ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
(୧୩)
ଗହ୍ମାପୁନେଇଁ ବାସି ସ୍କୁଲ୍ ଯିବାକୁ ଶଶାଙ୍କର ଆଦୌ ମନ ନଥିଲା ରାତିସାରା କଲମ ସ୍ବପ୍ନ ଦେଖିଥିଲା କଲମ କେତେବେଳେ ଉଡ଼ୁଥିଲା ତ କେତେବେଳେ ଚଢେଇଙ୍କ ପରି ଡଗଡଗ ହୋଇ ଚାଲୁଥିଲା, କିନ୍ତୁ ପ୍ରତିଥର ଶଶାଙ୍କର ହାତପାଆନ୍ତରୁ ଆଙ୍ଗୁଳେ ଦୂରରେ ତା’ ନିଦ ବାରମ୍ବାର ଭାଙ୍ଗୁଥିଲା ଓ ସେ ତକିଆଖୋଳ ଭିତରଟା ଅଣ୍ଡାଳି ପକାଉଥିଲା ସକାଳେ ସ୍କୁଲ୍ ନ ଯାଇ ଗ୍ୟାରେଜ୍ରେ ଲୁଚିବସି କେମିତି ପାର୍କର୍କଲମରେ ପାଞ୍ଚଦଶ ଫାଳ କାଗଜ ଗାରେଇବ, ସେଇ ଚିନ୍ତାରେ ସେ ବିକଳ ହୋଇପଡ଼ିଥିଲା
ମାଆ ତା’କୁ ସ୍କୁଲ୍କୁ ତଡ଼ିଲେ, “ତୁ ଶେଷରେ ପାଠଚୋର ବି ହେଲୁ ! କୋଉଠି ଥିଲୁ ମୋରି ପେଟରେ ଆସି ଜୁଟିଲୁ ? ବାପାଙ୍କର ନାଆଁ ପକେଇଲୁ”
ଅନ୍ୟ ଦିନ ହୋଇଥିଲେ ସ୍କୁଲ୍ ଯିବା ନାଆଁରେ ଶଶାଙ୍କ ପାହାଡ଼ତଳି ଆଦିବାସୀ ଗାଁକୁ ଚାଲିଯାଇଥାନ୍ତା, ଯେଉଁଠି ବାବୁଙ୍କ ପୁଅ ବୋଲି ତା’ର ଖୁବ୍ ଖାତିର୍ ଥିଲା ଓ ଯେଉଁଠି ସେ ଅନେକ ଥର ଆଦିବାସୀ ଝିଅଙ୍କୁ ନାଚିବାକୁ ଓ ଗୀତ ଗାଇବାକୁ ଫର୍ମାସ କରୁଥିଲା କିନ୍ତୁ ସେଦିନ ନୂଆ ପାର୍କର କଲମ ଚଲେଇବା ଦିନ ଥିଲା
ବାପାଙ୍କ ଜିପ୍ ଖରାପ ଓ କାରିଗର ଆସି ଇଞ୍ଜିନ୍ ଖୋଲିବ ଶୁଣି ଶଶାଙ୍କ ହତାଶ ହୋଇ ଶେଷରେ ସ୍କୁଲ୍ ଯିବାକୁ ଠିକ୍ କଲା ଓ ତକିଆ ଖୋଳ କନ୍ଦିରୁ କଲମ ବାହାର କରି ସ୍କୁଲ୍ ବ୍ୟାଗ୍ରେ ପୂରାଇ ବାହାରିଲା
ସ୍କୁଲ୍ରେ ପ୍ରାର୍ଥନା ସଭାରେ ତା’ ପାଟି ଫିଟିଲା ନାହିଁ ସମସ୍ତେ ‘ଆହେ ଦୟାମୟ ବିଶ୍ବ ବିହାରୀ’ ବୋଲୁଥିବା ବେଳେ ଶଶାଙ୍କ ପାଖରେ ଠିଆ ହୋଇଥିବା ବାପାଙ୍କ ଅଧସ୍ତନ କର୍ମଚାରୀଙ୍କ ଝିଅ ଲାବଣ୍ୟକୁ ନିରେଖିଦେଖିଲା ଲାବଣ୍ୟ ଆଖି ବୁଜି ପ୍ରାର୍ଥନା ବୋଲୁଥାଏ, ତା’ ଛାତି ଉଠୁଥାଏ ପଡୁଥାଏ; ତା’ କାନପାଖ କେଶ ଫୁରଫୁର ଉଡ଼ୁଥାଏ
