ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ରବି ଶତପଥୀ
ବିଜୟ ମିଶ୍ର
କେ.ଶ୍ୟାମବାବୁ ଦୋରା
ନିତ୍ୟାନନ୍ଦ ମହାପାତ୍ର
ମୃଣାଳ
ବାମାଚରଣ ମିତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଝଡ଼ର ଗତିପଥ
 |- ମନୋଜ ଦାସ
 
 
ତା: ସେପ୍ଟେମ୍ବର୍ ୧୮, ୨୦୧୨  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ହୁ-ହୁ ବତାସ୤ ଯେମିତି ଯୁଗଯୁଗାନ୍ତର ପାତାଳପୁରୀର ଏକ ନିଷିଦ୍ଧ ଅଞ୍ଚଳରେ ଯାଦୁଫରୁଆଟିଏ ଭିତରେ ସେ ରହିଥିଲା ବନ୍ଦୀ ହୋଇ, ହଠାତ୍‌ ମୁକ୍ତି ପାଇ ତା’ର ଅସୀମ ଗନ୍ତବ୍ୟମାର୍ଗରେ ବରାବର ବିଶ୍ବର ସମସ୍ତ କିଛିକୁ ଚୂର୍ଣ୍ଣୀଭୂତ କରି ଉଡ଼ାଇ ନେଇଯିବାକୁ ଚାହେଁ୤ ଅନ୍ଧାର କ୍ରମେ ବହଳ ହୋଇ ଆସୁଛି୤ ସମଗ୍ର ଆକାଶବ୍ୟାପୀ ଘନକୃଷ୍ଣ ମେଘ ଜମାଟ ବାନ୍ଧି ରହିଛି୤ ସୁଚ୍ୟଗ୍ର ପରିମିତ ବର୍ଷାବିନ୍ଦୁ ସମୂହ କ୍ରମେ ହୋଇ ଉଠୁଛନ୍ତି ବାଟୁଳି ଭଳି ଶକ୍ତିଶାଳୀ୤ ଆଉ ମଧ୍ୟେ ମଧ୍ୟେ ବିଦ୍ୟୁତ୍‌ର ଆଦିଗନ୍ତ ବିକାଶ ଭିତରେ ସମୁଦ୍ର ଲହରୀର ଉତ୍ତାଳ ବିଚ୍ଛୁରଣ ରଣୋନ୍ମତ୍ତ ଅସିମାଳା ଭଳି ଝଲସିତ୤

ଏମନ୍ତ ଦୁର୍ଯୋଗ ରାତ୍ରିରେ ନିର୍ଜନ ସମୁଦ୍ର ଉପକଣ୍ଠରେ ଏକ ଅନ୍ଧକାର ଦ୍ବିତଳ ପ୍ରାସାଦରେ ଆତଙ୍କରେ ଶିହରି ଉଠୁଥିଲେ ତିନୋଟି ପ୍ରାଣୀ୤ ସେମାନେ ଶ୍ରୀ ଓ ଶ୍ରୀମତୀ ସିହ୍ନା ଏବଂ ଶ୍ରୀମତୀ ସିହ୍ନାଙ୍କ ଭ୍ରାତା ଅଧ୍ୟାପକ ପ୍ରବାଳ କିଶୋର୤

