ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଗୋଦାବରୀଶ ମହାପାତ୍ର
ଗନ୍ତାୟତ ଶିବପ୍ରସାଦ
ବ୍ରହ୍ମାନନ୍ଦ ପଣ୍ଡା
ପ୍ରଦୀପ ନାୟକ
ଗୋପାଳ ଚନ୍ଦ୍ର ପ୍ରହରାଜ
ବରେନ୍ଦ୍ର କୃଷ୍ଣ ଧଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଚୋର
  କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
 
 
ତା: ଏପ୍ରିଲ୍ ୧୪, ୨୦୧୧  
 

(୧୪)

ମାଆ କୋଉ ଯାଏ ଦଉଡ଼ି ଗଲେଣି ଜାଣିବା ପାଇଁ ଶଶାଙ୍କ ମୁହଁ ଉପରୁ ତକିଆ କାଢିଲା୤ ମାଆ କହୁଥାନ୍ତି, “ପ୍ରତିଯୋଗିତା ନାଆଁରେ ସବୁତକ କଲମ ଠୁଳ କରି ହେଡ୍‌ମାଷ୍ଟ୍ରେ ଦେଖିଲେ ପୋଷ୍ଟମାଷ୍ଟରଙ୍କ ବର୍ଣ୍ଣନା ମୁତାବକ ତାଙ୍କ କଲମ ସେଥିରେ ଥିଲା ଓ ସେ କଲମ କ୍ଲିପ୍‌ରେ ଗୁଞ୍ଜା ହୋଇଥିବା କାଗଜରେ ଆମ ଗୁଣମଣିଙ୍କ ନାଆଁ ଲେଖା ହୋଇଥିଲା୤”
“ଖାସା ବୁଦ୍ଧିଟିଏ ପାଞ୍ଚିଲା ଲୋକଟା୤” ଅଜା ବଡ଼ ପାଟି କରି ହସିଲେ୤ ସତେ ଯେମିତି ଅତି ମଜା ଗପଟିଏ ପଡ଼ିଥିଲା୤ “କେମିତି ତା’ ମୁଣ୍ଡକୁ ଏଡ଼େ ବଢିଆ ବୁଦ୍ଧିଟିଏ ଜୁଟିଲା କେଜାଣି୤”
ମାଆ ବି ହସି ପକେଇଲା୤ “ଚୋରକୁ ଚୋର ଚିହ୍ନେ ବୋଲି କଥା ଅଛି ପରା ! ଏଇ ମାସେ ଖଣ୍ଡେ ହେବ ସ୍କୁଲରେ କ’ଣ ହୋପ୍ପା ଉଠିଛି ଜାଣିଛ ? ହେଡ୍‌ମାଷ୍ଟ୍ରେ କାଳେ ଜୋତା ଚୋରି କରି ଧରାପଡ଼ିଛନ୍ତି୤ କୋଉଠିକୁ ନିମନ୍ତ୍ରଣ ଖାଇବାକୁ ଯାଇଥିଲେ , ନିଜ ଖଣ୍ଡିଆ ଚପଲକୁ ଛାଡ଼ି ଆଉଜଣକର ନୂଆ ଚପଲ ପିନ୍ଧି ପଳାଉଥିଲେ୤ ସେଇଦିନଠାରୁ ଆମର ଏ ପିଲାଖଣ୍ଡକ ଚିଲ୍ଲଉଛି- ଚନ୍ଦାମୁଣ୍ଡିଆ ଚପଲଚୋର୤ ସତ କି ମିଛ ମାଆ ଗଙ୍ଗେଇ ଜାଣନ୍ତି୤”
“ଯଥା ମାଷ୍ଟ୍ର ତଥା ଛାତ୍ର୤ ” ଅଜା କହିଲେ୤ ସେଇଠୁ ବାପା, ସେ ଓ ମାଆ ବହେ ହସିଲେ୤ ବାପାଙ୍କର ଠୋଠୋ ହସ ସମସ୍ତଙ୍କୁ ଟପିଗଲା୤
ହସ ପଡ଼ିଯିବା ପରେ ଅଜା ପୁଣି ମାଆକୁ କଥାର ଖିଅ ଧରେଇଦେଲେ, “ହଁ, କ’ଣ ହେଲା ସେଇଠୁ? କଲମ ଭିତରୁ ପୋଷ୍ଟମାଷ୍ଟ୍ରଙ୍କ କଲମଟା ମିଳିଗଲା୤ ସେଇଠୁ?”
ଶଶାଙ୍କକୁ ଲାଗିଲା ତା’ର ଚୋରବୃତ୍ତିକୁ ନୁହେଁ, ତା’ ନିର୍ବୋଧପଣିଆକୁ ନେଇ ସେମାନେ ହସାହସି ହେଉଥିଲେ୤ ସେ ରାଗରେ ତକିଆକୁ ଗୋଇଠା ମାରି ଗୋଡ଼ ଆଡ଼କୁ ଫୋପାଡ଼ିଦେଲା ଓ ରେଜେଇ ଉପରେ ପଡ଼ିଥିବା ବିଛଣା ଚଦର ଓଟାରି ଆଣି ମୁହଁ ଘୋଡ଼ାଇପକାଇଲା୤ ମାଆ କଣ୍ଠ ତଥାପି ଶୁଭୁଥିଲା୤