“ବିଶେଷ ଘୋଷଣା ! ବିଶେଷ ଘୋଷଣଶ !” ପ୍ରାର୍ଥନା ସଭା ସରିବା ମାତ୍ରେ ହେଡ୍ମାଷ୍ଟ୍ରେ ବଡ଼ ପାଟିରେ କହିଲେ “ଆଜି ଆମ ସ୍କୁଲ୍ରେ କଲମ ପ୍ରତିଯୋଗିତା ହେବ ଯେଉଁ ଛାତ୍ରର କଲମ ଶ୍ରେଷ୍ଠ ବୋଲି ବିବେଚିତ ହେବ, ତା’କୁ ପୁରସ୍କାର ମିଳିବ”
ସ୍କୁଲ୍ରେ ଆଲୋଡ଼ନ ଖେଳିଗଲା ଏଭଳି ପ୍ରତିଯୋଗିତା ଆଗରୁ କେବେ ହୋଇ ନଥିଲା ସବୁବେଳେ ହସ୍ତାକ୍ଷର, ନହେଲେ ଖେଳକୁଦ, ନହେଲେ ସ୍ବାସ୍ଥ୍ୟରକ୍ଷା, ନହେଲେ ପରୀକ୍ଷାଫଳ ନେଇ ପ୍ରତିଯୋଗିତା; ସେସବୁ କୌଣସିଟାରେ ଶଶାଙ୍କ କେବେ କିଛି ପୁରସ୍କାର ପାଇନଥିଲା
“ଖାଇବା ଛୁଟି ପରେ ପ୍ରତିଯୋଗିତା ଆରମ୍ଭ ହେବ,” ହେଡ୍ମାଷ୍ଟର କହିଲେ “ଯେଉଁମାନେ ଏଥିରେ ଭାଗ ନେବାକୁ ଚାହୁଁଛନ୍ତି, ସେମାନେ କାଗଜରେ ନାଆଁ, ରୋଲ୍ନମ୍ବର, କ୍ଲାସ୍ ଲେଖି କାଗଜଖଣ୍ଡିକ ନିଜନିଜ କଲମ କ୍ଲିପ୍ରେ ଖୋସି ମୋ ଅଫିସ୍ରେ ଆଣି ଦାଖଲ କରିବେ ଏକରୁ କଲମ ପ୍ରତିଯୋଗିତାରେ ସାମିଲ୍ କରାଯାଇପାରିବ ଆଜି ଶେଷ କ୍ଲାସ୍ରେ ପଢାପଢି ନାହିଁ, ସେଇ କ୍ଲାସ୍ରେ ପ୍ରତିଯୋଗିତା ଫଳାଫଳ ଘୋଷଣା କରାଯିବ”
ସେଦିନ ଶଶାଙ୍କର ପଢାପଢିରେ ଯେଉଁ ଅଳ୍ପ ଟିକିଏ ମନ ଥାଏ, ସେତକ ମଧ୍ୟ ଲାଗିଲା ନାହିଁ ତା’ ଆଖି ଆଗରେ ପାର୍କର କଲମ ଛବି ନାଚିଲା କେତେବେଳେ କଲମର କ୍ୟାପ୍ରେ ସୁନେଲି ଡେଣା ଲାଗିଯାଉଥାଏ ତ କେତେବେଳେ କଲମ ବେଣ୍ଟରୁ ବଗ ଗୋଡ଼ ଭଳି ଦୁଇଟି ଡେଙ୍ଗା ଗୋଡ଼ ବାହାରିପଡ଼ୁଥାଏ, କଲମ କେତେବେଳେ ଉଡ଼ୁଥାଏ ତ କେତେବେଳେ ସାଉଁଳିଆ ଘାସପଡ଼ିଆରେ ଡଗଡଗ ହୋଇ ଚାଲିଯାଉଥାଏ ଗତ ରାତିର ସ୍ବପ୍ନ ତା’ର ଝାପ୍ସା ମନେ ପଡ଼ିଯାଉଥାଏ ଓ ସେ ସ୍ବପ୍ନ ଅନେକ ଦିନ ତଳେ ଦେଖିବା ଭଳି ତା’କୁ ଲାଗୁଥାଏ ହଠାତ୍ ଅଙ୍କମାଷ୍ଟ୍ରେ ଶଶାକଙ୍କୁ କ’ଣ ପଚାରିଲେ ଓ ସେ କ’ଣ ଉତ୍ତର ଦେବାରୁ କ୍ଲାସର ସମସ୍ତ ପିଲାଏ ହେଁହେଁ ହୋଇ ହସିଲେ କିନ୍ତୁ ତା’ର କୋଉଠି କ’ଣ ଭୁଲ୍ ହେଲା, ସେ ଜାଣିପାରିଲା ନାହିଁ ମାଷ୍ଟ୍ରେ କହିଲେ, “ଏ ପିଲା ମୁଣ୍ଡରେ ଖାଲି ଗୋବର”
ଖାଇବା ଛୁଟି ହେବାରୁ ଯେଉଁ ପିଲାମାନେ ସେମାନଙ୍କର ଗେଡୁ ରାଇଟର୍, କାଳି ଝରୁଥିବା ବୁଢା ପ୍ଲାଟୋ, ସହଜ ସୁନ୍ଦର ସୁଲଭ ୱିଲ୍ସନ୍, ନୂ଼ଆନୂଆ ଆସିଥିବା ପାଇଲଟ୍ କଲମ ପ୍ରତିଯୋଗିତାରେ ବସେଇବେ ବୋଲି ଠିକ୍ କରିଥିଲେ, ସେମାନେ କାଗଜ ଚିର୍କୁଟିରେ ନାଆଁ, ରୋଲ୍ନମ୍ବର, କ୍ଲାସ୍ ଲେଖି ହେଡ୍ମାଷ୍ଟରଙ୍କ ଟେବୁଲ୍ ଉପରେ ଥୋଇଦେଇ ଆସିଲେ ଓ ସ୍କୁଲ୍ଠାରୁ ଅଳ୍ପ ଦୂରରେ ଥିବା ପୋଖରୀକୁ ବାହାରିଗଲେ ବେଙ୍ଗକୁ ଟେକା ପକେଇବାକୁ ଶଶାଙ୍କକୁ ଡାକିଲେ, ସେ ମନା କଲା ସେ ଟିଫିନ୍ ଡବା ଖୋଲି ଦେଖିଲା, ମାଆ ପରଟା ଓ ଆଳୁଭଜା ବଦଳେ ସୁଜି ପଠାଇଥିଲେ ସେ ଖାଇଲା ନାହିଁ
ଲାବଣ୍ୟ ଆସି ତା’ ପାଖେ ଗେହ୍ଲେଇହେଲା ଶଶାଙ୍କ ସବୁଦିନେ ଯେମିତି ତା’ ଗାଲକୁ ଚୁଚୁମିଦିଏ, ସେମିତି କଲା ନାହିଁ ସପ୍ତାହେ ତଳେ ବାପାଙ୍କ ପକେଟରୁ ହରଣଚାଳ କରିଥିବା ଦୁଇଟଙ୍କା ସରି ସରି ଗୋଟିଏ ଚାରଣିରେ ଆସି ପହଞ୍ଚିଥାଏ ସେ ଲାବଣ୍ୟକୁ କହିଲା, “ଆଜି ଦୋସା ଖାଇବୁ?”
ଲାବଣ୍ୟ ମୁଣ୍ଡ ହଲାଇ ହଁ ମାରିଲା ଓ ପଚାରିଲା, “ତମେ ପ୍ରତିଯୋଗିତାରେ କେତେଟା କଲମ ବସେଇବ ? ତମର ତ ଯୋଡ଼ାଏ ବଢିଆ ବଢିଆ କଲମ ଅଛି ତମ ଗୋଲାପୀ ପାଇଲଟ୍ ନିଶ୍ଚେ ଫାଷ୍ଟ ହେବ”
“ଆଜିକାଲି ପାଇଲଟ୍ କ’ଣ କଲମରେ ଗଣା ?” ଶଶାଙ୍କ କହିଲା “ପୃଥିବୀର ସବୁଠାରୁ ବଢିଆ କଲମ ହେଲା ପାର୍କର ତା’ ତଳକୁ ସେଫାର୍ସ, ତା’ ତଳକୁ ହିରୋ, ତା’ ତଳକୁ…”
ଲାବଣ୍ୟ ହଠାତ୍ ମୁହଁ ଫୁଲେଇଲା, “ମୁଁ ତମକୁ ଆଉ ଭଲ ପାଇବିନି କି ବଡ଼ ହେଲେ ବାହାହେବିନି, ଯାଃ”
“ବାପା ମତେ କାଲି ଗୋଟେ ପାର୍କର କଲମ ଦେଇଛନ୍ତି”
“କାଇଁ ଦେଖେଇଁ”
“ମାଗଣାରେ କିଆଁ ଦେଖେଇବି !”