ସମୁଦ୍ର ଚମତ୍କାର, କିନ୍ତୁ ପୁରୀ ବା ମାନ୍ଦ୍ରାଜ ବା ବମ୍ବେରେ ନୁହେଁ୤ ସେଠାରେ ମନେହୁଏ, ସମୁଦ୍ର ବିଚରା ଯେମିତି ପଞ୍ଝାଏ ସାନ୍ଧ୍ୟଭ୍ରମଣ ବିଳାସୀଙ୍କ ଆଗରେ ସେମାନଙ୍କର ଚେନାଚୁର ଚର୍ବଣ-ଜାତୀୟ ମଉଜଟାଏ ମାତ୍ର୤ ଶ୍ରୀମତୀ ସିହ୍ନା ମନ ବଳାଇଥିଲେ ସମୁଦ୍ରକୁ ସମୁଦ୍ର ଭଳି ଦେଖିବା ନିମନ୍ତେ୤ ଶ୍ରୀଯୁକ୍ତ ସିହ୍ନା ଖୋଜୁଥିଲେ ଏଭଳି ଏକ ଜନହୀନ ନିର୍ଜନ ଉପକୂଳ, ଯେଉଁଠି ନିରାଭରଣ ଉତ୍ତୁଙ୍ଗ ବାଲୁକା ଶଯ୍ୟା ଉପରେ ସମୁଦ୍ରର ପ୍ରାଗୈତିହାସିକ ଉତ୍ତାଳତା ଅହରହ ବିସ୍ଫୋରିତ ହେଉଥିବ୤

ଶ୍ୟାଳକ ପ୍ରବାଳ କିଶୋର ଅଚିରେ ସନ୍ଧାନ ନେଇ ଜାଣିଲେ, ସେ ରୂପ ଏକ ସ୍ଥାନ ହେଲା ଷଣ୍ଢକୁଦ୤ ଏକାନ୍ତ ନିର୍ଜନ ଅଥଚ ଐତିହାସିକ ଷଣ୍ଢରାଜାଙ୍କ ସ୍ମୃତିବିଜଡ଼ିତ ସେହି ସ୍ଥାନରେ ପରବର୍ତ୍ତୀ କାଳର ଜଣେ ଜମିଦାର ନିର୍ମାଣ କରିଥିବା ଗୋଟିଏ ଦ୍ବିତଳ ଅଟ୍ଟାଳିକା ବିଦ୍ୟମାନ ରହିଛି୤ ଉଦ୍ଦାମ ପ୍ରକୃତି କୋଳରେ ଦୁଇତିନି ଘଣ୍ଟା ଦୋହଲି ହେବା ନିମନ୍ତେ ତାହା ହିଁ ପ୍ରକୃତ ସ୍ଥାନ୤

ଷଣ୍ଢକୁଦର ନିର୍ଜନ ଉପକୂଳରେ ଯେତେବେଳେ ଜିପ୍‌ ଯାଇ ଉପନୀତ ହେଲା, ସେତେବେଳକୁ ଅପରାହ୍ନର ଅବଶେଷ ମାତ୍ର ରହିଛି୤ ଜିପ୍‌ରୁ ଓହ୍ଲାଇ ତିନିହେଁ ଚତୁର୍ଦ୍ଦିଗକୁ ଅନାଇ ସେ ଶୀତଳ ପବନ ଯେପରି ଆବକ୍ଷ ପିଇଗଲେ୤

ଅଧ୍ୟାପକ ପ୍ରବାଳ କିଶୋର ଥରେ ଧମକ ଦେବା ଭଳି କୌଣସି ଏକ କବିତାର କିୟଦଂଶ ଆବୃତ୍ତି କରିବାକୁ ଚେଷ୍ଟା କଲେ, ‘ନିର୍ଜନ ହେ ନିର୍ଜନ !’ ତା’ପରେ ଆଉ କିଛି ମନେ ନ ପଡ଼ିବାରୁ ଚୁପ୍‌ ହେଲେ୤ ହୁ-ହୁ ପବନ୤ ଉତ୍ତର-ପଶ୍ଚିମ କୋଣରେ ପୁଳାଏ ମେଘ ଭାସି ବୁଲୁଥିଲା୤ ପରିବେଶର ପ୍ରାଥମିକ ପର୍ଯ୍ୟବେକ୍ଷଣରେ କିୟତ୍‌କ୍ଷଣ ଅତିବାହିତ କରି ତନିହେଁ ସମୁଦ୍ରରେ ପଶିଲେ୤ ପ୍ରବାଳ କିଶୋର ଢେଉ ସହିତ ତାଙ୍କ ସ୍ବଭାବସିଦ୍ଧ ରୀତିରେ କିଛିଟା ବିଶେଷ ଧରଣର କସ୍‌ରତ କରୁଥିଲେ୤ ତାଙ୍କର ଭଗ୍ନୀ ଓ ଭଗ୍ନୀପତି କିନ୍ତୁ ସେଥିରେ ଉଦ୍‌ବୁଦ୍ଧ ନହୋଇ ଏଭଳି ସଂଯତ ଆଚରଣ କରୁଥିଲେ, ଯେମିତି ସମୁଦ୍ର ସୌଖୀନ କାଚ ନିର୍ମିତ ପଦାର୍ଥବିଶେଷ, ଯାହା କି ସେମାନଙ୍କ ସାମାନ୍ୟ ଅସାବଧାନତାରେ ବି ଚୂର୍ଣ୍ଣ ହୋଇଯାଇପାରେ୤