(୧୫)

ଶେଷ କ୍ଲାସ୍‌ ଆରମ୍ଭ ହେବା ପୂର୍ବରୁ ହେଡ୍‌ମାଷ୍ଟର୍‌ଙ୍କ ଡାକରା ପାଇ ଶଶାଙ୍କ ତାଙ୍କ ଅଫିସ୍‌କୁ ଗଲା୤ ହେଡ୍‌ମାଷ୍ଟର୍‌ ଟେବୁଲ୍‌ ଉପରେ ଆପଣା ବୁଜୁଳା ଲଦି ଠିଆହୋଇଥାନ୍ତି୤ ଟେବୁଲ୍‌ ଉପରେ କୁଢାହୋଇଥାଏ କଲମତକ୤ ଶଶାଙ୍କର ହଠାତ୍‌ ମନେ ହେଲା ଯେ ଏ ପ୍ରତିଯୋଗିତା ଗୋଟିଏ ପ୍ରହସନ୤ ମୁଣ୍ଡ ବାଡ଼େଇଦେବାକୁ ଇଚ୍ଛା ହେଲା ତା’ର- ଏଡ଼େ ସହଜ ଫିକର୍‌, ସେ କେମିତି ଭେଦ କରି ନ ପାରିଲା ! କିନ୍ତୁ ସହଜରେ ଛାଡ଼ିଦେବା ପିଲା ସେ ନଥିଲା୤
“ତମରି ଯୋଗୁଁ ପୋଷ୍ଟମାଷ୍ଟର୍‌ ତାଙ୍କ ପୁଅକୁ ଗୋଗଚ୍ଛ ପିଟିଛନ୍ତି- ଜାଣିଚ? ନାଇଁ, ଜାଣିବ କାହିଁକି ? ଟୋକାଟା ବିଛଣାଲଗା ହୋଇ ପଡ଼ିଛି୤ ପୋଷ୍ଟମାଷ୍ଟ୍ରାଣୀ ଯଦି ତାଙ୍କୁ ଧମକ ଦେଇନଥାନ୍ତେ, ତା’ହେଲେ ପୁଅକୁ ବାଡ଼େଇ ମାରି ଦେଇଥାନ୍ତେ୤”
ଶଶାଙ୍କ କହିଲା, “ସାର, କଲମଟା ପୋଷ୍ଟମାଷ୍ଟର୍‌ଙ୍କର ନୁହେଁ, ମୋ ବାପାଙ୍କର୤ ମୁଁ ଘରୁ ଲୁଚେଇ ନେଇଆସିଥିଲି ପ୍ରତିଯୋଗିତାରେ ଭାଗ ନେବି ବୋଲି୤”
“କଲମ ପ୍ରତିଯୋଗିତା ହେବ ବୋଲି କେମିତି ଜାଣିଲ ?”
“ଖାଇବା ଛୁଟିରେ ଘରକୁ ଯାଇ ନେଇଆସିଲି୤”
“ଖାଇବା ଛୁଟିରେ ତମେ ଓ ଲାବଣ୍ୟ କ୍ଲାସରୁମ୍‌ରେ ବସିଥିଲ ବୋଲି ସ୍କୁଲ୍‌ ପିଅନ ଦେଖିଛି୤ ତା’କୁ ଡାକି ପଚାରିବା?”
“କଲମଟା କିନ୍ତୁ ମୋ ବାପାଙ୍କର୤ କାଲି ସେ ନ ପାଆନ୍ତି, ମତେ ପିଟିପକାଇବେ୤” “ପିଟି ପକାନ୍ତୁ୤ ତମକୁ ମାଡ଼ ଅଭାବ, ଘୋର ଅଭାବ୤ ଅଫିସର୍‌ଘର ପୁଅ ତ, ସେଇଥିପାଇଁ ଭଲ ମାଡ଼ ବସୁନାହିଁ୤”
“ବାପା ଖୋଜିଲେ ମୁଁ କହିଦେବି, ଆପଣ କଲମଟା ମୋ’ଠାରୁ ନେଇଯାଇଛନ୍ତି୤ ମୋତେ ଦୋଷ ଦେବେନି୤”
ହେଡ୍‌ମାଷ୍ଟର୍‌ ଟିକେ ହଡ଼ବଡ଼େଇଗଲେ୤

