୁଷ ଏବଂ ଅନ୍ୟ ପାଖେ ସଲିମାଙ୍କ ପିତାଙ୍କ ଭଳି ସ୍ଵାର୍ଥୀ ମଣିଷ । ବିଜୁ ଙ୍କ ମାନସିକ ଭାରସାମ୍ୟ ହରାଇବା ଏବଂ ରହସ୍ୟ ଜନକ ମୃତ୍ୟୁ, ପୁଣି ମା’ ମନରେ ପ୍ରଶ୍ନ ସୃଷ୍ଟି କରେ- “ଏ ନିଶ୍ଚୟ ସଲିମାର ବାପାଙ୍କ କାମ ହୋଇଥିବ୤ ପଇସା ବଳରେ ସେ ନିଶ୍ଚିହ୍ନ କରିଦେଇଥିବେ ବିଜୁକୁ ।” ପ୍ରେମ ବି ଏଠି ବଳି ଚଢିଯାଏ, ଧନ କୁ ମଣିଷ ଭଲ ପାଏ ।

  • ୪. SUSHREE DALAI, Hyderabad |  ଜୁନ୍ ୧୮, ୨୦୧୪ - ୯:୩୦ ପୂର୍ବାହ୍ନ

    Excellent story.I enjoyed reading.Keep it up.

  • ୫. rasmi, noida |  ମାର୍ଚ୍ଚ୍ ୧୯, ୨୦୧୫ - ୯:୦୨ ଅପରାହ୍ନ

    ଯଦିବା କିଏ କହିପାରଂତି ଏ‍ଇ ଗପଟି ପୁରୁଣା ଧାରାର, ମାତ୍ର ଏବେତ ଏହି ପୃଷ୍ଠଭୂମି ବର୍ତ୍ତମାନର ସମାଜରେ ବହୁତ ଦେଖାଦେଉଛି.. ତେଣୁ ଏହା ପୁରୁଣା ନୁହେଁ…। ଅବଶ୍ୟ ଗାଳ୍ପିକା ମୁଖ୍ୟ ଚରିତ୍ରକୁ ବହୁତ ଭଲ (ideal) ଦେଖାଇଛଂତି…।

  • ୬. ଅମରେଶ ବଳବନ୍ତରାୟ, ସାଲେପୁର, କଟକ |  ଡିସେମ୍ବର୍ ୨୬, ୨୦୧୫ - ୨:୨୫ ପୂର୍ବାହ୍ନ

    ଭଲ ହୋ‍ଇଛି

  • ୭. SANTOSH KUMAR NAYAK, BALASORE |  ଜାନୁଆରୀ ୨୯, ୨୦୧୮ - ୬:୫୨ ଅପରାହ୍ନ

    It is a significant step for the improvement of the Odia language. Thanks and congratulations to all the founder members and specially to the Editor-in-chief.
    Faithfully yours
    Santosh Kumar Nayak, OES-I
    Assistant Professor and Head
    P.G. Department of Odia language and literature
    Government College, Koraput, Odisha, India

  • ୮. ଜଗନ୍ନାଥ ତରେଇ, ମୟୂରଭଞ୍ଜ  |  ମେ ୨୨, ୨୦୧୮ - ୪:୦୧ ପୂର୍ବାହ୍ନ

    ସୁନ୍ଦର ଗଳ୍ପ। ବର୍ତ୍ତମାନ ସମାଜର ଏକ ଜ୍ୱଳନ୍ତ ଚିତ୍ରକୁ ଚିତ୍ରିତ କରିଛନ୍ତି । ଧନ୍ୟବାଦ ଏ ସୁନ୍ଦର ଗଳ୍ପ ପାଇଁ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