“ଦେଖାଅ, ଦେଖାଅ ଥରଟେ ଦେଖାଅ ନହେଲେ କଟି, କଟି, କଟି”
“ତୁ ମତେ ଆଗେ ଟିକେ ତୋ ଇଏ ଦେଖା” ଶଶାଙ୍କ ଚାରିଆଡ଼କୁ ଚାହିଁ ଲାବଣ୍ୟ ଗାଲକୁ ଚୁଚୁମିଦେଲା
ମତାମତ ସଂଖ୍ୟା - ୯ ଆପଣଙ୍କ ମତାମତ ?
୧. BISIKESAN NAYAK | ଏପ୍ରିଲ୍ ୨୩, ୨୦୧୧ - ୩:୦୭ ପୂର୍ବାହ୍ନ
ଭାରି ସୁନ୍ଦର୍ ହୋଇଛି ଲେଖାଟି
୨. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) | ଜୁଲାଇ ୧୮, ୨୦୧୧ - ୭:୧୧ ପୂର୍ବାହ୍ନ
ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
ବହୁତ ଧନ୍ୟବାଦ .
୩. ପ୍ରୁଥୀରାଜ ପାତ୍ର (ଚାଣକ୍ୟ) | ଜୁଲାଇ ୧୮, ୨୦୧୧ - ୭:୧୪ ପୂର୍ବାହ୍ନ
ଆପଣଙ୍କ ଲେଖାଟି ଅତି ବଢିଆ ଲାଗିଲା
ବହୁତ ଧନ୍ୟବାଦ .
ଇତି
ଆପଣଙ୍କ ର ପା଼କ
୪. Gopal Das | ଜୁଲାଇ ୧୯, ୨୦୧୧ - ୬:୩୩ ଅପରାହ୍ନ
ଲେଖାଟି ଏକରକମ ଭଲ ହେଲେ ବ୍ୟଙ୍ଗ ଭଳି ଲଗିଲା.
୫. କ୍ଷୀରୋଦ ରାଉତ, ନାଗପୁର | ଜୁଲାଇ ୨୭, ୨୦୧୧ - ୫:୫୪ ପୂର୍ବାହ୍ନ
ଅନେକ ସୁନ୍ଦର ହୋଇଛି. ବାସ୍ତବ ରେ ଘଟୁଥିବା ଛୋଟ ଛୋଟ ଘଟଣା ଗୁଡିକ ଖୁବ୍ ସୁନ୍ଦର କରି ତୋଳି ଧରଛନ୍ତି ଲେଖକ.
୬. ତରୁଣକାନ୍ତି ମିଶ୍ର | ଅକ୍ଟୋବର୍ ୨, ୨୦୧୧ - ୧୦:୧୬ ପୂର୍ବାହ୍ନ
କମଳାକାନ୍ତ ଓଡିଆ ସାହିତ୍ୟଜଗତରେ ଏକ ବିସ୍ମୟକର ପ୍ରତିଭା ସେ ଅଳ୍ପ ଲେଖିଛନ୍ତି , କିନ୍ତୁ ଯାହା ଲେଖିଛନ୍ତି, ପ୍ରତ୍ୟେକଟି ଅସାଧାରଣ ସମସାମୟିକ ଓଡିଆ ଗଳ୍ପର ସଂକ୍ଷିପ୍ତତମ ସଂକଳନରେ ମଧ୍ୟ ତାଙ୍କର ଗୋଟିଏ କାହାଣୀ ସ୍ଥାନ ପାଇବାର ଯୋଗ୍ୟ
– ତରୁଣକାନ୍ତି ମିଶ୍ର
୭. Ansumali, Balasore | ଫେବୃଆରୀ ୨୦, ୨୦୧୩ - ୨:୦୩ ପୂର୍ବାହ୍ନ
Khub sundara.
୮. ରାଜେଶ୍ ସାହୁ, ଅନୁଗୁଳ,ଓଡିଶା | ମାର୍ଚ୍ଚ୍ ୩, ୨୦୧୩ - ୨:୦୫ ଅପରାହ୍ନ
ଓଡିଆ ଭାଷାର ଉନ୍ନତି ପାଇଁ ଏମିତି ଲେଖା ଉଚ୍ଚ ପ୍ରସଶଂନୀୟ ।
୯. ସ୍ମୁତି ସୁମନ | ମେ ୩, ୨୦୧୩ - ୩:୩୬ ପୂର୍ବାହ୍ନ
ଅତ୍ୟନ୍ତ ଉଚ୍ଚକୋଟିର ଲେଖା