(୧୬)

ବିଛଣାଚାଦର ତଳେ ଗରମ ଲାଗିବାରୁ ଶଶାଙ୍କ ଛାଟିଛୁଟି ହୋଇ ବାହାରିଆସିଲା୤ କଥାବାର୍ତ୍ତା ଶୁଣିବା ପାଇଁ କାନ ଖାଡ଼ା କରିବାକୁ ପଡ଼ିଲାନାହିଁ୤ କାରଣ ବାପା ଏତେ ବଡ଼ ପାଟିରେ କହୁଥିଲେ, “ଆରେ ହଁ, ସେଇଥିପାଇଁ ତା’ ହେଲେ ଲୋକଟା ଧଇଁସଇଁ ହୋଇ ମୋ ଅଫିସ୍‌ରେ ଆସି ପହଞ୍ଚିଥିଲା, ନାଇଁ? ଏବେ ସମଝକୁ ଆସିଲା୤”
ମାଆ ପଚାରିଲେ, “ତମକୁ ହେଡ୍‌ମାଷ୍ଟ୍ରେ କ’ଣ କହିଲେ ? କାଇଁ ମତେ ତ ଏ ବିଷୟରେ କିଛି କହିନା୤”
“ଆରେ ମୁଁ କେମିତି ଜାଣିବି ହେଡ୍‌ମାଷ୍ଟ୍ରେ ମୋ ଯୋଗ୍ୟବନ୍ତ ପୁଅର କଲମ ଚୋରି ମାମଲା ତଦନ୍ତରେ ଆସିଥିଲା ? ମୋ ସାମ୍ନାରେ ଥଥମମ ହେଲା, କାନ କୁଣ୍ଡେଇହେଲା, ଅଫିସ୍‌ ଛୁଟି ବେଳକୁ ହେଡ୍‌ମାଷ୍ଟ୍ରେ କୁଆଡ଼େ ଇଆଡ଼େ ଆସିଲ ବୋଲି ପଚାରିବାରୁ କହିଲା- ସାର୍‌, ବହୁଦିନ ସ୍କୁଲରେ ପାଦ ପଡ଼ିଲାନାହିଁ, କେବେ ସୁବିଧା କରି ପରିଦର୍ଶନରେ ଆସନ୍ତୁ, ବଗିଚା ବାଡ଼ ଭାଙ୍ଗିଗଲାଣି ଯେ ଯାହା ଦୁଇଟା ଗଛବୃଚ୍ଛ ଥିଲା ଗାଈଗୋରୁ ପଶି ସବୁ ଖାଇ ଥୁଣ୍ଟା କରିଦେଲେଣି, ବାଡ଼ବୁଜା ପାଇଁ ଟଙ୍କା ଗ୍ରାଣ୍ଟ ମିଳୁ, ପୁଅ ରେଳବାଇ ଚାକିରି ପାଇଁ ସାକ୍ଷାତ୍‌କାରକୁ ଯିବ ଯେ ତା’ ପାଇଁ ଗୋଟିଏ ଚରିତ୍ରପତ୍ର ମିଳୁ, ଇତ୍ୟାଦି୤ ଷ୍ଟେନୋକୁ ଡାକି ଅମୁକର ପୁଅ ସମୁକକୁ ମୁଁ ଏତେ ବର୍ଷ ଏତେ ମାସ ଧରି ଚିହ୍ନେ, ତା’ ଚରିତ୍ର ଭଲ, ସେ ଜଣେ କର୍ମନିଷ୍ଠ ଓ ପରିଶ୍ରମୀ ଯୁବକ ଇତ୍ୟାଦି ଟାଇପ୍‌ କରି ଆଣିବାକୁ କହିଲି୤ ହେଡ୍‌ମାଷ୍ଟ୍ର ଚଉକି ଦାଢରେ ବସିଥାଏ, ଛକପକ ହେଉଥାଏ, ତା’ ଚନ୍ଦାମୁଣ୍ଡରେ ଟିପିଟିପି ଝାଳବୁନ୍ଦା ଫୁଟିଥାଏ୤ ହଠାତ୍‌ ସେ କହି ଉଠିଲା- ସାର୍‌, ଏତେ କଲମ ଅଛି, ଖଣ୍ଡେ ପାର୍କର କିଣନ୍ତୁ, କଲମଙ୍କ ଭିତରେ ରାଜା୤ ମୁଁ ଟିକିଏ ଆଶ୍ଚର୍ଯ୍ୟ ହେଲି୤ ଲୋକଟାର ହାବଭାବରେ ଖୁବ୍‌ ଅସ୍ଥିରତା- ହଠାତ୍‌ କଲମ କଥା କାଇଁକି ଉଠାଇଲା ? ପୁଣି ମୋ ସାଙ୍ଗରେ? ମୁଁ ଗମ୍ଭୀର ରହିବି ବୋଲି ଭାବିଲି, ତା’ ପରେ ମନେହେଲା ଗମ୍ଭୀର ରହିଲେ ଲୋକଟାକୁ ବାଧିପାରେ୤ ସେଇଠୁ ମୁଁ କହିଲି-ଆକାଶଛୁଆଁ ଦାମ୍‌, ତା’ଛଡ଼ା ଏଠି କେବଳ ଚୋରାରେ ମିଳୁଛି୤ ଚରିତ୍ରପତ୍ର ଟାଇପ୍‌ ହୋଇ ଆସି ପହଞ୍ଚିଲା୤ ମୁଁ ମୋ କଲମ ଖୋଲି ଦସ୍ତଖତ ମାରିବାକୁ ଯାଉଥିଲାବେଳେ ହେଡ୍‌ମାଷ୍ଟର ତା’ କମିଜର କଡ଼ ପକେଟରୁ ସୁନ୍ଦର କଲମଟିଏ କାଢି ବେଣ୍ଟରେ କ୍ୟାପ୍‌ ଲଗାଇଦେଇ ଅତି ବିନମ୍ର ଭଙ୍ଗୀରେ ମୋ ଆଡ଼କୁ ବଢେଇଦେଇ କହିଲା ସାର୍‌, ଏଇ କଲମରେ ଦସ୍ତଖତ କରନ୍ତୁ୤ ମୁଁ ମାରିଲି ଦସ୍ତଖତଟାଏ, ଆଉ କ’ଣ କହିଥାନ୍ତି, ରଖ ହୋ ତମ କଲମ? ଦେଖିଲି କଲମଟା ଗୋଟିଏ ବଢିଆ କଲମ୤ ତାଙ୍କ ଆଡ଼କୁ କଲମ ଓ କାଗଜ ଠେଲିଦେଇ କହିଲି- ପୁଅର ଚାକିରି ହୋଇଗଲେ ଆସି କହିବ, ମନେ ରହିଲା ? ସେଇଠୁ ସେ ଗଲା୤”

