ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋଦାବରିଶ ମିଶ୍ର
ମନୋରଞ୍ଜନ ପାଣିଗ୍ରାହୀ
ଫକୀରମୋହନ ସେନାପତି
ବ୍ରହ୍ମାନନ୍ଦ ପଣ୍ଡା
ଜୟନ୍ତ ମହାପାତ୍ର
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଘରକୁ ଫେରୁ ଫେରୁ
 |- ପ୍ରଫୁଲ୍ଲ କୁମାର ତ୍ରିପାଠୀ
 
 
ତା: ଏପ୍ରିଲ୍ ୨୭, ୨୦୧୧  
ମୂଳ ପୃଷ୍ଠାଗଳ୍ପଆଧୁନିକ
 

ମୁଁ ସେଇ ଚା-ଗୁମ୍‌ଟି ପାଖରେ ଠିଆ ହୋଇ କହିଲି- ‘କପେ ଚା’୤

ମୋର କଥାକୁ ଅବିଶ୍ବାସ କଲା ଭଳି ଏକ ସନ୍ଦେହୀ କଣ୍ଠରେ ଦାଢ଼ିଆ ଚା ଦୋକାନୀ ପଚାରିଲା- ‘କପେ ଆଁଗ୍ୟା ?’ ହୁଏତ ସେ ଭାବୁଥିଲା ଯେ ମୁଁ ମଧ୍ୟ ତା’ର ଅନ୍ୟ ସବୁ ଗରାଖଙ୍କ ପରି ଅଧେ, ହାଫ୍‌ ବା ସିଙ୍ଗଲ ବାଲା୤ ସିଗାରେଟ୍‌ ପ୍ୟାକେଟ୍‌ ଫିଟାଇ ମୁଁ ଖଣ୍ଡେ ବାହାରକଲି୤

କହଲି- ‘ହଁ କପେ୤’

ଦାଢ଼ିଆ ବୁଢ଼ା ରଡ଼ି ଛାଡ଼ିଲା-ଆରେ ଭଲ କରି ଗରମ ପାଣିରେ କପ୍‌ପ୍ଲେଟ ଧୋଇ ବାବୁଙ୍କୁ ‘କପେ’ ଚା ଦେ’୤

ମୁଁ ସିଗାରେଟ ଧୂଆଁ ଓ ଗରମ ଚା ପାଣି ଢୋକିଚାଲିଲି୤ ସେଇ ଚା ଦୋକାନୀ ବୁଢ଼ା ମୋ ଉପରେ ତା’ର ସମସ୍ତ ଦୃଷ୍ଟି କେନ୍ଦ୍ରିତ କରିଦେଇଥାଏ୤ ମୁଁ ପରିବେଶ ଓ ପରିସ୍ଥିତିକୁ ଢୋକିଚାଲିଲି୤ ମୁଁ ଜୀବନ ଓ ଜଞ୍ଜାଳକୁ ଢୋକିଚାଲିଲି୤ ମୋର ଏକାକୀତ୍ବକୁ ସେଇ ଭିଡ଼ ଭିତରେ ବିସର୍ଜିତ କରି ମୁଁ ତହିଁର ଏକ ଅଙ୍ଗ ପାଲଟିଗଲି୤

ଏଠୁ ପୁଣି କୁଆଡ଼େ ?

ସେଇ ରାସ୍ତା୤ ଗୋଟିଏ ଆଦିମ କ୍ଷୟର ଦଲିଲ ପରି ଅଙ୍କବଙ୍କା୤ ସମୟର ଚାବୁକ ମାଡ଼ ଯେମିତି ନୋଳା ଟାଣିଦେଇଛି ସହରର ଦେହସାରା୤ ଓ ରାସ୍ତା ! ତୁ କାହା ସହିତ କାହାକୁ ଯୋଡ଼ିଦେଉଛୁ ଜାଣୁ ?

ଗତ୍ୟନ୍ତର ନାହିଁ୤ ସେଇ ରାସ୍ତା୤ ସମୟ ଜାଣିବାକୁ ଇଚ୍ଛା ହେଲା୤ ଜାଣିପାରିଲି ନାହିଁ୤ ଘଡ଼ିଟି ସପ୍ତାହେ କି ଦଶ ଦିନ ହେବ ମରାମତି ଦୋକାନରେ ପଡ଼ିଛି୤ ଅନୁମାନ କରି ଜାଣିବାକୁ ମସ୍ତିଷ୍କ ସହଯୋଗ କଲା ନାହିଁ୤