ସେହି ଅବସ୍ଥାରେ ହିଁ ଅବଦାନ ଭାବରେ ଆସିଗଲା ଝଡ଼୤ ତିନି ହେଁ କୌଣସିମତେ ଜିପ୍‌ରୁ କେବଳ ଲୁଗାପଟା ସମ୍ବଳିତ ବ୍ୟାଗ୍‌ଟି ବାହାର କରିନେଇ କୋଠା ଭିତରକୁ ଝପଟି ପଶିଆସିଲେ୤ ଭାବିଥିଲେ, ଝଡ଼ର ଅବସାନ, ହେଲେ ସ୍ବଗୃହକୁ ଫେରିଯିବେ୤

କିନ୍ତୁ ଝଡ଼ କ୍ରମାଗତ ଭାବେ ବଢ଼ିଚାଲିଛି୤ ମୁହୂର୍ତ୍ତକ ସକାଶେ ବି ଆଉ କୌଣସି ଝରକା କବାଟ ଖୋଲା ରଖି ହେଉ ନାହିଁ୤ ଖୋଲିଦେଲେ ହିଁ ସର୍ବବ୍ୟାପୀ ପରାକ୍ରାନ୍ତ ଝଡ଼ ସହିତ ମୁହାଁମୁହିଁ ହେବାକୁ ପଡ଼ିବ୤ ସେ ପରାକ୍ରମ ଅସହ୍ୟ୤

ଅସହାୟ ଭାବରେ ତିନିହେଁ ବସିଥିଲେ୤ ଯେତେଦୂର ମନେପଡ଼ୁଛି, ଶ୍ରୀମତୀ ସିହ୍ନା ଶେଷ ମୁହୂର୍ତ୍ତରେ ଟର୍ଚ୍ଚ ଲାଇଟ୍‌ଟିଏ ଗୋଟିଏ ପ୍ଲାଷ୍ଟିକ୍‌ ବ୍ୟାଗରେ ପୂରାଇଥିଲେ୤ କିନ୍ତୁ ସେ ବ୍ୟାଗ୍‌ଟି ରହିଛି ଜିପ୍‌ରେ୤ ଜିପ୍‌ ପର୍ଯ୍ୟନ୍ତ ଯିବା ସକାଶେ ଥରେ ପ୍ରବାଳ କିଶୋର ପ୍ରସ୍ତୁତ ହେଲେ୤ ଅଣ୍ଡାଳି ଅଣ୍ଡାଳି ସେ ପାହାଚ ପର୍ଯ୍ୟନ୍ତ ଗଲେ ମଧ୍ୟ, କିନ୍ତୁ ଅବତରଣ କରିବାକୁ ଉଦ୍ୟତ ହେବା ମୁହୂର୍ତ୍ତରେ ହିଁ ତଳ ମହଲାରେ ଶୁଭିଲା ଗୋଟିଏ ଶବ୍ଦ-କିଞ୍ଚିତ୍‌ ଅପ୍ରାକୃତିକ୤ ହୁଏତ କିଛି ନୁହେଁ, କିନ୍ତୁ ଜନପଦଠୁଁ ବହୁ ଦୂରରେ ଅବସ୍ଥିତ ରାଜରାଜୁଡ଼ା ପରିତ୍ୟକ୍ତ ଏସବୁ କୋଠିରେ ଏଭଳି ଶବ୍ଦର ତ ବହୁ ରହସ୍ୟମୟ କାରଣ ବି ଥାଇପାରେ୤