ପୃଷ୍ଠା ସଂଖ୍ୟା : 1 2 3 4 5 6 7 8 9 10

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
କମଳାକାନ୍ତ ମହାପାତ୍ର, ଭୁବନେଶ୍ବର
author photo
୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିବା କଥାକାର ଶ୍ରୀ କମଳାକାନ୍ତ ମହାପାତ୍ର ଆଧୁନିକ ଓଡ଼ିଆ କଥାସାହିତ୍ୟରେ ଜଣେ ବିସ୍ମୟକର ପ୍ରତିଭାସମ୍ପନ୍ନ ଗାଳ୍ପିକ ଓ ଅନୁବାଦକ ମଧ୍ୟ୤ ତାଙ୍କର ଗଳ୍ପ ସଂକଳନ ମଧ୍ୟରେ "ପାଳଭୁତ (୧୯୮୩)", "ଚୋର ଓ ଅନ୍ୟାନ୍ୟ ଗଳ୍ପ (୨୦୦୧)" ଏବଂ ଉପନ୍ୟାସ "ଫଟୋ (୧୯୯୦)" ଉଲ୍ଲେଖନୀୟ୤ ଜଁ ପାଲ ସାର୍ତ୍ତ, ଆଇଜାକ୍ ବାସେଭିସ୍ ସିଙ୍ଗର, ଗାବ୍ରିଏଲ ଗର୍ସିଆ ମାର୍କ୍ବେଜ୍ଙ୍କ ଭଳି ବିଶ୍ବପ୍ରସିଦ୍ଧ ଲେଖକଙ୍କ ରଚନାକୁ ଓଡିଆରେ ଅନୁବାଦ କରିବା ସହିତ ଫକୀରମୋହନ ସେନାପତି, ଲକ୍ଷ୍ମୀକାନ୍ତ ମହାପାତ୍ର, କିଶୋରୀ ଚରଣ ଦାସ ପ୍ରଭୃତିଙ୍କ ସାହିତ୍ୟକୁ ଇଂଲିଶ୍‌ରେ ଅନୁବାଦ କରି ବିଶ୍ବସ୍ତରରେ ପହଞ୍ଚାଇପାରିଛନ୍ତି୤

ସଂଖ୍ୟା ଦୃଷ୍ଟିରୁ ସ୍ବଳ୍ପ ହୋଇଥିଲେ ହେଁ ଶ୍ରୀ ମହାପାତ୍ରଙ୍କ ଲେଖାର ଶୈଳୀ ଓ କଥାବସ୍ତୁ ଏତେ ମୌଳିକ ଭାବେ ସ୍ବତନ୍ତ୍ର ଓ ଅଦ୍ବିତୀୟ ଯେ ତାଙ୍କର ଧାଡିଟିଏ ପଢିବା ଆରମ୍ଭ କଲେ ଶେଷଯାଏଁ ନ ପହଞ୍ଚି ରହିହୁଏନା୤

ସାମୟିକ ଭାବେ ଅଧ୍ୟାପନା ପରେ ୧୯୭୬ ମସିହାରୁ ଭାରତୀୟ ରାଜସ୍ବ ସେବାରେ ଯୋଗଦାନ କରି ଗାଳ୍ପିକ ଶ୍ରୀ ମହାପାତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅନେକ ଉଚ୍ଚ ପଦପଦବୀରେ ଅବସ୍ଥାପିତ୤

 

ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?

  • ୧. BISIKESAN NAYAK |  ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ

    ଭାରି ସୁନ୍ଦର୍ ହୋଇଛି ଲେଖାଟି

  • ୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .

  • ୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) |  ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ

    ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
    ବହୁତ ଧନ୍ୟବାଦ .
    ଇତି
    ଆପଣଙ୍କ ର ପା଼କ

  • ୪. Gopal Das |  ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ

    ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.

  • ୫. କ୍ଷୀରୋଦ ରାଉତ, ନାଗପୁର |  ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ

    ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.

  • ୬. ତରୁଣକାନ୍ତି ମିଶ୍ର |  ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ

    କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା୤ ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ୤ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ୤
    – ତରୁଣକାନ୍ତି ମିଶ୍ର

  • ୭. Ansumali, Balasore |  ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ

    Khub sundara.

  • ୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା |  ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ

    ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।

  • ୯. ସ୍ମୁତି ସୁମନ |  ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ

    ଅତ୍ୟନ୍ତ ଉଚ୍ଚକୋଟିର ଲେଖା

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