ମୁଁ ଚାଲିଲି୤

ମୋ ଆଗରେ ଦଳେ ଝିଅ୤ ପୁରୁଫୁରୁ ମୁକୁଳା ବାଳ୤ ଛିଟ କନାର ଲୁଙ୍ଗି ଓ ଗେରୁ ରଙ୍ଗର ଢିଲା କୁର୍ତ୍ତା୤ ଆଜି ଏଠିକା କଲେଜରେ କ’ଣ ଗୋଟିଏ ଉତ୍ସବ ହେଉଥିଲା୤ ହୁଏତ ସେଠିକି ଯାଉଛନ୍ତି କିମ୍ବା ସେଠୁ ଫେରୁଛନ୍ତି୤ ଏ ସହରର ରାସ୍ତା ଏମିତି ସବୁ ଛନ୍ଦାଛନ୍ଦି ଯେ କିଏ କୁଆଡ଼େ ଯାଉଛି ବା କିଏ କେଉଁଠୁ ଫେରୁଛି ତାହା ଅନେକ ସମୟରେ ଅନୁମାନ ସୁଦ୍ଧା କରିହୁଏ ନାହିଁ୤ ହେତୁ ହେଲା ଯେ ଘରୁ ଆସିଲା ବେଳେ ମୁଁ ଟେବୁଲ ପଙ୍ଖାର ସ୍ବିଚ୍‌ ଅଫ୍‌ କରି ନାହିଁ୤ ସେଇଟା ଘୂରୁଥିବ ବର୍ତ୍ତମାନ ସୁଦ୍ଧା୤ ଗାଧୋଇସାରି ନଳ ବନ୍ଦ ନ କରିବା ମଧ୍ୟ ମୋର ଗୋଟେ ଅଭ୍ୟାସ୤

ମାତ୍ର ମୋ ସାମ୍ନାରେ ଦଳେ ଝିଅ୤

ସେମାନେ ମୋତେ ତାଙ୍କ ବିଷୟରେ ଚିନ୍ତା କରିବାକୁ ଏକ ରକମ ବାଧ୍ୟ କରିପକାଉଥିଲେ୤ ଯାହା ହେଉ କିଛି ବାଟ ଗଲାପରେ ମୁଖ୍ୟ ରାସ୍ତା ଛାଡ଼ି ସେମାନେ ଗୋଟେ ଗଳି ଭିତରେ ଉଭାନ ହୋଇଗଲେ୤ ରକ୍ଷା !

ସାମ୍ନା ଛକରୁ ପ୍ରଚାର ଚାଲିଛି- କିଏ ଜାଣେ ଭାଗ୍ୟରେ ଥିଲେ, କର୍ମରେ ଥିଲେ… ପାନ ଦୋକାନ କାନ୍ଥରେ ବିଜ୍ଞାପନ ଅମୁକଙ୍କୁ ଭୋଟ ଦିଅନ୍ତୁ… ଅମୁକ ସାବୁନ ଲଗାନ୍ତୁ୤ ମୁଁ ଶୁଣିଲି, ଦେଖିଲି, ପଢ଼ିଲି୤ ମନେ ରଖିଲି ୤

ହେ ସ୍ମୃତି ଶକ୍ତି ! ତୁମକୁ ଧନ୍ୟବାଦ୤ ମାତ୍ର ମୋତେ ଏତେଗୁଡ଼େ କଥା ମନେ ରଖାଇ ଦୟାକରି ମୁଣ୍ଡ ଭିତରଟାକୁ ଗୋଟିଏ ଡଷ୍ଟବିନ କରିଦିଅ ନାହିଁ୤

ମୁଁ ଚାଲିଛି୤ ଆଗକୁ ଆଗକୁ ଚାଲିଛି୤ ମାତ୍ର ଏହି ଦାବୀଟି ବୃଥା ନୁହେଁ କି ? ଆଗ କ’ଣ ପଛ କ’ଣ ? ସହରର ସବୁ ସମାନ, ଯେମିତି ହାତପାଦହୀନ ଗୋଟିଏ ନାଁକୁ ମାତ୍ର ଜୀବନ୍ତ କୋଶ୤ ତଥାପି ଯେଉଁ ବତୀଖୁଣ୍ଟଗୁଡ଼ିକ ମୋ ପଛରେ ରହିଗଲେ ସେମାନଙ୍କୁ ଆଖିମିଟିକା ମାରିବାର ସୁଯୋଗ ଦେଇ ମୁଁ ଚାଲିଛି୤ ଯେଉଁ ବୁଲା କୁକୁରମାନେ ଏ ଯାଏ ମ୍ୟୁନିସିପାଲଟିବାଲାଙ୍କର ଫାନ୍ଦରେ ଧରାପଡ଼ି ନାହାନ୍ତି, ସେମାନଙ୍କୁ ମୋ ପଛରେ ଭୁକିବାର ସୁଯୋଗ ଦେଇ ମୁଁ ଚାଲିଛି୤ ଅନ୍ୟର ଆଖି ମିଟିକା ଓ ଭୁକାଣରେ ମୁଁ ବାରମ୍ବାର ଆମୋଦିତ ହୋଇଛି୤