ଅତଏବ ପ୍ରବାଳବାବୁ ଗଲେ ନାହିଁ ୤ ତା’ପରେ ସିହ୍ନା ସାହେବ ଶ୍ୟାଳକଙ୍କୁ ଈଷତ୍‌ ଭର୍ତ୍ସନା କରି ସ୍ବୟଂ ଅଗ୍ରସର ହେଲେ୤ କିନ୍ତୁ ହଠାତ୍‌ ତାଙ୍କର ମନେପଡ଼ିଲା, ବିନା ଚଷମାରେ କୁଆଡ଼େ ହେଲେ ଅଗ୍ରସର ହେବାକୁ ସେ କୋଡ଼ିଏ ବର୍ଷ ହେଲା ଭୁଲିଗଲେଣି, ସମୁଦ୍ର ଭିତରକୁ ପଶିବା ପୂର୍ବରୁ ଚଷମାଟି ସେ ଜିପ୍‌ରେ ଥୋଇଥିଲେ୤ ଅବଶ୍ୟ ପ୍ରବାଳ କିଶୋର ନମ୍ର ଭାବରେ ଗହନ ଅନ୍ଧକାର ମଧ୍ୟରେ ଚଷମାର ଭୂମିକା ସମ୍ପର୍କରେ ଥରେ ପ୍ରଶ୍ନ ଉଠାଇଲେ୤ କିନ୍ତୁ ସିହ୍ନା ସାହେବ ସେ ପ୍ରଶ୍ନର ଉତ୍ତର ନ ଦେଇ ଅନୁଶୋଚନା ପ୍ରକାଶ କରୁଥିଲେ ଯେ, ଅଧ୍ୟାପକଙ୍କ ଭଉଣୀ ଉପର୍ଯ୍ୟୁପରି ଅଭିମାନ କରି ତାଙ୍କର ଧୂମପାନ ଅଭ୍ୟାସଟି ଛଡ଼ାଇ ଦେଇ ନ ଥିଲେ ଏଇ ବିପଜ୍ଜନକ ମୁହୂର୍ତ୍ତରେ ଅବଶ୍ୟ ତାଙ୍କ ପାଖରେ ଦିଆସିଲିଟିଏ ଥାଆନ୍ତା୤

ତା’ପରେ ପ୍ରବାଳ କିଶୋର ଓ ସିହ୍ନା ସାହେବ ଏକତ୍ର ଜିପ୍‌ ପାଖକୁ ଯିବା ନିମନ୍ତେ ପ୍ରସ୍ତୁତ ହୁଅନ୍ତେ ଶ୍ରୀମତୀ ସିହ୍ନା ଏକାକିନୀ ରହିବାକୁ ରାଜି ହେଲେ ନାହିଁ କି ସାଥିରେ ଯିବା ପ୍ରସ୍ତାବକୁ ମଧ୍ୟ ସମର୍ଥନ ଜଣାଇଲେ ନାହିଁ୤

ଅତଏବ ତିନିହେଁ ବସିରହିଲେ୤ ଚୂନ ପଲସ୍ତରା ଖସି ଖସି ପଡୁଛି୤ ଝଡ଼ର ଗତିବେଗ ବଢ଼ି ବଢ଼ି ଚାଲିଛି୤ ଝରକାଗୁଡ଼ିକରୁ କଡ଼ମଡ଼ ଶବ୍ଦ ନିର୍ଗତ ହେଉଛି୤ ଭୁସ୍‌କିନା ଗୋଟିଏ ମୁହୂର୍ତ୍ତରେ କୋଠାଟି ଧୂଳିସାତ୍‌ ହୋଇଯିବା ବିଚିତ୍ର ନୁହେଁ୤ ଝଡ଼ର ପ୍ରକୋପ କିଛି ମାତ୍ରାରେ ସହ୍ୟ କରିନେଇ କୋଠା ଉପରେ ବସୁଥିବା ମାଡ଼କୁ ଲାଘବ କରିବା ନିମନ୍ତେ ନିକଟବର୍ତ୍ତୀ ଅଞ୍ଚଳରେ ବଡ଼ ଧରଣର ଗଛଟାଏ ବି ନାହିଁ୤

ଝଡ଼ର ଗତି ସହିତ ତାଳ ଦେଇ ସମୁଦ୍ରର ଗର୍ଜନ ମଧ୍ୟ ଭୟାବହ ହୋଇ ଉଠୁଥିଲା୤

ଏ ଏକ ମାରାତ୍ମକ ଝଡ଼-ପ୍ରବାଳବାବୁ କହିଲେ୤ କିନ୍ତୁ ଆମର ବର୍ତ୍ତମାନ ଉପାୟ କ’ଣ ? ବଡ଼ ଉଦ୍‌ବିଗ୍ନ ସ୍ବରରେ ଜିଜ୍ଞାସା କଲେ ଶ୍ରୀମତୀ ସିହ୍ନା୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ମନୋଜ ଦାସ, ପଣ୍ଡିଚେରୀ
ମନୋଜ ଦାସ
ପଦ୍ମଶ୍ରୀ ମନୋଜ ଦାସ, ଓଡ଼ିଆ କଥା ସାହିତ୍ୟର ଅନନ୍ୟ ବିନ୍ଧାଣି୤ ତାଙ୍କ ଲେଖାର ନିଆରା ଶୈଳୀ ପାଇଁ ଆଧୁନିକ ଓଡ଼ିଆ ସାହିତ୍ୟରେ ତାଙ୍କୁ ବିଷ୍ଣୁ ଶର୍ମାଙ୍କ ସହ ତୁଳନା କରାଯାଏ ୤ ୧୯୩୪ ରେ ବାଲେଶ୍ବର ଜିଲ୍ଲାର ଏକ କ୍ଷୁଦ୍ର ଉପକୂଳ ଗ୍ରାମ ଶଙ୍ଖାରୀରେ ଜନ୍ମ ନେଇଥିବା ଦାସ ଉଭୟ ଓଡ଼ିଆ ଓ ଇଂରାଜୀରେ ଅନେକ ସାହିତ୍ୟ ସୃଷ୍ଟି କରିଛନ୍ତି୤ ୧୯୬୩ ମସିହାରୁ ସେ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆଶ୍ରମକୁ ସାଧାନାର କ୍ଷେତ୍ର ଭାବେ ବାଛି ନେଇଛନ୍ତି୤ ଶ୍ରୀ ଦାସଙ୍କ କଲମରୁ ସୃଷ୍ଟି ହୋଇଛି... [ କ୍ରମେ ସବିଶେଷ ]
 

ମତାମତ ସଂଖ୍ୟା - ୧୧ ଆପଣଙ୍କ ମତାମତ ?

  • ୧. ମଧୁ ସୁଦନ ଦାଶ |  ସେପ୍ଟେମ୍ବର୍ ୨୧, ୨୦୧୨ - ୧୧:୩୧ ପୂର୍ବାହ୍ନ

    ମୁ ଆଜି ହିଁ ଜାଣିଲି ଓଡିଆ ଲେଖିବା କମ୍ପ୍ୟୁଟର୍‌ରେ ଏତେ ସହଜ ବୋଲି୤ ବହୁତ ବହୁତ ଧନ୍ୟବାଦ ଅପ୍ରାନ୍ତ ଓଡିଆ୤ ବଅହୁତ ବହୁତ ଧନ୍ୟବାଦ ଅପ୍ରାନ୍ତ ଓଡିଆ୤