ଜୀବନର ବଡ଼ ସଡ଼କରେ ପାଦ ଫିଙ୍ଗି ଫିଙ୍ଗି ମୁଁ ଚାଲିଛି୤ ମୋ ଆଗରେ ମାଳ ମାଳ ମୁଣ୍ଡ୤ ବିରାଟ ଜନତା୤ ଦିଅ ଦିଅ୤ ଏ ରାସ୍ତାରେ ଚାଲୁଥିବା ପ୍ରତ୍ୟେକ ମଣିଷ ଜଣେ ଜଣେ ଦୋଷୀ୤ ଏଣୁ କେହି କାହାକୁ ଦଣ୍ଡ ଦେଇପାରୁ ନାହାନ୍ତି୤ ସମସ୍ତେ ଖାଲି କଥାରେ ମାତିଛନ୍ତି୤ ସବୁ ସ୍ବାର୍ଥପର ଲୋକ କେବଳ ମାତ୍ର ଗୋଟିଏ ଚିନ୍ତାରେ ବ୍ୟସ୍ତ : ଜୀଇଁବା କିପରି ? ନିଜକୁ ଜୀଆଁଇରଖିବା କିପରି ?

ମାତ୍ର ମୁଁ ଏକ ବ୍ୟତିକ୍ରମ୤ ମୁଁ ସବୁଠାରେ ଥିଲି୤ ସଙ୍ଗୀତ କଳା ପରିଷଦଠାରୁ ଆରମ୍ଭ କରି ଚା’ ଖଟି ପର୍ଯ୍ୟନ୍ତ୤ ମାତ୍ର ମୁଁ ଯେତିକି ଜୀବନ ଜିଇଁଲି ସେତିକରେ ମୁଁ ସନ୍ତୁଷ୍ଟ୤ ଶେଷ ଚିଠିଖଣ୍ଡିକର ଉତ୍ତର ଲେଖିସାରିଛି, ଶେଷ ଗୀତଟିର ରିହାରସଲ ଶୁଣିସାରିଛି୤ ଯାହା ଯେତିକି କରିବାର ଥିଲା, କରିସାରିଛି୤ ତେଣୁ ଯଦି ହଠାତ୍‌ ମୋ ଉପରେ ସେଇ ଦ୍ରୁତ ଗତିରେ ଧାଉଁଥିବା ଗାଡ଼ିଖଣ୍ଡିକ ମାଡ଼ିଯାଇ ମୋତେ ରକ୍ତାକ୍ତ କରିପକାଏ, ଦୁଃଖ ନାହିଁ୤ ମୁଁ ଯଦି ଏ ଭିତରେ ଦଳିଚକଟି ହୋଇ ରୁଦ୍ଧଶ୍ବାସ ହୋଇଯାଏ, ଦୁଃଖ ନାହିଁ୤

ଏଇ ମୋର ନିଜର ଜଗତ-ମୋର ବଖୁରିକିଆ ଭଡ଼ାଘର, ମୋର ନର୍କ ଓ ସ୍ବର୍ଗ-ପାଖେଇଆସିଲାଣି୤ ଆଉ ମାତ୍ର ପାଞ୍ଚଟି ବତୀଖୁଣ୍ଟ ଟପିବା ପରେ ହେବି ମୁକ୍ତ-ପ୍ରବେଶ କରିବି ନିଜର ଏକାନ୍ତ ବ୍ୟକ୍ତିଗତ ଜଗତ ମଧ୍ୟକୁ୤

ହଠାତ୍‌ ମନେ ପଡ଼ିଲା ସେଇ ଝିଅଟି୤ ଆଜି ଆସିଲାବେଳେ ଚାହାଁଣୀର ଚିଠି ଦେଇଥିଲା୤ ମୁଁ ଉତ୍ତର ଦେଇପାରି ନ ଥିଲି୤ ଏଇଠି କିଛି ଗୋଟେ ଅକ୍ଷୂର୍ଣ୍ଣ ରହିଗଲା୤ ଅନ୍ତତଃ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଜିଇଁରହିବା ଜରୁରୀ୤

ବର୍ତ୍ତମାନ… ହଠାତ୍‌ ଯଦି ନିଜର ଓଜନରେ ମୋର ଆଖିପତା ମୁଦିହୋଇଯାଏ…. ସତରେ କ’ଣ ସେ ଫୁଟିଉଠିବ ମୋର ସ୍ବପ୍ନରେ ? କେ ଜାଣେ !