  • ୨. ରଶ୍ମି ରଞ୍ଜନ ପରିଡା, ତାଳଚେର ଓଡିଶା |  ଅକ୍ଟୋବର୍ ୧୦, ୨୦୧୨ - ୮:୪୮ ପୂର୍ବାହ୍ନ

    ଏ ଲେଖା ଅନେକ ଥର ପଢିଛି, ମାତ୍ର ଓଡିଆସାହିତ୍ୟ.କମ୍ ରେ ଦେଖି ଆଉ ଥରେ ପଢିଲି ୤

    ଅତୁଲନୀୟ ଏହି ସାଧକଙ୍କର ସୃଷ୍ଟି, ତାଙ୍କୁ ଅନେକ ଅନେକ ପ୍ରଣାମ

  • ୩. ରବିନରୟଣ, ଭୁବନେଶ୍ବର୍ |  ନଭେମ୍ବର୍ ୩, ୨୦୧୨ - ୮:୫୮ ପୂର୍ବାହ୍ନ

    ଭଲ ହୋଇଛି

  • ୪. ଅମିତ୍ ରଞ୍ଜନ୍ ସହୁ |  ମେ ୧୭, ୨୦୧୫ - ୩:୩୫ ପୂର୍ବାହ୍ନ

    ବହୁତ୍ ଭଲ . ଧନ୍ୟବାଦ

  • ୫. Rashmi Ranjan Sahoo, odisha |  ମେ ୨୫, ୨୦୧୫ - ୩:୫୯ ପୂର୍ବାହ୍ନ

    So strong compose of words .. Enthralling

  • ୬. rashmi ranjan sahoo, Bhubaneswar |  ମେ ୩୦, ୨୦୧୫ - ୧୦:୩୮ ପୂର୍ବାହ୍ନ

    Sri Manojdas is my favourite writer.. His way of word usage and expression next to none

  • ୭. ମନସ୍ବିନୀ ସାହୁ |  ଅଗଷ୍ଟ୍ ୧୪, ୨୦୧୫ - ୮:୫୬ ପୂର୍ବାହ୍ନ

    You are my most favourite writer. I can’t find any words to praise you.

  • ୮. ପୀୟୂଷ ପ୍ରତୀକ, ନଗର : ଭଦ୍ରକ, ରାଜ୍ୟ: ଓଡିଶା |  ଫେବୃଆରୀ ୨, ୨୦୧୬ - ୪:୨୬ ପୂର୍ବାହ୍ନ

    ବିସ୍ମୟକର ଏହି ସାରସ୍ୱତ ସାଧକଙ୍କୁ କୋଟି ପ୍ରଣାମ। ଅଦ୍ଭୁତ ଅଥଚ
    ସୁନ୍ଦର ଗଳ୍ପଟିଏ।

  • ୯. Jharana Dash, Barpali,Dist-Bargarh,Odisha |  ଜୁନ୍ ୨୫, ୨୦୧୬ - ୧୦:୪୭ ପୂର୍ବାହ୍ନ

    Realy Manoj Das Means Manoj Das

    this type of story only writen by Manoj Das, None of others writer…

  • ୧୦. ଉମା ଶଙ୍କର ମାଝୀ, କଳାହାଣ୍ଡି ,ଓଡିଶା |  ଡିସେମ୍ବର୍ ୨୮, ୨୦୧୭ - ୧:୩୮ ପୂର୍ବାହ୍ନ

    ଅତି ସୁନ୍ଦର ..ସତରେ ଏମିତି ଗଳ୍ପ ଟିଏ ପଢିବାକୁ ଦେଇଥିବାରୁ ଧନ୍ୟବାଦ l

  • ୧୧. ରଶ୍ମୀକାନ୍ତ ନାୟକ, କଟକ |  ମାର୍ଚ୍ଚ୍ ୩୦, ୨୦୧୮ - ୪:୨୨ ପୂର୍ବାହ୍ନ

    ହେ ସାରସ୍ବତ ସାଧକ ଆପଣଙ୍କୁ କୋଟି କୋଟି ପ୍ରଣାମ ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