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସମ୍ବଲପୁର
ଜଣେ ଇଂରାଜୀ ଅଧ୍ୟାପକ ଭାବେ କାର୍ଯ୍ୟ କରି ଅବସର ନେଇଥିବା ଲେଖକ ପ୍ରଫୁଲ୍ଲ ତ୍ରିପାଠୀ ସାଧାରଣତଃ ଗଳ୍ପ, ପ୍ରବନ୍ଧ କବିତା ଏବଂ ଉପନ୍ୟାସ ଆଦି ଲେଖି ସୁନାମ ଅର୍ଜନ କରିଛନ୍ତି୤ ବିଶେଷତଃ ସାମଜରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ଶ୍ରୀ ତ୍ରିପାଠୀଙ୍କ ଲେଖା ପର୍ଯ୍ୟବେଷିତ୤ ନିଜ ଜୀବନର ଉତ୍ତରାର୍ଦ୍ଧରେ ନିଜର ଲେଖନୀ ଶୈଳୀରେ ପରିବର୍ତ୍ତନ ଆଣି ଶ୍ରୀ ତ୍ରିପାଠୀ ଭାଷାବିତ୍ ଏବଂ ଲିପିର ବିକାଶ ଉପରେ ଅନେକ ଲେଖା ଲେଖିଛନ୍ତି୤ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର... [ କ୍ରମେ ସବିଶେଷ ]
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଅନ୍ୟାନ୍ୟ ଲେଖା →
 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. prasanta Panda |  ଏପ୍ରିଲ୍ ୨୭, ୨୦୧୧ - ୫:୧୮ ଅପରାହ୍ନ

    Sir Namaskar
    Sir ahi prabandhati ra nam”Rasta” hoithile bhala hoi thanta.
    Ahi prabandha ti ra marmatike bujhai debeki ???
    Dhanyabaad

  • ୨. santosh |  ଏପ୍ରିଲ୍ ୨୮, ୨୦୧୧ - ୧:୫୦ ଅପରାହ୍ନ

    Bahuta vala galpa.

  • ୩. Laxmikanta |  ଏପ୍ରିଲ୍ ୨୮, ୨୦୧୧ - ୧୧:୩୫ ଅପରାହ୍ନ

    I like it

  • ୪. ନିଳାଞ୍ଚଳ ଭୂୟା |  ଏପ୍ରିଲ୍ ୩୦, ୨୦୧୧ - ୯:୧୬ ଅପରାହ୍ନ

    ଅପଣଙ୍କ ଏହି ପ୍ରୟାସ ବହୁତ ଭଲ ଲାଗିଲା

  • ୫. ଭବାନି ପ୍ରସାଦ ପତି |  ମେ ୨୩, ୨୦୧୧ - ୪:୦୮ ପୂର୍ବାହ୍ନ

    ଭଲ ଲାଗିଲା ..

  • ୬. ଦିଗନ୍ତ ମହାନ୍ତି |  ଜୁନ୍ ୨୮, ୨୦୧୧ - ୬:୩୩ ପୂର୍ବାହ୍ନ

    ସାର୍, ଭଲ ହୋଇଛି ! ଏବେ ନିକଟ ରେ ପ୍ରକାଶିତ ହୋଇ ଥିବା ଦିଲିପ ମହାନ୍ତି ଙ୍କ କେତୋଟି ସିମ୍ଫୋନି ରେ ଏଇଭଳି ଚମତ୍କାର ଗପ କିଛି ଅଛି ପଢିବାକୁ ଅନୁରୋଧ

  • ୭. ରତି ରଞନ ବେହେରା |  ନଭେମ୍ବର୍ ୧୩, ୨୦୧୧ - ୯:୫୬ ପୂର୍ବାହ୍ନ

    ଗପଟି ବହୁତ ଭଲ ହୋଇଛି!!

  • ୮. ପ୍ରଣବ କୁମାର୍ ନାୟକ, ଫୁଲବାଣୀ,ଓଡିଶା |  ଅକ୍ଟୋବର୍ ୧୩, ୨୦୧୨ - ୬:୦୧ ପୂର୍ବାହ୍ନ

    ଆଜ୍ଞା ନମସ୍କାର୍, ଏହି ୱେବ୍ ସାଇଟ୍ ପଢି ଖୁସି ଲାଗିଲା,ଧନ୍ୟବାଦ
    ମୋ ମା ସବୁବେଳେ “ଚୋରୀ ହଳଦୀ” ନାମରେ ଗୋଟିଏ ବହି
    କଥା କୁହନ୍ତି,କୋଉଠି ମିଳିବ କହି ପାରିବେ କି ?

  • ୯. କାହ୍ନୁ ଚରଣ ତ୍ରିପାଠୀ, ଆସିକା.ଓଡିଶା |  ଜାନୁଆରୀ ୧୯, ୨୦୧୩ - ୧୨:୩୧ ଅପରାହ୍ନ

    ବହୁତ ଭଲ ଲାଗୁଛି ଗପ କିନ୍ତୁ ଏହାର ବଳକା ଅଂଶ କାହିଁ ମିଳୁ ନାହିଁ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